ଗତ କିଛି ଦିନ ଧରି ଜନମାନସକୁ ଆବୋରି ରଖିଥିବା ଭୁବନେଶ୍ୱର ସ୍ଥିତ ଭରତପୁର ଥାନାର ନାରୀ ନିର୍ଯାତନାର ସମ୍ବାଦଟି ପ୍ରଥମେ ରୂପ ନେଇଥିଲା ଏକ ରୋଚକ ଢଙ୍ଗରେ। ଏହା ଥିଲା ବିଳମ୍ବିତ ରାତିରେ ଜଣେ ମହିଳା ଜଣେ ପୁଲିସ କର୍ମଚାରୀଙ୍କ ହାତକୁ କାମୁଡ଼ି ରକ୍ତାକ୍ତ କରିଦେବାର ଘଟଣା। ଏହି ଲେଖାର ଉଦ୍ଦେଶ୍ୟ ସେହି ବିବାଦାସ୍ପଦ ଘଟଣାଟିକୁ ତର୍ଜମା କରିବା ନୁହେଁ ବରଂ ମଣିଷ ମଣିଷକୁ କାମୁଡ଼ିବା ବିଷୟ ଉପରେ ଦୃଷ୍ଟି ନିକ୍ଷେପ କରିବା।
ଆମେ ପ୍ରତ୍ୟହ କିଛି କାମୁଡ଼ାକାମୁଡ଼ି ବିଷୟରେ ଶୁଣିବାକୁ ପାଇଥାଉ, ହେଲେ ଏଗୁଡ଼ିକ ମାନବେତର ପ୍ରାଣୀମାନଙ୍କ ଠାରେ ସୀମିତ। ବୁଲା କୁକୁରମାନେ ରାସ୍ତାଘାଟରେ କାମୁଡ଼ାକାମୁଡ଼ି ହେବା ତ ନିତିଦିନିଆ ଘଟଣା, ଯାହା ଆମକୁ ସେତେଟା ବିଚଳିତ କରେ ନାହିଁ। ଅବଶ୍ୟ ଏହି ଶ୍ବାନ ଆଚରଣକୁ ଉପଜୀବ୍ୟ କରି ବେଳେବେଳେ ଦୁଇ ରାଜନୈତିକ ନେତା ବା ଦଳ କାମୁଡ଼ା କାମୁଡ଼ି ହେବା କଥା ମଧ୍ୟ ଉଠିଥାଏ, ହେଲେ ତାହା ପ୍ରତୀକାତ୍ମକ ମାତ୍ର। କିନ୍ତୁ କୌଣସି ପ୍ରାଣୀ ମଣିଷକୁ କାମୁଡ଼ିବାର ସମ୍ବାଦ ଶୁଣିଲେ ଆମେ ଟିକେ ସତର୍କ ହୋଇଉଠୁ ଓ ସେମିତି ବିପଦରୁ ନିରାପଦ ରହିବା ପାଇଁ େଚଷ୍ଟା କରୁ। ହେଲେ ଗଁାଗଣ୍ଡାରେ ସାପ କାମୁଡ଼ା, ସହରରେ କୁକୁର କାମୁଡ଼ା ଓ ତୀର୍ଥସ୍ଥାନରେ ମାଙ୍କଡ଼ଙ୍କ ଆତଙ୍କ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଏଗୁଡ଼ିକଠୁଁ ବି ମଣିଷକୁ ବେଶୀ ଡରାଉଛି ମଶା କାମୁଡ଼ାର ପ୍ରକୋପ।
ମନୁଷ୍ୟେତର ପ୍ରାଣୀ ତ କାମୁଡ଼ିବେ କାରଣ ତାହା ସେମାନଙ୍କର ଚରିତ୍ରଗତ ଓ ଧର୍ମ। ହେଲେ ସବୁ ହିସାବ ଓଲଟପାଲଟ ହୋଇଯାଏ ଯେତେବେଳେ ମଣିଷ ତା’ର ଦାନ୍ତ ନେଫେଡ଼ି ଆଉ କାହାକୁ କାମୁଡ଼ିବା ପାଇଁ ମାଡ଼ିଯାଏ। ବେଳେବେଳେ ଶୁଣିବାକୁ ମିଳେ ପ୍ରାଣ ବିକଳରେ ସାପ କାମୁଡ଼ା ଖାଇଥିବା ମଣିଷଟି ସାପକୁ କାମୁଡ଼ି ନିଜର ଆତ୍ମରକ୍ଷା କରିବାକୁ ଚେଷ୍ଟା କରିଛି କିମ୍ବା ସାପ ଉପରେ ତା’ର ରାଗ ସୁଝାଇବାକୁ ଚେଷ୍ଟା କରିଛି। ହେଲେ ମଣିଷ ଯେତେବେଳେ କ୍ରୋଧାନ୍ଧ ଅବସ୍ଥାରେ ଆଉ ଜଣେ ମଣିଷକୁ କାମୁଡ଼ି ପକାଏ, ସେତେବେଳେ କହିବାକୁ ପଡ଼ିବ ଯେ ସେ ତା’ର ଆଦିମ ଅବସ୍ଥାକୁ ଫେରିଯାଇଛି।
ମଣିଷ ଯେତେ ସଭ୍ୟ ହେଲେ ବି ପ୍ରଥମେ ସେ ଜଣେ ପଶୁ। ସୃଷ୍ଟିର ଆରମ୍ଭରୁ ଏହି ପଶୁ-ମଣିଷ ଅନ୍ୟ ପଶୁଙ୍କ ଭଳି ତା’ର ଯେଉଁ ଦାନ୍ତ ଓ ନଖ ଦ୍ୱାରା ଖାଦ୍ୟ ସଂଗ୍ରହ ଓ ଆତ୍ମ ସୁରକ୍ଷା କରିଆସିଥିଲା, ତାହା ବେଳେବେଳେ ଆପଣାଛାଏଁ ପଦାକୁ ବାହାରି ଆସିବା ସ୍ୱାଭାବିକ। ହେଲେ, ସଭ୍ୟତାର ପୋଷାକ ପିନ୍ଧିଥିବା ମଣିଷ ପାଖରେ କାମୁଡ଼ିବା ପ୍ରବୃତ୍ତିଟି ଆଜି ପ୍ରାୟତଃ ସୁପ୍ତ। ଫକୀରମୋହନଙ୍କ ନିମ୍ନ ବ୍ୟଙ୍ଗୋକ୍ତିରୁ ଜଣାପଡ଼େ ମଣିଷ ସତେ ଯେମିତି କାମୁଡ଼ା କାମୁଡ଼ି ପ୍ରବୃତ୍ତିର ବହୁତ ପାଖରେ ରହିଥାଏ, ଖାଲି ଯାହା ଲୋକହସାକୁ ଡରି ସେ ସ୍ତରକୁ ଓହ୍ଲାଇ ଯାଏନି। ଫକୀରମୋହନଙ୍କ ଭାଷାରେ, ‘‘ଆଉ କୁକୁରମାନେ କାମୁଡ଼ା କାମୁଡ଼ି ଲଗାନ୍ତି; ବ୍ରାହ୍ମଣମାନେ ବାଡ଼ିଆବାଡ଼େଇ ହୁଅନ୍ତି ସିନା, ଗୋଟାଏ ବ୍ରାହ୍ମଣ ଆଉ ଗୋଟାକୁ କାମୁଡ଼ିବାର ବା ରାମ୍ପୁଡ଼ିବାର ତ ଦେଖାନାହିଁ। ଆକାଶରେ ଶାଗୁଣା ଉଡ଼ିଲେ କେଉଁଠାରେ ମଢ଼ ପଡ଼ିଥିବାର ଯେପରି ଜଣାଯାଏ, ସେହିପରି ଦିନ ପହରକ ବେଳେ ଗୋସେଇଁମାନେ ଚିତା ପଇତା ହୋଇ ପଲ ପଲ ବାହାରିଲେ କେଉଁ ଗଁାରେ ମନୁଷ୍ୟ ମରିଥିବାର ଲୋକେ ଅନୁମାନ କରନ୍ତି (‘ଛ ମାଣ ଆଠ ଗୁଣ୍ଠ’)।’’
