ଚିନ୍ମୟ ହୋତା

ବିହାର ରାଜନୀତିର କ୍ଷେତ୍ରଟି ତ ସହଜରେ କୌତୁକିଆ, ସେହି ପରିବେଶଟିକୁ ଆହୁରି ରସରସିଆ କରିଦିଏ ଭାରତର ପଞ୍ଚାବନ ବର୍ଷ ବୟସ୍କ ଚିର ତରୁଣ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଉପସ୍ଥିତି। ତାଙ୍କର କିଛି ଅଦ୍ଭୁତ ଆଚରଣ ଓ ଉଚ୍ଚାରଣ ସମସ୍ତ ରାଜନୈତିକ ଟଣାଝିଙ୍କା ଓ ଉତ୍ତେଜନାକୁ ଛୁ’ ମନ୍ତର କରିଦିଏ ନିମିଷକେ। ଏଇ ଯେମିତି କିଛି ଦିନ ତଳେ ସେଠାକାର ବେଗୁସରାଇ ଠାରେ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ରାସ୍ତା କଡ଼ରେ କିଛି ଲୋକ ମାଛ ଧରୁଥିବାର ଦେଖି ସେ ଭରା ପୋଖରୀକୁ ମାରିଲେ ଡିଆଁ, ଏ କଥା ଚିନ୍ତା ନ କରି ଯେ ସେ ସେତେବେଳେ ପହଁରା ପୋଷାକ ନୁହେଁ, ତାଙ୍କର ଫୁଲ୍‌ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିଥିଲେ। ସେ ଧୀବରମାନଙ୍କ ସହ ମାଛ ଧରିଲେ, ଫଟୋ ଉଠାଇଲେ ଓ ସେମାନଙ୍କ ବୃତ୍ତି ବିଷୟରେ ଆଲୋଚନା କଲେ- ସବୁ ସେଇ ପାଣି ଭିତରେ ଥାଇ। ଯାହା ହେଉ ରାହୁଳଙ୍କ ପୋଖରୀ ଡିଆଁ ଓ ମାଛ ଧରାର ବିଭିନ୍ନ ଚିତ୍ର ଓ ରିପୋର୍ଟ ଦେଶବାସୀଙ୍କୁ କିଛିଟା ଆନନ୍ଦର ଖୋରାକ ଯୋଗାଇଲା।
ରାହୁଳଙ୍କ ସମସ୍ତ ମଜାଦାର କଥା ବା କାମକୁ ବଖାଣି ବସିଲେ ଗୋଟେ ମହାଭାରତ ହେବ, ତେଣୁ ଆମେ ସେ ଉଦ୍ୟମ ନ କରି କେବଳ ତାଙ୍କର ପାଣି ଓ ମାଛ ଧରା ପ୍ରତି ଝୁଙ୍କ ଉପରେ ଆମର ନଜରକୁ ସୀମିତ ରଖିବୁ। ଅନେକ ପାଠକପାଠିକାଙ୍କୁ ରାହୁଳଙ୍କ ସଦ୍ୟତମ ପାଣିକୁ ଡିଆଁ ଓ ମାଛ ଧରା ଉପାଖ୍ୟାନ ପାଞ୍ଚ ବର୍ଷ ତଳର ଏକ ଅନୁରୂପ ଘଟଣା ମନେ ପକାଇ ଦେଇଥିବ। ୨୦୨୧ରେ ଥରେ କେରଳର ଏକ ସମୁଦ୍ରକୂଳିଆ ଅଞ୍ଚଳକୁ ବୁଲି ଯାଇଥିବା ବେଳେ ରାହୁଳ ସମୁଦ୍ରକୁ ଯାଉଥିବା ଗୋଟେ ମାଛ ଧରା ଡଙ୍ଗାରେ ହଠାତ୍ ବସି ପଡ଼ିଥିଲେ ଓ ମାଛ ଧରାଳୀଙ୍କ ସହ ସମୁଦ୍ର ଭିତରକୁ ଦଶ କିଲୋମିଟର ଚାଲି ଯାଇଥିଲେ। ସେତିକିରେ କଥା ସରିଥାନ୍ତା ଭଲା! ଧୀବରମାନେ ପାଣିକୁ ଓହ୍ଲାଇ ଜାଲ ବିଛାଇବା ବେଳେ ଦେଖିଥିଲେ ଏକ ଅଭାବନୀୟ ଦୃଶ୍ୟ- ଦୀର୍ଘ କାଳରୁ ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ଅପେକ୍ଷା କରିଥିବା ନେତା ଜଣକ ଡଙ୍ଗାରୁ ଲମ୍ବା ଡିଆଁଟିଏ ମାରିଥିଲେ ଅଥଳ ଜଳ ଭିତରକୁ। ସେଥର ମଧ୍ୟ ତାଙ୍କର ପୋଷାକ ଥିଲା ଫୁଲ୍‌ ପ୍ୟାଣ୍ଟ ଓ ଟି-ସାର୍ଟ। ମାଛ ଧରାଳୀଙ୍କ ସହ ସେ ଜାଲ ପକାଇଲେ ଓ ଟାଣିଲେ। ଅବଶ୍ୟ ସେ କଥା ଅଲଗା ଯେ ଗୋଟିଏ ବି ମାଛ ପଡ଼ି ନ ଥିଲା। ପରେ ତାଙ୍କର ଏହି ଦୁଃସାହସିକ ଅଭିଯାନ ବିଷୟରେ ସାମ୍ବାଦିକମାନେ ପଚାରିବାରୁ ରାହୁଳ କହିଥିଲେ ଯେ ଅତୀତରେ ଜଣେ ସ୍କୁବା (ଗଭୀର ସମୁଦ୍ରକୁ ପ୍ରବେଶ କରିବାର କୌଶଳ) ପ୍ରଶିକ୍ଷକ ଥିବାରୁ ଏ ସବୁ ସହ ସେ ଅଭ୍ୟସ୍ତ। ପୂର୍ବରୁ ଚାଷୀମାନଙ୍କ ପାଇଁ ଅନେକ ପ୍ରସଙ୍ଗ ଉଠାଇ ଦୃଷ୍ଟି ଆକର୍ଷଣ କରିଥିବା ନେତାଟିକୁ ‘ଉଦୀୟମାନ ସମୁଦ୍ର କୃଷକ’ ବୋଲି ସୋସିଆଲ ମିଡିଆ ଛିଗୁଲେଇଲା।
କେରଳ ଘଟଣା ପରେ ପରେ ରାହୁଳଙ୍କର ବିହାରର ଏଇ ଅଭିଯାନ ପ୍ରମାଣ କରି ଦେଉଛି ଯେ ପାଣି ଓ ମାଛ ଧରା ପ୍ରତି ତାଙ୍କର ଆବେଶ ସ୍ୱତନ୍ତ୍ର। ହୁଏତ ଏଗୁଡ଼ିକ ତାଙ୍କୁ ଗୋଟିଏ ଗୋଟିଏ ଆହ୍ୱାନ ଭଳି ଲାଗନ୍ତି। ଜର୍ଜ ମେଲରି ନାମକ ଜଣେ ପ୍ରସିଦ୍ଧ ପର୍ବତାରୋହୀଙ୍କୁ ଯେତେବେଳେ ତାଙ୍କର ଏଭରେଷ୍ଟ ବିଜୟ ପାଇଁ ଏତେ ଆଗ୍ରହର କାରଣ ବିଷୟରେ ପଚରା ଯାଇଥିଲା, ସେ କହିଥିଲେ, ‘‘କାରଣ ଏହା ସେଇଠି ଅଛି।’’ ଏହି ଉକ୍ତିଟି ମଣିଷର ଅଭିଯାନ, ଆବିଷ୍କାର ଓ ଦୁରୂହ ଆହ୍ୱାନକୁ ଜିତିବାର ଆକାଙ୍‌କ୍ଷାର ପ୍ରତୀକ ହୋଇ ରହିଛି ଆଜି ଯାଏ। ମୋତେ ଲାଗେ ଯଦି ରାହୁଳଙ୍କୁ ତାଙ୍କର ପୋଖରୀ ଆକର୍ଷଣର କାରଣ ପଚରା ଯାଆନ୍ତା ସେ ମଧ୍ୟ କହନ୍ତେ, ‘‘କାରଣ ଏହା ସେଇଠି ଅଛି।’’ ତେବେ କୌଣସି ଜିନିଷ ପ୍ରତି ଆକର୍ଷିତ ହେବା ଓ ତାକୁ ବିଜୟ କରିବା ଭିତରେ ବହୁତ ପାର୍ଥକ୍ୟ। ନ ହେଲେ କ’ଣ ଏତେ ବର୍ଷ ଧରି ନଈ, ପୋଖରୀ ଓ ସମୁଦ୍ରରେ ଡିଆଁ ମାରି ଓ ମାଛ ଧରିବାକୁ ଆପ୍ରାଣ ଚେଷ୍ଟା କରି ମଧ୍ୟ ରାହୁଳ ତାଙ୍କର ବାଞ୍ଛିତ ‘ସୁନା ଇଲିଶି’ ଧରିବାରେ ବିଫଳ ହୋଇ ରହିଥାନ୍ତେ?
