ଗୋଟିଏ ରାଜ୍ୟ ଶିଳ୍ପ ସମୃଦ୍ଧ ହେବାକୁ ହେଲେ ତାକୁ ଠିକ୍ ସମୟରେ ଠିକ୍ ବ୍ୟବସାୟ ନୀତି ପ୍ରଣୟନ କରିବା ସହିତ ସେହି ନୀତିକୁ ଠିକଣା ଭାବେ କାର୍ଯ୍ୟକାରୀ କରିବା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ପ୍ରାକୃତିକ ସଂସାଧନର ବ୍ୟାବସାୟିକ ଉପଯୋଗ କ୍ଷେତ୍ରରେ ଏହା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଏଇ ପରିପ୍ରେକ୍ଷୀରେ ଆମ ରାଜ୍ୟ ସଂପର୍କରେ ଏକ ଆଲୋଚନା କରାଯାଇପାରେ। ଶିଳ୍ପୋଦ୍ୟୋଗଗୁଡ଼ିକରେ ଲୁହା ଏବଂ ଆଲୁମିନିଅମ ପରେ ସର୍ବାଧିକ ବ୍ୟବହୃତ ହେଉଥିବା ଧାତୁ ହେଉଛି ତମ୍ବା। ଭାରତର ତମ୍ବା ରପ୍ତାନିର ପ୍ରାୟ ୭୦ ପ୍ରତିଶତ ଚୀନକୁ ହେଉଥିବା ବେଳେ ବାକି ମାଲେସିଆ, କୋରିଆ ଏବଂ ତାଇୱାନକୁ ଯାଇଥାଏ। ତେବେ, ତମ୍ବା ଉତ୍ପାଦନ ଏବଂ ରପ୍ତାନିରେ ଭାରତ ଅନେକ ପଛରେ। ଖଣି ମନ୍ତ୍ରାଳୟ ତରଫରୁ ‘ଇଣ୍ଡିଆନ ମିନେରାଲ ଇଅର ବୁକ୍-୨୦୧୯’ରେ ଥିବା ତଥ୍ୟ ଅନୁସାରେ ଭାରତର ୫୪% ତମ୍ବା ମହଜୁଦ ରହିଛି ରାଜସ୍ଥାନରେ। ତା’ ପରେ ଝାଡ଼ଖଣ୍ଡରେ ୨୦% ଏବଂ ମଧ୍ୟପ୍ରଦେଶରେ ୧୮% ତମ୍ବା ରହିଛି। ଓଡ଼ିଶାରେ ଭାରତର ପ୍ରାୟ ୩% ତମ୍ବା ଗଚ୍ଛିତ ଅଛି। ଭାରତରେ ୩ଟି ସଂସ୍ଥା ତମ୍ବା ତିଆରି କରନ୍ତି, ଯହିଁରୁ ସରକାରୀ ସଂସ୍ଥାଟି ହେଉଛି ‘ହିନ୍ଦୁସ୍ଥାନ କପର୍ ଲିମିଟେଡ୍’। ବେସରକାରୀ କମ୍ପାନି ଦ୍ବୟ ହେଲେ ‘ହିନ୍ଦାଲ୍କୋ ଲିମିଟେଡ’ (ବିର୍ଲା ଗ୍ରୁପ୍) ଏବଂ ‘ବେଦାନ୍ତ ଗ୍ରୁପ୍’। ଏଇମାନେ ହିଁ ଦେଶର ସମୁଦାୟ ତମ୍ବା ଚାହିଦା ମେଣ୍ଟାଇବା ସହ ରପ୍ତାନି କରନ୍ତି। ଲୋକସଭାରେ (ପ୍ରଶ୍ନୋତ୍ତର ସଂଖ୍ୟା ୨୭୭୪/୧୫ ଡିସେମ୍ବର ୨୦୨୧) ପ୍ରଦତ୍ତ ତଥ୍ୟ ମୁତାବକ ଆମ ଦେଶ ୨୦୧୬-୧୭ରେ ୩୩୭ ହଜାର ଟନ୍ ଓ ୨୦୧୭-୧୮ରେ ୩୮୦ ହଜାର ଟନ୍ ତମ୍ବା ରପ୍ତାନି କରିଥିଲା, ଯାହା ହ୍ରାସ ପାଇ ୨୦୧୮-୧୯ ଏବଂ ୨୦୧୯-୨୦ରେ ଯଥାକ୍ରମେ ମାତ୍ର ୪୯ ହଜାର ଟନ୍ ଏବଂ ୪୭ ହଜାର ଟନ୍ରେ ପହଞ୍ଚିଥିଲା, ଯଦିଓ ୨୦୨୦-୨୧ରେ ପୁଣି ବୃଦ୍ଧି ପାଇ ୧୨୫ ହଜାର ଟନ୍ ଛୁଇଁଥିଲା। ଅନ୍ୟ ପକ୍ଷରେ ଭାରତ ୨୦୧୬-୧୭ରେ ୨୬ ହଜାର ଟନ୍ ତମ୍ବା ଆମଦାନି କରିଥିଲା, ଯାହା ୨୦୧୭-୧୮ରେ ବୃଦ୍ଧି ପାଇ ୪୭ ହଜାର ଟନ୍ରେ ପହଞ୍ଚିଥିଲା। ସେହିପରି ୨୦୧୮-୧୯ରୁ ୨୦୨୦-୨୧ ପର୍ଯ୍ୟନ୍ତ ତିନି ବର୍ଷରେ ଭାରତର ତମ୍ବା ଆମଦାନି ଯଥାକ୍ରମେ ୯୫ ହଜାର, ୧୫୪ ହଜାର ଏବଂ ୧୫୬ ହଜାର ଟନ୍ରେ ପହଞ୍ଚିଥିଲା। ସୁତରାଂ, ଏହା ସ୍ପଷ୍ଟ ଯେ ୨୦୧୮ ପର ଠାରୁ ଦେଶ ତମ୍ବାର ରପ୍ତାନି ପରିମାଣ ତୁଳନାରେ ଆମଦାନି ପରିମାଣ ବେଶ୍ ବୃଦ୍ଧି ପାଇଛି। ଅନ୍ୟ ଅର୍ଥରେ କହିଲେ, ୨୦୧୮ ପର ଠାରୁ ତମ୍ବା ଆମଦାନି କ୍ଷେତ୍ରରେ ଦେଶକୁ ଡଲାର୍ ପାଣ୍ଠିରୁ ଖର୍ଚ୍ଚ କରିବାକୁ ପଡୁଛି। ଅନ୍ୟ ପକ୍ଷରେ ଭାରତରେ ମୁଣ୍ଡ ପିଛା ତମ୍ବା ବ୍ୟବହାର ୦.୬ କିଲୋଗ୍ରାମ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ତାହା ୩.୨ କିଲୋଗ୍ରାମ୍। ତେଣୁ ତମ୍ବା ବ୍ୟବସାୟ ଓ ଜାତୀୟ ଚାହିଦାକୁ ନେଇ ଭାରତର ସ୍ଥିତି ଦୁର୍ବଳ। ତେବେ ଏଥି ପାଇଁ ଦାୟୀ ୨୦୧୮ ମସିହାରେ ଦେଶରେ ଘଟିଥିବା ଏକ ବିଶେଷ ଘଟଣା ପ୍ରଣିଧାନଯୋଗ୍ୟ। କଥା ହେଲା, ତମ୍ବା ଉତ୍ପାଦନ କରୁଥିବା ଉପରୋକ୍ତ କମ୍ପାନିଗୁଡ଼ିକ ମଧ୍ୟରୁ ତାମିଲନାଡୁର ଟୁଟିକୋରିନସ୍ଥିତ ବେଦାନ୍ତ ଗ୍ରୁପ୍ର “ଷ୍ଟର୍ଲାଇଟ୍ ପ୍ଲାଣ୍ଟ୍”ର ଉତ୍ପାଦନ କ୍ଷମତା ୪୦୦ ଟନ୍, ଯାହା ଦେଶର ଗୋଟିଏ ବର୍ଷର ରପ୍ତାନି ଲାଗି ତମ୍ବା ଯୋଗେଇବାକୁ ସମର୍ଥ। ୨୦୧୮ରେ ଏଇ କାରଖାନାକୁ ବନ୍ଦ କରିବାର ଡାକରା ଦେଇ ସ୍ଥାନୀୟ ଲୋକେ ଏକ ଆନ୍ଦୋଳନ କରିଥିଲେ। ପ୍ଲାଣ୍ଟ୍ ଚାଲିବା ଦ୍ୱାରା ଜଳବାୟୁ ପ୍ରଦୂଷିତ ହେଉଛି ବୋଲି ଅଭିଯୋଗ ସହିତ ଆନ୍ଦୋଳନ ଗଢ଼ି ଉଠିଥିଲା। ଫଳତଃ ତାମିଲନାଡୁ ‘ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ’ର ନିର୍ଦ୍ଦେଶରେ ତାହା ବନ୍ଦ ହୋଇ ଯାଇଥିଲା। ତାମିଲନାଡୁ ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ସତ୍ତ୍ୱେ ଏହି ତମ୍ବା କାରଖାନା ଆଜି ଯାଏ ଚାଲି ପାରିନାହିଁ। ଫଳତଃ ୨୦୧୮ ପରଠାରୁ ଭାରତ ଅଧିକ ତମ୍ବା ଆମଦାନି କରିବାକୁ ବାଧ୍ୟ ହୋଇଛି। ଦେଶରେ ତମ୍ବା ଉତ୍ପାଦନ ପାଖାପାଖି ୪୦% କମି ଯାଇଥିବା ବେଳେ ତମ୍ବାର ଚାହିଦା ପାଖାପାଖି ୫%-୮% ହାରରେ ବୃଦ୍ଧି ପାଉଛି। ଏହା ହେଉଛି ତମ୍ବାର ନେଟ୍ ଆମଦାନି ବୃଦ୍ଧି ପାଇବା ପଛରେ ଥିବା କାରଣ। ଏହା ଦ୍ବାରା ଦେଶ ତମ୍ବା ପରିପ୍ରେକ୍ଷୀରେ ଅଧିକ ପର ନିର୍ଭରଶୀଳ ହୋଇ ପଡ଼ିଛି।
ତେବେ, କଥା ହେଲା, ଭାରତରେ ସୃଷ୍ଟ ଏଭଳି ନିଅଣ୍ଟିଆ ପରିସ୍ଥିତିର ସୁଯୋଗ ଅନ୍ୟ ରାଜ୍ୟଗୁଡ଼ିକ ନେବା ଦରକାର। ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ ତମ୍ବା ବ୍ୟବହାର ୫%ରୁ ୮% ହାରରେ ବୃଦ୍ଧି ପାଉଛି। ଉଲ୍ଲେଖ ଥାଉ କି, ଦେଶର ନାମୀ ଉଦ୍ୟୋଗୀ ଆଦାନୀଙ୍କ ଦ୍ବାରା ଏଇ ସୁଯୋଗର ସଦ୍ବ୍ୟବହାର କରାଯାଇଛି ଏବଂ ଗୁଜରାଟର ମୁନ୍ଦ୍ରା ଠାରେ “କଚ୍ଛ କପର ଲିମିଟେଡ୍”କୁ ପୁନଃ ଚଳନକ୍ଷମ କରିବାର ନିଷ୍ପତ୍ତି ନିଆଯାଇଛି। ସମୁଦାୟ ୬ଟି ବୃହତ୍ ବ୍ୟାଙ୍କ୍ରୁ ପର୍ଯ୍ୟାୟ କ୍ରମେ ୬୦୭୧ କୋଟି ଟଙ୍କାର ଋଣ ନିଆଯାଇଛି। ଆଗାମୀ ମାର୍ଚ୍ଚ ମାସ ଠାରୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତାରେ ଏହା ଉତ୍ପାଦନ ଆରମ୍ଭ କରିବ। ସୁତରାଂ, ଦେଶର ତମ୍ବା ଆମଦାନି କମିବା ସହିତ ବରଂ ରପ୍ତାନି ଲାଗି ସୁଯୋଗ ସୃଷ୍ଟି ହେବ। ତେବେ, କେବଳ ସେତିକି ନୁହେଁ; ପ୍ରଥମ ପର୍ଯ୍ୟୟରେ ୫ ଲକ୍ଷ ଟନ୍ର ତମ୍ବା ଉତ୍ପାଦନ ସହିତ ତା’ର ‘ବାଇ-ପ୍ରଡକ୍ଟ’ ବା ‘ଉପ-ଉତ୍ପାଦ’ ଭାବେ ୨୫ ଟନ୍ ସୁନା, ୨୫୦ ଟନ୍ ରୁପା ୧.୫ ନିୟୁତ ଟନ୍ ସଲଫ୍ୟୁରିକ୍ ଏସିଡ୍ ଏବଂ ୨.