ଚିନ୍ମୟ ହୋତା
ଆମ ଦେଶରେ ଉପର କୋର୍ଟମାନେ ତଳ କୋର୍ଟଗୁଡ଼ିକୁ ବେଳେବେଳେ ତାଗିଦା କରିବାର ନଜିର ଦେଖିବାକୁ ମିଳେ। ଅଧିକାଂଶ ସମୟରେ ଏହି ତଲବ ତାଗିଦା ତଳ କୋର୍ଟ ଦେଇଥିବା କୌଣସି ରାୟ କିମ୍ବା ଆଇନର ଭୁଲ୍ ବ୍ୟାଖ୍ୟାକୁ ନେଇ ହୋଇଥାଏ। ହେଲେ ନିକଟରେ ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଲା ଯେ ହାଇକୋର୍ଟର ବିଚାରପତିମାନେ ଅଯଥାରେ ଅଧିକ କଫି ପିଉଛନ୍ତି ବୋଲି ସୁପ୍ରିମ୍ କୋର୍ଟର ଭର୍ତ୍ସନାର ଶରବ୍ୟ ହୋଇଛନ୍ତି।
ଘଟଣାଟି ଏହିପରି। ତିନି ବର୍ଷ ତଳେ ଗୋଟିଏ ଫୌଜଦାରୀ ମାମଲାର ଶୁଣାଣି ପରେ ଝାଡ଼ଖଣ୍ଡ ହାଇକୋର୍ଟର ମାନ୍ୟବର ବିଚାରପତି, ଚାରି ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ବିଷୟରେ ତାଙ୍କର ରାୟ ସଂରକ୍ଷିତ ରଖିଥିଲେ। ଏ ଭିତରେ ତିନି ବର୍ଷ ବିତିଯାଇଥିଲେ ହେଁ କେସ୍ଟି ପାଦେ ମାତ୍ର ଆଗକୁ ବଢ଼ିଲା ନାହିଁ। ନିକଟରେ କେସ୍ଟିର ଅପିଲ ଶୁଣାଣି ପରେ ସୁପ୍ରିମ୍ କୋର୍ଟ, ହାଇକୋର୍ଟକୁ ମାମଲାଟି ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ତାଗିଦା କରିଥିଲେ। ଏହା ପରେ ହାଇକୋର୍ଟ ତିନି ଜଣ ଅଭିଯୁକ୍ତଙ୍କୁ ଖଲାସ କରିବାକୁ ଓ ଚତୁର୍ଥ ଅଭିଯୁକ୍ତଙ୍କୁ ବେଲ୍ ଦେବାର ନିଷ୍ପତ୍ତି ଶୁଣାଇଥିଲେ। ରାୟର ଏକ ସପ୍ତାହ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଖଲାସ କରା ନ ଯିବାରୁ କେସ୍ଟି ପୁଣି ସୁପ୍ରିମ୍ କୋର୍ଟକୁ ଗଲା ଓ ସେଠାକାର ବେଞ୍ଚ ସେ ଦିନର ‘ମଧ୍ୟାହ୍ନ ଭୋଜନ ବିରତି’ ସୁଦ୍ଧା ସେମାନଙ୍କୁ ଖଲାସ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଲେ।
ହେଲେ ସେତିକିରେ କଥା ସରି ନ ଥିଲା। ବୋଧହୁଏ ନିର୍ଦ୍ଦେଶରେ ‘ମଧ୍ୟାହ୍ନ ଭୋଜନ ବିରତି’ କଥା ଉଲ୍ଲେଖ କରୁ କରୁ ସର୍ବୋଚ୍ଚ କୋର୍ଟର ନ୍ୟାୟାଧୀଶମାନଙ୍କ ମନ ଭିତରେ ପଶି ଆସିଥିଲା ହାଇକୋର୍ଟର ବିଚାରପତିମାନେ ଅଭ୍ୟାସଗତ ଭାବେ ନେଉଥିବା ‘କଫି ବ୍ରେକ୍’ କଥା। କଫି ଓ ଚା’ ଇତ୍ୟାଦି ପାନୀୟ ପାଇଁ ଘନ ଘନ ନିଆଯାଉଥିବା ବିରାମଗୁଡ଼ିକ ବିଷୟରେ କୁଆଡ଼େ ସର୍ବୋଚ୍ଚ କୋର୍ଟ ଆଗରୁ ଅନେକ ଅଭିଯୋଗ ପାଇ ସାରିଥିଲେ। ତେଣୁ ସେହି ନିର୍ଦ୍ଦିଷ୍ଟ କେସ୍ଟିରେ ହୋଇଥିବା ଅବହେଳା ପାଇଁ ଏହି କଫିକୁ ‘ମାର ମାର ଭଣ୍ଡାରିଆକୁ ମାର’ ନ୍ୟାୟରେ ଦୋଷୀ ସାବ୍ୟସ୍ତ କରିଦିଆଗଲା। ସୁପ୍ରିମ୍ କୋର୍ଟର ନ୍ୟୟାଧୀଶମାନଙ୍କର ଖଣ୍ଡପୀଠ ଚା’ ଓ କଫି ବିରତିକୁ ଏତେ ଗମ୍ଭୀରତାର ସହ ଉଲ୍ଲେଖ କଲେ ଯେ, ଲାଗିଲା ଯେମିତି ଭାରତୀୟ କୋର୍ଟଗୁଡ଼ିକରେ ବିଚାର ହୋଇପାରୁ ନ ଥିବା କ୍ରମବର୍ଦ୍ଧିଷ୍ଣୁ ମାମଲାଗୁଡ଼ିକ ପାଇଁ ଏହି ନିରୀହ ଚା’ ଓ କଫି ହିଁ ଦାୟୀ।
ସୁପ୍ରିମ୍ କୋର୍ଟର ବିଚାରପତିମାନଙ୍କର ଏହି ମନ୍ତବ୍ୟ, ଚା’ ଓ କଫି ଇତ୍ୟାଦି ପାନୀୟଗୁଡ଼ିକ ବିଷୟରେ ସାଧାରଣ ଲୋକଙ୍କ ମନରେ ଥିବା ଧାରଣାର ଠିକ୍ ଓଲଟା। ଏଗୁଡ଼ିକର ପ୍ରବଳ ଲୋକପ୍ରିୟତା ପଛରେ ରହିଛି ସମସ୍ତଙ୍କର ଦୃଢ଼ ବିଶ୍ୱାସ ଯେ ପାନୀୟଗୁଡ଼ିକ ମଣିଷର କ୍ଳାନ୍ତି ଦୂର କରନ୍ତି ଓ ମନରେ ସତେଜତା ଭରି ଦିଅନ୍ତି। ଏହି କାରଣରୁ କାର୍ଯ୍ୟସ୍ଥଳୀଗୁଡ଼ିକରେ ଚା’ ଓ କଫିର ଏତେ ଆଦର। ଆମର ଅଫିସ ସବୁରେ କାମର ପରିବେଶ ଯାହା ହେଉ ନା କାହିଁକି, ଚା’, କଫିର ଧାରା ଏକ ଚିରସ୍ରୋତା ନଦୀ ଭଳି ଦିନ ସାରା ବହି ଚାଲିଥାଏ। ଅଫିସମାନଙ୍କରେ ମିଟିଂ ଆରମ୍ଭ ହୁଏ ଚା’ରୁ ଓ ଶେଷ ହୁଏ ଚା’ରେ, ଆଉ ମଝି ସମୟରେ ଅଂଶଗ୍ରହଣକାରୀମାନଙ୍କର ଜାଗ୍ରତ ଅବସ୍ଥା ନିଶ୍ଚିତ କରିବା ପାଇଁ ବେଳେ ବେଳେ ଚା’ର ବନ୍ଦୋବସ୍ତ ମଧ୍ୟ କରିଥାନ୍ତି ଆୟୋଜକମାନେ।
ଚା’, କଫିର ଲୋକପ୍ରିୟତା କେବଳ ଅଫିସ କାହିଁକି, ଚାରିଆଡ଼େ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଲାଗେ ଯେମିତି ସାରା ଦୁନିଆକୁ ଜାଗ୍ରତ ଓ ଉଦ୍ଦୀପିତ କରି ରଖିଛନ୍ତି ଏହି ପାନୀୟ ଦ୍ୱୟ। ପାନୀୟଗୁଡ଼ିକର ସ୍ତାବକ ଅନେକ ଓ ସେମାନଙ୍କର ସ୍ତୁତି ସବୁ ଅତିଶୟୋକ୍ତି ଭଳି ଲାଗିଲେ ସୁଦ୍ଧା ଶ୍ରୋତାକୁ ଆକର୍ଷିତ କରିଥାନ୍ତି। ଜଣେ ମହାମାନ୍ୟ ତ କହି ପକାଇଲେ, ‘‘ଚା’ ପାଇଁ ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ। ଚା’ ବିନା ଏ ଦୁନିଆ କ’ଣ କରିଥାଆନ୍ତା ଭଲା! ପୂର୍ବରୁ ଏହା କେମିତି ତିଷ୍ଠି ରହିଥିଲା ଯେ? ମୁଁ ଖୁବ୍ ଖୁସି, ମୋର ଜନ୍ମ ଚା’ ପୂର୍ବରୁ ହୋଇ ନାହିଁ।’’ ପୁଣି ଆଉ ଜଣେ କହିଲେ, ‘‘ମୋର ଗୋଟିଏ ଭୟ, ସୃଷ୍ଟି ଚା’ ପିଇବା ସମୟ ଆଗରୁ ଧ୍ୱଂସ ହୋଇଯିବନି ତ?’’
