ପୂର୍ଣ୍ଣେନ୍ଦୁ କର
ଓଡ଼ିଶାର ସମୁଦାୟ ୨୬ଟି ଉତ୍ପାଦକୁ ଭାରତ ସରକାରଙ୍କର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ତରଫରୁ ‘ଜୋଗ୍ରାଫିକାଲ ଆଇଡେଣ୍ଟିଫିକେସନ ଟ୍ୟାଗ୍’ ବା ‘ଜି.ଆଇ. ଟ୍ୟାଗ୍’ ଦିଆଯାଇଛି। ଏହାର ଅର୍ଥ ‘ଭୌଗୋଳିକ ପରିଚିତି ମାନ୍ୟତା’। ଏହି ଉତ୍ପାଦଗୁଡ଼ିକ ହେଲେ କନ୍ଧମାଳ ହଳଦୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଗଞ୍ଜାମର କିଆ ଫୁଲ ଓ କିଆ ତେଲ, କୋରାପୁଟର କଳାଜୀରା ଚାଉଳ, ରସଗୋଲା, କେନ୍ଦ୍ରାପଡ଼ା ରସାବଳୀ, ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ଶିମିଳିପାଳ କାଇ ଚଟଣି, କୋଟପଡ଼ ହସ୍ତତନ୍ତ, ଇକତ ବା ବାନ୍ଧ ଶାଢ଼ି, ପିପିଲି ଚାନ୍ଦୁଆ, କୋଣାର୍କର ପଥର ଖୋଦେଇ କାରୁକାର୍ଯ୍ୟ, ପଟ୍ଟଚିତ୍ର, ଖଣ୍ଡୁଆ ପାଟ, ଗୋପାଳପୁର ଟସର ପାଟ, ଧଳା ପଥର ପର୍ଦ୍ଦା ଶାଢ଼ି, ସମ୍ବଲପୁରୀ ଶାଢ଼ି, ବୋମକାଇ ଶାଢ଼ି, ହବସପୁରୀ ଶାଢ଼ି, ବ୍ରହ୍ମପୁର ପାଟ, ପଟ୍ଟଚିତ୍ର ଲୋଗୋ, କପଦଗଣ୍ଡ ଡୁଙ୍ଗରିଆ କନ୍ଧ ଏଂବ୍ରୋଡୋରି ଶାଲ, ଲାଞ୍ଜିଆ ସୌରା କଳାକୃତି ଓ କଟକ ତାରକସି। ଜି.ଆଇ. ଟ୍ୟାଗ ମିଳିବାର ଅର୍ଥ ହେଲା ଏ ଉତ୍ପାଦଗୁଡ଼ିକରେ ଲାଗୁଥିବା କୌଶଳର ମୌଳିକତା ଭୌଗୋଳିକ ଦୃଷ୍ଟିରୁ ଏଠାରେ ଜନ୍ମ। ଭାରତ ସରକାରଙ୍କ ଜି.ଆଇ. ଟ୍ୟାଗ ହେଉଛି ଏଭଳି ମୌଳିକତାର ପ୍ରମାଣ ପତ୍ର। ଉଦାହରଣ ସ୍ୱରୂପ ବିଶ୍ୱର ଯେ କୌଣସି ସ୍ଥାନରେ ରସାବଳୀ ତିଆରି କିମ୍ବା ବିକ୍ରି ହେଲେ ସୁଦ୍ଧା ତାହା ମୌଳିକ ଭାବେ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ବିବେଚିତ ହେବ। ଅନ୍ୟ ପକ୍ଷରେ ଜି.ଆଇ. ଟ୍ୟାଗ ପାଇଥିବା ଦ୍ରବ୍ୟ ସେହି ଅଞ୍ଚଳରେ ଜନ୍ମ ଲାଭ କରିଥିବାରୁ କେତେକ ପାରଂପରିକ ବୈଶିଷ୍ଟ୍ୟ ସଂପନ୍ନ ହୋଇପାରେ, ତାହା ଅନ୍ୟତ୍ର ଉତ୍ପାଦିତ ହେଉଥିବା ସେହି ଦ୍ରବ୍ୟରେ ହୁଏତ ନ ଥିବ। ସୁତରାଂ, ସେ ଦ୍ରବ୍ୟରେ ସ୍ଥାନର ଐତିହ୍ୟ ଚିହ୍ନିତ ଥାଏ, ତେଣୁ ସମ୍ବଲପୁରୀ ଶାଢ଼ି ଯେଉଁଠି ତିଆରି ହେଲେ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ଧାରଣ କରିଥିବାରୁ ତାହା ସମ୍ବଲପୁରୀ ଶାଢ଼ି ଭାବେ ପରିଚିତ ହେବ।
ଜି.ଆଇ. ଟ୍ୟାଗ ଦ୍ୱାରା ଉତ୍ପାଦକମାନଙ୍କୁ ଏକ ସ୍ୱତନ୍ତ୍ର ପରିଚିତି ମିଳୁଥିବାରୁ ବ୍ୟବସାୟ କ୍ଷେତ୍ରରେ ଏହି ସ୍ବତନ୍ତ୍ର ମାନ୍ୟତା ବା ମର୍ଯ୍ୟାଦା ଅର୍ଥ ଉପାର୍ଜନରେ ସହାୟକ ହୋଇଥାଏ। ବଜାରରେ ଅନୁକୃତ ଉତ୍ପାଦ ତୁଳନାରେ ମୌଳିକ ଦ୍ରବ୍ୟର ଚାହିଦା ଅଧିକ ହୋଇଥିବାରୁ ଉତ୍ପାଦକଙ୍କ ଆୟ ବୃଦ୍ଧି ହୋଇଥାଏ। ତେଣୁ ଜି.ଆଇ. ଟ୍ୟାଗ ଲାଭ କରିବା ପରେ ଓଡ଼ିଶାର ୨୬ଟି ଉତ୍ପାଦକୁ ନେଇ କିଭଳି ବ୍ୟାବସାୟିକ ଓ ଔଦ୍ୟୋଗିକ ଅଗ୍ରଗତି ହୋଇପାରିଛି, ତାହା ଉପରେ ଦୃଷ୍ଟି ପକାଯିବା ଉଚିତ।
ପୂର୍ବରୁ ଓଡ଼ିଶା ବଜାରରେ ବାଇଗଣପଲେଇ, ତୋତାପଲେଇ, ସୁନ୍ଦରୀ ଓ ନିଲମ ଇତ୍ୟାଦି ଆମ୍ବ ଅଧିକ ମିଳୁଥିଲା। କିନ୍ତୁ ଗଲା ୬-୭ ବର୍ଷ ହେଲାଣି ଓଡ଼ିଶା ବଜାରରେ ଆଲଫୋନ୍ସୋ ଆମ୍ବ ମିଳୁଛି, ଯାହାର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଗୋଟିଏ କିଲୋଗ୍ରାମ ଆଲଫୋନ୍ସୋ ଆମ୍ବର ମୂଲ୍ୟ ୪୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ। ୨୦୧୮ ମସିହାରେ ମହାରାଷ୍ଟ୍ରର କୋଙ୍କଣ ଅଂଚଳର ରତ୍ନଗିରି ଓ ଦେବଗଡ଼ ଜିଲ୍ଲାରେ ଉତ୍ପାଦିତ ଆଲଫୋନ୍ସୋ ଆମ୍ବକୁ ଜି.ଆଇ. ଟ୍ୟାଗ ଦିଆଗଲା। କିନ୍ତୁ ଦେଖିବାର କଥା ହେଲା ଜି.ଆଇ. ଟ୍ୟାଗ ପାଇବା ପରେ ମହାରାଷ୍ଟ୍ରର ଏହି ଆମ୍ବକୁ ଏତେ ଅଧିକ ବିଜ୍ଞପିତ କରାଗଲା ଯେ ଏବେ ଭାରତର ପ୍ରତ୍ୟେକ ରାଜ୍ୟରେ ଏହାର ଚାହିଦା ଓ ବିକ୍ରି ଅଧିକ। କେବଳ ସେତିକି ନୁହେଁ, ଏହି ଆମ୍ବ କ୍ରୟ ସହିତ ସାଂଭ୍ରାନ୍ତ୍ୟ ବା ଆଭିଜାତ୍ୟ ଯୋଡ଼ି ହୋଇଗଲାଣି। ଜି.