ପୂର୍ଣ୍ଣେନ୍ଦୁ କର
ଓଡ଼ିଶାରେ କ୍ଷୀର ଚାହିଦା, ଉତ୍ପାଦନ, ଯୋଗାଣ ଓ ବ୍ୟବସାୟକୁ ନେଇ ୨୦୨୩ ଅକ୍ଟୋବର ମାସରେ ‘ନାବାର୍ଡ’ ଯେଉଁ ରିପୋର୍ଟ ପ୍ରକାଶ କରିଥିଲା, ତା’ ଅନୁସାରେ ଜାତୀୟ ସ୍ତରରେ ଦୈନିକ ମୁଣ୍ଡପିଛା ୪୪୪ ଗ୍ରାମ କ୍ଷୀର ଉପଲବ୍ଧ ହେଉଥିବା ବେଳେ ଆମ ରାଜ୍ୟରେ ତା’ର ପରିମାଣ ହେଉଛି ମାତ୍ର ୧୫୬ ଗ୍ରାମ। ଉଲ୍ଲେଖଯୋଗ୍ୟ କଥା ହେଲା, ଜଣେ ବ୍ୟକ୍ତିର ମୌଳିକ ପୋଷଣ ପାଇଁ ଦୈନିକ ୩୦୦ ଗ୍ରାମ କ୍ଷୀରର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଆମ ରାଜ୍ୟ ଲାଗି ଆଉ ଏକ ବିଡ଼ମ୍ବନା ହେଲା ନକଲି ଓ ଅପମିଶ୍ରିତ କ୍ଷୀରର ପ୍ରାଦୁର୍ଭାବ; ଯେମିତି କଟକରେ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର କ୍ଷୀର ପ୍ରସ୍ତୁତ କରୁଥିବା କଂପାନି ଉପରେ ଚଢ଼ାଉ କରାଯାଇ ସଂପୃକ୍ତ ବ୍ରାଣ୍ଡର କ୍ଷୀର, ଦହି, ରାବିଡ଼ି ଓ ଲସି ଇତ୍ୟାଦି ଅପମିଶ୍ରିତ ବୋଲି ଜଣାପଡ଼ିଥିଲା, ଯେଉଁଠି କ୍ଷୀରରେ ଟ୍ୟାପ ପାଣି, ସୋଡିଅମ ହାଇଡ୍ରୋକ୍ସାଇଡ, ଲୁଣ ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ମିଶ୍ରଣ କରାଯାଉଥିବା କଥା ଜଣାପଡ଼ିଥିଲା। ଏଠାରେ ପ୍ରକାଶ ଥାଉ କି ‘ଫୁଡ୍ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ’ର ନମୁନା ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଦେଶରେ ୪୧% କ୍ଷୀରରେ ଶରୀର ଲାଗି ଆବଶ୍ୟକ ସ୍ନେହସାର ମଧ୍ୟ ନ ଥାଏ। ସେହି ରିପୋର୍ଟ କହିଥାଏ ଯେ ଦେଶର ପାଖାପାଖି ୭-୧୦% କ୍ଷୀର ମଧ୍ୟ ଅପମିଶ୍ରିତ, ଯହିଁରେ ହାଇଡ୍ରୋଜେନ ପେରୋକ୍ସାଇଡ, ଡିଟରଜେଣ୍ଟ, ୟୁରିଆ ଇତ୍ୟାଦି ଭଳି ମାରାତ୍ମକ ରାସାୟନିକ ପଦାର୍ଥ ମଧ୍ୟ ମିଶା ଯାଇଥାଏ। ଏଭଳି ଏକ ସ୍ଥିତିରେ ଆମ ରାଜ୍ୟର ଗୋ-ସଂପଦ ଓ ରାଜ୍ୟରେ ମିଳୁଥିବା କ୍ଷୀରକୁ ନେଇ ଏକ ଅନୁସନ୍ଧାନମୂଳକ ଆଲୋଚନା କରାଯିବା ଆବଶ୍ୟକ।
