ପୂର୍ଣ୍ଣେନ୍ଦୁ କର

ସମଗ୍ର ବିଶ୍ୱରେ ଯଦି କୌଣସି ଏକ ବିଦ୍ୟା ସର୍ବ ପୁରାତନ ହୋଇଥିଲେ ହେଁ ଏ ଯାବତ୍‌ ସର୍ବାଧିକ ଆଦୃତ ଓ ସମାନ ପରିମାଣର ନିନ୍ଦା ଓ ଗାଳିର ପାତ୍ର ହୋଇଥାଏ, ତାହା ହେଲା ‘ଜ୍ୟୋତିଷ ବିଦ୍ୟା।’ ଜ୍ୟୋତିଷ ବିଦ୍ୟାର ବିଜ୍ଞାନ ଆଧାର ଅଛି କି ନାହିଁ ତାହା ସର୍ବଦା ବିବାଦାସ୍ପଦ ହୋଇଥିବା ସତ୍ତ୍ୱେ ବିଜ୍ଞାନର ଅଗ୍ରଗତି ସହ ସମତାଳରେ ଜ୍ୟୋତିଷ ବିଦ୍ୟାର ଗ୍ରାହକ ବା ଉପଭୋକ୍ତାମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଛି। ସେହି କାରଣରୁ ଆମ ଦେଶରେ ତଥା ବିଦେଶରେ ଜ୍ୟୋତିଷ ପରାମର୍ଶକୁ କେନ୍ଦ୍ର କରି ଗଢ଼ି ଉଠିଛି ବିଶାଳ ବ୍ୟବସାୟ ଏବଂ ଅନେକ ଲୋକ ଏହାକୁ ନେଇ ସୁନ୍ଦର କ୍ୟାରିଅର ମଧ୍ୟ ଗଢ଼ିଛନ୍ତି।
୨୦୧୭ ମସିହାରେ ଫ୍ରାନ୍‌ସରେ ହୋଇଥିବା ଏକ ସର୍ଭେ(ଅାଇ.ଏଫ.ଓ.ପି.) ରିପୋର୍ଟ ଅନୁସାରେ ସେଠାରେ ୩୫-୪୫% ଲୋକ ଜ୍ୟୋତିଷ ବିଦ୍ୟାକୁ ମାନନ୍ତି, ଜ୍ୟୋତିଷ ପରାମର୍ଶ ଲୋଡ଼ନ୍ତି। ଆମେରିକାରେ ପାଖାପାଖି ୫ ହଜାର ଆଷ୍ଟ୍ରୋଲୋଜର ବା ଜ୍ୟୋତିଷ ଦିନ-ରାତି ପରାମର୍ଶ ଦେଉଛନ୍ତି। ଆଉ ଏକ ସର୍ଭେରୁ ଜଣାପଡ଼େ ଯେ ପୃଥିବୀର ୬୫% ଲୋକ ଜ୍ୟୋତିଷୀ ବିଦ୍ୟା ଉପରେ ବିଶ୍ୱାସ କରନ୍ତି। ଏପରିକି ସମାଜର ଅନେକ ଜ୍ଞାନୀଗୁଣୀ ଲୋକ, ବ୍ୟବସାୟୀ, ରାଜନେତା, ବୈଜ୍ଞାନିକ ଓ ଉଚ୍ଚଶିକ୍ଷିତ ପ୍ରତି ଦିନର ରାଶି ଫଳ ଦେଖନ୍ତି ଓ ଦରକାର ପଡ଼ିଲେ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତି।
୨୦୨୩ ମସିହାରେ ଆଲାଏଡ ମାର୍କେଟ ରିସର୍ଚ୍ଚ ସଂସ୍ଥାର ରିପୋର୍ଟ ଅନୁସାରେ ପୃଥିବୀର ଜ୍ୟୋତିଷୀ ପରାମର୍ଶ ବଜାରର ଆନୁମାନିକ ମୂଲ୍ୟ ପ୍ରାୟ ୧.୭ ଲକ୍ଷ କୋଟି ଟଙ୍କା ଥିଲା। ଏହି ବଜାର ବାର୍ଷିକ ୬% ହାରରେ ବୃଦ୍ଧି ପାଉଛି ଏବଂ ୨୦୩୧ ମସିହା ସୁଦ୍ଧା ଏହା ୧.୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ଜାତକ ଦେଖା ବା ଜନ୍ମ ଦିନ ଅନୁସାରେ ଭବିଷ୍ୟ ଅନୁମାନ, ହସ୍ତରେଖା ଅନୁଧ୍ୟାନ, ଟ୍ୟାରୋ କାର୍ଡ ପଢ଼ି ଭାଗ୍ୟ କହିବା, ନ୍ୟୁମେରୋଲୋଜି ବା ସଂଖ୍ୟା ଅନୁସାରେ ସ୍ଥିତିର ଆଳକନ ଓ ପରାମର୍ଶ ସହିତ ଖରାପ ଦଶା ବଦଳରେ ସୁଦଶା ଲାଗି ରତ୍ନ ପଥର ପିନ୍ଧିବାର ପ୍ରକରଣ ଭିତରେ ଏହି ବଜାର ସ୍ଫୀତ ହୋଇଛି। ବିଶ୍ୱ ବଜାରରେ ଜ୍ୟୋତିଷ ପରାମର୍ଶର ସିଂହ ଭାଗ (୩୫%) ଭାରତ ଓ ଚୀନର ଉପଭୋକ୍ତାମାନଙ୍କ ଅକ୍ତିଆରରେ। ଏମାନଙ୍କ ପରେ ରହିଛନ୍ତି ଆମେରିକା (୨୮%) ଓ ୟୁରୋପ (୨୦%)। ଇତି ମଧ୍ୟରେ ଏ କ୍ଷେତ୍ରରେ ଟେକ୍‌ନୋଲୋଜି ବା ପ୍ରଯୁକ୍ତିର ପ୍ରବେଶ ଘଟି ଅନଲାଇନ ପରାମର୍ଶର ସୁଯୋଗ ଓ ଚାହିଦା ବଢ଼ିବାରେ ଲାଗିଛି। ଆମ ଦେଶରେ ଏଭଳି ଜ୍ୟୋତିଷୀ ପରାମର୍ଶଦାତା କମ୍ପାନିମାନଙ୍କର ସଂଖ୍ୟା ଓ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି। କେବଳ ସେତିକି ନୁହେଁ, ଅନଲାଇନ ମାଧ୍ୟମରେ ଜ୍ୟୋତିଷ ବିଦ୍ୟା ଶିକ୍ଷା‌ ଦିଆଯାଉଛି, ଯହିଁରେ ଶିକ୍ଷାର୍ଥୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ଉପରୋକ୍ତ ରିପୋର୍ଟର ତଥ୍ୟ ଅନୁସାରେ ଜ୍ୟୋତିଷ ପରାମର୍ଶ ପାଇଁ ପୃଥିବୀରେ ଅସଂଖ୍ୟ ଅନଲାଇନ ୱେବ୍‌ସାଇଟ ଖୋଲିସାରିଥିଲେ ହେଁ ତହିଁରୁ ବଡ଼ ୨୦ଟି ସଂସ୍ଥା ବେଶ ପ୍ରସିଦ୍ଧ ହୋଇଛନ୍ତି, ଯହିଁରେ ଶୀର୍ଷ ସ୍ଥାନରେ ଅଛନ୍ତି କେତେକ ଭାରତୀୟ ସଂସ୍ଥା।
୨୦୧୭ ମସିହାରେ ପ୍ରତିଷ୍ଠିତ ‘ଆଷ୍ଟ୍ରୋଟକ’ ନାମକ ଏକ କମ୍ପାନି କେବଳ ୨୦୨୪ ମସିହାରେ ୬୫୦ କୋଟି ଟଙ୍କା ଆୟ ଏବଂ ୧୦୦ କୋଟି ଲାଭ କରିଛି। ଏହାର ସମୁଦାୟ ଆୟରେ ଭାରତୀୟ ଗରାଖଙ୍କ ଭାଗ ୫୩୦ କୋଟି ଓ ବିଦେଶୀ ଗରାଖଙ୍କ ଭାଗ ୧୨୯ କୋଟି ଟଙ୍କା। ୨୦୨୩ ମସିହାରେ ଏହି କମ୍ପାନିର ଆୟ ୨୮୩ କୋଟି ଓ ଲାଭ ୯ କୋଟି ଟଙ୍କା ଥିଲା। ଅର୍ଥାତ୍ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହି କମ୍ପାନିର ଆୟରେ ଦୁଇ ଗୁଣରୁ ଅଧିକ ବୃଦ୍ଧି ଘଟିଥିଲା ବେଳେ ଲାଭରେ ପ୍ରାୟ ୧୨ ଗୁଣ ହୋଇଛି। ଏହି କମ୍ପାନିର ‘କମ୍ପାନି ଭାଲ୍ୟୁଏସନ’ ବା ସମୁଦାୟ ମୂଲ୍ୟ ହେଉଛି ୨,୫୬୦ କୋଟି ଟଙ୍କା। ଏହି କମ୍ପାନିର ଭବିଷ୍ୟତ ବ୍ୟବସାୟକୁ ନଜରରେ ରଖି ଚାରିଟି ବଡ଼ ବଡ଼ ପୁଞ୍ଜିପତି