ଦେଶର ଅର୍ଥନୈତିକ ଅଭିବୃଦ୍ଧିର ଏକ ମୁଖ୍ୟ ମାଧ୍ୟମ ହେଲା ଆନ୍ତର୍ଦେଶୀୟ ବାଣିଜ୍ୟ କାରବାର ବା ‘ଇଂଟରନେସନାଲ ଟ୍ରେଡ୍‌’। ପ୍ରତ୍ୟେକ ଦେଶ ଅନ୍ୟ ଦେଶଗୁଡ଼ିକୁ ନିଜର ଦ୍ରବ୍ୟ (ଗୁଡ୍‌ସ) ଓ ସେବା (ସର୍ଭିସ) ବିକ୍ରୟ ବା ରପ୍ତାନି କରନ୍ତି ଏବଂ ଅନ୍ୟ ଦେଶମାନଙ୍କରୁ କେତେକ ଦ୍ରବ୍ୟ ଓ ସେବା କ୍ରୟ ବା ଆମଦାନି କରିଥାଏ। ଏଭଳି ସ୍ଥିତିରେ ଆମଦାନିର ବ୍ୟୟ ଠାରୁ ଯଦି ରପ୍ତାନିରୁ ହେଉଥିବା ଆୟ ଅଧିକ ହୁଏ, ତେବେ ଏହି ଲାଭକୁ ‘ଟ୍ରେଡ୍‌ ସରପ୍ଲସ’ ବୋଲି କୁହାଯାଏ ଏବଂ ଏହାର ବିପରୀତ ସ୍ଥିତିଟି ହେଉଛି ‘ଟ୍ରେଡ୍‌ ଡେଫିସିଟ୍‌’ ବା ବେପାରଗତ ନିଅଣ୍ଟ। କହିବା ଅନାବଶ୍ୟକ ଯେ ଲାଭ ପରିସ୍ଥିତିରେ ଦେଶରେ ବୈଦେଶିକ ମୁଦ୍ରା ପାଣ୍ଠିରେ ବୃଦ୍ଧି ଘଟିଥାଏ, ଯାହା ଦେଶର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ନିୟୋଜିତ ହୋଇଥାଏ ଏବଂ ଏଭଳି ସ୍ଥିତିରୁ ଦେଶର ଅର୍ଥନୈତିକ ଅଭିବୃଦ୍ଧିର ସୂଚନା ମିଳିଥାଏ।
ପ୍ରକାଶ ଥାଉ କି ୨୦୨୨ ସୁଦ୍ଧା ଭାରତ ‘ଟ୍ରେଡ୍‌ ଡେଫିସିଟ୍’ ସ୍ଥିତିରେ ରହିଛି, ଯାହା ଭିତରେ ୫୪ଟି ଦେଶ ସମ୍ବଳିତ ଆଫ୍ରିକା ମହାଦେଶ ସହ ଭାରତର ବାଣିଜ୍ୟରୁ ଉପୁଜୁଥିବା ‘ଡେଫିସିଟ୍‌’ ବା ନିଅଣ୍ଟିଆ ସ୍ଥିତି ଅନ୍ତର୍ଭୁକ୍ତ। ଆଫ୍ରିକା ମହାଦେଶକୁ ଖଣିଜତୈଳ, ପ୍ରାକୃତିକ ଗ୍ୟାସ, ଲୁହାପଥର, ଫସଫରସ (ଡି.ଏ.ପି. ସାରର ମୁଖ୍ୟ ଉପାଦାନ), ସୁନା, ତମ୍ବା ଓ ଅନ୍ୟାନ୍ୟ ରତ୍ନ ପଥର, ଲିଥିଅମ, ନିକେଲ, କୋବାଲ୍‌ଟ, ମାଙ୍ଗାନିଜ ଓ ଗ୍ରାଫାଇଟ୍‌ ଭଳି ବିଶେଷ ଗୁଣଧାରୀ ‘କ୍ରିଟିକାଲ ମିନେରାଲ’, ପାମ୍‌ ବା ତାଳ ତେଲ ଓ କଫିର ଗନ୍ତାଘର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଭାରତର ଖାଉଟି ବଜାର ଏଥିରୁ ଅନେକ ଦ୍ରବ୍ୟ ଆବଶ୍ୟକ କରିଥାଏ, ଯେମିତି କି ପାମ୍ ତେଲ, ପ୍ରାକୃତିକ ଗ୍ୟାସ ଓ ସୁନା ଇତ୍ୟାଦି। ସୁତରାଂ, ଏ ସବୁର ଆମଦାନି