ଇତିମଧ୍ୟରେ ଗଡ଼ଗଡ଼ା ସହରରେ କିଛି ବି ମେଳା ମଉଚ୍ଛବ ବାଗିଆ କାର୍ଯ୍ୟକ୍ରମରେ ଭାଷଣ ଦେବାର ଥିେଲ ସେଠିକାର ବଡ଼ ଠାରୁ ସୁଦ୍ଦୁ ନାମକୁ ମାତ୍ର ପ୍ରଜାତିର ନେତାଏ ‘ଆମକୁ ଏ ସହରର ଭାଇଚାରା ବଜାୟ ରଖିବାକୁ ହେବ’ ବୋଲି କହିବା ସୁରୁ କରି ଦେଉଛନ୍ତି। ଗଡ଼ଗଡ଼ା ସହର ଭାରି ରାଜନୀତିଆ ସହର। ଏଠି ଫି କଥାରେ ରାଜନୀତି। ଫେର୍ କୋଉ ଛଟକରେ ସେ ରାଜନୀତି ଭିତରେ ପାର୍ଟି-ପଲିଟିକ୍ସ ବି ଧସେଇ ପଶି ଯାଏ। ତେଣୁ ଯେମନ୍ତ ଅବସ୍ଥା ସୃଷ୍ଟି ହୁଏ ଯେ ନେତା ମହାପ୍ରୁମାନଙ୍କ ମୁହଁରୁ ‘ଭାଇଚାରା’ ‘ଭାଇଚାରା’ ଭଳି ଶବ୍ଦଟି ପୁନଃ ପୁନଃ ଉଚ୍ଚାରିତ ହୁଏ।
ଏମିତି ଭାଇ ବୋଲି କହିଲେ ଗଡ଼ଗଡ଼ା ସହରରେ ଲୋକେ ଯେ ଝା ନିଜ ଭାଇକୁ ବୁଝିଥାନ୍ତି। ଅବଶ୍ୟ ଆଗେ ଏ ସହରରେ ଗୁଣ୍ଡା ଗିରିରେ ଲିପ୍ତ ପ୍ରଜାତିର ପୁରୁଷପୁଙ୍ଗବେ ଆପଣାକୁ ‘ଅମୁକ ବା ଢମୁକ ଭାଇ’ ବୋଲାଇ ଦିନା କେତେ ଉତ୍ପାତିଆ ହୋଇଥିଲେ। ତେବେ ସୌଭାଗ୍ୟବଶତଃ ସେମନ୍ତ ପ୍ରାଣୀଏ ବେଶୀ ଦିନ ତିଷ୍ଠି ପାରିଲେନି। ସେମାନଙ୍କ ଭିତରୁ କେହି କେହି ଥରେ ଦି ଥର ମାମୁଁ ଘର ରହଣି ପରେ ତ ଆଉ କିଏ କିଏ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ କୋଉ କୁଆଁରୀର ବାଙ୍କ ଚାହାଣିର ହଣା ଖାଇ ବା ଆଉ କେହି କେହି ବାପା ଖୋଲିଥିବା ଦୋକାନ ଆଦିର ଦାୟତ୍ବ ମୁଣ୍ଡାଇ ଅବିଳମ୍ବେ ଥଣ୍ଡା ପଡ଼ିଯାଇ ସାମାଜିକ ପ୍ରାଣୀରେ ପରିଣତ ହୋଇ ଯାଇଥିଲେ। କିନ୍ତୁ, ଭାଇ ସଂବୋଧନଟିକୁ ବଞ୍ଚାଇ ରଖିବା ଲାଗି ଚେଲାମାନେ ସେମାନଙ୍କ ପ୍ରିୟ ନେତାଙ୍କ ନାମ ସହିତ ଯୋଡ଼ି ଦେଲେ। ଏବେ ସେହି ଭାଇମାନେ ଗଡ଼ଗଡ଼ା ସହରକୁ ଉଠାଉଛନ୍ତି ଆଉ ପକାଉଛନ୍ତି।
ସେ ଦିନ ବାଲ୍ୟ ବନ୍ଧୁ ବାବୁ ରାଓ ଫୋନ୍ କରି ସତ୍ୟେନ୍ଦୁକୁ ପଚାରିଲା- ବନ୍ଧୁ, ଏ ଯୋଉ ‘ଭାଇଚାରା’ ‘ଭାଇଚାରା’ ବୋଲି ତୁହାକୁ ତୁହା ରଡ଼ି ଶୁଭୁଛି, ଆଗରୁ ତ ସେମିତି ଶୁଭୁ ନ ଥିଲା! ଏହାର କାରଣ କ’ଣ ବୋଲି ଭାବୁଛୁ?
