ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ-ଦୂରତ୍ୱ ରାଜନୀତି ତାଙ୍କର ଏକ ଜଣାଶୁଣା ଅସ୍ତ୍ର ରୂପେ ସାରା ଦେଶରେ ଖ୍ୟାତି ଅର୍ଜନ କଲାଣି। ନିର୍ବାଚନୀ ହାୱା ପୂରା ଦମ୍‌ରେ ବହିବା ପୂର୍ବରୁ ମେଣ୍ଟ ରାଜନୀତିର ମଧୁ ମଳୟ ଭାସି ଆସିଥିଲା କିଛି ଦିନ ପାଇଁ। ଉଭୟ ମେଣ୍ଟ ସବୁ ମାପ ଓ ଓଜନର ରାଜନେତା ତଥା ସେମାନଙ୍କର ଦଳଗୁଡ଼ିକୁ କୋଳାଗ୍ରତ କରିବାର ଚେଷ୍ଟା ଜୋରସୋର ଆରମ୍ଭ କରି ଦେଇଥିଲେ। ଏହି ବନ୍ଧୁ-ଶଙ୍ଖୁଳା ଋତୁରେ ନବୀନଙ୍କର କବାଟରେ ‘ସମ-ଦୂରତ୍ବ’ର ଫଳକଟି ଦେଖି ମେଣ୍ଟୁଆଙ୍କ ସବୁ ରଣନୀତି ଫସର ଫାଟି ଯାଇଛି। ନବୀନଙ୍କ ବଡ଼ ପଲଟଣର ଲାଙ୍ଗୁଡ଼ ଧରି ନିର୍ବାଚନ ବୈତରଣୀ ପାରି ହେବାକୁ ଉଭୟ ମେଣ୍ଟ ଅଭିପ୍ରାୟୀ। ହେଲେ ସବୁ କଳ୍ପନା ଜଳ୍ପନାକୁ ବିଗାଡ଼ି ଦେଉଛି ଏହି ନିଷ୍କରୁଣ ଘୋଷଣାଟି। ୨୦୦୯ ମସିହା ନିର୍ବାଚନ ପାଖରୁ ନବୀନ ଆପଣେଇଥିବା ଏହି ସମ-ଦୂରତ୍ୱ ନୀତି ଆଜି ତାଙ୍କର ଏକ କାମିକା ରାଜନୈତିକ ଆୟୁଧ ସାଜି ସାରିଛି। ଯେତେବେଳେ ଦରକାର ଅସ୍ତ୍ରଟି ଛାଡ଼ି ଦିଅ, ଅବ୍ୟର୍ଥ ଔଷଧ ଭଳି କାମ ଦେବ। ଏଇ ନୀତିଟିର ଆଶ୍ରୟ ନେଇ ନବୀନ କେତେ ଥର ଯେ ତାଙ୍କର ନିଷ୍ପତ୍ତିଗୁଡ଼ିକ ଯଥାର୍ଥ ବୋଲି ଦେଖାଇଛନ୍ତି, ତା’ର ହିସାବ ନାହିଁ।
ହେଲେ ଛିଦ୍ରାନ୍ୱେଷୀମାନେ ବୁଝିଲେ ସିନା! ସେମାନଙ୍କର ସବୁବେଳେ ସେହି ଗୋଟିଏ ପୁରୁଣା ଆରୋପ: ଏହି ସମ-ଦୂରତ୍ୱ ଦାବିର କିଛି ଠିକ୍‌ ଠିକଣା ନାହିଁ, ଏହା ଲୋକ ଦେଖାଣିଆ। ଯେତେବେଳେ ସୁହାଇଲା ଦୂରତ୍ୱର ଫଳକଟିକୁ ଆଗକୁ ପେଲିଦିଅ, ତେଣିକି ଭିତରେ ଯେତେ କୋଳାକୋଳି ହେଉଥାଅ ପଛେ। ସମ-ଦୂରତ୍ୱର