ଚିନ୍ମୟ ହୋତା

ଆଜିକାଲି ସରକାରୀ ବାବୁମାନଙ୍କ ଘରେ ତୁହାକୁ ତୁହା ଚଢ଼ାଉ। କାହାକୁ ଭିଜିଲାନ୍‌ସ ମାଡ଼ି ବସିଲାଣି ତ କାହା ଘରେ ଇଡି ଧସେଇ ପଶିଲାଣି। ଏଣେ ଟିଭି ଓ ଭିଡିଓ ଚ୍ୟାନେଲଗୁଡ଼ିକରେ ତଲାସିର ଟିକିନିକି ବିବରଣୀ ପ୍ରଦର୍ଶିତ ହେଉଥିବାରୁ ପ୍ରକ୍ରିୟାଟି ଗୋଟିଏ ନାଟକର ରୂପ ନେଉଛି। ଚଢ଼ାଉ ହେଉଥିବା ଘରଟି ଆଜିକାଲି ଗୋଟିଏ ରଙ୍ଗମଞ୍ଚ ଭଳି ଦିଶିଲାଣି। ଖୋଜି ବାହାର କରାଯାଇଥିବା ସୁନାଗହଣା, ସୁନା ବିସ୍କୁଟ, ଥାକ ଥାକ ନଗଦ ଟଙ୍କାବିଡ଼ା, ଦାମୀ ଘଡ଼ି ଓ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ସାମଗ୍ରୀ ଓ ଜମିବାଡ଼ି କାଗଜପତ୍ର ଏମିତି ସଜା ହୋଇ ରଖାଯାଇଥାଏ ଯେ ପରିବେଶଟି ଏକ ସ୍ୱର୍ଣ୍ଣପୁରୀରୁ କିଛି କମ୍ ଲାଗେ ନାହିଁ। ରେଡ୍‌ର ଶିକାର ହୋଇଥିବା ବାବୁ ଓ ବାବୁଆଣୀଙ୍କ ଅବସାଦଗ୍ରସ୍ତ ମୁହଁଟିମାନ ଦେଖିଲେ ଲାଗେ ସେମାନେ ତାଙ୍କର ସ୍ବର୍ଣ୍ଣଲଙ୍କା ପୋଡ଼ିଯାଉଥିବାର ଦୃଶ୍ୟକୁ ହତାଶ ହୋଇ ଦେଖୁଛନ୍ତି। ଆଉ ଉତ୍ସାହୀ ତଲାସି କର୍ମୀମାନଙ୍କୁ ଦେଖିଲେ ଲାଗେ ଯେମିତି ସେମାନେ ସେଇ ସ୍ୱର୍ଣ୍ଣଲଙ୍କାରେ ଅଗ୍ନି ସଂଯୋଗ କରି ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି। ଏଇସବୁ ମଝିରେ ବିଭିନ୍ନ ଚ୍ୟାନେଲର ପ୍ରତିନିଧିମାନେ ବୁମ୍ ଧରି ତାଙ୍କ ବିବରଣୀକୁ ଅଧିକ ଚାଞ୍ଚଲ୍ୟକର କରିବାର ପ୍ରୟାସରେ ବଛା ବଛା ସଂଳାପମାନ ପରିବେଷଣ କରି ଚାଲିଥାନ୍ତି। ଆଜିକାଲି ପ୍ରତ୍ୟେକ ଚଢ଼ାଉ ସ୍ଥଳରେ ଘଟଣା ଓ ଚରିତ୍ର ସମ୍ପୂର୍ଣ୍ଣ ନାଟକୀୟ। 
ଏହି ନାଟକକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରନ୍ତି ସାଧାରଣ ଜନତା। ବଢ଼ନ୍ତା ବଜାର ଖର୍ଚ୍ଚ, ଇଲେକ୍‌ଟ୍ରିକ ବିଲ୍ ଓ ପିଲାଙ୍କ ସ୍କୁଲ ଫି’ ଇତ୍ୟାଦିର ଭାରରେ ହନ୍ତସନ୍ତ ହେଉଥିବା ଲୋକଙ୍କ ପାଇଁ ଏହିସବୁ ଦୃଶ୍ୟ ଆଣିଦିଏ ଚରମ ତୃପ୍ତି। ପ୍ରମାଣ ନ ହେଲା ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଦୋଷୀ ନୁହନ୍ତି ବୋଲି ଯେତେ ସଫେଇ ଦେଲେ ବି ସାଧାରଣ ଲୋକଙ୍କ ଆଖିରେ ସେ ଖଳନାୟକ ସାଜି ସାରିଥାନ୍ତି। ନିଜର ସୀମିତ ମାସିକ ବେତନ ଭିତରେ ଏତେସବୁ ବିଳାସବ୍ୟସନ ଯେ ଅସମ୍ଭବ, ଏ କଥା ସମସ୍ତେ ଜାଣନ୍ତି, ଆଉ ଏହା ବି ଜାଣନ୍ତି ଯେ ଆଜି ଦିନଟି ଗଲେ କେସ୍‌ଟି କେଉଁ ଅଜଣା ଶୀତଳ ଭଣ୍ଡାର ଭିତରେ ସବୁଦିନ ପାଇଁ ହଜିଯିବ। ଦୁନିଆ ଆଗରେ ହେଉଥିବା ହଟହଟା ହିଁ ଦୁର୍ନୀତିଗ୍ରସ୍ତ ବାବୁ ଜଣକ ପାଇଁ ପ୍ରକୃତ ଦଣ୍ଡ। 
ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ କହିଥିଲେ ଦର୍ଶକଟିଏ ବିୟୋଗନ୍ତକ ନାଟକ ଦେଖିଲେ ତା’ ଭିତରେ ଜମାଟ ବାନ୍ଧିଥିବା ଆବେଗଗୁଡ଼ିକର ମୋଚନ ହୁଏ। ଏହି ପ୍ରକ୍ରିୟାକୁ ସିଏ ନାଁ ଦେଇଥିଲେ ‘କାଥାରସିସ୍’। ତେଣୁ ଆଜିର ଚଢ଼ାଉ ପ୍ରକ୍ରିୟାର ଏହି ଡ୍ରାମା ଦେଖି ସାଧାରଣ ଦର୍ଶକଟି ନିଜ ଅନ୍ତରକୁ ବିଶୁଦ୍ଧ କରିଥାଏ କହିଲେ ଭୁଲ୍ ହେବ ନାହିଁ। 
ଏହି ଚଢ଼ାଉ ନାଟକରେ ଆଜିକାଲି ବେଳେବେଳେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ପାଉଛନ୍ତି ଦର୍ଶକମାନେ। ଜଣେ ଜଣେ ଚଢ଼ାଉ ପୀଡ଼ିତା ବାବୁଆଣୀ କାର୍ଯ୍ୟାନୁଷ୍ଠାନର ଦୃଢ଼ ପ୍ରତିବାଦ କରୁଛନ୍ତି ଓ କଡ଼ା କଡ଼ା ଶବ୍ଦ ପ୍ରୟୋଗ କରି ରେଡ୍ କର୍ମୀଙ୍କୁ ତାଙ୍କ କାମରେ ପ୍ରତିରୋଧ କରିବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି। ଏମିତି ଗୋଟିଏ ଦୁଇଟି ଦୃଷ୍ଟାନ୍ତ ମୁଁ ଟିଭିରେ ଦେଖିଥିଲି, ହେଲେ ଏ ଭିତରେ କଥା ଏତେ ଦୂର ଆଗେଇ ଯାଇଥିବ ବୋଲି ମୋ କଳ୍ପନାର ବାହାରେ ଥିଲା। 
ସେଦିନ ବିଧାନସଭା ଚାଲିଥିବା ବେଳେ ନାନା ସ୍ଲୋଗାନମାନ ଦେଉଥିବା ଓ ହାତରେ ପ୍ଲାକାର୍ଡ ଧରିଥିବା ମହିଳାମାନଙ୍କର ଏକ ଦଳକୁ ଦେଖିଥିଲି। ଦେଖିଲି ଗୋଟିଏ ବଡ଼ ବ୍ୟାନରରେ ଲେଖା ହୋଇଛି ‘‘ନିଖିଳ ଓଡିଶା ରେଡ୍ ପୀଡ଼ିତା ଘରଣୀ ମହାସଂଘ।’’ ମୁଁ ପାଖକୁ ଆସୁଥିବାର ଦେଖି ସେମାନେ ‘ମହାସଂଘ ଜିନ୍ଦାବାଦ’ ସ୍ଲୋଗାନ ଦେବାକୁ ଆରମ୍ଭ କରିଦେଲେ। ମୋର କୌତୂହଳ ବଢ଼ିବାରେ ଲାଗିଲା। ତେଣୁ ଦଳଟିର ମୁଖ୍ୟ ଭଳି ଦିଶୁଥିବା ଜାଣେ ମହିଳାଙ୍କୁ ସେମାନଙ୍କର ଉଦ୍ଦେଶ୍ୟ ଓ ଦାବି ବିଷୟରେ ପ୍ରଶ୍ନ କଲି। 
‘‘ଘୋର ଅନ୍ୟାୟ ବିରୋଧରେ ଆମର ଏଇ ଅଭିଯାନ’’, ସେ ଆରମ୍ଭ କଲେ। ‘‘ଆମ ସ୍ୱାମୀମାନଙ୍କ ନାଁରେ ବେଆଇନ, ଉଦ୍ଦେଶ୍ୟ ପ୍ରଣୋଦିତ ଓ ଆମର ମାନବିକ ଅଧିକାର ଉଲ୍ଲଂଘନ କରୁଥିବା ଚଢ଼ାଉ ବିରୋଧରେ ଆମେ ପ୍ରତିବାଦ ଜଣାଉଛୁ ଓ ସରକାରଙ୍କ ଠାରେ ଆମର ଦାବି ଉପସ୍ଥାପନ କରିବାକୁ ଯାଉଛୁ।’’