ବିଦେଶୀ କମ୍ପାନି ଏହି କମ୍ପାନିରେ ଏ ଯାବତ ୨୯୦ କୋଟି ଟଙ୍କା ନିବେଶ କରି ସାରିଲେଣି। ନିକଟ ଭବିଷ୍ୟତରେ ବିଦେଶରୁ ଆହୁରି ୪୨୯ କୋଟି ଟଙ୍କାର ନିବେଶ ଆସିବ ବୋଲି ଉକ୍ତ କମ୍ପାନି ଘୋଷଣା କରିସାରିଲେଣି। ସୂଚନା ଥାଉକି ଏହି କମ୍ପାନି ଜରିଆରେ ହାରାହାରି ୪,୫୦୦ ଜ୍ୟୋତିଷୀ ଲୋକଙ୍କୁ ପରାମର୍ଶ ଦେବାରେ ନିୟୋଜିତ। ‘ଆଷ୍ଟ୍ରୋଟକ’ ଭଳି ଅନ୍ୟ ନାମୀ କମ୍ପାନିମାନେ ଗଲା ୧୦ ବର୍ଷ ମଧ୍ୟରେ ବିଦେଶରୁ ଏ ଯାବତ ୮୦-୧୦୦ କୋଟି ଟଙ୍କା ପୁଞ୍ଜି ପାଇ ସାରିଲେଣି ଓ ଗଲା ଦଶ ବର୍ଷ ମଧ୍ୟରେ ପାଖାପାଖି ୧୦୦୦ କୋଟି ଟଙ୍କା ଆୟ କରି ସାରିଲେଣି। ଉଲ୍ଲେଖ ଥାଉ କି ଏହି ବ୍ୟବସାୟ ଆଧାରରେ ରାଜସ୍ଥାନରେ ରତ୍ନ ପଥର ପରୀକ୍ଷଣ ଓ ସାର୍ଟିଫିକେଟସନ, ରତ୍ନ ପଥର ପଲିସିଂ ଇତ୍ୟାଦି ସହିତ ରତ୍ନ ପଥର ବ୍ୟବସାୟରେ ଅଭିବୃଦ୍ଧି ଘଟିଛି। 
ଏଭଳି ସ୍ଥଳେ ପ୍ରଶ୍ନ ଉଠିଥାଏ ଯେ ଅଣ ଆନୁଷ୍ଠାନିକ ଭାବେ ଜ୍ୟୋତିଷ ବିଦ୍ୟା ଆହରଣ ନ କରି ଯଦି ଏଭଳି ବିଶାଳ ଆକାରର ବ୍ୟବସାୟ ସୃଷ୍ଟି କରାଯାଇ ପାରୁଛି, ତାହା ହେଲେ ଆନୁଷ୍ଠାନିକ ଭାବେ ଉତ୍କୃଷ୍ଟ ମାନର ଜ୍ୟୋତିଷୀ ବିଦ୍ୟା ଏବଂ ଆ‌ନୁଷଙ୍ଗିକ ବିଦ୍ୟା ଶିକ୍ଷା ଦେବା ଭଳି ଶିକ୍ଷାନୁଷ୍ଠାନ ଖୋଲା ଯିବା ଉଚିତ ନୁହେଁ କି? ପ୍ରକାଶ ଥାଉ କି ଜ୍ୟୋତିଷ ବିଦ୍ୟା ଭାରତରେ ଉତ୍ପତ୍ତି ଲାଭ କରିବା ପରେ ଯା‌ାଇଥିଲା ପୃଥିବୀର ଅନ୍ୟତମ ସର୍ବପ୍ରାଚୀନ ସୁମେର ସଭ୍ୟତାକୁ, ଯାହା ଆଜିର ଇରାକ। ଭାରତୀୟ ଓ ସୁମେରୀୟ ସଭ୍ୟତାର ଗଣକମାନେ ଜ୍ୟୋତିଷ ବିଦ୍ୟାକୁ ଏକ ଶୃଙ୍ଖଳିତ ପଦ୍ଧତି ପ୍ରଦାନ କରିଥିଲେ। ଅବଶ୍ୟ, ଆଧୁନିକ ବିଜ୍ଞାନ ଶିକ୍ଷାର ବିକାଶ ଘଟିବା ପରେ ଜ୍ୟୋତିଷ ଶାସ୍ତ୍ରକୁ ବିଜ୍ଞାନସମ୍ମତ ବୋଲି ସ୍ବୀକାର କରାଯାଏ ନାହିଁ। ଅନେକ ଲୋକ ଏହାକୁ ଏକ ‘ମିଛ ବିଜ୍ଞାପ’ ବା ‘ସିଉଡୋ ସାଇନ୍‌ସ’ ବୋଲି କହନ୍ତି। ୧୯୫୨ ମସିହାରେ ବିଶ୍ୱପ୍ରସିଦ୍ଧ ଭାରତୀୟ ବୈଜ୍ଞାନିକ ମେଘନାଦ ସାହା ଲୋକସଭାର ସଦସ୍ୟ ଥିବା ବେଳେ ତାଙ୍କ ଭାଷଣରେ କହିଥିଲେ ଯେ ‘ଯଦି ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକରେ ‘ଆଷ୍ଟ୍ରୋନୋମି’ ବା ‘ଜ୍ୟୋତିର୍ବିଜ୍ଞାନ’ ସହିତ ‘ଆଷ୍ଟ୍ରୋଲୋଜି’ ବା ‘ଜ୍ୟୋତିଷ ଶାସ୍ତ୍ର’ ପଢ଼ା ଯାଏ, ତେବେ ଭାରତ ବିଶ୍ୱ ଦରବାରରେ ହାସ୍ୟାସ୍ପଦ ହେବ।’ ତେବେ, ୨୦୦୦ ମସିହାରେ, ମୁରଲୀ ମନୋହର ଯୋଶୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଥିବା ବେଳେ ୟୁ.ଜି.ସି. ପାଠ୍ୟକ୍ରମରେ ବୈଦିକ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଓ ପୁରୋହିତ କର୍ମକାଣ୍ଡକୁ ବିଧିବଦ୍ଧ ପାଠ୍ୟକ୍ରମରେ ଏକ ସ୍ୱତନ୍ତ୍ର କୋର୍ସ ଆକାରରେ ରଖାଯିବା ନେଇ ଏକ କ୍ୟାବିନେଟ ନିଷ୍ପତ୍ତି ନେଇଥିଲେ। ଯଦିଓ ଏହି ନିଷ୍ପତ୍ତି ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ହୋଇଥିଲା, ୟୁ.ଜି.ସି.ର ଉପରୋକ୍ତ ପ୍ରସ୍ତାବକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅନୁମୋଦନ ଦେଇଥିଲେ। ତା’ ପରଠାରୁ କେତେକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉପରୋକ୍ତ ବିଦ୍ୟାରେ ଡିପ୍ଲୋମା, ସ୍ନାତକୋତ୍ତର ପାଠ୍ୟକ୍ରମ ଏବଂ ପିଏଚ.ଡିର ବ୍ୟବସ୍ଥା କରାଯାଇଛି। 
ପ୍ରକାଶ ଥାଉ କି ୧୯୪୨ ମସିହାରୁ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଔପଚାରିକ ଭାବେ ‘ଡିପାର୍ଟମେଣ୍ଟ ଅଫ ଜ୍ୟୋତିଷ’ ନାମକ ଏକ ବିଭାଗ ଖୋଲିଛି। ସଂପ୍ରତି ତା’ ସହିତ ତାମିଲନାଡୁରେ ଚେନ୍ନାଇସ୍ଥିତ ଭେଲ୍‌ସ ୟୁନିଭର୍ସିଟି, କର୍ପଗମ ଏକାଡେମି ଅଫ ହାୟର ଏଜୁକେସନ, ମାଡ୍ରାସ ସଂସ୍କୃତ କଲେଜ, କୁପୁସ୍ୱାମୀ ଶାସ୍ତ୍ରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ, ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ, ଚିତୋରଗଡ଼ର ମେୱାର ୟୁନିଭର୍ସିଟି, ନୂଆଦିଲ୍ଲୀର ଲାଲବାହାଦୁର ଶାସ୍ତ୍ରୀ ନେସନାଲ ସଂସ୍କୃତ ୟୁନିଭର୍ସିଟି, ରାଞ୍ଚି ୟୁନିଭର୍ସିଟି, ଇନ୍ଦିରା ଗାନ୍ଧୀ ସେସନାଲ ଓପନ ୟୁନିଭର୍ସିଟି ଆଦି ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମ ରହିଛି। ଆମ ରାଜ୍ୟରେ ଯଦିଓ ପୁରୀ, ବଲାଙ୍ଗୀର ଓ ଭୁବନେଶ୍ୱରରେ ଥିବା ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଫଳିତ ଜ୍ୟୋତିଷ ଓ ସିଦ୍ଧାନ୍ତ ଜ୍ୟୋତିଷ ପଢ଼ା ହୁଏ, ତାହା ସଂସ୍କୃତ ପାଠ୍ୟକ୍ରମର ଏକ ଅଂଶ ଭାବେ ରହିଛି। 
ଏହା ମଧ୍ୟ ସତ ଯେ ଜ୍ୟୋତିଷ ଶାସ୍ତ୍ରକୁ ‘ମିଛ ବିଜ୍ଞାନ’ ବୋଲି କହି ତା’ର ଅଧ୍ୟୟନକୁ ନିରୁତ୍ସାହିତ କରାଯିବା ଅନୁଚିତ। ଜ୍ୟୋତିଷ ଶାସ୍ତ୍ରକୁ ସମର୍ଥନ କରୁଥିବା ଅସଂଖ୍ୟ ଲୋକ କହନ୍ତି ଯେ ପଞ୍ଜିକ‌ାରେ ସୂର୍ଯ୍ୟ ଉପରାଗ ବା ଚନ୍ଦ୍ର ଗ୍ରହଣ ଆଦି ଭଳି ମହାଜାଗତିକ ଘଟଣା ଘଟିବା ସମ୍ବନ୍ଧରେ ସୂକ୍ଷ୍ମାତିସୂକ୍ଷ୍ମ ଭାବେ ଗଣନା କରି ଯଥେଷ୍ଟ ପୂର୍ବରୁ ଯେମିତି କହି ଦିଆଯାଇ ପାରୁଛି, ତାହା ପଛରେ ରହିଛି ଜ୍ୟୋ‌ତିଷ ଶାସ୍ତ୍ରର ଗ୍ରହ ଓ ନକ୍ଷତ୍ର ଆଦିର ସ୍ଥିତି ଦର୍ଶାଉଥିବା ମଡେଲର ଆଧାର। ତେଣୁ ସେମାନେ ଏହାକୁ ବିଜ୍ଞାନ ଠାରୁ କୌଣସି ଗୁଣରେ କମ୍‌ ନୁ‌େହଁ ବୋଲି କହନ୍ତି। ଇଂଲାଣ୍ଡର ‘ୟୁନିଭର୍ସିଟି ଅଫ ୱେଲ୍‌ସ ଟ୍ରିନିଟି ସେଣ୍ଟ ଡେଭିଡ’ରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ‘କଲଚରାଲ ଆଷ୍ଟ୍ରୋନୋମି ଏଣ୍ଡ ଆଷ୍ଟ୍ରୋଲୋଜି’ ସମ୍ବନ୍ଧିତ ଦୁଇ ବର୍ଷର ପାଠ୍ୟକ୍ରମ ଅଛି। ସେହି ଦୃଷ୍ଟିରୁ ଆମ ରାଜ୍ୟରେ ଏହି ବିଦ୍ୟାକୁ ଔପଚାରିକ ଭାବେ ପାଠ୍ୟକ୍ରମରେ ସାମିଲ କରିବାକୁ ସେମାନେ ମତ ଦିଅନ୍ତି। ମୂଳ କଥା ହେଲା, ଏହି ବିଦ୍ୟାର ପୁଂଜି ହେଉଛି ଆସ୍ଥା ବା ବିଶ୍ବାସ। ଭାରତ ଭଳି ଏକ ପ୍ରାଚୀନ ଆଧ୍ୟାତ୍ମିକ ସଭ୍ୟତାରେ ଆସ୍ଥାକୈନ୍ଦ୍ରିକ ବିଦ୍ୟା ଓ ଶାସ୍ତ୍ରମାନ ସୃଷ୍ଟି ହେବା ସ୍ବାଭାବିକ। କିନ୍ତୁ ବଡ଼ କଥା ହେଲା ଜୀବନକୁ ଘେରି ରହିଥିବା ଅସୁମାରି ଅନିଶ୍ଚିତତା ମଧ୍ୟରେ ଭବିଷ୍ୟତ ସଂପର୍କରେ ଜାଣିବାର ଆଗ୍ରହ ଏହି ଶାସ୍ତ୍ରର ଆକର୍ଷଣକୁ ଏ ଯାବତ୍‌ ଦୃଢ଼ କରି ରଖିଛି, ଯାହା ଆଗକୁ ଦୁର୍ବଳ ହେବାର ସମ୍ଭାବନା ଆଦୌ ନାହିଁ।
 (ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୭୯୧୧୨୧୦୬୮