ଚଳିତ ବର୍ଷର ନୋବେଲ୍ ପୁରସ୍କାର ବିଜେତାମାନେ କିନ୍ତୁ ସେମାନଙ୍କର ଉପଲବ୍‌ଧି ମାଧ୍ୟମରେ ପଦାର୍ଥବିଜ୍ଞାନ ପରିସରରେ ପରୀକ୍ଷା ଓ ପ୍ରୟୋଗର ଗୁରୁତ୍ବ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନାଯୋଗ୍ୟ, ତତ୍ତ୍ବ ନୂତନ ସମ୍ଭାବନାମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ; ପରୀକ୍ଷା ସେଇ ସମ୍ଭାବନା ବାସ୍ତବତାରେ ପରିଣତ ହେବା ପାଇଁ ପଥ ପ୍ରଦର୍ଶନ କରିଥାଏ।

Advertisment

କ୍ବାଣ୍ଟମ୍ ମେକାନିକ୍‌ସକୁ ଶେଷ ପର୍ଯ୍ୟନ୍ତ ପୂର୍ଣ୍ଣ ପ୍ରାଣରେ ଗ୍ରହଣ କରିପାରି ନ ଥିବା ଆଇନ୍‌ଷ୍ଟାଇନ୍ ଏହାକୁ ଏକଦା ଏକ ଭୌତିକ କାରବାର ରୂପେ ବର୍ଣ୍ଣନା କରିଥିଲେ। ବିଂଶ ଶତାବ୍ଦୀର ଅନ୍ୟ ଜଣେ ବିଚକ୍ଷଣ ପ୍ରଭାବଶାଳୀ ପଦାର୍ଥବିଜ୍ଞାନୀ ରିଚାର୍ଡ ଫାଇନ୍‌ମ୍ୟାନ୍ ଥରେ ମନ୍ତବ୍ୟ ପ୍ରଦାନ କରିଥିଲେ: ‘‘ମୁଁ ନିରାପଦରେ ଘୋଷଣା କରିପାରେ ଯେ କେହି ହେଲେ କ୍ବାଣ୍ଟମ୍ ମେକାନିକ୍‌ସକୁ ବୁଝି ନାହାନ୍ତି।’’ ଠିକ୍ ଯେମିତି କ୍ବାଣ୍ଟମ୍ ମେକାନିକ୍‌ସ ତତ୍ତ୍ବକୁ ପ୍ରଭାବିତ କରିଥିବା ହିନ୍ଦୁ ବେଦାନ୍ତ ଦର୍ଶନକୁ କେହି ହେଲେ ସଂପୂର୍ଣ୍ଣ ରୂପେ ବୁଝି ନଥାନ୍ତି, ଯାହା ଅନୁସାରେ ଦୃଶ୍ୟମାନ ଜଗତ ହେଉଛି ଏକ ମାୟା, ଯାହା ସତ ନୁହେଁ କି ମିଛ ନୁହେଁ। (ଏହାର ଏକ ଉଦାହରଣ ସ୍ବରୂପ ତାଙ୍କର ଦାର୍ଶନିକ ବନ୍ଧୁ ହାନ୍‌ସ ରାଇକେନ୍‌ବାକ୍‌ଙ୍କ ମାଧ୍ୟମରେ ବେଦାନ୍ତ ଦର୍ଶନ ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଥିବା କ୍ବାଣ୍ଟମ୍ ମେକାନିକ୍‌ସର ତରଙ୍ଗ ତତ୍ତ୍ବର ଆବିଷ୍କର୍ତ୍ତା ମହାନ ଅଷ୍ଟ୍ରୀୟ ପଦାର୍ଥବିଜ୍ଞାନୀ ଏର୍‌ୱିନ୍ ସ୍ରୋଡିଙ୍ଗର୍ ପ୍ରମାଣ କରିଛନ୍ତି ଯେ କଠିନ ବସ୍ତୁମାନଙ୍କୁ ନେଇ ଗଠିତ ଆମର ପରିଚିତ ଦୁନିଆ ହେଉଛି ପ୍ରକୃତରେ ତରଙ୍ଗମାନଙ୍କର ଏକ ସମଷ୍ଟି- ଏକ ତରଙ୍ଗାୟିତ ଜଳାଶୟ ଭଳି।)
ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଅକ୍‌ଟୋବର ୭ ତାରିଖରେ ସ୍ବିଡେନ୍‌ର ‘ରୟାଲ୍ ଏକାଡେମୀ ଅଫ୍ ସାଇନ୍‌ସ’ ଯେତେବେଳେ ୨୦୨୫ ପାଇଁ ପଦାର୍ଥବିଜ୍ଞାନରେ ନୋବେଲ୍ ପ୍ରାଇଜ୍ ଘୋଷଣା କଲା, ସେତେବେଳେ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ତାହାର ଥଳକୂଳ ନ ପାଇ ସେମାନଙ୍କର ସ୍ବଭାବସୁଲଭ ପ୍ରଗଳ୍‌ଭତା ପରିତ୍ୟାଗ କରି ପ୍ରଶ୍ନୋତ୍ତର କାଳରେ କୌଣସି ପ୍ରଶ୍ନ ନ ପଚାରି ପ୍ରାୟ ଚୁପ୍ ହୋଇ ବସି ରହିବା ଦେଖାଯାଇଥିଲା। କ୍ବାଣ୍ଟମ୍ ମେକାନିକ୍‌ସର ରହସ୍ୟମୟ ଦୁନିଆ ହେଉଛି ଅଣୁ ଠାରୁ କ୍ଷୁଦ୍ରତର କଣିକାମାନଙ୍କର ଦୁନିଆ। ବୃହତ୍ତର (ମାକ୍ରୋ) ଦୁନିଆ କିନ୍ତୁ କ୍ଲାସିକାଲ୍ ପଦାର୍ଥବିଜ୍ଞାନର ନିୟମମାନଙ୍କୁ ପ୍ରୟୋଗ କରି ଚଳିଥାଏ। ବୃହତ୍ତର ଦୁନିଆରେ ଯଦି କ୍ବାଣ୍ଟମ୍ ନିୟମ ପ୍ରୟୋଗ ସମ୍ଭବ ହୁଅନ୍ତା, ସେଥିରୁ ଅଶେଷ ସୁଫଳ ମିଳିପାରନ୍ତା ବୋଲି ପଦାର୍ଥବିଜ୍ଞାନୀମାନେ ଜାଣନ୍ତି। କିନ୍ତୁ ସମସ୍ୟା ହେଲା କ୍ବାଣ୍ଟମ୍ ଆଚରଣ କେବଳ କ୍ଷୁଦ୍ରାତିକ୍ଷୁଦ୍ର କଣିକାମାନଙ୍କ ଠାରେ ପରିଲକ୍ଷିତ ହୋଇଥାଏ, ମାକ୍ରୋ ଦୁନିଆରେ ତାହା ଉଭାନ ହୋଇଯାଇଥାଏ।
ଚଳିତ ବର୍ଷ ନୋବେଲ୍ ପୁରସ୍କାର ପାଇଥିବା ପଦାର୍ଥବିଜ୍ଞାନୀ ତିନି ଜଣ - ଜନ୍ କ୍ଲାର୍କ, ମିସେଲ୍ ଡେଭରେ ଓ ଜନ୍ ମାର୍ଟିନିସ୍ - ସେମାନଙ୍କର ଗବେଷଣା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି ଯେ ଏକ ବିଶେଷ ପରିବେଶ ସୃଷ୍ଟି ଦ୍ବାରା ବୃହତ୍ତର ଦୁନିଆରେ ବ୍ୟବହୃତ ଦୈନନ୍ଦିନ ବିଜୁଳି ସର୍କିଟ୍‌ମାନଙ୍କରେ କ୍ବାଣ୍ଟମ୍ ଆଚରଣର ଆବିର୍ଭାବ ସମ୍ଭବ କରାଯାଇ ପାରିବ। ଏପରି ଏକ ବିଶେଷ ପ୍ରକ୍ରିୟା ହେଉଛି- ‘କ୍ବାଣ୍ଟମ୍ ଟନେଲିଙ୍ଗ୍’, ଯାହାର