ଅର୍ଥଶାସ୍ତ୍ରର ସରକାରୀ ନୀତି ନିର୍ଦ୍ଧାରଣ ଇଲାକାରେ ଯେଉଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତତ୍ତ୍ବ ଆବିଷ୍କାର ପାଇଁ ଆମେରିକୀୟ ଅର୍ଥନୀତିଜ୍ଞ ଗର୍ଡନ୍ ଟଲକ୍ଙ୍କୁ ଶ୍ରେୟ ପ୍ରଦାନ କରାଯାଇଥାଏ, ତାହା ‘ରେଣ୍ଟ-ସିକିଙ୍ଗ୍’ ବା ‘ସୁବିଧା-ସନ୍ଧାନ’ ରୂେପ ସୁବିଦିତ। ଟଲକ୍ ୧୯୬୭ରେ ପ୍ରଥମେ ଏହି ଧାରଣାର ଉପସ୍ଥାପନ କଲା ପରେ ଆନ୍ କ୍ରୁଗର୍ ୧୯୭୪ରେ ବିଧିବଦ୍ଧ ଭାବରେ ଉକ୍ତ ନାମକରଣ କରିଥିଲେ। ସରଳ ଭାବରେ କହିଲେ ବ୍ୟକ୍ତିବିଶେଷ ବା ଅନୁଷ୍ଠାନମାନେ ଯେତେବେଳେ ସରକାରଙ୍କ ଠାରୁ କୌଣସି ଅହେତୁକ ସୁବିଧା ପାଇବା ଉଦ୍ଦେଶ୍ୟରେ ସମ୍ବଳ ବିନିଯୋଗ କରନ୍ତି, ସେମାନଙ୍କର ସେଇ ଆଚରଣକୁ ‘ସୁବିଧା-ସନ୍ଧାନ’ ରୂପେ ଅଭିହିତ କରାଯାଇଥାଏ।
ଏମାନେ ପ୍ରଦାନ କରୁଥିବା ଉେତ୍କାଚ ବିନିମୟରେ ସରକାର ସେମାନେ ଲାଭବାନ୍ ହେବା ଭଳି ନୀତି ନିର୍ଦ୍ଧାରଣ କରିଥାନ୍ତି। ଉଦାହରଣ ସ୍ବରୂପ ଉତ୍କୋଚ ପ୍ରଦାନ କରୁଥିବା ଏକ ଶିଳ୍ପ ଗୋଷ୍ଠୀକୁ ସାହାଯ୍ୟ କରିବା ନିମିତ୍ତ ତା’ର ଉତ୍ପାଦିତ ପଦାର୍ଥ ସହିତ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆମଦାନି ଦ୍ରବ୍ୟ ଉପରେ ସରକାର ଉଚ୍ଚ ହାରରେ ଆମଦାନି ଶୁଳ୍କ ବସାଇ ଦେଇ ପାରନ୍ତି; ଅଥବା ତା’ ପ୍ରତି ଲାଗୁ ହେଉଥିବା ବିଭିନ୍ନ ନିୟନ୍ତ୍ରଣ (ଯେମିତି ପରିବେଶ ନିୟନ୍ତ୍ରଣ) ହୁଗୁଳା କରି ଦେଇ ପାରନ୍ତି। ଏଭଳି ସୁବିଧା-ସନ୍ଧାନ ଆଚରଣ ଅବଲମ୍ବନ ଦେଶର ସମଗ୍ର ଅର୍ଥନୀତି ପାଇଁ କ୍ଷତିକାରକ ହୋଇଥାଏ। ଏହାର କାରଣ ବୁଝିବା କଷ୍ଟକର ନୁହେଁ। ଏହା ହେଲା, ସୁବିଧା-ସନ୍ଧାନୀ ବ୍ୟକ୍ତି ବା ଅନୁଷ୍ଠାନମାନେ ଏହା ଦ୍ବାରା ଅର୍ଜନ କରୁଥିବା ଲାଭ କୌଣସି ଉତ୍ପାଦନଶୀଳ କାର୍ଯ୍ୟରୁ ସୃଷ୍ଟି ହୋଇ ନ ଥାଏ ଏବଂ ସେମାନଙ୍କୁ ସୁବିଧା ପ୍ରଦାନ ନିମିତ୍ତ ସରକାର ଯେଉଁ ନୀତି ପରିବର୍ତ୍ତନ ବା ନିର୍ଦ୍ଧାରଣ କରିଥାନ୍ତି, ତାହା ଯୋଗୁଁ ଅର୍ଥନୀତି ସର୍ବାଧିକ ସମ୍ଭବ ଜନମଙ୍ଗଳ ହାସଲ କରିପାରି ନ ଥାଏ। ଯେଉଁ ସମ୍ବଳ ଉତ୍ପାଦନରେ ବିନିଯୋଗ ହେବା କଥା, ତାହା ଲବି କରିବା ଓ ଉତ୍କୋଚ ଦେବାରେ ବିନିଯୋଗ ହୋଇଥାଏ, ଯାହା ସଂପୂର୍ଣ୍ଣ ରୂେପ ଅନୁତ୍ପାଦନଶୀଳ।
