ନୂଆ ଭାରତ ଗଠନ: ଗାନ୍ଧୀଙ୍କ ସ୍ୱପ୍ନ, ମୋଦୀଙ୍କ ରୂପାୟନ

ଧର୍ମେନ୍ଦ୍ର ପ୍ରଧାନ

ସ୍ୱାଧୀନତାର ୭୫ ବର୍ଷରେ ଭାରତ ପଦାର୍ପଣ କରିଛି। ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶର କୋଣ-ଅନୁକୋଣରେ ‘ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହି ମହୋତ୍ସବର ମୂଳ ଲକ୍ଷ୍ୟ ହେଉଛି ଦେଶର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ଜଳାଞ୍ଜଳି ଦେଇଥିବା ବୀର ସାଧକମାନଙ୍କ ଅବଦାନକୁ ସ୍ମରଣ କରିବା ଏବଂ ‘ନୂଆ ଭାରତ’ ଗଢ଼ିବା ଦିଗରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବା। ଜାତିର ପିତା ମହାତ୍ମା ଗାନ୍ଧୀ ଦେଶରେ ‘ରାମ ରାଜ୍ୟ’ ପ୍ରତିଷ୍ଠାର ଯେଉଁ ସ୍ୱପ୍ନ ଦେଖିଥିଲେ, ତାକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ୭୫ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ସାଙ୍ଗକୁ ‘ସବ୍‌କା ପ୍ରୟାସ’ର ଆହ୍ୱାନକୁ ଯୋଡ଼ିଛନ୍ତି ଏବଂ ପ୍ରତିଟି ଭାରତୀୟଙ୍କୁ ନିଃସ୍ୱାର୍ଥପର ଭାବରେ ରାଷ୍ଟ୍ର ନିର୍ମାଣର ପ୍ରକ୍ରିୟାରେ ଯୋଗ ଦେବା ପାଇଁ ପ୍ରଚୋଦିତ କରିଛନ୍ତି।
ଭୟ-ଭୋକ-ଭ୍ରଷ୍ଟାଚାରମୁକ୍ତ ଭାରତର ସ୍ଥାପନା କରିବା ଥିଲା ମହାତ୍ମା ଗାନ୍ଧୀଙ୍କ ଆନ୍ତରିକ ସ୍ୱପ୍ନ। ସେ ବିଶ୍ୱାସ କରୁଥିଲେ ଯେ ‘ନବ ଭାରତ’ର ଗଠନ ପାଇଁ ଜାଗରଣ ଭାରତର ଗାଁ ମାନଙ୍କରୁ ଆରମ୍ଭ ହେବ। ତାଙ୍କ କଳ୍ପିତ ‘ରାମ ରାଜ୍ୟ’ର ଆଧାରସ୍ତମ୍ଭ ଥିଲା ଗ୍ରାମ୍ୟ ସ୍ୱରାଜ। ପ୍ରତିଟି ଗାଁ ଆତ୍ମନିର୍ଭରଶୀଳ, ସ୍ୱାବଲମ୍ବୀ ଏବଂ ସାମାଜିକ-ଅର୍ଥନୈତିକ-ରାଜନୈତିକ ଦୃଷ୍ଟିକୋଣରୁ ସ୍ୱୟଂସମ୍ପୂର୍ଣ୍ଣ କେନ୍ଦ୍ରରେ ପରିଣତ ହେଲେ ଯାଇ ଭାରତ ଏକ ସୁଦୃଢ଼, ଶକ୍ତିଶାଳୀ, ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପ୍ରତିଷ୍ଠା ଲାଭ କରିବ ବୋଲି ଗାନ୍ଧୀଜୀ ଦୃଢ଼ ମତ ପୋଷଣ କରିଥିଲେ। ଗାନ୍ଧୀଜୀଙ୍କ ସ୍ୱପ୍ନ ଓ ଆଦର୍ଶକୁ ଅନ୍ତଃକରଣରେ ସ୍ଥାପନ କରି ନରେନ୍ଦ୍ର ମୋଦୀ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଗୁଜରାଟକୁ ଏକ ଆଦର୍ଶ ରାଜ୍ୟ ଭାବରେ ଗଢ଼ି ତୋଳିବାରେ ସକ୍ଷମ ହୋଇଥିଲେ। ମାନବ ସମ୍ବଳ ବିକାଶ ସୂଚକାଙ୍କର ପ୍ରତି ବର୍ଗରେ ଗୁଜରାଟ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହୋଇଥିଲା ଏବଂ ସମଗ୍ର ବିଶ୍ୱରେ ‘ଗୁଜରାଟ ମଡେଲ୍‌’ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଥିଲା। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଗୁଜରାଟ ମଡେଲ୍‌କୁ ଆଧାର କରି ମୋଦୀଜୀ ଦେଶରେ ସ୍ୱଚ୍ଛ, ଲୋକାଭିମୁଖୀ, ପାରଦର୍ଶୀ ଶାସନ ପ୍ରଣୟନ କରିବା ଦିଗରେ ଅଭିଯାନ ଆରମ୍ଭ କରିଥିଲେ। ଶାସନର ପ୍ରତି ସ୍ତରରେ କିଭଳି ସ୍ୱଚ୍ଛତା ଅବଲମ୍ବନ କରାଯିବ ଏବଂ ଲୋକମାନେ ସିଧାସଳଖ ଶାସନ ପ୍ରକ୍ରିୟା ସହ ସଂପୃକ୍ତ ହୋଇ ଏହାର ସୁଫଳ ପାଇବେ, ଏ ଦିଗରେ ମୋଦୀଜୀ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଥିଲେ ଯାହାର ପ୍ରଭାବ ଏବେ ସମସ୍ତେ ଅନୁଭବ କରିପାରୁଛନ୍ତି।

ଗାନ୍ଧୀଜୀଙ୍କ ‘ସର୍ବୋଦୟ’ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସର୍ବପ୍ରଧାନ ବୈଚାରିକ ପ୍ରେରଣା ଓ ଶାସନର ମୂଳମନ୍ତ୍ର। ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ ନିର୍ବିଶେଷରେ ଦେଶର ସବୁ ବର୍ଗର ଲୋକମାନଙ୍କର କିପରି ସାମଗ୍ରିକ ଅଭିବୃଦ୍ଧି ହୋଇପାରିବ, ସେଥିପାଇଁ ଶାସନ ଭାର ସମ୍ଭାଳିବାର ପ୍ରଥମ ଦିନରୁ ହିଁ ମୋଦୀଜୀ ଲୋକାଭିମୁଖୀ ନୀତି ଓ କାର୍ଯ୍ୟକ୍ରମର ପ୍ରଣୟନ ଆରମ୍ଭ କରିଥିଲେ। ‘ସ୍ୱଚ୍ଛ ଭାରତ ଗାନ୍ଧୀଜୀଙ୍କ ପ୍ରତି ଦେଶବାସୀଙ୍କ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ’ ବୋଲି କହି ୨୦୧୪ ଅକ୍ଟୋବର ୨ରେ ମୋଦୀଜୀ ‘ସ୍ୱଚ୍ଛ ଭାରତ’ ଅଭିଯାନର ଶୁଭାରମ୍ଭ କରିଥିଲେ ଯାହା କି ଦେଶବ୍ୟାପୀ ଜନଆନ୍ଦୋଳନରେ ପରିଣତ ହୋଇଥିଲା। ସ୍ୱଚ୍ଛତା କେବଳ ମାତ୍ର ଏକ ଆହ୍ୱାନ ବା ଅଭିଯାନ ନ ଥିଲା, ବରଂ ଏକ ଜୀବନ-ଆଦର୍ଶ ଥିଲା। ପ୍ରତି ଗାଁର ପ୍ରତି ଘରେ ଶୌଚାଳୟ ସ୍ଥାପନ କରିବା ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଗଲା, ଯାହା ଫଳରେ ଗତ ଛଅ ବର୍ଷ ଭିତରେ ପାଖାପାଖି ଦଶକୋଟି ଶୌଚାଳୟ ନିର୍ମାଣ କରାଯାଇପାରିଛି। ପାଖାପାଖି ଛଅଲକ୍ଷ ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଭାବେ ଘୋଷଣା କରାଯାଇଛି। ସେହିପରି କନ୍ୟା ଭ୍ରୂଣ ହତ୍ୟା ରୋକିବା ତଥା କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ପରିବେଶରେ ଉତ୍ତମ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ‘ବେଟି ବଚାଅ, ବେଟି ପଢ଼ାଅ’ କାର୍ଯ୍ୟକ୍ରମ ପ୍ରଚଳନ କରିଥିଲେ ଯାହା କି ସାମାଜିକ ସ୍ତରରେ ଲୋକଙ୍କ ମାନସିକତାକୁ ବଦଳେଇବା ସାଂଗକୁ ଏକ ନୂଆ ବିପ୍ଳବର ସୂତ୍ରପାତ କରିଛି।

ସେହିଭଳି, ଗରିବ ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପରିସରଭୁକ୍ତ କରିବାର ଲକ୍ଷ୍ୟ ନେଇ ୨୦୧୪ରେ ଆରମ୍ଭ କରାଯାଇଥିଲା ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’। ଏହି ଯୋଜନାରେ ବ୍ୟାଙ୍କ୍‌ରେ ଆକାଉଣ୍ଟ ନ ଥିବା ଯେ କୌଣସି ବ୍ୟକ୍ତି ବିନା କୌଣସି ସରକାରୀ ପରିଚୟ ପତ୍ରରେ ଆକାଉଣ୍ଟ ଖୋଲିପାରିବାର ସୁବିଧା ମିଳିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪୨ କୋଟି ଗରିବ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଖାତା ଖୋଲିଛନ୍ତି ଏବଂ ପ୍ରାୟ ଲକ୍ଷେ କୋଟି ଟଙ୍କା ଜମା ରଖିଛନ୍ତି ଯାହା କି ଏକ ଅଭୂତପୂର୍ବ ସଫଳତା। ସ୍ୱାଧୀନତାର ୭୦ ବର୍ଷ ବିତିଯିବା ସତ୍ତ୍ବେ ଦେଶର ଅନେକ ଗାଁରେ ବିଜୁଳି ପହଞ୍ଚିପାରିନଥିଲା। ଏହାକୁ ଜାତୀୟ ଲଜ୍ଜା କହିଲେ କିଛି ଭୁଲ୍ ହେବନାହିଁ। ‘ଦୀନ-ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା’ ଓ ‘ସୌଭାଗ୍ୟ ଯୋଜନା’ ମାଧ୍ୟମରେ ପ୍ରତି ଗାଁରେ ବିଜୁଳି ପହଞ୍ଚାଇବା ଏବଂ ଗାଁ ମାନଙ୍କୁ ନିରନ୍ତର ବିଜୁଳି ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେଲେ। ଏହା ଦେଶର ଗାଁ ମାନଙ୍କୁ ଦାରିଦ୍ର୍ୟ ଓ ଅଶିକ୍ଷାର ଅନ୍ଧକାରରୁ ବାହାରି ବିକାଶର ଆଲୋକ ପଥରେ ଅଗ୍ରସର ହେବା ପାଇଁ ପଥ ପ୍ରଦର୍ଶନ କରିଛି।

ଗାଁର କୌଣସି ଯୁବକ ବେକାର ବସିବେନି, ବରଂ ନିଜର ତଥା ପରିବାରର ଗୁଜୁରାଣ ମେଣ୍ଟାଇବାରେ ସକ୍ଷମ ହେବେ- ଏହି ଲକ୍ଷ୍ୟ ନେଇ ମୋଦୀଜୀ ଆରମ୍ଭ କରିଥିଲେ ‘ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା’ ଯେଉଁଥିରେ କୃଷି ଭିନ୍ନ ଅନ୍ୟ ଅଣପାରମ୍ପାରିକ କ୍ଷେତ୍ରରେ ରୋଜଗାର ଯୋଗାଡ଼ କରିବା ପାଇଁ ଗରିବ ଯୁବକମାନଙ୍କୁ ଉପଯୁକ୍ତ ତାଲିମ ଦେବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗାଁର ପ୍ରତିଟି ଯୁବକ ସ୍ୱାବଲମ୍ବୀ ହେବ ଏବଂ ନିଜ ଗାଁର ବିକାଶରେ ଭାଗୀଦାର ହେବ- ଏହି ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଯୋଜନାଟି ଫଳପ୍ରଦ ସାବ୍ୟସ୍ତ ହୋଇଛି ଏବଂ ଗାଁ ଗାଁରେ ଯୁବକମାନେ ସରକାରୀ ତାଲିମ ଅନୁଷ୍ଠାନରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରୁଛନ୍ତି।