ଆକ୍ଷରିକ ଅନୁବାଦ କରାଯାଇପାରେ- ‘କ୍ବାଣ୍ଟମ୍ ସୁଡ଼ଙ୍ଗ ଖନନ’। ଏହା ଅନୁସାରେ କ୍ଲାସିକାଲ୍ ପଦାର୍ଥବିଜ୍ଞାନରେ ଅଲଂଘ୍ୟ ହୋଇଥିବା ପ୍ରତିବନ୍ଧକମାନଙ୍କୁ କ୍ବାଣ୍ଟମ୍ ମେକାନିକ୍‌ସରେ କଣିକାମାନ ଅନାୟାସରେ ଅତିକ୍ରମ କରିପାରିଥାନ୍ତି।
ଏହା ସୁବିଦିତ ଯେ ପରୀ କାହାଣୀର କଲରେଇ ଫୁଲ ଭଳି କ୍ବାଣ୍ଟମ୍ ମେକାନିକ୍‌ସରେ କଣିକାମାନ (ଯେମିତି ଇଲେକ୍ଟ୍ରନ୍) ପର୍ଯ୍ୟବେକ୍ଷକଙ୍କ ସହିତ ଲୁଚକାଳି ଖେଳିଥାନ୍ତି। ସେମାନେ ଏକାନ୍ତରେ ଯେଉଁ ଆଚରଣ ପ୍ରଦର୍ଶନ କରିଥାନ୍ତି, ତାହାକୁ ଏକ ବୃହତ୍ତର ପରିପ୍ରେକ୍ଷୀରେ ପ୍ରୟୋଗ କରିବାକୁ ଚେଷ୍ଟା କଲେ ସେମାନେ ଲୁଚି ଯାଇଥାନ୍ତି। କ୍ଲାର୍କ, ଡେଭରେ ଓ ମାର୍ଟିନିସ୍ କିନ୍ତୁ ଯେଉଁ ଚମତ୍କାରିତା ହାସଲ କରିଛନ୍ତି, ତାହା ହେଲା ସେମାନେ ପ୍ରମାଣିତ କରିଛନ୍ତି ଯେ ଚତୁର ଡିଜାଇନ୍ ଓ ନିୟନ୍ତ୍ରଣ ଦ୍ବାରା ଏକ ବୃହତ୍ ବିଦ୍ୟୁତ୍ ସର୍କିଟରେ ମଧ୍ୟ‌ କ୍ବାଣ୍ଟମ୍ ଚରିତ୍ରକୁ ସୁରକ୍ଷିତ ରଖାଯାଇ ପାରିବ ଓ ପରିମାପ କରାଯାଇ ପାରିବ। କୁହାଯାଇପାରେ ଯେ ଏହା କ୍ଷୁଦ୍ରାତିକ୍ଷୁଦ୍ର (ମାଇକ୍ରୋସ୍କୋପିକ୍) କ୍ବାଣ୍ଟମ୍ ଦୁନିଆ ଓ ବୃହଦାକାର (ମାକ୍ରୋସ୍କୋପିକ୍) ବାସ୍ତବ ଦୁନିଆ ଭଳି ଦୁଇ ସଂପୂର୍ଣ୍ଣ ରୂପେ ବିଚ୍ଛିନ୍ନାଞ୍ଚଳ ମଧ୍ୟରେ ଏକ ଯୋଗସୂତ୍ର ସ୍ଥାପନକାରୀ ସେତୁବନ୍ଧ ବାନ୍ଧିବାରେ ସହାୟକ ହୋଇଛି। ଏହି ଯୋଗସୂତ୍ର ସ୍ଥାପନ ଦ୍ବାରା କ୍ବାଣ୍ଟମ୍ କମ୍ପ୍ୟୁଟର୍‌ରୁ ଆରମ୍ଭ କରି କ୍ବାଣ୍ଟମ୍ ସେନ୍‌ସର୍ ଓ କ୍ବାଣ୍ଟମ୍ କ୍ରିପ୍‌ଟୋଗ୍ରାଫି ଆଦି ପର୍ଯ୍ୟନ୍ତ କ୍ବାଣ୍ଟମ୍ ଟେକ୍‌ନୋଲୋଜିର ସୃଷ୍ଟି ସମ୍ଭବ ହେବ। ଅର୍ଥାତ୍ କ୍ବାଣ୍ଟମ୍ ଆଚରଣ ଆଉ ଏକ ଜଟିଳ ତାତ୍ତ୍ବିକ ଜଗତରେ ଏକ ଆଳଙ୍କାରିକ ଧାରଣା ହୋଇ ନ ରହି ବାସ୍ତବ ଜଗତରେ ନୂତନ ଶକ୍ତିଶାଳୀ ଯନ୍ତ୍ରପାତି ଓ ସର୍କିଟ ଆଦି ନିର୍ମାଣର ମୂଳଭିତ୍ତି ରୂପେ କାର୍ଯ୍ୟ କରିବ।
