ପୂର୍ଣ୍ଣେନ୍ଦୁ କର
ରାଜ୍ୟରେ ଉଭୟ ଖରିଫ ଓ ରବି ଋତୁରେ ଧାନ ଚାଷ ହୁଏ। ୨୦୧୩-୧୪ ମସିହାରେ ରାଜ୍ୟରେ ପାଖାପାଖି ୪୨ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହେଉଥିଲା, ଏବେ ଏହା ପାଖାପାଖି ୪୧ ଲକ୍ଷ ହେକ୍ଟର ଅଛି, ଅର୍ଥାତ୍ ଗଲା ଦଶ ବର୍ଷରେ ରାଜ୍ୟରେ ଧାନ ଚାଷ ଜମିର ଆୟତନ ଊଣା ଅଧିକେ ସମାନ ଅଛି। ରାଜ୍ୟ ସରକାର ଅମଳ ହେଉଥିବା ଧାନ ଲାଗି ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ଆହୁରି ୮୦୦ ଟଙ୍କାର ସବ୍ସିଡି ରାଶି ଘୋଷଣା କରିଛନ୍ତି, ଯାହା ରାଜ୍ୟରେ ଚାଷୀଙ୍କୁ ଆହୁରି ଧାନ ଚାଷ କରିବାକୁ ପ୍ରୋତ୍ସାହନ ଦେଇଛି। ତେଣୁ ଉଭୟ ସରକାର ଓ କୃଷି ବିଶେଷଜ୍ଞଙ୍କ ଆକଳନରେ ୨୦୨୫-୨୬ରେ ଧାନ ଚାଷ ପରିମାଣରେ ବୃଦ୍ଧି ହେବା ସୁନିଶ୍ଚିତ।
ଆମ ରାଜ୍ୟରେ ପାଖାପାଖି ୧୧୫ ଲକ୍ଷ ଟନ ଧାନ ଅମଳ ହୋଇଥାଏ, ହେେଲ ଆମ ଆବଶ୍ୟକତା ହେଉଛି ମାତ୍ର ୬୫ ଲକ୍ଷ ଟନ। ରାଜ୍ୟର ଭବିଷ୍ୟତ ପାଇଁ ଯଦି ୧୦ରୁ ୧୫ ଲକ୍ଷ ଟନ ଧାନ ବଫର ଷ୍ଟକ୍ ଭାବେ ରଖାଯାଏ, ତେବେ ରାଜ୍ୟରେ ଆହୁରି ୩୫ରୁ ୪୦ ଲକ୍ଷ ଟନ ଧାନ ବଳକା ରହିଯିବ। ଏଥିରୁ କିଛି ଧାନ ଭାରତ ସରକାରଙ୍କ ଫୁଡ୍ କର୍ପୋରେସନ ଅଫ ଇଣ୍ଡିଆ ବା ଏଫ.ସି.ଆଇ. କିଣି ନେଇଯାଇଥାଏ। କିନ୍ତୁ ଆମ ରାଜ୍ୟର ଚାଉଳ ପ୍ରାୟତଃ ଉଷୁନା ଏବଂ ଉଷୁନା ଚାଉଳ ଦେଶର ଅନେକ ରାଜ୍ୟର ଲୋକ ଖାଆନ୍ତି ନାହିଁ। ତେଣୁ ଏଫ.ସି.ଆଇ. ଓଡ଼ିଶାର ଚାଉଳ କିଣିବାରେ ଏକ ପ୍ରକାର ପ୍ରତିବନ୍ଧ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅର୍ଥାତ୍ ଏହି ଆଧାରରେ ଦେଖିଲେ ରାଜ୍ୟ ସରକାରଙ୍କ ଦ୍ୱାରା ସଂଗୃହୀତ ଚାଉଳର ବଳକା ଭାଗ ଏବେ ରାଜ୍ୟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାର ସମାଧାନ ଖୋଜିବାକୁ ଯାଇ ରାଜ୍ୟ ସରକାର ଏହି ବଳକା ଚାଉଳକୁ ନିଲାମ କରିବେ ବୋଲି ବିଧାନସଭାରେ କହିଛନ୍ତି। ଉଲ୍ଲେଖ ଥାଉ କି