ଚିନ୍ମୟ ହୋତା
ଆମ ସହରଗୁଡ଼ିକର ଗଳିକନ୍ଦିରେ ଭରି ହୋଇ ରହିଥିବା ପାନ, ସିଗାରେଟ ଆଉ ଚା’ ଦୋକାନଗୁଡ଼ିକ ଯେମିତି ଗୋଟିଏ ଗୋଟିଏ ଛୋଟ ନାଟ୍ୟଶାଳା- ପ୍ରତିଦିନ ସେଠାରେ ଅଭିନୀତ ହୁଏ ବିବିଧ ଚରିତ୍ରମାନଙ୍କର କାହାଣୀ। ଦିନ ସାରା ଗ୍ରାହକ ଆସନ୍ତି, ଯାଆନ୍ତି, କିନ୍ତୁ ଦୋକାନୀ ରହନ୍ତି ସ୍ଥିର, ନିର୍ଲିପ୍ତ, ଯେମିତି ଆଧୁନିକ ଯୁଗର ଶ୍ରୀକୃଷ୍ଣ- ସେ ସବୁକିଛି ଦେଖନ୍ତି, ଜାଣନ୍ତି, କିନ୍ତୁ କିଛିରେ ବି ଜଡ଼ିତ ହୁଅନ୍ତି ନାହିଁ। ସମ୍ପୂର୍ଣ୍ଣ ସ୍ଥିତପ୍ରଜ୍ଞ ସେ। ମୁହଁର ଗମ୍ଭୀର ଭାବଟି ସକାଳରୁ ରାତି ପର୍ଯ୍ୟନ୍ତ ଅପରିବର୍ତ୍ତିତ ଥାଏ। ଆଜି ଆମେ ତାଙ୍କରି ଆଖିରେ ଦେଖିବା ତାଙ୍କର ଗରାଖମାନଙ୍କୁ।
ପାନ ଦୋକାନରେ ସବୁଦିନ ଏକା ସମୟରେ ହାଜିରା ଦେଉଥିବା ସେହି ଗରାଖଟିକୁ ଦେଖନ୍ତୁ। ଆସି ପହଞ୍ଚିଲା ବେଳେ ସେ ବହୁତ ଚଳଚଞ୍ଚଳ ଦିଶନ୍ତି ଓ ଉପସ୍ଥିତ ଅନ୍ୟ ଖରିଦଦାରମାନଙ୍କ ସହ ପ୍ରଥମେ ବେଶ ଉତ୍ସାହରେ କଥାବାର୍ତ୍ତା ଆରମ୍ଭ କରିଦିଅନ୍ତି, ହସନ୍ତି ଓ ଥଟ୍ଟା କରନ୍ତି। କିନ୍ତୁ ପାନଟିଏ ପାଟିରେ ଗୁଞ୍ଜି ଦେବା ପରେ ସବୁ କିଛି ଯେମିତି ଓଲଟପାଲଟ ହୋଇଯାଏ। ୟା ପରଠୁ ସେ ହଠାତ୍ ଯେମିତି ମୌନ ବ୍ରତ ଗ୍ରହଣ କରିପକାନ୍ତି। ପାଟିରେ ପାଟିଏ ରସ, ଆଖିରେ ଆଖିଏ ଭାବ। କେହି କିଛି ପଚାରିଲେ ସେ କେବଳ ଆଖିର ଇସାରାରେ ଉତ୍ତର ଦିଅନ୍ତି। ପାଟି ଖୋଲିଲେ ଯେ ରସ ଝରିଯିବ- ଏ ପ୍ରକାର ବିରାଟ ଆତ୍ମତ୍ୟାଗ ଦେବାକୁ ସେ ପ୍ରସ୍ତୁତ ନାହାନ୍ତି! ଦୁନିଆର ସମସ୍ତେ ତ ସେ ମହାର୍ଘ ପାନ ରସର ମାହାତ୍ମ୍ୟ ବୁଝି ପାରିବେନି, ବେଳେବେଳେ ସେମିତି