ଚନ୍ଦ୍ରଯାନ-୩ର ବିରାଟ ସଫଳତା ସାରା ବିଶ୍ବରେ ଅବସ୍ଥାପିତ ଭାରତବାସୀଙ୍କ ପାଇଁ ଗର୍ବ ଗୌରବର ଏକ ମହାନ୍ ଅନୁଭୂତି ଆଣି ଦେଇଛି। ୨୩ ଅଗଷ୍ଟ ୨୦୨୩ ତାରିଖର ଉପଲବ୍ଧି ପାଇଁ ଆମ ଭାରତର ନାମ ବିଶ୍ବ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ। ଏହି ଦିବସକୁ ଆମେ ଅନେକ ବର୍ଷ ହେଲା ଅପେକ୍ଷା କରି ଆସିଥିଲୁ। ଆମ ସମସ୍ତଙ୍କର ଆଶା ପୂରଣ ହୋଇଛି। ଚନ୍ଦ୍ରଯାନର ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ର ପୃଷ୍ଠକୁ ଛୁଇଁ ପାରିଛନ୍ତି ଏବଂ ସେଥିରେ ଖଚିତ ଯନ୍ତ୍ରଗୁଡ଼ିକ ଦ୍ବାରା ଅନେକ ତଥ୍ୟ ସଂଗ୍ରହ କରାଯାଉଛି, ଯାହା ଗବେଷଣାରେ ସହାୟକ ହେବ। ଆମେ ବିଶ୍ବର ଚତୁର୍ଥ ଦେଶ ଭାବରେ ଏହି ସୋପାନ ଛୁଇଁପାରିଛୁ। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଆମେ ପ୍ରଥମ ରାଷ୍ଟ୍ର ସାଜି ଏକ ମହାନ ସ୍ଥାନର ଅଧିକାରୀ ହୋଇ ପାରିଛୁ। ଧନ୍ୟ ହୋଇଛି ଆମ ‘ଇସ୍ରୋ’ ଦ୍ବାରା ନିର୍ମିତ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’। ଆମ ଦେଶର ମହାକାଶ ବିଜ୍ଞାନ କାର୍ଯ୍ୟକ୍ରମର ପିତାମହ ଡକ୍ଟର ବିକ୍ରମ ସାରାଭାଇଙ୍କ ସ୍ବପ୍ନ ସାକାର ହୋଇପାରିଛି।
୨୦୦୮ ମସିହାରେ ଚନ୍ଦ୍ରଯାନ-୧ର ସଫଳତା ଏକ ଐତିହାସିକ ଘଟଣା ଥିଲା। ତା’ ପରେ ୨୦୧୩-୧୪ରେ ମଙ୍ଗଳଯାନର ଅଭିଯାନ ମଧ୍ୟ କୃତକାର୍ଯ୍ୟ ହୋଇଥିଲା। ପ୍ରଥମ ଚେଷ୍ଟାରେ ମଙ୍ଗଳ ଗ୍ରହର କକ୍ଷରେ ପହଞ୍ଚି ଆମେ ସାରା ବିଶ୍ବକୁ ଚକିତ କରିଦେଇଥିଲୁ। କିନ୍ତୁ ୨୦୧୯ରେ ଚନ୍ଦ୍ରଯାନ-୨ର ଅଭିଯାନ ବିଫଳ ହୋଇଥିଲା। ଏହି ବିଫଳତା ‘ଇସ୍ରୋ’ର ବୈଜ୍ଞାନିକଙ୍କୁ ଶିକ୍ଷା ଓ ପ୍ରେରଣା ଯୋଗାଇଥିଲା। ଏଥି ସହିତ ଜନସାଧାରଣଙ୍କ ସମର୍ଥନ ପାଇ ଆମେ ପ୍ରତିଶ୍ରୁତିବଦ୍ଧ ହୋଇଥିଲୁ ଯେ ଆମେ ଚନ୍ଦ୍ରରେ ନିଶ୍ଚିତ ଭାବେ ପହଞ୍ଚିବୁ; ଆମର ଲ୍ୟାଣ୍ଡର୍ ଓ ରୋଭର୍ ଚନ୍ଦ୍ରପୃଷ୍ଠରେ ପହଞ୍ଚିବେ ଓ ଗବେଷଣା କରିବାରେ ସହାୟକ ହେବେ।
ଚନ୍ଦ୍ରରେ ବିପୁଳ ପରିମାଣରେ ସିଲିକନ ରହିଛି। ତାହା ଅଲୁମିନା, ଲୌହଅକ୍ସାଇଡ୍, ଲାଇମଷ୍ଟୋନ ଓ ମ୍ୟାଗ୍ନେସିଅମ ଆଦି ଖଣିଜ ପଦାର୍ଥର ଗନ୍ତାଘର। ତେଣୁ ଏସବୁ ମୂଲ୍ୟବାନ ଖଣିଜ ପଦାର୍ଥ ଉପରେ ଗବେଷଣା ଜରୁରୀ। ଚନ୍ଦ୍ରଯାନ-୧ ସମୟରୁ ଆମେ ଚନ୍ଦ୍ର ପୃଷ୍ଠରେ ଜଳର ଉପସ୍ଥିତି ସମ୍ବନ୍ଧୀୟ ନିଷ୍କର୍ଷ ପାଇ ପାରିଛୁ। ଚନ୍ଦ୍ରର ଦକ୍ଷିଣ ମେରୁରେ ହାଇଡ୍ରୋକସିଲ ଆୟନ ଓ ବରଫ ଅବସ୍ଥାରେ ଜଳ ରହିଛି ବୋଲି ଜଣାପଡ଼ିଛି। ତେଣୁ ସେହି ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ଓ ଡେଟା ସଂଗ୍ରହ ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ।
‘ଇସ୍ରୋ’ର ସ୍ପେସ୍ ଆପ୍ଲିକେସନ ସେଣ୍ଟର (ଏସ୍ଏସି), ଅହମଦାବାଦ ଠାରେ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’ର ଢାଞ୍ଚା ପ୍ରସ୍ତୁତ କରି ତାହାର ନିର୍ମାଣ କରଯାଇଥିଲା। ଏଥିରେ ଲ୍ୟାଣ୍ଡର ଇମେଜର ଓ ରୋଭର ଇମେଜର ରହିଛି। ଠିକ୍ ଭାବରେ ଲ୍ୟାଣ୍ଡରର ଅବସ୍ଥିତି ନିରୂପଣ କରିବା ପାଇଁ ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ୍ କ୍ୟାମେରା ଲାଗିଛି। ସଫଳ ଭାବରେ ଅବତରଣ ପାଇଁ ଉଚିତ ସ୍ଥାନ ନିରୂପଣ କରିବା ଲାଗି ସେଥିରେ ଅନ୍ୟ ସେନ୍ସର୍ ଲଗାଯାଇଥିଲା। ଲ୍ୟାଣ୍ଡର ହାଜାର୍ଡ ଡିଟେକସନ ଓ ଆଭୟଡାନ୍ସ କ୍ୟାମେରା ଯଦି କୌଣସି ପ୍ରକାର ବିପତ୍ତିର ସୂଚନା ଦେଇଥାନ୍ତା ତା’ହେଲେ ହୁଏତ ଆବଶ୍ୟକ ପରିସ୍ଥିତିରେ ଅନ୍ୟ ସ୍ଥାନକୁ ଅବତରଣ ସ୍ଥାନାନ୍ତର କରାଯାଇ ପାରିଥାନ୍ତା। କିନ୍ତୁ ଆମର ଜ୍ଞାନକୌଶଳ ପ୍ରସୂତ ହାର୍ଡୱେର୍ ଓ ସଫ୍ଟୱେର୍ ସୁଚାରୁରୂପେ କାମ କରିଛି। ଆମ ଲ୍ୟାଣ୍ଡରରେ ଲାଗିଥିବା ‘କା ବ୍ୟାଣ୍ଡ ରାଡାର ଅଲ୍ଟିମିଟର ଇନ୍ଷ୍ଟ୍ରୁମେଣ୍ଟ’ ଅବତରଣ ସମୟରେ ଚନ୍ଦ୍ରପୃଷ୍ଠରୁ ନିର୍ଭୁଲ୍ ଉଚ୍ଚତା ନିରୂପଣ କରିପାରିଛି ଯାହା ଫଳରେ ଆମର ଚନ୍ଦ୍ରଯାନ-୩ର ବେଗକୁ ଠିକ୍ ଭାବେ ନିୟନ୍ତ୍ରଣ କରାଯାଇପାରିଛି। ଏସବୁ ଜଟିଳ ପ୍ରଣାଳୀ ସଫ୍ଟୱେର୍ ଦ୍ବାରା ଠିକ୍ ସମୟ ଅନ୍ତରାଳରେ କାମ କରିବା ଫଳରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପୂର୍ବ ଯୋଜନା ଅନୁଯାୟୀ ଅବତରଣ କରିବା ସମ୍ଭବ ହୋଇଥିଲା।
ଚନ୍ଦ୍ରଯାନ-୩ରେ ମୁଖ୍ୟତଃ ତିନି ଶ୍ରେଣୀର ପେଲୋଡ୍ ବା ଯନ୍ତ୍ରାଂଶ ଖଞ୍ଜାଯାଇଛି- ପ୍ରଥମ ହେଉଛି ପ୍ରକ୍ଷେପଣ ମଡୁଲ, ଯାହା ପ୍ରାୟ ୬ ମାସର ଅବଧି ପାଇଁ ଚନ୍ଦ୍ର ଚାରିପଟେ ପରିକ୍ରମା କରିବ, ଦ୍ବିତୀୟରେ ‘ବିକ୍ରମ’ ଲ୍ୟାଣ୍ଡର ଓ ତୃତୀୟରେ ‘ପ୍ରଜ୍ଞାନ’ ରୋଭର ୧୪ ଦିନର ଅବଧିରେ ପରୀକ୍ଷା-ନିରୀକ୍ଷା କରିବାର ଯୋଜନା ରଖାଯାଇଛି। ଏଥିରୁ ଚନ୍ଦ୍ରପୃଷ୍ଠର ମୃତ୍ତିକା, ଧାତବ ପଦାର୍ଥ, ତାପମାତ୍ରା, ଆର୍ଦ୍ରତା ଇଦ୍ୟାଦି ସମ୍ପର୍କରେ ଅନେକ ନୂତନ ତଥ୍ୟ ସଂଗ୍ରହ କରି ବୈଜ୍ଞାନିକ ଆକଳନ କରାଯିବ। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଆମେ ପ୍ରଥମ ଦେଶ, ତେଣୁ ଦକ୍ଷିଣ ମେରୁରେ ଅବସ୍ଥିତ ଗର୍ତ୍ତ, ମୃତ୍ତିକା ସମ୍ବନ୍ଧୀୟ ତଥ୍ୟର ଅଧ୍ୟୟନ ସାରା ବିଶ୍ବ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଚୀନ୍, ଆମେରିକା, ରୁଷିଆ, ୟୁରୋପ ଓ ଜାପାନର ମହାକାଶ ଗବେଷଣା ସଂସ୍ଥାମାନେ ଚନ୍ଦ୍ରର ଦକ୍ଷିଣ ମେରୁ ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ କରି ଗବେଷଣା କରିବା ପାଇଁ ତତ୍ପର।
