ଚିନ୍ମୟ ହୋତା

Advertisment

ଏବେ ଚାଲିଛି ବାହାଘର ଋତୁ। ଚାରିଆଡ଼େ ବାଜା, ରୋଶଣି, ଡିଜେ ଆଉ ବରଯାତ୍ରୀ ପ୍ରସେସନର ଜାକଜମକ। ଆଗକୁ ରହିଛି ପୁଣି ଭାଲେଣ୍ଟାଇନ୍‌ସ ଡେ। ଏମିତି ସମୟରେ ସମସ୍ତଙ୍କର ନିଜ ନିଜର ବାହାଘର ସମୟ କଥା ମନେ ପଡ଼ିଯିବା କିଛି ଅସ୍ୱାଭାବିକ କଥା ନୁହେଁ। ତେଣୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଧ୍ୟାନଟି ମଧ୍ୟ ସଭା, ସମିତି, ସରକାର ପ୍ରାୟୋଜିତ ମେଳା, ପ୍ରବାସୀ ଭାରତୀୟ, ବଜେଟ, ଶାନ୍ତି ଶୃଙ୍ଖଳା ରକ୍ଷା ଭଳି ନିରସିଆ ବିଷୟଗୁଡ଼ିକ ଉପରୁ କ୍ଷଣିକ ପାଇଁ ହଟି ଯାଇ ନିଜ ବାହାଘର ସମୟର ସ୍ମୃତିଗୁଡ଼ିକ ଉପରକୁ ଟାଣି ହୋଇ ଯାଇଥିଲା। ମୁଖ୍ୟମନ୍ତ୍ରୀ ଏମିତି ଏକ ଆବେଗ ଭିତରେ ଗୋଟିଏ ସଭାରେ କହି ପକାଇଲେ, ‘‘ମୁଁ ଯେତେବେଳେ ପିଲା ଥିଲି, ଅନେକ ସମୟରେ ଭଲ ଚାକିରିଟିଏ କରିବି, ଭଲ ଘରର ଝିଅଟେ ବାହା ହେବି, ଆମ ଆଦିବାସୀ ଝିଅମାନେ ଦେଖିବାକୁ ଟିକେ ସଫା ନୁହନ୍ତି। ସଫା ଝିଅଟେ କୋଉଠୁ ଖୋଜିବି?’’ ତାଙ୍କର ହାଲୁକା ମନ୍ତବ୍ୟଟିକୁ ଜାରି ରଖି ସେ ପୁଣି ଯୋଡ଼ିଦେଲେ ଯେ ସଫା ପାତ୍ରୀଟିଏ ଖୋଜିବା ପାଇଁ ତାଙ୍କୁ ନିଜ ଜିଲ୍ଲାକେନ୍ଦୁଝର ପାରି ହୋଇ ପଡ଼ୋଶୀ ଜିଲ୍ଲା ମୟୂରଭଞ୍ଜକୁ ଯିବାକୁ ପଡ଼ିଥିଲା ଏବଂ ସେଇଠି ହିଁ ତାଙ୍କର ଝିଅ ଖୋଜା ସଫଳତାର ସହ ଶେଷ ହୋଇଥିଲା। 
ବାସ୍‌, ମୁଖ୍ୟମନ୍ତ୍ରୀଙ୍କର ଏହି ମନ୍ତବ୍ୟ କିଛି ଦିନ ପାଇଁ ତିକ୍ତ ସମାଲୋଚନାର କେନ୍ଦ୍ରବିନ୍ଦୁ ହୋଇଗଲା। କିଛି ଗମ୍ଭୀର ରାଜନୈତିକ ପ୍ରସଙ୍ଗ ଅଭାବରେ ଡହଳ ବିକଳ ହେଉଥିବା ବିରୋଧୀ ଦଳ ନେତାମାନେ ବୁଡ଼ି ଯାଉଥିବା ଲୋକଟି କୁଟା ଖିଅକୁ ସାହାରା କଲା ଭଳି ମୁଖ୍ୟମନ୍ତ୍ରୀଙ୍କର ଏହି ମନ୍ତବ୍ୟଟିକୁ ଅନେକ ଫୁଙ୍କାଫୁଙ୍କି କରି ମଧ୍ୟ ବିଶେଷ ଲାଭ ଉଠାଇ ପାରି ନଥିଲେ। ସେମାନେ କହିଲେ ମୁଖ୍ୟମନ୍ତ୍ରୀଙ୍କର ଏ ମନ୍ତବ୍ୟ ଆଦିବାସୀ ମହିଳା ଜାତି ପ୍ରତି ଅସମ୍ମାନ ଏବଂ ତାଙ୍କର ଏହି ମନୋଭାବ ତାଙ୍କ ଶାସନ ବ୍ୟବସ୍ଥାରେ ଆଦିବାସୀ ମହିଳାମାନେ ଭୋଗୁଥିବା ଦୁର୍ଦ୍ଦଶାର କାରଣ ବିଶେଷ। ଶାସକ ଦଳ କହିଲେ ଏହା ବିରୋଧୀଙ୍କର ଔଷଧ ବିକଳରେ ତାଟିଆ କାମୁଡ଼ିବା ସଦୃଶ, ନ ହେଲେ କି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଏମିତି ଏକ ନିରୀହ ଓ ହାଲୁକା ମନ୍ତବ୍ୟକୁ ଏମିତି କଦର୍ଥ କରନ୍ତେ? ହେଲେ ଏହି ବାଦବିବାଦରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ରାଜନୀତି ଓ ଉଚ୍ଚ ପଦରେ ରହି ସବୁ କଥା ମାପିଚୁପି ନ କହିଲେ ବିପଦ; ମୁହଁରୁ ଥରେ କଥାଟି ବାହାରିଗଲେ ସରିଲା, ଆଉ ତାକୁ ଫେରାଇ ଆଣି ହେବନି। ତା’ ପରେ ତିଳକୁ ତାଳ କରିବାକୁ ସମସ୍ତେ ପ୍ରସ୍ତୁତ। ଦେଖନ୍ତୁ ନା ରାଜନୀତି ବୃତ୍ତିଟିର ବିଡ଼ମ୍ବନା: ଏଠି କାମ ଯେତେ ବେପରୁଆ ଭାବେ କଲେ ଚଳିବ, ହେଲେ କଥା ଟିକେ ବେପରୁଆ ହେଲେ ମହାଭାରତ ଅଶୁଦ୍ଧ ହୋଇଗଲା ଜାଣ। 
ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ କଥାଟି ବାହାରିଗଲା ବୋଲି ସିନା ଏତେ ହଟ୍ଟଗୋଳ, ହେଲେ ଆମର ସଂସ୍କୃତି ଓ ସାମାଜିକ ଚିନ୍ତାଧାରା ଉପରେ ନଜର ପକାଇଲେ ଶରୀରର କେଉଁ ରଙ୍ଗଟିକୁ ଅଗ୍ରାଧିକାର ମିଳେ ତାହା ସୂର୍ଯ୍ୟାଲୋକ ଭଳି ସୁସ୍ପଷ୍ଟ। ପୌରାଣିକ ଗ୍ରନ୍ଥଗୁଡ଼ିକ ଆମକୁ ଶିଖାଇଛନ୍ତି ଯେ ଅସୁରମାନେ କୃଷ୍ଣକାୟ ଓ ଦେବତାମାନେ ଗୌରବର୍ଣ୍ଣର। ଅବଶ୍ୟ ଏହି ଧାରାର ଏକ ଉଲ୍ଲେଖନୀୟ ବ୍ୟତିକ୍ରମ ହେଲେ ଭଗବାନ ଶ୍ରୀକୃଷ୍ଣ, (କିନ୍ତୁ ତାଙ୍କ ମନରେ ବି ଏଥିନେଇ ଅବସୋସ, ‘‘ୟଶୋମତି ମୈୟା ସେ ବୋଲେ ନନ୍ଦଲାଲା, ରାଧା କ୍ୟୁଁ ଗୋରୀ ମେଁ କ୍ୟୁଁ କାଲା’’)। ଲୋକପ୍ରିୟ ସିନେମାଗୁଡ଼ିକ ତ ସୌନ୍ଦର୍ଯ୍ୟର ସଂଜ୍ଞା ଗୋରୀମାନଙ୍କ ପାଖରୁ ହିଁ ଖୋଜିଥାନ୍ତି। ନାୟକର ନାୟିକା ପ୍ରତି ଅତି ପ୍ରିୟ ସମ୍ବୋଧନ ଏହି ‘ଗୋରୀ’। ବାସ୍ତବିକ ବଲିଉଡ୍‌ ନାୟକ ପାଇଁ ନାୟିକାର ଗୋରାପଣ ଆଗରେ ପୂର୍ଣ୍ଣିମାର ଚାନ୍ଦ ବି ମଳିନ ପଡ଼ିଯାଏ। ଏହି ଗୋରା ରଙ୍ଗ ଆମ ଭାରତୀୟମାନଙ୍କ ମନକୁ କେତେ ମାତ୍ରାରେ ଆଚ୍ଛନ୍ନ କରି ରଖିଥାଏ, ତା’ର ଝଲକ ପାଇବାକୁ ହେଲେ କିଛି ‘ପାତ୍ରୀ ଆବଶ୍ୟକ’ ବିଜ୍ଞାପନ ଦେଖିନେବା ହିଁ ଯଥେଷ୍ଟ ହେବ। ପାତ୍ରୀଟିର ଗୋରା ରଙ୍ଗ ହୋଇଥିବାର ଆବଶ୍ୟକତା ଅନ୍ୟାନ୍ୟ ସମସ୍ତ ଯୋଗ୍ୟତାଗୁଡ଼ିକୁ କାହିଁ କେତେ ପଛରେ ପକେଇଦିଏ।
ଅବଶ୍ୟ ଦୁନିଆ ଗୋରାପଣକୁ ମୁଣ୍ଡରେ ବସାଇଥିବା ବେଳେ କିଛି ବିଜ୍ଞ ଲୋକ ସବୁବେଳେ ଚେତେଇ ଦେଇ ଆସିଛନ୍ତି ଯେ ବାହ୍ୟ ସୌନ୍ଦର୍ଯ୍ୟ ଠାରୁ ମଣିଷର ଚରିତ୍ର ଅଧିକ ମହତ୍ତ୍ବପୂର୍ଣ୍ଣ (‘ବିଉଟି ଇଜ ସ୍କିନ-ଡିପ’)। କୃଷ୍ଣ ବର୍ଣ୍ଣର ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ‘ବ୍ଲାକ ଇଜ ବିଉଟିଫୁଲ’, ‘ବ୍ଲାକ ପାୱାର’ ଓ ‘ବ୍ଲାକ ଲାଇଭ୍‌ସ ମେଟର’ ଇତ୍ୟାଦି ଭଳି ଅନେକ ସାମାଜିକ ଆନ୍ଦୋଳନ ସଂଘଟିତ ହୋଇ ସାରିଛି। ଆମ ଦେଶରେ ଗୋରା ହେବା ପାଇଁ ବଜାରରେ ଉପଲବ୍‌ଧ ‘ଫେୟାର ଆଣ୍ଡ ଲଭଲି’ କ୍ରିମର ନାମଟି ମଧ୍ୟ ମଣିଷର ରଙ୍ଗକୁ ନେଇ ଏକ ପୁରୁଣାକାଳିଆ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଥିବାରୁ ଏ ଭିତରେ ତାହା ‘ଗ୍ଲୋ ଆଣ୍ଡ ଲଭଲି’ ଭାବେ ବଦଳି ଯାଇଛି। ଭାରତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୟାମଳୀ ସୁନ୍ଦରୀ ନନ୍ଦିତା ଦାସ (ପୁଣି ମୟୂରଭଞ୍ଜ), ଗତ ୧୩ ବର୍ଷ ହେଲା ‘ଡାର୍କ ଇଜ ବିଉଟିଫୁଲ’ (ଶ୍ୟାମଳ ହିଁ ସୁନ୍ଦର) ନାମରେ ଏକ ସଫଳ ଅଭିଯାନ ଚଳାଇ ଭାରତୀୟଙ୍କ ମନରୁ ଶରୀରର ତ୍ୱଚା ପ୍ରତି ଥିବା ପୂର୍ବାଗ୍ରହ ଦୂର କରୁଛନ୍ତି। ପୁଣି ଅକ୍ଷୟ ମହାନ୍ତିଙ୍କ ଗୀତରେ କାଳୀ ଓ ଗୋରୀଙ୍କ (‘ତନୁପାତେଳି’ ବି ସାଙ୍ଗରେ ଥିଲେ, ହେଲେ ତାହା ଅପ୍ରାସଙ୍ଗିକ) ତୁଳନା ହେବା ବେଳେ କାଳୀ କେତେକ ସ୍ଥାନରେ ବାଜିମାତ କରିବାର ଦେଖା ଯାଇଛି।
ଏ ଭିତରେ ସମସ୍ତଙ୍କ ଅଗୋଚରରେ ମୟୂରଭଞ୍ଜ ଗୋରୀ ଓ ସଫଳବତୀ କନିଆଁମାନଙ୍କର ଯୋଗାଣର ଏକ ନିର୍ଭରଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇ ସାରିଲାଣି। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏ ଦିଗରେ ପଥପ୍ରଦର୍ଶକ ହୋଇସାରିଛନ୍ତି। ହେମନ୍ତ ମଧ୍ୟ ‘ସଫା ଝିଅ’ ସନ୍ଧାନରେ ମୟୂରଭଞ୍ଜ ଆଗମନ କରିଥିଲେ ଓ ତାଙ୍କର ଭାବୀ ପତ୍ନୀ କଳ୍ପନା ସୋରେନ ମୁର୍ମୁଙ୍କୁ ସେଠାରେ ଠାବ କରିଥିଲେ। ଅବଶ୍ୟ ସେ କଥା ଅଲଗା ଯେ କଳ୍ପନା ଦେବୀ ରାଜନୈତିକ ବାଧ୍ୟବାଧକତାର ବଶବର୍ତ୍ତୀ ହୋଇ ନିଜେ ରାଜନୀତିରେ ପ୍ରବେଶ କରି ଏବେ ବିଧାନସଭା ସଦସ୍ୟା ହୋଇପାରିଛନ୍ତି। ମୟୂରଭଞ୍ଜର ଏହି ନୂତନ ଆବିଷ୍କୃତ ପ୍ରସିଦ୍ଧିର ପରିଣାମ ଆଉ ଯାହା ହେଉ ନା କାହିଁକି, ଆମେ ଆଶା କରୁଛୁ ଯେ ଆଗାମୀ ଦିନରେ ଏହି ଜିଲ୍ଲା ଶରୀର ରଙ୍ଗ ନିର୍ବିଶେଷରେ ସଭିଙ୍କୁ ବିବାହର ସମାନ ଅଧିକାର ପ୍ରଦାନ କରିବ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