ନିକଟରେ ଶେଷ ହୋଇଥିବା ଏ ବର୍ଷର ଖଣ୍ଡଗିରି ଯାତ୍ରା ମହାସମରର ବିଶେଷତ୍ୱ ଥିଲା ଗୋଟିକରୁ ବଳି ଗୋଟିଏ ଦୁଃଖଭରା ନାଟକ ପ୍ରଦର୍ଶନ। ମିଡିଆ ରିପୋର୍ଟ ଅନୁସାରେ ଅଭିନେତା ଓ ଯାତ୍ରାପ୍ରେମୀଙ୍କ ଲୁହରେ କୁଆଡ଼େ ଯାତ୍ରା ସ୍ଥଳୀ ବୁଡ଼ି ଯାଉଥିଲା। ଘଟଣାଟି ଏଠି ଉପସ୍ଥାପନ କରିବାର ଉଦ୍ଦେଶ୍ୟ ଏୟା ଯେ ସେହି ଲୁହର ଧାରା ହଠାତ୍‌ ରାଜନୈତିକ ମଞ୍ଚକୁ ମଧ୍ୟ ବ୍ୟାପି ଯାଇଥିଲା। ମଣିଷ ମନର ଆବେଗଗୁଡ଼ିକ ଅନ୍ୟ ପାଖକୁ ବିନା କାରଣରେ ସଂକ୍ରମିତ ହେବାର ଦୃଷ୍ଟାନ୍ତ ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଯାତ୍ରା ମଞ୍ଚର ପ୍ରଭାବରେ କି କ’ଣ, ଓଡ଼ିଶାର ଜଣେ ମନ୍ତ୍ରୀ ଗୋଟିଏ ଜନସଭାକୁ ସମ୍ବୋଧିତ କଲା ବେଳେ ହଠାତ୍‌ କାନ୍ଦିବାକୁ ଆରମ୍ଭ କରିଦେଲେ। ତାଙ୍କର ଦଳୀୟ ନେତା ତଥା ମୁଖ୍ୟମନ୍ତ୍ରୀଙ୍କର ନେତୃତ୍ୱ, ବ୍ୟକ୍ତିତ୍ୱ ଓ ଓଡ଼ିଶାର ସାଢ଼େ ଚାରି କୋଟି ଜନତାଙ୍କ ପ୍ରତି ତାଙ୍କର ବାତ୍ସଲ୍ୟ ରସ ଇତ୍ୟାଦି ଫେଣ୍ଟାଫେଣ୍ଟି ହୋଇ ତାଙ୍କୁ ଏତେ ଆକତାମାକତା କରି ପକାଇଲା ଯେ ସେ ତାଙ୍କର ଲୁହକୁ ରୋକି ପାରିଲେ ନାହିଁ।
ରାଜନୀତି ସହ ଲୁହର ସମ୍ପର୍କ ବହୁ ପୁରୁଣା, ଯଦିଓ ଲୁହକୁ ନେଇ ରାଜନୀତିରେ ଅନେକ ଦ୍ବିଧା ଓ ସନ୍ଦେହ! ଜଣେ ରାଜାଙ୍କ ଆଖିରେ ଲୁହ ଶୋଭା ପାଏ ନାହିଁ; କାରଣ ସର୍ବସାଧାରଣ ଏହାକୁ ରାଜାଙ୍କର ଦୁର୍ବଳତା ବୋଲି ଧରି ନିଅନ୍ତି। ରାଜା ଯଦି ଦୁର୍ବଳତାର ଶିକାର ହେବେ, ତେବେ ଜନସାଧାରଣଙ୍କ ମନୋବଳର ଅବସ୍ଥା କ’ଣ ହେବ? ଏହି ଯୁକ୍ତିଟିକୁ ଅନେକ ଦେଶର ରାଜା ବା ଶାସନ ମୁଖ୍ୟମାନେ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି ଓ ଯେତେ ଦୁଃଖଦ ପରିସ୍ଥିତି ଆସିଲେ ମଧ୍ୟ ସର୍ବ ସମକ୍ଷରେ ଲୁହ ଝରାନ୍ତି ନାହିଁ।

Advertisment

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନିଜର କନିଷ୍ଠ ପୁତ୍ର ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମଧ୍ୟ ପ୍ରକାଶ୍ୟରେ ଭାଙ୍ଗି ନ ପଡ଼ି କିମ୍ବା ଟୋପେ ଲୁହ ନ ଝରାଇ ଏହି ପ୍ରଥାଟିକୁ ସମ୍ମାନ ଜଣାଇଥିଲେ। ହେଲେ, ଲୁହ ସପକ୍ଷରେ ଯୁକ୍ତିଟି ହେଲା, ଶାସକ ଜଣକ ଜନତାର