ଚିନ୍ମୟ ହୋତା
ଏ ବର୍ଷ ସାରା ରାଜ୍ୟ ରଜ ପର୍ବ ପାଳୁଥିବା ବେଳେ ଭୁବନେଶ୍ୱର ଉପକଣ୍ଠସ୍ଥ ଧଉଳି ପାହାଡ଼ର ହାତୀଗୁମ୍ଫା ପାର୍କରେ ଉନ୍ମୋଚିତ ହୋଇ ଚାଲିଥିଲା କଟୁ-ତିକ୍ତ-ମଧୁର ରସରେ ଭରା ଜୀବନ ନାଟକର ଏକ ଅଙ୍କ। ଜୀବନ ନାଟକ ବୋଲି ଏଇଥି ପାଇଁ କହିଲି ଯେ, ଆମ ଜୀବନର ସବୁ ଚିହ୍ନା ଭାବ ଓ ଅନୁଭୂତିଗୁଡ଼ିକ ଗୋଟି ଗୋଟି ହୋଇ ଦିଶି ଯାଉଥିଲା ଏଥିରେ; ଯେମିତି ପ୍ରେମ, ପ୍ରତାରଣା, ଉତ୍କଣ୍ଠା, କ୍ରୋଧ, ହିଂସା, ଅଭିମାନ, ହତାଶା, ଆହୁରି ଅନେକ। ଶେଷରେ ପୁଲିସର ଆଗମନ ନାଟକଟିକୁ ପୂର୍ଣ୍ଣାଙ୍ଗ କରି ପକାଇଲା। ଆପଣଙ୍କର କୌତୂହଳ ବଢୁଛି ନା?
ଘଟଣାଟି ଏମିତି। ବିହାରର ଯୁବକ ଫେସ୍ବୁକରେ ଓଡ଼ିଆ ଝିଅଟିର ପ୍ରୋଫାଇଲ ଫଟୋ ଦେଖି ବିମୋହିତ ହେଲା ଓ ଉଭୟଙ୍କର ଆଭାସୀ ପ୍ରେମ ଆଗକୁ ବଢ଼ିଲା। ଉଭୟେ ପରସ୍ପରକୁ ସଶରୀରେ ଭେଟିବା ପାଇଁ ସ୍ଥାନ ଓ ତାରିଖ ଠିକ୍ କଲେ। ସମ୍ରାଟ ଅଶୋକ କଳିଙ୍ଗ ବିଜୟ କରିବାକୁ ଯୁଦ୍ଧ ଅଭିଯାନରେ ମଗଧ (ଆଜିର ବିହାର)ରୁ ଆସିବା ଭଳି ପିଲାଟି କଳିଙ୍ଗ କନ୍ୟାକୁ ଜିତିବା ପାଇଁ ବିହାରରୁ ଆସି ପହଞ୍ଚିଗଲା, ଅତୀତର ସେହି ପ୍ରଖ୍ୟାତ ଯୁଦ୍ଧଭୂମି ପାଖରେ: ଦୟା ନଦୀ କୂଳରେ, ଧଉଳିର ପାଦ ଦେଶରେ। ସମ୍ରାଟ ଅଶୋକ ସେ ଦିନ ରଣକ୍ଷେତ୍ରରେ ଅପେକ୍ଷାରତ ଲକ୍ଷାଧିକ କଳିଙ୍ଗ ଯୋଦ୍ଧାଙ୍କୁ ଦେଖି ଚକିତ ହୋଇଥିବେ ନିଶ୍ଚୟ। ଠିକ୍ ସେହିଭଳି ଆଧୁନିକ ଅଶୋକ ଚକିତ ହୋଇଥିଲା ତାକୁ ସେଦିନ ସମ୍ଭାଷଣ ଜଣାଇଥିବା ଯୁବତୀ ଜଣକୁ ଦେଖି, କାରଣ ଫେସ୍ବୁକର ଯେଉଁ ମୁହଁଟିର ଚିତ୍ର ଦେଖି ସେ ପ୍ରେମରେ ପଡ଼ିଯାଇଥିଲା, ଏବେ ତା’ ସାମନାରେ ଛିଡ଼ା ହୋଇଥିବା