ସୁଖର କଥା, ଯେ ଦୀର୍ଘ ଦୁଇବର୍ଷର ବିରତି ପରେ, ଏବର୍ଷ ପୁଣି ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଅନୁଷ୍ଠିତ ହେଉଛି। ଏହାକୁ କୁହାଯାଇଛି- ‘ଚତୁର୍ଥ ରାଜ୍ୟ ପୁସ୍ତକ ମହୋତ୍ସବ’। କିନ୍ତୁ ଏହା କ’ଣ ପ୍ରକୃତରେ ‘ରାଜ୍ୟ ପୁସ୍ତକ ମହୋତ୍ସବ’ର ଚତୁର୍ଥ ସଂସ୍କରଣ?

Advertisment

ଏ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ, ଆମକୁ ଏହି ପୁସ୍ତକ ମହୋତ୍ସବ ବା ପୁସ୍ତକ ମେଳାର ଇତିହାସକୁ ଯିବାକୁ ପଡ଼ିବ। ଏ ଇତିହାସ ବେଶୀ ଦିନର ନୁହେଁ; ମାତ୍ର ପାଞ୍ଚବର୍ଷର। ୨୦୧୮ ମସିହାର କଥା। ଏବେ ରାଜଧାନୀ ସହର ଯେପରି ୨୦୨୩ ପୁରୁଷ ବିଶ୍ୱକପ୍ ହକି ପାଇଁ ସଜେଇ ହେଉଛି, ସେଦିନ ବି ଠିକ୍ ସେମିତି ୨୦୧୮ ପୁରୁଷ ବିଶ୍ୱକପ୍ ହକି ପାଇଁ ସଜେଇ ହେଉଥିଲା। ଏ ବର୍ଷ ପରି, ସେ ବର୍ଷ ବି ‘ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮’ ସଦ୍ୟ ସମାପ୍ତ ହୋଇଥିଲା। ତେଣୁ କେବଳ ଖେଳ କି ଶିଳ୍ପ ନୁହେଁ; ଆମ ସାହିତ୍ୟ ବି କାହିଁକି ପଛରେ ପଡ଼ିବ- ଏହି ଭାବନା ନେଇ ସରକାର ଏକ ବଡ଼ ବିଶ୍ୱସ୍ତରୀୟ ବହିମେଳାର ସ୍ୱପ୍ନ ଦେଖିଥିଲେ। ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟ ରାଜଧାନୀ ବାହାରେ, ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦର ସ୍ୱତନ୍ତ୍ର ବୈଠକରେ ସେହି ନିଷ୍ପତ୍ତି ହୋଇଥିଲା। ସେଥିରେ ସ୍ୱପ୍ନ ଦେଖାଯାଇଥିଲା ଗୋଟିଏ ‘ଓଡ଼ିଶା ଅନ୍ତର୍ଜାତୀୟ ବହିମେଳା’ର। କିନ୍ତୁ ଆଜି, ଚାରି ବର୍ଷ ପରେ ଏ ଯେଉଁ ପୁସ୍ତକ ମହୋତ୍ସବ ହେଉଛି- ସେଥିରେ ସେହି ‘ବିଶ୍ୱସ୍ତରୀୟ ବହିମେଳା’ର ସ୍ୱପ୍ନ ଆଉ ନାହିଁ। ଆମ ଦେଶର ଅନ୍ୟ କେତେକ ରାଜ୍ୟର ପ୍ରକାଶକ ଓ ପୁସ୍ତକ ବିକ୍ରେତା ଅବଶ୍ୟ ଏହି ମହୋତ୍ସବରେ ଯୋଗ ଦେଇଛନ୍ତି; କିନ୍ତୁ ଏହାକୁ ବିଶ୍ୱସ୍ତରୀୟ ବହିମେଳା କରିବାପାଇଁ ସେ ଦିନର ଉଦ୍ୟମ ବା ସ୍ୱପ୍ନ ଯେପରି ସରି ଯାଇଛି।