ପୃଥିବୀରେ ବର୍ତ୍ତମାନ କ୍ବାଣ୍ଟମ୍ କମ୍ପ୍ୟୁଟର୍ ଓ ଅନ୍ୟାନ୍ୟ କ୍ବାଣ୍ଟମ୍-ଭିତ୍ତିକ ଉପକରଣମାନ ନିର୍ମାଣ କରିବା ନିମିତ୍ତ ଯେଉଁ ଦୌଡ଼ ଦେଖାଦେଇଛି, ସେଥିରେ ଅଗ୍ରଗତି ହାସଲ ନିମିତ୍ତ ଉପରୋକ୍ତ ତିନି ପଦାର୍ଥବିଜ୍ଞାନୀମାନଙ୍କର ଏହି ଅବଦାନ ଏକ ବି‌େଶଷ ଗୁରୁତ୍ବ ବହନ କରିଥାଏ। ଯଦି ଏଥିରେ ତଥାପି ରହିଯାଇଥିବା ତ୍ରୁଟିମାନ, କ୍ବାଣ୍ଟମ୍ ଆଚରଣରେ ଶବ୍ଦଜନିତ କ୍ଷତି (ଡିକୋହରେନ୍‌ସ) ଆଦିକୁ ସୀମିତ କରି ଦିଆଯାଇ ପାରିବ, ତେବେ ଏହି ନୂତନ ପ୍ରବିଧି କମ୍ପ୍ୟୁଟିଙ୍ଗ୍‌ରୁ ଯୋଗାଯୋଗ ପର୍ଯ୍ୟନ୍ତରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ।
ପଦାର୍ଥବିଜ୍ଞାନରେ ପରୀକ୍ଷା ଅପେକ୍ଷା ତାତ୍ତ୍ବିକ ଆବିଷ୍କାର ସର୍ବଦା ଅଗ୍ରାଧିକାର ଲାଭ କରିଆସିଛି। ଆଇନ୍‌ଷ୍ଟାଇନ୍‌ଙ୍କ ମସ୍ତିଷ୍କରୁ ବାହାରିଥିବା ତତ୍ତ୍ବମାନଙ୍କର ସତ୍ୟତା କିପରି ପରବର୍ତ୍ତୀ ସମୟରେ ଓ ଆଜିଯାଏ ପରୀକ୍ଷା ଦ୍ବାରା ସତ୍ୟ ସାବ୍ୟସ୍ତ ହେବାରେ ଲାଗିଛି, ତାହା ଚମକପ୍ରଦ କିଂବଦନ୍ତିରେ ପରିଣତ ହୋଇଛି। ଚଳିତ ବର୍ଷର ନୋବେଲ୍ ପୁରସ୍କାର ବିଜେତାମାନେ କିନ୍ତୁ ସେମାନଙ୍କର ଉପଲବ୍‌ଧି ମାଧ୍ୟମରେ ପଦାର୍ଥବିଜ୍ଞାନ ପରିସରରେ ପରୀକ୍ଷା ଓ ପ୍ରୟୋଗର ଗୁରୁତ୍ବ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନାଯୋଗ୍ୟ, ତତ୍ତ୍ବ ନୂତନ ସମ୍ଭାବନାମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ; ପରୀକ୍ଷା ସେଇ ସମ୍ଭାବନା ବାସ୍ତବତାରେ ପରିଣତ ହେବା ପାଇଁ ପଥ ପ୍ରଦର୍ଶନ କରିଥାଏ।
