ଆମେରିକୀୟ ଡଲାର ହେଉଛି ଅନ୍ତର୍ଜାତୀୟ କାରବାରରେ ସର୍ବାଧିକ ବ୍ୟବହୃତ ହେଉଥିବା ମୁଦ୍ର। ବିଦେଶରୁ କୌଣସି ଦ୍ରବ୍ୟ କିମ୍ବା ସେବା କ୍ରୟ (ଆମଦାନି) କଲା ବେଳେ କିମ୍ବା ବିଦେଶକୁ କୌଣସି ଦ୍ରବ୍ୟ ବା ସେବା ବିକ୍ରି (ରପ୍ତାନି) କଲା ବେଳେ ଭାରତ ସାଧାରଣତଃ ଡଲାର ବ୍ୟବହାର କରିଥାଏ। ତେବେ, ଆମେରିକୀୟ ଡଲାର ବ୍ୟତୀତ ୟୁରୋ, ବ୍ରିଟିସ ପାଉଣ୍ଡ ଏବଂ ଜାପାନୀ ୟେନ ଆଦି ମଧ୍ୟ ଆଜିକାଲି ଅନ୍ତର୍ଜାତୀୟ ମୁଦ୍ରାର ମାନ୍ୟତା ପାଇଲେଣି; କିନ୍ତୁ ଆମେରିକୀୟ ଡଲାରର ପାହ୍ୟା ଶୀର୍ଷତମ ସ୍ଥାନରେ। ସୁତରାଂ, ଯେଉଁ ଦେଶ ପାଖରେ ଡଲାର ଯେତେ ଅଧିକ ପରିମାଣରେ ଗଚ୍ଛିତ ଥାଏ, ସେଇ ଦେଶକୁ ଆର୍ଥିକ ଦୃଷ୍ଟିକୋଣରୁ ସେତେ ସୁଦୃଢ଼ ବୋଲି ବିବେଚନା କରାଯାଏ ଏବଂ ସେହି ସବୁ ଦେଶ ବିଶ୍ୱ ବଜାରରେ ସ୍ବଚ୍ଛନ୍ଦରେ ବାଣିଜ୍ୟ କାରବାର କରି ପାରନ୍ତି। ଏହି ପରିପ୍ରେକ୍ଷୀରେ କିଛି ମାସ ହେବ ଭାରତୀୟ ଟଙ୍କା ମଧ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି, ଯାହା ବିଶେଷ ପ୍ରଣିଧାନଯୋଗ୍ୟ ଏବଂ ଏହା ଉପରେ ଏକ ଆଲୋଚନା କରାଯାଇପାରେ।
ସଂପ୍ରତି କେତେକ ବିଦେଶୀ ଏଆରପୋର୍ଟରେ ‘ୟୁପିଆଇ’ ମାଧ୍ୟମରେ ଭାରତୀୟ ମୁଦ୍ରାର ପ୍ରଚଳନ ମଧ୍ୟ ସମ୍ଭବ ହୋଇଛି। ରୁଷିଆ ପକ୍ଷରୁ ଭାରତକୁ କୋଇଲା, ଖଣିଜ ତୈଳ ଏବଂ ସାମରିକ ସରଞ୍ଜାମ ବିକ୍ରି କରାଗଲା ବେଳେ ଭାରତୀୟ ଟଙ୍କା ହିଁ ହୋଇଛି ବ୍ୟବସାୟର ମୁଖ୍ୟ ମାଧ୍ୟମ। ସେମିତି ପ୍ରାୟ ଛଅ ମାସ ହେଲାଣି ସଂଯୁକ୍ତ ଆରବ ଏମିରେଟ୍ସ ବା ‘ୟୁ.ଏ.ଇ.’ ଠାରୁ ଖଣିଜ ତୈଳ ଖର୍ଦ୍ଦି କଲା ବେଳେ ଡଲାର ପରିବର୍ତ୍ତେ ଭାରତୀୟ ଟଙ୍କା ହିଁ ବ୍ୟବହୃତ ହେଉଛି। ତେବେ, କେବଳ ସେତିକି ନୁହେଁ, ଆହୁରି ୧୮ଟି ଦେଶ ସହ ବାଣିଜ୍ୟ କାରବାର ବେଳେ ଭାରତୀୟ ଟଙ୍କାର ବ୍ୟବହାର ନେଇ ଭାରତ ପକ୍ଷରୁ ଚୁକ୍ତି ସଂପାଦିତ ହୋଇଥିବାର ସମ୍ବାଦ ମିଳୁଛି। ତେଣୁ ଏହି ଉପଲବ୍ଧି ଭାରତୀୟମାନଙ୍କୁ ଆନନ୍ଦିତ କରିବା ସ୍ବାଭାବିକ।
ଭାରତୀୟ ଟଙ୍କା ବିଶ୍ୱ ବଜାରରେ ପ୍ରବେଶ କରି ଆସ୍ଥାନ ଜମାଇବାକୁ ହେଲେ ଦୁଇଟି କଥା ଗୁରୁତ୍ବପୂର୍ଣ୍ଣ। ପ୍ରଥମ କଥାଟି ହେଲା ବିଦେଶରୁ କ୍ରୟ କରୁଥିବା ଦ୍ରବ୍ୟ କିମ୍ବା ସେବା ବଦଳରେ ଭାରତ ଟଙ୍କା ଦେବାକୁ ଚାହିଁଲେ ରପ୍ତାନିକାରୀ ଦେଶ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଦରକାର। ଦ୍ବିତୀୟରେ ସେହି ଦେଶ ଅନ୍ୟ କୌଣସି ଦେଶ ସହ ବାଣିଜ୍ୟ କାରବାର କଲା ବେଳେ ଡଲାର ପରିବର୍ତ୍ତେ ଭାରତୀୟ ଟଙ୍କାକୁ ବ୍ୟବହାର କରି ପାରୁଥିବା ଆବଶ୍ୟକ। ତେଣୁ, ଯେତେବେଳେ ଭାରତୀୟ ଟଙ୍କା ମାଧ୍ୟମରେ ଦେଶ-ଦେଶ ମଧ୍ୟରେ ବାଣିଜ୍ୟ କାରବାର ସମ୍ଭବ ହେବ, ସେତିକି ବେଳେ ଅନ୍ତର୍ଜାତୀୟ ମୁଦ୍ରା ଭାବେ ଟଙ୍କାର ବଳ ବଢ଼ିଲା ବୋଲି ବିଚାର କରାଯିବ। ସେଭଳି ସ୍ଥିତି ନ ହେଲା ପର୍ଯ୍ୟନ୍ତ ସେହି ଦେଶ ଭାରତ ଠାରୁ କୌଣସି ଦ୍ରବ୍ୟ ବା ସେବା କ୍ରୟ କଲା ବେଳେ ସେହି ଟଙ୍କାକୁ ଭାରତକୁ ଫେରସ୍ତ ଦେବାକୁ ଚାହିଁବ। ଏଭଳି ସ୍ଥିତିରେ ସେହି ଦେଶ ଭାରତ ଠାରୁ ବିପୁଳ ପରିମାଣରେ ଦ୍ରବ୍ୟ ବା ସେବା କ୍ରୟ କରୁଥିବା ଆବଶ୍ୟକ, ଯାହା ଫଳରେ ତା’ ପାଖରେ ଥିବା ଭାରତୀୟ ଟଙ୍କାକୁ ସେ ଅନ୍ୟ କେଉଁ ଦେଶକୁ ଦେଇ ନ ପାରିବା ସ୍ଥଳେ ଅନ୍ତତଃ ଭାରତକୁ ଫେରାଇ ତା’ର ଖର୍ଚ୍ଚ କରିପାରିବ। ତାହା ନ ହେଲେ କୌଣସି ଦେଶ ଭାରତୀୟ ମୁଦ୍ରା ଟଙ୍କାକୁ ବିନିମୟ ମାଧ୍ୟମ ରୂପେ କାହିଁକି ବା ଗ୍ରହଣ କରିବାକୁ ରାଜି ହେବ?
