‘କେବଳ ଓଡ଼ିଆକୁ ଛାଡିଦେଲେ ସବୁ ବିଷୟର ପ୍ରଶ୍ନପତ୍ର ଲିକ୍’! ନିକଟରେ ଶେଷ ହୋଇଥିବା ମାଟ୍ରିକ ପରୀକ୍ଷାରେ ଇଏ ହେଲା ଗୋଟିଏ ପ୍ରକାରର ରେକର୍ଡ। ପରୀକ୍ଷା ପରିଚାଳନାରେ ଯେ କୌଣସି ବିଚ୍ୟୁତିକୁ ରୋକିବା ପାଇଁ ଏଥର ନିଆଯାଇଥିବା ବିଶେଷ ପଦକ୍ଷେପ ଯେମିତି କି ସି.ସି. କ୍ୟାମେରା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏ.ଆଇ.)ର ଉପଯୋଗ ସତ୍ତ୍ୱେ ପ୍ରାୟ ସବୁ ବିଷୟର ପ୍ରଶ୍ନପତ୍ର ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଯାଉଥିବା ଥିଲା ଏକ ଅଦ୍ଭୁତ ଘଟଣା। ‘ବାପପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା’ ଭଳି କଥା ଯାହା!
ପୂର୍ବରୁ ଆମ ରାଜ୍ୟରେ ପରୀକ୍ଷାଗୁଡ଼ିକରେ କାଁ ଭାଁ କେବେ କୌଣସି ବିଷୟରେ କିମ୍ବା କୌଣସି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ସୃଷ୍ଟି କରୁଥିଲା ସମ୍ବାଦପତ୍ରର ଶିରୋନାମା। ହେଲେ, ଆଜିର କଥା ସମ୍ପୂର୍ଣ୍ଣ ଅଲଗା। ଆଜି କୌଣସି ବିଷୟ ଯଦି ଲିକ୍ ହେବା କବଳରୁ ବର୍ତ୍ତିଗଲା, ତେବେ ତାହା ସୃଷ୍ଟି କରୁଛି ସମ୍ବାଦ; ଏଥର ଯେମିତି ଓଡ଼ିଆ ସାହିତ୍ୟ ବିଷୟଟି ସମ୍ବାଦ ସୃଷ୍ଟି କରିବାର ସେହି ସୌଭାଗ୍ୟଟି ଲାଭ କରିପାରିଛି।
ତେବେ ମନରେ ପ୍ରଶ୍ନ ଉଠୁଛି ଯେ ଓଡ଼ିଆ ବିଷୟଟି କେମିତି ଏହି ସର୍ବଗ୍ରାସୀ ‘ଲିକ୍’ ସଂକ୍ରମଣ ଭିତରେ ଗୋଟିଏ ବ୍ୟତିକ୍ରମ ହୋଇ ଛିଡ଼ା ହୋଇ ପାରିଲା? କ’ଣ ନିଜର ମାତୃଭାଷାକୁ ସମ୍ମାନ ଜଣାଇବା ପାଇଁ ଓ ଏହାକୁ ବାଦାନୁବାଦରୁ ଊର୍ଦ୍ଧ୍ୱରେ ରଖିବା ପାଇଁ ‘ଲିକ୍’ ସହ ସମ୍ପୃକ୍ତ ଅପରାଧୀମାନଙ୍କର ଏହା ଏକ ସଂକଳ୍ପ? ବାସ୍ତବିକ ବିବେକବାନ ଚୋର! ନିଜ ମାତୃଭାଷାକୁ କେମିତି ସମ୍ମାନ ଦିଆଯାଏ, ତାହା ଏମାନଙ୍କ ପାଖରୁ ଶିଖିବାର କଥା! ତେବେ, କାରଣଟି ଯାହା ବି ହୋଇଥାଉ ନା କାହିଁକି ଫଳାଫଳଟି ଏୟା ଯେ ଓଡ଼ିଆ ବିଷୟଟି ‘ଲିକ୍’ କେଳେଙ୍କାରୀରେ କଳୁଷିତ ହୋଇନାହିଁ।