ତେବେ ଏହି ସମସ୍ତ ସମ୍ଭାବନା ସାକାର ହେବା ପଥ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହୋଇଥାଏ। ପରୀକ୍ଷାଗାରରେ ପ୍ରସ୍ତୁତ ଏକ ସୁନିୟନ୍ତ୍ରିତ କମ୍ପ୍ୟୁଟର୍‌କୁ ଏକ ବ୍ୟବହାରଯୋଗ୍ୟ ବୃହତ୍ ଶକ୍ତିଶାଳୀ କ୍ବାଣ୍ଟମ୍ କମ୍ପ୍ୟୁଟର୍‌ରେ ରୂପାନ୍ତରିତ କରିବା ଏକ ସହଜସାଧ୍ୟ କାର୍ଯ୍ୟ ନୁହେଁ। ତ୍ରୁଟି ସଂଶୋଧନ, ନିର୍ଭରଯୋଗ୍ୟତା ଓ ନିର୍ଭୁଲ୍‌ ନିୟନ୍ତ୍ରଣ ଆଦିର ଆବଶ୍ୟକତା ଯେଉଁ କଠିନ ପ୍ରତିବନ୍ଧକମାନ ସୃଷ୍ଟି କରିଥାନ୍ତି, ତାହାକୁ ଅତିକ୍ରମ କରିବା ଅସମ୍ଭବ ନ ହେଲେ ମଧ୍ୟ ଅତ୍ୟନ୍ତ ଦୁରୂହ ବ୍ୟାପାର ହୋଇଥାଏ। ପଦାର୍ଥବିଜ୍ଞାନୀମାନେ ଜାଣନ୍ତି କ୍ବାଣ୍ଟମ୍ ଅବସ୍ଥା ଅତ୍ୟନ୍ତ ସ୍ପର୍ଶକାତର ଓ କ୍ଷଣଭଙ୍ଗୁର ହୋଇଥାଏ। ପରିବେଶର ଉତ୍ତାପରୁ ଆରମ୍ଭ କରି ଇଲେକ୍ଟ୍ରୋମାଗ୍ନେଟିକ୍ କ୍ଷେତ୍ର, ଅନ୍ୟ ଅଣୁ ଆଦିର ଉପସ୍ଥିତି ଏଥିରେ ବିଭ୍ରାଟ ସୃଷ୍ଟି କରିପାରେ। ଏହାକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସୁଚତୁର ଡିଜାଇନ୍ ଓ ଉପଯୁକ୍ତ ପଦାର୍ଥମାନଙ୍କର ବ୍ୟବହାର ଜରୁରି ହୋଇଥାଏ। ଏଥିପାଇଁ କ୍ରାୟୋଜେନିକ୍ ଶୀତଳୀକରଣ, ଅତି-ସୂକ୍ଷ୍ମ ନିର୍ମାଣ ଓ ଚରମ ଏକାନ୍ତୀକରଣ ଆବଶ୍ୟକ ହୋଇଥାଏ। ଏଥିଯୋଗୁଁ ଯେଉଁ ବିଶାଳ ବ୍ୟୟ, ବିଦ୍ୟୁତ୍ ଶକ୍ତି ଉପଯୋଗ ଆଦି ଆବଶ୍ୟକ ହେବ, ତାହା ମଧ୍ୟ ପରୀକ୍ଷାଗାର ବାହାରେ ଏହି ନୂତନ ପ୍ରବିଧିର ବାସ୍ତବ ପ୍ରୟୋଗର ସମ୍ଭାବନା ସମ୍ବନ୍ଧରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ।
କିନ୍ତୁ ଅତୀତରେ ଯେ କୌଣସି ନୂତନ ପ୍ରବିଧିର ଆବିର୍ଭାବ ସମ୍ବନ୍ଧରେ ଏଭଳି ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ସେଥିଯୋଗୁଁ ପ୍ରବିଧିର ଜୟଯାତ୍ରା ଅଟକି ଯାଇନାହିଁ। ଚଳିତ ବର୍ଷ ନୋବେଲ୍ ପୁରସ୍କାର ଦ୍ବାରା ମଣ୍ଡିତ ଏଇ ନୂତନ ପ୍ରାବିଧିକ ସମ୍ଭାବନାର ଜୟଯାତ୍ରା ମଧ୍ୟ ସେଇଭଳି ଅବ୍ୟାହତ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ।