ଚିନ୍ମୟ ଚେତନା/ ଘଣ୍ଟି ବାଜେ କାହା ପାଇଁ?

ଚିନ୍ମୟ ହୋତା

ନିକଟରେ ଭାରତର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାରି କରିଥିବା ଏକ ନିର୍ଦ୍ଦେଶନାମା ଅମଲାତାନ୍ତ୍ରିକ ଅଳିନ୍ଦଗୁଡ଼ିକରେ ହଇଚଇ ସୃଷ୍ଟି କରିଛି। ହୁକୁମଟି ଅନୁସାରେ ଉଚ୍ଚପଦସ୍ଥ ଅଧିକାରୀମାନେ ଦପ୍ତରରେ ଆଉ ଘଣ୍ଟି ବଜାଇ କୌଣସି ଅଧସ୍ତନକୁ ଡାକିପାରିବେ ନାହିଁ। କାମ ଅଛି ତ ପ୍ରକୋଷ୍ଠ ବାହାରକୁ ଯାଇ ଅଧୀନସ୍ଥ ପାଖରେ ତାହା ବତେଇଦେଇ ଆସ। ଯଦି କାର୍ଯ୍ୟବ୍ୟସ୍ତତା ଯୋଗୁଁ ଉଠିବା ସମ୍ଭବ ହେଉନାହିଁ ତେବେ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କର। ଖୋଦ ମନ୍ତ୍ରୀ ତାଙ୍କ ଟେବୁଲରୁ ଘଣ୍ଟିକୁ ନିର୍ବାସିତ କରିସାରିଲେଣି ଓ ଧୀରେ ଧୀରେ ଅନ୍ୟମାନଙ୍କୁ ମଧ୍ୟ ଏହି ଘଣ୍ଟି-ବିବର୍ଜିତ ସଂସ୍କୃତି ଆପଣେଇବାକୁ ତାଗିଦା କଲେଣି। ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠିଲାଣି ଯେ ମନ୍ତ୍ରୀ ଏମିତି ହୁକୁମ କାହିଁକି ଦେଲେ? ମନ୍ତ୍ରୀଙ୍କ କହିବାର କଥା ହେଲା ଏହି ଘଣ୍ଟିଟି ହିଁ ଏକ ଅବାଞ୍ଛିତ ଭି.ଆଇ.ପି. ସଂସ୍କୃତିର ପ୍ରତୀକ, ଯାହା କାର୍ଯ୍ୟକ୍ଷେତ୍ରରେ ନାନା ଭେଦଭାବ ସୃଷ୍ଟି କରିବା ସହ ଏକ ପଶ୍ଚାତମୁଖୀ ଚିନ୍ତାଧାରାର ରୂପ ମଧ୍ୟ। ଜଣେ ସହକର୍ମୀଙ୍କୁ ଘଣ୍ଟିର ଯାନ୍ତ୍ରିକ ଶବ୍ଦ ମାଧ୍ୟମରେ କିମ୍ବା କିଛି ଅଦ୍ଭୁତ ଶବ୍ଦ ସୃଷ୍ଟି କରି ଡାକିବା ତାଙ୍କ ପ୍ରତି ଅସମ୍ମାନଜନକ ନିଶ୍ଚୟ। ୟା ଭିତରେ ଲୁଚି ରହିଛି ଶାସକ ଓ ଶାସିତ ଭିତରର ସମ୍ପର୍କଗତ ବୈଷମ୍ୟ। ଏହି ସାହେବି ଆଦବ କାଇଦା ପଛରେ ମଧ୍ୟ ରହିଛି ଔପନିବେଶିକବାଦର ମାନସିକତା। ଇଂରେଜମାନେ ଦେଶ ଛାଡ଼ି ଚାଲି ଯାଇଛନ୍ତି ସିନା, ହେଲେ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପରେ ବି ସେମାନେ ଭାରତୀୟମାନଙ୍କ ଚିନ୍ତାଧାରାକୁ କବଳିତ କରି ରଖିଛନ୍ତି। ନିଜ ବସିବା ସ୍ଥାନରୁ ଉଠି ଅଧସ୍ତନ ପାଖକୁ ଯାଇ କାମଟି ତୁଲାଇନେବା ସେମିତି କିଛି କଷ୍ଟକର କଥା ନୁହେଁ, ହେଲେ ସେୟା କଲେ ନିଜର ହାକିମାତି ଜାହିର କରାଯିବ କିପରି?
ଏହି ପ୍ରସଙ୍ଗରେ ମନେ ପଡ଼ିଯାଏ କେବେ ଶୁଣିଥିବା କଥାଟିଏ। ଥରେ କୁଆଡ଼େ ଆଇ.ଏ.ଏସ. ଚୟନ ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ସାକ୍ଷାତକାର ପରୀକ୍ଷା ଚାଲିଥାଏ। ପ୍ରକୋଷ୍ଠ ଭିତରକୁ ପଶି ଆସିବା ପରେ ସାକ୍ଷାତକାର ଅଧ୍ୟକ୍ଷ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଚେୟାର ଆଡ଼କୁ ଇଙ୍ଗିତ କଲେ ବସିବା ପାଇଁ। ହେଲେ ଚେୟାରଟି ଥିଲା ଧୂଳି ଧୂସରିତ। ସେଦିନ ଅନେକ ପରୀକ୍ଷାର୍ଥୀ ସେହି ଅସନା ଚୌକିରେ ବସିପଡ଼ିଥିଲେ, ହେଲେ ଆଉ କେତେଜଣ ପ୍ରାର୍ଥୀ ସାମ୍ନା ଟେବୁଲ ଉପରେ ଥିବା ଘଣ୍ଟିଟି ବଜାଇ ବାହାରେ ଜଗିଥିବା ପରିଚାରକଙ୍କୁ ଡକାଇଥିଲେ ଓ ତାଙ୍କ ଦ୍ୱାରା ନିଜ ଆସନଟିକୁ ସଫା କରାଇ ତା’ ପରେ ସେଥିରେ ବସିଥିଲେ। କହିବା ବାହୁଲ୍ୟ ସେଦିନ ଉଚ୍ଚ ନମ୍ବର ରଖିଥିବା ସମସ୍ତ ପ୍ରାର୍ଥୀମାନେ ଏହି ଦ୍ବିତୀୟ ଶ୍ରେଣୀର ଥିଲେ କାରଣ କେବଳ ସେହିମାନଙ୍କର ଆଚରଣ ଥିଲା ଉଚ୍ଚ ପଦାଧିକାରୀ ଯୋଗ୍ୟ। କଥାଟି କୌଣସି ଉର୍ବର ମସ୍ତିଷ୍କର ମନଗଢ଼ା କାହାଣୀ ହୋଇପାରେ, ହେଲେ ୟା ଭିତରେ ନିହିତ ଅଛି ସେହି ପୁରୁଣା ହାକିମ ମାନସିକତାକୁ ଶ୍ରେୟସ୍କର ବୋଲି ଦେଖାଇବାର ଇଚ୍ଛା।

ଆଜିବି ଆମ ସରକାରୀ ଅଫିସ ଗୁଡ଼ିକରେ ବୋଲହାକ କରୁଥିବା କର୍ମଚାରୀମାନଙ୍କୁ ‘ପିଅନ’ ଭଳି ଏକ ଅପମାନସୂଚକ ନାମରେ ଚିହ୍ନିତ କରାଯାଇଥାଏ, ଯାହାର ସ୍ପେନୀୟ ମୂଳ ଶବ୍ଦାର୍ଥ ହେଲା ଅଣକୁଶଳୀ କ୍ଷେତ ଶ୍ରମିକ। ମନ୍ତ୍ରୀ ମହାଶୟ ଏହି ଘଣ୍ଟି ଉନ୍ମୂଳନ ଜରିଆରେ ଅମଲାତନ୍ତ୍ରକୁ କଳୁଷିତ କରୁଥିବା ସାମନ୍ତବାଦୀ ଅଭ୍ୟାସଗୁଡ଼ିକ ପ୍ରତି ଏକ ସତର୍କ ଘଣ୍ଟି ବଜାଇଛନ୍ତି। ହେଲେ ଘଣ୍ଟି ଯେ କେବଳ ମନ୍ତ୍ରୀ ଓ ଅଫିସର ମାନଙ୍କର ଟେବୁଲରେ ଦେଖାଯାଏ ଓ ସବୁ ଘଣ୍ଟି ପଛରେ ଯେ ଅନ୍ୟକୁ ହତାଦର କରିବାର ଭାବ ଲୁଚି ରହିଥାଏ, ସେମିତି ନୁହେଁ। ବିଭିନ୍ନ ସ୍ଥାନରେ ଅଲଗା ଅଲଗା କାରଣ ପାଇଁ ଘଣ୍ଟିର ବ୍ୟବହାର। ବିଦ୍ୟାଳୟ ମାନଙ୍କରେ ଛୁଟିଘଣ୍ଟା ପିଲାଙ୍କ ମନରେ ଭରିଦିଏ ଅଦମ୍ୟ ଉନ୍ମାଦନା। ଘଣ୍ଟା