ରାଜ୍ୟ ସରକାରଙ୍କ ପ୍ରକାଶିତ ରିପୋର୍ଟ ମୁତାବକ ୨୦୧୨ ମସିହାରେ ରାଜ୍ୟରେ ୭୬ ଲକ୍ଷ ଗାଈ ଓ ୯ ଲକ୍ଷ ମଇଁଷି ଥିଲେ। ତେବେ, ରାଜ୍ୟରେ ପଶୁଗଣନା ପରେ ଯେଉଁ ତଥ୍ୟ ଆସିଥିଲା ତା’ ଅନୁସାରେ ରାଜ୍ୟରେ ଗାଈଙ୍କ ସଂଖ୍ୟା ୯୯ ଲକ୍ଷରେ ପହଞ୍ଚିଥିବା ବେଳେ ମଇଁଷି ସଂଖ୍ୟାରେ ହ୍ରାସ ଘଟି ତାହା ପାଞ୍ଚ ଲକ୍ଷରେ ପହଞ୍ଚିଛି। ରାଜ୍ୟରେ ଥିବା ଗୋରୁଙ୍କ ମଧ୍ୟରୁ ୮୪% ହେଉଛନ୍ତି ‘ଦେଶୀ’ ଶ୍ରେଣୀର ଓ ୧୬% ’ଏକ୍ସୋଟିକ ଏଣ୍ଡ କ୍ରସବ୍ରେଡ’ ଶ୍ରେଣୀର; ଅର୍ଥାତ୍ ହାରାହାରି ୮୪ ଲକ୍ଷ ଦେଶୀ ହୋଇଥିବା ବେଳେ ହାରାହାରି ୧୫ ଲକ୍ଷ ବିଦେଶୀ ମୂଳର ବା ସଙ୍କର ଜାତିର, ଯେଉଁମାନଙ୍କ ମଧ୍ୟରେ ଜର୍ସି ଗାଈଙ୍କ ସଂଖ୍ୟା ପ୍ରାୟ ୧୩ ଲକ୍ଷ ଅର୍ଥାତ୍ ପ୍ରାୟ ୯୦ ପ୍ରତିଶତ। ସେହିପରି ରାଜ୍ୟରେ ଥିବା ମଇଁଷି ମଧ୍ୟରୁ ୮୦% ଦେଶୀ ଓ ୨୦% ‘ନନ୍ ଡେସକ୍ରିପଟ କ୍ରସବ୍ରିଡ୍’ ଶ୍ରେଣୀର।
ଏବେ ଦେଖିବା କେଉଁ ଜାତିର ଗାଈ ଓ ମଇଁଷି ରାଷ୍ଟ୍ରୀୟ ହାରାହାରି ଅନୁସାରେ ଦୈନିକ କେତେ ଲିଟର କ୍ଷୀର ଦିଅନ୍ତି। ‘ନାବାର୍ଡ’ ଓ ପଶୁ ସମ୍ପଦ ବିଭାଗର ଏକ ରିପୋର୍ଟ ଅନୁସାରେ ଜର୍ସି ଗାଈ ଦୈନିକ ୯ ଲିଟର ଏବଂ ଦେଶୀ ଗାଈ ଦୈନିକ ୫ ଲିଟର କ୍ଷୀର ଦିଅନ୍ତି। ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ହାର ହେଉଛି ଯଥାକ୍ରମେ ୬ ଲିଟର ଓ ୩ ଲିଟର। ସେହିପରି ମଇଁଷି ପିଛା ଜାତୀୟ ସ୍ତରରେ କ୍ଷୀର ଉତ୍ପାଦନ ଦୈନିକ ୭ ଲିଟର ହୋଇଥିବା ବେଳେ ଆମ ରାଜ୍ୟରେ ତାହା ୫ ଲିଟର। ‘ନନ୍ େଡସ୍କ୍ରିପ୍ଟ’ ଭାବେ ବର୍ଗୀକୃତ ମଇଁଷି ଜାତୀୟ ସ୍ତରରେ ଦୈନିକ ହାରାହାରି ୫ ଲିଟର କ୍ଷୀର ଦେଉଥିଲା ବେଳେ ଆମ ରାଜ୍ୟରେ ତାହା ମାତ୍ର ୧ ଲିଟର। ଏହାର ଅର୍ଥ ଦେଶୀ ହେଉ ବା ଜର୍ସି ବା ସେହିଭଳି ଉନ୍ନତ ଜାତିର ଗାଈ ବା ମଇଁଷି ହୁଅନ୍ତୁ; ଜାତୀୟ ହାର ଠାରୁ ଆମ ରାଜ୍ୟ ହାର ବହୁତ କମ୍। କେବଳ ସେତିକି ନୁହେଁ, କେଉଁ ପ୍ରକାରର ଗାଈ ବା ମଇଁଷି କେତେ କ୍ଷୀର ଦିଅନ୍ତି, ତାକୁ ବିଚାରକୁ ନେଇ ସେମାନଙ୍କ ସଂଖ୍ୟା