ଖାଦ୍ୟ ସୁରକ୍ଷା ଆଇନ ମୁତାବକ ଆବଶ୍ୟକ ଚାଉଳ ହେଉଛି ୨୭ ଲକ୍ଷ ଟନ। କିନ୍ତୁ ଧାନ ମଣ୍ଡିରେ ଏହି ବର୍ଷ ସମୁଦାୟ ୯୩ ଲକ୍ଷ ଟନ ଧାନ ସଂଗୃହୀତ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି, ଯେଉଁଥିରୁ ଚାଉଳ ବାହାରିବ ୬୩ ଲକ୍ଷ ଟନ। ତେବେ ପ୍ରଶ୍ନ ଉଠେ ବଳକା ୩୬ ଲକ୍ଷ ଟନ ଚାଉଳ ସରକାର କରିବେ କ’ଣ? ପୁଣି ଏହାର ସମାଧାନରେ ଖାଦ୍ୟ ସୁରକ୍ଷା ଆଇନରେ ବର୍ତ୍ତମାନ ମୁଣ୍ଡପିଛା ଯେଉଁ ୫ କିଲୋଗ୍ରାମ ଚାଉଳ ଯୋଗାଉଛନ୍ତି ତାକୁ ବୃଦ୍ଧି କରି ମୁଣ୍ଡପିଛା ୧୦ କିଲୋ କରିଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା ସହ ଯେଉଁମାନଙ୍କ ଠାରୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାରୁ ଅଧିକ ଦାମ୍ରେ ଧାନ କିଣାଯାଉଛି ସେମାନଙ୍କୁ ମାଗଣାରେ ଅଧିକ ଧାନ ଦିଆଯିବାର ଘୋଷଣା ମଧ୍ୟ ହେଇଛି। କିନ୍ତୁ ସରକାରଙ୍କର ଉପରୋକ୍ତ ସମାଧାନ ଆଦୌ ସମୀଚୀନ ନୁହେଁ ଏବଂ ଏହା ରାଜ୍ୟ ପାଇଁ ଏକ ସ୍ଥାୟୀ ସମାଧାନ ନୁହେଁ।
ଉପରୋକ୍ତ ବିଶ୍ଳେଷଣଟି ହେଉଛି, ଯାହା ମନେ ପଡ଼େ, ବିଶିଷ୍ଟ କୃଷି ବିଶାରଦ ନଟବର ଖୁଣ୍ଟିଆ ଏହି ସମ୍ବାଦପତ୍ରରେ ଦେଇଥିବା ତାଙ୍କ ମତର ଏକ ସାରାଂଶ। ସେହି ପରିପ୍ରେକ୍ଷୀରେ କିଛି ସମାଧାନ ସୂତ୍ର ଖୋଜିବା ହେଉଛି ଏହି ଆଲେଖ୍ୟର ଉଦ୍ଦେଶ୍ୟ।
ପ୍ରଥମ ସମାଧାନର ସୂତ୍ର ରହିଛି ଧାନ ଚାଷଜମିର ପରିମାଣ କମ୍ କରିବାରେ। ଚାଷୀମାନଙ୍କ ଜମିର କିଛି ଅଂଶ ଧାନ ବଦଳରେ ରବି ଫସଲ ବା ଅନ୍ୟାନ୍ୟ ଚାଷ ପାଇଁ ନିୟୋଜିତ ହେବା ନେଇ ପ୍ରୋତ୍ସାହନ ଦିଆଯାଉ। ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଯେତିକି ଆବଶ୍ୟକ ସେତିକି ଚାଉଳ ସରକାର କିଣନ୍ତୁ। ରବି ଧାନ ପାଇଁ ସବ୍ସିଡି ବନ୍ଦ କରି ରବି ଋତୁରେ ଡାଲି, ପନିପାରିବା, ତୈଳବୀଜ, ଝୋଟ ଇତ୍ୟାଦି ଭଳି ‘କ୍ୟାସ୍ କ୍ରପ’ ବା ଅର୍ଥକରୀ ଫସଲ ପାଇଁ ସରକାର ପର୍ଯ୍ୟାପ୍ତ ସବ୍ସିଡିର ବ୍ୟବସ୍ଥା କରନ୍ତୁ। ବିକଳ୍ପ ଫସଲରୁ ଚାଷୀମାନଙ୍କର ଆୟ ବୃଦ୍ଧି ଯେ ସୁନିଶ୍ଚିତ, ଏଥିରେ ସନ୍ଦେହ ନାହିଁ। ତେବେ, ଏହା ସଫଳ ହେବ, ଯେତେବେଳେ ଜଳସେଚନ, ଅମଳ ପରବର୍ତ୍ତୀ ଭଣ୍ଡାରଣ(ଶୀତଳ ଭଣ୍ଡାର) ଓ ଉତ୍ପାଦ ବିକ୍ରୟ ଲାଗି ବଜାର ବ୍ୟବସ୍ଥା ସୁଦୃଢ଼ ଓ ସମନ୍ବିତ ହେବ। ପ୍ରକାଶ ଥାଉ କି ସରକାରଙ୍କ ଦ୍ବାରା ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ଖର୍ଦ୍ଦିର ବ୍ୟବସ୍ଥା ଚାଷୀମାନଙ୍କୁ ଧାନ ମୁହାଁ କରାଇଛି। କାରଣ ଅନ୍ତତଃ ଚାଷ ଖର୍ଚ୍ଚ ଉଠିଯିବ। ତେଣୁ ଏହି ଆକର୍ଷଣରୁ ଚାଷୀମାନଙ୍କୁ ମୁକ୍ତ କରିବା ଲାଗି ବିକଳ୍ପ ଫସଲର ଲାଭପ୍ରଦତାକୁ ଅନିବାର୍ଯ୍ୟ କରିବାକୁ ହେବ।
ଦ୍ବିତୀୟ ସମାଧାନ ହେଲା ରାଜ୍ୟରେ ଚାଉଳଭିତ୍ତିକ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବାର ନୀତି ପ୍ରଣୟନ କରାଯିବା। ତାହା ହେଲେ ରାଜ୍ୟର ବଳକା ଚାଉଳର ମୁଣ୍ଡବିନ୍ଧାରୁ ସରକାରଙ୍କୁ ନିଷ୍କୃତି ମିଳନ୍ତା। ଏହାର ଏକ ମୁଖ୍ୟ ଉଦାହରଣ ହେଉଛି ‘ଷ୍ଟାର୍ଚ’ ପ୍ରସ୍ତୁତି ଉଦ୍ୟୋଗ, ଯହିଁରେ ମୂଳ କଞ୍ଚାମାଲ ହେଉଛି ଚାଉଳ। ଉଲ୍ଲେଖ ଥାଉ କି ଚାଉଳରୁ ନିର୍ଗତ ‘ଷ୍ଟାର୍ଚ’ର ବ୍ୟବହାର କପଡ଼ା, କାଗଜ, ଅଠା, ଔଷଧ, ପ୍ରସାଧାନ ସାମଗ୍ରୀ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗରେ ଏକ ମୁଖ୍ୟ କଞ୍ଚାମାଲ ହିସାବରେ ବ୍ୟବହୃତ ହୁଏ। ଏ କ୍ଷେତ୍ରରେ ପୃଥିବୀର ବୃହତ୍ ଘରୋଇ ଉଦ୍ୟୋଗ ସବୁ ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ ଓ ଗୁଜରାଟରେ ଅବସ୍ଥିତ। ଯେଉଁଠି କପଡ଼ା ଉଦ୍ୟୋଗ ରହିଛି, ସେଠାରେ ‘ଷ୍ଟାର୍ଚ’ ଉଦ୍ୟୋଗ ମଧ୍ୟ ଗଢ଼ି ଉଠେ। କିନ୍ତୁ ଏଠି ଥିବା ପ୍ରାୟ ସମସ୍ତ କପଡ଼ା କମ୍ପାନି ‘ଷ୍ଟାର୍ଚ’ ପାଇଁ ମୁଖ୍ୟତଃ ମହାରାଷ୍ଟ୍ର, ପଞ୍ଜାବ, ଉତ୍ତର ପ୍ରଦେଶ ଓ ଗୁଜରାଟରେ ଥିବା ଆଞ୍ଚଳିକ ସ୍ତରୀୟ ଉଦ୍ୟୋଗ ଏବଂ ଫ୍ରାନ୍ସର ‘ରୋକେଟ’ ବା ଆମେରିକାର ‘ଇଂଗ୍ରେଡିଅନ’ ଭଳି ବୃହଦାକାର କମ୍ପାନି ଉପରେ ନିର୍ଭରଶୀଳ। ନିକଟରେ ଗୁଜରାଟ ସରକାର ବଡ଼ ବିଦେଶୀ କମ୍ପାନି ‘ରୋକେଟ’କୁ ସେଠାରେ ‘ଷ୍ଟାର୍ଚ’ କାରଖାନା ବସାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଆମ ରାଜ୍ୟ ସରକାର ଓଡ଼ିଶାକୁ ଗାର୍ମେଣ୍ଟ (କପଡ଼ା ମାନୁଫାକଚରିଂ ହବ୍ କରିବାର ସ୍ବପ୍ନ ଦେଖୁଛନ୍ତି ଏବଂ ସେ ଦିଗରେ ନୀତି ମଧ୍ୟ ପ୍ରଣୟନ କରିଛନ୍ତି। ଏଭଳି ସ୍ଥଳେ ‘ଷ୍ଟାର୍ଚ’ ପ୍ରସ୍ତୁତି ଲାଗି ଉଦ୍ୟୋଗ ସ୍ଥାପନ କରିବା ଦିଗରେ ସରକାର ନୀତି ପ୍ରଣୟନ କରିବା ଆବଶ୍ୟକ। ଏଥିପାଇଁ ବରଗଡ଼, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରେ ଚାଉଳ ଭିତ୍ତିକ ଉଦ୍ୟୋଗ ବା ‘ରାଇସ ବେସ୍ଡ ଇଣ୍ଡାଷ୍ଟ୍ରିଆଲ କ୍ଲଷ୍ଟର’ ତିଆରି କରିବା ଉଚିତ। ଭାରତର ‘ଷ୍ଟାର୍ଚ’ ଆବଶ୍ୟକତା ହେଉଛି ୬.୮ ନିୟୁତ ଟନ, ଯାହା ୨୦୩୩ ସୁଦ୍ଧା ୧୧.୭ ନିୟୁତ ଟନରେ ପହଞ୍ଚିବ। ଏଥିରୁ ୨୦ରୁ ୨୫ ଶତକଡ଼ା ବା ୧.୫ରୁ ୨ ନିୟୁତ ଟନ ‘ଷ୍ଟାର୍ଚ’ କେବଳ କପଡ଼ା ଉଦ୍ୟୋଗ ପାଇଁ ଆବଶ୍ୟକ ହୋଇଥାଏ। ଦେଶରେ କପଡ଼ା ଉଦ୍ୟୋଗ ପାଇଁ ଆବଶ୍ୟକ ‘ଷ୍ଟାର୍ଚ’ର ୨୦% ଆମଦାନି ହୋଇଥାଏ। ଉଲ୍ଲେଖ ଯୋଗ୍ୟ ଯେ ୧୦୦ କିଲୋ ଚାଉଳରୁ ୬୦ କିଲୋ ‘ଷ୍ଟାର୍ଚ’ ତିଆରି ହୋଇପାରେ। ଆମ ଦେଶରେ ‘ଷ୍ଟାର୍ଚ’ ବ୍ୟବସାୟର ଆକାର ଆଗାମୀ ୮ ବର୍ଷରେ ୬୦% ବୃଦ୍ଧି ପାଇବାର ଆକଳନ କରାଯାଉଛି। ତେଣୁ ଏକ ଚାଉଳ ବଳକା ରାଜ୍ୟରେ ‘ଷ୍ଟାର୍ଚ’ ତିଆରି କରୁଥିବା କାରଖାନା ବସାଯିବା ସ୍ବାଭାବିକ ହୋଇଥାଏ।
ଚାଉଳକୁ ଭିତ୍ତି କରି ଆଉ ଏକ ବୃହତ୍ ଉଦ୍ୟୋଗରୁ ପଶୁ ଓ କୁକୁଡ଼ା ଖାଦ୍ୟ ଉତ୍ପାଦନ ହୋଇଥାଏ। ଚାଉଳ ଖୁଦରୁ ପଶୁ ଓ କୁକୁଡ଼ା ଖାଦ୍ୟ ପ୍ରସ୍ତୁତ କରାଯାଏ। ‘କାର୍ଗିଲ’ (ଆମେରିକା), ‘ଗୋଡରେଚ ଆଗ୍ରୋଭର୍ଟ’(ଭାରତ) ଏବଂ ‘ଆର୍ଚ୍ଚର ଡାନିଏଲ ମିଡଲ୍ୟାଣ୍ଡ’ ଇତ୍ୟାଦି ଭଳି ସଂସ୍ଥା ଏ ଦିଗରେ ଅଗ୍ରଣୀ। ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ‘କାର୍ଗିଲ’ କମ୍ପାନିକୁ ତାଙ୍କ ରାଜ୍ୟରେ ଗୋଟେ ବଡ଼ ‘ଆକ୍ବା ଫିଡ୍ ପ୍ଲାଣ୍ଟ’ ବସାଇବା ଲାଗି ଅନୁମତି ଦିଆଯାଇଛି। ସେହିପରି ତାମିଲନାଡୁ ସରକାର କୁକୁଡ଼ା ଦାନା ତିଆରି ପ୍ଲାଣ୍ଟ ପାଇଁ ଗୋଡରେଜ ଆଗ୍ରୋଭର୍ଟ କମ୍ପାନିକୁ ଅନୁମତି ଦେଇଛନ୍ତି। ଫଳତଃ ବଳକା ଚାଉଳର ସଦୁପଯୋଗ ହେବା ସହ ରାଜ୍ୟରେ ଔଦ୍ୟୋଗିକ ଇକୋସିଷ୍ଟମ ବା ପରିମଣ୍ଡଳର ପରିସର ବୃଦ୍ଧି ପାଉଛି। ଆମ ରାଜ୍ୟରେ କୁକୁଡ଼ା ବ୍ୟବସାୟର ଆକାର ବୃଦ୍ଧି ପାଉଛି। ତେଣୁ ଏ ଦିଗରେ ସରକାର ଚିନ୍ତା କରିବା ଉଚିତ।
ତୃତୀୟ ସମାଧାନ ରହିଛି ଚାଉଳ ରପ୍ତାନିରେ। ଆଫ୍ରିକାର ଅନେକ ଦେଶ ଯଥା, ନାଇଜେରିଆ, ସେନେଗାଲ, ଘାନା, ଆଇଭରି କୋଷ୍ଟ, ମାଡାଗ୍ୟାସ୍କାର, ଇଜିପ୍ଟ ଇତ୍ୟାଦି ଚାଉଳ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ। ଏସିଆ ମହାଦେଶର ବାଂଲାଦେଶ, ନେପାଳ, ମାଲେସିଆ ଓ ଫିଲିପାଇନ୍ସ ଦେଶ ମଧ୍ୟ ଚାଉଳ ଆମଦାନି କରନ୍ତି। ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଇରାକ, ୟେମେନ, ସାଉଦି ଆରବ ଓ ୟୁଏଇ ମଧ୍ୟ ଖାଦ୍ୟ ସୁରକ୍ଷା ପାଇଁ ବାହାର ଦେଶରୁ ବହୁ ପରିମାଣରେ ଚାଉଳ କିଣନ୍ତି। ବିଶ୍ୱ ଚାଉଳ ଚାହିଦା ପରିପ୍ରେକ୍ଷୀରେ ଓଡ଼ିଶା ପାଇଁ ଏହା ଏକ ସୁଯୋଗ ଆଣିଥାଏ। ଉଲ୍ଲେଖ ଥାଉ କି ଏଇ ଗଲା ମାସରେ ତେଲେଙ୍ଗାନା ରାଜ୍ୟ ସରକାର ଏଭଳି ସୁଯୋଗର ସଦୁପଯୋଗ କରି ବଳକା ରହୁଥିବା ୫ରୁ ୬ ନିୟୁତ ଟନ ଚାଉଳ ରପ୍ତାନି କରିଛି। ‘ତେଲେଙ୍ଗାନା ରାଜ୍ୟ ସିଭିଲ ସପ୍ଲାଏସ କର୍ପୋରେସନ’ ଗଲା ମାସରେ ଫିଲିପାଇନ୍ସକୁ ଏମ୍.ଟି.ୟୁ.-୧୦୧୦ ଭେରାଇଟି ଚାଉଳ ବିକ୍ରି କରିବା ଆରମ୍ଭ କରିଦେଇଛି। ଆଗାମୀ ଦିନରେ ନାଇଜେରିଆ ସମେତ ପଶ୍ଚିମ ଆଫ୍ରିକାର ଅନେକ ଦେଶକୁ ଉଷୁନା ଚାଉଳ ବିକ୍ରି କରିବା ଦିଗରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମ ରାଜ୍ୟ ସରକାର ଏଭଳି ସୁଯୋଗକୁ ନଜର ଅନ୍ଦାଜ କରିବା ଅନୁଚିତ।
