ପୁଞ୍ଜି ଓ ଲାଭ

କଥାଟିଏ, ଯାଯାବର

ତରୁଣ ଦ˚ପତି ଅତି ନିରାଡ଼ମ୍ବର ଓ ସାଦା ଜୀବନ କାଟୁଥିଲେ। କିନ୍ତୁ ସେମାନଙ୍କ ସମ ବୟସ୍କ ବନ୍ଧୁବର୍ଗ ସେମାନଙ୍କ ଯୌବନକୁ ଉପଭୋଗ କରୁଥିଲେ। ବନ୍ଧୁମାନେ ଭଲ ଉପାର୍ଜନ କରୁଥିଲେ ଏବ˚ ସେମାନଙ୍କ ଆୟକୁ ବିଭିନ୍ନ ପ୍ରକାର ଆନନ୍ଦ ଉନ୍ମାଦନା ଲାଗି ଖର୍ଚ୍ଚ କରୁଥିଲେ। ଏହା ଦେଖି ଦିନେ ତରୁଣୀ ପତ୍ନୀ ସ୍ବାମୀକୁ କହିଲା- ଆମକୁ ଲୋକେ କୃପଣ ବୋଲି କହୁଛନ୍ତି? ତୁମେ ତ ଭଲ ରୋଜଗାର କରୁଛ, ପୁଣି କାହିଁକି ଏମିତି ସାଦା ଜୀବନ କାଟିବା ଲାଗି କହୁଛ। ଆମେ ଚାହିଁଲେ ବି ଅନ୍ୟମାନଙ୍କ ଭଳି ସୁଖମୟ ଜୀବନ ଜିଇପାରନ୍ତେ। ଏହା ଶୁଣି ତରୁଣ ପତି କହିଲା- କିନ୍ତୁ ମୁଁ ବି ସେମାନଙ୍କ ଭଳି ମୋ ଅର୍ଥ ବ୍ୟୟ କରୁଛି। ଅନ୍ୟମାନେ ଆନନ୍ଦ ଭୋଗ ଲାଗି ଅର୍ଥ ଓ ସମୟ ବିନିଯୋଗ କରୁଥିବା ବେଳେ ଆମେ ଆମ ସନ୍ତାନକୁ ଗଢ଼ିବା ଲାଗି ତାହା କରୁଛେ। ଦିନ ଆସିବ, ଆମେ ବି ଆନନ୍ଦ ଭୋଗ କରିବା। ଧୈର୍ଯ୍ୟ ଧରି ଅପେକ୍ଷା କର।

ବୟସ ଗଡ଼ିଗଲା। ସେମାନଙ୍କ ସନ୍ତାନଟି ସୁସ˚ସ୍କୃତ, ଜ୍ଞାନୀ ସୁପୁରୁଷରେ ପରିଣତ ହେଲା। ବୃଦ୍ଧ ବୟସରେ ଦ˚ପତିଙ୍କ ବହୁତ ଯତ୍ନ ନେଲା। ତାର ଯଶରେ ପିତାମାତା ବି ଉଦ୍‌ଭାସିତ ହେଲେ। ଏବେ ସେମାନଙ୍କୁ କୃପଣ ବୋଲି କହୁଥିବା ପ୍ରତିବେଶୀମାନେ ନିରବରେ ଏହା ଦେଖି କେବଳ ଈର୍ଷା କରୁଥିଲେ।

ଏଇ ସମୟରେ ଦିନେ ସ୍ବାମୀ ତା ସ୍ତ୍ରୀକୁ କହିଲା- ଏବେ ବୁଝିପାରିଲ ତ ମୋ କଥାର ମର୍ମ। ଯୌବନଟି ହେଉଛି ପୁଞ୍ଜି ନିବେଶର ବେଳ, କାମ କରିବାର ବେଳ ଯାହାର ଲାଭ ତୁମକୁ ବୃଦ୍ଧ ବୟସରେ ମିଳିବ। ତୁମେ ଯେମିତି ପୁଞ୍ଜି ଲଗାଇଛ, ସେଇ ଅନୁସାରେ ଲାଭ ପାଇବ।

ସମ୍ବନ୍ଧିତ ଖବର