ଚିନ୍ମୟ ହୋତା

Advertisment

ସ୍ୱର୍ଗଲୋକର ଆବହାୱା ଥିଲା ଅସ୍ୱାଭାବିକ ଭାବେ ଗମ୍ଭୀର। ବିଭିନ୍ନ ସ୍ଥାନରେ ଦଳ ଦଳ ହୋଇ ଦେବତାମାନେ ଆଲୋଚନାରେ ବ୍ୟସ୍ତ ଥିଲେ। କେତେକଙ୍କ ହାତରେ ରଙ୍ଗ ବେରଙ୍ଗର ପ୍ଲାକାର୍ଡ ଦିଶୁଥିଲା। ଟିକିଏ ପାଖକୁ ଯାଇ ଦେଖିବାରୁ ସେଗୁଡ଼ିକରେ ‘ସ୍ୱର୍ଗକୁ ଦ୍ୱାର ବନ୍ଦ କର’, ‘ସ୍ୱର୍ଗପ୍ରାପ୍ତି ଏତେ ସହଜ ନୁହେଁ’, ‘ବୁଡ଼ଟିଏର ପୁରସ୍କାର ସ୍ୱର୍ଗ?’ ଓ ସେମିତି କିଛି ସ୍ଲୋଗାନ ଲେଖା ଯାଇଥିଲା। ଆଉ କେଉଁଠି ଉଚ୍ଚ ସ୍ୱରରେ ବିତର୍କ ଚାଲୁଥିଲା। ଭାସି ଆସୁଥିଲା କିସମ କିସମର ସ୍ଲୋଗାନମାନ, ଯେମିତି ‘ସ୍ୱର୍ଗକୁ ପାସପୋର୍ଟ- ରୋକ ଲଗାଅ’, ‘ସ୍ୱର୍ଗର ମହତ୍ତ୍ବ- ରକ୍ଷା କର’, ‘ଦେବଲୋକର ସୁରକ୍ଷା- ଆମର ଦାବି’ ଓ ‘ଅନୁପ୍ରବେଶକାରୀ- ଭାଗୋ ଭାଗୋ’ ଇତ୍ୟାଦି। ଲୋୟର ପିଏମ୍‌ଜି ଅଞ୍ଚଳକୁ ଫି ଦିନ ଅବରୁଦ୍ଧ କରୁଥିବା ବିକ୍ଷୋଭକାରୀଙ୍କ ଭଳି ଇନ୍ଦ୍ରଙ୍କର ବୈଜୟନ୍ତ ପ୍ରାସାଦକୁ ଚାରି ଦିଗରୁ ଘେରି ଯାଇଥିଲେ ଧର୍ମଘଟକାରୀ ଦେବତାମାନେ। ଗୋଟିଏ ଗୋଷ୍ଠୀ ‘ମିଗା! ମିଗା!’ ବୋଲି ଚିତ୍କାର କରି ଗଗନପବନ ପ୍ରକମ୍ପିତ କରୁଥିବା ଦେଖି ପାଖକୁ ଯାଇ ଜାଣିଲି ସେମାନେ ‘ଜେନ ଜି’ ବା ଅତି ନବୀନ ପିଢ଼ିର। ଜଣଙ୍କୁ ‘ମିଗା’ର ଅର୍ଥ ପଚାରିବାରୁ ସେ କହିଲେ, ‘ଆମର ଲକ୍ଷ୍ୟ ହେଲା- ‘ମେକ ଇନ୍ଦ୍ରଲୋକ ଗ୍ରେଟ ଏଗେନ’ (‘ମିଗା’)। ଏହା ସ୍ୱର୍ଗ ପ୍ରବେଶ କଟକଣା ଦ୍ବାରା ହିଁ ସମ୍ଭବ। 