ଅାଧାରରେ ହିସାବ କଲେ ଆମ ରାଜ୍ୟରେ କ୍ଷୀର ଉତ୍ପାଦନ ବାର୍ଷିକ ଅତି କମ୍ରେ ୮୧୨ କୋଟି ଲିଟର ହେବା କଥା। କିନ୍ତୁ ଛୁଆ ଜନ୍ମ କଲା ପରେ ହାରାହାରି ଦଶ ମାସ କ୍ଷୀର ଦେଇ ଛ’ରୁ ଆଠ ମାସ ପଡ଼ିଆ ପଡୁଥିବାରୁ ସମସ୍ତ ଗୋ ସଂପଦ ଦ୍ବାରା ସବୁ ସମୟରେ କ୍ଷୀର ଉତ୍ପାଦନ ହୋଇ ନ ଥାଏ। ପୁଣି ସେପ୍ଟେମ୍ବରରୁ ଫେବ୍ରୁଆରି ମାସ ମଧ୍ୟରେ ଗାଈ ଓ ମଇଁଷି ଅପେକ୍ଷାକୃତ କମ୍ କ୍ଷୀର ଦେଇଥାନ୍ତି। ଏହି ସବୁ ବିଷୟକୁ ହିସାବକୁ ନିଆଗଲେ ରାଜ୍ୟରେ ବାର୍ଷିକ ସମୁଦାୟ କ୍ଷୀର ଉତ୍ପାଦନର ପରିମାଣ ଅତି କମ୍ରେ ୫୪୦ କୋଟି ଲିଟର ହେବା କଥା। କିନ୍ତୁ ଓଡ଼ିଶା ଇକୋନୋମିକ ସର୍ଭେ (୨୦୨୪-୨୫)ର ତଥ୍ୟ ଅନୁସାରେ ରାଜ୍ୟରେ ୨୦୨୩-୨୪ରେ ମାତ୍ର ୨୬୫ କୋଟି ଲିଟର କ୍ଷୀର ଉତ୍ପାଦିତ ହୋଇଥିଲା ଏବଂ ବଡ଼ କଥା ହେଲା ରାଜ୍ୟରେ କ୍ଷୀର ଉତ୍ପାଦନ ବାର୍ଷିକ ୩% ହାରରେ ବୃଦ୍ଧି ପାଉଛି।
ପ୍ରଶ୍ନ ଉଠେ ଯେ ଆମ ରାଜ୍ୟରେ କ୍ଷୀର ଉତ୍ପାଦନର ଏଭଳି ସ୍ଥିତି କାହିଁକି? ପ୍ରଥମ କଥା ହେଲା କ୍ଷୀର ଉତ୍ପାଦନରେ ବୃଦ୍ଧି ନିର୍ଭର କରେ ଗୋ-ସମ୍ପଦର ବ୍ରିଡ୍ କିମ୍ବା ଜାତି ଉପରେ। ଏଥିଲାଗି ‘ଜେନେଟିକ୍ସ’ ସମ୍ବନ୍ଧୀୟ ଉଚ୍ଚାଙ୍ଗ ଗବେଷଣାର ଆବଶ୍ୟକତା ରହିଛି।
‘ମିନିଷ୍ଟ୍ରି ଅଫ ଷ୍ଟାଟିଷ୍ଟିକ୍ସ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ’ ଦ୍ୱାରା ପ୍ରକାଶିତ ରିପୋର୍ଟ କହେ ଯେ ଓଡ଼ିଶା ଓ ବିହାର ଭଳି ରାଜ୍ୟରେ ପଶୁ ସମ୍ପଦର ଆକାର ତୁଳନାରେ ପ୍ରାଣୀ ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ବୈଜ୍ଞାନିକଙ୍କ ସଂଖ୍ୟା କମ୍। ତାମିଲନାଡୁ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, ଗୁଜରାଟ ଓ ରାଜସ୍ଥାନ ଭଳି ରାଜ୍ୟରେ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଓ ପ୍ରାଣୀ ବୈଜ୍ଞାନିକଙ୍କ ସଂଖ୍ୟା ସେଠାକାର ପ୍ରାଣୀ ସଂପଦ ତୁଳନାରେ ଯଥେଷ୍ଟ। ତେଣୁ ସେହି ସବୁ ରାଜ୍ୟରେ ଗାଈ ଓ ମଇଁଷିଙ୍କ ମୁଣ୍ଡ ପିଛା କ୍ଷୀର ଉତ୍ପାଦନ ପରିମାଣ ଓ ଲୋକ ପିଛା କ୍ଷୀର ଉପଲବ୍ଧତା ଅଧିକ। ଜାତୀୟ ସ୍ତରରେ ଦୈନିକ ହାରାହାରି ମୁଣ୍ଡ ପିଛା କ୍ଷୀର ଉପଲବ୍ଧତା ୪୪୪ ଗ୍ରାମ ହୋଇଥିବା ବେଳେ ହରିୟାଣାରେ ତାହା ତିନି ଗୁଣ ଅର୍ଥାତ୍ ୧,୧୦୫ ଗ୍ରାମ, ପଞ୍ଜାବରେ ତାହା ୧,୨୪୫ ଗ୍ରାମ, ରାଜସ୍ଥାନରେ ୧,୧୭୧ ଗ୍ରାମ, କର୍ଣ୍ଣାଟକରେ ୫୪୩ ଗ୍ରାମ ଓ ତାମିଲନାଡୁରେ ୪୧୪ ଗ୍ରାମ। ଏହି ରାଜ୍ୟଗୁଡ଼ିକରେ ଥିବା ଭେଟେରିନାରି ୟୁନିଭର୍ସିଟି ସଂଦର୍ଭରେ ଦୃଷ୍ଟିପାତ କଲେ ଦିଶିଥାଏ ଯେ ତାମିଲନାଡୁରେ ଥିବା ଗୋଟିଏ ସ୍ବତନ୍ତ୍ର ଭେଟେରିନାରି ୟୁନିଭର୍ସିଟି ଅଧୀନରେ ୭ଟି ଭେଟେରିନାରି କଲେଜ, ୨୦ଟି ଭେଟେରିନାରି ଟ୍ରେନିଂ ଓ ରିସର୍ଚ୍ଚ ସେଣ୍ଟର ରହିଛି। କର୍ଣ୍ଣାଟକରେ କେବଳ ଭେଟେରିନାରି ସାଇନ୍ସ ପାଇଁ ଥିବା ଗୋଟିଏ ୟୁନିଭର୍ସିଟି ଅଧୀନରେ ଅଛି ୯ଟି ଭେଟେରିନାରି କଲେଜ। ରାଜସ୍ଥାନରେ କେବଳ ପ୍ରାଣୀ ବିଜ୍ଞାନ ସମ୍ବନ୍ଧୀୟ ଶିକ୍ଷା ଓ ଗବେଷଣା ଲାଗି ଥିବା ୟୁନିଭର୍ସିଟି ଅଧୀନରେ ଅଛି ୧୧ଟି ଭେଟେରିନାରି କଲେଜ, ୧୦ଟି ଅନୁବନ୍ଧିତ କଲେଜ, ପ୍ରାୟ ୧୦୦ଟି ସରକାରୀ ଓ ଘରୋଇ ‘ଆନିମାଲ ହସବ୍ୟାଣ୍ଡ୍ରି’ ବା ପଶୁପାଳନ ସମ୍ବନ୍ଧୀୟ ଡିପ୍ଲୋମା ଇନ୍ଷ୍ଟିଚ୍ୟୁଟ। ବିକାନୀର ଠାରେ ଏକ ବୃହତ୍ ପଶୁ ଖାଦ୍ୟ ପରୀକ୍ଷାଗାର ମଧ୍ୟ ରହିଛି। ତା’ ଛଡ଼ା ଉପରୋକ୍ତ ରାଜ୍ୟଗୁଡ଼ିକରେ ପ୍ରାୟ ୪ରୁ ୫ କୃଷି ବିଶ୍ବବିଦ୍ୟାଳୟମାନ ଅଛି। ଆମ ରାଜ୍ୟରେ ମାତ୍ର ଗୋଟିଏ କୃଷି ବିଶ୍ବବିଦ୍ୟାଳୟ(ଓ.ୟୁ.ଏ.ଟି.) ଅଛି, ଯାହା ଅଧୀନରେ ମାତ୍ର ଗୋଟିଏ ଭେଟେରିନାରି କଲେଜ ଅଛି। ଏଥିରୁ ଅଧିକ କ୍ଷୀର ଉତ୍ପାଦନରେ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଓ ପ୍ରାଣୀ ବୈଜ୍ଞାନିକମାନଙ୍କ ଅବଦାନ ସୁସ୍ପଷ୍ଟ। ହରିୟାଣାର କୃଷି ବିଶ୍ବବିଦ୍ୟାଳୟଗୁଡ଼ିକରେ ‘ଜେନେଟିକ୍ସ ଓ ନ୍ୟୁଟ୍ରିସନ’ ଉପରେ ଓ ତାମିଲନାଡୁର ‘ଭେଟେରିନାରି ଓ ଆନିମଲ ସାଇନ୍ସ ୟୁନିଭେର୍ସିଟି’ ଦ୍ୱାରା ଖାଦ୍ୟ ଓ ଜାତି ଚୟନ କ୍ଷେତ୍ରରେ ହେଉଥିବା ଗବେଷଣା ସେହି ରାଜ୍ୟର କ୍ଷୀର ଉତ୍ପାଦନରେ ଆଖିଦୃଶିଆ ବୃଦ୍ଧି ସମ୍ଭବ କରିଛି। ଆମ ରାଜ୍ୟର ଓ.