ଅବଶ୍ୟ ଅନେକ ସମୟରେ ଆବେଗର ତାଡ଼ନାରେ ମଣିଷ ସଭ୍ୟତାର ଖୋଳପାଟିକୁ ଫୋପାଡ଼ି ଦେଇ ତା’ର ଆଦି ସ୍ବରୂପଟି ଦେଖାଇଦିଏ। ବିଶ୍ୱବିଖ୍ୟାତ ଗାଳ୍ପିକ ଇଶପଙ୍କ ଗୋଟିଏ ଗପରେ ଫାଶୀଖୁଣ୍ଟକୁ ଯାଉଥିବା ଡକାୟତଟି ତା’ ମା’ କାନରେ କିଛି କହିବ ବୋଲି ଅନୁମତି ମାଗି ଯେତେବେଳେ ମା’ର କାନକୁ କାମୁଡ଼ି ଅଲଗା କରିଦେଇଛି, ସେତେବେଳେ କାହାଣୀକାର ସେହି ଅତିଶୟ ଆବେଗର କଥା ହିଁ ମନରେ ରଖିଛନ୍ତି। ପିଲାଟି ଦିନରୁ ତା’ର ଛୋଟ ଚୋରିକୁ ପ୍ରଶ୍ରୟ ଦେଇଥିବା ତା’ର ମା’ ଯେ ଆଜି ତା’ର ମୃତ୍ୟର କାରଣ ହେବ, ଏହି ଭାବନା ପିଲାଟିର ଆଦିମ ପ୍ରବୃତ୍ତିକୁ ଉଦ୍ରେକ କରିଛି।
ଯୁଦ୍ଧକ୍ଷେତ୍ରର ଘମାଘୋଟ ଲଢ଼େଇ ଭିତରେ ଯେତେବେଳେ ସଂଘର୍ଷ ହାତାହାତି ସ୍ତରକୁ ଆସିଯାଏ ଏବଂ ଜୀବନ ଓ ମୃତ୍ୟୁ ଭିତରର ବ୍ୟବଧାନ ସଂକୁଚିତ ହୋଇଚାଲେ, ସେତେବେଳେ ଲଢୁଥିବା ସୈନ୍ୟମାନେ ଏହି କାମୁଡ଼ାକାମୁଡ଼ି ଅବସ୍ଥାକୁ ଆସିଯାଆନ୍ତି। ବେଳେବେଳେ କ୍ରୀଡ଼ା ଭୂଇଁରେ ମଧ୍ୟ ଏହି କାମୁଡ଼ା ପ୍ରବୃତ୍ତିଟି ଅଦ୍ଭୁତ ଭାବେ ଆବିର୍ଭୂତ ହୋଇଯାଏ। ସୁପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ମାଇକ୍ ଟାଇସନ୍ ଲଢ଼େଇ କରୁଥିବା ବେଳେ ଥରେ ଯେତେବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କର କାନକୁ କାମୁଡ଼ି ରକ୍ତାକ୍ତ କରି ପକାଇଲେ, ସେ ହୁଏତ କ୍ଷଣିକ ପାଇଁ ଭାବିନେଲେ ଯେ ସେ ଖେଳ ନୁହେଁ ଏକ ଜୀବନମରଣର ଯୁଦ୍ଧ ଲଢୁଛନ୍ତି। ସେମିତି ୨୦୧୪ ବିଶ୍ୱକପ୍ ଫୁଟ୍ବଲ୍ ଖେଳ ବେଳେ ଉରୁଗୁଏର ଖେଳାଳି ଲୁଇସ୍ ସୁଆରେଜ୍ ମ୍ୟାଚ୍ର ଉତ୍ତେଜନା ଭିତରେ ହଠାତ୍ ଭୁଲିଗଲେ ଯେ ତାଙ୍କ ସାମନାରେ ଦୌଡୁଥିବା ମଣିଷଟି ତାଙ୍କ ଭଳି ଜଣେ ଖେଳାଳି। ତାଙ୍କ ମୁହଁ ପାଖରେ ଅନେକ ସମୟ ଧରି