କ୍ରିକେଟ୍‌ ବିଶ୍ୱ କପ୍‌ ଫାଇନାଲରେ ଭାରତୀୟ ଦଳର ବିଫଳତା କୋଟି କୋଟି ଦେଶବାସୀଙ୍କ ହୃଦୟ ଭାଙ୍ଗି ଦେଇଛି। ଏହି ନୈରାଶ୍ୟର ବାତାବରଣ ଭିତରେ କିନ୍ତୁ ଭାରତର କ୍ରିକେଟ୍‌ ପ୍ରେମୀମାନେ ଜଣେ ଜଣେ କ୍ରିକେଟ୍‌ ବିଶାରଦ ପାଲଟିଯାଇଛନ୍ତି। ସେମାନେ ଭାରତର ପରାଜୟ ପଛରେ ବିଭିନ୍ନ କାରଣମାନ ଉଦ୍‌ଘାଟନ କରୁଛନ୍ତି। ଖେଳ ହେଉଥିବା ଷ୍ଟାଡିଅମ୍‌ଠୁ ଆରମ୍ଭ କରି ଖେଳ ସମୟରେ କିଏ ଦର୍ଶକ ହିସାବର ଉପସ୍ଥିତ ଥିଲା ଅବା କେଉଁ କାଳ ଗ୍ରହ (ପନୌତି) ଭାରତର ସ୍ଥିତି ବିଗାଡ଼ିଲା ଇତ୍ୟାଦି ଚର୍ଚ୍ଚାରେ ଆଜି ଚତୁର୍ଦ୍ଦିଗ ମୁଖର।
ଏମିତି ଅନ୍ୟ ଯେଉଁ ବିବାଦଟି ବେଶ୍‌ କିଛି ହଇଚଇ ସୃଷ୍ଟି କରିଛି, ତାହା ହେଲା ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ଶ ବିଶ୍ୱ କପ୍‌ ଟ୍ରଫି ଉପରେ ପାଦ ଭରା ଦେଇ ହାତରେ ବିଅର ବୋତଲ ଧରି ବସିଥିବାର ଦୃଶ୍ୟ। ଫାଇନାଲ ଜିତିବାର ବିଜୟୋଲ୍ଲାସ ପାଳନର କେତେକ ଫଟୋଚିତ୍ର ଅଧିନାୟକ କମିନ୍‌ସ ତାଙ୍କ ‘ଏକ୍‌ସ’ ଆକାଉଣ୍ଟରେ ପୋଷ୍ଟ କରିଥିଲେ; ତା’ ମଧ୍ୟରେ ଥିଲା ଏହି ଫଟୋଟି। ଏହାର ପ୍ରକାଶନ ପରେ ପରେ ଇଣ୍ଟରନେଟରେ ମାର୍ଶଙ୍କ ଆଚରଣ ବିରୋଧରେ ତୀବ୍ର ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଲା। ଟ୍ରଫି ଉପରେ ଗୋଡ଼ ରଖି ମାର୍ଶ ବିଶ୍ୱ କପ୍‌ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି, ଟ୍ରଫିଟିର ମୂଲ୍ୟ କ’ଣ ତାହା ଜଣେ ଭାରତୀୟ ପାଖରୁ ଶିଖ, ମାର୍ଶଙ୍କୁ ‘ଆଇ.ସି.ସି.’ ପକ୍ଷରୁ ପାନେ ଦିଆଯିବା କଥା, ଖେଳରୁ ବାସନ୍ଦ କରିବା କଥା ଇତ୍ୟାଦି। ଜଣେ କ୍ରିକେଟପ୍ରେମୀ ତ ମାର୍ଶଙ୍କ ନାଁରେ ଏଫ.ଆଇ.ଆର. ମଧ୍ୟ ଦାଏର କରିସାରିଛନ୍ତି। ତେବେ, ଏହି ବିଷୟକୁ ନେଇ କ୍ରୋଧ ପ୍ରକାଶ କରିଥିବା ବ୍ୟକ୍ତିମାନେ ମୁଖ୍ୟତଃ ଭାରତୀୟ କିମ୍ବା ଭାରତୀୟ ସଂସ୍କୃତି ସହ ଜଡ଼ିତ।
ତେଣେ, ଅଷ୍ଟ୍ରେଲୀୟ ଶିବିର କିମ୍ବା ସେ ଦେଶର ଗଣମାଧ୍ୟମ ଏହି ଘଟଣାଟି ପ୍ରତି ସମ୍ପୂର୍ଣ୍ଣ ଉଦାସୀନ; ଏହାକୁ ସମାଲୋଚନା କରି ମନ୍ତବ୍ୟ କୌଣସି ଠାରେ ପ୍ରକାଶ ପାଇନାହିଁ। ସେଠାରେ ଏହାକୁ ଏକ ବିଜୟ ପରର ସ୍ୱାଭାବିକ ଉଚ୍ଛ୍ୱାସ ବୋଲି ଧରି ନିଆଯାଇଛି। ତେବେ ସମାନ ଘଟଣାଟି ପାଇଁ ଦୁଇଟି ଦେଶରେ ଏମିତି ସମ୍ପୂର୍ଣ୍ଣ ବିପରୀତ ପ୍ରତିକ୍ରିୟା କାହିଁକି? ଏହାର କାରଣ ଖୋଜିବାକୁ ହେଲେ ଆମକୁ ଦୁଇଟି ସଂସ୍କୃତି ଭିତରେ ଥିବା ପାର୍ଥକ୍ୟକୁ ହୃଦୟଙ୍ଗମ କରିବାକୁ ପଡ଼ିବ। କୌଣସି କାର୍ଯ୍ୟରେ ସଫଳତା କିମ୍ବା ଖେଳରେ ବିଜୟ ହାସଲ କରିବାକୁ ହେଲେ ନିଜର ସବୁ କିଛି ବାଜିରେ ଲଗାଇ କେବଳ ବିଜୟ ପ୍ରତି ଲକ୍ଷ୍ୟ ରଖି ଲାଗି ପଡ଼ିବା ଏକମାତ୍ର ଉପାୟ ବୋଲି ସେମାନେ ଭାବନ୍ତି। ବିଜୟ ଅଭିଯାନ ଆରମ୍ଭ କଲେ ବିଜୟ ବ୍ୟତୀତ ବାକି ସବୁ ଗୌଣ ବୋଲି ସେମାନଙ୍କ ଚିନ୍ତାଧାରା। କିନ୍ତୁ ଭାରତୀୟ ଖେଳାଳିମାନଙ୍କୁ ବିଜୟ ଲକ୍ଷ୍ୟ ଛଡ଼ା ଅନ୍ୟ ଅନେକ ବୋଝ ବୋହିବାକୁ ପଡ଼ିଥାଏ, ଯେମିତି ଦେଶ ମାତୃକାର ଗୌରବ ରକ୍ଷା, ଭବିଷ୍ୟତ ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି, କୋଟି କୋଟି ଦେଶବାସୀଙ୍କ ଆଶା ପୂରଣ, ଦେଶ ମୁଖିଆଙ୍କ ସମ୍ମାନ ରକ୍ଷା ଇତ୍ୟାଦି।
ବିଜୟ ଉଲ୍ଲାସ ପ୍ରକାଶ କରିବା କ୍ଷେତ୍ରରେ ମଧ୍ୟ ଆମର ଥାଏ ଅନେକ କଟକଣା। କିନ୍ତୁ ଅଷ୍ଟ୍ରେଲୀୟମାନେ ନିଜର କଷ୍ଟ ଅର୍ଜିତ ବିଜୟକୁ କୌଣସି ବନ୍ଧନ ବା କଟକଣା ଭିତରେ ରଖିବାକୁ ଚାହାଁନ୍ତି ନାହିଁ। ମୁଁ ଯଦି ଏତେ ଶ୍ରମ କରି କପ୍‌ଟି ଜିତିଛି, ତେବେ ମୋର ଆବେଗ ପ୍ରକାଶ କରିବା ପାଇଁ ଏହାକୁ କୌଣସି ରୂପରେ ବ୍ୟବହାର କରିପାରେ; ତା’ ଉପରେ ମୋର କ୍ଲାନ୍ତ ଗୋଡ଼କୁ ଭରା ଦେଇ କହିପାରେ ‘ବିଶ୍ୱ କପ୍‌ ବି ଏବେ ମୋ ପାଦ ତଳେ।’ ଭାରତୀୟ ସଂସ୍କୃତିରେ ଏମିତି ଚିନ୍ତା କରିବା ମଧ୍ୟ ଅସମ୍ଭବ, କାରଣ କପ୍‌ କିମ୍ବା ପଦକଟି ବିଜୟର ପ୍ରତୀକ ହିସାବରେ ଆମ ପାଇଁ ଶୁଦ୍ଧ ଓ ପବିତ୍ର। ଆମ ସଂସ୍କୃତିରେ ପ୍ରତ୍ୟେକଟି ଜିନିଷକୁ ପବିତ୍ର-ଅପବିତ୍ରର ମାପକାଠିରେ ତଉଲାଯାଏ। ତେଣୁ ଏଠି ପଥରଟିଏ ମଧ୍ୟ ଠାକୁର ପାଲଟିଯାଏ। ସାଇକେଲଟିଏ ମଧ୍ୟ କିଣା ହୋଇ ଆସିଲେ ପ୍ରଥମେ ଏହାକୁ ପୂଜା କରାଯାଏ। ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ଦଳର ବିଜୟ ସହ ଜଡ଼ିତ ଅନେକ ଆଚରଣ ଭାରତୀୟ ମନକୁ ଚକିତ ତଥା ବ୍ୟଥିତ କରିବା ସ୍ୱାଭାବିକ।
କେବଳ ଆମେ କାହିଁକି, ସବୁ ସଂସ୍କୃତିର ଲୋକେ ଅନ୍ୟ ସଂସ୍କୃତି ଦ୍ୱାରା ପ୍ରଭାବିତ ଓ ସୃଷ୍ଟ ଆଚରଣଗୁଡ଼ିକୁ ନିଜ ସଂସ୍କୃତିର ମାପଦଣ୍ଡରେ ତଉଲି ତାହାକୁ ଭୁଲ୍‌ କିମ୍ବା ଠିକ୍‌ ବୋଲି ରାୟ ଦିଅନ୍ତି। ସମାଜ ଶାସ୍ତ୍ରରେ ‘ସାଂସ୍କୃତିକ ଆପେକ୍ଷିକତା’ ବା ‘କଲଚରାଲ ରିଲେଟିଭିଜମ’ ନାମକ ଏକ ତତ୍ତ୍ୱ ଅଛି, ଯାହା ଆମକୁ ଶିଖାଇଥାଏ ଯେ ପୃଥିବୀର ସଂସ୍କୃତିଗୁଡ଼ିକ ପରସ୍ପର ଠାରୁ ଅଲଗା ଓ ଏ କ୍ଷେତ୍ରରେ ଭୁଲ୍‌ ବା ଠିକ୍‌ ବୋଲି କିଛି ନାହିଁ। ଯଦି ଏହି କଥାଟିକୁ ଆମେ ଅବଜ୍ଞା କରି ଭାରତୀୟ ସଂସ୍କୃତି ଅନୁସାରେ ପୃଥିବୀ ବାସୀ ନିଜକୁ ବଦଳାନ୍ତୁ କିମ୍ବା ମାର୍ଶ ଟ୍ରଫିରେ ଗୋଡ଼ ବଜେଇ ଥିବାରୁ ‘ବିଷ୍ଣୁ’ ବୋଲି କହନ୍ତୁ ବୋଲି ଆଶା କରିବା; ତେବେ ଆମର ଅବସ୍ଥା ନିମ୍ନ ଉପଖ୍ୟାନରେ ବର୍ଣ୍ଣିତ ଧର୍ମ ପ୍ରଚାରକଙ୍କ ଭଳି ହେବ।
ଜଣେ ପାଦ୍ରୀ ଗୋଟିଏ ଦ୍ବୀପରେ ପହଞ୍ଚି ସେଠାକାର ଆଦିମ ଅଧିବାସୀମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ କରାଇଲେ। ହେଲେ ସେହି ସଂପ୍ରଦାୟର ମହିଳା ସଭ୍ୟମାନେ ସେମାନଙ୍କର ଶରୀରର ଉପର ଭାଗ ଅନାବୃତ ରଖି ସଭାକୁ ଆସୁଥିବାର ଦେଖି ପାଦ୍ରୀ ଜଣକ ବ୍ୟଥିତ ହେଲେ। ମହିଳାମାନଙ୍କ ଶରୀରର ଉପର ଭାଗ ଆବୃତ କରିବା ପାଇଁ କିଛି ପୋଷାକ ସେ ନିଜ ଦେଶରୁ ମଗାଇଲେ ଓ ମହିଳାମାନଙ୍କ ଭିତରେ ବାଣ୍ଟି ଦେଲେ। ତା’ ପର ଥରର ପ୍ରାର୍ଥନା ସଭାକୁ ଆସିଲା ବେଳେ ପାଦ୍ରୀ ଜଣକ ଦୂରରୁ ମହିଳାମାନଙ୍କର ରଙ୍ଗିନ କପଡ଼ା ଦେଖି ଆନନ୍ଦିତ ହୋଇଥିଲେ। ହେଲେ ସଭା ସ୍ଥଳରେ ପହଞ୍ଚିଲା ପରେ ପାଦ୍ରୀଙ୍କର ହଳକ ଶୁଖିଗଲା। ସେ ଦେଖିଲେ ଯେ ମହିଳାମାନେ ବ୍ଲାଉଜଗୁଡ଼ିକୁ ନିଜ ମୁଣ୍ଡ ଉପରେ ବାନ୍ଧି ମହାଆନନ୍ଦରେ ପ୍ରାର୍ଥନା ସଭାକୁ ଆସିଛନ୍ତି। ପାଦ୍ରୀ ଜଣକ ସେ ନୂଆ ପୋଷାକଗୁଡ଼ିକ ବାଣ୍ଟିଲା ବେଳେ ଏ ସବୁର ପରିଧାନ ପ୍ରଣାଳୀ ବା ଉଦ୍ଦେଶ୍ୟ ବର୍ଣ୍ଣନା କରି ନ ଥିଲେ। ଅନ୍ୟର ସଂସ୍କୃତିକୁ ନ ବୁଝି ନିଜ ସଂସ୍କୃତି ଅନୁସାରେ ସେମାନଙ୍କୁ ବଦଳାଇ ସଭ୍ୟ କରିବାର ପ୍ରଚେଷ୍ଟା ତାଙ୍କର ତ୍ରୁଟିପୂର୍ଣ୍ଣ ଥିଲା।
ମୋ: ୯୪୩୭୦୮୯୬୫୫