ଡେଇଁବା ପ୍ରତ୍ୟେକ ପ୍ରାଣୀର ସହଜାତ ପ୍ରବୃତ୍ତି, ଆଉ ଗୋଟିଏ ପ୍ରାଣୀ ହିସାବରେ ମଣିଷ ବା ଏହି ଡେଇଁବା ଗୁଣରୁ ବାଦ ଯାଆନ୍ତା କିପରି? ଅବଶ୍ୟ ଅନ୍ୟ ପଶୁପକ୍ଷୀ ଭଳି ମଣିଷ ଜନ୍ମିବା ପର ଠାରୁ ଡେଇଁବା ଆରମ୍ଭ କରିଦିଏ ନାହିଁ। ତାକୁ ଏହି କଳା ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ କିଛି ବର୍ଷ ଲାଗିଯାଏ। ଡେରିରେ ହେଲେ କ’ଣ ହେଲା, ଥରେ ମଣିଷ ଏ ବିଦ୍ୟାଟି ଦଖଲ କଲା ପରେ ପଶୁପକ୍ଷୀଙ୍କ ଠାରୁ ଢେର ଆଗକୁ ବଢ଼ିଯାଏ ଡେଇଁବାର କୌଶଳ, ଭଙ୍ଗୀ, କିସମ ଆଉ ଉଦ୍ଦେଶ୍ୟରେ। ବିଚରା ପଶୁଟିଏ ତା’ ଖାଦ୍ୟ ପାଇଁ କିମ୍ବା ତା’ ଖାଦକର ମୁହଁରୁ ବର୍ତ୍ତିବା ପାଇଁ ଏହି ଡେଇଁବା ପ୍ରକ୍ରିୟାଟିର ସାହାଯ୍ୟ ନେଇଥାଏ। ଆଉ ବେଶୀକୁ ବେଶୀ ହେଲେ କେତେବେଳେ କେମିତି କ୍ରୀଡ଼ା କଉତୁକ ପାଇଁ ଡିଆଁଡିଇଁ କରିଥାଏ। ହେଲେ, ମଣିଷ ଡେଇଁବା ପଛରେ କି ରହସ୍ୟ ଅଛି ତାହା ବୁଝିବା କଷ୍ଟକର!
ମଣିଷ ଡେଇଁବାକୁ ଭଲପାଏ ବୋଲି ତ ଏହାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ବନେଇ ସାରିଛି; ଏଣୁ ଡିଆଁଡିଇଁର ମହତ୍ତ୍ବ ଖେଳ ପଡ଼ିଆ, ମନୋରଞ୍ଜନ, ପର୍ବପର୍ବାଣି ଏବଂ ଆଚାର ବ୍ୟବହାର କ୍ଷେତ୍ରରେ। ଉଚ୍ଚ ଡିଆଁ, ଲମ୍ବ ଡିଆଁ ଓ ସ୍କିପିଂ ଭଳି ଆଧୁନିକ ଖେଳଗୁଡ଼ିକ ଆସିବାର ବହୁ ପୂର୍ବରୁ ଝିଅମାନଙ୍କର ଖପରା ପକାଇ କିତିକିତି ଖେଳ, ପିଲାଙ୍କର ଡାଳମାଙ୍କଡ଼ି ଓ ଗହ୍ମା ଡିଆଁ ଇତ୍ୟାଦି ଖେଳ ସମସ୍ତଙ୍କୁ ମସଗୁଲ କରି ରଖୁଥିଲା। ଅବଶ୍ୟ ଆଜିକାଲିର ବାପା, ମା’ ନିଜର ପିଲାଙ୍କୁ ଏ ପୁରୁଣା କାଳିଆ ଖେଳରେ ନ ମାତି ଅନ୍ୟାନ୍ୟ ‘ବୁଦ୍ଧିଆ’ କାମରେ ଲଗାଉଛନ୍ତି। ପୂର୍ବେ ସମସ୍ତଙ୍କ ଘର ପଛ ବାଡ଼ରେ ଥିବା ଡିଆଁ ବାଟଟି ମାଇପିମାନଙ୍କର ସାମାଜିକ ସମ୍ପର୍କର ସେତୁ ଭଳି କାମ କରୁଥିଲା। ସମସ୍ତଙ୍କ ଉହାଡ଼ରେ ମହିଳାମାନେ ଏଇ ଡିଆଁ ବାଟ ଦେଇ ତାଙ୍କର ସାମାଜିକ ଯୋଗାଯୋଗକୁ ସୁଦୃଢ଼ କରୁଥିଲେ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଲେଖିଛନ୍ତି: ‘ବାରିଆଡ଼େ ପ୍ରାୟ ସମସ୍ତଙ୍କର ଡିଆଁ ବାଟ ଥାଏ, ନିତି ତୁଉଣ ତରକାରି ଦିଆନିଆ ହୁଏ’’ (କୁମ୍ଭାର ଚକ)। ଡିଆଁଡିଇଁର ବ୍ୟବହାର ପୁଣି ରହିଛି ପୌରାଣିକ କଳ୍ପନାରେ। ହନୁମାନ ସମୁଦ୍ର ଡେଇଁ ମାତା ସୀତାଙ୍କ ପାଖରେ ପହଞ୍ଚିବାର ବର୍ଣ୍ଣନା ସୂଚାଇ ଦିଏ ଆମର ପୁରାଣକାରମାନେ ଏହି ପ୍ରକ୍ରିୟାଟିକୁ କେତେ ଗୁରୁତ୍ୱ ଦେଉଥିଲେ।
ଡେଇଁବାର ଏହି ଦୁର୍ବାର ପ୍ରବୃତ୍ତି ଏବେ କିନ୍ତୁ ଧସେଇ ପଶିଛି ଓଡ଼ିଶାର ରାଜନୀତିରେ। ଓଡ଼ିଶାର ନିର୍ବାଚନୀ ମାହୋଲକୁ ସରଗରମ କରି ରଖିଛି ଏହି ଡିଆଁ ରୋଗ। ଅବଶ୍ୟ, ଦଳ ଡିଆଁ ଭାରତୀୟ ରାଜନୀତିରେ କିଛି ନୂଆ କଥା ନୁହେଁ। ନିର୍ବାଚନ ଋତୁ ଆସି ପହଞ୍ଚିଲେ ଦଳ ବଦଳ ଓ ଘୋଡ଼ା ବେପାର ଆରମ୍ଭ ହୋଇଯାଏ ଓ ଅନେକ ଦିନ ପର୍ଯ୍ୟନ୍ତ କାଏମ ରହେ। କିନ୍ତୁ, ଓଡ଼ିଶାରେ ଏଥରର ଦଳ ଡିଆଁ ରୋଚକ ପରିସ୍ଥିତି ସୃଷ୍ଟି କରିଛି, କେତୋଟି ବିଶେଷ କାରଣରୁ। ପ୍ରଥମେ ତ ଆଜିକା ପିଲାଙ୍କ ପାଖରେ ଡେଇଁବା ଅଭ୍ୟାସଟି ଶିଥିଳ ପଡ଼ି ଯାଉଥିବା ବେଳେ ରାଜନେତାମାନଙ୍କର ଏହି ଦଳଡିଆଁ ଡେଇଁବା କଳାର ହୃତ୍‌ଗୌରବ ଫେରାଇ ଆଣିଛି। ଦ୍ବିତୀୟରେ ବୟସ୍କ, ଦାୟିତ୍ୱବାନ ଓ ପ୍ରତିଷ୍ଠିତ ଏବଂ ଭାବୀ ଜନନାୟକମାନଙ୍କର ଏପରି ବେଢ଼ଙ୍ଗିଆ ଲମ୍ଫ ଓଡ଼ିଶା ରାଜନୀତିକୁ ଆକର୍ଷଣପୂର୍ଣ୍ଣ କରିବାର ସମ୍ଭାବନା ସୃଷ୍ଟି କରିଛି। ଅଳ୍ପ କିଛି ଦଶନ୍ଧି ପୂର୍ବେ ଓଡ଼ିଶାର ରାଜନୀତି ଆଜି ଭଳି ଗୋଟିଏ ଦଳର ଆଧିପତ୍ୟ କାରଣରୁ ଶୁଷ୍କ ଓ ନିରସ ହୋଇ ନ ଥିଲା। ସେତେବେଳର ନେତାମାନେ ରାଜନୈତିକ ବିରୋଧ ସତ୍ତ୍ୱେ ବନ୍ଧୁବତ୍ସଳତା ଓ ମାନବିକତା ହରାଉ ନ ଥିଲେ, ପୁଣି ବେଳେବେଳେ ନିଜର ପ୍ରତ୍ୟୁତ୍ପନ୍ନମତିତାର ପ୍ରୟୋଗ କରି ରାଜନୀତିକୁ ରୋଚକ କରି ରଖୁଥିଲେ। ଆଜିର ନେତାଙ୍କର ଡିଆଁଡିଇଁ ଏବର କ୍ଳାନ୍ତିକର ଭାବେ ଉତ୍କଣ୍ଠାଶୂନ୍ୟ ରାଜନୈତିକ ପରିବେଶକୁ କିଛିଟା ରଙ୍ଗିନ କରିପାରିଛି।
ହେଲେ ଆଜିର ଏଇ ସାମୂହିକ ଦଳ ଡିଆଁ ଆଖିକୁ ଏକା ଭଳି ଦିଶୁଥିଲେ ମଧ୍ୟ ଏହା ଭିତରେ ଲୁଚି ରହିଛି ବିଭିନ୍ନତା ଓ ସେହି ବିଭିନ୍ନତାକୁ ନେଇ ଡିଆଁଗୁଡ଼ିକୁ ଏହି ଭଳି ଶ୍ରେଣୀଭୁକ୍ତ କରାଯାଇପାରେ। ଗୋଟିଏ ‌େହଲା ଅଧର୍ମପଦ ଡିଆଁ। କିଂବଦନ୍ତି କହେ ନିଜର ପିତା ଓ ତାଙ୍କ ସାଥି ବାର ଶହ ବଢ଼େଇଙ୍କ ସମ୍ମାନ ଓ ଜୀବନ ରକ୍ଷା କରିବା ପାଇଁ ବିଶୁ ମହାରଣାଙ୍କ ବାର ବର୍ଷର ପୁତ୍ର ଧର୍ମପଦ କୋଣାର୍କର ମୁଣ୍ଡି ମାରି ସାରି ଉତ୍ତାଳ ଚନ୍ଦ୍ରଭାଗାରେ ଝାସ ଦେଇଥିଲେ। ଆଜିର କିଛି ନେତା କିନ୍ତୁ ପିତାଙ୍କ ଦଳରେ ନିଜକୁ ସୁରକ୍ଷିତ ନ ମଣି ବେଳହୁଁ ଅନ୍ୟ ଦଳକୁ ଲମ୍ବା ଲମ୍ଫ ପ୍ରଦାନ କରୁଛନ୍ତି। ସେମାନେ ହେଲେ ଅଧର୍ମପଦ ଶ୍ରେଣୀୟ। ଦ୍ବିତୀୟରେ କୂପ ଡିଆଁ। ମୂଳରୁ ନିଜ କୂପଟିକୁ ସବୁ କିଛି ବୋଲି ଧରିନେଇଥିବା କିଛି କୂପ ମଣ୍ଡୁକ ନେତା ହଠାତ ଉପଲବ୍‌ଧି କରିଛନ୍ତି ଯେ ବାହାରେ ଏମିତି ଗୋଟେ ଦଳ ଅଛି, ଯାହାର ପରିସର ଓ ସମ୍ଭାବନା ଅନେକ ବିଶାଳ। ସେଠାକୁ ସୁବିଧା ଦେଖି ଡେଇଁଗଲେ ଅସୁବିଧା କ’ଣ? ତୃତୀୟରେ ଚାଳ ଡିଆଁ। ଓଡ଼ିଶାର ମାଙ୍କଡ଼ ଯେତେବେଳେ ଗରିବର ଚାଳ ଉପରକୁ ଡିଆଁ ମାରେ, ସେତେବେଳେ ତା’ରି ଭାରରେ ଚାଳର କିଛି ଅଂଶ ନଷ୍ଟ ହୋଇଯାଏ। ଆଜିର କିଛି ନେତା ଏପରି ଚାଳ ଡିଆଁ ମାରୁଛନ୍ତି ଯେ ତାଙ୍କରି ଦେହର ଓଜନରେ ସେମାନେ ଡେଇଁଥିବା ନୂଆ ଦଳର ପ୍ରଭୂତ କ୍ଷତି ସଂଘଟିତ ହେଉଛି। ଏମାନଙ୍କୁ ବେଳହୁଁ ସାବଧାନ! ଚତୁର୍ଥରେ ଅନ୍ଧାର ଡିଆଁ। ଅନ୍ୟର ଡିଆଁଡିଇଁ ଦେଖି କିଛି ଅସ୍ଥିରଚିତ୍ତ ନେତା କିଛି ସଠିକ୍‌ ବାଟ ଠଉରାଇ ନ ପାରି ଅନ୍ଧାରୁଆ ଯୁଆଡ଼େ ସିଆାଡ଼େ ଡିଆଁ ମାରୁଛନ୍ତି। ଦେଖିବାର କଥା, ତାଙ୍କ ଭାଗ୍ୟ ତାଙ୍କୁ କୁଆଡ଼େ ନେଉଛି! ପଞ୍ଚମରେ ପଛୁଆ ଡିଆଁ। କିଛି ନେତା ପୂର୍ବରୁ କେବେ ଡେଇଁଥିବାର ତିକ୍ତ ଅଭିଜ୍ଞତା ଅର୍ଜି ସାରି ଏଥର ପୁଣି ନିଜର ପୁରୁଣା ଦଳକୁ ପଛୁଆ ଡିଆଁ ମାରୁଛନ୍ତି। ଏହି କୃତଘ୍ନ ନେତାମାନଙ୍କର ଏତେଶୀଘ୍ର ତ କଲ୍ୟାଣ ହେବା ସମ୍ଭବ ନୁହେଁ, ଦେଖିବା ପୁଣି ଆର ଥରକୁ। ଛଅ ନମ୍ବରରେ ଆସିବ ଗଣ ଡିଆଁ। ଗଣ ଦୌଡ଼ରେ ଭାଗ ନେଲା ଭଳି ଏମାନେ ଜ୍ଞାତି କୁଟୁମ୍ବକୁ ସାଙ୍ଗରେ ଧରି ଦଳ ଡିଆଁ ମାରୁଛନ୍ତି- କାଳେ ଏତେ ବର୍ଷର ପ୍ରଚେଷ୍ଟା ପରେ ଫଟା କପାଳିଆମାନଙ୍କର ରାଜନୀତିରେ ଭାଗ୍ୟ ଉଦୟ ହୋଇଯିବ!
ମୋ: ୯୪୩୭୦୮୯୬୫୫