ଭାରତର ସମ୍ବିଧାନ ତା’ର ନାଗରିକମାନଙ୍କୁ ପ୍ରଦାନ କରିଥିବା ମୌଳିକ ଅଧିକାରମାନ ତଥା ତାହା ନିଶ୍ଚିତ କରିବା ପାଇଁ ପ୍ରଣୀତ ଅସୁମାରି ଆଇନମାନଙ୍କୁ ଦେଖି କୁହାଯାଇଥାଏ ଯେ ‘ଭାରତ ହେଉଛି ଏପରି ଏକ ତୃତୀୟ ବିଶ୍ୱ ଦେଶ ଯାହାର ନାଗରିକମାନେ ପ୍ରଥମ ବିଶ୍ୱ ଅଧିକାର ଉପଭୋଗ କରିଥାନ୍ତି’। ଅବଶ୍ୟ ଏବେ ଆଉ କୌଣସି ଦେଶକୁ ତୃତୀୟ ବିଶ୍ୱ ଦେଶ ରୂପେ ବର୍ଣ୍ଣନା କରାଯାଉନାହିଁ; ବିଶେଷ କରି ୧୯୮୯ରେ ଦ୍ୱିତୀୟ ବିଶ୍ୱ ରୂପେ ପରିଚିତ ସୋଭିଏତ୍ ୟୁନିଅନ୍ ସମେତ ପୂର୍ବ ଇଉରୋପୀୟ କମ୍ୟୁନିଷ୍ଟ ଦେଶମାନଙ୍କର ବିଲୟ ସହିତ ତଥାକଥିତ ଦ୍ୱିତୀୟ ବିଶ୍ୱର ବିଲୟ ଘଟିବା ପରେ ପୂର୍ବରୁ ତୃତୀୟ ବିଶ୍ୱ ରୂପେ ବର୍ଣ୍ଣନା କରାଯାଉଥିବା ଅନଗ୍ରସର ଦେଶମାନଙ୍କୁ ବିକାଶଶୀଳ ଦେଶ ରୂପେ ଅଭିହିତ କରାଯିବାକୁ ଲାଗିଲା। ଭାରତ ହେଉଛି ଏଇଭଳି ଏକ ବିକାଶଶୀଳ ଦେଶ ଯେଉଁଠି ପୃଥିବୀର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସର୍ବାଧିକ ସଂଖ୍ୟକ ଲୋକ ବାସ କରନ୍ତି। ପୃଥିବୀର ଧନୀ ଦେଶମାନଙ୍କୁ (ମୁଖ୍ୟତଃ ପଶ୍ଚିମ ଇଉରୋପ, ଉତ୍ତର ଆମେରିକା, ଜାପାନ ଆଦି) ପ୍ରଥମ ବିଶ୍ୱ ରୂପେ ବର୍ଣ୍ଣନା କରାଯାଇଥାଏ। ଉପରଲିଖିତ ଉକ୍ତିଟିର ସରଳାର୍ଥ ହେଲା ଗରିବ ଭାରତୀୟମାନଙ୍କର ନାଗରିକ ଅଧିକାର ଧନୀ ଆମେରିକୀୟମାନଙ୍କ ନାଗରିକ ଅଧିକାର ସହିତ ସମାନ।
ତେବେ ସମ୍ବିଧାନ ପୃଷ୍ଠାରେ କିମ୍ବା ଆଇନ କାନୁନ୍ର ଧାରା ଓ ଉପଧାରାରେ ଏ ଅଧିକାରମାନ ଲିପିବଦ୍ଧ ହୋଇଥିଲେ ହେଁ ବାସ୍ତବ ଦୁନିଆରେ ପ୍ରତ୍ୟେକ ଶ୍ରେଣୀର ନାଗରିକମାନେ ଯେ ତାହା ଉପଭୋଗ କରିପାରିଥାନ୍ତି, ତାହା ନୁହେଁ। ଦାରିଦ୍ର୍ୟରୁ ଆରମ୍ଭ କରି ସାମାଜିକ ଓ ସାଂସ୍କୃତିକ ଚାପ ପର୍ଯ୍ୟନ୍ତ ଯୋଗୁଁ ଦେଶର ଅନେକ ନାଗରିକ ସର୍ବଦା ସମାନ ଅଧିକାର ଉପଭୋଗ କରି ପାରିନଥାନ୍ତି। ଏହିପରି ଗୋଟିଏ ଶ୍ରେଣୀର ନାଗରିକମାନେ ହେଉଛନ୍ତି ଦେଶସାରା ନିୟୋଜିତ ଥିବା ପାରିବାରିକ ବା ଘରୋଇ ସହାୟକମାନେ। ଏକ ଆକଳନ ଅନୁସାରେ ସାରା ଦେଶରେ ସେମାନଙ୍କ ସଂଖ୍ୟା ହେବ ପ୍ରାୟ ୫୦ ଲକ୍ଷ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ଅନେକ ସହରୀ ପରିବାରର ସେମାନେ ଏପରି ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇ ଗଲେଣି ଯେ ମୁମ୍ବାଇ ଭଳି ମହାନଗରୀର ସାଂସ୍କୃତିକ ଜୀବନର ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରୂପେ ସ୍ୱୀକୃତି ଲାଭ କରି ସାରିଛନ୍ତି (‘ବାଈ’କୁ କେନ୍ଦ୍ର କରି ଅସୁମାରି କାହାଣୀ ଓ ଜୋକ୍ ସହିତ କିଏ ବା ପରିଚିତ ନୁହେଁ?)।
ଘରୋଇ ସହାୟକମାନେ ଯେହେତୁ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି, ସେମାନେ ସଂଗଠିତ କ୍ଷେତ୍ରରେ ନିଯୁକ୍ତ ଅନ୍ୟମାନଙ୍କ ଭଳି ଅନେକ ସୁବିଧା ସୁଯୋଗ ଉପଭୋଗ କରିପାରି ନଥାନ୍ତି। କେନ୍ଦ୍ର ସରକାର ବର୍ତ୍ତମାନ ଏହି ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟରେ ଏକ ଚିଠା ନୀତି ପ୍ରଣୟନ କରି ଏ ସମ୍ପର୍କରେ ଜନସାଧାରଣଙ୍କ ମତାମତ ଲୋଡ଼ିବା ପାଇଁ ପ୍ରସାର କରିଛନ୍ତି। ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରସାରିତ ଏହି ଚିଠା ନୀତିର ଚାରିଟି ମୁଖ୍ୟ ଦିଗ ହେଲା: ଘରୋଇ ସହାୟକମାନଙ୍କୁ ଶ୍ରମିକ ରୂପେ ସ୍ୱୀକୃତି ପ୍ରଦାନ କରିବା; ସେମାନଙ୍କ ପାଇଁ ଏକ ସର୍ବନିମ୍ନ ମଜୁରି, ପେନ୍ସନ୍, ସ୍ୱାସ୍ଥ୍ୟ ଭତ୍ତା ଆଦି ଭଳି ସାମାଜିକ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରିବା; ସେମାନଙ୍କୁ ସଂଘ ଗଠନ ପାଇଁ ବିଧିବଦ୍ଧ ଅନୁମତି ଦେବା ଏବଂ ନିଯୁକ୍ତିଦାତାଙ୍କ ସହିତ ସେମାନଙ୍କର ବିବାଦ ସମାଧାନ ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିବା। ଏହାଦ୍ୱାରା ସଂଗଠିତ କ୍ଷେତ୍ରରେ ନିଯୁକ୍ତ ଶ୍ରମିକମାନଙ୍କ ପାଇଁ ରହିଥିବା ଆଇନଗତ ଅଧିକାରମାନ ଘରୋଇ ସହାୟକମାନଙ୍କୁ ମଧ୍ୟ ଉପଲବ୍ଧ ହୋଇ ପାରିବ ବୋଲି ଶ୍ରମ ମନ୍ତ୍ରଣାଳୟ ବିଜ୍ଞପ୍ତିରେ କୁହାଯାଇଛି।
ସରକାରଙ୍କର ଏହି ସଦ୍ୟତମ ଉଦ୍ୟମର ଦୁଇଟି ଦିଗ ସମ୍ବନ୍ଧରେ କୌଣସି ସନ୍ଦେହ ନାହିଁ: ଏହା ଏକ ମହତ୍ ଚିନ୍ତା ଏବଂ କାଗଜପତ୍ରରେ ଅଧିକାର ପ୍ରଦାନ କରିବା ସହଜ। ଅବଶ୍ୟ ଯାହା ପ୍ରକାଶ୍ୟରେ କୁହାଯାଇ ନାହିଁ ତାହା ହେଲା ଏହା ରାଜନୈତିକ ଦୃଷ୍ଟିରୁ ବେଶ୍ ଲାଭପ୍ରଦ ହେବାର ସମ୍ଭାବନା ବହନ କରିଥାଏ। କିନ୍ତୁ ବାସ୍ତବତା ଦୃଷ୍ଟିରୁ ଦେଖିଲେ ସରକାରଙ୍କର ଏହି ପଦକ୍ଷେପ ଯୋଗୁଁ ଘରୋଇ ସହାୟକମାନେ କେତେ ଦୂର ଲାଭବାନ ହେବେ ଏବଂ ଦେଶର ଅର୍ଥନୀତି କେତେ ଦୂର ଲାଭବାନ ହେବ, ତାହା ସନ୍ଦେହଜନକ। ଦେଶରେ ଯଥେଷ୍ଟ ନିଯୁକ୍ତି ସୃଷ୍ଟି ହେଉନାହିଁ ବୋଲି ବର୍ତ୍ତମାନ ବିରୋଧୀ ଦଳ ମାନେ କ୍ଷମତାସୀନ ମୋଦୀ ସରକାର ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି। ଭାରତୀୟ ଅର୍ଥନୀତିର ଗଠନ ଓ ଚରିତ୍ର ସମ୍ବନ୍ଧରେ ପରିଚିତ ସମସ୍ତଙ୍କୁ ଜଣା ଯେ ଶ୍ରମିକ ସଂଘ ମାନଙ୍କର ଆନ୍ଦୋଳନାତ୍ମକ ଆଭିମୁଖ୍ୟ ଏବଂ ଉଚ୍ଚ ସର୍ବନିମ୍ନ ମଜୁରି ନିୟମ ଯୋଗୁଁ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ବାଣିଜ୍ୟ ସଂସ୍ଥାମାନେ ନିଯୁକ୍ତି ସୃଷ୍ଟି କରିବାକୁ ପଛଘୁଞ୍ଚା ଦେଉଛନ୍ତି।
ଘରୋଇ ସହାୟକମାନଙ୍କର ନିଯୁକ୍ତିଦାତା ହେଉଛି ଏକ ପରିବାର, କୌଣସି ବିଧିବଦ୍ଧ ଶିଳ୍ପ ବାଣିଜ୍ୟ ଅନୁଷ୍ଠାନ ନୁହେଁ। ଘରୋଇ ସହାୟକ ଜଣଙ୍କୁ ନିଯୁକ୍ତି ଦେବା ପାଇଁ କିଂବା ତାଙ୍କର ମଜୁରି ବୃଦ୍ଧି କରିବା ପାଇଁ ଶ୍ରମିକ ସଂଘ ସହିତ ମୂଲଚାଲ, କଥାବାର୍ତ୍ତା କରିବା ଏକ ନିଯୁକ୍ତିଦାତା ପରିବାର ପକ୍ଷରେ କିପରି ଏକ ଦୁରୂହ କିଂବା ଅସମ୍ଭବ ବ୍ୟାପାର ତାହା ବୁଝାଇବା ଅନାବଶ୍ୟକ। ସରକାରଙ୍କ ଦ୍ୱାରା ପ୍ରଣୀତ ନୀତିରେ ଯେଉଁ ପେନ୍ସନ ଏବଂ ସ୍ୱାସ୍ଥ୍ୟ ଭତ୍ତା ବ୍ୟବସ୍ଥା ରଖାଯାଇଛି ତାହା ଯେତେ ସ୍ୱାଗତଯୋଗ୍ୟ ହେଲେ ବି ତାହା ବାସ୍ତବରେ କିପରି କାର୍ଯ୍ୟକାରୀ ହୋଇପାରିବ ବୁଝା ପଡୁନାହିଁ। ନିଯୁକ୍ତିଦାତା ପରିବାର କ’ଣ ଏକ ପେନ୍ସନ୍ ଏକାଉଣ୍ଟରେ ତାଙ୍କର ପେନ୍ସନ୍ ଦେୟ ରାଶିକୁ ନିୟମିତ ଜମା କରି ଚାଲିବେ? ନିଯୁକ୍ତ ଘରୋଇ ସହାୟକଙ୍କ ଦରମାର ଏକ ଅଂଶ ମଧ୍ୟ ଏଥିରେ ଜମା ହେବା ଆବଶ୍ୟକ।
ସହାୟକଙ୍କ ପକ୍ଷରେ ଏହି ଚଳନ୍ତି ବୋଝ ବହନ କରିବା ସମ୍ଭବ ନହୋଇପାରେ। ଫଳରେ ହାତରେ ଅଧିକ ପଇସା ରଖିବା ପାଇଁ ସେ ବ୍ୟବସ୍ଥା ବାହାରକୁ ଯାଇ ନିଯୁକ୍ତିଦାତାଙ୍କ ସହିତ ଏକ ଅଣ-ଆନୁଷ୍ଠାନିକ, ବ୍ୟକ୍ତିଗତ ରାଜିନାମା କରି ପାରନ୍ତି। ତା’ହେଲେ ଉଭୟ ସହାୟକ ଓ ନିଯୁକ୍ତିଦାତାଙ୍କ ପାଇଁ ଉପରୋକ୍ତ ସରକାରୀ ବ୍ୟବସ୍ଥା ଏକ ଅନାବଶ୍ୟକ ପ୍ରତିବନ୍ଧ ସଦୃଶ କାର୍ଯ୍ୟ କରିବ। ପୁଣି ଏ ଭଳି ନିୟୁତ ନିୟୁତ ପେନ୍ସନ୍ ଏକାଉଣ୍ଟ ପରିଚାଳନା କରିବା ପାଇଁ ‘ଇପିଏଫ୍ଓ’ କିଂବା ‘ପିଏଫ୍ଆର୍ଡିଏ’ ଭଳି ସଂସ୍ଥା ସମର୍ଥ ହେବେ ତ?
ସେଇଭଳି ସର୍ବନିମ୍ନ ମଜୁରି ହାର, ଯଦି ନିଯୁକ୍ତିଦାତା ପରିବାର କ୍ଷମତା ବହିର୍ଭୂତ ହୁଏ କିଂବା ସରକାର ଯଦି ଏକ ସର୍ବନିମ୍ନ ପେନ୍ସନ୍ ମଧ୍ୟ ଲାଗୁ କରନ୍ତି, ତେବେ ଅନେକ ପରିବାର ଘରୋଇ ସହାୟକ ନିଯୁକ୍ତ କରିବାକୁ ଅକ୍ଷମ ହୋଇପଡ଼ିବେ। ସେମାନେ ଅଗତ୍ୟା ବିନା ସହାୟକରେ ପରିବାର ଚଳାଇବାର ଉପାୟ ଖୋଜିବେ। ପ୍ରଥମ ବିଶ୍ୱ ଭଳି ଏଠାରେ ମଧ୍ୟ ପାରିବାରିକ ସହାୟକ ବ୍ୟବସ୍ଥା ଲୋପ ପାଇବ। ଲୁଗା ସଫା/ବାସନ ମଜା ମେସିନ୍ ଭଳି ଯନ୍ତ୍ର ମାନ ସହାୟକ ମାନଙ୍କର ସ୍ଥାନ ଦଖଲ କରିବେ। ଭାରତୀୟ ସ୍ୱଚ୍ଛଳ ପରିବାରମାନ ଯେତେ ଅଧିକରୁ ଅଧିକ ଆତ୍ମ ନିିର୍ଭରଶୀଳ ହେବାରେ ଲାଗିବେ, ତଥାପି ତୃତୀୟ ବିଶ୍ୱର ଅଂଶ ହୋଇଥିବା ଦେଶର ଏହି ନିୟୁତ ନିୟୁତ ସମ୍ଭାବ୍ୟ ଘରୋଇ ସହାୟକମାନେ ସେତେ ଅଧିକରୁ ଅଧିକ ସେମାନଙ୍କର ନିଯୁକ୍ତି ହରାଇବାରେ ଲାଗିବେ। ଏହା ଅଧିକ ନିଯୁକ୍ତି ମରୁଡ଼ି ସୃଷ୍ଟି କରିବ। ଏ କଥା ମଧ୍ୟ ଭୁଲିବା ଉଚିତ ନୁହେଁ ସମସ୍ତ ଘରୋଇ ସହାୟକ ଏବଂ ଘର ମଧ୍ୟରେ ଥିବା ସମ୍ପର୍କ ଶୋଷଣ ଭିତ୍ତିକ ନୁହେଁ। ସରକାରଙ୍କ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ କାହାରି ମଙ୍ଗଳ ସାଧିତ ହେବ ନାହିଁ।