ଏହି ପୁସ୍ତକ ମହୋତ୍ସବର ଆୟୋଜନ ପୂର୍ବରୁ, ରାଜଧାନୀ ଭୁବନେଶ୍ୱରରେ, ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଚାରିଟି ପୁସ୍ତକମେଳା ଅନୁଷ୍ଠିତ ହେଉଥିଲା। ସେହି ଚାରି ପୁସ୍ତକ ମେଳା ମଧ୍ୟରେ ସବୁଠୁ ବଡ଼ ଥିଲା ‘ରାଜଧାନୀ ପୁସ୍ତକମେଳା’। ସେହି ମେଳା କମିଟିର ସଭାପତି ସେତେବେଳେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ, ଯେ ରାଜଧାନୀ ସହରରେ ଚାରିଟି ପୁସ୍ତକମେଳା ଆୟୋଜିତ ହେଉଥିବା ବେଳେ, ସରକାର ଆଉ ଗୋଟିଏ, ପଞ୍ଚମ ପୁସ୍ତକମେଳା ଆୟୋଜନ କରି ଏକ ପ୍ରତିଯୋଗିତାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ନକରନ୍ତୁ। ସରକାର ନିଜେ ଏହି ମେଳା ଆୟୋଜନ ନକରି, ଯେଉଁ ପୁସ୍ତକମେଳା କମିଟିମାନେ ମେଳା ଆୟୋଜନ କରି ଆସୁଛନ୍ତି ସେମାନଙ୍କୁ ସହଯୋଗ କରନ୍ତୁ।

‘ରାଜଧାନୀ ପୁସ୍ତକମେଳା’ ସଭାପତିଙ୍କର ସେହି ପ୍ରସ୍ତାବ ପରେ, ମେଳା କମିଟିମାନଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ସରକାର କେତୋଟି ବୈଠକ କରିଥିଲେ। ମେଳା କମିଟି ପକ୍ଷରୁ ମିଳିତ ଭାବରେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦିଆଯାଇଥିଲା ଏବଂ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତି ପ୍ରସ୍ତାବ ରଖାଯାଇଥିଲା। ମାତ୍ର ପରିଶେଷରେ ସରକାର ଯେଉଁସବୁ ସର୍ତ୍ତ ରଖିଲେ, ସେଥିରେ ‘ସହଭାଗିତା’ ଅପେକ୍ଷା ସରକାରଙ୍କ ‘କର୍ତ୍ତୃତ୍ୱ’ ଅଧିକ ସୂଚିତ ହେଲା। ଫଳରେ ‘ଓଡ଼ିଶା ଅନ୍ତର୍ଜାତୀୟ ପୁସ୍ତକମେଳା’ର ସ୍ୱପ୍ନ ବିଡ଼ମ୍ବିତ ହୋଇଗଲା। ଯେଉଁସବୁ ମେଳା କମିଟି ମିଶି ଏକ ମିଳିତ ମଞ୍ଚ ଗଠନ କରିଥିଲେ, ସେହି ସବୁ ମେଳା କମିଟି ମଧ୍ୟରେ ସହମତି ହୋଇ ପାରିଲା ନାହିଁ। ଫଳରେ ‘ଓଡ଼ିଶା ଅନ୍ତର୍ଜାତୀୟ ପୁସ୍ତକ ମେଳା’ର ସ୍ୱପ୍ନ ତୁଟି ଗଲା। ପରବର୍ତ୍ତୀ କାଳରେ ଓଡ଼ିଶା ସରକାର ‘ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ’ ସହଯୋଗରେ ୨୦୧୯ ଫେବ୍ରୁଆରିରେ ଏକ ମେଳାର ଆୟୋଜନ କଲେ; କିନ୍ତୁ ତାହା ଏକ ଅନ୍ତର୍ଜାତୀୟ ମେଳା ହେବା ତ ଦୂରର କଥା, ଏକ ରାଜ୍ୟସ୍ତରୀୟ ମେଳା ମଧ୍ୟ ହୋଇପାରି ନଥିଲା। ‘ରାଜଧାନୀ ପୁସ୍ତକ ମେଳା କମିଟି’ ଆୟୋଜନ କରୁଥିବା ‘ସବୁଠୁ ବଡ଼ ବହିମେଳା’ର ଅଧାଠୁ ବି କମ୍ ଥିଲା ସେହି ମେଳା।

୨୦୧୯ ଫେବ୍ରୁଆରିର ସେହି ମେଳା ଥିଲା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ପ୍ରଥମ ସଂସ୍କରଣ। ପରବର୍ତ୍ତୀ କାଳରେ, ସେହି ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେଲା ତାହାର ଦ୍ୱିତୀୟ ସଂସ୍କରଣ। ତା’ ପରବର୍ଷ, ଅର୍ଥାତ୍ ୨୦୨୦ରେ ଆସିଗଲା କୋଭିଡ୍ ଅତିମାରୀ ଏବଂ ତାହାର ଆତଙ୍କ ଭିତରେ ମେଳାର ଆୟୋଜନ ସମ୍ଭବ ନଥିଲା। ତା’ ପରବର୍ଷ, ଅର୍ଥାତ୍ ୨୦୨୧ରେ ମେଳା ପାଇଁ ସମସ୍ତ ଆୟୋଜନ ସରିଥିଲା; କିନ୍ତୁ ମେଳା ଆରମ୍ଭ ହେବାର ମାତ୍ର ଦୁଇଦିନ ପୂର୍ବରୁ ସରକାର ସେହି ମେଳାକୁ ବାତିଲ୍ କରିଦେଲେ। କିନ୍ତୁ ବିଚିତ୍ର ଯେ ସେହି ମେଳାକୁ ‘ତୃତୀୟ ରାଜ୍ୟ ପୁସ୍ତକ ମହୋତ୍ସବ’ ‘ଅକ୍ଷର’ ବୋଲି ଗ୍ରହଣ କରାଯାଇ ଏବର୍ଷ ଆୟୋଜିତ ହୋଇଛି ଚତୁର୍ଥ ରାଜ୍ୟ ପୁସ୍ତକ ମହୋତ୍ସବ। ଜରାୟୁରେ ମୃତ ଏକ ସନ୍ତାନକୁ ଆମ ରାଜ୍ୟ ସରକାର ଯେ ଏକ ସନ୍ତାନ ରୂପେ ପରିଗଣନା କରୁଛନ୍ତି, ଏହାହିଁ ଆଶ୍ଚର୍ଯ୍ୟ।

ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ କଥାଟି ହେଉଛି- ଗୋଟିଏ ସମୟରେ ରାଜଧାନୀର ପୁସ୍ତକ ମେଳା କହିଲେ ବୁଝାଉଥିଲା ‘ଭୁବନେଶ୍ୱର ପୁସ୍ତକ ମେଳା’କୁ। ୧୯୮୫ ମସିହା ଜୁନ୍ ୨ ତାରିଖରେ ପ୍ରଥମ କରି ଆୟୋଜିତ ହୋଇଥିଲା ସେହି ପୁସ୍ତକ ମେଳା। ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜନ ବେଳକୁ, ତାହା ୩୪ ବର୍ଷ ପୂରଣ କରି ସାରିଥିଲା। କିନ୍ତୁ ସେହି ମେଳା ଆଜିର ଆୟୋଜନରେ ସାମିଲ ନୁହେଁ। ବସ୍ତୁତଃ ତାହାର ମୃତ୍ୟୁ ଘଟି ସାରିଛି। ଆଉ ଗୋଟିଏ ମେଳା, ‘କଳିଙ୍ଗ ପୁସ୍ତକ ମେଳା’ ମଧ୍ୟ ଏ ବର୍ଷ ପୃଥକ୍ ଭାବରେ ମେଳା ଆୟୋଜନ କରିଛି। ଗତବର୍ଷ ମେଳା ଆୟୋଜନକୁ ନେଇ ଗୋଟିଏ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଥିଲା। ମେଳା ଆରମ୍ଭ ହେବାର ମାତ୍ର ଦୁଇଦିନ ପୂର୍ବରୁ, ସରକାର ମେଳା ବନ୍ଦ କରିଦେଲେ। ସେହି ଘଟଣାରେ ଭୁବନେଶ୍ୱରର ନବଗଠିତ ଅନୁଷ୍ଠାନ ‘ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ’ (ଉତ୍କଳ ପବ୍ଲିଶର୍ସ ଆଣ୍ଡ୍ ବୁକ୍ ସେଲର୍ସ ଆସୋସିଏସନ୍‌) ମୁଖ୍ୟମନ୍ତ୍ରୀ ଏବଂ ମେଳା ଆୟୋଜନର ବିଭାଗୀୟ କର୍ତ୍ତା- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲା। ଏହା ମଧ୍ୟ ସୂଚାଏ ଯେ ସରକାରଙ୍କ ସହ ମିଶି ଏବେ ଯେଉଁ କମିଟିମାନେ ମେଳା ଆୟୋଜନ କରୁଛନ୍ତି, ସେମାନଙ୍କ ସହ ଏହି ନୂଆ ଅନୁଷ୍ଠାନର ମନ ମେଳ ନାହିଁ।

ଏବର୍ଷର ମେଳା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବି ତାହାର ପ୍ରଭାବ ଅନୁଭୂତ ହୋଇଥିଲା। ଅନୁଷ୍ଠାନର କର୍ମକର୍ତ୍ତାମାନେ ବିଭାଗୀୟ ପଦାଧିକାରୀକୁ ଭେଟି ଏକ ପାଞ୍ଚଦଫା ସମ୍ବଳିତ ଦାବିପତ୍ର ଦେଇଥିଲେ। କିନ୍ତୁ ତାହାର ପ୍ରତିବାଦ କରିଥିଲା ‘ନିଖିଳ ଉତ୍କଳ କ୍ଷୁଦ୍ର ପ୍ରକାଶକ ସଂଘ’ (ନିଖିଳ ଉତ୍କଳ ସ୍ମଲ୍ ପବ୍ଲିଶର୍ସ ଆସୋସିଏସନ୍‌) ନାମକ ଏକ ଅନୁଷ୍ଠାନ। ଏହି ଅନୁଷ୍ଠାନ ପକ୍ଷରୁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ପ୍ରଦତ୍ତ ଏକ ପତ୍ରରେ କୁହାଯାଇଛି, “ଦୁଃଖର କଥା, ଗତଥର ଏହି ଅନାମଧେୟ ପ୍ରକାଶକ ସଂଘ ପୁସ୍ତକମେଳାକୁ ଭାଙ୍ଗିବାକୁ ସମସ୍ତ ଉଦ୍ୟମ କରି ସଫଳତା ଅର୍ଜନ କରିବା ପରେ, ସେମାନଙ୍କର ଗୌରବ କାହାଣୀ ଫେସ୍‌ବୁକ୍‌ରେ ଲେଖି ଲାଇକ୍ ମାରୁଥିଲେ। ସଂପ୍ରତି ପୁସ୍ତକ ମେଳା ନିମନ୍ତେ ଆୟୋଜନ ଚାଲିଥିବାବେଳେ, ପୁଣି ସେମାନେ ସକ୍ରିୟ ହୋଇ ଆପଣଙ୍କ ସହ ସାକ୍ଷାତ୍ ଆଲୋଚନା କରି ପ୍ରମୁଖ ସମ୍ବାଦପତ୍ରରେ ଆପଣଙ୍କ ସହିତ ସେମାନଙ୍କର ଫଟୋ ଓ ସମ୍ବାଦ ଛାପି ଜନସାଧାରଣଙ୍କୁ କି ମେସେଜ୍ ଦେବାକୁ ଚାହୁଁଛନ୍ତି ବୁଝିହେଉ ନାହିଁ।” ଏହା ସ୍ପଷ୍ଟ ସୂଚାଏ, ଯେ ପ୍ରକାଶକ ଓ ପୁସ୍ତକ ବିକ୍ରେତାମାନଙ୍କର ଯେଉଁସବୁ ଅନୁଷ୍ଠାନ ଓଡ଼ିଶାରେ ଅଛି, ସେମାନଙ୍କ ଭିତରେ ତାଳମେଳ ନାହିଁ। ଏହା ଲୋକପ୍ରିୟ ଲୋକଗଳ୍ପ ବିଲେଇ ପିଠାକଳିକୁ ହିଁ ମନେ ପକାଇ ଦେଉଛି।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଶେଷ ପର୍ଯ୍ୟନ୍ତ ଏ ବର୍ଷର ପୁସ୍ତକମେଳା ମଧ୍ୟ ଅନିଶ୍ଚିତତା ଭିତରେ ଥିଲା। କାରଣ, ୨୬ ଅଗଷ୍ଟ ୨୦୨୨ରେ ପୁସ୍ତକମେଳା ନିମନ୍ତେ ପ୍ରଦର୍ଶନୀ ପଡ଼ିଆ, ସହଯୋଗୀ ଆୟୋଜକମାନଙ୍କୁ ପ୍ରଦାନ କରାଯାଇଥିଲେ ହେଁ, ସେହି ସମୟ ମଧ୍ୟରେ ‘ଡଟ୍ ଫେଷ୍ଟ’ ନାମକ ଅନ୍ୟ ଏକ ଉତ୍ସବ ପାଇଁ ସେହି ପଡ଼ିଆ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ମୌଖିକ ଭାବେ ଦେଇ ଦିଆଗଲା। ପୁସ୍ତକମେଳା ଆୟୋଜନ ହେବାର ଥିଲା ଡିସେମ୍ବର ୯ରୁ ୧୮ ପର୍ଯ୍ୟନ୍ତ। ମାତ୍ର ଷ୍ଟଲ୍ ଆଦିର ନିର୍ମାଣ ଏବଂ ମେଳା ପରେ ଷ୍ଟଲ୍ ଆଦି ଭଙ୍ଗାକୁ ମିଶାଇ, ପଡ଼ିଆ ଦିଆଯାଇଥିଲା ୨୪ ନଭେମ୍ବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ। କିନ୍ତୁ ପୁସ୍ତକ ମେଳାର ସହଯୋଗୀ ଆୟୋଜକମାନଙ୍କୁ ଝୁଲାଇ ରଖାଗଲା। କୁହାଗଲା, ୧୩ ଡିସେମ୍ବରରୁ ୧୩ ଫେବ୍ରୁଆରି ଦୁଇ ମାସ, ପୁରୁଷ ବିଶ୍ୱକପ୍ ହକି ଉପଲକ୍ଷେ, ସେଠାରେ ‘ଡଟ୍ ଫେଷ୍ଟ’ ଆୟୋଜିତ ହେବ। ତେଣୁ ପୁସ୍ତକମେଳା ହେବନାହିଁ। ପୁସ୍ତକ ମେଳା କଲେ ୧୩ ଡିସେମ୍ବରରେ ତାହାକୁ ସାରିବାକୁ ପଡ଼ିବ।