କିଛି ନିର୍ବୁଦ୍ଧିଆମାନେ ଲୋକଟିକୁ ଉତ୍ତର ପାଇଁ ହଟ କରନ୍ତି, ସେମାନେ ବୁଝନ୍ତିନି ତାଙ୍କର ଏଇ ‘ବଚନେ ଦରିଦ୍ରତା’ର ଅସଲି କାରଣ। ବିବଶତାର ନାନା ଅଙ୍ଗଭଙ୍ଗୀ କରି, ହୁଁ ହାଁ, ଗୁଁ ଗାଁ ଚିତ୍କାର ମାଧ୍ୟମରେ ପ୍ରଶ୍ନକର୍ତ୍ତାକୁ ସନ୍ତୁଷ୍ଟ କରିବାରେ ବିଫଳ ହେଲେ ସେଠାରେ ଉପସ୍ଥିତ ଥିବା ସମଭାବାପନ୍ନ ଓ ସହାନଭୂତିଶୀଳ ବନ୍ଧୁମାନେ ସାହାଯ୍ୟର ହାତ ବଢ଼ାନ୍ତି ଓ ଅବୁଝା ପ୍ରଶ୍ନକର୍ତ୍ତାର ଉତ୍ତର ଦିଅନ୍ତି। ଅସଲ ବନ୍ଧୁତା ଆଉ କ’ଣ ପାଇଁ? ଏହି ନିତିଦିନିଆ ଗରାଖମାନେ ଦୋକାନ ସାମନାରେ ପାନ ଚୋବାଇ ଚୋବାଇ ଏମିତି ଏକାଗ୍ରତାର ସହ ରସ ଆସ୍ୱାଦନରେ ବ୍ୟସ୍ତ ରହନ୍ତି, ସତେ ଯେମିତି କେବଳ ସେଇମାନେ ହିଁ ଏହି ସହରର ପାନ-ସଂସ୍କୃତିର ତତ୍ତ୍ୱାବଧାରକ।
ସିଗାରେଟ କିଣି ସାରି ଜଣେ ଟିଣ କାନ୍ଥରେ ଓହଳିଥିବା ନଡ଼ିଆ କତାର ଦଉଡ଼ିରୁ ସିଗାରେଟରେ ଅଗ୍ନି ସଂଯୋଗ କରନ୍ତି। ପ୍ରଥମ ଧୂଆଁର କୁଣ୍ଡଳୀଟି ଆକାଶକୁ ଛାଡ଼ି ଦେଇ ସେ ଏମିତି ଆତ୍ମ ସନ୍ତୋଷର ଭାବ ଦେଖାନ୍ତି, ସତେ ଯେମିତି ତାଙ୍କ ଜୀବନର ସବୁଠୁ ବଡ଼ ବିପଦଟିକୁ ସେ ସଦ୍ୟ ଟାଳି ଦେଇ ଆସିଛନ୍ତି। ସେ ହଠାତ୍ ଜଣେ ଦାର୍ଶନିକ ହୋଇ ଉଠନ୍ତି। ଆଖିରେ ଏକ ପ୍ରକାର ‘‘ଏବେ ସବୁ ବୁଝିଗଲି’’ର ଭାବ। କେହି ଜଣେ ପଚାରିଲେ ସେ କୁହନ୍ତି, ‘‘ଜୀବନଟା ଏକ ଧୂଆଁର ଫୁଆରା।’’ କେହି କେହି ପୁଣି ସେମାନଙ୍କ ସିଗାରେଟର ବ୍ରାଣ୍ଡ ନେଇ ଏମିତି ଆଲୋଚନା କରନ୍ତି, ଯେମିତି ସେମାନେ କୌଣସି ଆନ୍ତର୍ଜାତିକ ସମ୍ମିଳନୀରେ ବକ୍ତୃତା ଦେଉଛନ୍ତି। ଆଉ କେହି ସୁଦୂର ଅତୀତର ବ୍ରାଣ୍ଡଗୁଡ଼ିକର ଅଭୁଲା ସ୍ୱାଦକୁ ଝୁରି ହୁଅନ୍ତି।
ଚା’ ଦୋକାନ ହେଲା ସହରର ଅଣ-ସ୍ୱୀକୃତ ସଂସଦ। ଏକ ଗ୍ଲାସ ଚା’ ହାତରେ ନେଇ ଗ୍ରାହକ ଜଣକ ଖୋଜନ୍ତି ସାଥୀ- ଯାହା ସହିତ ସେ ଆଲୋଚନା କରିପାରିବେ ‘‘ଭାରତର ଅର୍ଥନୀତି କାହିଁକି ଚା’ର ଦାମରେ ପ୍ରତିଫଳିତ ହୁଏ’’ କିମ୍ବା ‘‘ରୋହିତ ଆଉ ବିରାଟଙ୍କୁ ଆଉ ଥରେ ଖେଳାଇବା କ’ଣ ଯଥାର୍ଥ?’’ କେହି ଜଣେ କୁହନ୍ତି, ‘‘ସେମାନଙ୍କ ସମୟ ସରିଗଲା, ନୂଆମାନଙ୍କୁ ସୁଯୋଗ ଦେବା ଉଚିତ।’’ ଆଉ ଜଣେ ଚା’ରେ କୋମଳ ଚୁମ୍ବନ ଦେଇ ମତ ଦିଅନ୍ତି, ‘‘ଅଭିଜ୍ଞତା ବୋଲି କିଛି ଗୋଟେ ଅଛି, ଭାଇ।’’ ଏହି ଆଲୋଚନା ଏମିତି ଚାଲେ, ଯେମିତି ସମସ୍ତେ ଅନ୍ତତଃ ଥରେ ଜାତୀୟ ଦଳର ଚୟନକର୍ତ୍ତା ଥିଲେ। ପାଖରେ ଜଣେ ଯଦି ଚୁପଚାପ ବସିଥାଆନ୍ତି, ତା’ ହେଲେ ତାଙ୍କୁ ଜୋର କରି ଆଲୋଚନାକୁ ଟାଣି ଅଣାଯାଏ। ଚା’ ପିଆ ସରିଲେ ବି ଆଲୋଚନା ସରେ ନାହିଁ- ଦ୍ୱିତୀୟ ଚା’ଟିର ଅର୍ଡର ଦିଆଯାଏ। କିନ୍ତୁ ହଠାତ୍ ଘରଣୀଙ୍କ ଠାରୁ ଫୋନ ଆସିଲେ, ଅନିଚ୍ଛା ସତ୍ତ୍ୱେ ଚର୍ଚ୍ଚା ଛାଡ଼ି ନିର୍ଦ୍ଦେଶିତ କାମଟି ପାଇଁ ବାହାରି ପଡ଼ନ୍ତି।
ଏହି ସବୁ ତର୍କ-ବିତର୍କ, ଆବେଗ ଆଉ ବିଶ୍ଳେଷଣ ଭିତରେ ମଧ୍ୟ ଚା’ ଦୋକାନୀ ସମ୍ପୂର୍ଣ୍ଣ ନିର୍ଲିପ୍ତ। ତାଙ୍କ ଆଖି କେବଳ ସସ୍ପ୍ୟାନରେ, ଯେମିତି ଚା’ ଉତୁରି ନ ପଡ଼େ। ପ୍ରତିଟି ଗ୍ରାହକ ମନେ କରନ୍ତି, ‘‘ଦୋକାନୀଟି ମୋର ଟିକେ ଅଧିକ ଖିଆଲ ରଖେ। ମୁଁ ତ ତା’ର ପୁରୁଣା ଗ୍ରାହକ।’’ କେହି କୁହନ୍ତି, ‘‘ରଘୁ ମୋ ଚା’ରେ ଟିକେ ଅଧିକ ଅଦା ଦିଏ।’’ କିନ୍ତୁ ରଘୁ ମୁହଁରେ ପାତର ଅନ୍ତରର କୌଣସି ଚିହ୍ନ ନାହିଁ- ସମସ୍ତେ ତା’ ପାଇଁ ସମାନ, ସବୁ ଚା’ ସମାନ।