ଏଠି ଦେଖିବାର କଥା ସେ ବ୍ୟବହାର କରୁଥିବା ମାଛ ଧରା ଉପକରଣଗୁଡ଼ିକ ଠିକ୍ କାମ କରୁଛନ୍ତି ତ? ଓଡ଼ିଆରେ ଗୋଟେ ଲୋକପ୍ରିୟ ପ୍ରବାଦ ରହିଛି, ‘ବାପ ପୁଅ ଦିହେଁ ରାତି ଅନିଦ୍ରା, ମୁଗୁରା ପଛ ମେଲା।’ ତେଣୁ ରାହୁଳ ଦେଖିବା କଥା ଯେ ତାଙ୍କ ମୁଗୁରାର ଶେଷ ଭାଗ ଠିକ୍ ବନ୍ଧା ହୋଇଛି ତ? ନ ହେଲେ ଯେତେ ବିନିଦ୍ରରଜନୀ କଟାଇଲେ ବି ମାଛ ପଡ଼ିବେ ନାହିଁ। ପୁଣି ଜାଲ ପକାଇବା ବେଳେ ସେ ତଦାରଖ କରିନେବା କଥା ଯେ ସେ ଜାଲର ଛିଦ୍ରଗୁଡ଼ିକ ମାଛର ସାଇଜରୁ ବଡ଼ ହୋଇ ଯାଇ ନାହାନ୍ତି ତ! ଅନେକଙ୍କୁ ଲାଗେ ବୋଧେ ବଡ଼ ନିର୍ବାଚନୀ ମାଛ ଧରିବାକୁ ଏତେ ବର୍ଷ ରାହୁଳ ଗଳଦ୍‌ଘର୍ମ ହୋଇ ଚେଷ୍ଟା କରୁଥିଲେ ସୁଦ୍ଧା ତାଙ୍କ ଜାଲ କିମ୍ବା ଥୋପରେ କିଛି ତ୍ରୁଟି ରହି ଯାଇଛି।
ପ୍ରତ୍ୟେକ ଅଭିଜ୍ଞ ମାଛୁଆ ଜାଣେ ଯେ ଅଲଗା ପାଣିରେ ସମାନ କୌଶଳ ଲଗାଇ ମାଛ ଧରାଯାଏ ନାହିଁ। ଏଥିପାଇଁ ଆବଶ୍ୟକ ଧୈର୍ଯ୍ୟ, ଠିକ୍ ଥୋପ, ପଶ୍ଚାଦଭାଗ ବନ୍ଦ ଥିବା ମୁଗୁରା କିମ୍ବା ଛୋଟ ଛିଦ୍ରବାଲା ଜାଲ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ- ଯେତେବେଳେ ଗୋଟିଏ କୌଶଳ ଫେଲ୍ ମାରିବ ସେତେବେଳେ ନିଜର କୌଶଳ ପରିବର୍ତ୍ତନ କରିବାର ଜ୍ଞାନ।
ରାହୁଳଙ୍କର ଏମିତି ଅବସ୍ଥାରେ ଜଣେ ବିରୋଧୀ ଦଳ ନେତା ଘୋଷଣା କଲେ, ‘‘ଆଗାମୀ ବିହାର ନିର୍ବାଚନରେ ରାହୁଳ ଗାନ୍ଧୀ ଅଧିକ ମାଛ ଧରିବେ ନିଶ୍ଚୟ।’’ କଥାଟି ରାହୁଳ ଓ ତାଙ୍କର ସମର୍ଥକମାନଙ୍କୁ ଯଥେଷ୍ଟ ଆଶ୍ୱାସନା ଦେଇଥାନ୍ତା ଯଦି ବାଦୁଆ ନେତା ଜଣକ ତତ୍‌କ୍ଷଣାତ ତାଙ୍କ ଉକ୍ତିରେ ଯୋଡ଼ିଦେଇ ନଥାନ୍ତେ, ‘‘କିନ୍ତୁ ତାହା ସେ ସାଉଁଟିବାକୁ ଯାଉଥିବା ଭୋଟ ଅପେକ୍ଷା ଯଥେଷ୍ଟ ବେଶୀ ହେବ।’’
କୁହାଯାଏ କାଦୁଆ ପାଣିରେ ଭଲ ମାଛ ଧରି ହୁଏ। ବିହାର ଠାରୁ ଅଧିକ ଗୋଳିଆ ରାଜନୈତିକ ପାଣି ଆଉ କେଉଁଠି ବା ମିଳିବ? ତେଣୁ ସମୟ ଆସିଛି ରାହୁଳ ଗାନ୍ଧୀ ତାଙ୍କର କୌଶଳ ବଦଳାଇ ଏହି ଗୋଳିଆ ପାଣିର ଫାଇଦା ଉଠାଇବାକୁ ତତ୍ପର ହୁଅନ୍ତୁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

Advertisment