‘ଦେଶଜାତି ପ୍ରୀତି ସରସ୍ୱତୀ ନଦୀ, ବହୁଛି ଇରମେ ଶତ ମାର୍ଗେ ଭେଦି’, ଏହି ଗୀତ ଗାଇଥିଲେ ଗୋପବନ୍ଧୁ, ଇରମ ମେଳଣ ପଡ଼ିଆରେ ୧୯୨୧ ମସିହା ଜୁନ୍ ୧୪ ତାରିଖ ଦିନ ଅନୁଷ୍ଠିତ ଏକ ବିଶାଳ ଜନସଭାରେ। ଇରମର ସେହି ଅନ୍ତଃସଲିଳା ସରସ୍ୱତୀ ପାଲଟିଥିଲା ରକ୍ତନଦୀ ୧୯୪୨ ମସିହା ସେପ୍‌ଟେମ୍ବର ୨୮ ତାରିଖ ଅପରାହ୍‌ଣରେ। ସଞ୍ଜ ହେବାକୁ ଆଉ କେତେ ବେଳ ବା ବାକି ଥିଲା? ସେତେବେଳେ ଆକାଶରେ ଅଗ୍ନି ଉଦ୍‌ଗିରଣ ତ ମେଳଣ ପଡ଼ିଆ ସନ୍ନିକଟ ନହଣ ପୋଖରୀରେ ରକ୍ତଜବାର ଆଭା। ଲୋକାରଣ୍ୟ ମେଳଣ ପଡ଼ିଆରେ ଚାଲିଥିଲା ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଭା। ଗୋଧୂଳିର ହଠାତ୍ ଯେମିତି ବୁକୁ ଫାଟିଗଲା ଗୁଡୁମ୍ ଗୁଡୁମ୍ ଗୁଳି ଶବ୍ଦରେ। ଦୁଇଜଣ ସଂଗ୍ରାମୀ ଟଳିପଡ଼ିଲେ ମାଟି ଉପରେ। ଲୋକମାନଙ୍କର ଆର୍ତ୍ତ ଚିତ୍କାର କିନ୍ତୁ ହଜିଯାଉଥିଲା ‘ଭାରତ ମାତା କି ଜୟ’, ‘ମହାତ୍ମା ଗାନ୍ଧୀ କି ଜୟ’ ମନ୍ଦ୍ର ଧ୍ୱନିରେ। ତା’ପରେ ପୁଣି ଗୁଡୁମ୍ ଗୁଡୁମ୍। ଆଉ ୨୬ ଜଣ ସଂଗ୍ରାମୀ ମେଳଣ ପଡ଼ିଆରେ ନିରବିଗଲେ। ଇରମର ସେହି ଗୁଳିକାଣ୍ଡରେ ୨୮ ଜଣଙ୍କର ପ୍ରାଣହାନି ଘଟିଥିଲା ସଭାସ୍ଥଳୀରେ ଏବଂ ଜଣଙ୍କର ଅନ୍ୟତ୍ର ଚିକିତ୍ସାଧୀନ ଅବସ୍ଥାରେ। ଏହା ଥିଲା ବ୍ରିଟିସ୍‌ ସରକାରଙ୍କ ଉନ୍ମାଦ ଅମାନୁଷିକତାର ଶେଷ ଅଟ୍ଟହାସ୍ୟ।
ଏହି ଗଣସଂହାରର ପୃଷ୍ଠଭୂମିରେ ନିହିତ ଗଣସଂଗ୍ରାମ ଥିଲା ଜାତୀୟ ଆହ୍ୱାନ ଓ ସ୍ଥାନୀୟ ଅଙ୍ଗୀକାରର ପ୍ରତିଫଳନ। ସେହିବର୍ଷ ଅଗଷ୍ଟ ମାସ ୮ ତାରିଖରେ ମୁମ୍ବାଇରେ ‘ଭାରତଛାଡ଼’ ପ୍ରସ୍ତାବ ପାରିତ ହେଲା ପରେ ଗାନ୍ଧୀଜୀଙ୍କ ସମେତ ଅନେକ ଆଗଧାଡ଼ିର ନେତାଙ୍କୁ କାରାରୁଦ୍ଧ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ବରେଣ୍ୟ ନେତା ହରେକୃଷ୍ଣ ମହତାବ ଓ ଅନ୍ୟମାନେ। ନେତାମାନଙ୍କ ଅନୁପସ୍ଥିତିରେ ଭାରତର ଦିଶାହୀନ ଜନତା ନାନା କାଣ୍ଡ ଭିଆଇଥିଲେ ନାନା ସ୍ଥାନରେ। ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନ ହୋଇଥିଲା ବେଶ୍ ତୀବ୍ର ଓ ବ୍ୟାପକ। ରାଜ୍ୟର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପ୍ରତିବାଦର ଉତ୍ତର ଥିଲା ଗୋରା ସରକାରର ଗୁଳି। ଏହି ପ୍ରତିବାଦ ଓ ତଜ୍ଜନିତ ଗୁଳିକାଣ୍ଡ ଆରମ୍ଭ ହୋଇଥିଲା ମାଲକାନଗିରି ଜିଲ୍ଲାର ମାଥିଲିରେ ଅଗଷ୍ଟ ୨୧ ତାରିଖ ଦିନ, ଯେଉଁଠି ୫ ଜଣ ସଂଗ୍ରାମୀ ସହିଦ ହୋଇଥିଲେ। ସେହି ଗୁଳିକାଣ୍ଡର ନାୟକ ଲକ୍ଷ୍ମଣ ନାଏକଙ୍କୁ ପରବର୍ତ୍ତୀ ସମୟରେ ଦେଶଦ୍ରୋହ ପାଇଁ ଫାଶୀଦଣ୍ଡ ଦିଆଯାଇଥିଲା। ପୁଣି ଅଗଷ୍ଟ ୨୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଗୁଳିକାଣ୍ଡରେ ୧୯ ଜଣ ସତ୍ୟାଗ୍ରହୀ ମୃତ୍ୟୁମୁଖରେ ପଡ଼ିଥିଲେ। ଭଦ୍ରକ ଥିଲା ସଂଗ୍ରାମର ଅନ୍ୟ ଏକ ଆଗ୍ନେୟଭୂମି। ଅଗଷ୍ଟ ମାସ ୧୭ ତାରିଖ ଦିନ ଉତ୍ତ୍ୟକ୍ତ ଜନସାଧାରଣ ଭଣ୍ଡାରିପୋଖରୀ ଥାନା ପୋଡ଼ି ଦେଇଥିଲେ। ସେପ୍‌ଟେମ୍ବର ୨୨ ତାରିଖରେ ଲୁଣିଆ ଗୁଳିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଓଡ଼ିଶାର ଶେଷ ମର୍ମନ୍ତୁଦ ଗୁଳିକାଣ୍ଡ ଘଟିଥିଲା ୨୮ ତାରିଖରେ ଇରମ ମେଳଣ ପଡ଼ିଆରେ।
ସ୍ୱାଧୀନତା ପାଇଁ ବ୍ୟଗ୍ର ଇରମବାସୀ ସେପ୍‌ଟେମ୍ବର ୧୭ ତାରିଖ ଦିନ ଏକ ସମାନ୍ତରାଳ ସରକାର ଗଠନ କରିଥିଲେ। ଜାତୀୟକବି ବାଞ୍ଛାନିଧି ମହାନ୍ତିଙ୍କ ନାମାନୁସାରେ ‘ସ୍ୱାଧୀନ ବାଞ୍ଛାନିଧି ଚକଲା’ ଭାବରେ ସେହି ଅଞ୍ଚଳ ନାମିତ ହୋଇଥିଲା। ସରକାର ପରିଚାଳନା ନିମନ୍ତେ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଥିଲା। ସତ୍ୟାଗ୍ରହୀମାନେ ଏକ ବିଚାରାଳୟ ଓ କାରାଗାର ସ୍ଥାପନ କରିଥିଲେ ଏବଂ ଏକ ସୈନ୍ୟବାହିନୀ ମଧ୍ୟ ଗଠନ କରିଥିଲେ। ଏହା ସେମାନଙ୍କ ପ୍ରଗାଢ଼ ଦେଶପ୍ରୀତିର ଦ୍ୟୋତକ। ଅମାରରୁ ଧାନ ଲୁଟିନେବା ପାଇଁ ଏବଂ କଚେରି ଘର ଭାଙ୍ଗିଦେବା ପାଇଁ ସତ୍ୟାଗ୍ରହୀମାନେ ଧମକ ଦେଉଥିବା କଥା ସ୍ଥାନୀୟ ଜମିଦାର ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ସେପ୍‌ଟେମ୍ବର ୨୮ ତାରିଖ ଦିନ ପୁଲିସ୍ ଇନ୍‌ସପେକ୍ଟର ସଶସ୍ତ୍ର ବାହିନୀ ସହିତ ଆସି ଚୂଡ଼ାମଣି ଘାଟରେ ପହଞ୍ଚିଥିଲେ। ସେମାନେ ଘାଟ ପାରିହେଉଥିବା ସମୟରେ ସତ୍ୟାଗ୍ରହୀମାନଙ୍କ ପୂର୍ବ ଯୋଜନା ଅନୁସାରେ ନାଉରି ଜଣକ ଶଙ୍ଖ ଫୁଙ୍କିଥିଲେ। ଚୂଡ଼ାମଣି ଘାଟରେ ଶଙ୍ଖ ବାଜିବା ପରେପରେ ମେଳଣ ପଡ଼ିଆରେ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଥିଲା ସତ୍ୟାଗ୍ରହୀମାନଙ୍କ ସଭା। ସଞ୍ଜ ହେବା ପୂର୍ବରୁ କିନ୍ତୁ ପୁଲିସ୍‌ ସେଠାରେ ପହଞ୍ଚି ଅତର୍କିତ ଗୁଳି ବର୍ଷା କରିଥିଲେ। ଗୁଳିକାଣ୍ଡରେ ସହିଦ ହୋଇଥିବା ୨୯ ଜଣଙ୍କ ମଧ୍ୟରେ ଥିଲେ ପରୀ ବେୱା ନାମ୍ନା ଜଣେ ବୟସ୍କ ମହିଳା। ଏଠାରେ ଉଲ୍ଲେଖନୀୟ ଯେ ଊନବିଂଶ ଶତାବ୍ଦୀରେ ପୁଲିସ୍‌ ଗୁଳିରେ ନିହତ ପାରଳାଖେମୁଣ୍ଡିର ଗୁମାଗଡ଼ରକ୍ଷିକା ହାରାମଣି ବିଶୋଇ ଖୁବ୍ ସମ୍ଭବତଃ ପ୍ରଥମ ଓଡ଼ିଆ ମହିଳା ସହିଦ। ଭାରତଛାଡ଼ ଆନ୍ଦୋଳନ ସମୟରେ ବିନିକାର ଗୁରୁବାରୀ ମେହେର ଓ ବରି ସେରପୁରର ଛ’ ବର୍ଷୀୟା ଶିଶୁକନ୍ୟା ଅବଳା ନାୟକ ଇଂରେଜ ଶାସନକୁ ବିରୋଧ କରି ମଧ୍ୟ ପ୍ରାଣବଳି ଦେଇଥିଲେ।