ଏବେ ମଦ୍ୟ ଜାତୀୟ ପାନୀୟ ଦୋକାନ ଆଡ଼େ ଟିକେ ନଜର ପକାଇବା। ଠିପି ବନ୍ଦ ଦୋକାନରେ ଲାଜୁଆ ଗ୍ରାହକମାନେ ଦୋକାନ ସାମନାରେ କେତେଥର ଚକ୍କର କାଟନ୍ତି। ତା’ ପରେ ହଠାତ୍ ଦୋକାନରେ ଏମିତି ଭାବରେ ପଶି ଯାଆନ୍ତି, ଯେମିତି ଯେମିତି କେହି ନ ଦେଖନ୍ତୁ। ଦୋକାନୀ ପଚାରିଲେ ସେମାନେ ଫୁସ୍ଫୁସ୍ କରି କୁହନ୍ତି, ‘‘ସେଇ… ଛୋଟ ବୋତଲଟା…।’’ କେହି କେହି ଅନ୍ୟ ଗ୍ରାହକ ପଛରେ ଲୁଚି ରହି କିଣିବା କାମଟା ସାରି ଦିଅନ୍ତି। ଥରେ ଜଣେ ଭଦ୍ରଲୋକ ଦୋକାନରେ ପଶି କହିଲେ, ‘‘ଏଇଟା ମୋର ବନ୍ଧୁଙ୍କ ପାଇଁ ନେଉଛି। ମୁଁ ତ ପିଏ ନାହିଁ।’’ ଦୋକାନୀ ହସି କହିଲେ, ‘‘ଆପଣଙ୍କ ବନ୍ଧୁମାନେ ବହୁତ ଭାଗ୍ୟବାନ।’’ ହେଲେ ଆଜିର ସମୟରେ ଏମିତି ଲାଜୁଆ ଗ୍ରାହକମାନେ ଏକ ବିପନ୍ନ ପ୍ରଜାତିରେ ପରିଣତ ହେଲେଣି।
ପାନ, ଚା’ ଓ ସିଗାରେଟ ଦୋକାନଗୁଡ଼ିକର ଆଉ ଏକ ମଜାଦାର ଦିଗ ହେଲା, ଏଠାରେ ସମୟର କୌଣସି ବାଛ ବିଚାର ନାହିଁ। କେହି ଅଫିସ ଯିବା ବାଟରେ ଠିଆ ହୋଇପଡ଼ନ୍ତି, କେହି ଅଫିସରୁ ଫେରି କ୍ଳାନ୍ତ ଶରୀରରେ ଟିକେ ଶାନ୍ତି ଖୋଜିବାକୁ ଆସନ୍ତି। କେହି ପୁଣି କେବଳ ଗପ କରିବା ପାଇଁ ହିଁ ଆସନ୍ତି- ଚା’ ପିଇବାଟା ଯେମିତି ଗୋଟେ ବାହାନା।
ଏହି ସବୁ ଦୋକାନଗୁଡ଼ିକ କେବଳ ଚା’, ପାନ ଓ ପାନୀୟ ବିକ୍ରି କରନ୍ତି ନାହିଁ- ଏଇଠି ଝଲସି ଉଠେ ସହରର ଆତ୍ମା, ନିବିଡ଼ ହୁଏ ମଣିଷ ମଣିଷର ସମ୍ପର୍କ, ଆଉ ମିଳିଯାଏ ଟିକିଏ ହସର ଖୋରାକ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/dgjgjgjdcnnbbn-2025-10-28-00-39-39.jpg)