ପରିଶେଷରେ, ମେଳାର ସହଯୋଗୀ ଆୟୋଜକମାନେ ସର୍ତ୍ତମୂଳକ ଭାବରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ, ୧୪ରୁ ୨୦ ପର୍ଯ୍ୟନ୍ତ ମେଳା ପଡ଼ିଆ ପାଇଁ ଅନୁମୋଦନ ଆଣିଲେ। ସେଥିରେ ପୁଣି ଏକ ଅସମ୍ଭବ ସର୍ତ୍ତ ରହିଲା ଯେ ୧୮ ତାରିଖରେ ମେଳା ସରିବା ପରେ, ୨୦ ତାରିଖ ମଧ୍ୟରେ ଆୟୋଜକମାନଙ୍କୁ ମେଳାପଡ଼ିଆ ଖାଲି କରିଦେବାକୁ ପଡ଼ିବ।

ବିଲେଇ-ପିଠାକଳି ଲୋକକାହାଣୀରୁ ଆମର ଶିକ୍ଷା ହେଉଛି- ଦୁଇ ବିଲେଇ ଗୋଟିଏ ପିଠା ପାଇଁ ପରସ୍ପର ଭିତରେ କଳି କଲେ, ତୃତୀୟ ମାଙ୍କଡ଼ଟିର ଲାଭ ହୁଏ। ପୁସ୍ତକ ମେଳା ପିଠାକଳି ବେଳେ ମନେହୁଏ, ଆମେ ଏ ଶିକ୍ଷାଟିକୁ ଭୁଲିଯାଇଛୁ। କିନ୍ତୁ ଏହାର ପ୍ରକୃତ ପ୍ରତିକାର କ’ଣ? ଏହା, ଏହି ସ୍ତମ୍ଭର ଏକାଧିକ ଆଲେଖ୍ୟରେ ପୂର୍ବରୁ କୁହାଯାଇଛି। ତଥାପି ତାହାର ପୁନରାବୃତ୍ତି କରି କହିବାକୁ ହେଉଛି ଯେ ଅନ୍ତର୍ଜାତୀୟ କଲକାତା ବହିମେଳା ଏ କ୍ଷେତ୍ରରେ ଆମର ଏକ ଉଦାହରଣ। ସେହି ମେଳା ସେ ରାଜ୍ୟର ସରକାର ଆୟୋଜନ କରନ୍ତି ନାହିଁ। ତାହାର ଆୟୋଜନ କରନ୍ତି ସେଠାର ‘ପବ୍ଲିଶର୍ସ ଆଣ୍ଡ୍ ବୁକ୍ ସେଲର୍ସ ଗିଲ୍‌ଡ’। ମେଳା ପାଇଁ ସେଠାର ସରକାର କେବଳ ପଡ଼ିଆ, ପାଣି, ବିଜୁଳି ଓ ଦମକଳ ଆଦି ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଅନ୍ତି। ସ୍ୱପ୍ନର ‘ଓଡ଼ିଶା ଅନ୍ତର୍ଜାତୀୟ ପୁସ୍ତକ ମେଳା’ ସେହିପରି ଭାବରେ ଆୟୋଜିତ ହେବା ଆବଶ୍ୟକ।

ଏ ବର୍ଷର ପୁସ୍ତକ ମେଳା ଆଉ ଦିନ ଦୁଇଟି ପରେ ସରିଯିବ। କିନ୍ତୁ ଆଗାମୀ ମେଳା ପାଇଁ ରାଜ୍ୟର ସବୁ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ ଏକାଠି ମିଶି ଏକ ‘ଓଡ଼ିଶା ପବ୍ଲିଶର୍ସ ଆଣ୍ଡ୍ ବୁକ୍ ସେଲର୍ସ ଗିଲ୍‌ଡ’ ଗଠନ କରନ୍ତୁ। ସେହି ‘ଗିଲ୍‌ଡ’ ହିଁ ଆୟୋଜନ କରୁ ବିଶ୍ୱ ବା ଅନ୍ତର୍ଜାତୀୟ ପୁସ୍ତକ ମେଳା। ତା’ ନକରି, ଅଲଗା ଅଲଗା ସଂଘରେ ବିଭାଜିତ ହୋଇ, ନିଜ ନିଜ ଭିତରେ ଲଢ଼ିଲେ, ଚତୁର ମାଙ୍କଡ଼ମାନେ ହିଁ ଫାଇଦା ମାରି ନେବେ।
ମୋ: ୯୪୩୭୦ ୩୪୮୦୪