ପୂର୍ଣ୍ଣେନ୍ଦୁ କର
କିଛି ଦିନ ତଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏକ ସାକ୍ଷାତ୍କାରରେ କହିଲେ ଯେ, ତାଙ୍କ ଘରେ ସେ ରଖିଥିବା ‘ଫେସନେବଲ’(ସଉକିଆ) ଚଷମାଗୁଡ଼ିକର ମୂଲ୍ୟ ମିଶିଗଲେ ପାଖାପାଖି କୋଟିଏ ଟଙ୍କାରୁ ଅଧିକ ହେବ। ବାହିନୀପତିଙ୍କ ଭଳି ଅନେକ ଲୋକ ଖୁବ୍ ଚଷମା ପ୍ରିୟ। ଏବେ ଘରେ ଘରେ ଅନେକ ଚଷମା। ଆଗରୁ ଲୋକେ କେବଳ ଦୃଷ୍ଟି ଦୋଷ ଲାଗି ଚଷମା ପିନ୍ଧୁଥିଲେ, ଏବେ ତା’ ସହିତ ଯୋଡ଼ି ହୋଇଛି ଆଉ ଦୁଇଟି କାରଣ; ଆଖିର ନିରାପତ୍ତା ଏବଂ ଫେସନ ବା ଷ୍ଟାଇଲ। ଅନେକ ମାର୍କେଟ ରିସର୍ଚ ରିପୋର୍ଟର ତଥ୍ୟ ଅନୁସାରେ ଦୃଷ୍ଟି ଦୋଷ ଦୂର କରିବାକୁ ଆବଶ୍ୟକ ଚଷମା ଓ କଣ୍ଟାକ୍ଟ ଲେନ୍ସ ସମଗ୍ର ଚଷମା ବେପାରର ୭୦% ଅଧିକାର କରିଥାଏ ଏବଂ ଫେସନ ପାଇଁ ପିନ୍ଧା ଯାଉଥିବା ଚଷମାର ବଜାର ଅଂଶ ହେଉଛି ୩୦ ପ୍ରତିଶତ। ଆମ ଦେଶରେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଚଷମା ବ୍ୟବହାର କରନ୍ତିି ବୋଲି ଏହି ସବୁ ରିପୋର୍ଟରୁ ଜଣା ପଡ଼େ। ସେ ସବୁରୁ ଆହୁରି ଜଣାପଡ଼େ ଯେ ଚଷମା ପିନ୍ଧୁଥିବା ଶିଶୁମାନଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ଉତ୍ତର ଭାରତରେ ବିକ୍ରି ହେଉଥିବା ଚଷମା ବଜାରର ୩୫% ଅକ୍ତିଆର କରିଥାଏ, ଯାହା ଦେଶରେ ସର୍ବାଧିକ। ତା’ ପରେ ଯଥାକ୍ରମେ ଆସନ୍ତି ପଶ୍ଚିମ ଭାରତ, ଦକ୍ଷିଣ ଭାରତ ଓ ପୂର୍ବ ଭାରତ। ଚଷମା ବିକ୍ରି ଉପରେ ଦୃଷ୍ଟି ରଖିଥିବା ବିଶାରଦମାନେ କହନ୍ତିି ଯେ ଚଷମା ଦୋକାନ ତୁଳନାରେ ଅନଲାଇନ ଜରିଆରେ ଚଷମା ବିକ୍ରିର ହାର ବୃଦ୍ଧି ପାଇବାରେ ଲାଗିଛି, ଯେଉଁ ଧାରା ଅବ୍ୟାହତ ରହିବ। ଏହାର ଅନେକ କାରଣ ଅଛି; ଯେମିତି ଦୋକାନ ତୁଳନାରେ ଅନଲାଇନ ଚଷମା କିଣାରେ ଗ୍ରାହକ ଅଧିକ ଭେରାଇଟି ଓ ଅଧିକ ରିହାତିର ସୁଯୋଗ ପାଇଥାଏ। ଚଷମା ବଜାରରେ ଭଲ ‘ବ୍ରାଣ୍ଡ’ର ଚଷମା କିଣିବା ପ୍ରତି ଗ୍ରାହକମାନଙ୍କ ଅଧିକ ଆଗ୍ରହ ଥାଏ। କିନ୍ତୁ, ବଜାରରେ ମିଳୁଥିବା ଭଲ ବ୍ରାଣ୍ଡର ଚଷମା କଂପାନିଗୁଡ଼ିକ ପୂର୍ଣ୍ଣାଙ୍ଗ ଚଷମା ତିଆରି କରି ନ ଥାଆନ୍ତି; ଅନେକ କ୍ଷେତ୍ରରେ ଫ୍ରେମ୍ ଓ କାଚ ତିଆରି କରନ୍ତି ଅନ୍ୟାନ୍ୟ କଂପାନି। ଏଭଳି ଚଷମା ନିର୍ମାତାମାନଙ୍କ ଠାରୁ ଚଷମା କିଣି ତା’ ଉପରେ ନିଜର ବ୍ରାଣ୍ଡର ‘ଲୋଗୋ’ ବା ଚିହ୍ନ ଲଗାଇ ବଜାରକୁ ଦିଅନ୍ତି। କେତେକ କ୍ଷେତ୍ରରେ ଉପରୋକ୍ତ ଚଷମା କାଚ ଓ ଫ୍ରେମ ନିର୍ମାତାମାନେ ମଧ୍ୟ ନିଜର କୌଣସି ‘ବ୍ରାଣ୍ଡ’ର ନାମ ଦେଇ ସେ ସବୁକୁ ବଜାରକୁ ଦିଅନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଷମା ନିର୍ମାତାମାନଙ୍କ ଲାଗି ବିପୁଳ ବ୍ୟବସାୟ ସୁଯୋଗ ରହିଛି। ୨୦୨୪ ମସିହା ସୁଦ୍ଧା ଜାତୀୟ ସ୍ତରରେ ଭାରତୀୟ ଚଷମା ବଜାରର ହାରାହାରି ମୂଲ୍ୟ ୪୯,୪୪୦ କୋଟି ଟଙ୍କାରେ ପହଞ୍ଚିଥିଲା ଏବଂ ଏହି ବ୍ୟବସାୟ ବାର୍ଷିକ ୧୨% ଚକ୍ରବୃଦ୍ଧି ହାରରେ ବୃଦ୍ଧି ଲାଭ କରିବାର ସମ୍ଭାବନା ରହିଛି। ୨୦୩୦ ସୁଦ୍ଧା ଚଷମା ବଜାରର ମୂଲ୍ୟ ପ୍ରାୟ ୧,୨୦,୫୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।
୧୯୯୨ ମସିହାରେ କଟକରେ ପ୍ରତିଷ୍ଠିତ ହୋଇଥିବା ଜେ.ପି.ଏମ୍ ରୋଟାରି ଚକ୍ଷୁ ଚିକିତ୍ସାଳୟ ହେଉଛି ଓଡ଼ିଶାର ପ୍ରଥମ ମଲ୍ଟି େସ୍ପସାଲିଟି ଚକ୍ଷୁ ଚିକିତ୍ସାଳୟ। ସୂଚନା ଥାଉକି ଏଠାରେ ଗତ ୩୦ ବର୍ଷ ମଧ୍ୟରେ ୧୦ ଲକ୍ଷ ୫୦ ହଜାର ଆଖି ରୋଗୀଙ୍କୁ ପରାମର୍ଶ ଦିଆଯାଇଛି, ଏକ ଲକ୍ଷ ପଞ୍ଚଷଠି ହଜାର ଅସ୍ତ୍ରୋପଚାର କରାଯାଇଛି ଓ ପାଖାପାଖି ପନ୍ଦର ଲକ୍ଷ ରୋଗୀଙ୍କୁ ନିୟମିତ ଭାବେ ଚକ୍ଷୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଏ ସମସ୍ତଙ୍କ ଲାଗି ଚଷମା ପ୍ରାୟ ନିଶ୍ଚିତ ଭାବେ ଲୋଡ଼ା ପଡ଼ିଥିବ। ସେମିତି ଭୁବନେଶ୍ବରରେ ଏଲ.ଭି ପ୍ରସାଦ ଆଇ ହାସ୍ପାତାଲରେ ଦିନକୁ ପାଖାପାଖି ୧୫୦-୨୦୦ ରୋଗୀ ଆଖି ପରୀକ୍ଷା ବା ପରାମର୍ଶ ପାଇଁ ଆସିଥାଆନ୍ତି। ଏବେ ରାଜ୍ୟରେ ଅନେକ ଚକ୍ଷୁ ଚିକିତ୍ସାଳୟ େଖାଲିଲାଣି, ଯେଉଁଠି ଦିନକୁ ଅତି କମ୍ରେ ୨୦-୨୫ ରୋଗୀ ଚିକିତ୍ସା ପରାମର୍ଶ ପାଇଁ ଆସିଥାଆନ୍ତି। ଏଥିରେ ସରକାରୀ ଡାକ୍ତରଖାନାକୁ ସାମିଲ କଲେ ଦୈନିକ ୧୫୦୦ରୁ ଅଧିକ ଲୋକ ଆଖି ପରୀକ୍ଷା କରାନ୍ତି। ରାଜ୍ୟର ପ୍ରତ୍ୟେକ ସହରରେ ନୂଆ ନୂଆ ଚକ୍ଷୁ ପରୀକ୍ଷା କ୍ଲିନିକ ଓ ଚଷମା ଦୋକାନର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ବିଡ଼ମ୍ବନାର ବିଷୟ େଯ ଆମ ରାଜ୍ୟର ଚଷମା ଚାହିଦା ପୂରଣ କରିବା ସକାଶେ ଦେକାନରେ ମିଳୁଥିବା ଚଷମାଗୁଡ଼ିକ ସାଧାରଣତଃ କଲିକତା, ଦିଲ୍ଲୀ କିମ୍ବା ମୁମ୍ବାଇରୁ ଆସିଥାଏ। ସେମିତି ‘ଫେସନେବଲ’ ଚଷମାର ଚାହିଦା ଓ ବିକ୍ରିରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି। ପ୍ରକାଶ ଥାଉ କି ରାଜ୍ୟରେ ବିକ୍ରି ହେଉଥିବା ଅଧିକାଂଶ ଚଷମା ଭିଏତନାମ ଓ ଥାଇଲାଣ୍ଡରେ ତିଆରି ହୋଇଥାଏ। ଏବଂ ଅଧିକାଂଶ ‘ଫେସନେବଲ’ ଚଷମା କଲିକତା ଓ ଦିଲ୍ଲୀରେ ତିଆରି ହୋଇଥାଏ। ଏହାର ଅର୍ଥ ଆମ ରାଜ୍ୟରେ ଚଷମାର ଆବଶ୍ୟକତା ପର ନିର୍ଭରଶୀଳ ଏବଂ ସେହି କାରଣରୁ ସାଧାରଣ ଚଷମାର ମୂଲ୍ୟ ମଧ୍ୟ ଅଧିକ ହୋଇଥାଏ। କେବଳ ସେତିକି ନୁହେଁ, ଆମ ରାଜ୍ୟରେ ଚଷମା କାରବାରର ମଞ୍ଜ ହେଉଛି ଟ୍ରେଡିଂ ବା ବାହାରୁ କିଣି ରାଜ୍ୟରେ ବିକିବା ଭିତରେ ସୀମିତ। ଏହା ରାଜ୍ୟ ଅର୍ଥ ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ।
ଏବେ ଚଷମା ବ୍ୟବସାୟର ଆକାର ପ୍ରକାର ଉପରେ ଦୃଷ୍ଟି ପକାଇବା। ଟାଟା ଗ୍ରୁପ୍ର ଟାଇଟନ କଂପାନି ୨୦୦୭ ମସିହାରେ ଚଷମା ବ୍ୟବସାୟ ଆରମ୍ଭ କରି ଆଜି ସୁଦ୍ଧା ଦେଶବ୍ୟାପୀ ୩୫୦ଟି ସହରରେ ୯୦୦ରୁ ଅଧିକ ଷ୍ଟୋର ମାଧ୍ୟମରେ ବ୍ୟବସାୟ ବିସ୍ତାର କରିପାରିଛି। ଟାଇଟନ ‘ଆଇ ପ୍ଲସ୍’ର ବ୍ୟବସାୟ ବାର୍ଷିକ ପାଖାପାଖି ୭୫୦ କୋଟି ବୋଲି ଜଣାପଡ଼ିଛି। ଏହି ବ୍ୟବସାୟରେ କଂପାନି ୧୨% ଲାଭ କରିପାରୁଛି। କଂପାନିର ଆନୁଆଲ ରିପୋର୍ଟରେ ଥିବା ତଥ୍ୟ ଅନୁସାରେ ଏହାର ବିକ୍ରି ବାର୍ଷିକ ୫-୭% ହାରରେ ବୃଦ୍ଧି ପାଉଛି। ଚଷମା ଫ୍ରେମ ଓ କାଚ ତିଆରି, ଡିଜାଇନ ପ୍ରସ୍ତୁତି ଓ ରିସର୍ଚ ଇତ୍ୟାଦି କାର୍ଯ୍ୟ କଲିକତା, ନୋଇଡା ଓ କର୍ଣ୍ଣାଟକେର ହୋଇଥାଏ। କଂପାନିର ‘ମାନୁଫାକ୍ଚରିଂ ୟୁନିଟ’ ବା ‘ନିର୍ମାଣ ୟୁନିଟ’ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିଛି, ଯାହା ସ୍ଥାନୀୟ ଲୋକଙ୍କ ସକାଶେ ଏକ ବରଦାନ ସଦୃଶ ହୋଇଥାଏ। ଏହାର ଏକ ଉଦାହରଣ ହେଉଛି ଗୁଜୁରାଟର ‘ଚନ୍ଦନ ଅପ୍ଟିକାଲ ଇଣ୍ଡଷ୍ଟ୍ରି’, ଯାହା ନିଜର ତିନିଟି ‘ମାନୁଫାକ୍ଚରିଂ ୟୁନିଟ’ ଜରିଆରେ ଦେଶର ପାଖାପାଖି ୩୦୦ଟି ବୃହତ୍ ‘ରିଟେଲର’ ବା ଖୁଚୁରା ବ୍ୟବସାୟ ପ୍ରତିଷ୍ଠାନ ଓ ଉତ୍ତମ ବ୍ରାଣ୍ଡ ସକାଶେ ଚଷମା ତିଆରି ଓ ଯୋଗାଣ କରିଥାଏ। ପ୍ରକାଶ ଥାଉ କି ୧୯୩୫ ମସିହାରେ କଲିକତାରେ ପ୍ରତିଷ୍ଠିତ ‘ହିମାଳୟ ଅପ୍ଟିକାଲ୍ସ’ ହେଉଛି ଦେଶର ସର୍ବାଧିକ ପୁରୁଣା ଚଷମା ତିଆରି କରୁଥିବା କଂପାନି। ଉଲ୍ଲେଖ ଥାଉ କି ପାଖାପାଖି ୭୦ଟି ବଡ଼ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡକୁ ହିମାଳୟ ଅପ୍ଟିକାଲ୍ସ ଚଷମା କାଚ ଓ ଫ୍ରେମ୍ ଯୋଗାଇଥାଏ। ଏବେ ‘ଲେନ୍ସକାର୍ଟ’ କଂପାନି ଭାରତର ଏକ ଅଗ୍ରଣୀ ଚଷମା ତିଆରି କଂପାନି, ଯାହା ଯୁବକଯୁବତୀମାନଙ୍କ ସକାଶେ ଆକର୍ଷଣର କେନ୍ଦ୍ର ହୋଇଛି। ମନରେ ପ୍ରଶ୍ନ ଉଠେ, ଆଖି ଓ ଚଷମା ଭଳି ସମ୍ବେଦନଶୀଳ ବିଷୟରେ ଆମ ରାଜ୍ୟର ଉଦ୍ୟୋଗୀ ଓ ସରକାରୀ ନୀତି ଯତ୍ନଶୀଳ ହେବା ଆବଶ୍ୟକ ନୁହେଁ କି?
ଆମ ରାଜ୍ୟରେ ଚଷମା ଉଦ୍ୟୋଗର ଅନେକ ସୁଯୋଗ ରହିଛି। ଏ ଦିଗରେ ରାଜ୍ୟ ଉଦ୍ୟୋଗୀବୃନ୍ଦ ପ୍ରଥମେ ସଚେତନ ହେବା ଆବଶ୍ୟକ। ଅନ୍ତର୍ଜାତୀୟ ସ୍ତରରେ ଚଷମା ବ୍ୟବସାୟ ଦିଗରେ ବଡ଼ ସୁଯୋଗ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ.ଏଚ.ଓ) ଦ୍ୱାରା ନିକଟ ଅତୀତରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ସମଗ୍ର ବିଶ୍ୱରେ ପାଖାପାଖି ୧୦୦ କୋଟି ଲୋକଙ୍କ ଆଖି ଖରାପ ଏବଂ ସେମାନଙ୍କ ପାଇଁ ଚଷମାର ଆବଶ୍ୟକତା ରହିଛି। ସୁତରାଂ, ଚଷମାର ଚାହିଦା ରହିଛି ଏବଂ ଏହାର ବ୍ୟବସାୟରେ ବୃଦ୍ଧି ଘଟି ଚାଲିଛି। ତେଣୁ ରାଜ୍ୟ ସରକାର ଏ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ କରି ଉଦ୍ୟୋଗଗୁଡ଼ିକୁ ଏ ଦିଗରେ ପ୍ରୋତ୍ସାହନ ଦେବା ଉଚିତ। ଏହା ଦ୍ବାରା ଅନେକ ସ୍ତରରେ ନିଯୁକ୍ତି ଓ କାରବାରର ସୁଯୋଗ ବୃଦ୍ଧି ପାଇବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୭୯୧୧୨୧୦୬୮