ଶବ୍ଦର ପ୍ରଥମ ସଂକେତରେ ପିଲାମାନେ ମହାଉତ୍ସାହରେ ଦୌଡ଼ା ଦୌଡ଼ି ଆରମ୍ଭ କରିଦିଅନ୍ତି ଦୀର୍ଘ ବନ୍ଧନ ଶେଷର ମୁକ୍ତିର ଆନନ୍ଦରେ। କିନ୍ତୁ ଯାହା ମନେ ହୁଏ ଘଣ୍ଟିର ଆଦର ଆଉ ଆଗଭଳି ନାହିଁ। ଟ୍ରେନ ଆସିବା ପୂର୍ବରୁ ଆଉ ଆଜିକାଲି ଅଧିକାଂଶ ଷ୍ଟେସନ୍‌ରେ ତିନିଥର ଘଣ୍ଟି ବଜାଇ ସୂଚନା ଦେବା ଦେଖା ଯାଉନାହିଁ। କଲିକତାର ଟ୍ରାମ ସେବା ସଂକୁଚିତ ହେବା ସଙ୍ଗେ ସଙ୍ଗେ ନିରବ ହୋଇ ଆସିଲାଣି ଚଳମାନ ଟ୍ରାମର ଘଣ୍ଟିଶବ୍ଦ। ପୁଣି ବସ ଗୁଡ଼ିକରେ କଣ୍ଡକ୍ଟର ଲମ୍ବା ରଶିଟି ଦ୍ୱାରା ଚାଳକ ନିକଟରେ ସ୍ଥାପିତ ଘଣ୍ଟିଟି ବଜାଇ ବସ ଅଟକାଇବାକୁ କିମ୍ବା ଚଳେଇବାକୁ ଇଙ୍ଗିତ କରିବା ଆଜିକାଲି ପ୍ରାୟତଃ ଦେଖିବାକୁ ମିଳୁନାହିଁ।

ଘଣ୍ଟି ଶବ୍ଦର ପ୍ରାଚୁର୍ଯ୍ୟ ପୁଣି ଦେଖାଯାଏ ଆମର ଦେବାଳୟ ମାନଙ୍କରେ। ପ୍ରିୟ ଈଶ୍ୱରଙ୍କୁ ଦର୍ଶନ କରିବା ପୂର୍ବରୁ ମନ୍ଦିର ପ୍ରବେଶ ପଥରେ ଝୁଲୁଥିବା ଏକାଧିକ ଘଣ୍ଟି ବଜାଇ ଆମେ ଦେବଦେବୀ ମାନଙ୍କୁ ସଜାଗ ଓ ପ୍ରସ୍ତୁତ କରାଉ। ହିନ୍ଦୁ ମନ୍ଦିର ଭଳି ଖ୍ରୀଷ୍ଟ ଧର୍ମର ଚର୍ଚ୍ଚଗୁଡ଼ିକ ଦିନେ ଅନୁରଣିତ ହେଉଥିଲା ଘଣ୍ଟି ଶବ୍ଦରେ। ସାମାଜିକ ଓ ଧାର୍ମିକ ଉତ୍ସବ ଗୁଡ଼ିକ ବ୍ୟତୀତ ଏହି ଘଣ୍ଟି ମଧ୍ୟ ବାଜୁଥିଲା କାହାର ମୃତ୍ୟୁରେ ସମବେଦନା ପ୍ରକାଶ ପାଇଁ। ମୃତ୍ୟୁ ସମୟର ଶୋକ ଘଣ୍ଟିର ନିରବଚ୍ଛିନ୍ନ ବାଦନ ଶୁଣି କାହାର ପରଲୋକ ହେଲା ଜାଣିବାକୁ ସମସ୍ତେ ଆଗ୍ରହୀ ହୁଅନ୍ତି। ହେଲେ ସେ କୌତୂହଳ ଶୁଣି କବି କହନ୍ତି, “ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ଅନ୍ୟ ସମସ୍ତଙ୍କୁ ବି କ୍ଷୟ କରେ। ଏ କଥା ଜାଣିବାକୁ ଉଛନ ହୁଅନା କାହା ପାଇଁ ବାଜେ ଏ ଘଣ୍ଟି। ଏହା ବାଜେ ତୁମ ପାଇଁ।” ମଣିଷ ମଣିଷ ଭିତରେ ଏହି ସମାନତା ରହିଥିବା ବେଳେ ଦପ୍ତରରେ ଘଣ୍ଟି ବଜାଇ ଅଧସ୍ତନକୁ ଅନ୍ୟ ସ୍ତରର ବୋଲି ଦେଖାଇବା କ’ଣ ସମୀଚୀନ? ମନ୍ତ୍ରୀଙ୍କୁ ବୋଧହୁଏ ବିଚଳିତ କରିଥିବ ଏମିତି କିଛି ପ୍ରଶ୍ନ।
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର