ଚିନ୍ମୟ ହୋତା
ମହାକବି କାଳିଦାସଙ୍କର ବିଦୁଷୀ ପତ୍ନୀ ଦିବ୍ୟୋତ୍ତମାଙ୍କ ମନରେ ଥରେ ସନ୍ଦେହ ହେଲା, ସେ ଜଣେ ମହାମୂର୍ଖକୁ ବିବାହ କରି ନାହାନ୍ତି ତ? ସେ କ୍ଷୁବ୍ଧ ହୋଇ କାଳିଦାସଙ୍କୁ ଭର୍ତ୍ସନା କରିଥିଲେ, ଯାହା ଫଳରେ ମହାକବି ଘରୁ ବାହାରି ଯାଇ ଜ୍ଞାନ ଅର୍ଜନ ପାଇଁ ସାଧନା ଆରମ୍ଭ କରିଦେଲେ। କିଛି କାଳ ପରେ ମାଆ ସରସ୍ୱତୀଙ୍କ କୃପାରୁ ବହୁ ଶାସ୍ତ୍ରରେ ସେ ପାଣ୍ଡିତ୍ୟ ଲାଭ କରି ଗୃହକୁ ଫେରିଲେ। ଘରର ମୁଖ୍ୟ ଦ୍ବାର ବନ୍ଦ ଥିବାର ଦେଖି ସେ କବାଟରେ ମୃଦୁ ଆଘାତ ଦେଇ କହିଲେ, “ଅନାବୃତ କପାଟଂ ଦ୍ବାରଂ ଦେହି”, ଅର୍ଥାତ୍ “ଏ ବନ୍ଦ କବାଟ ଉନ୍ମୁକ୍ତ କରି ମୋତେ ଘରକୁ ଯିବାକୁ ଦିଅ।” ଭିତରୁ ପତ୍ନୀଙ୍କର ଉତ୍ତର ଆସିଲା, “ଅସ୍ତି କଶ୍ଚିତ୍ ବାଗ୍ ବିଶେଷଃ”, ଅର୍ଥାତ “କ’ଣ ବିଶେଷ କିଛି କହିବାର ଅଛି?” ଏହି ପ୍ରଶ୍ନ କାଳିଦାସଙ୍କୁ ଖୁବ୍ ଆମୋଦିତ କଲା। ପତ୍ନୀଙ୍କର ଏହି କେତୋଟି ଶବ୍ଦକୁ ନେଇ ସେ କାବ୍ୟ ରଚନା ଆରମ୍ଭ କରିଦେଲେ। ବାକ୍ୟର ପ୍ରତ୍ୟେକ ଶବ୍ଦକୁ ଆରମ୍ଭରେ ରଖି ବିଶିଷ୍ଟ କାବ୍ୟମାନ ଲେଖିଥିଲେ ଓ ତାଙ୍କର ଶ୍ରେଷ୍ଠ କୃତି ‘କୁମାର ସମ୍ଭବମ୍’, ‘ମେଘଦୂତମ୍’ ଓ ‘ରଘୁବଂଶମ୍’ଗୁଡ଼ିକରେ ପ୍ରଥମ ଶବ୍ଦ ହିସାବରେ ପତ୍ନୀଙ୍କର ପ୍ରଶ୍ନର ଶବ୍ଦଗୁଡ଼ିକୁ ବ୍ୟବହାର କରିଥିଲେ।
ଠିକ୍ ଏମିତି ଏକ କାବ୍ୟିକ ଶୈଳୀରେ ଅକ୍ଷୟ ମହାନ୍ତିଙ୍କ ନିଶାସକ୍ତ ଅଥଚ ବଡ଼ ହୃଦୟଵାଲା ଚରିତ୍ରଟି ବିଳମ୍ବିତ ରାତିରେ ଭାଟିରୁ ଫେରି ତା’ର ‘ପ୍ରିୟ’ ଗନ୍ଧିଆ ବୋଉକୁ ବନ୍ଦ କବାଟ ଖୋଲିବାକୁ ହୁକୁମ ଦଉଛି। ‘ପ୍ରିୟେ’ ବି ଛିଗୁଲେଇ ପଚାରୁଛି, ‘‘ଏତେ ରାତିରେ ତମେ କିଏ ମ?’’ ଏହା ଶୁଣି ମଜାଦାର ଚରିତ୍ରଟି ଦୋହରାଉଛି, “କବାଟ ଖୋଲ ପ୍ରିୟେ, ମୁଁ ତୁମର ସିଏ” ଓ ଧୀରେ ଧୀରେ ତା’ର ରୋଚକ ଆତ୍ମକାହାଣୀ ଗୀତଟି ମାଧ୍ୟମରେ ସୁନ୍ଦର ଭାବରେ ଗାଇଯାଇଛି।
କାଳିଦାସ ହୁଅନ୍ତୁ କି ଅକ୍ଷୟ ମହାନ୍ତିଙ୍କର ନିଶାଡ଼ି; ଉଭୟଙ୍କର ଘରବାହୁଡ଼ା ବେଳେ ସେମାନଙ୍କ କବି କଳ୍ପନାକୁ ଜାଗ୍ରତ କରିଛି ବନ୍ଦ କବାଟ ବା ରୁଦ୍ଧ ଦ୍ୱାର। ହେଲେ ରୁଦ୍ଧ ଦ୍ୱାର ଯେ ସବୁବେଳେ କେବଳ ସର୍ଜନାର ଦ୍ୱାର ଖୋଲିଦିଏ, ସେମିତି ଭାବିବା ଭୁଲ୍। ଏହା ଅନ୍ୟାନ୍ୟ ଅନେକ ପ୍ରକାର ଭାବର ସୃଷ୍ଟି କରିଥାଏ ଦେଖଣାହାରିର ମନରେ। ଏଇ ଯେମିତି ସନ୍ଦେହ ଓ ଆଶଙ୍କା। ଜଣେ କିଏ ଲେଖକ କହିଥିଲେ, ‘‘ରୁଦ୍ଧ ଦ୍ୱାରଟି ଦେଖିବା ମାତ୍ରେ ମୁଁ ଭାବେ ସେପଟେ ନିଶ୍ଚୟ କିଛି ଜଘନ୍ୟ କାମ ଚାଲିଛି।’’ କଥାଟି ଅନେକାଂଶରେ ସତ। ଆଜି ଅନ୍ୟକୁ ଆଢୁଆଳରେ ରଖି ନିୟମ ବହିର୍ଭୂତ କାମ ସବୁ କରିଯିବାର ଏକ ସୁରକ୍ଷିତ ପରିବେଶ ଯୋଗାଉଛି ରୁଦ୍ଧ ଦ୍ୱାର। ଯେତେ ସଂଗିନ ଅପରାଧ ସବୁ ଘଟିଯାଏ ସେହି ବନ୍ଦ କବାଟ ସେ ପଟେ। ଗୋଟିଏ ଛାତ ତଳେ ଥାଇ ବି ଜାଣିବାର ଉପାୟ ନାହିଁ ଦରଜାର ସେ ପଟେ କ’ଣ ଘଟି ଚାଲିଛି। ଅବଶ୍ୟ ଅପରାଧୀ ରୁଦ୍ଧ ଦ୍ୱାର ଭିତରେ ଥାଇ ବି ସନ୍ଦେହ ଓ ଶଙ୍କା ମୁକ୍ତ ହୋଇ ପାରୁନି। କବାଟରେ ସାମାନ୍ୟତମ କରାଘାତ ମଧ୍ୟ ତା’ ଛାତିରେ ସୃଷ୍ଟି କରୁଛି ଶତ ବଜ୍ରର ନିନାଦ।
ରୁଦ୍ଧ ଦ୍ୱାର ସେପଟେ କ’ଣ ଅଛି, ଏହି କଥାଟି ମଣିଷକୁ ସବୁବେଳେ କୌତୂହଳୀ କରି ରଖିଛି। ବନ୍ଦ କବାଟ ଦେଉଥିବା ସୁରକ୍ଷା ଓ ଗୋପନୀୟତାର ସଦୁପଯୋଗ କରି ବୁଦ୍ଧିମାନ ନିଜର ଜୀବନ ଓ ଧନସମ୍ପତ୍ତି ରକ୍ଷା କରେ। ଭାବନ୍ତୁ ତ ବାଘ ହାବୁଡ଼ରେ ପଡ଼ିଯାଇଥିବା ସେହି ବୁଦ୍ଧିମାନ ଛେଳିଟିର କଥା। ବାଘ ଓ ଛେଳି ମଝିରେ କେବଳ ଏକ ପଥରର ଉହାଡ଼। ବାଘ ତା’କୁ ଦେଖି ନ ପାରୁଥିବାର ସୁଯୋଗ ଉଠାଇ ଛେଳିଟିର ଉପସ୍ଥିତ ବୁଦ୍ଧି ପ୍ରସୂତ ‘ମେଁ ମେଁ କା ମାଣିକ ରାଜା, ଶିଙ୍ଗ ଦିଇଟା ଗୋଜା ଗୋଜା’ ସୃଷ୍ଟି କରିଛି ବାଘର ହୃତ କମ୍ପନ। ଜୀବନ ରକ୍ଷା କରି ପଳାୟନ ତା’ ପାଇଁ ଏବେ ଏକମାତ୍ର ପନ୍ଥା।
ରୁଦ୍ଧ ଦ୍ବାରର ସବୁଠୁ ଭଲ ଉପଯୋଗ କରନ୍ତି କୁଶଳୀ ରାଜନୀତିଜ୍ଞମାନେ। ‘ରୁଦ୍ଧ ଦ୍ବାର ବୈଠକ’ ନଁାରେ ଅନ୍ୟ ଦଳଗୁଡ଼ିକୁ କିମ୍ବା ନିଜ ଦଳର ଅବାଂଛିତ ଗୋଷ୍ଠୀକୁ ଅନିଶ୍ଚିତ ଅବସ୍ଥାରେ ରଖିବା କିମ୍ବା ସେମାନଙ୍କୁ ଭୁଲ୍ ଚାଲ ଖେଳିବାକୁ ବାଧ୍ୟ କରିବା, ଆଜିକାଲି ରାଜନୀତିରେ ଏକ ଜଣାଶୁଣା ଉପାୟ। ଅନେକ ରୁଦ୍ଧ ଦ୍ୱାର ବୈଠକ ବିଳମ୍ବିତ ରାତ୍ରିରେ ଡକାଯାଇ ଘଟଣାକୁ ଆଉ ଟିକେ ରହସ୍ୟମୟ କରି ଦିଆଯାଏ। ରାଜନୈତିକ ଛକାପଞ୍ଝାର ଏକ ଯଥାର୍ଥ ଓ କାମିକା ମାଧ୍ୟମ ଏହି ‘ରୁଦ୍ଧ ଦ୍ୱାର ବୈଠକ’।
ରୁଦ୍ଧ ଦ୍ବାରର କରାମତି ଆହୁରି ସ୍ପଷ୍ଟ ହୋଇ ଉଠେ ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ନ ପାଇଲେ। କୌଣସି ଦୂର ସ୍ଥାନରେ ଅବସ୍ଥିତ ତାରକା ରିସୋର୍ଟଟି ହୋଇ ଉଠେ ନୂତନ ନିର୍ବାଚିତ ସଦସ୍ୟଙ୍କ ଅସ୍ଥାୟୀ ନିବାସ। କବାଟ କିଳା ଅଜ୍ଞାତବାସ ଚାଲେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଦିନ ପାଖେଇ ଆସିବା ପର୍ଯ୍ୟନ୍ତ।
ବେଳେବେଳେ ରାଜନୀତିରେ ସମ୍ପର୍କ ନ ଥିବା କିଛି ରୁଦ୍ଧ ଦ୍ୱାର ଭିତରକୁ ରାଜନୀତି ଏମିତି ଭାବରେ ପଶିଯାଏ ଯେ ତାହା ବଜ୍ର କବାଟି ଭଳି ରୁଦ୍ଧ ହୋଇ ରହିଯାଏ ଅନେକ କାଳ। ନ ହେଲେ କି ଏତେ ବର୍ଷ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦ୍ୱାର ବନ୍ଦ କରି ଏମିତି ନାଟକ ରଚା ଯାଇଥାଆନ୍ତା?
ନିଜର ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ନିର୍ମିତ କବାଟ ଯେ ସବୁ କାଳରେ ମଣିଷର ଏକ ଅପରିହାର୍ଯ୍ୟ ବସ୍ତୁ ହୋଇ ରହିଥିଲା ସେମିତି ନୁହେଁ। ଚୀନ ପରିବ୍ରାଜକ ହୁଏନ ସାଂ ସପ୍ତମ ଶତାବ୍ଦୀରେ ଭାରତରେ ଦେଖିଥିଲେ ଯେ ନାଗରିକମାନେ ରାତିରେ କବାଟ ଖୋଲା ରଖି ନିଦ୍ରା ଯାଉଥିଲେ। କିଛି ଦଶକ ପୂର୍ବେ ଗଁା ଓ ଛୋଟ ସହରଗୁଡ଼ିକରେ ଦିନସାରା ଘରର ମୁଖ୍ୟ କବାଟ ଖୋଲା ରହୁଥିଲା। ଲୋକେ କବାଟ ଝରକା ଖୋଲା ନ ରଖିଲେ ଶ୍ୱାସରୁଦ୍ଧ ହେବା ଭଳି ଅନୁଭବ କରୁଥିଲେ। ହେଲେ ଆଜିର ସହରୀ ଆପାର୍ଟମେଣ୍ଟ ସଂସ୍କୃତିରେ ରୁଦ୍ଧ ଦ୍ୱାର ହିଁ ସୁରକ୍ଷାର ଏକମାତ୍ର ବିକଳ୍ପ। କିନ୍ତୁ ଅବସୋସ, ସମାନ ଛାତ ତଳେ ରୁଦ୍ଧ ଦ୍ୱାର ଭିତରେ ଏମିତି ପୃଥକ୍ ପୃଥକ୍ ଅବସ୍ଥାନ, ମଣିଷର ଏକାକୀତ୍ୱକୁ ତୀବ୍ର କରି ଚାଲିଛି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