ଜାହାଙ୍ଗୀରପୁରୀରେ ବୁଲ୍ଡୋଜର୍ ମାଡ଼ିବା ଦ୍ବାରା ଏକ ଚିତ୍ର ସ୍ପଷ୍ଟ ହୋଇଛି କି, ସେ ବୁଲ୍ଡୋଜର୍ କେବଳ କୌଣସି କୋଠା, ଦୋକାନ କି ମସ୍ଜିଦ ନୁହେଁ, ବରଂ ଭାରତୀୟ ସମ୍ବିଧାନ ଉପରେ ଚଢ଼ିଛି। ଦେଶର ରାଜଧାନୀରେ, ଗଣମାଧ୍ୟମର କ୍ୟାମେରା ଆଗରେ ଏବଂ ସୁପ୍ରିମ୍ କୋର୍ଟଙ୍କ ନାକ ତଳେ ତାହା ଏପରି ଖୋଲାଖୋଲି ଚଢ଼ିଚାଲିଲା ଯେ ସେହି ବିଧ୍ବଂସର ଏକମାତ୍ର ସଂକେତ ହେଉଛି: ଦେଶର ସମ୍ବିଧାନ ବଦଳି ସାରିଛି। କୌଣସି ସମ୍ବିଧାନକୁ ପୁନର୍ଲିଖନ କରିବାର ଦୁଇଟି ଉପାୟ ରହିଛି। ପ୍ରଥମଟି ହେଲା ଔପଚାରିକ ଭାବେ ମୂଳ ସମ୍ବିଧାନର ସ୍ବରୂପରେ ପରିବର୍ତ୍ତନ କରିବା, ଯାହା ଇନ୍ଦିରା ଗାନ୍ଧୀ ୪୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ କରିଥିଲେ। ଦ୍ବିତୀୟଟି ହେଉଛି ଅନୌପଚାରିକ ଉପାୟ, ଯାହା ନରେନ୍ଦ୍ର ମୋଦୀ ସରକାର ଆପଣେଇଛନ୍ତି। ଏଥିରେ ସମ୍ବିଧାନର ମୂଳପାଠରେ କୌଣସି ପରିବର୍ତ୍ତନ ଆଣିବା ଦରକାର ନାହିଁ, କେବଳ ସମ୍ବିଧାନକୁ ସାମଗ୍ରିକ ଭାବେ ଅଗ୍ରାହ୍ୟ କରିଦେବା, ତାହାର ପବିତ୍ର ସୀମାକୁ ଅତିକ୍ରମଣ କରିଯିବା, ତାହାର ନିର୍ଭରୋକ୍ତିକୁ ପ୍ରତ୍ୟାଖ୍ୟାନ କରିବା ଏବଂ ଯେପରି ମୂଳ ଅନୁବନ୍ଧକୁ ଅନ୍ୟ କେହି ଲାଗୁ ନ କରେ, ତାହା ନିଶ୍ଚିତ କରାଇବା ଯଥେଷ୍ଟ।
ଅନେକ ଦିଗରୁ ଏହି ଅନୌପଚାରିକ ଦିଗଟି ବେଶୀ ଫଳପ୍ରଦ। ଜଣେ ସାଧାରଣ ନାଗରିକ ପାଇଁ ସମ୍ବିଧାନ ହେଉଛି ତାହା ଯାହା ସ୍ଥାନୀୟ ଥାନାବାବୁ କହୁଛନ୍ତି ଓ ବତାଉଛନ୍ତି। ସମ୍ବିଧାନ ନାମକ ସେଇ ପବିତ୍ର ପୋଥି ସେତେବେଳେ ପ୍ରାସଙ୍ଗିକ ହେବ ଯେତେବେଳେ ଆରକ୍ଷୀ ଅଧିକାରୀ, ଜିଲ୍ଲାପାଳ ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସ୍ବୟଂ ତାହାକୁ ଲାଗୁ କରିବେ ଏବଂ ତାହା ଅନୁଯାୟୀ ଆଚରଣ କରିବେ। ଅନ୍ୟଥା ଥାନା ଅଧିକାରୀଙ୍କ ଅସାମ୍ବିଧାନିକ ଆଚରଣ ପ୍ରଦର୍ଶନ ସମ୍ବିଧାନ ସଂଶୋଧନ ସଦୃଶ ହେବ। ଯେଉଁ ଭାଗ୍ୟଶାଳୀମାନେ ଅଦାଲତ ଯାଇପାରିବେ, ସେମାନଙ୍କ ପାଇଁ ନ୍ୟାୟପାଳିକା ଦ୍ବାରା ସାମ୍ବିଧାନିକ ପ୍ରାବଧାନଗୁଡ଼ିକ ଲାଗୁ ହୋଇ ନ ପାରିବା ସମ୍ବିଧାନକୁ ରଦ୍ଦ କରାଇବା ସଙ୍ଗେ ସମାନ। ଏଥିରେ ତିଳେ ମାତ୍ର ଦ୍ବିଧା ନାହିଁ କି, ଏ ବର୍ଷ ରାମନବମୀ (ଏପ୍ରିଲ ୧୦) ଓ ହନୁମାନ ଜୟନ୍ତୀ (ଏପ୍ରିଲ ୧୬) ଭିତରେ ଯାହା ସବୁ ଘଟିଗଲା, ତାହା ବସ୍ତୁତଃ ସମାନ ନାଗରିକତାର ନିର୍ଭରୋକ୍ତି ପ୍ରଦାନ କରୁଥିବା ସମ୍ବିଧାନର ମୂଳଦୁଆକୁ ବିସର୍ଜନ କରିଦେବା ଭଳି ଥିଲା। ସମ୍ବିଧାନର ଅନ୍ୟ ପ୍ରାବଧାନଗୁଡ଼ିକ ଆଗରୁ ହୁଏତ ରଦ୍ଦ ହୋଇସାରିଛି କିମ୍ବା ସଂଶୋଧିତ ହୋଇଛି ବା ବିକୃତ କରାଯାଇଛି ଅଥବା ତାହାର ବିକୃତୀକରଣ ପ୍ରକ୍ରିୟା ଜାରି ରହିଛି। ୧୯୫୦ ଜାନୁଆରି ୨୬ ତାରିଖରେ ଯେଉଁ ସମ୍ବିଧାନ ଲାଗୁ ହୋଇଥିଲା, ତାହା ଅଚିରେ କେବଳ ଏକ ନିୟମାବଳୀରେ ପରିଣତ ହୋଇଯାଇପାରେ; ଯାହାର ବାସ୍ତବତା ସହ କୌଣସି ସମ୍ପର୍କ ନ ଥିବ।
ଏକ ସାମ୍ବିଧାନିକ ଗଣତନ୍ତ୍ରରେ ଏକ ଲିଖିତ ସମ୍ବିଧାନର ଭୂମିକା କେବଳ ଶାସନ-ପ୍ରଶାସନ ପାଇଁ ନୀତିନିୟମ ପ୍ରଣୟନ କରିବାରେ ସୀମିତ ନୁହେଁ। ସୁବ୍ୟବସ୍ଥିତ ପ୍ରଶାସନ ନିମନ୍ତେ ଶାସକଙ୍କର ମଧ୍ୟ କିଛି ନିୟମାବଳୀର ଆବଶ୍ୟକତା ରହିଛି। ସାମ୍ବିଧାନିକ ଗଣତନ୍ତ୍ରରେ ଏକ ପବିତ୍ର ନିୟମ ପୁସ୍ତିକାର ଭୂମିକା ହେଉଛି ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ଲଗାମ ଲଗାଇବା। ଲୋକତାନ୍ତ୍ରିକ ସମ୍ବିଧାନ, ପ୍ରଭାବ ପରିସରର ଏପରି କିଛି ପବିତ୍ର ସୀମାରେଖା ଟାଣିଥାଏ, ଯଦ୍ଦ୍ବାରା କିଏ କୋଉ ପଦବିରେ ଥାଇ କ’ଣ କରିବା ଦରକାର, ତାହା ସ୍ପଷ୍ଟ ହେବା ଅପେକ୍ଷା କିଏ କେଉଁ ପଦବିରେ କ’ଣ ନ କରିବା ଦରକାର, ତାହା ହିଁ ନିର୍ଣ୍ଣୟ ହୋଇଥାଏ। ଗଣତାନ୍ତ୍ରିକ ସମ୍ବିଧାନ କେବଳ ସଂଖ୍ୟାଗରିଷ୍ଠର ଶାସନକୁ ଚଳାଇ ରଖିବାର ବ୍ୟବସ୍ଥା ନ କରି, ସଂଖ୍ୟାଗରିଷ୍ଠ କ’ଣ ନ କରିପାରିବ, ତାହା ସ୍ପଷ୍ଟ କରିଥାଏ। ଯଦି ଶାସକଙ୍କ ଉପରେ ସମ୍ବିଧାନ ଅଙ୍କୁଶ ନ ଲଗାଇବ, ତେବେ ଆଦୌ ସମ୍ବିଧାନ ନାହିଁ ବୋଲି ଧରିନେବାକୁ ହେବ। ଆମେ ସମ୍ପ୍ରତି ଠିକ୍ ଏଇଆ ହିଁ ଅବଲୋକନ କରୁଛନ୍ତି। ସମଗ୍ର ଭାରତରେ ରାମନବମୀ ଓ ହନୁମାନ ଜୟନ୍ତୀ ମଧ୍ୟରେ ଯାହା ଘଟିଗଲା ତାହା ଦୁର୍ଘଟଣା କି ସ୍ଥାନୀୟ ଅଗ୍ନିକାଣ୍ଡ କି ଗୁଣ୍ଡାଗିରି ମାତ୍ର ନୁହେଁ। ଏଭଳି ଅପମାନଜନକ ଧାର୍ମିକ ରୀତିନୀତି ପାଇଁ ଏକ ସ୍ପଷ୍ଟ ପ୍ରଣାଳୀ ଓ ନିର୍ଭୁଲ୍ ପ୍ରକ୍ରିୟା ପ୍ରସ୍ତୁତ ହୋଇଥିଲା। ପ୍ରଥମେ ଅନୁମତି ଥାଉ କି ନ ଥାଉ, ଏକ ଧାର୍ମିକ ଶୋଭାଯାତ୍ରା ଆରମ୍ଭ କର, ସାଙ୍ଗରେ ଶବ୍ଦକାରୀ ଡିଜେ, ଖଣ୍ଡା ଓ ସମ୍ଭବତଃ ଗୁଳିଗୋଳା ବହନ କର। ଦ୍ବିତୀୟରେ ମୁସଲମାନ ଅଧ୍ୟୁଷିତ ଅଞ୍ଚଳ ବାଟେ ଶୋଭାଯାତ୍ରାକୁ ପରିକ୍ରମା କରାଅ ଏବଂ ସ୍ଥାନୀୟ ପୁଲିସ୍ର ସହଯୋଗ ବା ମୌନ ସମ୍ମତିରେ କୌଣସି ମସ୍ଜିଦ ଆଗରେ ଅଟକିଯିବାକୁ ନିଶ୍ଚିତ କରାଅ। ତୃତୀୟରେ ଘୃଣାଭର୍ତ୍ତି ସ୍ଲୋଗାନ୍ କି ଧର୍ମାନ୍ଧ ସଂଗୀତ ଜନିତ ମୌଖିକ ଉତ୍ତେଜନା ଅଥବା ଧାର୍ମିକସ୍ଥଳର ଅପବିତ୍ରୀକରଣ କି ଗୈରିକ ପତାକା ଉତ୍ତୋଳନ ପୂର୍ବକ ସିଧାସଳଖ ପଦକ୍ଷେପ ଦ୍ବାରା ଉସୁକାଅ, ଉସୁକାଅ ଏବଂ ଉସୁକାଅ। ମୁସଲମାନଙ୍କ ହାତରେ ମାତ୍ର ଦୁଇଟି