‘‘ଆପଣମାନଙ୍କ ଘରୁ ପୁଳା ପୁଳା ହିସାବ ବହିର୍ଭୂତ ସମ୍ପତ୍ତି ଜବତ ହେବାର ତ ସାରା ଦୁନିଆ ଦେଖିଛି। ପୁଣି କି ଅନ୍ୟାୟ କଥା ଆପଣ କହୁଛନ୍ତି?’’ ମୁଁ ପଚାରିଲି।
ଏଥର ସେ ତାଙ୍କର ଦାବିଗୁଡ଼ିକ ଗୋଟି ଗୋଟି କରି ମୋତେ ଶୁଣାଇବାକୁ ଆରମ୍ଭ କରିଦେଲେ। କହିଲେ, ‘‘ଚଢ଼ାଉର ଅନ୍ତତଃ ତିନି ଦିନ ପୂର୍ବରୁ ଆମକୁ ଏ ବିଷୟରେ ସରକାରୀ ସୂଚନା ମିଳିବା ଆମର ପ୍ରଥମ ଦାବି।’’ ତାଙ୍କ ମୁହଁରୁ କଥାଟି ସାରିଛି କି ନାହିଁ ତାଙ୍କ ସାଥିମାନେ ସ୍ଲୋଗାନ ଦେଲେ, ‘‘ଆମର ଦାବି, ଆମର ଦାବି।’’
ମୁଁ କହିଲି, ‘‘ତା’ ହେଲେ ତ ଯାଞ୍ଚର କିଛି ଅର୍ଥ ରହିବନି। ଚଢ଼ାଉ ଗୋପନୀୟ ଓ ଅତର୍କିତ ହେବା ଦରକାର।’’
‘‘ହେଲେ ମୁଁ କ’ଣ କରିପାରିବି, ଛୋଟ ପିଲାମାନଙ୍କ ଉପସ୍ଥିତିରେ ଚଢ଼ାଉ କରିବା ଶିଶୁମାନଙ୍କର ମୌଳିକ ଅଧିକାର ଉଲ୍ଲଂଘନ ନୁହେଁ କି? ଆଗରୁ ଜଣାଇଥିଲେ ଆମେ ପିଲାଙ୍କୁ ଅନ୍ୟ ସ୍ଥାନରେ ଛାଡ଼ି ଆସି ପାରିବୁ।’’ 
ସେ କହି ଚାଲିଲେ, ‘‘ଦ୍ବିତୀୟ ଦାବି ହେଲା, ଠାକୁର ଘରେ ପଶି ତଲାସି ନେବାକୁ ନିଷେଧ କରାଯାଉ। ଏହା ଆମର ଧାର୍ମିକ ଅଧିକାରର ବିରୋଧାଚରଣ କରୁଛି।’’
ପୁଣି କହିଲେ, ‘‘ରେଡ୍ ସମୟରେ ଗଣମାଧ୍ୟମର ଉପସ୍ଥିତିକୁ ବାରଣ କରିବା ଆମର ଦାବି’’ (‘‘ଆମର ଦାବି ଆମର ଦାବି’’)। ଗଣମାଧ୍ୟମ ଆମର ସଂକଟ ଅବସ୍ଥାକୁ ମନୋରଞ୍ଜନରେ ପରିଣତ କରିବା ଆମର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁନାହିଁ କି?’’ ଥିଲା ତାଙ୍କର ପ୍ରଶ୍ନ।
‘‘ତଦନ୍ତ ପରେ ଯଦି ଆମ ସ୍ୱାମୀ ନିର୍ଦ୍ଦୋଷ ପ୍ରମାଣିତ ହେଲେ, ତେବେ ବାଜ୍ୟାପ୍ତ ସମ୍ପତ୍ତିର ଦଶ ଗୁଣ ମାନହାନି ବାବଦରେ ସରକାର ତାଙ୍କୁ ପ୍ରଦାନ କରିବା ଆମର ଦାବି।’’
ଅନ୍ୟମାନେ କହି ଉଠିଲେ, ‘‘ଆମର ଦାବି, ଆମର ଦାବି।’’
ଆହୁରି ଅନେକ ଦାବି ନେତ୍ରୀଙ୍କ କାଗଜରେ ଲେଖା ଥିଲା। କିନ୍ତୁ ଏବକୁ ଦଳଟି ବିଧାନସଭା ଆଡ଼େ ବଢ଼ିବାକୁ ଅଧୀର ହେଉଥିଲା, ତେଣୁ ଆମର ସାକ୍ଷାତ୍‌କାର ସେଇଠି ଶେଷ ହେଲା। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

Advertisment