ଦୋଳାୟିତ ହେଉଥିବା ପ୍ରତିପକ୍ଷ ଖେଳାଳିଙ୍କ କାନ୍ଧଟିକୁ ସୁଆରେଜ ପିଜ୍ଜା କି ବର୍ଗର୍ ବୋଲି ଭ୍ରମ କରିବସିଲେ କି କ’ଣ, ସେହି କାନ୍ଧଟିରେ ନିଜର ଟାଣୁଆ ଦାନ୍ତଗୁଡ଼ିକ ଦବେଇ ଦେଲେ। ସୁଆରେଜ୍ଙ୍କୁ ରେଫରି ଲାଲ୍ କାର୍ଡ ଦେଖାଇଲେ ଆଉ ସାରା ବିଶ୍ୱର ଦର୍ଶକ ଦେଖୁଥିଲେ ତାଙ୍କର ରକ୍ତରଞ୍ଜିତ ଲାଲ ଦନ୍ତ ଶ୍ରେଣୀକୁ। କହିବା ବାହୁଲ୍ୟ, ତାଙ୍କ ଲାଲ ଦାନ୍ତ ଅନେକ ଦର୍ଶକଙ୍କୁ ରକ୍ତପିପାସୁ ଡ୍ରାକୁଲା କଥା ମନେ ପକାଇ ଦେଇଥିଲା।
ଶାଳୀନତାର ଚାପରେ ମଣିଷ କାମୁଡ଼ାକାମୁଡ଼ିକୁ ଏକ ଘୃଣ୍ୟ ପ୍ରକ୍ରିୟାରେ ପରିଣତ କରିବା ଦ୍ୱାରା ସେ ଏକ କାମିକା ସାଧନକୁ ହତାଦର କରିଛି। ଅନ୍ୟ ଉପରେ କ୍ରୋଧ ଉତାରିବା ଯଦି ଦାନ୍ତର କୁଶଳୀ ବ୍ୟବହାର ଦ୍ୱାରା ସଂପନ୍ନ ହୋଇପାରୁଛି, ତେବେ ଛୁରୀ, ଗୁଳିଗୋଳା, ଆଣବିକ ଅସ୍ତ୍ର ଇତ୍ୟାଦିର କି ବା ପ୍ରୟୋଜନ? ଆଇନ୍ଷ୍ଟାଇନ୍ କହିଥିଲେ, ‘‘ତୃତୀୟ ବିଶ୍ୱଯୁଦ୍ଧ କେଉଁ ଅସ୍ତ୍ର ଦ୍ୱାରା ଲଢ଼ା ଯିବ ମୁଁ ଜାଣିନାହିଁ, ତେବେ ଚତୁର୍ଥ ବିଶ୍ୱଯୁଦ୍ଧ ଲଢ଼ା ଯିବ ଧନୁ ଓ ଶର ଦ୍ୱାରା।’’ ଆଇନ୍ଷ୍ଟାଇନ୍ ଧନୁଶର ବଦଳରେ ଯଦି କାମୁଡ଼ା କାମୁଡ଼ି ଭଳି ଏକ ମୌଳିକ ଅସ୍ତ୍ର କଥା ଉଠାଇଥାଆନ୍ତେ, ତେବେ ଉକ୍ତିଟି ଆହୁରି ଯଥାର୍ଥ ହୋଇଥାଆନ୍ତା।
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: କାମୁଡ଼ାକାମୁଡ଼ିର ଅନ୍ତରାଳେ
ଗତ କିଛି ଦିନ ଧରି ଜନମାନସକୁ ଆବୋରି ରଖିଥିବା ଭୁବନେଶ୍ୱର ସ୍ଥିତ ଭରତପୁର ଥାନାର ନାରୀ ନିର୍ଯାତନାର ସମ୍ବାଦଟି ପ୍ରଥମେ ରୂପ ନେଇଥିଲା ଏକ ରୋଚକ ଢଙ୍ଗରେ। ଏହା ଥିଲା ବିଳମ୍ବିତ ରାତିରେ ଜଣେ ମହିଳା ଜଣେ ପୁଲିସ କର୍ମଚାରୀଙ୍କ ହାତକୁ କାମୁଡ଼ି ରକ୍ତାକ୍ତ କରିଦେବାର ଘଟଣା।