ୟୁ.ଏ.ଟି.ରେ ପଶୁ ବିଜ୍ଞାନ ପାଠ ପଢ଼ା ପାଇଁ ଯେତିକି ଆସନ ଅଛି, ତାହା ରାଜ୍ୟ ପାଇଁ ଯଥେଷ୍ଟ ନୁହେଁ। ଅନ୍ୟ ପକ୍ଷରେ ତାମିଲନାଡୁ ଭଳି ରାଜ୍ୟରେ ପ୍ରତ୍ୟେକ ବ୍ଲକ୍ରେ ଯେତିକି ସଂଖ୍ୟକ ପଶୁ-ବୈଜ୍ଞାନିକଙ୍କୁ ନିଯୁକ୍ତି ମିଳିଛି, ତା’ ତୁଳନାରେ ଆମ ରାଜ୍ୟ ବହୁ ପଛରେ। ଅବଶ୍ୟ, ଗଲା ମାସ ରାଜ୍ୟ ସରକାର ଓ ଓ.ୟୁ.ଏ.ଟି. ତରଫରୁ ମୟୂରଭଞ୍ଜରେ ନୂଆ ଆଉ ଏକ କୃଷି ମହାବିଦ୍ୟାଳୟ ଖୋଲାଯିବା ନେଇ ମଞ୍ଜୁରି ମିଳିଛି, କିନ୍ତୁ ପ୍ରାଣୀ ବିଜ୍ଞାନ କିମ୍ବା ଗୋ-ସମ୍ପଦର ଗବେଷଣା ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।
ରାଜ୍ୟ ସଭା ପ୍ରଶ୍ନୋତ୍ତର ସଂଖ୍ୟା ୧୬୪୩/୬ ଅଗଷ୍ଟ ୨୦୨୪ ଅନୁସାରେ ରାଜ୍ୟରେ କ୍ଷୀରର ମାନ ପରୀକ୍ଷା ପାଇଁ ୨୦୨୩-୨୪ ମସିହାରେ ‘ଫୁଡ୍ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ’ ପକ୍ଷରୁ ଓଡ଼ିଶାରେ ୨୦୦୩ଟି ନମୁନା ପରୀକ୍ଷା କରାଯାଇଥିଲା, ଯହିଁରୁ ୨୫୨ଟି ନମୁନାରେ କ୍ଷୀରର ମାନ ଖରାପ ଥିଲା। ସେଥିରେ ଏହା ମଧ୍ୟ କୁହାଯାଇଥିଲା ଯେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ କିମ୍ବା କୌଣସି ମକଦ୍ଦମା ଦାୟର କରାଯାଇ ନାହିଁ। ୨୦୨୨-୨୩ ମସିହାରେ ୧୩୬୮ଟି ଜାଗାରେ କ୍ଷୀର ନମୁନାର ପରୀକ୍ଷାରୁ ୩୬୭ଟିରେ ନିମ୍ନ ମାନର ବା ଅପମିଶ୍ରିତ କ୍ଷୀର ଥିବା ଧରାପଡ଼ିଥିଲା। ସେହିପରି ୨୦୨୧-୨୨ରେ ୧୧୬୮ଟି ଜାଗାରେ ହୋଇଥିବା ପରୀକ୍ଷାରୁ ୨୬୦ଟି ନମୁନା ଆପତ୍ତିଜନକ ବୋଲି ଧରାପଡ଼ିଲା। ତହିଁରୁ ମାତ୍ର ୧୦୬ ଜଣ ବିକ୍ରେତାଙ୍କ ଉପରେ ମକଦ୍ଦମା ରୁଜ୍ଜୁ ହୋଇଥିଲା ବେଳେ ଅନ୍ୟମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ପ୍ରକାଶ ଥାଉ କି ଶିଶୁ, ବୃଦ୍ଧ-ବୃଦ୍ଧା