ଆମ ଦୈନନ୍ଦିନ ଜୀବନରେ ଚକୋଲେଟ୍ ଅତୁଳନୀୟ ମଧୁରତା ସୃଷ୍ଟି କରିଥାଏ। ଅନେକ ବର୍ଷ ପୂର୍ବେ କେତେକ ନିର୍ଦ୍ଦିଷ୍ଟ ଦିନ ବା ନିର୍ଦ୍ଦିଷ୍ଟ ଅବସରରେ ଚକୋଲେଟ୍ କ୍ରୟ କରାଯାଉଥିଲା। କିନ୍ତୁ କିଛି ବର୍ଷ ହେଲାଣି ଚକୋଲେଟ୍ ଦୈନନ୍ଦିନ ଜୀବନର ଅଂଶ ହୋଇସାରିଲାଣି, ଯହିଁରେ ସ୍ନେହ ଓ ପ୍ରେମ, ଶୁଭେଚ୍ଛା, ସଦ୍ଦିଚ୍ଛା, କୃତଜ୍ଞତା ଓ ଅଭିନନ୍ଦନ ଇତ୍ୟାଦି ଜ୍ଞାପନ କରିବା ଲାଗି ଚକୋଲେଟ୍ ଲୋଡ଼ା ପଡୁଛି। ଭାରତୀୟ ବଜାରରେ ଉପଲବ୍ଧ ଅଧିକାଂଶ ଚକୋଲେଟ୍ ମୂଳତଃ ବିଦେଶୀ କମ୍ପାନିମାନେ ତିଆରି ଓ ବିକ୍ରି କରିଥାନ୍ତି। ଭାରତୀୟ ବଜାରରେ ୫୫% ଅର୍ଥାତ୍ ସିଂହଭାଗ ଅଧିକାର କରିଥିବା ଚକୋଲେଟ୍ ଯେମିତି କି କ୍ୟାଡ୍ବରିଜ୍ ଡେରି ମିଲ୍କ, ଫାଇଭ ଷ୍ଟାର୍, ମିଲ୍କା ଇତ୍ୟାଦି ତିଆରି କରିଥାଏ ମୋଣ୍ଡେଲେଜ୍ ଇଣ୍ଡିଆ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ (ଯାହାର ପୁରୁଣା ନାମ କ୍ୟାଡ୍ବରି ଲିମିଟେଡ୍); ପ୍ରାୟ ୧୫% ବଜାର ଅଂଶ ନିଜ ଅଧୀନରେ ରଖିଛି ‘କିଟ୍କାଟ୍’ ଓ ‘ମିଲ୍କ ବାର୍’ ଇତ୍ୟାଦିର ପ୍ରସ୍ତୁତକର୍ତ୍ତା ନେସ୍ଲେ କମ୍ପାନି; ଚକୋଲେଟ୍ ବ୍ୟବସାୟରେ ୧୦% ବଜାର ଅଂଶ ରହିଛି ଫେରେରୋ ଇଣ୍ଡିଆ ପାଖରେ; ସ୍ନିକର୍ ଓ ଅର୍ବିଟ୍ ଭଳି ଚକୋଲେଟ୍ ତିଆରି କରୁଥିବା ମାର୍ସ କମ୍ପାନିର ବଜାରର ଅଂଶ ହେଉଛି ପ୍ରାୟ ୪% ଏବଂ ଚକୋଲେଟ୍ କାରବାରରେ ୩% ଜାଗା ମାଡ଼ି ବସିଛି ହର୍ସେ ଇଣ୍ଡିଆ ନାମକ କମ୍ପାନି। ସୁତରାଂ, ଏହି ପାଞ୍ଚଟି କମ୍ପାନି ହାତରେ ଅଛି ୮୭% ବଜାର ଅଂଶ ଏବଂ ଏମାନେ ସମସ୍ତେ ବିଦେଶୀ କମ୍ପାନି। ଏହି କମ୍ପାନିମାନଙ୍କ ସହ ପ୍ରତିଯୋଗିତାରେ ଥିବା ଭାରତୀୟ ସଂସ୍ଥାଗୁଡ଼ିକ ମଧ୍ୟରେ ଅଛନ୍ତି ‘ଅମୁଲ’, ଆଇ.ଟି.ସି, ପାର୍ଲେ ଏବଂ ସେଣ୍ଟ୍ରାଲ ଆରେକାନଟ୍ ଏଣ୍ଡ୍ କୋକୋ ମାର୍କେଟିଙ୍ଗ୍ ଏଣ୍ଡ୍ କୋଅପରେଟିଭ ସୋସାଇଟି ବା ସଂକ୍ଷିପ୍ତରେ କ୍ୟାମ୍ପକୋ। ଏହା ବ୍ୟତୀତ ଛୋଟବଡ଼ କିଛି ଚକୋଲେଟ୍ କଂପାନି ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ବଜାରରେ ବ୍ୟବସାୟ କରୁଛନ୍ତି।
ଚକୋଲେଟ୍ ବ୍ୟବସାୟରେ ଆମ ରାଜ୍ୟର ଅବଦାନ ଶୂନ୍ୟ ପ୍ରାୟ। ଏହାର ଅର୍ଥ ଓଡ଼ିଶା ହେଉଛି କେବଳ ଏକ ଚକୋଲେଟ୍ କିଣୁଥିବା ବା ଖାଉଥିବା ରାଜ୍ୟ। କିନ୍ତୁ ଅନ୍ୟ କେତେକ ରାଜ୍ୟର ସରକାରୀ ଦୁଗ୍ଧ ସମବାୟ ସଂସ୍ଥା ଚକୋଲେଟ୍ ବ୍ୟବସାୟରେ ବହୁ ବର୍ଷ ହେଲାଣି ଅଛନ୍ତି; ଯେମିତି କି ଗୁଜରାଟର ଅମୁଲ, କର୍ଣ୍ଣାଟକର ନନ୍ଦିନୀ, କେରଳର ମିଲ୍ମା, ତାମିଲନାଡୁର ଆଭିନ୍ ଇତ୍ୟାଦି। ପ୍ରକାଶ ଥାଉ କି ଚକୋଲେଟ୍ ଦ୍ବାରା ହେଉଥିବା ବ୍ୟାବସାୟିକ ମୂଲ୍ୟ ବୃଦ୍ଧି ହେତୁ ଏହି ଦୁଗ୍ଧ ସମବାୟ ସଂସ୍ଥାମାନ ନିଜ ନିଜ ସଦସ୍ୟମାନଙ୍କ ଆୟ ବୃଦ୍ଧି ସମ୍ଭବ କରାଇପାରିଛନ୍ତି। ଏଭଳି ସ୍ଥଳେ ଆମ ରାଜ୍ୟର ଓମ୍ଫେଡ ଏ ଦିଗରେ ଯତ୍ନଶୀଳ ହେବା ଉଚିତ। ଅନ୍ୟ ରାଜ୍ୟର ଘରୋଇ କଂପାନିଗୁଡ଼ିକ ଦ୍ବାରା ପ୍ରସ୍ତୁତ ଚକୋଲେଟ୍ର ଚାହିଦା ଓଡ଼ିଶା ବଜାରରେ ଅଛି ବୋଲି ସେହି କଂପାନିଗୁଡ଼ିକର ଅନୁଆଲ୍ ରିପୋର୍ଟରୁ ଜଣାପଡ଼େ। ତାମିଲନାଡୁର ହ୍ୟାଟ୍ସନ ଆଗ୍ରୋ କମ୍ପାନି ଦିନକୁ ୮୫୦୦ କିଲୋ ଚକୋଲେଟ୍ ତିଆରି କରିଥାଏ, ଯହିଁରୁ କିଛି ଅଂଶ ଓଡ଼ିଶାରେ ୨୮ଟି ଆଉଟ୍ଲେଟ୍ରେ ବିକ୍ରି ହୋଇଥାଏ। ତାମିଲନାଡୁର ଇରୋଡ଼ ଜିଲ୍ଲାରେ ଥିବା ମିଲ୍କି ମିଷ୍ଟ୍ କମ୍ପାନି ଦ୍ବାରା ପ୍ରସ୍ତୁତ କ୍ୟାପେଲ୍ଲା ନାମକ ଚକୋଲେଟ୍ ଓଡ଼ିଶାର ଅନେକ ଦୋକାନରେ କିଣିବାକୁ ମିଳିଥାଏ। ସେମିତି ଅମୁଲ କମ୍ପାନିର ପ୍ରାୟ ୧୫ ପ୍ରକାର ଚକୋଲେଟ୍ ଓଡ଼ିଶା ବଜାରରେ ଲୋକପ୍ରିୟ। ତେଣୁ ଏହି ଚାହିଦାର ସୁଯୋଗ ନେବା ଲାଗି ଆମ ରାଜ୍ୟରେ ଚକୋଲେଟ୍ ଉତ୍ପାଦନ ଶିଳ୍ପ ମୁଣ୍ଡ ଟେକିବା ଆବଶ୍ୟକ ବୋଲି ମନେ ହୋଇଥାଏ।
ଚକୋଲେଟ୍ ପ୍ରସ୍ତୁତି ପାଇଁ ମୁଖ୍ୟ ଉପାଦାନ ହେଉଛି କୋକୋ, ଯାହାର ଚାଷ ଆଫ୍ରିକୀୟ ଏବଂ ମଧ୍ୟ ଓ ଲାଟିନ ଆମେରିକୀୟ ଦେଶମାନଙ୍କରେ ସର୍ବାଧିକ ହୋଇଥାଏ। ଏସିଆ ମହାଦେଶରେ ପ୍ରମୁଖ କୋକୋ ଉତ୍ପାଦନକାରୀ ଦେଶ ହେଲା ଇଣ୍ଡୋନେସିଆ। ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଏବଂ କର୍ଣ୍ଣାଟକରେ ମଧ୍ୟ କୋକୋ ଉତ୍ପାଦିତ ହୋଇଥାଏ। ୨୦୨୩ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୧-୧୨ରୁ ୨୦୨୦-୨୧ ପର୍ଯ୍ୟନ୍ତ ଅବଧି ମଧ୍ୟରେ ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଯଥାକ୍ରମେ ୧୮୮୬, ୪୫୭, ୧୪୩, ୯୭ ଏବଂ ୭୨ କୋଟି ଟଙ୍କା ମୂଲ୍ୟର କୋକୋ ଉତ୍ପାଦିତ ହୋଇଥିଲା। ତେଣୁ ଦକ୍ଷିଣ ଭାରତୀୟ ରାଜ୍ୟରେ ଚକୋଲେଟ୍ ଉତ୍ପାଦନ ସହିତ କୋକୋ ଉତ୍ପାଦନର ସଂପର୍କ ବିଷୟ ଠଉରାଇ ହୁଏ। ଏବେ ଗୋଟାଏ ଉଦାହରଣ ଦେଖିବା। କର୍ଣ୍ଣାଟକରେ ଗୁଆ ଏବଂ କୋକୋ ଉତ୍ପାଦନକୁ ପ୍ରୋତ୍ସାହନ ଦେଇ ୧୯୭୩ ମସିହାରେ କର୍ଣ୍ଣାଟକ ଓ କେରଳ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସେଣ୍ଟ୍ରାଲ୍ ଆରେକାନଟ୍ ଏଣ୍ଡ୍ କୋକୋ ମାର୍କେଟିଙ୍ଗ୍ ଏଣ୍ଡ୍ କୋଅପରେଟିଭ ସୋସାଇଟି ବା ‘କାମ୍ପକୋ’ ମୁଣ୍ଡ ଟେକିଲା। ୧୯୮୬ ମସିହାରେ କର୍ଣ୍ଣାଟକର ପୁଟୁର ଅଂଚଳରେ ଏହି ଅନୁଷ୍ଠାନ ଏକ ଚକୋଲେଟ୍ କାରଖାନା ବସାଇଲା। ଏହି ସଂସ୍ଥା ବାର୍ଷିକ ୭,୦୦୦ ମେଟ୍ରିକ୍ ଟନ୍ ଚକୋଲେଟ୍ ତିଆରି କରିଥାଏ ବା ବାର୍ଷିକ ପାଖାପାଖି ୫୦୦-୬୦୦ କୋଟି ଟଙ୍କା ମୂଲ୍ୟର ଚକୋଲେଟ୍ ବ୍ୟବସାୟ କରିଥାଏ। ଏହି କାରଣରୁ ଏହା ସହିତ ସଂପୃକ୍ତ ପ୍ରତ୍ୟେକ କୋକୋ ଚାଷୀଙ୍କ ରୋଜଗାରରେ ବାର୍ଷିକ ୮%-୯% ହାରରେ ବୃଦ୍ଧି ଘଟୁଛି। ପ୍ରକାଶ ଥାଉ କି ଏହି ବ୍ୟବସାୟ ସହିତ ଆଜି ପର୍ଯ୍ୟନ୍ତ ୧.୧୬ ଲକ୍ଷ ଚାଷୀ ଏବଂ କର୍ଣ୍ଣାଟକର ୫୭୦ ସମବାୟ ସଂସ୍ଥା ଯୋଡ଼ି ହୋଇ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଗୋଟିଏ ମତ ହେଲା ଭାରତର ଅନ୍ୟ ରାଜ୍ୟରେ ମଧ୍ୟ କୋକୋ ଉତ୍ପାଦନ ଦିଗରେ ଉଦ୍ୟମ କରାଯିବା କଥା, ଯାହା ନେଇ ଅବଶ୍ୟ ସଂସଦ କକ୍ଷରେ ଅନେକ ଆଲୋଚନା ମଧ୍ୟ ଓଡ଼ିଶା ସମେତ ଆସାମ ଓ ତ୍ରିପୁରା କୋକୋ ଉତ୍ପାଦନ ପାଇଁ ଅନୁକୂଳ ବୋଲି ୧୯୬୨ ମସିହା ଠାରୁ ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚର ରିସର୍ଚ୍ଚ’ କହି ସାରିଛନ୍ତି। ଏହାକୁ ଭିତ୍ତି କରି ଅନେକ ବିଳମ୍ବରେ ହେଲେ ମଧ୍ୟ ୨୦୧୭ ମସିହାରୁ ଆସାମରେ କୋକୋ ଚାଷ ଆରମ୍ଭ ହୋଇସାରିଛି। ଆସାମର ଗୋଲପଡ଼ା, ବକ୍ସା, କାମରୂପ, ନାଲବାଡ଼ି, ଉଦଲଗୁଡ଼ି ଏବଂ ବୋଙ୍ଗାଇଗାଁ ଜିଲ୍ଲାରେ କୋକୋ ଚାଷ ହେଉଛି। କୋକୋ ଚାଷର ଅଭିବୃଦ୍ଧି ପାଇଁ ନୂଆ ଅଞ୍ଚଳର ଖୋଜା ଚାଲିଛି। ‘କାଜୁ ଏବଂ କୋକୋ ବିକାଶ ନିର୍ଦ୍ଦେଶାଳୟ’ ନେତୃତ୍ୱରେ ଆସାମର ଡିମୋରିଆ ଅଞ୍ଚଳରେ ୫,୦୦୦ ଚାଷୀଙ୍କୁ କୋକୋ ଉତ୍ପାଦନ ଦିଗରେ ଏବେ ପ୍ରଶିକ୍ଷଣ ଦିଆଯାଉଛି। ତେଣୁ, ଓଡ଼ିଶାରେ ମଧ୍ୟ କୋକୋ ଉତ୍ପାଦନ ନେଇ ପଦକ୍ଷେପ ନିଆଯିବା ଉଚିତ ବୋଲି ମନେ ହୁଏ। ଓଡ଼ିଶାର କୃଷି ବିଦ୍ୟାଳୟ ‘ଓୟୁଏଟି’ ଏ ଦିଗରେ ମାର୍ଗଦର୍ଶକ ହୋଇପାରିବ।
ଏବେ ଭାରତରେ ବୟସ ଓ ଆର୍ଥିକ ଶ୍ରେଣୀ ନିର୍ବିଶେଷରେ ଚକୋଲେଟ୍ ପ୍ରୀତି ବୃଦ୍ଧି ପାଇଛି, ଯହିଁରେ ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ‘ଚିନି ମୁକ୍ତ’ ବା ସୁଗାର ଫ୍ରି ଚକୋଲେଟ୍ ଉପଲବ୍ଧ ହେଉଛି। କେତେକ ନିର୍ଦ୍ଦିଷ୍ଟ ଦିବସରେ ଚକୋଲେଟ୍ର କାରବାରରେ ଖୁବ୍ ଅଧିକ ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଥାଏ। ଉଦାହରଣ ସ୍ବରୂପ ‘ଭାଲେଣ୍ଟାଇନ୍ସ ଡେ’ରେ ଜୋମାଟୋ ଭଳି ଅନ୍ଲାଇନ୍ ଖାଦ୍ୟ ଯୋଗାଣକାରୀ କମ୍ପାନି ମିନିଟ ପିଛା ହାରାହାରି ୪୦୬ଟି ଚକୋଲେଟ୍ ଡେଲିଭରି କରିଥିଲେ ବୋଲି ଜଣାପଡ଼ିଛି। ଭାଲେଣ୍ଟାଇନ୍ସ ଡେ’ ଅବସରରେ ଆମ ଦେଶରେ ହାରାହାରି ୧୦୦-୧୫୦ କୋଟି ଟଙ୍କାର ଚକୋଲେଟ୍ ବିକ୍ରି ହୋଇଥାଏ। ଉଲ୍ଲେଖ ଥାଉ କି ୨୦୨୩ ମସିହାରେ ଭାରତୀୟ ଚକୋଲେଟ୍ ବଜାରର ମୋଟ ମୂଲ୍ୟ ଥିଲା ୨.୪ ବିଲିଅନ୍ ଡଲାର୍ (ପ୍ରାୟ ୨୦ ହଜାର କୋଟି ଟଙ୍କା)। ୨୦୨୮ ସୁଦ୍ଧା ଏହା ୪.୧ ବିଲିଅନ୍ ଡଲାର୍ ବା ପ୍ରାୟ ୩୩ ହଜାର କୋଟି ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ‘ଆସୋଚାମ୍’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ କହିଥାଏ। ତେଣୁ ଏଇ ସୁଯୋଗର ସଦ୍ ବ୍ୟବହାର କରିବା ଦିଗରେ ରାଜ୍ୟ ସରକାର ଏବଂ ଓଡ଼ିଶାର ଉଦ୍ୟୋଗୀମାନେ ତତ୍ପର ହେବା ଆବଶ୍ୟକ।
କହିବା ବାହୁଲ୍ୟ ଯେ ଆମ ରାଜ୍ୟରେ ‘ଓମ୍ଫେଡ୍’ ଏବଂ ଅନ୍ୟ ଘରୋଇ ଦୁଗ୍ଧ ବ୍ୟବସାୟ କଂପାନି ଏ ଦିଗରେ ଉଦ୍ୟମ କରିପାରନ୍ତେ। ଏ ଦିଗରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଗୁରୁତ୍ବପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଶିଳ୍ପ ନୀତିରେ ଚକୋଲେଟ୍ ଉଦ୍ୟୋଗକୁ ଅନ୍ତର୍ଭୁକ୍ତ କରାଯାଇପାରନ୍ତା; ଯାହା ବିଭିନ୍ନ ସବ୍ସିଡି ବା ରିହାତିର ବ୍ୟବସ୍ଥା କରି ଚକୋଲେଟ୍ ଉଦ୍ୟୋଗ ଲାଗି ପରିବେଶ ସୃଷ୍ଟି କରି ପାରନ୍ତା। ସେହି କ୍ରମରେ କୋକୋ ଚାଷର ବିକାଶ ଏବଂ ନୂତନ ସମବାୟ ସଂସ୍ଥା ଗଠନ ଦିଗରେ ଖସଡ଼ା ପ୍ରସ୍ତୁତ କରାଯାଇପାରନ୍ତା। ସାଧାରଣତଃ, ନଡ଼ିଆ ଓ ଗୁଆ ଚାଷ ହେଉଥିବା ଜମିରେ କୋକୋ ଚାଷ ହୋଇଥାଏ। ‘କୋକୋନଟ୍ ଡେଭେଲ୍ପମେଣ୍ଟ ବୋର୍ଡ’ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ କେରଳ, କର୍ଣ୍ଣାଟକ, ତାମିଲନାଡୁ ଓ ଅବିଭକ୍ତ ଆନ୍ଧ୍ର ପ୍ରଦେଶ ପରେ ଓଡ଼ିଶା ହେଉଛି ପଞ୍ଚମ ସର୍ବାଧିକ ନଡ଼ିଆ ଉତ୍ପାଦନକାରୀ ରାଜ୍ୟ। ଆମ ରାଜ୍ୟରେ ସମୁଦାୟ ୫୩ ହଜାର ହେକ୍ଟର ଜମିରେ ନଡ଼ିଆ ଚାଷ ହୁଏ। ସେହିପରି ଓଡ଼ିଶାର ଅନେକ ଅଂଚଳରେ ଗୁଆ ଚାଷ ମଧ୍ୟ ହୋଇଥାଏ। ତେଣୁ ଆମ ରଜ୍ୟରେ କୋକୋ ଚାଷ ସଫଳତାର ସହିତ ହୋଇପାରିବ। ଚକୋଲେଟ୍ ତିଆରି ଶିଳ୍ପ ସଂଦର୍ଭରେ ‘ଓମ୍ଫେଡ୍’ ଓ ଓଡ଼ିଶାର କୌଣସି ଘରୋଇ ଉଦ୍ୟୋଗର ‘ପବ୍ଲିକ୍ ପ୍ରାଇଭେଟ ପାର୍ଟନର୍ସିପ୍’ ବ୍ୟବସ୍ଥା ବିଷୟ ଚିନ୍ତା କରାଯାଇପାରେ। ଓଡ଼ିଶାର ଅନ୍ୟତମ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ କାରଣରୁ ଓଡ଼ିଶା ସହ ଇଣ୍ଡୋନେସିଆର ବିଶେଷ ସୁସମ୍ପର୍କ ଅଛି। ଇଣ୍ଡୋନେସିଆରେ ବାର୍ଷିକ ୧.୫ ନିୟୁତ ହେକ୍ଟରରେ କୋକୋ ଉତ୍ପାଦନ କରାଯାଏ। ଭାରତୀୟ ଚକୋଲେଟ୍ କମ୍ପାନିଗୁଡ଼ିକ ଇଣ୍ଡୋନେସିଆରୁ କୋକୋ କ୍ରୟ କରନ୍ତି। ଇଣ୍ଡୋନେସିଆ ସହ ଓଡ଼ିଶାର ସୁସମ୍ପର୍କ ପରିପ୍ରେକ୍ଷୀରେ ଇଣ୍ଡୋନେସିଆରୁ ସୁଲଭ ମୂଲ୍ୟରେ କୋକୋ ଆମଦାନି କରିବାର ସମ୍ଭାବନା ସୃଷ୍ଟି କରାଯାଇପାରେ ବା କୋକୋ ଚାଷ ବାବଦରେ ଓଡ଼ିଆ ଚାଷୀଙ୍କୁ ପ୍ରୋତ୍ସାହନମୂଳକ ସ୍ବତନ୍ତ୍ର ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇପାରେ। ଚକୋଲେଟ୍ ବ୍ୟବସାୟ ଏକ ଅତ୍ୟନ୍ତ ଲାଭଜନକ ବ୍ୟବସାୟ ହୋଇଥିବାରୁ ଏ ଦିଗରେ ଆମ ରାଜ୍ୟ ସରକାର ଚିନ୍ତା କରିବା ଉଚିତ।
ମୋ: ୯୭୯୧୧୨୧୦୬୮
ବଣିଜ ବିଚାର: ଓଡ଼ିଶାରେ କୋକୋ ଚାଷ ଓ ଚକୋଲେଟ୍ ଶିଳ୍ପ
ପୂର୍ଣ୍ଣେନ୍ଦୁ କର