ତେବେ ଇରମର ଏହି ଲୋମହର୍ଷଣକାରୀ ଘଟଣା ଦୀର୍ଘ ଦିନ ଧରି ଲୁକ୍କାୟିତ ହୋଇ ରହିଥିଲା ବୋଲି କହିଲେ ଭୁଲ୍‌ ହେବ ନାହିଁ। ଏହାକୁ ସାର୍ବଜନୀନ କରିବା ଦିଗରେ ସୁଧାକର ଦାସଙ୍କ ‘ସ୍ୱାଧୀନତା ସଂଗ୍ରାମର ଭୂମି ଇରମ’ ଓ ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ‘ରକ୍ତତୀର୍ଥ ଇରମ’ ପୁସ୍ତକ ଦ୍ୱୟର ବିଶେଷ ଭୂମିକା ରହିଛି। ଅଜୟ କୁମାର ପଣ୍ଡାଙ୍କ ‘ଥାର୍ଟି ମିନିଟ୍‌ସ ଟୁ ସନ୍ ସେଟ୍’ ନାମକ ପୁସ୍ତକଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏସବୁ ସତ୍ତ୍ୱେ ଇରମ ଓ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଗୁଳିକାଣ୍ଡ ସମ୍ପର୍କରେ ବିଶେଷ ବିବରଣୀ ଭାରତ ଇତିହାସରେ ଦେଖିବାକୁ ମିଳେନାହିଁ।
ଏହିପରି ଘଟଣା କେବଳ ଇତିହାସର ଅଧ୍ୟାୟ ନହୋଇ ସାହିତ୍ୟରେ ରୂପାନ୍ତରିତ ହେବା ବାଞ୍ଛନୀୟ। କାରଣ ଇତିହାସ ସାହିତ୍ୟ ପାଲଟିଗଲେ ତାହା ଜନଶ୍ରୁତିର ରୂପ ନିଏ, ଜନମାନସରେ ସୃଷ୍ଟି କରେ ଅଲିଭା ଶିହରଣ। ତେବେ କବି ମଧୁସୂଦନ ରାୟ ଏହି ଘଟଣାକୁ ଭିତ୍ତି କରି ‘ଇରମ କାହାଣୀ’ ନାମକ ଏକ ଗୀତ ବହି ଲେଖିଥିଲାବେଳେ ବିଶିଷ୍ଟ ନାଟ୍ୟକାର ଶ୍ୟାମ ସୁନ୍ଦର ପୁହାଣ ‘ରକ୍ତସନ୍ଧ୍ୟା’ ନାମକ ଏକ ନାଟକ ରଚନା କରିଛନ୍ତି ଯାହା ଭଦ୍ରକ ସହିଦ ସ୍ମୃତି ଭବନରେ ୨୦୦୮ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ମଞ୍ଚସ୍ଥ ହୋଇଥିଲା। ସଂଳାପ ସାଙ୍ଗକୁ ଗୀତ ସଂଯୋଜନାରେ ଏହି ନାଟକଟି ଏକ ଉତ୍ତୀର୍ଣ୍ଣ କୃତି। ଇରମରେ ସେଦିନ ସଞ୍ଜର ବ୍ୟଥା ଅପୂର୍ବ ରୂପ ଧାରଣ କରିଛି ନାଟ୍ୟକାରଙ୍କ ଲେଖନୀରେ: ‘ଚହଲି ପଡୁଛି ନହଣ ପୋଖରୀ ଚିହ୍ନା ମଣିଷର କଥା, ଅଚିହ୍ନା ମଣିଷ ଛାତି ଥରାଇବ ରକତ ସଞ୍ଜର ବ୍ୟଥା।’
ଏହି ରକ୍ତସନ୍ଧ୍ୟାର ବ୍ୟଥା ଜାତୀୟ ମହାଗାଥାରେ କେବେ ରୂପାନ୍ତରିତ ହେବ? ସେହିଦିନକୁ ଅପେକ୍ଷା ରହିଲା।
ମୋ: ୯୪୩୭୧୪୩୮୯୬