ଆମ ବୈଦେଶିକ ମୁଦ୍ରା ଭଣ୍ଡାରରେ କ୍ଷୟ ଘଟାଇବାରେ ଲାଗିଛି। ପ୍ରକାଶ ଥାଉ କି ଭାରତ ଏବେ ଉତ୍ତର ଆଫ୍ରିକା, ପଶ୍ଚିମ ଆଫ୍ରିକା ଓ ରୁଷିଆ ଠାରୁ ଖଣିଜ ତୈଳ କିଣୁଛି। ତେବେ, କେବଳ ଦ୍ରବ୍ୟ ନୁହେଁ, ଆଫ୍ରିକାର ଶସ୍ତା ମାନବ ସମ୍ବଳକୁ ଭାରତର ଔଦ୍ୟୋଗିକ ବିକାଶ ପାଇଁ ଏକ ସୁଯୋଗ ରୂପେ ଦେଖାଯାଇପାରେ। ତେଣୁ ଗୋଟିଏ ବାକ୍ୟରେ କହିଲେ ଅନ୍ତର୍ଦେଶୀୟ ବାଣିଜ୍ୟ ପରିପ୍ରେକ୍ଷୀରେ ଭାରତ ସକାଶେ ଆଫ୍ରିକାର ଗୁରୁତ୍ୱ ବେଶ୍‌ ଅଧିକ। କିନ୍ତୁ ବସ୍ତୁ ସ୍ଥିତି ହେଲା ଆଫ୍ରିକା ସହ ବାଣିଜ୍ୟରେ ଚୀନର ଭାଗ ସର୍ବାଧିକ ହୋଇଥିଲା ବେଳେ ଭାରତର ସ୍ଥାନ ତୃତୀୟ ଏବଂ ଆଫ୍ରିକା ସହ ବାଣିଜ୍ୟରୁ ଚୀନ ‘ଟ୍ରେଡ୍‌ ସରପ୍ଲସ’ ବା ଲାଭରେ ଥିବା ବେଳେ ଭାରତ ନିଅଣ୍ଟିଆ ସ୍ଥିତିରେ ଅଛି, ଯାହା ଶୁଭଙ୍କର ନୁହେଁ। ତେଣୁ ଶୀଘ୍ର ନିଅଣ୍ଟିଆ ସ୍ଥିତିରେ ପରିବର୍ତ୍ତନ ଆଣି ଲାଭ ଅର୍ଜନ କରିବା ପାଇଁ ଭାରତ ବିଭିନ୍ନ କୂଟନୈତିକ ଯୋଜନାମାନ ତିଆରି କରିବାରେ ଲାଗିଛି। ଏହି ଦୃଷ୍ଟିରୁ ଚୀନ ସହିତ ଭାରତର ଏକ ତୁଳନାତ୍ମକ ଆଲୋଚନା କରାଯାଇପାରେ।
ପ୍ରଥମେ ଚୀନର ‘ଷ୍ଟ୍ରାଟେଜିକ ଇନ୍‌ଭେଷ୍ଟମେଣ୍ଟ ପଲିସି’ ବା ପୁଂଜି ନିବେଶର ରଣନୀତି ଉପରେ ଦୃଷ୍ଟି ଦିଆଯାଉ। ଆଫ୍ରିକାର ଖଣିଜ ସଂପଦ ଭରା ଅଞ୍ଚଳଗୁଡ଼ିକରେ ଭାରତ ତୁଳନ‌ାରେ ଚୀନର ପୁଂଜି ନିବେଶ ଢେର ଅଧିକ। ୧୯୯୫ ମସିହାରୁ ୨୦୨୦ ମସିହା ମଧ୍ୟରେ ଆଫ୍ରିକାର ଉପର ବର୍ଣ୍ଣିତ ୪ଟି ଦେଶରେ ଚୀନର ୮୭ ବିଲିଅନ ଡଲାର ବିନିଯୁକ୍ତ ହୋଇଛି। ଏଥିରୁ ୩୫.୫ ବିଲିଅନ ଡଲାର ‘ଏନର୍ଜି’ ବା ଶକ୍ତି ଉତ୍ପାଦନ ଭିତ୍ତିଭୂମି ବିକାଶରେ ଲାଗିଛି। ଘାନା, ନାଇଜେରିଆ, ମାଲି ଓ ସିଏରା ଲିଓନି ଭଳି ଦେଶରେ ବକ୍‌ସାଇଟ, ମାଙ୍ଗାନିଜ ଓ ଆଲୁମିନିଅମ ଖଣିରେ ଚୀନ ୧୩ ବିଲିଅନ ଡଲାର ଖର୍ଚ୍ଚ କରିସାରିଲାଣି। ପ୍ରକାଶ ଥାଉ କି ଆଫ୍ରିକାରେ ଭାରତ ତୁଳନାରେ ଚୀନା କମ୍ପାନିଗୁଡ଼ିକର