୨୦୨୩ ମସିହା ଜୁଲାଇ ପର ଠାରୁ ଭାରତ ୟୁ.ଏ.ଇ. ଠାରୁ ଯେଉଁ ଖଣିଜ ତୈଳ କ୍ରୟ କରିବ, ତା’ର ମୂଲ୍ୟ ସେ ଟଙ୍କାରେ ପୈଠ କରିବ ବୋଲି ଚୁକ୍ତି ସଂପାଦିତ ହୋଇଛି। ଏହା ଦ୍ୱାରା ଭାରତ ଉପରୁ ଡଲାର ଯୋଗାଡ଼ର ବୋଝ (ଯଦିଓ ବିଶେଷ ନୁହେଁ) ହ୍ରାସ ପାଇବ। ସେହି ଭଳି ରୁଷିଅା ସହିତ ଭାରତର ବାଣିଜ୍ୟିକ କାରବାର ‘ଟଙ୍କା ଓ ରୁବଲ’ ବିନିମୟରେ ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ-ୟୁଏଇ ମଧ୍ୟରେ ସମୁଦାୟ ୮୪.୫ ବିଲିଅନ ଡଲାରର ବାଣିଜ୍ୟ କାରବାର ହୋଇଥିଲା। ଖଣିଜ ତୈଳକୁ ବାଦ ଦେଇ ଅନ୍ୟ ଦ୍ରବ୍ୟ ଓ ସେବାର କ୍ରୟ-ବିକ୍ରୟର ପରିମାଣ ହେଉଛି ବର୍ଷକୁ ୫୦ ବିଲିଅନ ଡଲାର। ଉଲ୍ଲେଖ ଥାଉ କି, ଭାରତର ନୂଆ ବାଣିଜ୍ୟ ନୀତି ମୁତାବକ ଗତ ବର୍ଷ ଭାରତ ଓ ୟୁ.ଏ.ଇ. ମଧ୍ୟରେ ‘ସମ୍ୟକ ଆର୍ଥିକ ଅଂଶୀଦାରି ଚୁକ୍ତି’ ବା ‘ସେପା’ ସ୍ବାକ୍ଷରିତ ହୋଇଛି, ଯାହା ଫଳରେ ୟୁ.ଏ.ଇ.କୁ ଭାରତର ରପ୍ତାନି ବାର୍ଷିକ ୧୪% ହାରରେ ବଢ଼ିବାକୁ ଲାଗିଛି। ଯେହେତୁ ୟୁ.ଏ.ଇ. ଭାରତ ଠାରୁ ବହୁଳ ପରିମାଣରେ ଆମଦାନି କରୁଛି, ୟୁ.ଏ.ଇ. ଭାରତ ଠାରୁ (ଖଣିଜ ତୈଳ ବିକ୍ରି ବାବଦରେ) ପାଇଥିବା ଭାରତୀୟ ଟଙ୍କା ଫେରସ୍ତ କରିବା ସମ୍ଭବ ହେଉଛି। ଗଲା ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ସମୁଦାୟ ଖଣିଜ ତୈଳ ଆମଦାନିର ପରିମାଣ ଥିଲା ୧୫୭.୫ ବିଲିଅନ ଡଲାର। ଏଥିରେ ଇରାକ, ସାଉଦି ଆରବ, ରୁଷିଆ ଏବଂ ୟୁ.ଏ.ଇ.ର ଭାଗ ପ୍ରାୟ ୬୦ ଶତାଂଶ। ୨୦୨୨-୨୩ରେ ୟୁ.ଏ.ଇ. ଠାରୁ ଭାରତର ତେଲ କ୍ରୟର ମୂଲ୍ୟ ଥିଲା ପ୍ରାୟ ୧୮ ବିଲିଅନ ଡଲାର। ପୁଣି ଖଣିଜ ତୈଳ ବିକ୍ରିରେ ରୁଷିଆ ପାଖରୁ ମିଳୁଥିବା ରିହାତି ବନ୍ଦ ହୋଇଗଲା ପରେ ଗତ ଡିସେମ୍ବର ମାସଠାରୁ ଭାରତର ୟୁ.ଏ.ଇ. ଠାରୁ ତେଲ କ୍ରୟରେ ୩୫% ବୃଦ୍ଧି ପାଇଛି। ଏଭଳି ସ୍ଥଳେ ଭାରତର ଡଲାର ପାଣ୍ଠିରେ ବାର୍ଷିକ ଆନୁମାନିକ ପ୍ରାୟ ୧୮-୨୦ ବିଲିଅନ ଡଲାର ବଞ୍ଚିଯିବ। ଉଲ୍ଲେଖ ଥାଉ କି ଇତିମଧ୍ୟରେ ୟୁ.ଏ.ଇ.ର ତୁଙ୍ଗ କମ୍ପାନି ‘ଆଡନକ’ ଭାରତକୁ ଖଣିଜ ତୈଳ ବିକ୍ରି କରି ଭାରତୀୟ ମୁଦ୍ରା ଗ୍ରହଣ କରିବ ବୋଲି ୮ ବର୍ଷୀୟ ଚୁକ୍ତି କରିଛି।