ଭାରତ ସରକାର ଏଇ ନିକଟ ଅତୀତରେ ଇଥାନଲ ବ୍ଲେଣ୍ଡେଡ୍ ପେଟ୍ରୋଲ ନାମକ ଏକ ଯୋଜନା କରିଛନ୍ତି, ଯେଉଁଥିରେ ପେଟ୍ରୋଲରେ ୨୦% ଇଥାନଲ ମିଶେଇ ଗାଡ଼ିର ଇନ୍ଧନ ଭାବେ ବିକ୍ରି କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ଖଣିଜ ତୈଳର ମାତ୍ରାଧିକ ଆମଦାନିରେ ସଂକୋଚନ ଆଣିବା। ଭାରତ ସରକାରଙ୍କର ଫୁଡ୍ କର୍ପୋରେସନ ଅଫ ଇଣ୍ଡିଆର ୫.୨ ନିୟୁତ ଟନ ବଳକା ଚାଉଳକୁ ଇଥନାଲ ପ୍ରସ୍ତୁତିରେ ଲଗାଇବା ପାଇଁ ସରକାର ଅନୁମତି ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଚାହିଁଲେ ରାଜ୍ୟର ବଳକା ଚାଉଳକୁ ନେଇ ଏ ଦିଗରେ କିଛି ପଦକ୍ଷେପ ନେଇ ପାରିବେ। ସେମିତି ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଗ୍ରେନ-ବେସ୍ଡ ଡିଷ୍ଟିଲେରିଗୁଡ଼ିକ ଇଥନାଲ ତିଆରି ପାଇଁ ଚାଉଳ ଯୋଗାଣର ଅପେକ୍ଷାରେ ଥାଆନ୍ତି। ଏ କ୍ଷେତ୍ରରେ ଅନେକ ବୃହତ୍ ଉଦ୍ୟୋଗ ମଧ୍ୟ ଅଛନ୍ତି। ତେଣୁ ଏଭଳି ସ୍ଥିତିରେ ଏହାର ବ୍ୟାବସାୟିକ ସୁଯୋଗ ନିଆଯିବା ଆବଶ୍ୟକ। ଏହା ଫଳରେ ରାଜ୍ୟରେ ଇଥାନଲ ପ୍ଲାଣ୍ଟ ବସିବ ଓ ଔେଦ୍ୟାଗିକ ଅଭିବୃଦ୍ଧିରେ ସହାୟକ ହେବ। ଏହା ହେଉଛି ଚତୁର୍ଥ ସମାଧାନ।
ବଳକା ଚାଉଳ କାରଣରୁ ମୁଣ୍ଡବିନ୍ଧାର ଉପଶମ ପାଇଁ ମିଶ୍ରିତ ସମାଧାନ ଆବଶ୍ୟକ; ଦୀର୍ଘକାଳୀନ ସ୍ଥାୟୀ ସମାଧାନ ଓ ତ୍ବରିତ୍ ସମାଧାନ। ତେଣୁ ଏହାକୁ ଦୃଷ୍ଟିରେ ରଖି ଉପଯୁକ୍ତ ନୀତି ନିର୍ଦ୍ଧାରିତ ଓ ପ୍ରଣୀତ ହେବା ଜରୁରି। ଏହା କେବଳ ବଳକା ଚାଉଳର ମୁଣ୍ଡ ବିନ୍ଧା ଦୂର କରିବ ନାହିଁ, ରାଜ୍ୟ ଲାଗି ଅର୍ଥାଗମର ଆରାମପ୍ରଦ ପରିବେଶ ମଧ୍ୟ ସୃଷ୍ଟି କରିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୭୯୧୧୨୧୦୬୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/05/dagdadgaczvcvcv-2025-11-05-02-21-57.jpg)