ସଂଖ୍ୟା ଅଧିକ ଏବଂ ଏହି ଚୀନା କଂପାନିଗୁଡ଼ିକ ଖଣିରୁ ଉତ୍ତୋଳିତ କଞ୍ଚାମାଲକୁ କମ୍‌ ମୂଲ୍ୟରେ ଚୀନର ଉଦ୍ୟୋଗଗୁଡ଼ିକୁ ଯୋଗାଉଛନ୍ତି, ଯାହା ଫଳରେ ଚୀନରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକ କମ୍‌ ମୂଲ୍ୟରେ ଉପଲବ୍ଧ ହୋଇ ବଜାରରେ ପ୍ରଭୁତ୍ବ ବିସ୍ତାର କରିଛନ୍ତି। କହିବା ବାହୁଲ୍ୟ ଯେ ଏଭଳି କଞ୍ଚା ମାଲ ଯୋଗାଣକୁ ଆହୁରି ସୁବ୍ୟବସ୍ଥିତ ଏବଂ କମ୍‌ ବ୍ୟୟସାପେକ୍ଷ କରିବା ଲାଗି ଚୀନର ଅତ୍ୟନ୍ତ ଉଚ୍ଚାଭିଳାଷୀ ‘ବେଲ୍‌ଟ ରୋଡ୍‌ ଇନିସିଏଟିଭ’ ଭଳି ବିଶାଳ ପ୍ରକଳ୍ପ ପ୍ରସ୍ତୁତ ହେଲାଣି। ଏ ସଂଦର୍ଭରେ ‘ପିଟରସନ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଟରନେସନାଲ ଇକୋନମିକ୍‌ସ’ ଏବଂ ଜର୍ମାନିର ‘କିଏଲ ଇନଷ୍ଟିଚ୍ୟୁଟ୍‌ ଫର୍‌ ୱାର୍ଲଡ ଇକୋନମି’ ପକ୍ଷରୁ ମିଳିତ ଭାବେ ପ୍ରକାଶିତ ରିପୋର୍ଟ (ମାର୍ଚ୍ଚ, ୨୦୨୧) ଅନୁସାରେ ଆଫ୍ରିକାର ଉନ୍ନତି ପାଇଁ ଚୀନ ଦେଇଥିବା ଋଣ ବଦଳରେ ଆଫ୍ରିକାର ଖଣିଜ ସମ୍ପଦ, ବନ୍ଦର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂ-ସମ୍ପଦ ଏବେ ଚୀନ ଠାରେ ବନ୍ଧକ ଅବସ୍ଥାରେ ରହିଛି। ଏହା ହେଉଛି ଚୀନର ‘ଋଣ କୂଟନୀତି’। ଉଦାହରଣ ସ୍ବରୂପ ଚୀନ ଠାରୁ ଘାନା କରିଥିବା ପାଖାପାଖି ୭୦୦ ମିଲିଅନ ଡଲାର ଋଣ ବଦଳରେ ତା’ର ପ୍ରମୁଖ ବକ୍‌ସାଇଟ୍‌ ଖଣି, ତୈଳ କୂପ ଇତ୍ୟାଦି ଚୀନ ପାଖରେ ବନ୍ଧା ପଡ଼ିଛି। ପୁଣି ଏକ ଘାତକ ସର୍ତ୍ତ ରହିଛି ଯେ ଘାନାକୁ ଏଭଳି ଋଣ ଶୁଝିବା ସକାଶେ ଆନ୍ତର୍ଜାତୀୟ ସଂସ୍ଥା ‘ଆଇ.ଏମ୍.ଏଫ’ ଠାରୁ ନୂଆ ଋଣ ନେବାକୁ ହେଲେ ପ୍ରଥମେ ତାକୁ ଚୀନର ପରାମର୍ଶ ନେବାକୁ ହେବ ବା ଋଣ ଲାଗି କଥାବାର୍ତ୍ତା ବେଳେ ଚୀନକୁ ସଂପୃକ୍ତ କରାଇବାକୁ ହେବ। ବୋଷ୍ଟନ ୟୁନିଭର୍ସିଟି ଦ୍ବାରା ପ୍ରକାଶିତ ଆଲେଖ୍ୟର ତଥ୍ୟ କହିଛି ଯେ ଘାନା ଅତି ଦରିଦ୍ର ସ୍ଥିତିରେ ଥିବାରୁ ଚୀନର ଋଣ ଶୁଝିବାକୁ ଅକ୍ଷମ। ସେମିତି ଇଷ୍ଟର୍ନ ଇଲିନୋଇ ୟୁନିଭାର୍ସିଟିର ଏକ ରିପୋର୍ଟ କହିଛି ଯେ ଆଫ୍ରିକୀୟ ଦେଶଗୁଡ଼ିକ ସରକାରୀ ଆୟର ପାଖାପାଖି ୨୫ରୁ ୩୦ ପ୍ରତିଶତ କେବଳ ଋଣ ଶୁଝିବାରେ ଲଗାଉଛନ୍ତି ଏବଂ ପ୍ରତି ୧୦୦ ଟଙ୍କା ଋଣରୁ ଚାଇନାର ଭାଗ ହେଉଛି ପ୍ରାୟ ୬୦ ଟଙ୍କା। ସୁତରାଂ, ଘାନା ଭଳି ଦେଶ ଏବେ ଏକ ପ୍ରକାରେ ଚୀନ ଦ୍ବାରା ବନ୍ଦୀ ଏବଂ ସେ ଦେଶର ଖଣିଜ ସମ୍ପଦ ପ୍ରାୟତଃ ଚୀନର ନିୟନ୍ତ୍ରଣରେ। ୨୦୦୯ ମସିହାରୁ ୨୦୧୯ ମସିହା ମଧ୍ୟରେ ଆଫ୍ରିକା ଚୀନ ପାଖରୁ ପ୍ରାୟ ୨୦୦ ବିଲିଅନ ଡଲାର ଋଣ ଆକାରରେ ପାଇଛି। ଆଫ୍ରିକାର କେନିଆ, ଅଂଗୋଲା ଓ ନାଇଜେରିଆ ଇତ୍ୟାଦି ଘାନା ଭଳି ଚୀନର ଋଣ ଯନ୍ତାରେ ଫସିଛନ୍ତି।
ଆଉ ଏକ ଗୁରୁତର କଥା ହେଲା ଆଫ୍ରିକା ସହିତ ଭାରତ ଓ ଚୀନର ବାଣିଜ୍ୟ କାରବାର ମୁଖ୍ୟତଃ ଭାରତ ମହାସାଗରରେ ହୋଇଥାଏ। ଏଣେ ପୂର୍ବ-ଆଫ୍ରିକୀୟ ତଟରେ ଥିବା ଆଫ୍ରିକାର ମୁଖ୍ୟ ବନ୍ଦରଗୁଡ଼ିକ ମଧ୍ୟ ଚୀନର ଋଣ କୂଟନୀତିର ଶିକାର। ପୂର୍ବ ଆଫ୍ରିକାର ଯିବୁଟି, ଇଥିଓପିଆ, ଏରିଟ୍ରିଆ ଓ ସୋମାଲିଆ ଭଳି ଦେଶ, ଯାହାର ସମାହାରକୁ ‘ହର୍ନ ଅଫ ଆଫ୍ରିକା’ କୁହାଯାଏ, ସେଇଠି ୨୦୧୬ ମସିହାରେ ଚୀନ ଏକ ‘ସାମରିକ ଘାଟୀ’ ନିର୍ମାଣ କରିଛି, ଯାହା ଚୀନର ପ୍ରଭୁତ୍ବକୁ ଦୃଢ଼ କରିବା ସହିତ ଭାରତ ଭଳି ଦେଶର ପ୍ରଭାବକୁ ଫିକା କରିବା ସ୍ବାଭାବିକ। ବିଶେଷଜ୍ଞମାନଙ୍କ ମତରେ ଚୀନର ଋଣ କୂଟନୀତି ମୁଖ୍ୟତଃ ‘ଆଫ୍ରିକା ଶୋଷଣ’ ପାଇଁ ଉଦ୍ଦିଷ୍ଟ। ଆଫ୍ରିକାରେ ଥିବା ବାଣିଜ୍ୟ ଭିତ୍ତିକ ସୁଯୋଗକୁ ଆଗରୁ ଦେଖି ପାରି ଚୀନ ତା’ର କୂଟନୀତିକୁ ୧୯୭୫ ମସିହାରୁ ପର୍ଯ୍ୟାୟ କ୍ରମେ ଆଗେଇ ନେବାରେ ଲାଗିଛି।