ସଂଜ୍ଞା ଅନୁସାରେ ତୁମେ କଂଗ୍ରେସଠୁ ଯେତିକି ପାଦ ଦୂରରେ, ବିଜେପିଠୁଁ ବି ସେତିକି ପାଦ ଦୂରରେ ରହିବା କଥା; ହେଲେ ଦେଖିଲା ବେଳକୁ ତୁମ ଦଳର ବାନା ସବୁବେଳେ ବିଜେପି ଧ୍ୱଜା ସାଙ୍ଗରେ ଫୁରୁଫୁରୁ ହୋଇ ଉଡୁଛି। କଂଗ୍ରେସ ଆଡ଼େ ତୁମର ଶୁଭ ଦୃଷ୍ଟି କେବେ ପଡୁନାହିଁ ତ! ତା’ ହେଲେ ଇଏ କି ପ୍ରକାରର ସମ-ଦୂରତ୍ୱ? ଏବେ ଅବସ୍ଥା ଏମିତି ହେଲାଣି ଯେ ତୁମ ଦଳ ଲୋକଙ୍କ ପାଟିରୁ ଏହି କଥାଟି ସ୍ଫୁରିଲା କ୍ଷଣି ଜାଣିବାଶୁଣିବା ଲୋକ ହସାହସି ହେଉଛନ୍ତି।

Advertisment

ଆମର ମନେ ହୁଏ ଅପବାଦକାରୀମାନେ ନିଜର ଏକତରଫା ଧାରଣାକୁ ଜାବୁଡ଼ି ଧରି ସମସ୍ତ ବୁଝିବା ଶକ୍ତି ହରାଇ ବସିଛନ୍ତି। ଆରେ ବାବୁ, ‘ସମ-ଦୂରତ୍ୱ’ରେ ଥିବା ଦୁଇଟା କଥା, ଯଥା: ‘ସମାନତା’ ଆଉ ‘ଦୂରତା’ କ’ଣ ଏତେ ପକ୍କା, ଚିରସ୍ଥାୟୀ ଓ ଅପରିବର୍ତ୍ତନୀୟ ଯେ ସେଥିରେ ଟିକେ ଏପାଖ ସେପାଖ ହେଇଗଲେ ତମେ ଚିହିଁକି ଉଠୁଛ? ରାଜନୀତିରେ ଆଜି କହିଥିବା କଥା କାଲିକୁ ବଦଳି ଯାଉଛି; ତମେ ଭୁଲ୍‌ ଶୁଣିଥିଲ କି ଭୁଲ୍‌ ବୁଝିଥିଲ ବୋଲି ତୁମକୁ ଦୋଷ ଦିଆ ଯାଉଛି। ହେଲେ ନବୀନ ବାବୁଙ୍କ ଗୋଟିଏ ଶବ୍ଦକୁ ବେଦର ଗାର ବୋଲି ଧରି ବସିଛ? ‘ଗଣତନ୍ତ୍ରରେ ସମସ୍ତେ ସମାନ, ହେଲେ କେତେଜଣ ଅଧିକ ସମାନ’ ବୋଲି ଜର୍ଜ ଅରୱେଲ ନାମକ ଇଂରେଜୀ ଲେଖକ କେବେ ଠୁଁ ଚେତେଇ ଦେଇ ଯାଇଛନ୍ତି, ସେ କଥା ଭୁଲି ତମେ ନବୀନଙ୍କ ଘୋଷଣାରେ ଛିଦ୍ର ଖୋଜୁଛ! ସେ କହିଥିବା ‘ସମାନତା’ କଥାଟି ବିଜେପି ପାଇଁ ଟିକିଏ ‘ଅଧିକ ସମାନ’ ହୋଇଗଲା ଓ ସେ ବିଜେପି ପଟେ ଟିକିଏ ଝୁଙ୍କି ପଡ଼ିଲେ ବୋଲି କ’ଣ ମହାଭାରତ ଅଶୁଦ୍ଧ ହୋଇଗଲା?
