ଚିନ୍ମୟ ହୋତା
ଆମ କୋର୍ଟ କଚେରି କଥା ଉଠିଲେ ସେହି ପୁରୁଣା କୋଠା, ମାଟିଆ ଫାଇଲ, କଳାଧଳା ପୋଷାକ ଓ ଭିଡ଼ଭାଡ଼ର ଚିତ୍ର ମନକୁ ଆସିଯାଏ। ଚିରାଚରିତ, ମରହଟ୍ଟିଆ ଗତାନୁଗତିକ ଧାରାରୁ ଟିକିଏ ବି ବିଚ୍ୟୁତି ହୁଏନି କେବେ। ଅବଶ୍ୟ, ବେଳେବେଳେ କିଛି ଘଟଣା ଶଗଡ଼ ଗୁଳାରୁ ବାହାରି ଆସିଲେ ଆମେ ଆଖି ତରାଟି ଅନାଉ। ଏଇ ଯେମିତି ରାତି ଅଧରେ ବିଚାରପତି କୌଣସି ମହାମାନ୍ୟଙ୍କୁ ଜାମିନ ଦେବା, ପାଞ୍ଚ ପଇସାର ବିବାଦ ପାଇଁ ଚାଳିଶ ବର୍ଷ କେସ ଚାଲିବା ଇତ୍ୟାଦି।
ଏମିତି ‘ଗେଣ୍ଡା ଗତି’ର ପରିବେଶ ଭିତରେ ‘ବୋର୍’ ହୋଇଯାଇଥିବା ନ୍ୟାୟାଧୀଶମାନଙ୍କ କଲମରୁ କେବେ କେମିତି ବାହାରି ଆସେ କିଛି ସର୍ଜନାତ୍ମକ ନିଷ୍ପତ୍ତିମାନ, ଯାହା ଅଭିଭୂତ କରି ପକାଏ। ନିକଟରେ ଦୁଇଟି ଘଟଣାରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶମାନେ ଏମିତି ରଚନାତ୍ମକ ଓ ରୋଚକ ଫଇସଲା ଶୁଣାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।
ଉଭୟ ମାମଲାରେ ଅଭିଯୁକ୍ତମାନଙ୍କୁ ଜାମିନ ଦେବା ପାଇଁ କୋର୍ଟ ରଖିଥିବା ସର୍ତ୍ତଗୁଡ଼ିକ ସତରେ ନିଆରା। ଜାଲି ବନ୍ଧକ ଦେଇ ବ୍ୟାଙ୍କରୁ ଉଚ୍ଚ ପରିମାଣ ଅର୍ଥ ରାଶି ଋଣ ନେଇ ପରିଶୋଧ ନ କରିବା ଅଭିଯୋଗରେ ଜଣେ ମହିଳା ଅଭିଯୁକ୍ତଙ୍କୁ କୁହାଗଲା ଯେ ଜାମିନର ସ୍ୱାଦ ଚାଖିବାକୁ ତାଙ୍କୁ ଦି’ ମାସ ଧରି ସେହି ବ୍ୟାଙ୍କର ପରିସର ସଫା କରିବାକୁ ପଡ଼ିବ, ଯାହାର ଦୈନିକ ତଦାରଖ କରିବେ ଖୋଦ ବ୍ୟାଙ୍କ ମ୍ୟାନେଜର। ଆଉ ଦ୍ବିତୀୟଟିରେ ଚୋରି ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ୨୦୦ଟି ଗଛ ଲଗାଇ ଦୁଇ ବର୍ଷ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବାର ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଏହି କାର୍ଯ୍ୟର ପ୍ରଗତି ଉପରେ ନଜର ରଖିବେ ସେ ଅଞ୍ଚଳର ଥାନାବାବୁ। ଏହି ସବୁ ରୋଚକ ରାୟ କଥା ଶୁଣିବା ପରେ ଆପଣ ଆଉ କେବେ କହିପାରିବେ କି କୋର୍ଟକଚେରିର କାର୍ଯ୍ୟଧାରା ସବୁ ଶୁଷ୍କ, ନିରସ?