ବାଲକୋନିରୁ ପରିସ୍ଥିତି ଦେଖିନେବା ପରେ ଇନ୍ଦ୍ର ଏକ ଜରୁରୀକାଳୀନ ସଭା ଡକାଇଲେ। ପରିସ୍ଥିତି ଏତେ ଜଟିଳ ହୋଇଯାଇଥିବାରୁ ସେ ସମସ୍ତଙ୍କୁ ଭର୍ତ୍ସନା କଲେ ଓ ସ୍ବରାଷ୍ଟ୍ର ବିଭାଗ ଦାୟିତ୍ୱରେ ଥିବା ପାରିଷଦଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବାକୁ କହିଲେ। ପାରିଷଦ ଦୋଷୀ ଭାବର ସହ ଘୋଷଣା କଲେ ଯେ ଭାରତ ଭୂଖଣ୍ଡରେ ଚାଲୁଥିବା ମହାକୁମ୍ଭ ବେଳେ ସଙ୍ଗମରେ ବୁଡ଼ ଦେଲେ ସ୍ୱର୍ଗ ଓ ମୋକ୍ଷ ପ୍ରାପ୍ତିର ଗ୍ୟାରେଣ୍ଟି ଅଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ାଇ ଦେଇଛି। ଏବକୁ ପଚାଶ କୋଟିରୁ ଅଧିକ ଧର୍ମାଳୁ ସଙ୍ଗମରେ ବୁଡ଼ ପକାଇସାରିଲେଣି। ୟାର ଅର୍ଥ ହେଲା ସେହି ପଚାଶ କୋଟି ମଣିଷ ସେମାନଙ୍କର ମୃତ୍ୟୁ ପରେ ସ୍ବର୍ଗଲୋକରେ ଆସି ପହଞ୍ଚି ଯିବେ। ଆମ ସ୍ବର୍ଗରେ ଦେବତାଙ୍କ ସଂଖ୍ୟା ତେତିଶ କୋଟି ହୋଇଥିବା ବେଳେ ପଚାଶ କୋଟି ଲୋକ ଆସିଲା ପରେ ଏଠିକାର ଅବସ୍ଥା କ’ଣ ହେବ ତାକୁ ନେଇ ଦେବତାମାନଙ୍କର ଯେତେସବୁ ସଂଶୟ। ରହିବା ସ୍ଥାନ, ଖାଦ୍ୟ, ଆମୋଦପ୍ରମୋଦ ଓ ସୋମରସ, ସବୁ ପାଇଁ ଟାଣଟୁଣ ଅବସ୍ଥା ସୁନିଶ୍ଚିତ। ତା’ ଛଡ଼ା ଏତେ କଷ୍ଟରେ ଅସୁରମାନଙ୍କୁ ହରେଇ ସ୍ବର୍ଗପୁରୀକୁ ଅସୁରମୁକ୍ତ କରିଥିବା ଦେବତାମାନେ ଆଶଙ୍କିତ ଯେ କାଳେ କେବେ ମଣିଷଙ୍କ ସାଙ୍ଗରେ ସେମିତି ବିବାଦର ପୁନରାବୃତ୍ତି ହୋଇପାରେ। ମଣିଷଙ୍କ ସଂଖ୍ୟାକୁ ଦେଖିଲେ ତାଙ୍କୁ ଯୁଦ୍ଧରେ ପରାସ୍ତ କରିବା ଦେବତାମାନଙ୍କ ପକ୍ଷରେ କାଠିକର ପାଠ ହେବ। 
ପାରିଷଦଙ୍କର ଏତେ ଲମ୍ବାଚଉଡ଼ା ରିପୋର୍ଟ ଶୁଣି ଧୈର୍ଯ୍ୟହରା ହୋଇ ଇନ୍ଦ୍ର ଗର୍ଜନ କଲେ, ‘ମଣିଷମାନଙ୍କୁ ବୁଡ଼ ପକାଇଲେ ସ୍ୱର୍ଗପ୍ରାପ୍ତିର ଗ୍ୟାରେଣ୍ଟି ଦେଲା କିଏ? ଆଉ ଯଦି ବି କିଏ ଦେଲା ତାକୁ ସଙ୍ଗେ ସଙ୍ଗେ ପ୍ରତ୍ୟାହାର କରିନେବାରେ ଅସୁବିଧା ବା କେଉଁଠି?’ 
ଇନ୍ଦ୍ରଙ୍କ କଡ଼ା ମିଜାଜ ଦେଖି ପାରିଷଦ ଚୁପ ରହିବାରୁ ବରିଷ୍ଠ ସାଂସଦ ଭଗଦତ୍ତ କହିଲେ, ‘ସେ ଗ୍ୟାରେଣ୍ଟି ଏତେ ସହଜରେ ଉଠାଇ ଦେବା ସମ୍ଭବ ନୁହେଁ, କାରଣ ଏହା ପଛରେ ଗଙ୍ଗା, ଯମୁନା, ସରସ୍ବତୀ ଭଳି ବନ୍ଦନୀୟା ଦେବୀମାନଙ୍କର ସମ୍ପୃକ୍ତି ରହିଛି, ଆଉ ପରୋକ୍ଷ ଭାବରେ ବିଷ୍ଣୁ ଓ ଶିବଙ୍କ ସମ୍ମାନ ମଧ୍ୟ ଏଥିରେ ଜଡ଼ିତ ରହିଛି। ଗଙ୍ଗା ଓ ସରସ୍ୱତୀ ଦିନେ ପ୍ରଭୁ ବିଷ୍ଣୁଙ୍କର ସହଧର୍ମିଣୀ ଥିଲେ ଓ ସ୍ୱର୍ଗରୁ ପୃଥିବୀକୁ ଓହ୍ଲାଇ ଦେବା ସତ୍ତ୍ୱେ ସେମାନେ ତାଙ୍କର ପବିତ୍ରତା ଓ ପାପୀର ପାପ ନାଶ କରିବାର କ୍ଷମତା ବଜାୟ ରଖିଛନ୍ତି। ତା’ ଛଡ଼ା ପୁଣି ମା’ ଗଙ୍ଗା ମହାଦେବଙ୍କର ଜଟା ଭିତର ଦେଇ ପ୍ରବାହିତ ହେଉଛନ୍ତି। ତେଣୁ ଗଙ୍ଗାସ୍ନାନ ଦ୍ବାରା ସ୍ୱର୍ଗ ଓ ମୋକ୍ଷ ପ୍ରାପ୍ତି ଭଳି କାଳ କାଳର ପରମ୍ପରାକୁ ଭାଙ୍ଗିଦେଲେ ମା’ମାନେ ଯେତିକି ଅପମାନିତ ହେବେ, ତା’ଠୁ ବେଶୀ ଅସନ୍ତୁଷ୍ଟ ହେବେ ଭଗବାନ ବିଷ୍ଣୁ ଓ ଶିବ। ଆଉ ପ୍ରଭୁ ଶିବଙ୍କର କ୍ରୋଧ ବିଷୟରେ ଆପଣଙ୍କୁ ଅଧିକ କ’ଣ କହିବି?’ 
ପରାମର୍ଶଦାତାଙ୍କ ଚେତାବନୀ ଶୁଣି ପ୍ରକୃତିସ୍ଥ ହେଲା ପରେ ଇନ୍ଦ୍ର ସଙ୍କଟର ଆଶୁ ସମାଧାନ ବିଷୟରେ ପଚାରିଲେ। ବିଭିନ୍ନ ମତ ଆସିଲା। କିଏ କହିଲା ସ୍ବର୍ଗରେ ଭିତ୍ତିଭୂମି ଓ ସୁବିଧା ସୁଯୋଗ ବଢ଼ାଇବାର କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଉ, କିଏ କହିଲା ଗୋଟିଏ ଆଭାସୀ ବା ଭର୍ଚୁଆଲ ସ୍ୱର୍ଗ ଗଢ଼ି ସେଠି ଆଗନ୍ତୁକମାନଙ୍କୁ ଥଇଥାନ କରାଯାଉ, ଆଉ କିଏ କହିଲା ମହାକୁମ୍ଭ ସ୍ନାନ ଦ୍ବାରା ସ୍ୱର୍ଗପ୍ରାପ୍ତିର ପ୍ରତିଶ୍ରୁତିଟିକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରାଯାଉ ଓ ସେଥିରେ କିଛି ଦୁର୍ବଳତା ଦେଖିଲେ ତାକୁ ସଂଶୋଧନ କରାଯାଉ। ନାନା ଧାରା ଓ ଉପଧାରା ଯୋଡ଼ି ନିୟମଟିକୁ ଏମିତି ସର୍ତ୍ତଯୁକ୍ତ କରି ଦିଆ ଯାଉ ଯେ ସ୍ୱର୍ଗ ପ୍ରବେଶର ଅଧିକାରଟି ଆଉ ନିରଙ୍କୁଶ ହୋଇ ରହିବ ନାହିଁ। 