ତା’ ପରେ ଚାଲନ୍ତୁ ‘ଦୂରତା’ କଥାଟାକୁ ଦେଖି ନେବା। ଆମେ ଆମ ଅଭିଜ୍ଞତାରୁ ଜାଣୁ ‘ସମାନତା’ ଭଳି ‘ଦୂରତା’ ମଧ୍ୟ ଏକ ସ୍ଥାୟୀ ବା ପକ୍କା ଅବସ୍ଥା ନୁହେଁ; ଏହା ମଧ୍ୟ ଆପେକ୍ଷିକ। ନିପଟ ମଫସଲ ଗାଁର ଲୋକଟିକୁ ନିର୍ଦ୍ଦିଷ୍ଟ ଠିକଣାଟିଏ ପଚାରନ୍ତୁ ସେ ହୁଏତ ବହୁତ ଦୂରର ବୋଲି ଇଙ୍ଗିତ ଦେବ, ଅଥଚ ସହର ବାସିନ୍ଦାଟିକୁ ପଚାରିଲେ ସେ ଅପେକ୍ଷାକୃତ ଅଧିକ ଦୂର ସ୍ଥାନଟିକୁ ‘ଏଇ ପାଖରେ’ ବୋଲି କହିବ। ହୃଦୟ ଦିଆନିଆ କ୍ଷେତ୍ରରେ ମଧ୍ୟ ‘ଦୂରତା’ ତା’ର ସମସ୍ତ ଅର୍ଥ ହରାଇ ବସେ। ପରିସ୍ଥିତିର ତାଡ଼ନାରେ ସାମୟିକ ଭାବେ ଦୂରେଇ ଯାଇଥିବା ପ୍ରେମୀମାନେ ‘ଦୂରତା ପ୍ରେମ ବଢ଼ାଏ’ ବୋଲି ଦାବି କରନ୍ତି। ପୁଣି ଆମର ପୁରାଣ କଥାଗୁଡ଼ିକରେ ଅଛି ଯଦି କାହା ଭାଗ୍ୟରେ ଭଗବାନଙ୍କ କୃପା ଲାଭ କରିବାର ଯୋଗ ଥାଏ, ତେବେ ଏ କ୍ଷେତ୍ରରେ ଦୂରତା କୌଣସି ବାଧା ପହଞ୍ଚାଇ ପାରେନାହିଁ। ଲକ୍ଷେ ଯୋଜନ ଦୂରରେ ଥାଇ ମଧ୍ୟ ଗଜ ସେହି କୃପା ଦୃଷ୍ଟି ବଳରେ ନିଜ ଜୀବନ ରକ୍ଷା କରିପାରିଥିଲା।

ଦୂରତାର ଆପେକ୍ଷିକତା ବିଷୟରେ ଏହି ପୌରାଣିକ ଓ ଭାବଜଗତର ଦୃଷ୍ଟାନ୍ତଗୁଡ଼ିକୁ ନେଇ କ’ଣ ନବୀନ ଓ ତାଙ୍କ ପରାମର୍ଶଦାତାମାନେ ‘ସମ-ଦୂରତ୍ୱ’ ନୀତିର ପରିକଳ୍ପନା କରିଥିଲେ? ଯଦି ସେମାନେ ଏଥି ପାଇଁ ଶ୍ରେଣୀ ଗୃହରେ ପଢ଼ିଥିବା ବୈଜ୍ଞାନିକ ପ୍ରମାଣମାନ ଖୋଜିଥିବେ, ତେବେ ବିଶ୍ୱବିଖ୍ୟାତ ପଦାର୍ଥ ବିଜ୍ଞାନୀ ଆଇନଷ୍ଟାଇନଙ୍କ ଦୂରତ୍ୱ ସମ୍ବନ୍ଧୀୟ ତତ୍ତ୍ୱ ମନେ ପଡ଼ିଯାଇଥିବ। ଆଇନଷ୍ଟାଇନଙ୍କ ସୂତ୍ର ଅନୁସାରେ ଦୂରତାଟା ସ୍ଥାୟୀ ନୁହେଁ; ଏହା ଆପେକ୍ଷିକ। ଦୁଇଟି ବସ୍ତୁ ମଧ୍ୟରେ ଦୂରତା ପର୍ଯ୍ୟବେକ୍ଷକ ଓ ବସ୍ତୁଟିର ଆପେକ୍ଷିକ ଗତି ଅନୁସାରେ ପରିବର୍ତ୍ତନୀୟ। ଯଦି ଏ ଦୁନିଆରେ ‘ସମାନତା’ ଓ ‘ଦୂରତା’ ଉଭୟ ଏତେ ସବୁ କାରଣରୁ ଏତେ ମାତ୍ରାରେ ପରିବର୍ତ୍ତନୀୟ, ତେବେ ନବୀନଙ୍କ ‘ସମ-ଦୂରତ୍ୱ’ ନୀତିକୁ ନିନ୍ଦୁକମାନଙ୍କର ଏମିତି ବିଦ୍ୱେଷ କାହିଁକି? ତା’ ଛଡ଼ା କୌଣସି କାରଣରୁ ‘ସମ-ଦୂରତ୍ୱ’ର ଗଦ କାମ ନ କଲେ, ନବୀନ ମହଜୁଦ ରଖିଛନ୍ତି ତାଙ୍କର ‘ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସ୍ୱାର୍ଥ’ ନାମକ ମହାଗଦ। ଥରେ ଏହି ମହତ ଉଦ୍ଦେଶ୍ୟ ସାଧନର ନାମ ନେଲେ ନବୀନଙ୍କର ସବୁ ରାଜନୈତିକ ଚାଲ ନ୍ୟାୟସଂଗତ ହୋଇ ଉଠେ। ୟା’ ପରେ ସମାଲୋଚକଙ୍କ ପାଖରେ ଆଉ କିଛି ଉତ୍ତର ନ ଥାଏ ଯେମିତି!
ମୋ: ୯୪୩୭୦୮୯୬୫୫