ପୂର୍ବରୁ କୋର୍ଟ ଦୋଷୀମାନଙ୍କୁ ବେଳେବେଳେ ସଶ୍ରମ କାରାଦଣ୍ଡର ଫଇସଲା ଶୁଣାଉଥିଲା ଓ କଏଦିମାନଙ୍କୁ ଜେଲରେ ବିଭିନ୍ନ ଶାରୀରିକ ପରିଶ୍ରମ କରିବାକୁ ପଡୁଥିଲା, ଯାହା ଭିତରେ ଗଛ ଲଗାଇବା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ହେଲେ ବେଳେବେଳେ ଗଛ ଲଗାଇବାକୁ ଜେଲ କ୍ଷେତରେ ଖାଲି ସ୍ଥାନ ନ ମିଳିଲେ କଏଦିମାନଙ୍କୁ କୁହାଯାଉଥିଲା ଗାତ ଖୋଳି ପୁଣି ସେହି ଗାତକୁ ପୋତିବାକୁ। ଯେମିତି ହେଉ ଦୋଷୀକୁ ‘ସଶ୍ରମ’ କାରାଦଣ୍ଡ ମିଳିବା ଦରକାର। ଇଂରେଜ ଶାସନ କାଳରେ କିନ୍ତୁ ଏହି ‘ସଶ୍ରମ’ ଜିନିଷଟିକୁ ବଡ଼ ନିର୍ଦ୍ଦୟ ଭାବରେ ପାଳନ କରାଯାଉଥିଲା। କଏଦିମାନଙ୍କୁ ପ୍ରତ୍ୟହ ବଡ଼ ବଡ଼ ଚକି ପେଷି ଶସ୍ୟ ରଗଡ଼ିବାକୁ ପଡୁଥିଲା (ସେଇଥିରୁ ଆସିଛି ‘ଶୋଲେ’ ଫିଲ୍ମର ‘ବୁଢ଼ିଆ ଚକ୍କି ପିଷିଙ୍ଗ’ ଡାଏଲଗ)।
ତେବେ ଆଜିର ଦିନରେ ସବୁ ଦଣ୍ଡ କୋହଳ ହୋଇଗଲା ପରି ଲାଗୁଥିବା ବେଳେ ହାଇକୋର୍ଟ ଶୁଣାଇଥିବା ଏହି ଦୁଇଟି ଦଣ୍ଡ କେମିତି କାର୍ଯ୍ୟରେ ପରିଣତ କରାଯାଉଛି ସେ ବିଷୟରେ ମୁଁ କୌତୂହଳୀ ହୋଇପଡ଼ିଥିଲି। ନିର୍ଦ୍ଦିଷ୍ଟ ବ୍ୟାଙ୍କଟି ଖୋଲିବା ସମୟ ପୂର୍ବରୁ ସେଠି ପହଞ୍ଚିଗଲି। ଦେଖିଲି ବ୍ୟାଙ୍କର ମୁଖ୍ୟ ଦ୍ବାର ବାହାରେ ସିକ୍ୟୁରିଟି ପହରା ଦେଉଛି। ସେ ମୋତେ ଭିତରକୁ ଛାଡ଼ିବାକୁ ସିଧା ମନା କରିଦେଲା। ମ୍ୟାନେଜରଙ୍କୁ ଫୋନ ଲଗାଇ ଦେଖା କରିବାକୁ କୌଣସିମତେ ଅନୁମତି ପାଇ ଭିତରକୁ ପଶିଲି। ହଠାତ୍ ନାରୀ କଣ୍ଠରେ କଡ଼ା ଆୱାଜ ଶୁଭିଲା, ‘‘ଷ୍ଟପ୍! ଇଟ ଇଜ ଷ୍ଟିଲ ୱେଟ (ରହିଯାନ୍ତୁ, ଚଟାଣ ଏବେ ବି ଓଦା ଅଛି)।’’ ମୁଁ ଅଟକି ଗଲି ଓ ଜଣେ ଆଧୁନିକ-ଦର୍ଶନା ମହିଳା ଚଟାଣରେ ପୋଛା ମାରୁଥିବା ଦୃଶ୍ୟ ଦେଖି ହତଭମ୍ବ ହୋଇପଡ଼ିଲି। ପରେ ତାଙ୍କର ଆଙ୍ଗୁଳି ନିର୍ଦ୍ଦେଶ ଅନୁସାରେ କାନ୍ଥ କଡ଼େ କଡ଼େ ଯାଇ ମ୍ୟାନେଜରଙ୍କ କଠୋରିରେ ପ୍ରବେଶ କଲି। ମୋ ମୁହଁର ବିସ୍ମୟବିହ୍ୱଳ ଭାବ ଦେଖି ମ୍ୟାନେଜର ଈଷତ୍ ହସି ମୋତେ ବସିବାକୁ କହିଲେ। ‘‘କୋର୍ଟ... ଜାମିନ… ବ୍ୟାଙ୍କ ସଫେଇ!’’ ମୋ ମୁହଁରୁ ଏହି ସବୁ ଖାପଛଡ଼ା ଶବ୍ଦ ଶୁଣି ସେ କହିଲେ, ‘‘ହଁ, ଇଏ ସେହି’’ ଆଉ ତା’ ପରେ ତାଙ୍କର ନିଜ ଦୁର୍ଦ୍ଦଶା କଥା ବଖାଣି ଚାଲିଲେ, କେମିତି ତାଙ୍କୁ ସବୁ ଦିନ ଦି’ଘଣ୍ଟା ଆଗରୁ ଆସି ମହିଳାଙ୍କ କାମ ତଦାରଖ କରିବାକୁ ପଡୁଛି, ତାଙ୍କ କାମର ଭିଡିଓ ଚିତ୍ର ସହ ଦୈନିକ ରିପୋର୍ଟ ପଠାଇବାକୁ ପଡୁଛି ଇତ୍ୟାଦି। ମୁଁ କହିଲି, ‘‘ଆପଣ ନିଜେ ବସି ରହି ତଦାରଖ କରିବା କ’ଣ ଦରକାର, ସିସିଟିଭି ଦେଖି ରିପୋର୍ଟ ଦେଇପାରନ୍ତେ।’’ ମ୍ୟାନେଜର କହିଲେ, ‘‘ଜାଲିଆତିର ସବୁ ତଥ୍ୟ ଆଉ ନଥିପତ୍ର ଏଇ କମ୍ପ୍ୟୁଟରଗୁଡ଼ିକରେ ରହିଛି। କେମିତି ପୁଣି ତାଙ୍କରି ଭରସାରେ ସବୁ ଛାଡ଼ି ଦେଇପାରିବି!’’ ଏତିକି ବେଳେ ମହିଳା ଜଣକ ତାଙ୍କ କାମ ସରିଯାଇ ଥିବାରୁ ଦସ୍ତଖତ ଦେବାକୁ କଠୋରିକୁ ଆସିଲେ ଓ ମୁଁ ବିଦାୟ ନେଲି।
ତା’ ପରେ ଗଛ ଲଗାଇବା ଦଣ୍ଡଟିର ପାଳନ ଆଖିରେ ଦେଖିବା ପାଇଁ ସେ କାମର ତଦାରଖକାରୀ ଥାନା ବାବୁଙ୍କୁ ଫୋନ୍ କଲି। ଭାଗ୍ୟକୁ ସେ ମୋର ଚିହ୍ନା ବାହାରିଲେ ଓ ମୋତେ କହିଲେ, ‘‘ଏବେ କାମ ଚାଲିଛି, ଶୀଘ୍ର ମୋ କ୍ୱାଟର୍ସକୁ ଚାଲି ଆସ।’’ କ୍ୱାଟର୍ସ କାହିଁକି ବୋଲି ପଚାରିବାରୁ ସେ କହିଲେ, ‘‘ଆସିଲେ ତ ଜାଣିବ।’’ ସେଠି ପହଞ୍ଚିବା ପରେ ଯାହା ଦେଖିଲି ତାଜୁବ ହେଲି। ଯେଉଁ ଘରର ଚାରି ପାଖ ଆଗରୁ ଟାଙ୍ଗରା ଭୂଇଁ ହୋଇ ପଡ଼ିଥିଲା, ଆଜି ତା’ ଚାରିପାଖରେ ସୁନ୍ଦର ବଗିଚା। ଘାସର ଗାଲିଚା ଆଉ ଛନଛନିଆ ଗଛର ସବୁଜିମାରେ ଭରିଥିଲା କ୍ୱାଟର୍ସର ପରିସର।
ଗାର୍ଡେନ ଚେୟାରରେ ବସିଥିବା ବନ୍ଧୁଙ୍କୁ ମୁଁ କହିଲି, ‘‘ବାଃ! ଘରର ରୂପ ପୂରା ବଦଳେଇ ଦେଇଛ ଦେଖୁଛି।’’ ବନ୍ଧୁ ଉତ୍ତର ଦେଲେ, ‘‘ମୁଁ ତ ନିମିତ୍ତ ମାତ୍ର। ସବୁ ସେଇ କୋର୍ଟ ଅର୍ଡରର ଦାନ; ଆଉ ଜାମିନର ସୁଖ ଉଠାଉଥିବା ସେଇ ବ୍ୟକ୍ତିଟିର।” ବଗିଚାର ଗୋଟିଏ କଣରେ ଗଛ ଲଗାଇବା କାମରେ ବ୍ୟସ୍ତ ଥିବା ବ୍ୟକ୍ତି ଜଣକ ମୁଣ୍ଡ ଟେକି ମୋତେ ଅଭିବାଦନ ଜଣେଇଲେ। ଥାନା ବାବୁ କହିଲେ, ‘‘ଅର୍ଡରରେ ଗଛ ଲଗାଇବା କଥା ତ ଉଲ୍ଲେଖ ଅଛି, କିନ୍ତୁ ସ୍ଥାନ ବିଷୟରେ କିଛି ଲେଖା ହୋଇନି।’’
(ସତ୍ୟ ଓ କଳ୍ପନାର ସମ୍ମିଶ୍ରଣରେ ଲିଖିତ)
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