ଭାରତର ଚନ୍ଦ୍ର ଅଭିଯାନରେ ସଫଳତା ପରେ ଆମ ଦେଶବାସୀ ଯେତେ ଖୁସି ଅନୁଭବ କରିଥାନ୍ତୁ ନା କାହିଁକି, ପଶ୍ଚିମବଙ୍ଗର ନବ ବିବାହିତା ଅନୁମିକା ମାହାତୋଙ୍କ ଉଚ୍ଛ୍ୱାସ ଆଗରେ ତାହା ମଳିନ ପଡ଼ିଯାଇଥିବ। ଚନ୍ଦ୍ରଯାନର ସାଫଲ୍ୟ ସାରା ଦେଶକୁ ଆବିଷ୍ଟ କରି ରଖିଥିବା ବେଳେ ଅନୁମିକାଙ୍କ ପତି ସଞ୍ଜୟ ତାଙ୍କ ହାତକୁ ବଢ଼ାଇଦେଇଥିଲେ ସେ ଚନ୍ଦ୍ର ପୃଷ୍ଠରେ ପତ୍ନୀଙ୍କ ପାଇଁ କିଣିଥିବା ଏକ ଏକର ପରିମିତ ଜମିର ମାଲିକାନା ପତ୍ରଟି। ବିବାହ ପୂର୍ବରୁ ସଞ୍ଜୟ ତାଙ୍କର ପ୍ରେମିକାଙ୍କୁ ଜହ୍ନରେ ଘରଡିହଟିଏ ଉପହାର ଦେବାର ପ୍ରତିଶ୍ରୁତି ଦେଇଥିଲେ ଓ ବିବାହ ପରେ କଥା ରକ୍ଷା କରିବା ପାଇଁ ଦଶ ହଜାର ଟଙ୍କା ଖର୍ଚ୍ଚ କରି ଏହି ପଦକ୍ଷେପ ନେଇଥିଲେ। ବାସ୍ତବିକ ଏମିତି ପ୍ରେମର ପଟାନ୍ତର ନାହିଁ!
ହେଲେ ମୁଁ ନିଶ୍ଚିତ ଯେ ଏହି କଥା ପଢ଼ିଲା ପରେ ଅନେକ ପାଠକଙ୍କ ମନରେ ନାନା ପ୍ରକାର ସନ୍ଦେହ ଉବୁଟୁବୁ ହେବଣି। ଜହ୍ନରେ ପୁଣି କିଣିବାକୁ ଜମି ମିଳୁଛି? ସେ ପୁଣି ଏକରକୁ ମାତ୍ର ଦଶ ହଜାର ଟଙ୍କା! କୋଉ ଠକ ସଂସ୍ଥା ନିଶ୍ଚୟ ଚୂନ ଲଗାଇଦେଇଛି ପ୍ରେମିକ ପ୍ରବରକୁ। କେଇ ହଜାର ଟଙ୍କା ଫିଙ୍ଗିଦେଲେ ଯଦି ଏମିତି ପ୍ରେମର କିଂବଦନ୍ତି ସୃଷ୍ଟି କରି ହୁଅନ୍ତା, ତା’ହେଲେ ଚାରିଆଡ଼େ ମାଳ ମାଳ ଶାହଜାହାନମାନେ ଘୂରି ବୁଲୁଥା’ନ୍ତେ, ଆଉ ଚନ୍ଦ୍ରର ସବୁ ଜାଗା ଗୋଟିଏ ଭାଲେଣ୍ଟାଇନ୍ ଡେ’ ପାଇଁ ନିଅଣ୍ଟ ପଡ଼ନ୍ତା, ଇତ୍ୟାଦି। ଯଦି ଏମିତି କିଛି କଥା କାହାର ମନକୁ ଆସିଥାଏ, ତେବେ ଜାଣନ୍ତୁ ସିଏ ଜଣେ ଜହ୍ନବିଳାସୀ ବ୍ୟକ୍ତିତ୍ୱ ନୁହନ୍ତି, ସିଏ ନିଚ୍ଛକ ବସ୍ତୁବାଦୀ ତଥା ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଶୁଷ୍କ ଓ ନିରସ। ତଥାପି ଏହି ସବୁ ସନ୍ଦେହଗୁଡ଼ିକୁ ସାମୟିକ ଭାବରେ ସ୍ଥଗିତ ରଖି ଆସନ୍ତୁ ଦେଖିବା ଜହ୍ନବିଳାସ କଥାଟି କ’ଣ।
ଦୁନିଆର ସବୁ ମଣିଷଙ୍କୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ: ଜହ୍ନବିଳାସୀ ଆଉ ଯେଉଁମାନେ ତାହା ନୁହନ୍ତି। ଏହି ଶ୍ରେଣୀ ବିଭାଗ ଆଜିର ନୁହେଁ, ଏହା କାଳ କାଳର। ଜ୍ୟୋତ୍ସ୍ନା ବିଧୌତ ମାଧବୀ ରାତିଟିଏ ଭିତରେ ନିଜକୁ ହଜେଇ ଦେଇପାରନ୍ତି ପ୍ରଥମ ଶ୍ରେଣୀର ମଣିଷମାନେ, ସେଠି ତାଙ୍କର ଭୋକ ଶୋଷ ମେଣ୍ଟିଯାଏ, ଜୀବନରୁ ଦୁଃଖ କ୍ଳେଶ ସବୁ ଅପସରି ଯାଏ। ଆଉ ସାଙ୍ଗରେ ପ୍ରେମିକ ବା ପ୍ରେମିକାଟିଏ ଥିଲେ ତ ସେମାନେ ଏଇ ପୃଥିବୀରେ ହିଁ ସ୍ୱର୍ଗସୁଖ ଅନୁଭବ କରନ୍ତି। ଏମିତି ସମୟରେ ସେମାନଙ୍କର ହୃଦୟ ଗାଇ ଉଠେ, “ଜହ୍ନ ରାଇଜରେ ଜାଗାଟେ କିଣିଛି, ତାରାଫୁଲରେ ଘରଟେ କରିଛି।” ଖାଲି ଏମିତି ଆଲବମ୍ ଆଉ ସିନେମା ଗୀତ କଥା ଛାଡ଼ନ୍ତୁ, ଜହ୍ନବିଳାସୀଙ୍କ ବିଳାସ ଦେଖିବାକୁ ମିଳେ ସାରା ଦୁନିଆର ଲୋକକଥା ପରି କାହାଣୀ ଆଉ ସାହିତ୍ୟ ରଚନାରେ।
ରାଜା ଝିଅ ଜହ୍ନଟିକୁ ଆଣିଦେବା ପାଇଁ ତା’ ବାପା ଆଗରେ ଅଳି କଲା, ଖାଇବା ପିଇବା ବନ୍ଦ କରି ଶଯ୍ୟାଶାୟୀ ହୋଇପଡ଼ିଲା। ରାଜାଙ୍କର ଭାଳେଣି ପଡ଼ିଲା ଓ ସେ ତାଙ୍କର ସମସ୍ତ କର୍ମଚାରୀଙ୍କୁ ଲଗାଇଦେଲେ ୟାର ସମାଧାନର ବାଟ ଖୋଜିବା ପାଇଁ। ପାତ୍ର, ମନ୍ତ୍ରୀ, ପୁରୋହିତ ସମସ୍ତେ ରାଜାଙ୍କ ସମ୍ମୁଖରେ ମୁହଁ ପୋତି ନିଜର ଅସାମର୍ଥ୍ୟ ପ୍ରକାଶ କଲେ। ଶେଷରେ ରାଜାଙ୍କ ବିଦୂଷକ ଜହ୍ନବିଳାସୀ ଝିଅଟି ପାଇଁ ସେମିତି କଳ୍ପନା ଉପରେ ଆଧାରିତ ଉପାୟଟିଏ ବାହାର କଲା ଓ ରଜାଝିଅ ବିଦୂଷକ ଦେଇଥିବା ସୁନାର ପଦକ ଭିତରେ ଜହ୍ନଟି ପାଇଗଲା ବୋଲି ଭାବି ଖୁସି ହେଲା।
ଜହ୍ନବିଳାସୀ ଗୋଷ୍ଠୀ ଓ ତାଙ୍କର ବିପରୀତ ବସ୍ତୁବାଦୀ ଗୋଷ୍ଠୀଙ୍କ ଭିତରର ପାର୍ଥକ୍ୟ କଥା ଇଂରେଜୀ ଔପନ୍ୟାସିକ ସମରସେଟ ମମ୍ ପ୍ରାଞ୍ଜଳ କରିଯାଇଛନ୍ତି ତାଙ୍କର ‘ମୁନ୍ ଆଣ୍ଡ ସିକ୍ସ ପେନ୍ସ’ ପୁସ୍ତକର ନାମକରଣ ମାଧ୍ୟମରେ। ମମ୍ଙ୍କ ଭାଷାରେ, ‘ଯଦି ଜଣେ ଛ ପେନି (ଅଳ୍ପ ପରିମାଣର ଖୁଚୁରା ପଇସା) ଖୋଜିବା ପାଇଁ ଭୂଇଁକୁ ଚାହିଁ ରହିଲା ସେ ଉପରକୁ ଚାହିଁବ ନାହିଁ କି ଜହ୍ନକୁ ବି ଦେଖିପାରିବ ନାହିଁ।’ ଏଇ ପଇସା ଖୋଜିବାର ବାଧ୍ୟବାଧକତା ଭିତରେ ଦୁନିଆର ବହୁଳ ଭାଗ ଲୋକ ଜହ୍ନକୁ ଅନାଇ ପାରନ୍ତି ନାହିଁ କି ଜୀବନର ଅମିଶ୍ରିତ ତୃପ୍ତି ଅନୁଭବ କରିପାରନ୍ତି ନାହିଁ।
