୩୦୨୪ ମସିହା। ଭାରତର ପୂର୍ବ ଉପକୂଳର ଗୋଟିଏ ସ୍ଥାନରେ ରାସ୍ତା ତିଆରି ପାଇଁ ଭୂମି ଖନନ ବେଳେ ଆବିଷ୍କୃତ ହୋଇଥିଲା କେତେଗୁଡ଼ିଏ ବୃହତ ଆୟତାକାର ପ୍ରସ୍ତର ଖଣ୍ଡ। ଏହି ନୂତନ ଆବିଷ୍କାରଗୁଡ଼ିକ ଯେ ଏକ ଅବଲୁପ୍ତ ନଗରୀର ଅଂଶବିଶେଷ ଏ ବିଷୟରେ ବିଶେଷଜ୍ଞମାନେ ନିଶ୍ଚିତ ଥିଲେ। ହେଲେ, ଯାହା ସେମାନଙ୍କୁ ତମସାଚ୍ଛନ୍ନ କରି ରଖିଥିଲା, ତାହା ହେଲା ଏହି ବିଶାଳ ଶିଳା ଉପରେ ଖୋଦେଇ ହୋଇଥିବା କିଛି ଅକ୍ଷର। ସେହି ଅକ୍ଷରମାଳାରେ ବିଶେଷଜ୍ଞମାନେ ଦେଖିବାକୁ ପାଇଥିଲେ ବାଉନଟି ଅକ୍ଷରର ଆକୃତି। ପୁଣି ଗୋଟିଏ ଅପେକ୍ଷାକୃତ କମ୍‌ ଉଚ୍ଚତାର ଶିଳାରେ ଖୋଦେଇ ହୋଇଥିଲା କେବଳ ଗୋଟିଏ ବୃହତ ଆକାରର ଅକ୍ଷର ଯାହାକି ଅନ୍ୟ ସବୁ ପ୍ରସ୍ତରର ବର୍ଣ୍ଣମାଳାର ପ୍ରଥମ ବର୍ଣ୍ଣ ରୂପରେ ସ୍ଥାନ ପାଇଥିଲା। ବିଶେଷଜ୍ଞମାନେ ମତ ଦେଇଥିଲେ ଯେ ଏହି ବାଉନଟି ଅକ୍ଷର ହୁଏତ କୌଣସି ଏକ ମୃତ ଭାଷାର ବର୍ଣ୍ଣମାଳା ଓ ଏକାକୀ ଅକ୍ଷରଟି ସେହି ବର୍ଣ୍ଣମାଳାର ଆଦ୍ୟ ଲିପି।
ଭାଷାଟି କ’ଣ ଓ ସେହି ଭାଷାର ଅନ୍ୟାନ୍ୟ କିଛି ଉଦାହରଣ ଉପଲବ୍‌ଧ ହୋଇଛି କି ନାହିଁ; ଏ ବିଷୟରେ କିଛି ସୁରାକ ମିଳିପାରି ନ ଥିଲା। ପୁଣି ବିଶାରଦମାନେ ଏହା ମଧ୍ୟ ନିର୍ଦ୍ଧାରଣ କରିପାରିଲେ ନାହିଁ ଯେ ସେହି ଶିଳା ସମୂହର ଉଦ୍ଦେଶ୍ୟ କ’ଣ ବା ହୋଇପାରେ! ଗୋଟିଏ ଗୋଷ୍ଠୀ ଆବିଷ୍କୃତ ଅଞ୍ଚଳଟିକୁ ଭାଷାକୁ ଜନସମୂହ ଠାରେ ପରିଚିତ କରିବା ପାଇଁ ଏକ ଶିକ୍ଷା ଭୂମି ବୋଲି କହିଥିବା ବେଳେ ଅନ୍ୟ ଗୋଷ୍ଠୀର ମତ ଅନୁସାରେ ଭାଷା ବିଲୁପ୍ତ ହେବାର ପୂର୍ବ କ୍ଷଣର ଏହା ସେହି ଭାଷାର ଏକ ସ୍ମାରକୀ ଅଥବା ସମାଧି ସ୍ଥଳ। ତେଣୁ ନିଜର ନିଷ୍କର୍ଷ ଅନୁସାରେ ଏହାକୁ କେହି କେହି ‘ଅକ୍ଷର ଭୂମି’ ବୋଲି କହିଥିବା ବେଳେ ଅନ୍ୟ କେହି କେହି ଏହାକୁ ‘ଅକ୍ଷର ଶ୍ମଶାନ’ ନାମ ଦେଇଥିଲେ।