ବିକଳ୍ପ: ଧମକର ଛାୟାରେ ବଞ୍ଚିରହ ଅଥବା ନିଜ ଘର, ଦୋକାନ ଉପରେ ବୁଲ୍ଡୋଜର୍ ଚଢ଼ିବାର ଦୃଶ୍ୟ ନିରବରେ ଦେଖୁଥାଅ। ସେମାନେ ସର୍ବସମକ୍ଷରେ ଏପରି ଅପମାନକୁ ଯଦି ସହିଯିବେ, ତେବେ ନିଜ ଦୃଷ୍ଟିରେ କାପୁରୁଷ ସାବ୍ୟସ୍ତ ହେବେ। ସେମାନେ ଯଦି ପାଲଟା ଜବାବ ଦିଅନ୍ତି, ତେବେ ଶୋଇ ରହିଥିବା ପୁଲିସ୍ ଆଖିରେ ଅପରାଧୀ ସାଜି ଗିରଫ ହେବେ। ତେଣୁ ସେମାନେ କୁଆଡ଼େ ଯିବାର ବି ବାଟ ନାହିଁ।
ସମ୍ବିଧାନର ବହୁବିଧ ଉଲ୍ଲଂଘନ ପୂର୍ବକ କିପରି ଏହି ସାର୍ବଜନୀନ ଧାର୍ମିକ ରୀତି ସମ୍ଭବ ହୋଇଛି, ତାହା ବିଚାରଯୋଗ୍ୟ। ସେହି ସଂଗଠନଗୁଡ଼ିକ ଦ୍ବାରା ଉଚ୍ଚାରିତ ‘ହିନ୍ଦୁସ୍ଥାନରେ ରହିବାର ଅଛି ତ ଜୟଶ୍ରୀରାମ କହିବାକୁ ହେବ’ ପରି ସ୍ଲୋଗାନ୍ ହେଉଛି ଧାର୍ମିକ ସ୍ବାଧୀନତା ଅଧିକାରର ସିଧାସଳଖ ପ୍ରତ୍ୟାଖ୍ୟାନ। ସେହିପରି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁନିୟୋଜିତ ଆକ୍ରମଣରୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତା ହେଉଛି ଧାରା ୨୧ ଅନ୍ତର୍ଗତ ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷା ଯୋଗାଉଥିବା ନିର୍ଭରୋକ୍ତିକୁ ପ୍ରତ୍ୟାଖ୍ୟାନ। ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ଆତ୍ମଘୋଷିତ ପ୍ରତିନିଧିମାନେ ଘୃଣାଭର୍ତ୍ତି ଭାଷଣ ମାଧ୍ୟମରେ ହିଂସା ଉସୁକାଇ ଯାବତୀୟ ନ୍ୟାୟିକ କଟକଣାର ଉଲ୍ଲଂଘନ କରନ୍ତି, କିନ୍ତୁ ସେମାନଙ୍କ ଛଡ଼ା ଅନ୍ୟମାନେ ସେପରି କିଛି କରିବା କଡ଼ାକଡ଼ି ଭାବେ ନିଷିଦ୍ଧ। ସମାନ ଅଧିକାର ଏବଂ ଧର୍ମ ଭିତ୍ତିରେ ଭେଦଭାବ ନ କରିବା ପାଇଁ ରହିଥିବା ପ୍ରାବଧାନର ଏହା ସିଧାସଳଖ ବିଲୋପନ। ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ଏଭଳି ତମାମ ଉଲ୍ଲଂଘନର ଉଦାହରଣ ଭିତରେ ଦେଶରେ ନାଗରିକମାନେ ଦୁଇ ଭାଗରେ ବିଭକ୍ତ ହୋଇଥିବା ଦେଖାଯାଉଛି। ଗୋଟିଏ ଶ୍ରେଣୀରେ ହିନ୍ଦୁମାନେ ଓ ଅନ୍ୟ ଭାଗରେ ସମସ୍ତ ଅଣହିନ୍ଦୁ ସାମିଲ ହୋଇଛନ୍ତି। ପ୍ରଥମ ଶ୍ରେଣୀର ନାଗରିକମାନେ ଅଭୟଦାନ ବା ଦଣ୍ଡମୁକ୍ତି ହାସଲ ନ କଲେ ବି ସେମାନଙ୍କୁ ସାମ୍ବିଧାନିକ ସୁରକ୍ଷା ମିଳୁଛି। ଆଉ ଦ୍ବିତୀୟ ଶ୍ରେଣୀର ନାଗରିକମାନେ ସେଭଳି ସୁରକ୍ଷାରୁ କିଛି ମାତ୍ରାରେ ଉପଭୋଗ କରୁଛନ୍ତି, ତେବେ ତାହା ସରକାର ଏବଂ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟର ଦୟାରେ। ସମ୍ବିଧାନର ଛାତିରେ ଏହା ଏଭଳି ଗଭୀର କ୍ଷତ ସୃଷ୍ଟି କରିଛି, ଯାହା କେହି କଳ୍ପନା ସୁଦ୍ଧା କରିପାରିବେନି।
ବିଶେଷ କରି ୨୦୧୯ ମସିହାରୁ ଆମେ ସମ୍ବିଧାନ ପ୍ରଦତ୍ତ ଅଧିକାରର ଏପରି ଧାରାବାହିକ ଉଲ୍ଲଂଘନ ଦେଖି ଆସିଛନ୍ତି, ଯାହାର ଶୀର୍ଷରେ ରହିଛି ସଦ୍ୟତମ ଉଲ୍ଲଂଘନ। ରାଜ୍ୟ ବିଧାନସଭାର ସ୍ବୀକୃତି (ଯାହା ସମ୍ବିଧାନର ଅନୁଚ୍ଛେଦ ୩ ଅନୁଯାୟୀ ଅନିବାର୍ଯ୍ୟ) ବିନା ଜାମ୍ମୁକାଶ୍ମୀରକୁ ଦୁଇ ଭାଗ କରି ଦିଆଗଲା। ଏହି ମାମଲାର ଶୁଣାଣି ଏବଂ ସମ୍ବିଧାନ ଲାଗୁ କରାଇବା ପାଇଁ ସୁପ୍ରିମ୍ କୋର୍ଟ ଆଗ୍ରହ ପ୍ରକାଶ ନ କରିବା ଦ୍ବାରା ସମ୍ବିଧାନର ପ୍ରଥମ ଭାଗରେ ରହିଥିବା କିଛି ପ୍ରମୁଖ ପ୍ରାବଧାନର ବିଲୋପନ ହେଲା ବୋଲି ଆମକୁ ଧରିନେବାକୁ ପଡ଼ିବ। ଅଦ୍ୟାବଧି ସୁପ୍ରିମ୍ କୋର୍ଟ ଦ୍ବାରା ନାଗରିକ ସଂଶୋଧନ ଅଧିନିୟମ-୨୦୧୯ର ସମୀକ୍ଷା ହୋଇନଥିବା ବେଳେ ତାହା ସମ୍ବିଧାନର ଦ୍ବିତୀୟ ଭାଗରେ ଗଭୀର ଚୋଟ ବସାଇ ସାରିଛି। ସେହିପରି ମୌଳିକ ଅଧିକାର ସମ୍ପର୍କରେ ବିଶଦ ବର୍ଣ୍ଣନା ଥିବା ସମ୍ବିଧାନର ତୃତୀୟ ଭାଗରେ ଏତେ ଦାଗ ବସିସାରିଲାଣି ଯେ ତାହା ଗଣିବା ମୁସ୍କିଲ। ସମ୍ବିଧାନ ବର୍ଣ୍ଣିତ ଅଧିକାରର ସଦ୍ୟ ଉଲ୍ଲଂଘନଗୁଡ଼ିକୁ ଲକ୍ଷ୍ୟ କଲେ ଲାଗୁଛି ସତେ ଯେମିତି ଆଇନ ଆଗରେ ସମାନତା (ଅନୁଚ୍ଛେଦ ୧୪), ବାକ୍ ସ୍ବାଧୀନତା (ଅନୁଚ୍ଛେଦ ୧୯), ଅପରାଧ ପାଇଁ ଦୋଷସିଦ୍ଧି ସୁରକ୍ଷା (ଅନୁଚ୍ଛେଦ ୨୦), ଅନ୍ତରାତ୍ମାର ସ୍ବତନ୍ତ୍ରତା ଏବଂ କୌଣସି ବି ଧର୍ମକୁ ମାନିବା ସହ ପ୍ରଚାର ପ୍ରସାର (ଅନୁଚ୍ଛେଦ ୨୫) ଏବଂ ଅଧିକାରର ପ୍ରବର୍ତ୍ତନ ପାଇଁ ପ୍ରତିକାର (ଅନୁଚ୍ଛେଦ ୩୨) ଆଦି ଅଧିକାର ପ୍ରଭାବୀ ହୋଇ ରହିନାହିଁ ଅଥବା ସେଗୁଡ଼ିକୁ ଶେଷ କରିଦିଆଯାଇଛି। ଆର୍ଥିକ ଅସମାନତା ତଥା ଧନୀମାନଙ୍କୁ ଶାସନ କରିବା ପାଇଁ ରହିଥିବା ସରକାରଙ୍କ କର୍ତ୍ତବ୍ୟ (ଅନୁଚ୍ଛେଦ ୩୮(୨) ଓ ୩୯ସି) ଏବେ ପ୍ରହସନ ପାଲଟିଛି। ଲାଗୁଛି ସତେ ଯେମିତି ସମ୍ବିଧାନର ମୌଳିକ କର୍ତ୍ତବ୍ୟ (ଅନୁଚ୍ଛେଦ ୫୧ଏ)ରେ ଏକ ଅଘୋଷିତ ପରିବର୍ତ୍ତନ ହୋଇ ଅସହମତି ପ୍ରକଟ ନ କରିବା ଏବେ ଏକ ମୌଳିକ କର୍ତ୍ତବ୍ୟ ପାଲଟିଛି। କହିବା ବାହୁଲ୍ୟ, ସମ୍ବିଧାନକୁ ହତ୍ୟା କରାଯାଉଛି। ତାହା ପ୍ରତ୍ୟହ ହେଉଛି ଏବଂ ଗଳିକନ୍ଦିରେ ସର୍ବସମ୍ମୁଖରେ ହୋଇଚାଲିଛି। ବାସ୍ତବରେ ବିଶେଷ କରି ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏକ ନୂଆ ବ୍ୟବସ୍ଥାରେ ଜୀବନ ଜିଉଛନ୍ତି। ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନ ଜନ୍ମ ଦେଇଥିବା ଗଣରାଜ୍ୟ ସତେ ଯେପରି ଶେଷ ହେବାକୁ ବସିଛି।
ଏହାର କିଛି ପ୍ରତିକାର ଅଛି କି? ଏବେ ବି କ’ଣ ସମ୍ବିଧାନକୁ ରକ୍ଷା କରାଯାଇ ପାରିବ? ଗଣରାଜ୍ୟ ପୁଣି କ’ଣ ନିଜର ଅସ୍ତିତ୍ବ ଜାହିର କରିପାରିବ? ହଁ, ହୋଇପାରିବ, ମାତ୍ର ତାହା ସେତେ ସହଜ ନୁହେଁ। ସ୍ବାଧୀନତା ସଂଗ୍ରାମ ସମୟରେ ଗଢ଼ା ବିଚାରଗତ ସହମତି ଓ କଂଗ୍ରେସ ଦଳର ଇନ୍ଦ୍ରଧନୁ ସଦୃଶ ମେଣ୍ଟର ମିଳିତ ମୂଳଦୁଆ ଉପରେ ଆମର ସମ୍ବିଧାନ ଏକ ଭବ୍ୟ ମହଲ ପରି ଦଣ୍ଡାୟମାନ ହୋଇଥିଲା। ଏହି ଉଭୟ ସ୍ତମ୍ଭ ଏବେ ଭୁଶୁଡ଼ିବାର ପାଦଦେଶରେ। ଆମ ସମ୍ବିଧାନ ସ୍ବୟଂ ଜାରି ରହିବାର ଏକ ବ୍ୟବସ୍ଥା ଥିଲା ଏବଂ ନ୍ୟାୟପାଳିକା ପାଖରେ ଏହାର ଅନୁପାଳନ କରାଇବାର ଦାୟିତ୍ବ ନ୍ୟସ୍ତ ଥିଲା।
ବିଗତ କିଛି ବର୍ଷ ହେଲା, ସେହି ବ୍ୟବସ୍ଥାର ଭଙ୍ଗୁରତା ସମ୍ପର୍କରେ ଆମକୁ ଏକ କଠୋର ଶିକ୍ଷା ମିଳିପାରିଛି। ଆମେ ଅନୁଭବ କରିପାରୁଛନ୍ତି କି, ନ୍ୟାୟପାଳିକାର ଶୀର୍ଷ ସ୍ତର ବି ଏକ ସର୍ବଶକ୍ତିଶାଳୀ ସରକାରଙ୍କ ଚାପ ସହିବାକୁ ସକ୍ଷମ ନୁହେଁ କି ସମ୍ବିଧାନକୁ ନ୍ୟୂନ କରୁଥିବା ଏହି ନୂତନ ବିଚାରଧାରାରେ ନିଜକୁ ନିରପେକ୍ଷ ମଧ୍ୟ ରଖିପାରିବେନି। ଯେ ପର୍ଯ୍ୟନ୍ତ କ୍ଷମତାର ପୁନଃସଂରଚନା ନ ହୋଇଛି, ସାମାଜିକ ସଂହତିର ପୁନର୍ଗଠନ ନ ହୋଇଛି ଏବଂ ସାମ୍ବିଧାନିକ ମୂଲ୍ୟବୋଧର ପୁନଃସଂଚାଳନ ନ ହୋଇଛି, ସେ ପର୍ଯ୍ୟନ୍ତ ସମ୍ବିଧାନକୁ ବଞ୍ଚାଯାଇ ପାରିବ ନାହିଁ। ଚୂଡ଼ାନ୍ତରେ ସମ୍ବିଧାନ ନିଜକୁ ନିଜେ ରକ୍ଷା କରିପାରିବନି। ତାହାକୁ ବଞ୍ଚାଇବା ପାଇଁ ସେଭଳି କୌଣସି ବହିଃ ବା ଅନ୍ତଃ ନିର୍ଭରୋକ୍ତି ନାହିଁ। ତେବେ ଗଣତନ୍ତ୍ରର ସୁରକ୍ଷା ପାଇଁ ଜନଗଣ ହିଁ ସଂଗଠିତ ହେବା ଜରୁରୀ। ବିଗତ କିଛି ଦିନଗୁଡ଼ିକ ଏହି କଥାର ବିଷଣ୍ଣତାପୂର୍ଣ୍ଣ ପ୍ରମାଣ ଯେ ଗଣତନ୍ତ୍ରର ସୁରକ୍ଷାକାରୀଙ୍କ ପାଇଁ ସମୟ ସରି ସରି ଆସୁଛି।
[email protected]