ଆଇ. ଟ୍ୟାଗ ପାଇବା ପରେ ଅନ୍ୟ ଯେଉଁଠି ଏହି ଆମ୍ବ ଉତ୍ପାଦିତ ହେଉଥିଲେ ସୁଦ୍ଧା ଲୋକେ ମହାରାଷ୍ଟ୍ରର ଆଲଫୋନ୍ସୋ କିଣିବାକୁ ଚାହିଥାଆନ୍ତି। ତେଣୁ ଏହି ଆମ୍ବର ପ୍ରଚାର-ପ୍ରସାର ତଥା ବ୍ୟବସାୟରେ ଉନ୍ନତି ପାଇଁ ରତ୍ନଗିରିରେ ୩୦୦ ଆମ୍ବ ଚାଷୀଙ୍କ ଦ୍ୱାରା ‘କୋଙ୍କଣ ରତ୍ନଗିରି ଭୂମି ଏଗ୍ରୋ ପ୍ରଦ୍ୟୁସର କମ୍ପାନି’ ନାମକ ଏକ ସଂସ୍ଥା ୨୦୨୩ ମସିହାରେ ପ୍ରତିଷ୍ଠିତ ହୋଇଛି। ଏହି ସଂସ୍ଥା ଦଲାଲଙ୍କ ଜରିଆରେ ନ ଯାଇ ସିଧାସଳଖ ବଜାରରେ ଆମ୍ବ ବିକ୍ରି କରିବାର ବ୍ୟବସ୍ଥା ରଖିଛନ୍ତି। ବଡ଼ କଥା ହେଲା, ମହାରାଷ୍ଟ୍ର ସରକାର ମଧ୍ୟ ଏହି ଜାତିର ଆମ୍ବ ଉତ୍ପାଦନ ପାଇଁ ଚାଷୀଙ୍କୁ ସବ୍ସିଡି ଦେଉଛନ୍ତି। ଫଳତଃ ବିଗତ ୧୦ ବର୍ଷ ମଧ୍ୟରେ ଆଲଫୋନ୍ସୋ ଆମ୍ବ ଚାଷ ଜମିର ପରିମାଣ ଏବଂ ଚାଷୀଙ୍କ ରୋଜଗାରରେ ଆଖିଦୃଶିଆ ବୃଦ୍ଧି ଘଟିଛି। ଉଲ୍ଲେଖ ଥାଉ କି ଆମ୍ବ ବ୍ୟବସାୟ ହେଉଛି ଋତୁ କୈନ୍ଦ୍ରିକ ଓ ସାମୟିକ। କିନ୍ତୁ ଆମ ରାଜ୍ୟର ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣର ବ୍ୟବସାୟ ବର୍ଷ ତମାମ ହୋଇପାରିବ। କିନ୍ତୁ ସେହି ବାଇଗଣ ବିଷୟରେ କେତେ ଜଣ ଜାଣନ୍ତି? ଏହାକୁ ଲୋକପ୍ରିୟ କରିବାରେ ସରକାର ବା ପ୍ରଶାସନ ପକ୍ଷରୁ ଉଦ୍ୟମ କାହିଁ? ୨୦୨୧ ମସିହାରେ କଣ୍ଟେଇମୁଣ୍ଡି ବାଇଗଣ ଜି.ଆଇ. ଟ୍ୟାଗ ପାଇଥିଲା। ଏହା ପରେ ଚାରି ବର୍ଷ ବିତି ଯାଇଥିଲେ ହେଁ ଜି.ଆଇ. ଟ୍ୟାଗର ବିଶେଷତ୍ବକୁ ଆଧାର କରି ଅଧିକ ଉତ୍ପାଦନ ବା ବ୍ୟବସାୟ ସକାଶେ କୌଣସି ନୀତି, ରିହାତି ବା ପ୍ରୋତ୍ସାହନ ନାହିଁ। କୋରପୁଟର କଳାଜୀରା ଚାଉଳ ମଧ୍ୟ ଏକ ଅନନ୍ୟ ଓ ନିଆରା ଦ୍ରବ୍ୟ। ୨୦୨୩ରେ ଏହି ଚାଉଳ ଜି.ଆଇ. ଟ୍ୟାଗ ପାଇଥିଲା। ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏ ଚାଉଳ ହିମୋଗ୍ଲୋବିନ ବା ଲୋହିତ ରକ୍ତକଣିକା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ବୋଲି ବିେଶଷଜ୍ଞ କହନ୍ତି। ଅବଶ୍ୟ, ଇତିମଧ୍ୟରେ କଳାଜୀରା ଚାଉଳର ଉତ୍ପାଦନ ଓ ଚାଷୀଙ୍କ ସଂଖ୍ୟା ବୃଦ୍ଧି ଦିଗରେ କିଛି ଉଲ୍ଲେଖନୀୟ କାର୍ଯ୍ୟ କରାଗଲାଣି, ତାହା କିନ୍ତୁ ଯଥେଷ୍ଟ ନୁହେଁ। ଏହି ଚାଉଳର ପ୍ରଚାର ସହିତ ନିର୍ଦ୍ଦିଷ୍ଟ କୃଷିନୀତି, ଚାଷୀଙ୍କୁ ପ୍ରୋତ୍ସାହନ ଓ ବଜାର ସୃଷ୍ଟି ଇତ୍ୟାଦି ଏହାର ଚାଷକୁ ଅଧିକ ଅାକର୍ଷଣୀୟ କରି ପାରନ୍ତା।
ରାଜସ୍ଥାନର ‘ବିକାନୀର ଭୂଜିଆ’ ହେଉଛି ଜି.ଆଇ. ଟ୍ୟାଗର ପ୍ରକୃଷ୍ଟ ଉପଯୋଗର ଆଉ ଏକ ବଳିଷ୍ଠ ଉଦାହରଣ। ୧୮୭୭ ମସିହାରେ ବିକାନୀର ଷ୍ଟେଟ୍ର ରାଜା ଡୁଙ୍ଗର ସିଂହଙ୍କ ଅମଳରେ ପ୍ରଥମେ ଏହି ଭୂଜିଆର ପ୍ରସ୍ତୁତି ହୋଇଥିଲା ବୋଲି କୁହାଯାଏ। ୨୦୧୦ ମସିହାରେ ଏହା ଜି.ଆଇ. ଟ୍ୟାଗ ପାଇଲା। ତା’ ପରଠାରୁ ଗଲା ପନ୍ଦର ବର୍ଷ ମଧ୍ୟରେ ବିକାନୀର ଭୂଜିଆ ଭାରତ ସାରା ଏକ ସୁପରିଚିତ ନାମରେ ପରିଣତ ହୋଇଛି। ବଜାରରେ ଭୂଜିଆ କାରବାରର ୪୦ରୁ ୫୦ ଶତାଂଶ ରହିଛି ‘ବିକାଜି’ ଓ ‘ହଳଦିରାମ’ କମ୍ପାନି ପାଖରେ। ଉଭୟ କମ୍ପାନିର ମୂଳ ରାଜସ୍ଥାନର ବିକାନୀର ମାଟିରେ। ଉଲ୍ଲେଖ ଥାଉ କି ବିକନୀରରେ ସ୍ଥାପିତ ‘ବିକାଜି’ କମ୍ପାନି ନିଜର ବିପୁଳ ଲୋକପ୍ରିୟତା ଓ ବିଶାଳ ବ୍ୟବସାୟ ବଳରେ ୨୦୨୨ ମସିହା ନଭେମ୍ବର ମାସରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନେସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ ହୋଇଥିଲା। ଏହି କମ୍ପାନି ବାର୍ଷିକ ୧,୩୩୦ କୋଟି ଟଙ୍କାର କେବଳ ଭୂଜିଆ ବିକ୍ରି କରିଥାଏ। ଉଲ୍ଲେଖଯୋଗ୍ୟ ଯେ ବିକାନୀର ଭୂଜିଆ ବ୍ୟବସାୟରେ ରାଜସ୍ଥାନର ଅନେକ ପରିବାର ସଂପୃକ୍ତ ଏବଂ ସେମାନଙ୍କ ଆର୍ଥିକ ବିକାଶ ଆଖି ଦୃଶିଆ। ଅଥଚ ଆମ ରାଜ୍ୟର ଅତି ସ୍ବାଦିଷ୍ଠ କେନ୍ଦ୍ରାପଡ଼ା ରସାବଳୀ ଏଭଳି ଚାହିଦା ବା ବ୍ୟବସାୟ ସୃଷ୍ଟି କରି ପାରୁନାହିଁ। ସତେ ଯେମିତି ଆମେ କେବଳ ଜି.ଆଇ. ଟ୍ୟାଗ ପାଇ ସନ୍ତୁଷ୍ଟ ଏବଂ ଏହାକୁ ନେଇ ଭବିଷ୍ୟତ୍ରେ ବ୍ୟବସାୟର ପରିକଳ୍ପନା ଆମ ପାଖରେ ନାହିଁ।
