ଚିନ୍ମୟ ହୋତା 

Advertisment

ରାଜ୍ୟର ମୁଖ୍ୟମନ୍ତ୍ରୀ, ଉନ୍ନୟନ ଅଧିକାରୀମାନଙ୍କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରୁଥିବା ବେଳେ ସେମାନେ କୁଆଡ଼େ କମ୍ପ୍ୟୁଟର ବନ୍ଦ କରି ଦେଉଛନ୍ତି ଓ ଲୋକଙ୍କୁ ସେଠାରୁ ଚାଲିଯିବାକୁ କହୁଛନ୍ତି। ଅଭିଯୋଗଟି କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ। ଏହା ଶାସନ କଳର ଓ ବିଶେଷ କରି ଅମଲାତନ୍ତ୍ରର ଅପାରଗତାର ଏକ ସୂଚନା। ତେଣୁ ଘଟଣାଟିର ତାତ୍ପର୍ଯ୍ୟ ଅନୁଭବ କରି ସେଦିନ  ଉଚ୍ଚା‌ଧିକାରୀଙ୍କ ମହଲରେ କ’ଣ ସବୁ ହୋଇଥିବ, ତାହା ସିନେମା ଭଳି ଆମ ମନ ଆଇନାରେ ଦିଶିଗଲା। ତାହା ଏହିଭଳି-
ଏହା ପରେ କିଛି ଉଚ୍ଚାଧିକାରୀଙ୍କ ଏକ ପ୍ରତିନିଧି ଦଳ ଗୋଟିଏ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଗଲେ। ସେମାନେ ତାଙ୍କ ଅଧୀନସ୍ଥ କର୍ମଚାରୀମାନଙ୍କର ଏହି ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ପ୍ରାର୍ଥନା କଲେ ଓ ତା’ ସାଙ୍ଗେସାଙ୍ଗେ ଏହାର ଆଶୁ ସମାଧାନ କରିବେ ବୋଲି ତାଙ୍କୁ ଆଶ୍ୱାସନା ଦେଲେ।
‘‘କେମିତି?’’ ମୁଖ୍ୟମନ୍ତ୍ରୀ ଗୋଟିଏ ଶବ୍ଦରେ ପଚାରିଲେ।
‘‘ଏ ବିଷୟରେ ଆମେ କ’ଣ ଚୁପ ହୋଇ ବସିଛୁ ସାର? ସବୁ ସଚିବମାନଙ୍କୁ ଏ ବିଷୟରେ ମାନସମନ୍ଥନ କରିବା ପାଇଁ କୁହା ଯାଇଥିଲା। ଏବେ ସମସ୍ତେ ତାଙ୍କର ପ୍ରସ୍ତାବମାନ ସହ ପ୍ରସ୍ତୁତ। ଆପଣ ସେଗୁଡ଼ିକୁ ସମୀକ୍ଷା କରିବାକୁ ସମ୍ମତି ଦେଲେ କାଲି ମିଟିଂ ଡକାଯିବ,’’ କହିଲେ ଉଚ୍ଚାଧିକାରୀ।
‘‘ଓଃ, ପୁଣି ସେଇ ପ୍ରସ୍ତାବ, ସେଇ ମାନସମନ୍ଥନ ଆଉ ସେଇ ସମୀକ୍ଷା!’’ ମୁଖ୍ୟମନ୍ତ୍ରୀ ମନେ ମନେ ଭାବିଲେ। କହିଲେ ‘‘ହଉ, ମିଟିଂର ଆୟୋଜନ କରନ୍ତୁ।’’
ମିଟିଂ ବସିଲା ଓ ସଚିବମାନଙ୍କୁ ନିଜ ନିଜ ପ୍ରସ୍ତାବଗୁଡ଼ିକ ପେସ କରିବାକୁ ମୁଖ୍ୟମନ୍ତ୍ରୀ ଇଙ୍ଗିତ ଦେଲେ। ପ୍ରଥମେ ପ୍ରସ୍ତାବ ରଖିଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ। ସେ ଆରମ୍ଭ କଲେ, ‘‘ଆଜିର ବିଜ୍ଞାନ ଯେଉଁ ସ୍ତରରେ ପହଞ୍ଚିଲାଣି, ଆମକୁ ବିଚଳିତ କରୁଥିବା ସମସ୍ୟାଟିର ସମାଧାନ ଆଖି ପିଛୁଳାକେ ହୋଇଯିବ। ଏଥିପାଇଁ ଆମେ କୃତ୍ରିମ ବୁଦ୍ଧିମତ୍ତା ବା ଏ.ଆଇ.ର ଗୋଟିଏ କ୍ଷୁଦ୍ର ଯନ୍ତ୍ର ସବୁ ଉନ୍ନୟନ ଅଧିକାରୀଙ୍କ କମ୍ପ୍ୟୁଟରରେ ଲଗାଇ ଦେବୁ, ଯାହା ସେମାନଙ୍କ ଗତବିଧିକୁ ପ୍ରତି ମୁହୂର୍ତ୍ତରେ ଲକ୍ଷ୍ୟ ରଖିଥିବ। କୁଆଡ଼େ ଉଠି ଚାଲିଯିବା ତ ଦୂରର କଥା, ଯଦି ଭାଷଣ ବେଳେ ସେମାନେ ଢୁଳାଇ ପଡ଼ନ୍ତି, ତେବେ ଯନ୍ତ୍ରଟି ସେ କଥା ଜାଣି ପାରିବ ଓ କମ୍ପ୍ୟୁଟର ପରଦାରେ ଗୋଟିଏ ସତର୍କ ବାଣୀ ଦେଖାଯିବ, ‘ସାବଧାନ! ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଦେଖୁଛନ୍ତି!’ ଏହା ଜାଣିବା ପରେ ସମସ୍ତେ ଧ୍ୟାନ ଦେଇ ଭାଷଣ ଶୁଣିବେ। ଦୁଃଖର କଥା, ଆମର ଏଇ ପୁରୁଣା କାଳିଆ ସିଷ୍ଟମର ଲୋକମାନେ ଫାଇଦା ଉଠାଉଛନ୍ତି। ଅଧିକାରୀମାନେ କେତେ ମନଯୋଗର ସହ ଭାଷଣ ଶୁଣୁଛନ୍ତି ତା’ର ବିଭିନ୍ନ ବିଶ୍ଳେଷଣାତ୍ମକ ରିପୋର୍ଟ ଆମେ ଏହି ନୂଆ ପଦ୍ଧତିରେ ଇଚ୍ଛାମତେ ପାଇପାରିବୁ। ରିପୋର୍ଟ ଅନୁସାରେ ଶୃଙ୍ଖଳା ଭାଙ୍ଗୁଥିବା ଅଧିକାରୀମାନଙ୍କୁ ଚିହ୍ନଟ କରିପାରିବୁ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ କରି ପାରିବୁ, ଯେମିତିକି ନିଲମ୍ବନ କିମ୍ବା ଦୁର୍ଗମ ଇଲାକାକୁ ବଦଳି।’’
ସେ ତାଙ୍କ ବକ୍ତବ୍ୟ ଶେଷ କରିଛନ୍ତି କି ନାହିଁ, ଅପର ପାର୍ଶ୍ୱରେ ବସିଥିବା ଜଣେ ବରିଷ୍ଠ ଅଧିକାରୀ ପ୍ରତିବାଦ କରି କହିଲେ, ‘‘କର୍ମଚାରୀମାନଙ୍କ ମନରେ ଏମିତି ଭୟ ସୃଷ୍ଟି କଲେ ତାହା ଲକ୍ଷ୍ୟ ସାଧନକୁ ବିଫଳ କରିବ।’’ ସେ ହେଲେ ମାନବ ସମ୍ବଳ ବିଭାଗର ସଚିବ ଓ ପ୍ରଯୁକ୍ତି ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ। ତାଙ୍କ ସମୟରେ ଆରମ୍ଭ ହୋଇଥିବା ଆଭାସୀ ମାଧ୍ୟମଟିକୁ ‘ପୁରୁଣା କାଳିଆ’ କହିଥିବାରୁ ସେ ପୂର୍ବତନ ବକ୍ତାଙ୍କ ଉପରେ ଖପ୍ପା ହୋଇ ପ୍ରତିଶୋଧ ନେବାର ସୁଯୋଗ ଖୋଜୁଥିଲେ। ସେ କହିଲେ, ‘‘ଆଜିର ଯୁଗରେ କର୍ମଚାରୀମାନଙ୍କୁ କେବଳ ଆତ୍ମସନ୍ତୋଷ ମାଧ୍ୟମରେ ପ୍ରଭାବିତ କରିହେବ। ତେଣୁ ସେମାନଙ୍କର ବାର୍ତ୍ତା ଶୁଣିବାକୁ ଆମେ ଯେମିତି ଟ୍ରାକିଙ୍ଗ କରୁ ପଛକେ, ବିଶୃଙ୍ଖଳମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ଶୃଙ୍ଖଳିତମାନଙ୍କୁ ପ୍ରୋତ୍ସାହନ ଦେବା ଅଧିକ ଫଳପ୍ରଦ ହେବ। ଏଇ ଯେମିତି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଅଧିକ ଧ୍ୟାନ ଦେଇ ଶୁଣୁଥିବା ଅଧିକାରୀଙ୍କୁ ତାଙ୍କ ପସନ୍ଦର ସ୍ଥାନକୁ ବଦଳି କରିବା, ଦେଶବିଦେଶକୁ ଟ୍ରେନିଂରେ ପଠାଇବା, ତାଙ୍କ ଚରିତ୍ର ପଞ୍ଜିକାରେ ତାଙ୍କର ଭଲ ଆଚରଣ କଥା ଉଲ୍ଲେଖ କରିବା, ସର୍ବାଧିକ ନମ୍ବର ରଖିଥିବା ଅଧିକାରୀମାନଙ୍କୁ ‘ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ନୈଶ ଭୋଜି (ସସ୍ତ୍ରୀକ)’ ଭଳି ଆକର୍ଷଣୀୟ ପୁରସ୍କାରର ବ୍ୟବସ୍ଥା ଇତ୍ୟାଦି। ଏହା ଦ୍ୱାରା ସମସ୍ତଙ୍କ ଠାରେ ପ୍ରତିଯୋଗିତାର ମନୋଭାବ ବି ସୃଷ୍ଟି ହେବ।’’
‘‘ଏସବୁ ବ୍ୟବସ୍ଥା ଅଧିକାରୀମାନେ କମ୍ପ୍ୟୁଟର ସାମନାରେ ବସି ରହିବା କଥାଟିକୁ ସୁନିଶ୍ଚିତ କରିପାରେ,’’ ସଂସ୍କୃତି ବିଭାଗର ସଚିବ ତାଙ୍କ ବକ୍ତବ୍ୟ ଆରମ୍ଭ କଲେ, ‘‘କିନ୍ତୁ ସେମାନେ ଶାରୀରିକ ଭାବରେ ଉପସ୍ଥିତ ଥାଇ ମଧ୍ୟ ତାଙ୍କର ମନର ସୁଇଚ ବନ୍ଦ କରିଦେଇ ପାରନ୍ତି। ସେମାନେ ଭାଷଣଟି ବୁଝିଲେ ନା ନାହିଁ ସେ କଥା ଜାଣିବା କେମିତି? ଏଥି ପାଇଁ ମୋର ପ୍ରସ୍ତାବଟି ହେଲା ଭାଷଣ ବେଳେ ତିନି ଥର ବ୍ରେକ ନିଆଯିବ ଓ ସେଥିରେ ଆଲୋଚିତ ବିଷୟ ଉପରେ କୁଇଜ୍‌ କରାଯିବ। ଏଥିରେ ଅଧିକାରୀମାନେ ଭାଷଣକୁ କେତେ ଗଭୀର ଭାବରେ ବୁଝିଛନ୍ତି ତା’ର ବିଚାର କରାଯିବ।’’
ସଦ୍ୟ ବିଦେଶରୁ ମ୍ୟାନେଜମେଣ୍ଟ ଟ୍ରେନିଂ ନେଇ ଫେରିଥିବା ଜଣେ ସଚିବ ଉଠିପଡ଼ି କହିଲେ, ‘‘ଶ୍ରୋତାମାନଙ୍କର ଭାଷଣ ପ୍ରତି ଆଗ୍ରହ ଓ କୌତୂହଳ ବଢ଼ାଇବା ପାଇଁ ମନମତାଣିଆ ନାମ ଓ ଶୀର୍ଷକର ବହୁଳ ପ୍ରୟୋଗ କରାଯିବା ଉଚିତ। ଆମେ ଏହାର ପ୍ରମାଣ ପାଇ ସାରିଛୁ, ମୋଦୀଙ୍କର ‘ମନ କି ବାତ’, ’ଚାଇ ପେ ଚର୍ଚ୍ଚା’, ‘ଅଚ୍ଛେ ଦିନ’ ଇତ୍ୟାଦି ଶୀର୍ଷକର ଅଭୂତପୂର୍ବ ସାଫଲ୍ୟରୁ। ଆମ ଏଠି ମଧ୍ୟ ପୂର୍ବ ସରକାର ‘ଫାଇଭ-ଟି’ ନାଁଟିର ଏତେ ଦିନ ଲାଭ ଉଠାଇଲେ। ସେହି କ୍ରମରେ ଆମେ ମୁଖ୍ୟମନ୍ତ୍ରୀଙ୍କ ଭାଷଣର ରୋଚକ ନାଁଟି ଦେବୁ: ‘ମୁଖ୍ୟମନ୍ତ୍ରୀଙ୍କ ମାସିକ ମାନସ ମନ୍ଥନ’ ବା ‘ଫାଇଭ-ଏମ’। ଆଗକୁ ପୁଣି ଆମେ ବ୍ୟବହାର କରିବୁ ‘ବକ୍ତବ୍ୟ ଏକ: ଲକ୍ଷ୍ୟ ଅନେକ’, ‘କଥା ଦେଲି ମୁଁ: କଥା ରଖିଲା ପ୍ରଶାସନ’ ଇତ୍ୟାଦି ସ୍ଲୋଗାନର। ଏସବୁ ଶ୍ରୋତା ଅଧିକାରୀଙ୍କ ମନରେ ନୂଆ ଆଗ୍ରହ ଓ ଉଦ୍ଦୀପନା ସୃଷ୍ଟି କରିବ।
ଏସବୁ ନାମ ଶୁଣିବା ପରେ ସଭାରେ ହାସ୍ୟରୋଳ ଖେଳିଗଲା। ଏବେ ଶୁଭିଲା ମୁଖ୍ୟମନ୍ତ୍ରୀଙ୍କ ଗମ୍ଭୀର ସ୍ୱର, ‘‘ବାସ, ଆଜି ପାଇଁ ବହୁତ ହେଲା। ଆପଣମାନଙ୍କର ପ୍ରସ୍ତାବଗୁଡ଼ିକ ଘୋଡ଼ାକୁ ପାଣି ପାଖକୁ ନେଇ ଯିବ; ହେଲେ ଘୋଡ଼ାକୁ ପାଣି ପିଆଇବେ କେମିତି? ନୂଆ ବିଜ୍ଞାନ କୌଶଳ ପ୍ରୟୋଗ କରି, ପ୍ରଲୋଭନ ଓ ଭୟ ଦେଖାଇ ଆମେ ସେମାନଙ୍କୁ ଭାଷଣଟି ଶୁଣାଇ ଦେଇ ପାରୁ, କିନ୍ତୁ ଯୋଜନାର ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ସେମାନେ ହୃଦୟଙ୍ଗମ କରିବେ ତ? ଏଥି ପାଇଁ ଦରକାର ଆହୁରି ‘ମାନସ ମନ୍ଥନ’। ଆଜିର ସଭା ସାଙ୍ଗ ହେଲା।’’
(ମତାମତ ଲେଖକଙ୍କ ନିଜସ୍ବ) 
ମୋ: ୯୪୩୭୦୮୯୬୫୫