ଗାଁ ହେଉଛି ଦେଶର ମୂଳ ପିଣ୍ଡ। ଭାରତର ଆତ୍ମା ଗାଁରେ ଅନ୍ତର୍ନିହିତ ବୋଲି ମହାତ୍ମା ଗାନ୍ଧୀ ବିଶ୍ୱାସ କରୁଥିଲେ। ଗାନ୍ଧୀଜୀଙ୍କ ଆଦର୍ଶକୁ ଅନୁସରଣ କରି ୨୦୧୬ ଏପ୍ରିଲ୍ ୧୪ରେ ପ୍ରଧାନମନ୍ତ୍ରୀ ‘ଗ୍ରାମୋଦୟରୁ ଭାରତ ଉଦୟ’ ଅଭିଯାନ ଆରମ୍ଭ କରିଥିଲେ ଯାହାର ମୂଳ ଲକ୍ଷ୍ୟ ଥିଲା ଗ୍ରାମ୍ୟ ଅର୍ଥନୀତିର ସୁଦୃଢ଼ୀକରଣ, ଗାଁ ଲୋକମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ସାଧନ, ଗରିବ ଲୋକମାନଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ତଥା ଚାଷୀମାନଙ୍କର କଲ୍ୟାଣ। ଗଣତନ୍ତ୍ରକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଅନ୍ତୋଦୟ ମିସନ ମଧ୍ୟ ଆରମ୍ଭ କରାଯାଇଛି ଯାହା ଜରିଆରେ କେନ୍ଦ୍ର ସରକାରଙ୍କ ୨୭ଟି ମନ୍ତ୍ରଣାଳୟ ସଂଗଠିତ ହୋଇ ଗ୍ରାମ୍ୟ ଉନ୍ନୟନ ପାଇଁ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଯୋଜନା ପ୍ରଣୟନ ଓ ରୂପାୟନର ଦାୟିତ୍ୱ ଗ୍ରାମ ପଂଚାୟତମାନଙ୍କୁ ଦିଆଯାଇଛି। ପଂଚାୟତମାନେ ଏଣିକି କେନ୍ଦ୍ର କି ରାଜ୍ୟ ସରକାରଙ୍କ ଉପରେ ନିର୍ଭରଶୀଳ ନ ହୋଇ ଗାଁର ବିକାଶ ପାଇଁ ବହୁମୁଖୀ କାର୍ଯ୍ୟକ୍ରମମାନ ହାତକୁ ନେଇ ସିଧାସଳଖ ଲୋକମାନଙ୍କ ଆବଶ୍ୟକତା ପୂରଣ କରିପାରୁଛନ୍ତି। ବିକାଶର ପ୍ରକ୍ରିୟାରେ ଗାଁର ଲୋକମାନେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ହୋଇ ପଂଚାୟତ ଜରିଆରେ ନିଜର ଅଭାବ-ଅସୁବିଧାର ନିରାକରଣ କରୁଛନ୍ତି। ପଂଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଲୋକ ଯୋଜନା ଅଭିଯାନ’ ଏ ଦିଗରେ ଏକ ଅଭିନବ ପଦକ୍ଷେପ। ମୋଦୀଜୀଙ୍କ ଶାସନ କାଳରେ ‘ସହଭାଗିତା’ ଓ ‘ସହଯୋଗିତା’କୁ ଆଧାର କରି ଗଣତନ୍ତ୍ର ପ୍ରକୃତ ଅର୍ଥରେ ଲୋକାଭିମୁଖୀ ଓ ଲୋକ-କୈନ୍ଦ୍ରିକ ଶାସନ ବ୍ୟବସ୍ଥାରେ ପରିଣତ ହୋଇପାରିଛି।

ଏ କ୍ରମରେ ଆଉ ଏକ ଅଭିନବ ଓ ସୁଦୂରପ୍ରସାରୀ ଯୋଜନା ହେଉଛି ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା’, ଯାହା ମାଧ୍ୟମରେ ଗରିବ ସ୍ତ୍ରୀ ଲୋକମାନଙ୍କୁ ମାଗଣାରେ ରୋଷେଇ ଗ୍ୟାସ୍ ଯୋଗାଇ ଦିଆଯାଉଛି। ଏହା ସେମାନଙ୍କୁ କେବଳ ସୁବିଧାରେ ରୋଷେଇ କରିବାରେ ସାହାଯ୍ୟ କରୁଛି ତା’ ନୁହେଁ ବରଂ ପରିବେଶ ପ୍ରଦୂଷଣକୁ ରୋକିବାରେ ମଧ୍ୟ ଯଥେଷ୍ଟ ସହାୟକ ହୋଇଛି। ୨୦୧୬ରେ ଆରମ୍ଭ ହୋଇଥିବା ଏ ଯୋଜନାରେ ମାତ୍ର ଚାରିବର୍ଷ ଭିତରେ ରେକର୍ଡ ଆଠ କୋଟି ଗରିବ ମହିଳାଙ୍କୁ ମାଗଣା ଏଲ୍‌.ପି.ଜି. ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଏହି ଯୋଜନା ଗରିବଙ୍କ ଜୀବନ ମାନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି। କୃଷି ହେଉଛି ଦେଶ ଅର୍ଥନୀତିର ମେରୁଦଣ୍ଡ। ଚାଷୀ ହସିଲେ ଦେଶ ହସିବ। ଚାଷୀମାନଙ୍କୁ ସକ୍ଷମ, ସଶକ୍ତ ଓ ସ୍ୱାବଲମ୍ବୀ କରିବା ଦିଗରେ ମୋଦୀ ସରକାର ଯେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଅନ୍ୟ କୌଣସି ସରକାରଙ୍କ ଅମଳରେ ସମ୍ଭବ ହୋଇନାହିଁ। ପ୍ରାକୃତିକ ଦୁର୍ବିପାକ କାରଣରୁ ଫସଲ ନଷ୍ଟ ହେଲେ ଚାଷୀ ଯେପରି କ୍ଷତି ନ ସହିବ ସେ ଉଦ୍ଦେଶ୍ୟରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ଆରମ୍ଭ କରାଯାଇଛି। ସବୁ ଜମିରେ ଯେମିତି ପାଣି ପହଞ୍ଚିବ, ସେଥିପାଇଁ ‘ପ୍ରଧାନମନ୍ତ୍ରୀ କୃଷି ସେଚନ ଯୋଜନା’ ପ୍ରଣୟନ କରାଯାଇଛି। ଆଧୁନିକ ଜଳସେଚନ ପଦ୍ଧତି ସହ ଚାଷୀମାନଙ୍କୁ ପରିଚିତ କରାଇବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି ଏବଂ ଜୈବିକ ଚାଷ ଦିଗରେ ଚାଷୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପରମ୍ପରାଗତ ‘କୃଷି ବିକାଶ ଯୋଜନା’ ଆରମ୍ଭ କରାଯାଇଛି। କୃଷି କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ନେଇ ଏକ ଜାତୀୟ ମିସନ ଆରମ୍ଭ ହୋଇଛି। ଚାଷୀମାନେ ଯେପରି ଦଲାଲମାନଙ୍କ ଦ୍ୱାରା ଶୋଷଣର ଶିକାର ନ ହୋଇ ନିଜ ଫସଲର ଉପଯୁକ୍ତ ମୂଲ୍ୟ ପାଇବେ, ସେଥିପାଇଁ ଜାତୀୟ ମଣ୍ଡି ବ୍ୟବସ୍ଥାର ପୁନର୍ଗଠନ କରାଯାଇଛି।

ଗାଁର ପ୍ରତିଟି ବ୍ୟକ୍ତି ରୋଜଗାରକ୍ଷମ, ଆତ୍ମନିର୍ଭର ଏବଂ ପ୍ରତିଟି ଗାଁ ସମୃଦ୍ଧ ଓ ବିକଶିତ ହେବ- ଏହା ହେଉଛି ମୋଦୀ ସରକାରଙ୍କ ମୂଳ ଲକ୍ଷ୍ୟ। ମହିଳାମାନେ ସକ୍ଷମ ହେବେ ଏବଂ ସାମାଜିକ ବିକାଶରେ ସମପରିମାଣରେ ଭାଗୀଦାର ହେବେ, ଏ ଦିଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଯଥେଷ୍ଟ ପ୍ରାଧାନ୍ୟ ଦେଇଛନ୍ତି। ଗ୍ରାମ୍ୟ ଭାରତର ଉତ୍‌ଥାନର ଲକ୍ଷ୍ୟ ନେଇ ‘ଦୀନଦୟାଲ ଅନ୍ତୋଦୟ ଯୋଜନା’, ‘ଜାତୀୟ ଜୀବିକା ମିସନ’, ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’, ‘ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’, ‘ଦକ୍ଷତା ବିକାଶ ଯୋଜନା’, ‘ଶ୍ୟାମାପ୍ରସାଦ ମୁଖାର୍ଜୀ ଗ୍ରାମ୍ୟ-ସହର ଯୋଜନା’, ‘ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ’ ଆଦି ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଗାଁ ମାନଙ୍କରେ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଓ ପୋଷଣ, ବ୍ୟାଙ୍କ୍‌, ଜଳ ସଂରକ୍ଷଣ, ଶକ୍ତି ଯୋଗାଣ, ଗୃହ ନିର୍ମାଣ, ଇଣ୍ଟରନେଟ୍ ସେବା, ମୌଳିକ ଭିତ୍ତିଭୂମିର ବିକାଶ, ବୃଦ୍ଧ-ବିଧବା-ଦିବ୍ୟାଙ୍ଗମାନଙ୍କୁ ସବୁପ୍ରକାର ସୁବିଧା ପ୍ରଦାନ, କ୍ରୀଡ଼ାର ବିକାଶ ଆଦି କ୍ଷେତ୍ରରେ ଗତ ୭ ବର୍ଷ ଭିତରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରିଛି। ଆହୁରି ଅନେକ ଦୂରତା ଅତିକ୍ରମ କରିବାକୁ ବାକି ଅଛି। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମୋତ୍ସବ ସାରା ଦେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ଗାନ୍ଧୀଜୀ ସର୍ବମୋଟ ଆଠ ଥର ଓଡ଼ିଶା ଆସିଥିଲେ। ଓଡ଼ିଶାରେ ହିଁ ସେ ଦାରିଦ୍ର୍ୟର କରାଳ ନଗ୍ନରୂପକୁ ପ୍ରତ୍ୟକ୍ଷ ଦେଖିଥିଲେ। ଏହି ଠାରେ ସେ ଦାରିଦ୍ର୍ୟ ଦୂରୀକରଣକୁ ନିଜ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ। ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ଜପାମାଳି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରୁ ଦାରିଦ୍ର୍ୟ ଓ ଭ୍ରଷ୍ଟାଚାରର ମୂଳୋତ୍ପାଟନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଏ ଦିଗରେ ଅନେକଗୁଡ଼ିଏ ଲୋକାଭିମୁଖୀ, ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସମୟ ଆସିଛି, ନୂଆ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ଆମେ ସଭିଏଁ ଯୋଗଦାନ କରି ଏ ଦିଗରେ କାର୍ଯ୍ୟ କରିବା ଏବଂ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ସଂକଳ୍ପ ନେବା।
ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ
ଭାରତ ସରକାର

ସମ୍ବନ୍ଧିତ ଖବର