ଅନେକ କାଳ ଧରି ଚକିତ କରି ରଖିଥିଲା ଏହି ବର୍ଣ୍ଣମାଳାର ଦୁର୍ବୋଧ୍ୟତା। ଗବେଷଣାରୁ ଜଣା ପଡ଼ିଥିଲା ଲିପିଗୁଡ଼ିକର ଖୋଦେଇ ଆନୁମାନିକ ଏକ ହଜାର ବର୍ଷ ତଳର, ତେବେ ଏ କଥା କେହି ଅନୁମାନ କରି ପାରିଲେ ନାହିଁ ଯେ ଭାଷାଟି ଦିନେ ଏହା ବ୍ୟବହୃତ ହେଉଥିବା ଭୂଖଣ୍ଡରୁ ସଂପୂର୍ଣ୍ଣ ଭାବରେ ବିଲୁପ୍ତ ହେଲା କିପରି! ଅଧୁନା ସେହି ଭୂଖଣ୍ଡରେ ଏକ ବିଦେଶାଗତ ଭାଷା ବ୍ୟବହୃତ ହେଉଥିବାରୁ ଏହି ପ୍ରାଚୀନ ଭାଷା ସହ ତାହାର କୌଣସି ସାମଞ୍ଜସ୍ୟ ନ ଥିବା କଥା ବିଶେଷଜ୍ଞମାନେ କହିଥିଲେ। ବିଲୁପ୍ତ ଭାଷାଟିର ସଠିକ୍ ପରିଚୟ ଉଦ୍‌ଘାଟନ କରିବା ପାଇଁ ତଥା ମିଳିଥିବା ବର୍ଣ୍ଣମାଳାକୁ ପଠନ କରିବା ପାଇଁ ଭୂଖଣ୍ଡଟିର ସବୁ ଶ୍ରେଣୀର ନାଗରିକମାନଙ୍କ ମଧ୍ୟରେ ପ୍ରବଳ କୌତୂହଳ ଦେଖାଯାଇଥିଲା। ନିଜ ଅଞ୍ଚଳରେ ଏହି ଭାଷା ସମ୍ବନ୍ଧୀୟ ଭଗ୍ନାବଶେଷ ମିଳିଥିବାରୁ ଭାଷାଟି ସେ ଜାତିର ଐତିହ୍ୟର ଅଂଶ ହୋଇ ରହିଥିବା ନିଶ୍ଚିତ ହୋଇଯାଇଥିଲା। ଏକଦା ନିଜର ପୂର୍ବପୁରୁଷମାନଙ୍କ ଦ୍ବାରା ବ୍ୟବହୃତ ଏହି ଭାଷାଟିର ସ୍ୱରୂପ ଉଦ୍‌ଘାଟନ କରିବା ପାଇଁ ଓ ଏହାର ଅର୍ଥୋଦ୍ଧାର କରିବା ପାଇଁ ସାଧାରଣ ନାଗରିକମାନଙ୍କର ଦାବି ପ୍ରବଳରୁ ପ୍ରବଳତର ହୋଇ ଚାଲିଲା। ଘଟଣାଟି କର୍ତ୍ତୃପକ୍ଷଙ୍କ ପାଇଁ ଏକ ସାଂସ୍କୃତିକ ସଙ୍କଟ ସୃଷ୍ଟି କରିପକାଇଲା। ଭାଷାବିତ୍‌ମାନେ ଲିପିଗୁଡ଼ିକର ନାମ ଓ ଅର୍ଥ ଜାଣିବାକୁ ବିଫଳ ହେବା ପରେ ନିଜର ସମ୍ମାନ ରକ୍ଷା ପାଇଁ ଏହି ଯୁକ୍ତି ଦେଇଥିଲେ ଯେ ନୂତନ ଆବିଷ୍କୃତ ଭାଷା ଠାରୁ ଆହୁରି ଅନେକ ଆଗରୁ ଆବିଷ୍କୃତ ହୋଇଥିବା ମହେଞ୍ଜୋଦାରୋ ଓ ହରପ୍ପାର ଲିପିକୁ ମଧ୍ୟ ଏ ଯାବତ୍ ପଢ଼ା ଯାଇପାରି ନାହିଁ। ଏମିତି ଆହୁରି କେତେକ ଲିପିର ଉଦାହରଣ ସେମାନେ ଦେଉଥିଲେ ମଧ୍ୟ ସାଧାରଣ ଜନତା ତାହା ଗ୍ରହଣ କରିବାକୁ ରାଜି ନ ଥିଲେ କାରଣ ନୂତନ ଆବିଷ୍କୃତ ଭାଷାଟି ସହ ସେମାନଙ୍କର ଆତ୍ମିକ ସଂପର୍କ ସୃଷ୍ଟି ହୋଇ ସାରିଥିଲା।
ତଥାପି ଗବେଷଣା ଚାଲିଥିଲା ଓ ଭାଷାଟିର ବିଲୁପ୍ତିର କାରଣ ହିସାବରେ ବିଶେଷଜ୍ଞମାନେ ଅନେକ ନିଷ୍କର୍ଷ ପେସ କରି ଚାଲିଥିଲେ। କିଏ କହୁଥିଲା କୌଣସି ସମସାମୟିକ ସାମାଜିକ ଓ ଅର୍ଥନୈତିକ କାରଣରୁ ସେ ସମୟର ସାଧାରଣ ଲୋକମାନେ ନିଜ ଭାଷା ପ୍ରତି ଉଦାସୀନ ହୋଇ ଚାଲିଲେ। ହୁଏତ ସେହି ସମୟରେ ତାଙ୍କୁ କୌଣସି ବହୁଳ ବ୍ୟବହୃତ ଜାତୀୟ ବା ଆନ୍ତର୍ଜାତୀୟ ଭାଷା ଅଧିକ ଆକର୍ଷଣୀୟ ଲାଗିଥିବ। ସେହି ନୂଆ ଭାଷା ସେମାନଙ୍କର ନୂଆ ପିଢ଼ିମାନଙ୍କୁ ଅଧିକ ରୋଜଗାରରକ୍ଷମ କରିବାର ପ୍ରତିଶ୍ରୁତି ଯୋଗାଇଥିବ। ତେଣୁ ପୁରୁଣା ପିଢ଼ିମାନଙ୍କ ସହିତ ପ୍ରଥମେ ଏହି ଭାଷାର ଲିଖିତ ରୂପ ଓ ପରେ କଥିତ ରୂପ ଧରା ପୃଷ୍ଠରୁ ବିଲୁପ୍ତ ହୋଇ ଯାଇଥିବ।
ଭାଷାଟିର ନାମ ଓ ପରିଚୟ ଉଦ୍‌ଘାଟନ କରିବାକୁ ଭାଷାବିତ୍‌ମାନେ ଅନେକ କାଳ ଧରି ସଫଳ ନ ହେବାରୁ ନାଗରିକମାନଙ୍କର ପ୍ରସ୍ତାବ ଅନୁସାରେ ଏ ବିଷୟରେ ବିଶ୍ବବାସୀଙ୍କର ସାହାଯ୍ୟ ଲୋଡ଼ିବାର ଏକ ନିଷ୍ପତ୍ତି ନିଆଗଲା। ପୃଥିବୀର କେଉଁଠି ନା କେଉଁଠି ଏହି ଭାଷା ବ୍ୟବହୃତ ହୋଇଥିବାର କିଛି ଦସ୍ତାବିଜର ସୁରାକ ହୁଏତ ମିଳିଯିବ, ଏହି ଆଶାରେ ପୃଥିବୀର ବିଭିନ୍ନ ଦେଶର ଗଣମାଧ୍ୟମରେ ଭଗ୍ନାବଶେଷଗୁଡ଼ିକର ଚିତ୍ର ସହ ବିଜ୍ଞାପନମାନ ଦିଆଗଲା। ଅନେକ ଦିନ ପରେ ସୁଦୂର ବାଲି ଦ୍ୱୀପରୁ ଆସିଥିବା ଗୋଟିଏ ଉତ୍ତର ଭାଷାବିତ୍‌ମାନଙ୍କ ମନରେ ଆଶା ସଞ୍ଚାର କରିଥିଲା। ଯୋଗାଯୋଗ କରିଥିବା ବ୍ୟକ୍ତି ଜଣଙ୍କୁ ସସମ୍ମାନ ଏଠାକୁ ଆମନ୍ତ୍ରିତ କରାଯାଇଥିଲା। ସେ ସାଙ୍ଗରେ ଏକ ତାମ୍ରପତ୍ର ଆଣିଥିଲେ, ଯେଉଁଥିରେ ଆବିଷ୍କୃତ ବର୍ଣ୍ଣମାଳା ଅନୁରୂପ ଲିପିଗୁଡ଼ିକ ଲେଖାଥିଲା। ଭରପୂର ସଭାଗୃହରେ ସେ ଦର୍ଶକମାନଙ୍କୁ ତାମ୍ରପତ୍ରଟି ଦେଖାଇ କହିଥିଲେ ଯେ ଶହ ଶହ ବର୍ଷ ତଳେ ତାଙ୍କର ପୂର୍ବ ପୁରୁଷମାନେ ବାଣିଜ୍ୟ କରିବା ପାଇଁ ସେହି ମାଟିରୁ ବାଲି ଦ୍ୱୀପ ଯାଇଥିଲେ। ତାମ୍ରପତ୍ରଟି ସେହି ପୂର୍ବ ପୁରୁଷ ଓ ତାଙ୍କର ଭାଷା ସଂସ୍କୃତି ସହ ପର ପିଢ଼ିଗୁଡ଼ିକର ସଂପର୍କର ଚିହ୍ନ। ପତ୍ରଟି ଆଜି ତାଙ୍କ ପାଇଁ ଗୋଟିଏ ଆରାଧ୍ୟ ଦେବତାର ପ୍ରତିମୂର୍ତ୍ତି। ସେଥିରେ କ’ଣ ଲେଖା ହୋଇଛି ତାହା ସେ ଆଜି ପଢ଼ିବାକୁ ଅକ୍ଷମ, ହେଲେ ତାଙ୍କର ବାପା ଜେଜେବାପାମାନେ ତାଙ୍କୁ ସୂଚେଇ ଦେଇ ଆସିଛନ୍ତି ଯେ ସେଥିରେ ଲିଖିତ ଭାଷାଟି ହେଲା ‘ଓଡ଼ିଆ’ ଓ ତାହା ହିଁ ସେମାନଙ୍କ ପାଇଁ କାଳ କାଳର ପରିଚୟ।
ମୋ: ୯୪୩୭୦୮୯୬୫୫