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଞ୍ଚଳର ‘କାଇ ଚଟଣି’ କଥା ପଡୁ। ଏହା ୨୦୨୪ ମସିହାରେ ଜି.ଆଇ. ଟ୍ୟାଗ ପାଇଥିଲା। ନାଲି କାଇ ପିମ୍ପୁଡ଼ିକୁ ନେଇ ଏହି ଚଟଣି କରାଯାଏ। ଏହାର ବ୍ୟବହାର ଅତି ସୀମିତ କେବଳ ସେଇ ଅଞ୍ଚଳରେ। ତେବେ, ଏହାର ଅନେକ ଔଷଧୀୟ ଗୁଣ ଥିବାରୁ ଏହାର ବ୍ୟବହାରକୁ ପରିବ୍ୟାପ୍ତ କରାଯାଇପାରିବ। ଏଥି ଲାଗି ଉପଯୁକ୍ତ ପ୍ରଚାର ଆବଶ୍ୟକ। ଅବଶ୍ୟ ଭାରତୀୟ ଖାଦ୍ୟାଭ୍ୟାସ ଅନୁସାରେ କାଇ ଚଟଣି ହଠାତ୍ ଲୋକପ୍ରିୟ ହୋଇ ନ ପାରେ, କିନ୍ତୁ କେତେକ ଦେଶରେ ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକରେ ଏହାର ବିକ୍ରି କରାଯାଇପାରିବ। କିନ୍ତୁ ଏହାର ରପ୍ତାନି ଯୋଗ୍ୟତା ଦିଗରେ କୌଣସି ସରକାରୀ ପ୍ରୋତ୍ସାହନ ନାହିଁ।
କଟକର ତାରକସିକୁ ୨୦୨୧ରେ ଜି.ଆଇ ଟ୍ୟାଗ ମିଳିଲା। ଅନ୍ୟ ପକ୍ଷରେ ତେଲେଙ୍ଗାନାର କରିମନଗରର ତାରକସିକୁ ୨୦୦୭ ମସିହାରୁ ଜି.ଆଇ. ଟ୍ୟାଗ ମିଳିସାରିଛି। ତେବେ କରିମନଗରରେ ‘ହାଣ୍ଡିକ୍ରାଫ୍ଟ ୱେଲଫେୟାର ସୋସାଇଟି’ ଗଠିତ ହୋଇ ଏ ଯାବତ ୬୦୦ରୁ ଅଧିକ କାରିଗରଙ୍କ ପଞ୍ଜୀକରଣ କରି ଉତ୍ପାଦନ ଓ ବଜାର ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଛି। ଆଜି କରିମନଗର ତାରକସି ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ପାଇବା ପଛରେ ଏଭଳି ଉଦ୍ୟମ ନିହିତ। କିନ୍ତୁ ‘କଟକ ତାରକସି ଆସୋସିଏସନ’ର ସେଭଳି ଆଖିଦୃଶିଆ ପଥିକୃତ୍ ଉଦ୍ୟମ ଦିଶେ ନାହିଁ। କେବଳ ସେତିକି ନୁହେଁ, କଟକର ପ୍ରାୟ ୪୦୦ ତାରକସି କାରିଗର ଏବେ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ପ୍ରାୟ ୩୦୦୦ କାରିଗରଙ୍କ ସହିତ ରୁପା ତାରକସି କାମେର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରକାଶ ଥାଉ କି ପଶ୍ଚିମବଙ୍ଗରେ ଉତ୍ପାଦନର ପରିମାଣ ଅଧିକ ହେଉଥିବାରୁ ଉତ୍ପାଦନ ଜନିତ ବ୍ୟୟ ତୁଳନାତ୍ମକ ଭାବେ କଟକ ତାରକସିରୁ କମ୍, ଯେଉଁ କାରଣରୁ ବଜାରରେ କଟକ ତାରକସି ତୁଳନାରେ ପଶ୍ଚିମବଙ୍ଗ ତାରକସିର ମୂଲ୍ୟ କମ୍ ରହେ ଓ ତାକୁ ଅଧିକ ବିକ୍ରି-ଯୋଗ୍ୟ କରିଥାଏ। ପ୍ରକାଶ ଥାଉ କି କରିମନଗର ତାରାକସି କାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୟଂ ପ୍ରୋତ୍ସାହନ ଦେଇଛନ୍ତି। ଏବେ ରାଜ୍ୟରେ ବିଜେପି ସରକାର ଥିବାରୁ କଟକ ତାରକସି ଲାଗି ମଧ୍ୟ ସେଭଳି ପ୍ରୋତ୍ସାହନ ଆଶା କରାଯିବା ଉଚିତ।
ସେହିପରି ଗଞ୍ଜାମର କିଆଫୁଲ ଓ କିଆତେଲ; ଯାହା ୨୦୦୪-୦୫ ମସିହାରେ ଜି.ଆଇ. ଟ୍ୟାଗ ପାଇଥିଲା। ଉଲ୍ଲେଖ ଥାଉ କି ଭାରତ ପ୍ରସିଦ୍ଧ ଉତ୍ତରପ୍ରଦେଶର କନୌଜ ଅତର ୨୦୧୪ ମସିହାରେ ଜି.ଆଇ. ଟ୍ୟାଗ ପାଇଲା। କନୌଜ ଅତର ପାଇଁ ସମସ୍ତ କିଆ ଫୁଲ ଗଞ୍ଜାମରୁ ହିଁ ଯାଇଥାଏ; ଅଥଚ ଆମ ରାଜ୍ୟରେ ଅତର ଶିଳ୍ପ ଲାଗି କୌଣସି ଉଦ୍ୟମ ନାହିଁ। ଏଠାରେ କହି ରଖିବା ଉଚିତ ଯେ ୧୯୯୧ ମସିହାରେ ଭାରତ ସରକାର ଓ ମଧ୍ୟପ୍ରଦେଶ ସରକାର ମିଳିତ ଭାବେ ‘ଫ୍ରାଗରାନ୍ସ ଓ ଫ୍ଲେଭର ଡେଭେଲପମେଣ୍ଟ ସେଣ୍ଟର’ ଭଳି ବୃହତ୍ ସଂସ୍ଥା ଖୋଲିଲେ। ଏହା ଅତର ଶିଳ୍ପକୁ ନୂଆ ଦିଗ ଦେଲା ଏବଂ ଅନେକ ଚାଷୀ ଉପକୃତ ହେଲେ। ଆମ ରାଜ୍ୟ ସରକାର ମଧ୍ୟ ଏଥି ପ୍ରତି ଦୃଷ୍ଟି ଦେବା ଉଚିତ। ସେହିପରି ମଧ୍ୟପ୍ରଦେଶର ଜବଲପୁର ନିକଟରେ ଅବସ୍ଥିତ ବେଡ଼ାଘାଟ ମାର୍ବଲ ପଥର ଖୋଦେଇ ଶିଳ୍ପ ୨୦୨୩ ମସିହାରେ ଜି.ଆଇ. ଟ୍ୟାଗ ପାଇବା ପରେ ବହୁଳ ପ୍ରଚାର ପ୍ରସାର ଓ ସରକାରୀ ସାହାଯ୍ୟ କାରଣରୁ ଏବେ ଜାତୀୟ ସ୍ତରରେ ଆଦୃତ, ଯାହାର ଲାଭଜନକ ବ୍ୟବସାୟ ଚାଲିଛି। କିନ୍ତୁ କୋଣାର୍କର ପଥର ଖୋଦେଇ କାର୍ଯ୍ୟ ତା’ର ଅନବଦ୍ୟ ଆବେଦନ ସତ୍ତ୍ବେ ସେଭଳି ବଜାର ସୃଷ୍ଟି କରି ପାରିନାହିଁ।
ଏହି ଆଲୋଚନାର ଉପସଂହାରରେ ଏତିକି କୁହାଯାଇପାରେ ଯେ ଜି.ଆଇ. ଟ୍ୟାଗ ପାଇଥିବା ଛବିଶଟି ଯାକ ଉତ୍ପାଦର ବ୍ୟବସାୟକୁ ନେଇ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ନୀତି ଆଣିବା ଆବଶ୍ୟକ। ଏହା ରାଜ୍ୟର ଅର୍ଥନୀତିକୁ ଦୃଢ଼ କରିବା ସହିତ ରୋଜଗାର ସୃଷ୍ଟିରେ ସହାୟକ ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୭୯୧୧୨୧୦୬୮