ଅଧିକାଂଶ ଦେଶରେ ଏହି ସୁବିଧା-ସନ୍ଧାନ ଆଚରଣର ଏକ ମୁଖ୍ୟ ଉଦାହରଣ ହୋଇଥାଏ ରାଜନୈତିକ ଚାନ୍ଦା ଓ କର୍ପୋରେଟ୍ ଲବି କାରବାର। ବ୍ୟବସାୟ ଗୋଷ୍ଠୀମାନେ ରାଜନୈତିକ ଦଳ ବା ପାର୍ଟିମାନଙ୍କୁ ଯେଉଁ ଚାନ୍ଦା ଦେଇଥାନ୍ତି ତାହା ଦାନ-ପ୍ରତିଦାନ ସଂପର୍କ ଉପରେ ଆଧାରିତ ହୋଇଥାଏ। ସରକାର ଉତ୍ତମ ଶାସନ ପ୍ରଦାନ କରୁଛନ୍ତି ବୋଲି କୃତଜ୍ଞତା ପ୍ରକାଶ ସ୍ବରୂପ କୌଣସି କଂପାନି ବା ବ୍ୟବସାୟ ଗୋଷ୍ଠୀ କ୍ଷମତାସୀନ ଦଳକୁ ଚାନ୍ଦା ଦାନ କରି ନ ଥାଏ। ଏହାର ପ୍ରତିବଦଳରେ ସେ ସରକାରଙ୍କ ଠାରୁ ଯାହା ପାଇଥାଏ, ତାହା ହେଲା ପୂର୍ବରୁ କୁହାଯାଇଥିବା ଭଳି ନିୟମ ପରିବର୍ତ୍ତନ, କ୍ଷମତାର ଅପବ୍ୟବହାର, ପ୍ରିୟାପ୍ରୀତି ତୋଷଣ, ଅନୁକୂଳ ନୀତି ନିର୍ଦ୍ଧାରଣ ଇତ୍ୟାଦି, ଯାହା ଚାନ୍ଦା ଦାନକାରୀଙ୍କୁ ଲାଭବାନ୍ କରାଇଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ଅସୁବିଧାରେ ପକାଇଥାଏ। କହିବା ବାହୁଲ୍ୟ, ଏହା ଅର୍ଥନୀତି ରୂପକ ଖେଳପଡ଼ିଆକୁ ଅସମତଳ କରି ଦେଇଥାଏ, ଯେଉଁଥି ଯୋଗୁଁ ଗୋଡ଼ାଣିଆ ପୁଞ୍ଜିବାଦ, ଦୁର୍ନୀତି, ଲାଞ୍ଚ କାରବାର, କଳାଧନ ଆଦି ଭଳି ଅର୍ଥନୈତିକ ବ୍ୟାଧି ସୃଷ୍ଟି ହୋଇ ନାଗରିକମାନଙ୍କର ମଙ୍ଗଳ ହ୍ରାସ ଘଟିଥାଏ।
ସୂଚାଇବା ଅନାବଶ୍ୟକ, ‘ରେଣ୍ଟ-ସିକିଙ୍ଗ୍’ ହେଉଛି ଏକ ଅନ୍ଧାରି ଉଦ୍ୟମ ଓ ଏଥିପାଇଁ ଯେଉଁ ଚାନ୍ଦା ଦାନ କରାଯାଇଥାଏ ତାହା ସର୍ବଦା ଗୋପନୀୟ ହୋଇଥାଏ। ରାଜନୈତିକ ଚାନ୍ଦା ଦାନକୁ ଏହି କଳଙ୍କରୁ ମୁକ୍ତ କରି ଏଥିରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୨୦୧୮ ଜାନୁଅାରିରେ ‘ଇଲେକ୍ଟୋରାଲ୍ ବଣ୍ଡ୍’ ନାମକ ଋଣପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଘୋଷଣା କରିଥିଲେ, ଯାହା ଅନୁସାରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦାନ କରିବାକୁ ଚାହୁଁଥିବା