ଚନ୍ଦ୍ରରେ ଗୋଟିଏ ଦିନ ଆମ ପୃଥିବୀରେ ୧୪ ଦିନ ସହିତ ସମାନ ଏବଂ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଆମ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିଠାରୁ ୬ ଗୁଣା କମ୍। ଏହାକୁ ଦୃଷ୍ଟିରେ ରଖି ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ ପୂର୍ବରୁ ବାଙ୍ଗାଲୋର ନିକଟସ୍ଥ ଚିତ୍ରଦୁର୍ଗାର ପାହାଡ଼ିଆ ଅଞ୍ଚଳରେ ଅନେକ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଚନ୍ଦ୍ରଯାନର ଲ୍ୟାଣ୍ଡର ଓଜନର କୃତ୍ରିମ ବସ୍ତୁକୁ କ୍ରେନ୍ ଓ ହେଲିକପ୍ଟର୍ ଦ୍ବାରା ଅନେକ ଥର ଉତ୍ତୋଳନ ଓ ଅବତରଣର ଆଭ୍ୟାସ କରାଯାଇଥିଲା।
ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ରେ ତିନିଟି ବିଶେଷ ଉପକରଣ ରହିଛି। ଚନ୍ଦ୍ରର ଉପର ପାର୍ଶ୍ବର ତାପମାତ୍ରା ମାପିବା ପାଇଁ ଲାଗିଥିବା ‘ଚାଷ୍ଟ’ (ସିଏଚ୍ଏଏସ୍ଟିଇ) ନାମକ ଉପକରଣ କୃତକାର୍ଯ୍ୟ ହୋଇଛି। ‘ଇଲସା’ (ଆଇଏଲ୍ଏସ୍ଏ) ନାମକ ସେସ୍ମିକ୍ ସେନ୍ସର୍ ଚନ୍ଦ୍ର ପୃଷ୍ଠରେ ଭୂମିକମ୍ପ ସମ୍ବନ୍ଧୀୟ ଜ୍ଞାନ ଓ ତଥ୍ୟ ପ୍ରଦାନ କରୁଛି ଏବଂ ‘ଲ୍ୟାଙ୍ଗମିୟର ପ୍ରୋବ’ (ଏଲ୍ପି) ଚନ୍ଦ୍ର ପୃଷ୍ଠରେ ପାଖାପାଖି ଥିବା ପ୍ଲାଜମାର ଘନତ୍ବ ଉପରେ ଅଧ୍ୟୟନ କରୁଛି। ସେହିପରି ‘ପ୍ରଜ୍ଞାନ’ ରୋଭୋରରେ ଖଞ୍ଜାଯାଇଥିବା ଦୁଇଟି ପେଲୋଡ୍ ବା ଉପକରଣର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଆଲଫା କଣିକା/ଏକ୍ସ-ରେ ସ୍ପେକ୍ଟ୍ରୋମିଟର ଉପକରଣଟି ୧୪ ଦିନ ଧରି ଅଧ୍ୟୟନ କରି ଚନ୍ଦ୍ରପୃଷ୍ଠରେ ଥିବା ମୃତ୍ତିକାର ରାସାୟନିକ ଓ ଧାତବ ଅବସ୍ଥିତି ବିଷୟରେ ତଥ୍ୟ ପ୍ରଦାନ କରିବ। ଅନ୍ୟ ପେଲୋଡ୍ ବା ଉପକରଣଟି ହେଲା ‘ଲେଜର ଇଣ୍ଡ୍ୟୁସ୍ଡ ବ୍ରେକ୍ଡାଉନ୍ ସ୍ପେକ୍ଟ୍ରୋସ୍କୋପି’ (ଲିବ୍ସ) ଯାହାକି ଅନେକ ଧାତବ (ମ୍ୟାଗନେସିଅମ, ସିଲିକାନ, ଲୌହ, ପଟାସିଅମ, କ୍ୟାଲସିଅମ, ଟାଇଟନିଅମ ଇତ୍ୟାଦି)ର ଉପସ୍ଥିତି ବିଷୟରେ ସନ୍ଧାନ ଜାରି ରଖିଛି। ଚନ୍ଦ୍ରର କକ୍ଷପଥରେ ଘୂରିବୁଲୁଥିବା ପ୍ରକ୍ଷେପଣ ଯନ୍ତ୍ର (ପ୍ରୋପଲ୍ସନ୍ ମୋଡୁଲ୍), ଯେଉଁଥିରେ ‘ସେପ’ ନାମକ ଉପକରଣ ଲାଗିଛି, ଏତେ ଦୂରରେ ଥାଇ ବି ପୃଥିବୀର ସ୍ପେକ୍ଟ୍ରାଲ୍ ଓ ଧ୍ରୁବୀୟ ତଥ୍ୟର ଅଧ୍ୟୟନ କରିବ, ନିକଟ-ଇନ୍ଫ୍ରାରେଡ ତରଙ୍ଗ (୧- ୧.୭ ମାଇକ୍ରୋମିଟର) ପରିସର ମଧ୍ୟରେ। ତେଣୁ ଏସବୁ ଉପକରଣ ଦ୍ବାରା ଚନ୍ଦ୍ରଯାନ-୩ ଅଭିଯାନରୁ ସଂଗୃହୀତ ତଥ୍ୟ ଆମ ଦେଶ ଓ ବିଶ୍ବର ବିଜ୍ଞାନ, ଅନୁସନ୍ଧାନ ଓ ଗବେଷଣା କ୍ଷେତ୍ରକୁ ବିରାଟ ଅବଦାନ ମିଳିବ। ସବୁଠାରୁ ଖୁସି ଓ ଆତ୍ମସନ୍ତୋଷର ବିଷୟ ଯେ ଏହି ଅଭିଯାନ ବିଜ୍ଞାନ ବିଷୟର ସମସ୍ତ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକଙ୍କ ସମେତ ସାଧାରଣ ଲୋକଙ୍କୁ ମଧ୍ୟ ଚନ୍ଦ୍ର, ମହାକାଶ ବିଜ୍ଞାନର ପ୍ରଗତି ଓ ‘ଇସ୍ରୋ’ ସମ୍ପର୍କରେ ନୂଆନୂଆ କଥା ଜାଣିବା ପାଇଁ ଉତ୍ସାହିତ କରୁଛି।
ଆଗକୁ ଆମେ ମହାକାଶଚାରୀମାନଙ୍କୁ ମଧ୍ୟ ଚନ୍ଦ୍ରପୃଷ୍ଠକୁ ପଠାଇବାର ଯୋଜନା ରଖିଛୁ। ଚନ୍ଦ୍ର ପୃଷ୍ଠରେ ଜଳର ସ୍ତର ଓ ମାତ୍ରାର ଆକଳନ କରିବା ଏବଂ ମଣିଷ ପାଇଁ ଅତ୍ୟାବଶ୍ୟକ ଅମ୍ଳଜାନ, ଜଳ ଓ ଉଦଜାନ ମିଳିଲା ପରେ ସେଠାରେ ଆମେ ମାନବ ବସତି ସ୍ଥାପନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରିବା। ଧୀରେ ଧୀରେ ପରବର୍ତ୍ତୀ ଦଶକମାନଙ୍କରେ ଏହି ସ୍ବପ୍ନ ସାକାର ହୋଇପାରିବ ବୋଲି ମୋର ଆଶା ଓ ବିଶ୍ବାସ। ଅଦ୍ୟାବଧି ଅନ୍ୟ ଗ୍ରହ, ଉପଗ୍ରହରେ ଜୀବନର ସମ୍ଭାବନା ନେଇ ଅନେକ ଗବେଷଣା ଜାରି ରହିଛି। ଚନ୍ଦ୍ର ପୃଷ୍ଠରେ ଉଦ୍ଭିଦ, ଜୀବଜନ୍ତୁ ଆଦିର ପ୍ରେରଣ ଓ ବିସ୍ତାର କିପରି ହୋଇପାରିବ ସେ ସମ୍ପର୍କରେ ବୈଜ୍ଞାନିକମାନେ ଚିନ୍ତା କରୁଛନ୍ତି। ‘ଆଷ୍ଟ୍ରୋବାୟୋଲୋଜି’ ଅଧୀନରେ ଏହି ଗବେଷଣା ଜାରି ରହିଛି ଏବଂ ଏହାର ବହୁତ ଚାହିଦା ଅଛି। ଆହୁରି ମଧ୍ୟ ମହାକାଶ ଗସ୍ତ ପାଇଁ ଯାନର ବିକାଶ ଏବଂ ମହାକାଶଚାରୀଙ୍କ ସ୍ବାସ୍ଥ୍ୟ, ରହଣି ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା ସମ୍ବନ୍ଧୀୟ ଗବେଷଣାକୁ ପ୍ରାଧାନ୍ୟ ଦିଆଯାଉଛି। ଆମ ଦେଶ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ଲାଗି ଅଧିକ ବୈଷୟିକ ଜ୍ଞାନ-କୌଶଳ ହାସଲ କରିବାକୁ ପ୍ରଚେଷ୍ଟା ଜାରି ରଖିଛି। ତେଣୁ ଆଗାମୀ ଦିନରେ ମାନବ ବିହୀନ ଓ ମାନବ ସହିତ ହେବାକୁ ଥିବା ‘ଗଗନଯାନ’ ଅଭିଯାନ ବହୁତ ବଡ଼ ଭୂମିକା ନିର୍ବାହ କରିବ। ସେ ଦିନକୁ ‘ଇସ୍ରୋ’ ସମେତ ଅଗଣିତ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏଥିପାଇଁ ଆମକୁ ଆଉ କେତେକ ପାହାଚ ସଫଳାତର ସହ ଚଢ଼ିବାକୁ ପଡ଼ିବ। ଏହା ପରେ ଆମେ ଆମ ବୈଷୟିକ ଜ୍ଞାନ ଦ୍ବାରା ଆମର ମହାକାଶଚାରୀଙ୍କୁ ମହାକାଶକୁ ପ୍ରେରଣ କରି ସୁରକ୍ଷିତ ଭାବରେ ଭୂପୃଷ୍ଠକୁ ଫେରାଇ ଆଣିପାରିବା। ତେବେ ବର୍ତ୍ତମାନ ଲାଗି ଯାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଆମ ଗର୍ବ ଓ ଗୌରବ ପାଲଟିଥିବା ଚନ୍ଦ୍ରଯାନ-୩ ଅଭିଯାନ ଅନ୍ତର୍ଗତ ‘ବିକ୍ରମ’ ଲ୍ୟାଣ୍ଡର ଓ ‘ପ୍ରଜ୍ଞାନ’ ରୋଭର୍ ଯଥେଷ୍ଟ ତଥ୍ୟ ଓ ଜ୍ଞାନ ସଂଗ୍ରହ କରି ଆମକୁ ପ୍ରେରଣ କରନ୍ତୁ। ଏହା ଭାରତ ଓ ବିଜ୍ଞାନର ଜୟଯାତ୍ରା ଲାଗି ପଥ ପରିଷ୍କାର କରିବ।
ବରିଷ୍ଠ ବୈଜ୍ଞାନିକ, ଇସ୍ରୋ, ଅହମଦାବାଦ
ଚନ୍ଦ୍ରଯାନ-୩ ଓ ଆମ ସଫଳତା
ରଞ୍ଜିତ କୁମାର ଷଡ଼ଙ୍ଗୀ
/sambad/media/post_attachments/wp-content/uploads/2023/09/4g64g6456jggjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)