ଅପର ପକ୍ଷରେ ସ୍ୱାଧୀନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆମେରିକା, ରୁଷ ଓ ୟୁରୋପ ସହ ବାଣିଜ୍ୟ ଭିତ୍ତିକ ସମ୍ପର୍କକୁ ନେଇ କୂଟନୈତିକ ସ୍ତରରେ ଯେତିକି ସକ୍ରିୟ ହୋଇଥିଲା, ଆଫ୍ରିକାକୁ ନେଇ ସେମିତି ହୋଇ ନ ଥିଲା। ଅବଶ୍ୟ ଏବେ ଆଫ୍ରିକା ସହ ବାଣିଜ୍ୟର ଗୁରୁତ୍ୱକୁ ହୃଦୟଙ୍ଗମ କରି କେନ୍ଦ୍ରରେ ଥିବା ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଦାହରଣ ସ୍ୱରୂପ ୨୦୧୮ରେ ଉଗାଣ୍ଡାର ସଂସଦରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣରେ ‘ଟେନ ଗାଇଡିଙ୍ଗ ପ୍ରିନସିପଲ’ ନାମକ ଏକ ନୀତିର ଘୋଷଣା କରିଛନ୍ତି, ଯାହା ଭାରତ ସକାଶେ ଆଫ୍ରିକାର କୂଟନୈତିକ ପ୍ରାଧାନ୍ୟ ବିଷୟରେ ଇଙ୍ଗିତ କରିଥାଏ। ଆଫ୍ରିକାରେ ଚୀନ ଶୋଷଣ ଭିତ୍ତିକ ରଣନୀତିର ଉତ୍ତର ସ୍ବରୂପ ଭାରତ ଏକ ବିକଳ୍ପ କୂଟନୀତି ଆପଣେଇଥିବାର ଲକ୍ଷ୍ୟ କରାଯାଏ, ଯେଉଁଥିରେ ଭାରତ-ଜାପାନ ଭାଗୀଦାରି ଅନ୍ୟତମ। ୧୯୯୩ରେ ‘ଟୋକିଓ ଇଂଟରନେସନାଲ କନଫରେନ୍‌ସ ଅଫ ଆଫ୍ରିକାନ ଡେଭେଲପମେଣ୍ଟ’ ଯୋଜନା ଦ୍ୱାରା ଆଫ୍ରିକାରେ ଶୋଷଣ ବିହୀନ ଉନ୍ନତିମୂଳକ କାର୍ଯ୍ୟ ସଂପାଦନ କରି ଜାପାନ ୫୪ଟି ଆଫ୍ରିକୀୟ ଦେଶର ସମର୍ଥନ ପାଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଲାଭ କରି ପାରିଥିଲା। ଏହା ଜଣାଶୁଣା ଯେ ଭାରତ ମଧ୍ୟ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ତତ୍ପର। ତେଣୁ ୨୦୧୭ ମସିହା ମେ ମାସ ୨୩ ତାରିଖରେ ଗୁଜୁରାଟ ଠାରେ ଅନୁଷ୍ଠିତ ‘୫୨ତମ ଆଫ୍ରିକାନ ଡେଭେଲପମେଣ୍ଟ ବ୍ୟାଙ୍କ ମିଟିଙ୍ଗ’ ରେ ଭାରତ ଓ ଜାପାନର ମିଳିତ ସହଯୋଗରେ ‘ଏସିଆ ଆଫ୍ରିକା ଗ୍ରୋଥ କରିଡର’ ନାମକ ଏକ ଯୋଜନାର ଘୋଷଣା କରାଯାଇଥିଲା। ଏହା ଚୀନର ପ୍ରଭାବକୁ ନିଷ୍ପ୍ରଭ କରିବା ଲାଗି ଏକ ସୁଚିନ୍ତିତ କୂଟନୀତି ବୋଲି ଅନେକ କହନ୍ତି। ଏହା ଅନୁସାରେ ଭାରତ-ଜାପାନ ମିଳିତ ଭାବେ ‘ଦୀର୍ଘକାଳୀନ, ସର୍ତ୍ତ ବିହୀନ’ ଋଣ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଭାରତ ୪୨ଟି ଆଫ୍ରିକୀୟ ଦେଶକୁ ୧୪ ବିଲିଅନ ଡଲାରର ‘ଲାଇନ ଅଫ କ୍ରେଡିଟ’ ସୁବିଧା ଦେଇ ସାରିଲାଣି। ଆଫ୍ରିକୀୟ ଦେଶମାନଙ୍କରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତି ଆଦିରେ ଜାପାନର ମିଳିତ ସହଯୋଗରେ ଅନେକ ଉନ୍ନତିମୂଳକ ଯୋଜନା କରାଯାଉଛି। ଗଲା ‘ଜି-୨୦’ ସମ୍ମିଳନୀରେ ଆଫ୍ରିକା ରାଷ୍ଟ୍ର ସଂଘକୁ ସ୍ଥାୟୀ ସଦସ୍ୟ କରାଇବାରେ ଭାରତର ଐକାନ୍ତିକ ଉଦ୍ୟମ ସଫଳ ହେବା ପ୍ରଣିଧାନଯୋଗ୍ୟ। ଭାରତ-ଆଫ୍ରିକା ସମ୍ପର୍କରେ ଏହା ବିଶେଷ ଉନ୍ନତି ଘଟାଇବ। ଅପରପକ୍ଷରେ ଆଫ୍ରିକୀୟ ଦେଶ ମାନଙ୍କରେ ସାମରିକ କ୍ଷମତା ଓ କୌଶଳ ବୃଦ୍ଧି କରିବାରେ ଭାରତ ଗଲା ୩ ବର୍ଷ ହେଲାଣି ଅନେକ ଯୋଜନା କରିଛି। ‘ମେକ୍‌ ଇନ ଇଣ୍ଡିଆ’ ନୀତି ମୁତାବକ ଏବେ ରପ୍ତାନି ମୁହାଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଆଗାମୀ ୫ ବର୍ଷରେ ୫ ବିଲିଅନ ଡଲାରର ଯୁଦ୍ଧ ସାମଗ୍ରୀ ରପ୍ତାନି କରିବାର ଯୋଜନା ରଖିଛି, ଯେଉଁଥିରେ ଆଫ୍ରିକା ମହାଦେଶ ପାଇଁ ରପ୍ତାନିର ମୂଲ୍ୟ ଅଧିକ।
କିନ୍ତୁ ଏକ ବିଡ଼ମ୍ବନା ହେଲା, ଭାରତର ଏହିଭଳି ଅନେକ କୂଟନୈତିକ ଯୋଜନା କେବଳ କାଗଜ କଲମରେ ସୀମିତ ଥିଲା ପରି ମନେ ହୁଏ। ଉଦାହରଣ ସ୍ବରୂପ ୨୦୧୭ରେ ଜାପାନର ମିଳିତ ସହଯୋଗରେ ହୋଇଥିବା ଏହି ‘ଏସିଆ-ଆଫ୍ରିକା ଗ୍ରୋଥ କରିଡର’ ଯୋଜନାର ସେମିତି କିଛି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ କିମ୍ବା ପ୍ରତ୍ୟକ୍ଷ ଶୁଭ ଫଳ ଏଯାବତ ମିଳିନାହିଁ। ତେଣୁ ଆଫ୍ରିକା ସହିତ ବାଣିଜ୍ୟ କରି ସୁଫଳ ପାଇବା ଲାଗି କେବଳ ବିକଳ୍ପ ନୀତିର ଖସଡ଼ା ପ୍ରସ୍ତୁତ କରିଦେଲେ ହେବ ନାହିଁ, ତାକୁ କାର୍ଯ୍ୟରେ ପରିଣତ କରିବାକୁ ହେବ। ଏଥି ଲାଗି ଭାରତ ପକ୍ଷରୁ ଚତୁରତା ଓ ବିଚକ୍ଷଣତା ପ୍ରଦର୍ଶନ କରାଯିବା ସହିତ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଅଧିକ ଆନ୍ତରିକତା ପ୍ରଦର୍ଶନର ଆବଶ୍ୟକତା ରହିଛି।
ମୋ: ୯୧-୯୭୯୧୧୨୧୦୬୮