ଦୁଃଖ ସହିତ ନିଜର ସହୃଦୟତା ଏହି ଲୁହ ମାଧ୍ୟମରେ ଜଣାଇ ସାଧାରଣ ବର୍ଗର ନିକଟତର ହୋଇପାରନ୍ତି। ସଫଳ ରାଜନୀତିଜ୍ଞ ମୋଦୀ ହୁଏତ ରାଜାଙ୍କ ଆଖିରେ ଲୁହର ଭଳି ଦିଗଟିକୁ ଦକ୍ଷତାର ସହ ଉପଯୋଗ କରିପାରିଛନ୍ତି। ମଞ୍ଚରେ ଠିଆ ହୋଇ ତାଙ୍କର କାନ୍ଦିବାର ଅନେକ ଦୃଷ୍ଟାନ୍ତ ରହିଛି। ଏହି ମୁଖିଆମାନଙ୍କ କଥା ଛାଡ଼ନ୍ତୁ- ଭାରତୀୟ ରାଜନୀତିରେ କନ୍ଦାକଟାର ବିଭିନ୍ନ ମଜାଳିଆ ଦୃଷ୍ଟାନ୍ତମାନ ଭରି ରହିଛି। ତାମିଲନାଡ଼ୁର ବିବାଦୀୟ ମୁଖ୍ୟମନ୍ତ୍ରୀ ସୁଶ୍ରୀ ଜୟଲଳିତା ଜେଲ୍‌ ଯିବାରୁ ଶାସନ ଭାର ସମ୍ଭାଳିଥିଲେ ପନିରସେଲେଭନ। ସେ ଓ ତାଙ୍କର ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଶପଥ ପାଠ କଲା ବେଳେ ମନ ଭରି କାନ୍ଦିଥିଲେ। ଏହି ସାମୂହିକ ରୋଦନର ଦ୍ବିତୀୟ ଭାଗ ଦେଖିବାକୁ ମିଳିଥିଲା ଜୟଲଳିତାଙ୍କ ମୃତ୍ୟୁ ପରେ, ଯେତେବେଳେ ପନିରସେଲେଭନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରିବାକୁ ପଡ଼ିଥିଲା। ଅବଶ୍ୟ, ଏହି ଲୁହ ବନ୍ୟାରେ ଭଟ୍ଟା ପଡ଼ିଥିଲା ମାତ୍ର କିଛି ଦିନ ପରେ, ଯେତେବେଳେ ବିବାଦୀୟ ପରିସ୍ଥିତି ଭିତରେ ତାଙ୍କୁ ଶାସନ କ୍ଷମତା ହରାଇବାକୁ ପଡ଼ିଥିଲା।
ରାଜନୀତିରେ ହୃଦୟ ଭାଙ୍ଗିବା ଏତେ ନିତିଦିନିଆ ଘଟଣା ଯେ ପ୍ରେମ ଜଗତ୍‌ ବି ତା’ ଆଗରେ ଫିକା ପଡ଼ିଯିବ। ପୁରୁଣା ପ୍ରତିଶ୍ରୁତିକୁ ଭୁଲିଯିବା, ପୁରୁଣା ବନ୍ଧୁତା ଛାଡ଼ି ନୂଆର ହାତ ଧରିବା, ନିଜ ହାତରେ ଗଢ଼ିଥିବା ସାମ୍ରାଜ୍ୟ ଆଖି ପିଛୁଳାକେ ହାତଛଡ଼ା ହୋଇଯିବା, ସାରା ଜୀବନ ପରିଶ୍ରମ କରି ଗଢ଼ିଥିବା ନିଜର ଛବି କେଉଁ ଏକ ଅପ୍ରତ୍ୟାଶିତ ବିଡ଼ମ୍ବନା ଯୋଗୁଁ ଧୂଳିସାତ ହୋଇଯିବା- ଏ ସବୁ ରାଜନୀତିର ପିଚ୍ଛଳ ଭୂଇଁରେ ସାଧାରଣ କଥା। ଏ ସବୁ ଘଟଣା କାଳ କାଳ ଧରି ନେତାଙ୍କର ଆଖିରୁ ଲୁହ ଝରାଇ ଆସୁଛନ୍ତି।

ଆଗରୁ ରାଜନେତାମାନଙ୍କୁ ଆହୁରି କନ୍ଦେଇବାର ଖୋରାକ ଯୋଗେଇ ଦେଉଥିଲା ଆମ ଲୋକଙ୍କର ଦାରିଦ୍ର୍ୟ; ଯାହାର ବହୁମୂଲ୍ୟ ଭୋଟଟି ମାଗିବାକୁ ନେତାମାନେ ବହୁ ପରିଶ୍ରମ କରି କେଉଁ ଅଗମ୍ୟ ସ୍ଥାନରେ ପହଞ୍ଚୁଥିଲେ, ସେଠି ତାଙ୍କୁ ଅପେକ୍ଷା କରି ରହୁଥିଲା ବୁଭୁକ୍ଷୁ ଜନତାର ଦୈନ୍ୟ। ଏଭଳି ପରିସ୍ଥିତିକୁ ପ୍ରତ୍ୟକ୍ଷ କଲାବେଳେ ଆଖିରୁ ଦି’ ଟୋପା ଲୁହ ଝରାଇବା ଥିଲା ରାଜନୈତିକ ଶିଷ୍ଟାଚାରର ଏକ ଅଭିନ୍ନ ଅଙ୍ଗ। ସେହି ଲୁହ ଝରାଇବା ଓ ତା’ ସାଙ୍ଗକୁ ଏହି ଦୁରବସ୍ଥା ପାଇଁ ବିରୋଧୀ ଦଳକୁ ଦାୟୀ କରିବା ଭିତରେ ନେତାମାନେ ତାଙ୍କର ଆଗାମୀ ପାଞ୍ଚ ବର୍ଷ ପାଇଁ ବାଟ ସଫା କରିପାରୁଥିଲେ। ହେଲେ ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି ଓ ଲୁହ ଆଉ ରାଜନେତାର ଅସ୍ତ୍ରାଗାରରେ ସବୁଠୁ ଅଧିକ ଶକ୍ତିଶାଳୀ ଅସ୍ତ୍ର ହୋଇ ରହିନାହିଁ। ପ୍ରଥମେ ତ ଦେଖନ୍ତୁ ରାଜନୀତିରେ ଆଜି ହୃଦୟ ଭାଙ୍ଗିବାର ହାର ଆଶାତୀତ ଭାବରେ କମିବାକୁ ଲାଗିଲାଣି। ରାଜନୈତିକ ପ୍ରତିଶ୍ରୁତି କିମ୍ବା ପୁରୁଣା ବନ୍ଧୁର ବନ୍ଧୁତାକୁ ଏକମାତ୍ର ଆଶ୍ରୟ ବୋଲି ଆଜିର ସାବଧାନ ନେତାମାନେ ଭାବୁ ନାହାନ୍ତି। ଆଜି ସଭିଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ମହଜୁଦ ହୋଇରହିଛି। ଶେଷରେ ଗରିବୀର ଢାଲ ମଧ୍ୟ ଧୀରେ ଧୀରେ ଅପସରି ଯିବାରେ ଲାଗିଛି। ଦେଶର ଦାରିଦ୍ର୍ୟର ହାର ଆଜି ଶତକଡ଼ା ଦୁଇରେ ପହଞ୍ଚିଲାଣି ଓ ଲୋକଙ୍କ ହାତ ପାହାନ୍ତାରେ ସବୁ ଯୋଜନା। ଲୁହ ଝରାଇ ସିନା ଗରିବକୁ ସମବେଦନା ଜଣାଇହୁଏ, ସ୍ୱଚ୍ଛଳକୁ ନୁହେଁ। ସ୍ୱଚ୍ଛଳ ବ୍ୟକ୍ତି ଏମିତି ଲୁହକୁ ସାଙ୍ଗେ ସାଙ୍ଗେ କୁମ୍ଭୀରର ନକଲି ଲୁହ ବୋଲି ଚିହ୍ନି ପକାଇବ।

ଏହି ପରିବର୍ତ୍ତନ ସତ୍ତ୍ୱେ ଓଡ଼ିଶାର ଉପରୋକ୍ତ ମନ୍ତ୍ରୀ ମଞ୍ଚରେ କାନ୍ଦିଲେ କାହିଁକି? ଛିଗୁଲିଆ ପ୍ରକୃତିର ଲୋକେ କହନ୍ତି ଅନେକ ଦିନ ଧରି ମଞ୍ଚରେ ବସିବାର ସୁଯୋଗରୁ ବଞ୍ଚିତ ହୋଇଥିବାରୁ ମନ୍ତ୍ରୀ ଓ ନେତାମାନେ ହଠାତ୍‌ ମଞ୍ଚକୁ ଫେରି କ’ଣ କରିବେ ବା କହିବେ ଠିକ୍‌ କରିପାରୁନାହାନ୍ତି। ମନ୍ତ୍ରୀ ପରେ ପରେ ଭାବବିହ୍ୱଳ ହୋଇ ତାଙ୍କ ନେତାଙ୍କ ମୃତ୍ୟୁ ପରେ ତାଙ୍କ ମୁହଁରେ ପାଣି କିଏ ଦେବ କିମ୍ବା ମୁଖାଗ୍ନି କିଏ ଦେବ ସେ ନେଇ ବି ଚିନ୍ତା ବ୍ୟକ୍ତ କରି ପକାଇଲେ। ଶିଷ୍ଟାଚାର କହେ କୌଣସି ବଞ୍ଚିଥିବା ମଣିଷର ମୃତ୍ୟୁ କଥା ମୁହଁରେ ଧରିବା ଅନୁଚିତ। ଆବେଗରେ ବହି ଯାଇ ମନ୍ତ୍ରୀ ଏହି ସାଧାରଣ କଥାଟି କ୍ଷଣିକ ପାଇଁ ପାସୋରି ଗଲେ। ସବୁ ସେଇ ଲୁହର କରାମତି!
ମୋ: ୯୪୩୭୦୮୯୬୫୫