ପାଖାପାଖି ସମାନ ଭାବନା ସବୁକୁ ନେଇ ଲେଖା ହୋଇଛି ପ୍ରଥିତଯଶା ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପ ‘ରୁଟି ଓ ଚନ୍ଦ୍ର’। ଏଠି କିନ୍ତୁ ଚନ୍ଦ୍ରର ମୋହିନୀ ଆକର୍ଷଣର ବିପରୀତରେ ଅଛି କମ୍ୟୁନିଷ୍ଟ ବିଚାରଧାରା। ମୁଖ୍ୟ ପୁରୁଷ ଓ ସ୍ତ୍ରୀ ଚରିତ୍ର ଦୁଇଜଣ ଏହି ବିରୋଧାଭାସର ପ୍ରତିନିଧିତ୍ୱ କରୁଛନ୍ତି କାହାଣୀଟିରେ। କାହାଣୀର ଯଥାର୍ଥତା ପ୍ରତିପାଦିତ ହୋଇଛି ଜହ୍ନବିଳାସୀ ନାୟିକାର ଏହି ଶେଷୋକ୍ତିରେ, “ଜୀବନ କେବଳ ଉତ୍ପାଦନ ଓ ବଣ୍ଟନ ନୁହେଁ! ପୂରା ମଜୁରି ଆଉ ପୂରା ପେଟ ଜୀବନର ପ୍ରୟୋଜନୀୟତା ହୋଇପାରେ, କିନ୍ତୁ ଜୀବନର ଲକ୍ଷ୍ୟ ନୁହେଁ। ତା’ ହେଲେ ଜ୍ୟୋତ୍ସ୍ନାର ଏ ବିଳାସ, ପ୍ରକୃତିର ଆନନ୍ଦମୟ ପୂର୍ଣ୍ଣତା କାହା ପାଇଁ? ବଞ୍ଚିବା ଠାରୁ ଜୀବନ ଯେ ଆଉରି ସୁନ୍ଦର!” ରୁଟି ଓ ଚନ୍ଦ୍ରର ଏହି ଦ୍ବନ୍ଦ୍ୱ ଆଦିମ ମଣିଷ ବି ଅଙ୍ଗେ ନିଭେଇଥିବ ଯେତେବେଳେ ଚନ୍ଦ୍ରର ଅପୂର୍ବ ଶୋଭାରେ ବିମୋହିତ ଆଦିମାନବ ଜଣକର ଅସ୍ତ୍ରଟି ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଥିବ ଓ ଶିକାରରେ ବିଫଳ ହୋଇ ସେ ଭୋକରେ ରାତି କାଟିଥିବ। ଏହି ଦ୍ୱନ୍ଦ୍ୱର ପୁନରାବୃତ୍ତି ଘଟି ଚାଲିଛି ଆଜି ମଧ୍ୟ। ମଣିଷ ଚନ୍ଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରିବ ନା ସେଠି ଗଚ୍ଛିତ ଥିବା ପ୍ରାକୃତିକ ସମ୍ପଦକୁ ପୃଥିବୀକୁ ବୋହି ଆଣିବ, ସେ ନେଇ ଆଜି ବି ସେ ଦ୍ବନ୍ଦ୍ୱଗ୍ରସ୍ତ। ତେବେ ମଣିଷ ଯଦି ଚନ୍ଦ୍ର ଓ ରୁଟି ଭିତରେ ଗୋଟିଏ ଭଲ ସନ୍ତୁଳନ କାଢ଼ି ପାରିଲା, ତାହାହିଁ ହେବ ବଞ୍ଚିବାର ଅସଲି କଳା। ଏହି କଳାକୁ ବଙ୍ଗଳାର ସଞ୍ଜୟ ମାହାତୋ ନିଶ୍ଚୟ ଅକ୍ତିଆର କରିପାରିଛନ୍ତି ବୋଲି କହିବାକୁ ପଡ଼ିବ। ଛ’ ଶହ କୋଟି ଖର୍ଚ୍ଚ କରି ତାଙ୍କ ନୂଆ ଜମିକୁ ଦେଖିବାକୁ ସେ ଓ ତାଙ୍କର ପତ୍ନୀ ହୁଏତ କେବେ ବି ଯାଇ ପାରିବେ ନାହିଁ, ହେଲେ କେବେ କେମିତି ଜ୍ୟୋତ୍ସ୍ନା ବିଧୌତ ରାତିରେ ଜହ୍ନକୁ ଚାହିଁ ଉଭୟେ ପୁଲକିତ ହୋଇ ଉଠିବେ ଯେ ସେଇଠି ବି ତାଙ୍କର ଘରଡିହଟିଏ ରହିଛି।
ମୋ: ୯୪୩୭୦୮୯୬୫୫