ଚିନ୍ମୟ ହୋତା
ଢଣ୍… ଢଣ୍… ଢଣ୍, ଢୋ… ଢୋ… ସିଇଁ…
ମୋ ଫ୍ଲାଟ୍ର ଉପର ଘରୁ ଭାସି ଆସୁଛି ଏଇସବୁ ଯାନ୍ତ୍ରିକ ଶବ୍ଦ। ସେଠି ଘର ମରାମତି ଓ ନବୀକରଣ କାମ ଚାଲିଛି। ଦିନ ଦଶଟାରୁ ସନ୍ଧ୍ୟା ଛ’ଟା ଯାଏ କାମ ଚାଲିବ, କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି। ତିନି ଦିନ ହେଲା ମୁଁ ଦି’ପହରରେ ଶୋଇପାରୁନି। ହାତୁଡ଼ି ମାଡ଼ ଯେମିତି ସିଧା ମୋ ଛାତିରେ ବସୁଛି, ଡ୍ରିଲ୍ ମେସିନ୍ ଯେମିତି ମୋ ମଗଜକୁ କୋରି ପକାଉଛି। ଆପାର୍ଟମେଣ୍ଟ ଘରର ଅସୁବିଧା ଭିତରୁ ଇଏ ଆଉ ଗୋଟିଏ, ମୋର ଏ ବିଷୟରେ ଜ୍ଞାନ ନଥିଲା, ଅଭିଜ୍ଞତାରୁ ଜାଣିଲି। ଆଉ କିଛି ଉପାୟ ନାହିଁ, ଏବେ କିଛି ଲେଖାଯାଉ।
ଗତ ଶତାବ୍ଦୀର ନବମ ଦଶକରେ ଭୁବନେଶ୍ୱର ବୁଲିବାକୁ ଆସିଥିବା ବି.ବି.ସି.ର ଜଣେ ବିଦେଶୀ ସମ୍ବାଦଦାତା ‘ଆଉଟଲୁକ୍’ ପତ୍ରିକାରେ ଲେଖିଥିଲେ, “ଦିନ ଦିପହର ବେଳେ ସହରର ସବୁଠୁ ଲୋକପ୍ରିୟ ବଜାର ଇଲାକାଟି ଏତେ ଶୂନଶାନ୍ ଲାଗୁଥିଲା ଯେ ଯଦି ରାସ୍ତାର ଗୋଟିଏ ମୁଣ୍ଡରୁ କମାଣ ଗୋଳାଟିଏ ଗଡ଼ାଇ ଦିଆଯାଆନ୍ତା ତେବେ ତାହା କେଉଁଠି ବି ନ ବାଜି ଅପର ମୁଣ୍ଡକୁ ଗଡ଼ିଯାଆନ୍ତା।” ଏହାର କାରଣ ସ୍ୱରୂପ ସେ ଓଡ଼ିଆମାନଙ୍କର ଭାରି ମଧ୍ୟାହ୍ନ ଭୋଜନ ପରେ ଶୋଇବାର ଅଭ୍ୟାସ କଥା ଉଲ୍ଲେଖ କରିଥିଲେ। ଅନେକେ ଏହି ଦିବା ନିଦ୍ରାର କାରଣ ସ୍ୱରୂପ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଦାୟୀ କରିଥାନ୍ତି।
ଆମ ପଡ଼ୋଶୀ ବଙ୍ଗାଳୀମାନଙ୍କର ଭାଷାରେ ତ ଏହି ଭୋଜନ ଜନିତ ଦି’ପହରିଆ ପହଡ଼ ପାଇଁ ସ୍ୱତନ୍ତ୍ର ଶବ୍ଦଟିଏ ରହିଛି- ‘ଭାତ ଘୁମ୍’ ବା ଭାତ ଭକ୍ଷଣରୁ ଉତ୍ପନ୍ନ ନିଦ୍ରା। ଅବଶ୍ୟ ଆମ ପଡ଼ୋଶୀ ଜାତିଟିର ଏହି ‘ଭାତ ଘୁମ୍’ ପାଇଁ ଏକ ମାନସିକ ଓ ଶାରୀରିକ ଦୁର୍ବଳତା ଥିବା ସତ୍ତ୍ୱେ ତାଙ୍କ ଇତିହାସ ତାଙ୍କୁ ଚେତେଇ ଦେଇଛି ଦିବା ନିଦ୍ରା କେତେ ମାରାତ୍ମକ ହୋଇପାରେ। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରଣୀତ ବଙ୍ଗଳାର ଇତିହାସରେ ବର୍ଣ୍ଣିତ ହୋଇଛି ବଙ୍ଗଳାର ନବାବ ମୀର୍ ଜାଫର୍ ଥରେ କେମିତି ମୋଗଲ ସମ୍ରାଟଙ୍କ ସହ ଯୁଦ୍ଧରେ ଆସନ୍ନ ପରାଜୟରୁ ବର୍ତ୍ତିଯାଇ ଶେଷରେ ଶତ୍ରୁକୁ ପଳାୟନ କରିବାକୁ ବାଧ୍ୟ କରିଥିଲେ। ଯୁଦ୍ଧ ନିର୍ଣ୍ଣାୟକ ଅବସ୍ଥାରେ ଥିବାବେଳେ ଦିନେ ମୋଗଲ ଓ ତାଙ୍କର ସହଯୋଗୀ ସେନା ମଧ୍ୟାହ୍ନ ନିଦ୍ରା ଉପଭୋଗ କରୁଥିଲେ। ମୀର୍ ଜାଫର୍ଙ୍କ ସହଯୋଗୀ ଇଷ୍ଟ ଇଣ୍ଡିଆ କମ୍ପାନିର ଜଣେ କମାଣ୍ଡର୍ ଏହି ସମୟରେ ଶିବିର ଉପରେ ଅତର୍କିତ ଆକ୍ରମଣ କରିଦେଲେ ଓ ମୋଗଲ ସେନା ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହେଲେ। ଏହି ଘଟଣାରୁ ବଙ୍ଗାଳୀମାନେ ସଚେତନ ହେଲେ ଯେ ‘ଭାତ ଘୁମ୍’ ଆରାମଦାୟକ ହୋଇପାରେ, ହେଲେ ଏହା ମହାବିପତ୍ତି ମଧ୍ୟ ଘଟାଇପାରେ।
ଆମେ ଓଡ଼ିଆମାନେ କିନ୍ତୁ ସେମିତି ଦ୍ବନ୍ଦ୍ୱରୁ ସମ୍ପୂର୍ଣ୍ଣ ମୁକ୍ତ। ଆମ ବଡ଼ ଠାକୁର ତାଙ୍କର ଦୈନିକ ଦିବା ପହୁଡ଼ ନୀତି ମାଧ୍ୟମରେ ଆମକୁ ମଧ୍ୟାହ୍ନ ଶୟନ ପାଇଁ ଅଭୟ ବାଣୀ ଶୁଣାଇ ଆସୁଛନ୍ତି। ଆଉ କେବେ ଯଦି ତାଙ୍କର ନିର୍ଦ୍ଧାରିତ ପହୁଡ଼ ହୋଇ ନ ପାରିଲା ତେବେ ସେ ସ୍ୱତନ୍ତ୍ର ‘ଠିଆ ପହୁଡ଼’ ଜରିଆରେ କ୍ଳାନ୍ତି ଅପନୋଦନ କରି ତାଙ୍କ ଭକ୍ତମାନଙ୍କୁ ପହଡ଼ର ଅନିବାର୍ଯ୍ୟତା ବିଷୟରେ ସୂଚାଇ ଦେଉଛନ୍ତି। ଆମର ବଡ଼ ଠାକୁରଙ୍କ ନୀତି ଆଗରେ ଆମର କେତେକ ଶାସ୍ତ୍ରର ସିଦ୍ଧାନ୍ତ ବି ଫିକା ପଡ଼ିଯାଇଛି, ଯେମିତି ‘ମନୁସଂହିତା’ରେ କୁହାଯାଇଛି ଯେ ‘କାମଜ ବ୍ୟସନ ଦଶବିଧ’ (କାମନାରୁ ଉତ୍ପନ୍ନ ଦଶଟି ଗୁଣ) ଭିତରେ ରହିଛି ଦିବାନିଦ୍ରା। ସେମିତି ଅନ୍ୟ ଏକ ଶାସ୍ତ୍ର ଅନୁସାରେ ଆୟୁ ପକ୍ଷରେ ଅହିତକର ଆଚରଣଗୁଡ଼ିକ ଭିତରେ ଅନ୍ୟତମ ହେଲା ଦିବାନିଦ୍ରା। ହେଲେ ଆମ ବଡ଼ ଠାକୁରଙ୍କ ଉପଦେଶ ସହ ସ୍ୱର ମିଳେଇ ଆଜିର ଚଳନ୍ତି ଠାକୁର ଅର୍ଥାତ୍ ଡାକ୍ତରମାନେ କହିଲେଣି ଯେ ଅଳ୍ପ ସମୟର ମଧ୍ୟାହ୍ନ ଶୟନ ଶରୀର ଓ ସ୍ୱାସ୍ଥ୍ୟ ପକ୍ଷରେ ଉପକାରୀ, କାରଣ ଏହା କ୍ଳାନ୍ତ ଶରୀରକୁ କିଛି ଘଣ୍ଟା ପାଇଁ ରିଚାର୍ଜ କରିପକାଏ। ବିଶେଷଜ୍ଞଙ୍କ ଆଶ୍ୱାସନା ବାଣୀ ପରେ ଦିବାନିଦ୍ରା ପାଇଁ ଯେମିତି ଏବେ ସୁବର୍ଣ୍ଣ ଯୁଗ ଆସି ପହଞ୍ଚିଛି, ଯଦିଓ ଅନେକେ ୟା’ର ସୁଫଳ ପାଇଁ ସୁବିବେଚିତ ସ୍ୱଳ୍ପ ସମୟ ସୀମାକୁ ଅବଜ୍ଞା କରି ସୁଦୀର୍ଘ ପହଡ଼ ଉପଭୋଗ କରୁଛନ୍ତି। ଜାପାନ ଭଳି କେତେକ ସ୍ଥାନରେ ମଧ୍ୟାହ୍ନ ଶୟନ ଅନୁକୂଳ ଛୋଟ କଠୋରି ବା କ୍ୟାପ୍ସୁଲ୍ ମଧ୍ୟ ଭଡ଼ାରେ ମିଳୁଛି।
ଦିବା ଶୟନ ପାଇଁ ଆମ ଏଆଡ଼େ କାର୍ଯ୍ୟକ୍ଷେତ୍ରରେ କିନ୍ତୁ କୌଣସି ପ୍ରୋତ୍ସାହନ ମିଳିବାର ନଜିର ନାହିଁ। ତଥାପି କେତେ ଏମିତି ପଦ ଓ କର୍ମକ୍ଷେତ୍ର ରହିଛି ଯାହା ଏଥିପାଇଁ ଅନୁକୂଳ ବାତାବରଣ ଯୋଗାଇଥାଏ। ମଧ୍ୟାହ୍ନ ଭୋଜନର ବିରତି ସମୟଟିକୁ ଟିକେ ଲମ୍ବେଇଦେଇ ଅନେକ ଉଚ୍ଚ ପଦାଧିକାରୀ ନିଜ ବାସଗୃହରେ ଦିବାନିଦ୍ରା ମାଧ୍ୟମରେ ତାଙ୍କ ଶରୀର ବ୍ୟବସ୍ଥାକୁ ରିଚାର୍ଜ କରୁଥିବାର ଉଦାହରଣ ଦେଖିବାକୁ ମିଳେ। ବେଳେବେଳେ ନୀତି ପ୍ରବର୍ତ୍ତନ କାର୍ଯ୍ୟ ଦୀର୍ଘ ସମୟ ଧରି ଚାଲିଲେ କିଛି ସାଂସଦ ଓ ବିଧାୟକମାନେ ଚିଆଁ ପହଡ଼ ଉପଭୋଗ କରୁଥିବାର ଚିତ୍ର ବା ଭିଡିଓ ଦେଖଣାହାରିଙ୍କୁ ବେଶ ମନୋରଞ୍ଜନ ଯୋଗାଇଥାଏ।
କାର୍ଯ୍ୟ ନିର୍ଘଣ୍ଟ ଭିତରେ ନିଦ୍ରା ଉପଭୋଗ କରିବା ଏକ ବିଶେଷ ଅଧିକାର, ଯାହା ଅଧିକାଂଶଙ୍କ ପାଇଁ ମହାର୍ଘ, ବିଶେଷ କରି ଯେଉଁମାନଙ୍କୁ କର୍ମକ୍ଷେତ୍ରରେ ଉପଭୋକ୍ତାମାନଙ୍କୁ ସାମ୍ନା କରିବାକୁ ପଡ଼ିଥାଏ। ସେମିତି ପରିସ୍ଥିତିରେ ମୋର ଚାକିରି ଜୀବନ କଟିଥିବାରୁ ମଧ୍ୟାହ୍ନ ଶୟନ ମୋ ପାଇଁ ଥିଲା କଳ୍ପନାତୀତ। ଅବଶ୍ୟ ମୂଳରୁ ଏଥିପାଇଁ ଅନଭ୍ୟସ୍ତ ଥିବାରୁ ଏହାପାଇଁ କିଛି ଅଭାବବୋଧ ବା ଅନୁଶୋଚନା ନଥିଲା। ସବୁ ଅଭ୍ୟାସର କଥା। ହେଲେ ଜିନିଷଟିର ଅସଲି ମଜା ମିଳିଗଲା ଅବସର ପରର ଅସରନ୍ତି ଫୁର୍ସତ ଭିତରେ। ଦିବାନିଦ୍ରା ସହ ପରିଚିତ ହେବା ପରେ ମୁଁ ସଚେତନ ହେଲି ଚାକିରି ଜୀବନ ମୋତେ କେଉଁ ସୁଖରୁ ଏତେ ଦିନ ଧରି ବଞ୍ଚିତ କରି ରଖିଥିଲା! କିନ୍ତୁ ସେ ଅଜଣା ସୁଖ ସହ ପରିଚିତ ହେବା ପରେ ଏମିତି ଗୋଳମାଳିଆ ପରିସ୍ଥିତି ଅତର୍କିତ ମାଡ଼ି ଆସିବ ବୋଲି କିଏ ଜାଣିଥିଲା?
ଏବେ ଛ’ଟା ବାଜିଗଲାଣି। ଉପର ମହଲାରେ କାମ ଆଜି ପାଇଁ ସରିଲାଣି। ପୁଣି କାଲିକୁ ଅପେକ୍ଷା। ଏ ଭିତରେ କିନ୍ତୁ ମୋର ଲେଖା କାମଟି ମଧ୍ୟ ଶେଷ।
ମୋ: ୯୪୩୭୦୮୯୬୫୫