ବ୍ୟକ୍ତି ବା ଅନୁଷ୍ଠାନମାନେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନିର୍ଦ୍ଦିଷ୍ଟ ଶାଖାରୁ ବିଭିନ୍ନ ମୂଲ୍ୟର ‘ଇଲେକ୍ଟୋରାଲ୍ ବଣ୍ଡ୍’ କ୍ରୟ କରି ପାରିବେ। ଏହି ବଣ୍ଡ୍ ସୁଧ-ମୁକ୍ତ ହୋଇଥାଏ ଏବଂ ଏହା ଦାତାଙ୍କ ପରିଚୟ ସମ୍ବନ୍ଧରେ କୌଣସି ସୂଚନା ବହନ କରି ନ ଥାଏ। ବଣ୍ଡ୍ କ୍ରୟ କରିବା ପାଇଁ ନଗଦ ମୁଦ୍ରା ବ୍ୟବହାର କରାଯାଇ ପାରି ନ ଥାଏ ଏବଂ ରାଜନୈତିକ ଦଳମାନେ ଷ୍ଟେଟ୍ ବ୍ୟାଙ୍କ୍ରେ ଥିବା ସେମାନଙ୍କର ଆକାଉଣ୍ଟ୍ ମାଧ୍ୟମରେ ହିଁ ଏହି ବଣ୍ଡ୍କୁ ଭଙ୍ଗାଇ ପାରିଥାନ୍ତି। ବଣ୍ଡ୍ କ୍ରେତା ଯେ କୌଣସି ରାଜନୈତିକ ଦଳକୁ ଏହି ବଣ୍ଡ୍ ଦାନ କରିପାରନ୍ତି, କିନ୍ତୁ ସଂପୃକ୍ତ ଦଳ ପୂର୍ବବର୍ତ୍ତୀ ଲୋକସଭା ନିର୍ବାଚନ କିମ୍ବା ବିଧାନସଭା ନିର୍ବାଚନରେ ଅନ୍ୟୂନ ଏକ ଶତାଂଶ ଭୋଟ୍ ପାଇବାରେ ସକ୍ଷମ ହୋଇଥିବା ଆବଶ୍ୟକ। ବଣ୍ଡ୍ ଆକାରରେ ରାଜନୈତିକ ଦଳମାନେ ଗ୍ରହଣ କରିପାରୁଥିବା ଚାନ୍ଦା ଉପରେ କୌଣସି ସର୍ବୋଚ୍ଚ ସୀମା ଲାଗୁ ହୋଇ ନ ଥାଏ। ରାଜନୈତିକ ଦଳମାନେ ମଧ୍ୟ ବଣ୍ଡ୍ ଆକାରରେ ଚାନ୍ଦା ଦେଇଥିବା ବ୍ୟକ୍ତି ବା ଅନୁଷ୍ଠାନର ପରିଚୟ ପ୍ରକାଶ କରିବାକୁ ବାଧ୍ୟ ହୋଇ ନ ଥାନ୍ତି।
ଏହି ଇଲେକ୍ଟୋରାଲ୍ ବଣ୍ଡ୍ ବ୍ୟବସ୍ଥା ବିରୁଦ୍ଧରେ ଏବେ ସୁପ୍ରିମ୍ କୋର୍ଟରେ ଆଗତ ଏକ ମାମଲାର ଶୁଣାଣି ସରି ରାୟକୁ ଅପେକ୍ଷା କରାଯାଉଥିବା ବେଳେ କେନ୍ଦ୍ର ସରକାର ଆଉ ଏକ ଦଫା ଇଲେକ୍ଟୋରାଲ୍ ବଣ୍ଡ୍ ବିକ୍ରୟ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଇଲେକ୍ଟୋରାଲ୍ ବଣ୍ଡ୍ ବ୍ୟବସ୍ଥା ଦ୍ବାରା ଯେ ‘ରେଣ୍ଟ୍-ସିକିଙ୍ଗ୍’ ବନ୍ଦ ହେବ ନାହିଁ, ତାହା କାହାରିକୁ ବୁଝାଇବା ଆବଶ୍ୟକ ନାହିଁ। ଅପରପକ୍ଷେ ଏହି ବ୍ୟବସ୍ଥାର ଅନ୍ୟ ଏପରି ଏକ ମନ୍ଦ ଦିଗ ରହିଛି ଯାହାକୁ ‘ରେଣ୍ଟ୍-ସିକିଙ୍ଗ୍’ର ଅପରପାର୍ଶ୍ବ ବୋଲି କୁହାଯାଇପାରେ। ଏହା ପଛରେ ମଧ୍ୟ କାର୍ଯ୍ୟ କରିଥାଏ ଆଉ ଏକ ଅର୍ଥନୈତିକ ତତ୍ତ୍ବ ଯାହାକୁ ୨୦୦୧ରେ ନୋବେଲ୍ ପୁରସ୍କାର ଲାଭ କରିଥିବା ଜର୍ଜ ଆକର୍ଲଫ୍ ୧୯୭୦ରେ ଆବିଷ୍କାର କରିଥିଲେ। ଏହା ଅନୁସାରେ ଯେଉଁଠି କ୍ରେତା ଓ ବିକ୍ରେତାଙ୍କୁ ଉପଲବ୍ଧ ସୂଚନା ଅସମତୁଲ (‘ଇନ୍ଫର୍ମେସନ୍ ଆସିମେଟ୍ରି’) ହୋଇଥାଏ ସେଠାରେ ଅର୍ଥନୈତିକ କାରବାର ବିଫଳ ହୋଇଥାଏ।