ଏବେ ଆସିବା ‘ଲିକ୍’ର ମୁଖ୍ୟ ପ୍ରସଙ୍ଗକୁ। ଅନେକ ବର୍ଷ ତଳେ ‘ଲିକ୍’ ଥିଲା ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ। ଜିଇବାର ପ୍ରତ୍ୟେକ ପର୍ଯ୍ୟାୟରେ ମଣିଷକୁ ‘ଲିକ୍’ର ସାମନା ଆଉ ମୁକାବିଲା କରିବାକୁ ପଡୁଥିଲା। ପ୍ରଥମେ ଦେଖନ୍ତୁ ‘ଲିକ୍’ ହେଉଥିବା କଲମଗୁଡ଼ିକର କଥା। ସ୍କୁଲରେ ସବୁ ପିଲାଙ୍କ ହାତରେ କାଳିର ଦାଗ ତାଙ୍କ କଠିନ ପରିଶ୍ରମର ସନ୍ତକ ହୋଇ ସାରା ଦିନ ଶୋଭା ପାଉଥିଲା। ସେମିତି ଫୁଟ୍ବଲ୍ ଖେଳ ବେଳେ ସବୁ ଉତ୍ସାହକୁ ପାଣିରେ ପକେଇ ଦେଇ ହେଉଥିଲା ବଲ୍ରେ ଲିକ୍। ଲିକ୍ ହେଲେ ବଲ୍କୁ ଧରି ପିଲାଏ ସାଇକେଲ ମରାମତି ଦୋକାନକୁ ଶୋଭାଯାତ୍ରା କରିବା ଥିଲା ଫୁଟ୍ବଲ୍ ଖେଳର ଏକ ନିୟମିତ ଅଂଶବିଶେଷ। ଶୋଭାଯାତ୍ରା ଏହି ଅର୍ଥରେ କୁହାଗଲା ଯେ ଯଦିଓ ଜଣେ କି ଦି ଜଣ ଖେଳାଳି ବଲ୍କୁ ମରାମତି କରିବାକୁ ଦୋକାନକୁ ଯାଇ ପାରନ୍ତେ, ଯାଉଥିଲେ ସମସ୍ତ ଖେଳାଳି; କାରଣ ସାଇକଲ ମିସ୍ତ୍ରି ଲିକ୍ରେ ପ୍ୟାଚ ପକାଇବା ଦୃଶ୍ୟକୁ ନିରେଖି ଦେଖିବା ଆଉ ମଜାଦାର ମନ୍ତବ୍ୟମାନ ପରିବେଷଣ କରିବା ଏହି କାର୍ଯ୍ୟଟିର ଏକ ବିଶେଷ ଆକର୍ଷଣ। ସାଇକେଲ ମରାମତି ଦୋକାନରେ ବଲ୍ ଲିକ୍ ପ୍ୟାଚ୍ କାମଟି ପ୍ରାୟ ସବୁବେଳେ ଅଗ୍ରାଧିକାର ପାଉଥିଲା, ଏପରିକି ସାଇକେଲ ମରାମତି କରାଉଥିବା ବୟସ୍କମାନେ ମଧ୍ୟ ନିଜ କାମ ଅଧାରେ ରଖି ପିଲାଙ୍କ କାମ ଆଗେ କରି ଦେବାକୁ ଦୋକାନୀକୁ କହୁଥିଲେ; କାରଣ ପିଲାମାନେ ବଲ୍ ମରାମତି କରି ସନ୍ଧ୍ୟା ପୂର୍ବରୁ ଖେଳିବାକୁ କିଛି ସମୟ ପାଇବେ।
ଫୁଟ୍ବଲ୍ ବ୍ଲାଡର ଭଳି ସାଇକଲ ଟିଉବ୍ ପଂକ୍ଚର୍ ହୋଇଗଲେ ତା’ର ମରାମତି କରାଇବା ମଧ୍ୟ ସେତେବେଳେ ଏକ ନିତିଦିନିଆ ଘଟଣା ଥିଲା। ସାଇକେଲ ମାଲିକ ମରାମତି କାମର ପ୍ରତ୍ୟେକଟି ପର୍ଯ୍ୟାୟକୁ ଧ୍ୟାନ ପୂର୍ବକ ନିରୀକ୍ଷଣ କରୁଥିଲେ- ଟିଉବକୁ ପାଣି କୁଣ୍ଡରେ ବୁଡ଼ାଇ ମିସ୍ତ୍ରି ଲିକ୍ ଠାବ କରିବା, ଲିକ୍ ସ୍ଥାନଟିକୁ ବନ୍ଧୁର କରି ସେଥିରେ ସଲ୍ୟୁସନ ଲଗାଇବା, ସେ ସ୍ଥାନକୁ ଧୀରେ ଫୁଙ୍କିବା ଓ ପୁରୁଣା ଟିଉବ କାଟି ପ୍ୟାଚ୍ ଲଗେଇବା