ଯୁବତୀଟି ଥିଲା ତା’ ଠୁଁ ସମ୍ପୂର୍ଣ୍ଣ ଅଲଗା। ଭିଡିଓ କଲ୍ ପାଇଁ ପୁଅଟିର ବାରମ୍ବାର ଅନୁରୋଧକୁ ଝିଅଟି ଏଡ଼ାଇ ଯାଉଥିଲା, ତାକୁ ଅସଲି ଦେଖା ବେଳେ ‘ସରପ୍ରାଇଜ୍’ ଦେବ ବୋଲି କହି। ସେହି ବହୁ ପ୍ରତୀକ୍ଷିତ ସାକ୍ଷାତର ସମୟ ଓ ସ୍ଥାନ ବି ଠିକ୍ କରିନେଲେ ସେମାନେ। ହେଲେ, ନିର୍ଦ୍ଦିଷ୍ଟ ଦିନ ସୁଦୂର ବିହାରରୁ ଭୁବନେଶ୍ୱର ପହଞ୍ଚି ପିଲାଟି ପାଇଲା ଏକ ଭୟଙ୍କର ‘ସରପ୍ରାଇଜ୍’।
ଆରମ୍ଭ ହେଲା ବଚସା, ଉଚ୍ଚବାଚ, କଥା କଟାକଟି ଓ ଶେଷରେ ହାତାହାତି। ଏହି ନୂଆ କଳିଙ୍ଗ ଯୁଦ୍ଧରେ କ୍ଷତବିକ୍ଷତ ହେଲା ହୃଦୟ, ଆଉ ଦୟା ନଦୀର ପାଣି, ଲହୁରେ ନ ହେଲେ ବି ଲୁହ, ଦୀର୍ଘଶ୍ୱାସ ଓ ହା’ହୁତାଶରେ ରଞ୍ଜିତ ହୋଇଗଲା। ସେହି ପ୍ରସିଦ୍ଧ ଐତିହାସିକ ଯୁଦ୍ଧଟିର ସାମଞ୍ଜସ୍ୟ ଏତିକିରେ ସରିଥାନ୍ତା ଭଲା! କିନ୍ତୁ ନା, କଳିଙ୍ଗ ଯୁଦ୍ଧର ବିଭୀଷିକାକୁ ବୁଲି ଦେଖୁଥିବା ବେଳେ ଅନୁତପ୍ତ ଓ ବିଷାଦଗ୍ରସ୍ତ ସମ୍ରାଟ ଅଶୋକଙ୍କ ସମ୍ମୁଖରେ ବୌଦ୍ଧ ଭିକ୍ଷୁ ଉପଗୁପ୍ତ ଆବିର୍ଭୂତ ହେବା ଭଳି ଏହି ପ୍ରେମୀଯୁଗଳଙ୍କ ଲଢ଼େଇ ଚାଲିଥିବା ବେଳେ ଆସି ପହଞ୍ଚି ଯାଇଥିଲେ ନିକଟସ୍ଥ ଥାନାର ପୁଲିସ ବାବୁମାନେ। ପ୍ରକାଶ ଥାଉ କି କଳହ କ୍ଷେତ୍ରରେ ଭିଡ଼ ଜମାଇ ମଜା ଉଠାଉଥିବା ଲୋକଙ୍କ ଭିତରୁ କିଛି ବିବେକୀ ଦର୍ଶକ ପୁଲିସକୁ ଖବର ଦେଇଥିଲେ ଘଟଣାରେ ହସ୍ତକ୍ଷେପ କରିବା ପାଇଁ।
ପ୍ରେମୀମାନଙ୍କୁ ତାଙ୍କର ସଙ୍କଟରୁ ରକ୍ଷା କରିବା କ୍ଷେତ୍ରରେ ପୁଲିସର ଭୂମିକା ବିଷୟଟି କାହାକୁ ବା ଅଜଣା? ଅନେକ ପଳାୟମାନ ପ୍ରେମୀଯୁଗଳଙ୍କୁ ତାଙ୍କର ରକ୍ତମୁଖା ଅନୁଧାବନକାରୀମାନଙ୍କ ପାଖରୁ ରକ୍ଷା କରି ପୁଲିସ ନିଜ ପାଖରେ ଶରଣ ଦେବା କଥା ମଝିରେ ମଝିରେ ଶୁଣିବାକୁ ମିଳେ। ବେଳେ ବେଳେ ତ ପୁଲିସ ଏହି ସାମାଜିକ ଦାୟିତ୍ୱରେ ଏତେ ନିମଜ୍ଜିତ ହୋଇପଡ଼େ ଯେ ଥାନା ପରିସରରେ ସେହି ଆଶ୍ରିତ ପ୍ରେମୀମାନଙ୍କର ହାତକୁ ଦି’ ହାତ ମଧ୍ୟ କରିଦିଏ; ଅବଶ୍ୟ ସେମାନେ ସାବାଳକ ହୋଇ ସାରିଲେଣି ବୋଲି ନିଶ୍ଚିତ ହେବା ପରେ। ଏମିତି ସଫଳ ବିବାହ ଉତ୍ସବରେ ଥାନା ବାବୁମାନେ କନ୍ୟାଦାନ କରିବାର ଗୋଟିଏ ଅଲିଖିତ ପରମ୍ପରା ମଧ୍ୟ ସୃଷ୍ଟି ହୋଇ ସାରିଛି।
ଆଲୋଚ୍ୟ ମାମଲାଟିରେ କିନ୍ତୁ ପୁଲିସ ବାବୁମାନେ ଆଉ ଏକ ଆସନ୍ନ ବିବାହ ସମ୍ପନ୍ନ କରିବାର ସୁବର୍ଣ୍ଣ ସୁଯୋଗ ସେ ଦିନ ହରାଇ ଦେଇଥିଲେ। ଭିକ୍ଷୁ ଉପଗୁପ୍ତଙ୍କ ଭଳି ସେମାନେ ଆଧୁନିକ ଅଶୋକର କିମ୍ବା କଳିଙ୍ଗ କନ୍ୟାଟିର ହୃଦୟ ପରିବର୍ତ୍ତନ କରିପାରି ନ ଥିଲେ। ଥାନାରେ ‘ବୁଝାବୁଝି’ କରି ପୁଲିସ ବାବୁମାନେ ପ୍ରେମୀ ଯୁଗଳଙ୍କୁ ସେମାନଙ୍କ ନିଜ ନିଜ ଘରକୁ ପଠାଇ ଦେଇଥିଲେ ସତ, କିନ୍ତୁ ଉଭୟ ପ୍ରେମୀ ସେ ସ୍ଥାନ ଛାଡ଼ିଥିଲେ ରାଗରେ ଫଁ ଫଁ ହୋଇ। ସେମାନେ ହୃଦୟରେ ପ୍ରେମ ଓ ମିଳନର ଆଶା ନେଇ ସେଠାକୁ ଆସିଥିଲେ, ଅଥଚ ଘରକୁ ଫେରିଲେ କ୍ରୋଧ ଓ ହତାଶା ଧରି।
ତେଣୁ ପୁଲିସ ରେକର୍ଡ ଅନୁସାରେ ଗୋଟିଏ ମାମଲାର ସଫଳ ସମାଧାନ ହୋଇଗଲା ସତ, କିନ୍ତୁ ପ୍ରକୃତ ପକ୍ଷରେ ଏହା ଥିଲା ପୁଲିସ ହସ୍ତକ୍ଷେପର ଏକ ମସ୍ତ ବଡ଼ ନିଷ୍ଫଳତା। ପୁଲିସ ବାବୁମାନଙ୍କର ‘ବୁଝାବୁଝି’ ପଛରେ କ’ଣ ଥିଲା, ତାହା ବୁଝିବାକୁ ପଡ଼ିବ। ସେମାନଙ୍କ ‘ଭିତରକୁ କରିଦେବି’ର ଭୟ ପ୍ରେମୀମାନଙ୍କୁ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲା କି?
ଇଂରେଜୀରେ ଗୋଟିଏ ସୁନ୍ଦର ଆପ୍ତ ବାକ୍ୟ ରହିଛି ‘ବିଉଟି ଇଜ୍ ସ୍କିନ୍ ଡିପ୍’, ଅର୍ଥାତ୍ ମଣିଷର ପ୍ରକୃତ ସୌନ୍ଦର୍ଯ୍ୟ ତ୍ବକ-ସର୍ବସ୍ୱ ନୁହେଁ, ଅନ୍ୟ ଭାଷାରେ, ବାହ୍ୟ ସୌନ୍ଦର୍ଯ୍ୟ ଅସାର। ଅସଲି ସୌନ୍ଦର୍ଯ୍ୟ ଏକ ଆଭ୍ୟନ୍ତରୀଣ ବ୍ୟାପାର। ମଣିଷର ଚରିତ୍ର, ବ୍ୟକ୍ତିତ୍ୱ ଓ ଅନ୍ୟାନ୍ୟ ଗୁଣ ତା’ର ସୌନ୍ଦର୍ଯ୍ୟ ନିରୂପଣ କରେ। ଅବଶ୍ୟ ଆଜିର ମୋବାଇଲ ଯୁଗରେ କଥାଟିକୁ ଟିକେ ବଦଳାଇ କହି ହେବ ‘ବିଉଟି ଇଜ୍ ସ୍କ୍ରିନ୍ ଡିପ୍’। ତେଣୁ ମଣିଷର ଅସଲି ସୌନ୍ଦର୍ଯ୍ୟ ଦେଖିବାକୁ ହେଲେ ମୋବାଇଲ ପରଦା ଉପରେ ନିର୍ଭର ନ କରି ଜଣକର ଚରିତ୍ର ଓ ଗୁଣଗୁଡ଼ିକୁ ପରଖିବା ଉଚିତ।
ଯଦି ସେଦିନର ସେହି ଅବୁଝା ପ୍ରେମିକକୁ ଏହି କଥା କୌଣସିମତେ ହୃଦୟଙ୍ଗମ କରାଇ ଦିଆଯାଇଥାନ୍ତା ତେବେ ତା’ର କଳିଙ୍ଗ ଅଭିଯାନ ସଫଳ ହୋଇଥାନ୍ତା। ସେ ଫେରି ଯାଇଥାନ୍ତା ସମ୍ରାଟ ଅଶୋକଙ୍କ ଭଳି, ଏକ ପରିବର୍ତ୍ତିତ ହୃଦୟ ଓ ତା’ର ବିଜିତ କଳିଙ୍ଗ କନ୍ୟାକୁ ସାଥୀରେ ନେଇ। ପଣବନ୍ଦୀ ସଙ୍କଟ ବେଳେ ଆକ୍ରମଣକାରୀ ବା ଅପହର୍ତ୍ତାମାନଙ୍କ ସହ ଆଲୋଚନା ମାଧ୍ୟମରେ ବୁଝାମଣା କରିବା ପାଇଁ ରହିଥାନ୍ତି ସେହି କଳାରେ ପାରଙ୍ଗମ ସ୍ୱତନ୍ତ୍ର ବିଶାରଦ। ଅବୁଝା ପ୍ରେମୀମାନଙ୍କୁ ରାଜି କରାଇବା ପାଇଁ ପୁଲିସକୁ ମଧ୍ୟ କିଛି ପରାମର୍ଶଦାତାମାନଙ୍କୁ ପ୍ରସ୍ତୁତ କରି ରଖିବା ଉଚିତ ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