ମାମଲାର ଶୁଣାଣି ସମୟରେ ସୁପ୍ରିମ୍ କୋର୍ଟ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ଭଳି, ଯଦିବା ‘ଇଲେକ୍ଟୋରାଲ୍ ବଣ୍ଡ୍’ ବ୍ୟବସ୍ଥା ଅନୁସାରେ ବଣ୍ଡ୍ କ୍ରେତା ଅର୍ଥାତ୍ ଚାନ୍ଦାଦାତା କିମ୍ବା ବଣ୍ଡ୍ ଗ୍ରହୀତା ରାଜନୈତିକ ଦଳ, କେହି ହେଲେ ଚାନ୍ଦାଦାତାଙ୍କ ପରିଚୟ ପ୍ରକାଶ କରିବାକୁ ବାଧ୍ୟ ହୋଇ ନ ଥାନ୍ତି, କ୍ଷମତାସୀନ ସରକାର ଚାହିଁଲେ ଅନାୟାସରେ ପ୍ରତ୍ୟେକ ଚାନ୍ଦାଦାତାଙ୍କ ପରିଚୟ ବ୍ୟାଙ୍କରୁ ସଂଗ୍ରହ କରିପାରିବ। ଏହା ଆକର୍ଲଫ୍ ସୂଚାଇଥିବା ଭଳି ‘ଇନ୍ଫର୍ମେସନ୍ ଆସିମେଟ୍ରି’ ପରିସ୍ଥିତି ସୃଷ୍ଟି କରିଥାଏ। କାରଣ, ବିରୋଧୀ ଦଳମାନଙ୍କୁ କେଉଁମାନେ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଦେଲେ, ସେ ସମସ୍ତଙ୍କର ପରିଚୟ ସରକାରୀ ଦଳ ପାଇ ପାରିବ, କିନ୍ତୁ ସରକାରୀ ଦଳକୁ କେଉଁମାନେ ଚାନ୍ଦା ଦେଲେ, ସେ ସୂଚନା ବିରୋଧୀ ଦଳମାନେ ପାଇପାରିବେ ନାହିଁ। ସୂଚନା ବଣ୍ଟନରେ ଏହି ଅସାମଞ୍ଜସ୍ୟ ‘ରେଣ୍ଟ୍-ସିକିଙ୍ଗ୍’ ବା ‘ସୁବିଧା-ସନ୍ଧାନ’ର ବିପରୀତ ଏକ ପରିସ୍ଥିତି ସୃଷ୍ଟି କରିବାର ଦୃଢ଼ ସମ୍ଭାବନା ରହିଥାଏ: ବିରୋଧୀ ଦଳକୁ େଯଉଁମାନେ ଚାନ୍ଦା ଦେଇଥାନ୍ତି, ସରକାର ପ୍ରତିଶୋଧ ପରାୟଣ ହୋଇ ସେମାନଙ୍କ ପାଇଁ ବିଭିନ୍ନ ଅସୁବିଧା ସୃଷ୍ଟି କରିପାରେ, ଯାହାକୁ ଆମେ ‘ଅସୁବିଧା-ସନ୍ଧାନ’ ବୋଲି ଅଭିହିତ କରିପାରିବା।
ଏହା ଏକ ଜଟିଳ ସମସ୍ୟା। ଯେହେତୁ ରାଜନୈତିକ ଚାନ୍ଦାର ଦେଶର ଅର୍ଥନୀତି ସହିତ ଗଭୀର ସଂପର୍କ ରହିଛି, ଏହାକୁ କିପରି ସ୍ବଚ୍ଛ, ଉତ୍ତରଦାୟୀ ଓ ସୂଚନା-ଅସାମଞ୍ଜସ୍ୟ ମୁକ୍ତ କରାଯାଇ ପାରିବ, ସୁପ୍ରିମ୍ କୋର୍ଟଙ୍କ ରାୟ ସେ ଦିଗରେ ପଥ ପ୍ରଦର୍ଶନ କରିବ ବୋଲି ଆଶା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp