ଓଡ଼ିଆ ସିନେମାରେ କିଛି ଅତ୍ୟନ୍ତ ଲୋକପ୍ରିୟ ତଥା ହୃଦୟସ୍ପର୍ଶୀ ଶିଶୁ ଗୀତ ଥିଲେ ସୁଦ୍ଧା ଏ ନେଇ ଆଲୋଚନା ଖୁବ୍ କମ୍ ହୋଇଛି। ଶିଶୁ ଗୀତ କହିଲେ ଆମେ ବୁଝିବା ସିନେମାରେ ଶିଶୁ ବା କିଶୋର ଚରିତ୍ରଙ୍କ ଦ୍ବାରା ବା ସେମାନଙ୍କ ପାଇଁ ବୋଲା ଯାଉଥିବା ଗୀତ।
ସମ୍ଭବତଃ ଷଷ୍ଠ ଦଶକର ପ୍ରାରମ୍ଭରେ ମୁକ୍ତିଲାଭ କରିଥିବା ‘ପରିଣାମ’ ଚଳଚ୍ଚିତ୍ରରେ ଥିବା ‘ଧୋ ରେ ବାଇଆ ଧୋ’ ହେଉଛି ପ୍ରଥମ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ଓଡ଼ିଆ ଶିଶୁ ଗୀତ। ଏହି ନାନାବାୟା ଗୀତଟିକୁ ରଚନା କରିଥିଲେ ନରସିଂହ ମହାପାତ୍ର ଏବଂ ତାକୁ ସ୍ବରାବଦ୍ଧ କରିଥିଲେ ଶ୍ରୀକୁମାର। ତା ସହିତ ଥିଲା ନିର୍ମଳା ମିଶ୍ରଙ୍କ ଚମତ୍କାର ଗାୟନ। ତା’ପରେ ଆସେ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ (୧୯୬୨), ଯହିଁରେ ସିକନ୍ଦର ଆଲାମଙ୍କ କଣ୍ଠରେ ‘ଝୁଲରେ ହାତୀ ଝୁଲ’ ଭଳି ଅତ୍ୟନ୍ତ ଲୋକପ୍ରିୟ ନାନାବାୟା ଗୀତ ରୂପ ପାଏ।
ଏହାର ଗୀତିକାର ଥିଲେ ସାରଦା ପ୍ରସନ୍ନ ନାୟକ ଏବଂ ସଙ୍ଗୀତକାର ଥିଲେ ବାଳକୃଷ୍ଣ ଦାଶ। ତା’ ପରେ ‘ନୂଆବୋଉ’ (୧୯୬୨) ସିନେମାରେ ଶୁଭେ ‘ରଥ ଯା’ ଚାଲି ଯା’ ଗୀତ। ଏହାକୁ ଆମେ କିଶୋର ଗୀତ ବୋଲି କହିପାରିବା। ନାରାୟଣ ପ୍ରସାଦ ସିଂହଙ୍କ କଲମ ପ୍ରସୂତ ଏବଂ ବାଳକୃଷ୍ଣ ଦାଶଙ୍କ ସ୍ବରାବଦ୍ଧ ଏହି ଗୀତଟି ଗାଇଥିଲେ ସ୍ୱୟଂପ୍ରଭା ଷଡ଼ଙ୍ଗୀ। ସେମିତି ‘ମାଣିକ ଯୋଡ଼ି’ (୧୯୬୩) ସିନେମାର ‘କୁଆଁର ପୁନେଇଁ ଜହ୍ନ ଗୋ’ ଗୀତଟି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା, ଯାହା ମଧ୍ୟ ଥିଲା ଏକ କିଶୋରୀ ଗୀତ। ହୃଦୟାନନ୍ଦ ପାଣିଙ୍କ ଲେଖା, ବାଳକୃଷ୍ଣ ଦାଶଙ୍କ ସଂଗୀତ ନିର୍ଦ୍ଦେଶନା ଏବଂ ସୁଖଲତା ମହାନ୍ତି, ବୀଣା ମହାନ୍ତି ଓ ସାଧୀଙ୍କ କଣ୍ଠରେ ଗୀତଟି ଅତ୍ୟନ୍ତ ଶ୍ରୁତିମଧୁର ହୋଇ ପାରିଥିଲା।
୧୯୬୫ ମସିହାରେ ଆସିଲା ଚଳଚ୍ଚିତ୍ର ‘ଅଭିନେତ୍ରୀ’। ଏଥିରେ ଥିବା ‘କଇଁଚି କାକୁଡ଼ି ନଳିତା ପିତା’ ଗୀତର ଲୋକପ୍ରିୟତା ଲାଗି କବି ନାରାୟଣ ପ୍ରସାଦ ସିଂହ, ସଂଗୀତକାର ବାଳକୃଷ୍ଣ ଦାଶ ଏବଂ ଗାୟିକା ନିର୍ମଳା ମିଶ୍ରଙ୍କ ମିଳିତ ଭୂମିକା ଅବିସ୍ମରଣୀୟ। ‘ଭାଇ ଭାଉଜ’ (୧୯୬୭) ସିନେମାରେ ଥିବା ‘ଜନ୍ମମାଟି ପଲ୍ଲୀ ଡାକେ’ ଗୀତଟି ଥିଲା ଏକ ଦେଶାତ୍ମବୋଧକ ଶିଶୁଗୀତ। ନାରାୟଣ ପ୍ରସାଦ ସିଂହଙ୍କ ରଚନାକୁ ବାଳକୃଷ୍ଣ ଦାଶଙ୍କ ସଂଗୀତ ନିର୍ଦ୍ଦେଶନାରେ ମିଳିତ ଭାବେ ଗାଇଥିଲେ ସିକନ୍ଦର ଆଲାମ, ରଘୁନାଥ ପାଣିଗ୍ରାହୀ, ଅତୀଶ ମଜୁମଦାର ଏବଂ ନିର୍ମଳା ମିଶ୍ର। ସେମିତି ‘ସ୍ତ୍ରୀ’ (୧୯୬୯) ସିନେମାର ‘ଗଙ୍ଗା ଯେ ଦେଶେ ବହେ’ ମଧ୍ୟ ଥିଲା ଏକ ଲୋକପ୍ରିୟ ଦେଶାତ୍ମବୋଧକ ଗୀତ, ଯାହାକୁ ଲେଖିଥିଲେ ଅକ୍ଷୟ ମହାନ୍ତି ଏବଂ ସ୍ବରାବଦ୍ଧ କରିଥିଲେ ଶ୍ରୀକୁମାର। ଗୀତଟିକୁ ମିଳିତ ଭାବେ ବୋଲିଥିଲେ ଅକ୍ଷୟ ମହାନ୍ତି, ନିର୍ମଳା ମିଶ୍ର, ଜୟଶ୍ରୀ, ରୋମି ଏବଂ ଲାଲବିବି।
‘ମାଟିର ମଣିଷ’ (୧୯୬୭) ସିନେମାରେ ଥିବା ଅତ୍ୟନ୍ତ ହୃଦୟସ୍ପର୍ଶୀ ଶିଶୁ ଗୀତ ‘ଉଡ଼ିଗଲା ଗେଣ୍ଡାଳିଆ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀକୁମାର। ଏହାର ରଚୟିତା ଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓ ଗାୟକ ଥିଲେ ଅକ୍ଷୟ ମହାନ୍ତି। ସେମିତି ‘କିଏ କାହାର’ (୧୯୬୮) ସିମେନାରେ ଥିବା ‘ଗୁଡ଼ି’ ଗୀତଟି ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏ ପର୍ଯ୍ୟନ୍ତ ଅତି ଲୋକପ୍ରିୟ ହୋଇ ରହିଛି। ନାରାୟଣ ପ୍ରସାଦ ସିଂହଙ୍କ ଦ୍ବାରା ରଚିତ ଏହି ଗୀତକୁ ସଙ୍ଗୀତାବଦ୍ଧ କରିଥିଲେ ଅକ୍ଷୟ ମହାନ୍ତି। ସେମିତି ‘ବନ୍ଧନ’ (୧୯୬୯) ସିନେମାର ନାନାବାୟା ଗୀତ ‘ଆ ଜହ୍ନମାମୁଁ ଶରଦ ଶଶୀ’ର ନିର୍ଦ୍ଦେଶକ ଥିଲେ ଶ୍ରୀକୁମାର ଏବଂ ଗାୟିକା ଥିଲେ ନିର୍ମଳା ମିଶ୍ର। ନରସିଂହ ମହାପାତ୍ରଙ୍କ କଲମ ନିସୃତ ଏହି ଗୀତଟି ଅତି ଲୋକପ୍ରିୟ ହୋଇ ପାରିଥିଲା। ଶିଶୁ ଗୀତର ସଂଖ୍ୟା ଦୃଷ୍ଟିରୁ ଷଷ୍ଠ ଦଶକରେ ସବୁଠାରୁ ଅଧିକ ଶିଶୁ ଗୀତ ତିଆରି ହୋଇଥିଲା।
ସପ୍ତମ ଦଶକର ପ୍ରାରମ୍ଭରେ ‘ଅଦିନ ମେଘ’ ସିନେମାରେ ତୃପ୍ତି ଦାସଙ୍କ କଣ୍ଠରେ ‘ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା’ ଏଭଳି ହିଟ୍ ହୋଇଥିଲା ଯେ କହିଲେ ନ ସରେ! ଏହାକୁ ଲେଖିଥିଲେ ଗୌରାଙ୍ଗ ସାମନ୍ତରାୟ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବାଳକୃଷ୍ଣ ଦାଶ। ସେମିତି ‘ନାଗଫାଶ’ (୧୯୭୭) ଚଳଚ୍ଚିତ୍ରରେ ଅକ୍ଷୟ ମହାନ୍ତିଙ୍କ ଲିଖିତ ଏବଂ ଅକ୍ଷୟ ମହାନ୍ତି ଓ ତୃପ୍ତି ଦାସ ଗାଇଥିବା ‘ମୋ କୋଳ ତୋ ଝୁଲଣା’ ମଧ୍ୟ ଥିଲା ଏକ ଅତି ଲୋକପ୍ରିୟ ଶିଶୁ ଗୀତ। ସେହି ଦୃଷ୍ଟିରୁ ‘କୁଳ ଚନ୍ଦ୍ରମା’ (୧୯୭୮)ର ଟାଇଟେଲ୍ ଗୀତ ‘ତୁ ଏଇ କୁଳଚନ୍ଦ୍ରମା’ ଏକ ଗୁରୁତ୍ବପୂର୍ଣ୍ଣ ଗୀତ, କାରଣ ଏହା ହେଉଛି ଓଡ଼ିଆ ସିନେମାର ପ୍ରଥମ ଜନ୍ମଦିନ ଗୀତ। ଏହାର ଗୀତିକାର ଥିଲେ ବୃନ୍ଦାବନ ଜେନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର।
‘ତଅପୋଇ’ (୧୯୭୮) ଚଳଚ୍ଚିତ୍ରଟି ମୁକ୍ତି ଲାଭ କରିବା ପରେ ତହିଁରେ ଥିବା ‘ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା’ ଖୁବ୍ ଲୋକପ୍ରିୟ ହୋଇଥିଲା, ଯାହାକୁ ଲେଖିଥିଲେ ବିନୋଦିନୀ ଦେବୀ ଓ ତାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି। ତୃପ୍ତି ଦାସ ଓ ଗୀତା ପଟ୍ଟନାୟକଙ୍କ କଣ୍ଠରେ ଗୀତଟିରେ କିଶୋରୀସୁଲଭ ଉଲ୍ଲାସ ବାରି ହୋଇଥାଏ। ‘ବଳିଦାନ’ (୧୯୭୮) ଚଳଚ୍ଚିତ୍ରରେ ରହିଛି ବିଶିଷ୍ଟ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ବହୁ ଲୋକପ୍ରିୟ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ବ ବିହାରୀ।’ ସିନେମାରେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର ଏବଂ ଏହାକୁ ମିଳିତ ଭାବେ ଗାଇଥିଲେ ପ୍ରଫୁଲ୍ଲ କର ଏବଂ ବାଣୀ ଜୟରାମ।
ସେମିତି ‘ଗୌରୀ’ (୧୯୭୯) ସିନେମାରେ ବାଣୀ ଜୟରାମ ଏବଂ ଚିତ୍ତ ଜେନାଙ୍କ କଣ୍ଠରେ ଭକ୍ତକବି ମଧୁସୂଦନ ରାଓଙ୍କ ଲିଖିତ ‘କି ସୁନ୍ଦର ଆହା, କି ଆନନ୍ଦମୟ’ ମଧ୍ୟ ଏକ ଏକ ଚମତ୍କାର ଶିଶୁ ପ୍ରାର୍ଥନା, ଯାହାର ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ ପ୍ରଫୁଲ୍ଲ କର। ୧୯୭୯ ମସିହାରେ ମୁକ୍ତି ଲାଭ କରିଥିବା ‘ଅପରିଚିତା’ ସିନେମାରେ ଥିଲା ଦୁଇଟି ଚମତ୍କାର ଶିଶୁଗୀତ- ‘ଏଇ ଚିକିମିକି ହସେ ତୋ’ ଏବଂ ‘ଆଖି ନାହିଁ କାନ ନାହିଁ’। ଏହି ଦୁଇଟି ଯାକ ଗୀତର କବି ବିଶିଷ୍ଟ ଲେଖିକା ପ୍ରତିଭା ରାୟ, ଯାହାକୁ ଗାଇଥିଲେ ଯଥାକ୍ରମେ ନିର୍ମଳା ମିଶ୍ର ଏବଂ ଆଦ୍ୟାଶା ରାୟ। ଗୀତ ଦ୍ବୟର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁଶିର୍।
କହିବାରେ ଦ୍ବିଧା ନାହିଁ ଯେ ଓଡ଼ିଆ ସିନେମାରେ ଶିଶୁ ଗୀତ ସଂଖ୍ୟା ଅଧିକ ନୁହେଁ। ତହିଁରେ ବୃଦ୍ଧି ଘଟିବାର ସମ୍ଭାବନା ମଧ୍ୟ ବେଶ୍ କମ୍। କାରଣ, ଏବେ ଓଡ଼ିଆ ଚଳଚ୍ଚିତ୍ରରେ ଶିଶୁ ଗୀତ ଆଉ ଶୁଣିବାକୁ ମିଳୁନାହିଁ।
ମୋ: ୭୮୯୪୫୦୩୫୪୮