ଇତ୍ୟାଦି। ମଝିରେ ମଝିରେ ମିସ୍ତ୍ରିର କାମକୁ ତ୍ୱରାନ୍ୱିତ କରିବା ପାଇଁ ଗ୍ରାହକ ତାଙ୍କୁ ପାନ ଯୋଗାଇଦେବା ଥିଲା ଏକ ବିଧି। ପୁଣି ରାସ୍ତା କଡ଼ରେ ପାଣି ପାଇପ୍ ଲିକ୍ ହେବା ଓ ସେଥିରୁ ପିଚକାରି ଭଳି ଅନବରତ ପାଣି ଛାଟିବା ଥିଲା ସାହି ଗଳିମାନଙ୍କରେ ଏକ ସାଧାରଣ ଦୃଶ୍ୟ। ତେଣୁ ଲିକ୍ ହେବା ଓ ସେଥିରେ ପ୍ୟାଚ ପକାଇ କାମ ଚଳାଇନେବା ଥିଲା ସେ ସମୟର ଜୀବନ ଦର୍ଶନ।
ଧୀରେ ଧୀରେ କିନ୍ତୁ ଲିକ୍ର ଏହି ସ୍ୱରୂପରେ ପରିବର୍ତ୍ତନ ଆସିଛି। କୌଣସି ଜିନିଷ ଯଦି ଲିକ୍ କରୁଛି, ତେବେ ତାକୁ ମରାମତି ନ କରି ଫୋପାଡ଼ି ଦିଅାଯାଇ ନୂଆଟିଏ ଖର୍ଦ୍ଦି କରାଯାଉଛି। ବର୍ଷ ବର୍ଷ ଧରି ଗୋଟିଏ କଲମରେ ଚଳେଇ ଆସିଥିବା ଛାତ୍ର ବର୍ଷରେ ଡଜନେ ସରିକି ଡଟ୍ ପେନ ବ୍ୟବହାର କରୁଛି। ଫୁଟ୍ବଲ୍ ଆଉ ଟାୟାର ଇତ୍ୟାଦି ଏମିତି ତିଆରି ହେଲାଣି ଯେ ସେଥିରେ ଲିକ୍ ହେବାର ସମ୍ଭାବନା ନାହିଁ। ଏବେ ଟିଉବ ଶୂନ୍ୟ ଟାୟାରର ଯୁଗ, ଯାହା କଣ୍ଟା ଫୁଟିଗଲେ ବି ନରମ ନ ପଡ଼ି ତାକୁ ସମ୍ଭାଳି ନେବାର କ୍ଷମତା ରଖୁଛି। ବଜାରରୁ ଉଭେଇଗଲାଣି ମରାମତି ଦୋକାନ, ଆଉ ତା’ ସାଥିରେ ଦଳ ବାନ୍ଧି ବଲ୍ ମରାମତି କରିବାର ପିଲାଦିନର ସେ ଉତ୍ସବ।
ଏହି ମଧୁର ସ୍ମୃତିକୁ ପଛରେ ପକାଇ ଏବେ କିନ୍ତୁ ଯେଉଁ ଲିକ୍ ସବୁ ହେଉଛି, ତାହା ପ୍ରଶ୍ନ ପତ୍ର ଲିକ୍ ଭଳି ମାରାତ୍ମକ ଲିକ୍। ତା’ ପଛରେ ରହୁଛି ଅପରାଧୀ ଗୋଷ୍ଠୀଙ୍କ ସମ୍ପୃକ୍ତି; ବିରାଟ ଷଡ୍ଯନ୍ତ୍ର। ଅନ୍ୟ କାହାର ବ୍ୟାଙ୍କ ତଥ୍ୟକୁ ଲିକ୍ କରାଇ ତାକୁ ସର୍ବସ୍ୱାନ୍ତ କରିବା ଆଜି ନିତି ଦିନ ଘଟୁଛି। ସେମିତି କାହାର କାହାର ଭିଡିଓ ବା ଅଡିଓ ଲିକ୍ କରି ତାକୁ ବଦନାମ କରିବାର ଚେଷ୍ଟା ବି ହେଉଛି। ଆମ ନୈତିକ ମୂଲ୍ୟବୋଧରେ ଯେଉଁ ଲିକ୍ ଦେଖା ଦେଲାଣି ତାକୁ ମରାମତି କରିବାକୁ ସତେ ଯେମିତି କୌଣସି ପ୍ରଭାବୀ ‘ସଲ୍ୟୁସନ’ ଆଉ କୁଶଳୀ ମିସ୍ତ୍ରିଙ୍କର ଆଜି ଘୋର ଅଭାବ।
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ‘ଲିକ୍’- ସେ କାଳର ଓ ଆଜିର!
ଚିନ୍ମୟ ହୋତା