ସବୁ ଆଲୋଚନା ଚୁପଚାପ ଶୁଣୁଥିବା ଜଣେ ବରିଷ୍ଟ ଦେବତା ଉଠି କହିଲେ, ‘ସ୍ୱର୍ଗର ମହତ୍ତ୍ୱ ରକ୍ଷା ପାଇଁ ନିୟମଟିର ପରିବର୍ତ୍ତନ ଅପରିହାର୍ଯ୍ୟ। ଯେତେବେଳେ ସ୍ୱର୍ଗ ପ୍ରାପ୍ତିର ଏହି ପ୍ରତିଶ୍ରୁତିଟି ଦିଆ ଯାଇଥିଲା, ସେତେବେଳେ ପୃଥିବୀର ଜନସଂଖ୍ୟା ଥିଲା ନଗଣ୍ୟ। ଜନସଂଖ୍ୟାର ଏମିତି ବିସ୍ଫୋରଣ କଥା କିଏ ବା ଜାଣିଥିଲା? ତେଣୁ ମୋର ମତ ଯେ ଉଭୟ ବିଷ୍ଣୁ ଓ ଶିବଙ୍କର ଅନୁମତି ପ୍ରାପ୍ତି ପରେ ଆମେ ପ୍ରତିଶ୍ରୁତିଟିକୁ ସଂଶୋଧନ କରି ପାରିବା। ତୁରନ୍ତ ଆମର ଦେବ ପ୍ରତିନିଧିମାନଙ୍କୁ ଉଭୟ ଦେବତାଙ୍କ ପାଖକୁ ପଠାଇ ଦିଆଯାଉ। ସେମାନଙ୍କୁ ବୁଝାଇବାକୁ ପଡ଼ିବ ଯେ ପଚାଶ କୋଟି ମଣିଷ ଅତି ଶୀଘ୍ର ସ୍ୱର୍ଗଲୋକରେ ପହଞ୍ଚିଲେ ସ୍ଥାନାଭାବ ସୃଷ୍ଟି ହେବ ଓ ତା’ ପରେ ବିଷ୍ଣୁଙ୍କର ବୈକୁଣ୍ଠ ଓ ମହାଦେବଙ୍କର କୈଳାସ ଆଡ଼େ ମୁହାଁଇବେ। ମଣିଷ ପଲ ନା ବିଷ୍ଣୁଙ୍କୁ ଶାନ୍ତିରେ ଟିକେ ଅନନ୍ତ ଶୟନ କରିବାକୁ ଦେବେ ନା କୈଳାସରେ ଶିବଙ୍କୁ ତପସ୍ୟା କରିବାକୁ ଦେବେ! ଏହି ଦୁଇ ଦେବତା ଏମିତି ସମ୍ଭାବନା ଶୁଣିବା ମାତ୍ରେ ସଂଶୋଧନ ପ୍ରସ୍ତାବରେ ରାଜି ହୋଇଯିବେ। 
କଥାଟା ସମସ୍ତଙ୍କ ମନକୁ ବେଶ୍‌ ପାଇଲା। ଇନ୍ଦ୍ର ବି ଖୁସି ହେଲେ ଓ ପ୍ରତିନିଧିମାନଙ୍କୁ ଚେତେଇ ଦେଲେ, ‘କାମଟି ଆଜି ସାରି ଦିଅ, କାରଣ କାଲି ମହାଶିବରାତ୍ରି। ଡେରି କଲେ ଶିବ ତୁମକୁ ସମୟ ଦେଇ ପାରିବେ ନାହିଁ।’ 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