ଅପର ପକ୍ଷରେ ରୁଷିଆ ପରିପ୍ରେକ୍ଷୀରେ ଭାରତୀୟ ଟଙ୍କା ଅସ୍ବସ୍ତିକର ପରିସ୍ଥିତିର ସାମନା କଲାଣି। ୟୁକ୍ରେନ ଉପରେ ଆକ୍ରମଣ ପର ଠାରୁ ରୁଷିଆ ଉପେର ଜାରି ହୋଇଥିବା କଠୋର ଆର୍ଥିକ କଟକଣା ହେତୁ ରୁଷିଆ ଅଗତ୍ୟା ଭାରତ ଠାରୁ ତା’ର ଦ୍ରବ୍ୟ ରପ୍ତାନି ଲାଗି ଟଙ୍କା ଗ୍ରହଣ କରିବାକୁ ରାଜି ହେଲା। କିନ୍ତୁ ଭାରତ ଠାରୁ ରୁଷିଆର କ୍ରୟ ସୀମିତ ଥିବାରୁ ସେ ଟଙ୍କା ଫେରସ୍ତ କରିବାକୁ ଅସମର୍ଥ ହୋଇ ୪୦ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ଭାରତୀୟ ଟଙ୍କାର ପାହାଡ଼ ସୃଷ୍ଟି କଲାଣି, ଯାହାକୁ ଖର୍ଚ୍ଚ କରିପାରୁନାହିଁ। ଏଣେ ଭାରତୀୟ ଟଙ୍କାକୁ ଅନ୍ୟ ଅନ୍ତର୍ଜାତୀୟ ମୁଦ୍ରାକୁ ବଦଳାଇବାକୁ ହେଲେ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ତାକୁ ସହ୍ୟ କରିବା ରୁଷିଆ ଲାଗି କଷ୍ଟକର ହେଲାଣି। ୨୦୨୩ ମସିହା ଜୁଲାଇ ୫ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ରୁଷିଆ ସହ ଭାରତର ବାଣିଜ୍ୟ ନିଅଣ୍ଟ (ଭାରତ ଦ୍ବାରା ଆମଦାନି ଅଧିକ ଏବଂ ରପ୍ତାନି କମ୍)ର ପରିମାଣ ୨୦୨୧ରେ ଥିଲା ୨,୮୩୦ ମିଲିଅନ ଡଲାର, ଯାହା ୨୦୨୨ରେ ୬,୬୧୫ ମିଲିଅନ ଡଲାରରେ ପହଞ୍ଚିଛି। ଏଣୁ ଦିନକୁ ଦିନ ରୁଷିଆ ସହ ଭାରତର ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଉଛି, ଯାହା ୟୁ.ଏ.ଇ. କ୍ଷେତ୍ରରେ ଓଲଟା। ତେଣୁ ରୁଷିଆ ଏବଂ ୟୁ.ଏ.ଇ. ଠାରେ ଭାରତୀୟ ମୁଦ୍ରାର ବ୍ୟବହାର ଦୁଇ ଭିନ୍ନ ପ୍ରକାର ଅନୁଭୂତି ଆଣିଛି।
ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ବିଶ୍ୱ ବାଣିଜ୍ୟ ବଜାରରେ ଭାରତ ଏ ଯାବତ ‘ବାଣିଜ୍ୟ ନିଅଣ୍ଟିଆ’ ସ୍ଥିତିରେ ରହିଛି; ଅର୍ଥାତ୍, ଭାରତ ଅଧିକ ଆମଦାନି କରୁଛି ଏବଂ କମ୍ ରପ୍ତାନି କରୁଛି। ତେଣୁ ଭାରତ ଏବେ ସୁଦ୍ଧା ଡଲାର ପାଣ୍ଠି ଉପରେ ନିର୍ଭରଶୀଳ ହୋଇ ରହିଛି। ଏହି ସ୍ଥିତିରେ ପରିବର୍ତ୍ତନ ନ ଆସିଲେ ଅନ୍ୟାନ୍ୟ ଦେଶ ଭାରତ ଠାରୁ ସେମାନଙ୍କ ରପ୍ତାନି ଦ୍ରବ୍ୟ ବା ସେବା ବଦଳରେ ଟଙ୍କା ନେବାକୁ କୁଣ୍ଠିତ ହେବେ। ଏବେ ପର୍ଯ୍ୟନ୍ତ ଯେଉଁ ପରିସ୍ଥିତି ଅଛି, ସେଥିରେ ଅନ୍ୟାନ୍ୟ ଦେଶ ଭରତୀୟ ଟଙ୍କାକୁ ଗ୍ରହଣ କରିବାର ଆଶା କ୍ଷୀଣ।
୨୦୧୫ ମସିହାରେ ‘ଆଇଏମଏଫ୍’ ଦ୍ୱାରା ଗ୍ରହଣ କରାଯାଇଥିବା ମୁଖ୍ୟ ୫ଟି ମୁଦ୍ରା ଭିତରେ ଚୀନର ମୁଦ୍ରା ‘ୟୁଆନ’ ରହିଛି। ଏହା ମଧ୍ୟ ସର୍ବଜନବିଦିତ ଯେ ଚୀନର ଅର୍ଥ ବ୍ୟବସ୍ଥା ବିଶ୍ୱର ବୃହତ୍ ଏବଂ ଶକ୍ତିଶାଳୀ ଅର୍ଥ ବ୍ୟବସ୍ଥାରୁ ଗୋଟିଏ। ଏହା ସତ୍ତ୍ୱେ ବିଶ୍ୱ ବାଣିଜ୍ୟ ବଜାରରେ ୟୁଆନକୁ ‘ବିଶ୍ୱ ମୁଦ୍ରା’ ଭାବେ ଗ୍ରହଣ କରାଯାଇ ପାରିନାହିଁ କି ଏହା ଏ ଯାବତ୍ ଡଲାର ସମକକ୍ଷ ହୋଇପାରିନାହିଁ। ତେଣୁ ବିଶ୍ୱ ବଜାରରେ ଭାରତୀୟ ମୁଦ୍ରା ସର୍ବତ୍ର ଗ୍ରହଣଯୋଗ୍ୟ ହେବା ସହଜ ନୁହେଁ ଏବଂ ଏଥି ପାଇଁ ଆହୁରି ଅନେକ ସମୟ ଲାଗିବ। ତେବେ, ଏହା ଭାରତ ପାଇଁ ଏକ ପ୍ରାରମ୍ଭ ମାତ୍ର। ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ଆମ ପଡ଼ୋଶୀ ଦେଶ ବାଂଲାଦେଶ ଏବଂ ଶ୍ରୀଲଙ୍କା ନିକଟେର ବର୍ତ୍ତମାନ ଡଲାର ପାଣ୍ଠିର ଘୋର ଅଭାବ ରହିଛି ଏବଂ ଏହି ଦେଶ ଦ୍ବୟ ସହିତ ଭାରତର କାରବାର ‘ଟ୍ରେଡ୍ ସରପ୍ଲସ’ ବା ‘ବାଣିଜ୍ୟ ଆଧିକ୍ୟ’ ସ୍ଥିତିରେ ଅଛି। ତେଣୁ ଭାରତ ଏଇ ଦେଶ ଦୁଇଟି ସହ ଟଙ୍କା ବ୍ୟବହାରକୁ ଆଗେଇ ନେବାର ସୁଯୋଗ ଓ ସମ୍ଭାବନା ରହିଛି। ଏଠାରେ ସ୍ମରଣଯୋଗ୍ୟ ଯେ ୧୯୬୦ ମସିହା ବେଳକୁ କୁଏତ, ବାହାରିନ, ଇରାନ, କାତାରରେ ଭାରତୀୟ ମୁଦ୍ରାର ବହୁଳ ପ୍ରଚଳନ ଥିଲା। କେବଳ ସେତିକି ନୁହେଁ, ବାଣିଜ୍ୟ କାରବାରରେ ନେପାଳ ଓ ଭୁଟାନରେ ଭାରତୀୟ ଟଙ୍କା ଚଳୁଥିଲା। ଏବେ ସେଭଳି ସ୍ଥିତି ନାହିଁ। ତେଣୁ ଭାରତୀୟ ଟଙ୍କାକୁ ଏକ ଦମଦାର ଅନ୍ତର୍ଜାତୀୟ ମୁଦ୍ରାର ମାନ୍ୟତା ପାଇବାକୁ ହେଲେ ପ୍ରଥମେ ଭାରତ ନିଜକୁ ଏକ ବୃହତ୍ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ଜରୁରୀ। ଦ୍ବିତୀୟରେ ଭାରତ ଅଧିକ ରପ୍ତାନି ଏବଂ କମ୍ ଆମଦାନି କରୁଥିବା ଦେଶରେ ପରିଣତ ହେବା ଆବଶ୍ୟକ। ତୃତୀୟରେ କୂଟନୈତିକ ସଂପର୍କ ଏବଂ ପ୍ରଭାବକୁ ଦୃଢ଼ତା ପ୍ରଦାନ କରି ଭାରତୀୟ ଟଙ୍କାକୁ ବିଶ୍ବାସଭାଜନ କରାଇବାକୁ ହେବ।
ମୋ: ୯୭୯୧୧୨୧୦୬୮
ବଣିଜ ବିଚାର: ବିଦେଶ ବଜାରରେ ଭାରତୀୟ ଟଙ୍କା
ପୂର୍ଣ୍ଣେନ୍ଦୁ କର
/sambad/media/post_attachments/wp-content/uploads/2024/01/fhsfhhhffh.jpg)