କଥାରେ ଅଛି ‘ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସି।’ ଇଂରେଜ ଶାସନ ସମୟରୁ ପୁଲିସ କର୍ମଚାରୀମାନେ ଥିଲେ ଅଖଣ୍ଡ କ୍ଷମତାର ଅଧିକାରୀ। କୌଣସି ଇଲାକାର ସବୁ ଭଲ ଜିନିଷ ଉପରେ ପ୍ରଥମ ଅଧିକାର ଥିଲା ଦାରୋଗାଙ୍କର, ତା’ ପରେ ଆଉ ଯାହା। ଏହି ନ୍ୟାୟରେ ମାଛମାନଙ୍କ ଭିତରେ ଶୀର୍ଷ ସ୍ଥାନର ବୋଲି ଗଣାଯାଉଥିବା ଇଲିସି ମାଛ ଉପରେ ପୁଲିସ ବାବୁଙ୍କ ପ୍ରଥମ ଦାବି କଥା କେହି ଅସ୍ୱୀକାର କରିପାରୁ ନ ଥିଲେ। ଅବଶ୍ୟ ଆଉ ସେ ପୁରୁଣା କଥା ନାହିଁ, ଆଜି କର୍ପୁର ଉଡ଼ିଯାଇଛି, ଆଉ ପଡ଼ିରହିଛି ଖାଲି କନା ଖଣ୍ଡେ। ଏବେ ଚାରିଆଡ଼େ ଧରପଗଡ଼, ଗଣମାଧ୍ୟମର ସକ୍ରିୟତା, ଆଉ ନିନ୍ଦୁକଙ୍କ ତୀକ୍ଷ୍ଣ ନଜର ଫଳରେ ପୁଲିସଙ୍କ ଇଲିସି ଖିଆରେ ଭଟ୍ଟା ପଡ଼ିଯାଇଛି। କିନ୍ତୁ, ଭଟ୍ଟା ପଡ଼ିଯାଇଛି ବୋଲି କହିଲେ ନିକଟରେ ଆମ ରାଜ୍ୟରେ ଘଟିଥିବା ଦୁଇଟି ଘଟଣା ପରିପ୍ରେକ୍ଷୀରେ ଏହା ସତ୍ୟର ଅପଳାପ ବୋଲି ବୁଝିବାକୁ ପଡ଼ିବ।
ଯଥାକ୍ରମେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଓ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ଘଟିଯାଇଥିବା ଏହି ଘଟଣା ଦୁଇଟିରେ ମୁଖ୍ୟ ଭୂମିକାରେ ଅଛନ୍ତି କିଛି ଛେଳି ଓ କିଛି ପୁଲିସବାବୁ। ଉଭୟ ଘଟଣାର ରଙ୍ଗମଞ୍ଚ ସ୍ଥାନୀୟ ପୁଲିସ ଥାନା ହାଜତ। ଘଟଣା ଦ୍ୱୟ ଏମିତି- ସ୍ଥାନୀୟ ଅଞ୍ଚଳରୁ ଚୋରି ହୋଇଯାଇଥିବା କିଛି ଛେଳିକୁ ଠାବ କରିବା ପରେ ସେଗୁଡ଼ିକର ମାଲିକାନା ନେଇ ବିବାଦ ଉପୁଜିବାରୁ ଗାଁ ଲୋକେ ପ୍ରାଣୀଗୁଡ଼ିକୁ ପୁଲିସ ହେପାଜତରେ ଛାଡ଼ି ଆସିଥିଲେ। କିନ୍ତୁ ଦୀର୍ଘ କାଳ ପର୍ଯ୍ୟନ୍ତ ମାଲିକାନା ବିବାଦ ନ ତୁଟିବାରୁ ପୁଲିସ ବାଧ୍ୟ ହୋଇ ମାମଲା ରୁଜୁ କଲେ ଓ ବିବାଦିତ ପ୍ରାଣୀଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପୁଲିସ କାର୍ଯ୍ୟାଳୟ ପରିସରରେ ବିହିତ ବ୍ୟବସ୍ଥା ଗ୍ରହଣ କଲେ। ଗୋଟିଏ ପୁଲିସ ବାସଗୃହକୁ ଛେଳିଗୁଡ଼ିକର ଗୁହାଳରେ ପରିବର୍ତ୍ତନ କରାଗଲା ଏବଂ ଜଣେ ପୁଲିସ ବାବୁ ସେ ସ୍ଥାନକୁ ସଫା ଓ ସ୍ୱାସ୍ଥ୍ୟକର ରଖିବା କାମରେ ନିୟୋଜିତ ହେଲେ। ଏଣେ ସରଳ ପ୍ରାଣୀଗୁଡ଼ିକ ଥାନା ପରିସରର ସୁରକ୍ଷା, ସ୍ବାଚ୍ଛନ୍ଦ୍ୟ ଓ ସ୍ୱାଧୀନତା ଭିତରେ ସେହି ଜୀବନ ସହ ଅଭ୍ୟସ୍ତ ହୋଇ ଉଠିଲେ ଏବଂ ପୁଲିସ ବାବୁମାନଙ୍କ ସହିତ ଗୃହପାଳିତ ପ୍ରାଣୀ ଭଳି ଆଚରଣ କଲେ। ସମ୍ବାଦଟି ଅନୁସାରେ ସେମାନେ ବିସ୍ତୃତ ଥାନା ପରିସରରେ ଦିନ ସାରା ଚରି ବୁଲି ସନ୍ଧ୍ୟାରେ ଆପଣାଛାଏଁ ନିର୍ଦ୍ଧାରିତ କ୍ୱାର୍ଟର୍ସକୁ ଫେରି ଆସୁଛନ୍ତି। ପୁଲିସ ପ୍ରତି ମଣିଷ ଜାତିର ସହଜାତ ଭୟର ଲେଶ ମାତ୍ର ଏହି ପ୍ରାଣୀ ମାନଙ୍କ ପାଖରେ ନାହିଁ।
ଭାରତୀୟ ନ୍ୟାୟ ବ୍ୟବସ୍ଥା ସହ ପରିଚିତ ପ୍ରାୟ ସମସ୍ତେ ଏ କଥା ଜାଣନ୍ତି ଯେ ଥରେ ନ୍ୟାୟାଳୟରେ ମାମଲାଟିଏ ଦାଏର ହେଲେ ତାହାର ପରିସମାପ୍ତି ଉପରେ କାହାର କର୍ତ୍ତୃତ୍ୱ ନ ଥାଏ। ବଡ଼ବଡ଼ିଆଙ୍କ ମାମଲା ହେଲେ କଥା ଅଲଗା ସିନା, ଏମାନେ ତ’ ଛାର୍ ଛେଳି! ଏଣୁ ଏହା ସହଜରେ ଅନୁମାନ କରି ହୁଏ ଯେ ଏହି ମାମଲାଟି ସେଥିରେ ଜଡ଼ିତ ଛେଳିଙ୍କ ଜୀବନକାଳ ଭିତରେ ଶେଷ ହେବାର ଆଶା କ୍ଷୀଣ। ଯାହାହେଉ ଏହି ବିବାଦିତ ଛାଗ ପଂଝାକ ରାସ୍ତାକଡ଼ରେ କଂସେଇର ଶାଣିତ ଅସ୍ତ୍ରାଘାତରେ ଯନ୍ତ୍ରଣାଦାୟକ ମୃତ୍ୟୁରୁ ବଞ୍ଚିଯିବେ। ଏବେ ସେମାନଙ୍କର ‘ଅଚ୍ଛେ ଦିନ’ ଆସିଛି ବୋଲି ଧରିବାକୁ ପଡ଼ିବ। ଏମାନଙ୍କ ଭଳି ସୌଭାଗ୍ୟ ଛେଳି ଜାତିରେ ଆଉ କାହାର ଅଛି କି? ଜୀବନ ସୁରକ୍ଷା ସହ ପୁଲିସ ଥାନାର ଆତିଥେୟତା; ସତରେ କି ଭାଗ୍ୟ! କୁକୁର ଭଳି ବିଶ୍ୱସ୍ତ ଓ ସ୍ନେହଶୀଳ ହୋଇଥିଲେ ବି ମଣିଷ ଜାତି ଛେଳି ଜାତି ପ୍ରତି କେବେ ଉଦାରତା ଦେଖାଇ ନାହିଁ। ଛନଛନିଆ ଛେଳି ଛୁଆଟିଏ ଅଗଣାରେ େଡଉଁଥିବାର ଦେଖି ବେଳେ ବେଳେ ମଣିଷ ତାକୁ ଉଠାଇ ନେଇ ଆଦର କରି ପକାଏ ସିନା, ହେଲେ ଖାସି ମାଂସର ସ୍ୱାଦ କଥା ମନେ ପଡ଼ିଗଲେ ତା’ର ସବୁ ଚିନ୍ତାଧାରା ଓଲଟ ପାଲଟ ହୋଇଯାଏ ଏବଂ ସବୁ ସ୍ନେହ ଆଦର ନିମିଷକେ କୁଆଡ଼େ ଉଭେଇ ଯାଏ। ଛେଳିର ନିରୀହ ପ୍ରକୃତିର ବିଦ୍ରୂପ କରି ଡରୁଆ ମଣିଷକୁ ‘ଛେଳି’ ବୋଲି ଅଭିହିତ କରାଯାଏ। ପୁଣି ମଣିଷ ଭିତରେ ‘ପାଣି କି ଛେଳି’, ‘ବଳି କା ବକରା’ ଇତ୍ୟାଦି ଭଳି ବ୍ୟଙ୍ଗୋକ୍ତି ବହୁଳ ଭାବେ ବ୍ୟବହୃତ।
ଅବଶ୍ୟ ସବୁବେଳେ ମଣିଷର ଅବହେଳା, ଲାଂଛନା ଓ ହିଂସାର ଶିକାର ହୋଇଥିବା ଜାତିଟି ବେଳେବେଳେ ତା’ର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି। ‘ମେଁ ମେଁ କା ମାଣିକ ରାଜା, ଶିଙ୍ଗ ଦିଇଟା ଗୋଜା ଗୋଜା’ ଲୋକ କଥା ମାଧ୍ୟମରେ ଅବହେଳିତ ପଶୁଟି ଉପସ୍ଥିତ ବୁଦ୍ଧିର କରାମତି କଥା ମନେ ପକାଇ ଦେଇଛି। ମଣିଷର ହିଂସାର ସର୍ବାଧିକ ଶିକାର ଏହି ପ୍ରାଣୀଟି ପୁଣି ପାଇଛି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ସୌହାର୍ଦ୍ଦ୍ୟ। ଗାନ୍ଧୀ ପିଲା ବେଳେ ସାଙ୍ଗମାନଙ୍କ ମେଳରେ ଥରେ ଖାସି ମାଂସ ଖାଇ ଦେଇଥିଲେ। ସେଦିନ ରାତିରେ ସେ ଅନୁଭବ କଲେ ଯେମିତି ଛେଳିଟିଏ ତାଙ୍କ ପେଟରେ ମେଁ ମେଁ ଚିତ୍କାର କରୁଛି। ସେ ରାତି ସାରା ଶୋଇପାରି ନଥିଲେ। ଗାନ୍ଧୀ ଆଜୀବନ ଶାକାହାରୀ ଥିଲେ ଏବଂ ମାଂସ ଖାଇବାର ଏଇ ଥରକର ଅନୁଭୂତି ତାଙ୍କ ଲାଗି ଭାରି ଯନ୍ତ୍ରଣାଦାୟକ ଥିଲା। ଗାନ୍ଧୀଜୀ ଗୋଲଟେବୁଲ ବୈଠକରେ ଯୋଗ ଦେବା ପାଇଁ ଇଂଲଣ୍ଡ ଯାତ୍ରା କଲା ବେଳେ ଛେଳି ଦୁଗ୍ଧ ପାଇବା ପାଇଁ ତାଙ୍କର ପ୍ରିୟ ଛେଳିଟିକୁ ଜାହାଜରେ ନେଇ ଯାତ୍ରା କରିଥିଲେ। ଛେଳିଙ୍କ ବିଷୟ ପରେ ଆସନ୍ତୁ ପୁଲିସିଙ୍କ ଦୃଷ୍ଟିକୋଣରୁ ଆଜିର ଛେଳି ପ୍ରସଙ୍ଗଟିକୁ ବିଚାର କରିବା। ‘ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସି’ ପ୍ରବାଦଟିରେ ଦର୍ଶିତ ପ୍ରତିପତ୍ତିଶାଳୀ ଦାରୋଗାମାନଙ୍କର କିଂବଦନ୍ତୀୟ ରସନା ତୃଷ୍ଣା ଚରିତାର୍ଥ କରିବା ପାଇଁ ଦିନେ ସମୁଦ୍ରରେ ଇଲିସିମାନେ ବି ସୁରକ୍ଷିତ ରହୁ ନ ଥିଲେ। ସେ କାଳରେ ଗାଁ ଗହଳିର ଛେଳି ଉପରେ ତ ସେମାନଙ୍କ ଅଧିକାର ହୋଇ ଯାଇଥିଲା ଅତ୍ୟନ୍ତ ସାଧାରଣ। ହେଲେ ଆଜି ସେହି ପୁଲିସକୁ ଛାଗଗୁଡ଼ିକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ସେମାନଙ୍କ ଗୁହାଳ ସଫା କରିବାକୁ ପଡୁଛି। ଏହି ସମ୍ବାଦ ପଢ଼ି ଅନେକ ଏହାକୁ କହୁଛନ୍ତି ଭାଗ୍ୟର କି ବିଡ଼ମ୍ବନା!