ସତ୍ୟେନ୍ଦୁ କହିଲା- ଗଡ଼ଗଡ଼ା ସହରରେ କ’ଣ କାରବାର ଚାଲିଛି ତାହା ଦେଖି ପାରୁନୁ କି? ଏବେ ଯୋଉ ଗଡ଼ଗଡ଼ା ସହରର ପ୍ରତିଷ୍ଠା ଉତ୍ସବ ହେଲା, ଆଗରୁ କେତେଟା ଉତ୍ସବ ହେଉଥିଲା? ଏବେ ପରା ତିନି ତିନିଟା ଉତ୍ସବର ଆୟୋଜନ ହେଲା, ତାହା ପୁଣି ବହାଡ଼ମ୍ବରରେ! ଗଡ଼ଗଡ଼ା ସହରର ଲୋକେ ତ ଖୁସି! ଯେତେ ମଉଚ୍ଛବ ସେତେ ମଉଜ! କିନ୍ତୁ, ଅସଲ କଥାଟା କ’ଣ ବୁଝ। କଥାରେ କହନ୍ତି ଯେତେ ଭାଇ ସେତେ ଭାଗ। ଆମ ସହରରେ କିନ୍ତୁ ଯେତେ ଭାଇ ସେତେ ଦଳ। ତେଣୁ ଗଡ଼ଗଡ଼ା ସହରରେ ଯେତେ ଭାଇ ସେତେ ଦଳ ଓ ସେତେ ଭାଗ।
ଏମିତି ଭାଗ ଭାଗ ହେଲା ପରେ ‘ଭାଇଚାରା’ ରଖିବାକୁ ହେବ ବୋଲି ହୋହଲ୍ଲା ନ କଲେ ଚଳିବ?
ବାବୁ ରାଓଟି ହାଲୁକା ଫୁଲକା ଲୋକ। କିନ୍ତୁ ଏ କଥାରେ ଭାରି ଗମ୍ଭୀର ହୋଇଗଲା ଭଳି ଲାଗିଲା। କାରଣ ସେ ପଟୁ ସେ ଯାହା କହିଲା ତାହା ଥିଲା ଦାର୍ଶନିକସୁଲଭ।
ସତ୍ୟେନ୍ଦୁ ଭାବିଲା, ସତେ ତ ମୋ ମଗଜରେ ବି ଏ ତତ୍ତ୍ବ ପଶି ନ ଥିଲା!
ବାବୁ ରାଓ କହିଲା- ବୁଝିଲୁ ସାଙ୍ଗ ଭାଇ ଚାରାଟି ହେଉଛି ଆମ୍ବ ବା ପଣସ ଚାରା ଭଳି ଜିନିଷ। ଏହାକୁ ଠିକଣା ପାଗରେ ରୋପଣ କରି ପାଣି ଓ ସାର ଦେଲେ ଏହା ଛନଛନିଆ ହୋଇ ବଢ଼ିବ। ଗଡ଼ଗଡ଼ା ସହରର ଭାଇମାନେ ବୋଧେ ଏବେ ସେୟା କରୁଛନ୍ତିି!
ସତ୍ୟେନ୍ଦୁ ମୁଗ୍ଧ ହୋଇଗଲା ଆଉ କହିଲା- ସାବାସ୍ ବାବୁରାଓ, କଥା ଭଳିଆ କଥାଟିଏ ଏବେ କହିଲୁ! ଆମ ଗଡ଼ଗଡ଼ା ସହରକୁ ଭାଗ ଭାଗ କଲା ପରେ ନେତାଏ ଏବେ ଭାଇ ଚାରା ବଢ଼ାଇବାରେ ବ୍ୟସ୍ତ! ଭାଇ ଚାରା ଯେତେ ଛନଛନିଆ ହୋଇ ବଢ଼ିବ ଆମ ସହରକୁ ସେତେ ଛାଇ ମିଳିବ!
ବାବୁରାଓ ବି ତା’ କଥାର ଥିବା ଧାରୁଆ କଟାକ୍ଷ ହଠାତ୍ ଯେମିତି ବୁଝି ପାରିଲା ଆଉ ଖୁସି ହୋଇ କହିଲା- ଠିକ୍ ଠଉରାଇଲୁ ରେ ଭାଇ! ଦିନକୁ ଦିନ ଅଧିକରୁ ଅଧିକ ଭାଗ ହୋଇ ଚାଲିଥିବା ଗଡ଼ଗଡ଼ା ସହରରେ ଭାଇ ଚାରା ରୋପଣ ନ କରି ଆଉ ଚାରା କ’ଣ?
ମୋ: ୯୪୩୭୯୦୯୬୭୫
ଗଡ଼ଗଡ଼ା ସହରରେ ଭାଇଚାରା
ସତ୍ୟନାରାୟଣ ଗନ୍ତାୟତ
/sambad/media/post_attachments/wp-content/uploads/2023/07/654h65s4fhfhfhfh.jpg)