ଉତ୍ପାଦକତା ବଢ଼ାଇବା ପାଇଁ ଚା’, କଫିର ଅନ୍ତର୍ନିହିତ ଶକ୍ତି ଯାହା ଥାଉ ନା କାହିଁକି, ଏ କଥା କେହି ସନ୍ଦେହ କରିବେ ନାହିଁ ଯେ ପାନୀୟଗୁଡ଼ିକ ସାମାଜିକ ମିଳାମିଶା, ଖୁସିଗପ, ଗୁଲିଖଟି ଇତ୍ୟାଦିକୁ ଉଚ୍ଛ୍ୱାସରେ ଭରିଦେବା ପାଇଁ ମହୌଷଧି ଭଳି କାମ କରନ୍ତି। ସକାଳ ହେଲେ ଚା’ ଦୋକାନ ପାଖରେ ବିଭିନ୍ନ ଚଳନ୍ତି ବିଷୟକୁ ନେଇ କେତେ ତର୍କ, ବିତର୍କ, ନୂଆ ପ୍ରସ୍ତାବ, ସମାଧାନ ସବୁ ଆଲୋଚିତ ହୁଏ, ତା’ର ହିସାବ ନାହିଁ। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, ‘ଚାଏ ପେ ଚର୍ଚ୍ଚା’ ଯେତେ ପ୍ରାଣବନ୍ତ ହୁଏ ଓ ସାମାଜିକ ବନ୍ଧନ ସେତେ ସୁଦୃଢ଼ ହୁଏ ସିନା, ହେଲେ, ନିଜର ଜରୁରି ଅଥଚ ଗତାନୁଗତିକ ଦାୟିତ୍ୱଟି ସେତିକି ମାତ୍ରାରେ ଅବହେଳିତ ମଧ୍ୟ ହୁଏ। ଗୃହକର୍ତ୍ତା ବଜାର ସଉଦା ନ ଆଣି ଖାଲି ହାତରେ ଘରକୁ ଫେରନ୍ତି କିମ୍ବା ଝିଅକୁ ସ୍କୁଲ ବସ୍ ଧରେଇବାରେ ବିଳମ୍ବ କରି ଦିଅନ୍ତି। ସେମିତି ଅଫିସ କ୍ୟାଣ୍ଟିନରେ ଚର୍ଚ୍ଚା ଉଦ୍ଦୀପନାର ଚୂଡ଼ା ଛୁଇଁଥିବା ବେଳେ ତାକୁ ଅଣଦେଖା କରି କର୍ମଚାରୀମାନେ ନିଜ କାର୍ଯ୍ୟକୁ ଫେରିପାରନ୍ତି ନାହିଁ। ହନ୍ତସନ୍ତ ହୁଅନ୍ତି ଗ୍ରାହକମାନେ।
ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶମାନେ ‘କଫି ବ୍ରେକ୍’କୁ ଦୋଷୀ ଘୋଷଣା କଲାବେଳେ ନିଶ୍ଚୟ ତାଙ୍କ ମନକୁ ଏମିତି କିଛି ଚିନ୍ତା ପ୍ରଭାବିତ କରିଥିବ। ହେଲେ ସବୁ ନ୍ୟାୟ-ବିଚାର ପ୍ରମାଣଭିତ୍ତିକ ହେବା ଜରୁରି। ତେଣୁ ଉପରୋକ୍ତ ଆଦେଶରେ ନ୍ୟାୟାଧୀଶମାନେ ପ୍ରସ୍ତାବ ଦେଇଛନ୍ତି ଯେ ଚା’ କଫି ପାଇଁ ଖର୍ଚ୍ଚ କେତେ ହେଉଛି ଓ ସେଥିରୁ ଲାଭ କେତେ ମିଳୁଛି, ତାହାର ହିସାବନିକାଶ ବା ଅଡିଟ୍ ହେବା ଉଚିତ। ଏହା ଫଳରେ ଜଣାପଡ଼ିବ, କଫି ବାବଦରେ ଖର୍ଚ୍ଚ ନ୍ୟାୟାଧୀଶମାନଙ୍କର ଦକ୍ଷତା ଓ ନିପୁଣତା ବୃଦ୍ଧିରେ ସାହାଯ୍ୟ କରୁଛି ନା କଫି ବ୍ରେକ୍ଗୁଡ଼ିକ ସେମାନଙ୍କର ଉତ୍ପାଦକତା ହ୍ରାସ କରୁଛି। ଏହି ଅଡିଟ୍ ଭାରତୀୟ ନ୍ୟାୟ ବ୍ୟବସ୍ଥା ପାଇଁ ବହୁତ ଉପଯୋଗୀସିଦ୍ଧ ହେବ।
ତେବେ ଗୋଟିଏ କଥାକୁ ଭୟ: ସ୍ୱୟଂ ଏହି ଅଡିଟ୍ ପ୍ରକ୍ରିୟାଟି ତୁହାକୁତୁହା ‘କଫି ବ୍ରେକ୍’ ଦ୍ୱାରା ଆକ୍ରାନ୍ତ ହେବ ନାହିଁ ତ?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫
[ବି.ଦ୍ର.- ‘ସୁରଞ୍ଜନଙ୍କ ଡାଏରି’ ସ୍ତମ୍ଭ ଗୁରୁବାର ପ୍ରକାଶ ପାଇବ]