ନିକଟରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ-କୃଷି ପରିଚାଳନା ପାଇଁ ବିକଳ୍ପ ପୁଷ୍ଟିସାଧନ ଯୋଜନା (ପିଏମ୍-ପ୍ରଣାମ)ର ଚିନ୍ତାଧାରା ଅତ୍ୟନ୍ତ ପ୍ରଗତିଶୀଳ। ଏଥିରେ ରାସାୟନିକ ସାର ବଦଳରେ ପ୍ରାକୃତିକ (ଜୈବିକ ଓ ଜନ୍ତୁଜ) ସାର ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କାରଣ ଉତ୍ପାଦନ ବୃଦ୍ଧି ପାଇଁ ରାସାୟନିକ ସାରର ମାତ୍ରାଧିକ ବ୍ୟବହାର ମାଟିର ପୋଷକ ତତ୍ତ୍ବକୁ ନଷ୍ଟ କରିଚାଲିଛି। ତିନିଟି ସବୁଜ ବିପ୍ଳବ ରାଜ୍ୟ- ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ସିଂହଭାଗ ମୃତ୍ତିକା ଆଜି ଜଣେ ବୟସ୍କ ବ୍ୟକ୍ତିଙ୍କ ପରି ରାସାୟନିକ ଶକ୍ତିବର୍ଦ୍ଧକ ଉପରେ ବଞ୍ଚିଛି। ତାହା ଏବେ ବି କାମ କରୁଛି, ମାତ୍ର ଭିତରେ ଭିତରେ ଫମ୍ପା ହୋଇଚାଲିଛି। ଫଳରେ ତାହାର ଦକ୍ଷତା ଓ କାର୍ଯ୍ୟଦକ୍ଷତା ହ୍ରାସ ପାଉଛି। ଅନ୍ୟ ରାଜ୍ୟର ମୃତ୍ତିକା ମଧ୍ୟ ସମାନ ଦଶା ଭୋଗିବାକୁ ଯାଉଛି।
ତେବେ ‘ପିଏମ୍-ପ୍ରଣାମ’ର କାର୍ଯ୍ୟାନ୍ବୟନ ରାସ୍ତା କୁହୁଡ଼ି ଘେରରେ ରହିଛି। ପ୍ରଥମତଃ କେନ୍ଦ୍ର ବଜେଟ୍ରେ ଏଥିପାଇଁ କୌଣସି ସ୍ବତନ୍ତ୍ର ଅର୍ଥ ବରାଦ କରାଯାଇନାହିଁ। ଅପରପକ୍ଷେ, ସେଥିପାଇଁ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ରାସାୟନିକ ସାର ସବ୍ସିଡି ପରିମାଣ ହ୍ରାସ କରି ଅର୍ଥ ଆଦାୟ କରାଯିବା କଥା। ସବ୍ସିଡି ପରିମାଣ ହ୍ରାସ କରିବା ପାଇଁ ରାଜ୍ୟ ସରକାରମାନେ ଚାଷୀଙ୍କୁ ପ୍ରାକୃତିକ ସାର ପ୍ରତି ଆକୃଷ୍ଟ କରିବେ ବୋଲି ଆଶା କରାଯାଉଛି। ପ୍ରାକୃତିକ ସାର ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏବଂ ଏହାର ବ୍ୟବହାର ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ କେନ୍ଦ୍ର ସରକାର ସଞ୍ଚିତ ସବ୍ସିଡି ରାଶିର ୫୦ ପ୍ରତିଶତ ରାଜ୍ୟ ସରକାରଙ୍କୁ ଦେବାକୁ ଯାଉଛନ୍ତି।
ରାଜ୍ୟ ସରକାରଙ୍କ ପାଖରେ କ’ଣ ବୃହତ୍ ପରିମାଣରେ ପ୍ରାକୃତିକ ସାରକୁ ଆପଣାଇବାର କ୍ଷମତା ରହିଛି? ଏଯାବତ୍ ଏମାନଙ୍କ ରେକର୍ଡ ଖରାପ ରହିଆସିଛି। ପ୍ରାକୃତିକ ସାର କ୍ଷେତ୍ର ଅବହେଳିତ, ଅଣସଂଗଠିତ ଓ ଅନିୟନ୍ତ୍ରିତ ବୋଲି ଗତବର୍ଷ ଅଗ୍ରଣୀ ସଂସ୍ଥା ବିଜ୍ଞାନ ଓ ପରିବେଶ କେନ୍ଦ୍ର (ସିଏସ୍ଇ) ପକ୍ଷରୁ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଜୈବିକ ଓ ଜନ୍ତୁଜ ଖତର ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଆବଣ୍ଟିତ ଅର୍ଥର ଅଧିକାଂଶ ଭାଗକୁ ରାଜ୍ୟ ସରକାର ଉପଯୋଗ କରୁନାହାନ୍ତି।
ପ୍ରାକୃତିକ ସାର ଉତ୍ପାଦନ ମାତ୍ରା ଖୁବ୍ କମ୍। ଏପରିକି ସେମାନଙ୍କର ଗୁଣବତ୍ତା ମଧ୍ୟ ଅନେକାଂଶରେ ଗ୍ରହଣୀୟ ହେଉନାହିଁ। ଗୁଣବତ୍ତା ନିୟନ୍ତ୍ରଣ ଭିତ୍ତିଭୂମି ଦୁର୍ବଳ ହୋଇପଡ଼ିଛି। ଅଧିକାଂଶ ରାଜ୍ୟରେ ନିଜସ୍ବ ପରୀକ୍ଷାଗାର ନାହିଁ। ଆଠଟି ରାଜ୍ୟରେ ସେମାନଙ୍କର ପରୀକ୍ଷାଗାର ଥିଲେ ହେଁ ସେଗୁଡ଼ିକର ସାମର୍ଥ୍ୟକୁ ଠିକ୍ରେ ବିନିଯୋଗ କରାଯାଉନାହିଁ। ୨୦୧୯-୨୦ ଆର୍ଥିକ ବର୍ଷରେ ୭ଟି ଆଞ୍ଚଳିକ ଜୈବିକ କୃଷି ଗବେଷଣାଗାରର କ୍ଷମତାର ଏକ-ତୃତୀୟାଂଶରୁ କମ୍ ବିନିଯୋଗ ହୋଇଛି। ପରୀକ୍ଷାଗାରରେ ଜୈବସାର ନମୁନା ପରୀକ୍ଷା ସଂଖ୍ୟା ବଢ଼ିବା ପରିବର୍ତ୍ତେ ୨୦୧୩-୧୪ରେ ତାହା ୬୫୪ ଥିଲା ବେଳେ ୨୦୧୯-୨୦ରେ ତାହା ୪୮୩କୁ ଖସି ଆସିଛି। ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଥିବା ଜୈବସାର ନମୁନାର ଅନୁପାତ ୨୦୧୩-୧୪ରେ ୧% ଥିଲା ବେଳେ ୨୦୧୯-୨୦ରେ ଏହା ୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ଚାଷୀଙ୍କୁ ନକଲି ‘ପ୍ରାକୃତିକ ସାର’ ବିକ୍ରି କରାଯାଉଛି। ପରିଣାମ ସ୍ବରୂପ, ପ୍ରାକୃତିକ ସାର ଉପରେ ସେମାନଙ୍କ ଭରସା ତୁଟିବାରେ ଲାଗିଛି।
ମୋଟାମୋଟି ଭାବେ ‘ପିଏମ୍-ପ୍ରଣାମ’ର ସଫଳତା କୃଷକମାନଙ୍କ ପ୍ରାକୃତିକ ସାରକୁ ଗ୍ରହଣ କରିବା ଉପରେ ନିର୍ଭର କରୁଛି। ତେବେ ଏଥିରୁ ସେମାନେ ଲାଭ ନ ଦେଖିଲା ଯାଏ କେମିତି ତାହା କରିବେ? ପ୍ରଥମତଃ, ପ୍ରାକୃତିକ ସାର ସେମାନଙ୍କ ମୃତ୍ତିକାର ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଦରକାର। ଦ୍ବିତୀୟରେ, ସେମାନଙ୍କର ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଆବଶ୍ୟକ। ତୃତୀୟତଃ, ରାସାୟନିକ ସାରର ବ୍ୟବହାର ଦ୍ବାରା ସେମାନେ ଯେତିକି ଲାଭ ପାଉଛନ୍ତି, ପ୍ରାକୃତିକ ସାର ବିନିଯୋଗରେ ସେତିକି ଭଲ ଅମଳ ଓ ରୋଜଗାର ମଧ୍ୟ ନିଶ୍ଚିତ ହେବା ବାଞ୍ଛନୀୟ। ଏକ ନିର୍ଦ୍ଦିଷ୍ଟ ଜୀବନଧାରଣ ମାନରେ ଅଭ୍ୟସ୍ତ ହେଲା ପରେ ଚାଷୀ ପ୍ରାକୃତିକ ସାରର ରକ୍ଷଣାବେକ୍ଷଣ ନ କରିବା ପର୍ଯ୍ୟନ୍ତ ତାହାକୁ ସଂପୂର୍ଣ୍ଣ ଗ୍ରହଣ କରିବାକୁ ରାଜି ହେବେନାହିଁ। ପ୍ରାକୃତିକ ସାରର ପର୍ଯ୍ୟାପ୍ତ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ତାହା କେବଳ ଉଚ୍ଚ ଗୁଣାବତ୍ତାଯୁକ୍ତ ନୁହେଁ, ଉଚ୍ଚ ଅମଳ ପ୍ରଦାନ କରିବା ଲାଗି ରାସାୟନିକ ସାର ଭଳି କ୍ଷମତାସଂପନ୍ନ ହେବା ମଧ୍ୟ ଦରକାର।
ମାତ୍ର ମାଟିକୁ ପୁନଃଉତ୍ପାଦନକ୍ଷମ କରିବା ଏବଂ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ପିଏମ୍-ପ୍ରଣାମ’ ଯଥେଷ୍ଟ ହେବନାହିଁ। କାରଣ କେବଳ ରାସାୟନିକ ସାରର ବ୍ୟବହାର ଯୋଗୁଁ ମାଟିର ସ୍ବାସ୍ଥ୍ୟ ନଷ୍ଟ ହେଉନାହିଁ। ମାତ୍ରାଧିକ ଜଳସେଚନ ମଧ୍ୟ ଏହାର ଏକ ପ୍ରମୁଖ କାରଣ। ସବୁଜ ବିପ୍ଳବ ରାଜ୍ୟମାନଙ୍କର ଚାଷୀମାନେ ଧାନ-ଗହମ ଫସଲ ପ୍ରଣାଳୀକୁ ଗ୍ରହଣ କରିବା ଲାଗି ସେମାନଙ୍କର ବହୁ ବର୍ଷର ଫସଲ ପ୍ରଣାଳୀକୁ ତ୍ୟାଗ କଲେ, ଯାହା ମାଟି-ପାଣି-ସାରର ସନ୍ତୁଳିତ ବ୍ୟବହାର ଉପରେ ଆଧାରିତ ଥିଲା। ସମଗ୍ର ଦେଶକୁ ଖାଦ୍ୟ ଯୋଗାଇବା ଲାଗି ସରକାରଙ୍କର ପ୍ରଭୂତ ପରିମାଣର ଚାଉଳ ଓ ଗହମର ଆବଶ୍ୟକତା ଥିଲା। ସୁତରାଂ ଅଧିକରୁ ଅଧିକ ଧାନ ଓ ଗହମ ଚାଷ ପାଇଁ ତାହା ଚାଷୀଙ୍କୁ ଉତ୍ସାହିତ କରିଥିଲା। ମକା ଓ ବାଜରା ତୁଳନାରେ ଉଭୟ ଧାନ ଓ ଗହମ ଫସଲ ପାଇଁ ବହୁଗୁଣ ଅଧିକ ପାଣି ଦରକାର ହୋଇଥାଏ। ଧାନ ଓ ଗହମର ଅତ୍ୟଧିକ ଉତ୍ପାଦନର ଅର୍ଥ ନଦୀ ଜଳ ଓ ଭୂତଳ ଜଳର ମାତ୍ରାଧିକ ବ୍ୟବହାର। ଏହାର ପରିଣତି ସ୍ବରୂପ, ମାଟିରେ ଲବଣର ମାତ୍ରା ବୃଦ୍ଧି ସାଙ୍ଗକୁ ପ୍ରାକୃତିକ ପୋଷକ ତତ୍ତ୍ବର କ୍ଷତି ହୋଇଥାଏ।
ତେଣୁ ସମସ୍ୟାର ମୂଳରେ ରହିଛି ଧାନ-ଗହମ ଫସଲ ପ୍ରଣାଳୀ। ଏହା ମୃତ୍ତିକାର ନାଇଟ୍ରୋଜେନ୍, ଫସ୍ଫରସ୍, ପୋଟାସିଅମ୍, ଜୈବିକ ଅଙ୍ଗାର, ଜିଙ୍କ୍, ଲୌହ ଓ ମାଙ୍ଗାନିଜ୍ ପରି ପ୍ରାକୃତିକ ପୋଷକ ତତ୍ତ୍ବକୁ ନଷ୍ଟ କରୁଛି। ଏ ପ୍ରକାର ଫସଲ ପ୍ରଣାଳୀ ରାକ୍ଷସ ଭଳି ମାଟିକୁ ଖାଇ ଚାଲିବା ସହ ତଥାପି ବି ସନ୍ତୁଷ୍ଟ ହୋଇପାରିନାହିଁ। ଯେ ପର୍ଯ୍ୟନ୍ତ ଚାଷୀ ଧାନ-ଗହମ ଫସଲ ବ୍ୟବସ୍ଥାକୁ ତ୍ୟାଗ କରି ରାସାୟନିକ ସାର ଓ ପାଣି ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ବିବିଧ ଫସଲ ପ୍ରଣାଳୀକୁ ଆପଣେଇ ନ ପାରିଛି, ସେ ପର୍ଯ୍ୟନ୍ତ ମାଟିର ସ୍ବାଭାବିକ ସ୍ବାସ୍ଥ୍ୟ ଫେରାଇ ଅଣାଯାଇପାରିବ ନାହିଁ। ଏବଂ ଯେ ପର୍ଯ୍ୟନ୍ତ ସରକାର ପ୍ରତି ବର୍ଷ ନିର୍ଦ୍ଧାରଣ କରୁଥିବା ୨୩ଟି ପ୍ରମୁଖ ଫସଲ (୭ଟି ଶସ୍ୟବୀଜ, ୫ଟି ଡାଲି ଜାତୀୟ, ୭ଟି ତୈଳବୀଜ ଓ ୪ଟି ବାଣିଜ୍ୟିକ ଫସଲ) ପାଇଁ ଏକ ନିଶ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଚାଷୀମାନେ ନ ପାଇଛନ୍ତି, ସେ ପର୍ଯ୍ୟନ୍ତ ସେମାନେ ବିବିଧ ଫସଲ ପ୍ରଣାଳୀକୁ ଆପଣେଇବାକୁ କୁଣ୍ଠାବୋଧ କରିବେ। ତେବେ ସରକାର ସମସ୍ତ ପ୍ରକାର ମୁଖ୍ୟ ଫସଲ କିଣିବାର ଆବଶ୍ୟକତା ନାହିଁ। ଏଥିରେ କେବଳ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ପଡ଼ିବ, ଯାହା ଘରୋଇ କ୍ରେତାଙ୍କୁ ମଧ୍ୟ ଦେବାକୁ ହେବ।
ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କୁ ଏତିକି ନିହାତି କରିବାକୁ ହେବ। ନିକଟରେ ହରିୟାଣାର ସୂର୍ଯ୍ୟମୁଖୀ ଚାଷୀମାନଙ୍କ ଆନ୍ଦୋଳନରୁ ଏହା ସ୍ପଷ୍ଟ ହୋଇଛି। ଯଦିଓ କେନ୍ଦ୍ର ସରକାର ସୂର୍ଯ୍ୟମୁଖୀ ମଞ୍ଜିର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୬,୪୦୦ ଟଙ୍କା ଧାର୍ଯ୍ୟ କରିଥିଲେ, ତେବେ ଘରୋଇ ବ୍ୟବସାୟୀମାନେ ସେଥିପାଇଁ ୪,୨୦୦ ଟଙ୍କାରୁ ଅଧିକ ଦେବାକୁ ରାଜିନଥିଲେ। ଅପରପକ୍ଷେ, ରାଜ୍ୟ ସରକାର ତାହା ଆଦୌ କିଣିନାହାନ୍ତି। ମାତ୍ର କୃଷକମାନେ ବିରୋଧ ପ୍ରଦର୍ଶନ କରିବା ପରେ ରାଜ୍ୟ ସରକାର ସେମାନଙ୍କୁ କ୍ବିଣ୍ଟାଲ ପିଛା ୪,୮୦୦ ଟଙ୍କା ଓ ହାରାହାରି ବଜାର ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ପାଇଁ କ୍ଷତିପୂରଣ ବାବଦରେ ଅଧିକ ହଜାରେ ଟଙ୍କା ଦେଇ ଅର୍ଥାତ୍ କ୍ବିଣ୍ଟାଲ୍ ପିଛା ୫,୮୦୦ ଟଙ୍କାରେ କିଣିବାକୁ ରାଜି ହୋଇଥିଲେ ଯାହା ତଥାପି ବି ଧାର୍ଯ୍ୟ ଏମ୍ଏସ୍ପି ଠାରୁ ୬୦୦ ଟଙ୍କା କମ୍ ରହିଛି। ଏହାକୁ ବିରୋଧ କରି ଚାଷୀମାନେ ଦିଲ୍ଲୀ-ଚଣ୍ଡୀଗଡ଼ ରାସ୍ତା ଅବରୋଧ କରିଥିଲେ। ଶେଷରେ ରାଜ୍ୟ ସରକାର ସେମାନଙ୍କୁ କ୍ବିଣ୍ଟାଲ ପିଛା ୫,୦୦୦ ଟଙ୍କା ଅର୍ଥାତ୍ ମୋଟ ମୂଲ୍ୟ ୬,୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ।
ତେବେ ଏ ପ୍ରସଙ୍ଗରେ ଚାଷୀଙ୍କୁ ଦୋଷ ଦେଇ ହେବ ନାହିଁ। ନିଜ ଜମିକୁ ବଞ୍ଚାଇବା ଲାଗି ଫସଲ ବିବଧତାକୁ ଆପଣେଇବା ଲାଗି ସେମାନେ ଆଗ୍ରହୀ। କାରଣ ପରିସଂଖ୍ୟାନ ଅନୁଯାୟୀ, ହରିୟାଣାରେ ୨୦୧୮-୧୯ରେ ସୂର୍ଯ୍ୟମୁଖୀ ଚାଷ ୯,୪୪୦ ହେକ୍ଟର ଥିଲା ବେଳେ ଏହା ବୃଦ୍ଧି ପାଇ ୨୦୨୦-୨୧ରେ ୧୨,୨୯୦ ହେକ୍ଟର ହୋଇଥିଲା। ସେହିପରି ୨୦୨୧-୨୨ରେ ତାହା ୧୩,୦୨୦ ହେକ୍ଟର ଓ ୨୦୨୨-୨୩ରେ ୧୪,୧୬୦ ହେକ୍ଟରରେ ପହଞ୍ଚିପାରିଛି। ଯଦି ସରକାର ଚାଷୀଙ୍କ ଉତ୍ପାଦ ପାଇଁ ଏକ ଆକର୍ଷଣୀୟ ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରନ୍ତେ, ତେବେ ସୂର୍ଯ୍ୟମୁଖୀ ଚାଷ ପରିମାଣ ଉତ୍ତରୋତ୍ତର ବୃଦ୍ଧି ପାଇବ। ସେହିପରି ମକା, ବାଜରା ଓ ଅନ୍ୟାନ୍ୟ ଫସଲ ଆକାର ମଧ୍ୟ ବୃଦ୍ଧି ପାଇବ।
ରସାୟନରେ ବଞ୍ଚିଥିବା ମୃତ୍ତିକା
ଅରୁଣ ସିହ୍ନା