୫ ଲକ୍ଷ ଟନ୍ର ଫସ୍ଫରିକ୍ ଏସିଡ୍ ମଧ୍ୟ ଉତ୍ପାଦିତ ହେବ। ତେବେ, ଉପରୋକ୍ତ ଘଟଣା ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ତାମିଲନାଡୁର କ୍ଷତି ଏବେ ଗୁଜରାଟର ଲାଭରେ ପରିଣତ ହେବାକୁ ଯାଉଛି। ଗୁଜରାଟରେ ତମ୍ବାର ଉପଲବ୍ଧତା ବିଶେଷ ଅଧିକ ହୋଇ ନ ଥିଲେ ସୁଦ୍ଧା ତମ୍ବା ଉତ୍ପାଦନରୁ ସେ ରାଜ୍ୟ ବିଶେଷ ଲାଭ ପାଇବାକୁ ଯାଉଛି। ସୁତରାଂ, ଏହା ଏକ ପ୍ରମାଣ ଯେ ନୀତି ନିର୍ଦ୍ଧାରଣରେ ଗୁଜରାଟ ସରକାର ସମୟୋପଯୋଗୀ ତତ୍ପରତା ଦେଖାଇଛନ୍ତି। ଏବେ ଓଡ଼ିଶା କଥା ବିଚାର କରିବା। କିଛି ସପ୍ତାହ ତଳେ ଗୁଜରାଟ ରାଜ୍ୟ କ୍ୟାବିନେଟ୍ “ଇଲେକ୍ଟ୍ରିକ ଗାଡ଼ି” ଉଦ୍ୟୋଗକୁ ଭିତ୍ତି କରି ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ର ବ୍ୟବସ୍ଥା କରିଛନ୍ତି, ଯହିଁରେ ଇଚ୍ଛୁକ ଉଦ୍ୟୋଗୀଙ୍କୁ ୫୦% ‘କ୍ୟାପିଟାଲ ସବ୍ସିଡି’ ମିଳିବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗର ପ୍ରାବଧାନ ରହିଛି। ଏହି ପଲିସି ଅନୁସାରେ ୧୦ ଫେବ୍ରୁଆରି ୨୦୨୩ ଦିନ ଓଡ଼ିଶା ସରକାର “ଜେଏସ୍ଡବ୍ଲ୍ୟୁ” କମ୍ପାନି ସହିତ ଏକ ରାଜିନାମା ସ୍ବାକ୍ଷର କରିଛନ୍ତି, ଯେଉଁଥିରେ କଟକର ନରାଜ ଠାରେ ୪୦ ହଜାର କୋଟିର ପୁଂଜି ନିବେଶର ବ୍ୟବସ୍ଥା ରହିଛି ଏବଂ ୧୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଘୋଷଣା କରାଯାଇଛି। ଉଲ୍ଲେଖ ଥାଉକି ଇଲେକ୍ଟ୍ରିକ ଗାଡ଼ି ଏବଂ ଏହାର ‘ଚାର୍ଜିଙ୍ଗ’ ଲାଗି ଯେଉଁ ଭିତ୍ତିଭୂମିଗତ ଉଦ୍ୟୋଗ ଏବଂ ସୌରଶକ୍ତି ଉଦ୍ୟୋଗ ଇତ୍ୟାଦି ଲୋଡ଼ା, ସେଥିରେ ତମ୍ବାର ବ୍ୟବହାର ଦରକାର ପଡ଼ିବ, ଯାହାର ସିଧାସଳଖ ସଂପର୍କ ତମ୍ବା ଉଦ୍ୟୋଗ ସହିତ ରହିଛି। ତେଣୁ ଆମ ରାଜ୍ୟ ସରକାର ତମ୍ବା ଉତ୍ପାଦନ ନେଇ ଖାସ୍ ନୀତି ପ୍ରଣୟନ କରିବା ଜରୁରୀ। ୯ ଫେବ୍ରୁଆରି ୨୦୨୩ରେ ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଉପଲବ୍ଧ ତଥ୍ୟ ଅନୁଯାୟୀ ବିଗତ ୧୦ ବର୍ଷ ଭିତରେ ସମୁଦାୟ ୧୧୪ଟି କମ୍ପାନି ସହ “ରାଜିନାମା ସ୍ବାକ୍ଷର” ହୋଇସାରିଛି, ଯେଉଁଥିରେ ଓଡ଼ିଶାରେ ଶିଳ୍ପର ଉନ୍ନତି ପାଇଁ ୫,୯୧,୯୬୩ କୋଟି ଟଙ୍କାର ପୁଞ୍ଜି ବିନିବେଶ ସହିତ ୧,୭୨,୩୭୩ଟି ନିଯୁକ୍ତିର ପ୍ରତିଶ୍ରୁତି ମିଳିଛି। କିନ୍ତୁ ତମ୍ବା ଉତ୍ପାଦନ ନେଇ ଏ ଯାବତ୍ ସେମିତି କିଛି ବଡ଼ ବୁଝାମଣା ହୋଇ ପାରିନାହିଁ। ଅବଶ୍ୟ, ଏହା ସତ ଯେ ପାରାଦୀପ ଠାରେ ‘ଜେଏସ୍ଡବ୍ଲ୍ୟୁ’ କମ୍ପାନି ୧୫ ହଜାର କୋଟି ଟଙ୍କାର ପୁଂଜି ନିବେଶ କରି ତମ୍ବା ଓ ଲିଥିଅମ୍ ଉତ୍ପାଦନ କରିବାର ଘୋଷଣା କରିଛି ଏବଂ ତହିଁରେ ୭ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି। କିନ୍ତୁ, କଥା ହେଲା ‘ଜେଏସ୍ଡବ୍ଲ୍ୟୁ’ର ତମ୍ବା ପ୍ରକଳ୍ପ କେବଳ ସେଇ କମ୍ପାନିର ଇଲେକ୍ଟ୍ରିକ ଗାଡ଼ି ଶିଳ୍ପକୁ ସହାୟତା ପ୍ରଦାନ କରିବ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଘରୋଇ ଏବଂ ରପ୍ତାନି ଚାହିଦା ପୂରଣ କରିବା ଲାଗି ତମ୍ବା ଉଦ୍ୟୋଗକୁ ପ୍ରୋତ୍ସାହନ ଦେବାର ଏକ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନର ଆବଶ୍ୟକତା। ଓଡ଼ିଶାରେ ଗୁଜରାଟ ତୁଳନାରେ ଅଧିକ ତମ୍ବା ଉପଲବ୍ଧ। କେବଳ ଦେଶର ୨୦% ତମ୍ବା ଖଣି ମହଜୁଦ ରହିଛି ଝାଡ଼ଖଣ୍ଡରେ। କହିବା ବାହୁଲ୍ୟ, ଉଦ୍ୟୋଗ ଅନୁକୂଳ ଭିତ୍ତିିଭୂମି ଦୃଷ୍ଟିରୁ ଝାଡ଼ଖଣ୍ଡ ତୁଳନାରେ ଓଡ଼ିଶା ଅନେକ ଆଗରେ ଏବଂ ଓଡ଼ିଶାରେ ରହିଛି ତିନିଟି କାର୍ଯ୍ୟକ୍ଷମ ବନ୍ଦର। ତେଣୁ ଯଦି ରାଜସ୍ଥାନରୁ କଞ୍ଚାମାଲ ଆଣି ଆଦାନୀଙ୍କ ପକ୍ଷରୁ ଗୁଜରାଟରେ ତମ୍ବା କାରଖାନା କରାଯାଇପାରୁଛି, ଝାଡ଼ଖଣ୍ଡ ଖଣିରୁ କଞ୍ଚାମାଲ ଅଣାଯାଇ ଓଡ଼ିଶାରେ କାରଖାନା ଚାଲିବ ନାହିଁ କାହିଁକି? ତେଣୁ ଆମ ରାଜ୍ୟରେ ତମ୍ବା ଉଦ୍ୟୋଗ ପାଇଁ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରାଯିବା ଆବଶ୍ୟକ। ଆଲୁମିନିଅମ୍ ଓ ଲୁହା ଶିଳ୍ପ ଓଡ଼ିଶାକୁ ସମୃଦ୍ଧ କରିଛି। ଟିକିଏ ଉଦ୍ୟମ କଲେ ତମ୍ବା ଶିଳ୍ପ ମଧ୍ୟ ଓଡ଼ିଶା ସକାଶେ ସେଭଳି ଭୂମିକା ନିର୍ବାହ କରିବ।
ମୋ: ୯୭୯୧୧୨୧୦୬୮