ଏବଂ ରୋଗୀମାନଙ୍କ ଲାଗି ଅପରିହାର୍ଯ୍ୟ କ୍ଷୀର ଭଳି ଦ୍ରବ୍ୟରେ ଉଚ୍ଚ ମାନ ନେଇ ଶୂନ୍ୟ ସହନଶୀଳତା ରହିବା ଜରୁରି। ଯଦିଓ ଏ ବ୍ୟାପାରରେ ଚୀନକୁ ଏକ ଦୃଷ୍ଟାନ୍ତ ରୂପେ ଗ୍ରହଣ କରାଯିବ ନାହିଁ, ତଥାପି ପ୍ରସଙ୍ଗ କ୍ରମେ ଲେଖାଯିବା ଜରୁରି ଯେ କ୍ଷୀର ଅପମିଶ୍ରଣ ଲାଗି ସେଠାରେ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା ଅଛି, ଯାହାକୁ ଶୀଘ୍ର କାର୍ଯ୍ୟକାରୀ ମଧ୍ୟ କରାଯାଏ ଏବଂ ବୃହତ୍ କ୍ଷୀର ଉଦ୍ୟୋଗର ବିତ୍ତଶାଳୀ ମାଲିକମାନେ ମଧ୍ୟ ଏଭଳି ଦଣ୍ଡ ପାଇବାରୁ ବର୍ତ୍ତି ପାରନ୍ତି ନାହିଁ। ତେବେ ଏଠାରେ ନକଲି କ୍ଷୀର ଉତ୍ପାଦନ ବା କ୍ଷୀରରେ ପାଣି ମିଶାଯିବା ଭଳି ଅତି ସାଧାରଣ ସ୍ତରୀୟ ଅପମିଶ୍ରଣରୁ ଗୋଟିଏ କଥା ପ୍ରମାଣିତ ହୁଏ ଯେ ଏଠାରେ ଚାହିଦା ଅନୁସାରେ କ୍ଷୀର ଉପଲବ୍ଧ ହେଉନାହିଁ। ତେଣୁ ଉପରୋକ୍ତ ଆଲୋଚନାକୁ ଆଧାର କରି ରାଜ୍ୟରେ କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ। ଅବଶ୍ୟ, ଆମ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଜରିଆରେ ରାଜ୍ୟରେ ଗୋ-ସମ୍ପଦର ଉନ୍ନତି ପାଇଁ ୧୪୨୪ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ଉତ୍ତମ ଜାତିର ଗୋ ସଂପଦରେ ଅଭିବୃଦ୍ଧି ଓ କ୍ଷୀର ସଂପର୍କିତ ଉଦ୍ୟୋଗ ସ୍ଥାପନ ନିମନ୍ତେ ଏହା ଉଦ୍ଦିଷ୍ଟ। ନୂଆ ମଇଁଷି ଓ ଗାଈ ୟୁନିଟ ସ୍ଥାପନ ଲାଗି ସବ୍ସିଡି, ଗୋ-ସମ୍ପଦ ବୀମା, ମାଗଣା ଚିକିତ୍ସା, ବାଛୁରି ଚାରାେର ସବ୍ସିଡି, କ୍ଷୀର ଉଦ୍ୟୋଗର ଉନ୍ନତୀକରଣ ଇତ୍ୟାଦି ଏହି ଯୋଜନା ଅନ୍ତର୍ଭୁକ୍ତ। ତେବେ, ରାଜ୍ୟରେ ଅତି କମ୍ରେ ଦୁଇଟି ଭେଟେରିନାରି ୟୁନିଭର୍ସିଟି ଖୋଲିବା ଦିଗରେ ମଧ୍ୟ ସରକାର ଦୃଷ୍ଟି ଦିଅନ୍ତୁ। ବିଧିବଦ୍ଧ ଉଦ୍ୟମ କରାଗଲେ ଆମ ରାଜ୍ୟରେ ମଧ୍ୟ କ୍ଷୀର ଉତ୍ପାଦନରେ ବୃଦ୍ଧି ଘଟିବା ସମ୍ଭବ ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୭୯୧୧୨୧୦୬୮