‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କେତେକ ପ୍ରସଙ୍ଗକୁ ଉଠାଇବା ପରେ ବର୍ତ୍ତମାନ ଓଡ଼ିଶା ରାଜନୀତି ଭୀଷଣ ସରଗରମ ହୋଇ ଉଠିଛି। ଗତ କିଛି ବର୍ଷ ଧରି ଓଡ଼ିଶା ରାଜନୀତି ଏତେ ଚିରାଚରିତ ଓ କଂପନଶୂନ୍ୟ ହୋଇ ଉଠିଥିଲା ଯେ ସେହି ଥଣ୍ଡା ବାତାବରଣରୁ ଏହାକୁ ମୁକୁଳାଇବା ନିତାନ୍ତ ଜରୁରୀ ଥିଲା। ହେଲେ ଆଜିର ରାଜନୈତିକ ବାତାବରଣର ଉଷ୍ଣତା ମାପିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ନୁହେଁ। ବରଂ ଆମର ନଜର ଏହି ରାଜନୈତିକ ହଇଚଇ ଭିତରେ ସ୍ପଷ୍ଟ ବାରିହୋଇ ପଡୁଥିବା କିଛି ସୁନ୍ଦର ଉଚ୍ଚାରଣ ଉପରେ। ଆଜିର ରାଜନୀତିଜ୍ଞ ଓ ଉଚ୍ଚ କର୍ତ୍ତୃପକ୍ଷମାନେ ଓଡ଼ିଆ ଭାଷା ପ୍ରତି ଉଦାସୀନତା ଓ ବିମୁଖତା ପ୍ରଦର୍ଶନ କରୁଥିବା ବେଳେ ଅନେକ ନେତା ସେମାନଙ୍କର ଭାବ ଓ ବକ୍ତବ୍ୟକୁ ସରସ ସୁନ୍ଦର କରିବା ପାଇଁ ଢଗ ଢମାଳି ଓ ପ୍ରବାଦଗୁଡ଼ିକର ବହୁଳ ପ୍ରୟୋଗ କରୁଥିବା ଦେଖାଯାଉଛି।
ସୌମ୍ୟ ବାବୁଙ୍କ ପ୍ରତି ତାଙ୍କ ଦଳର ଅସହିଷ୍ଣୁତା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଲେ, ‘ସାହୁ କହିଛି, ପାକଲା ଧାନରେ ମଇ ଦେଉଛି।’ ଏଠାରେ ସାହୁ କିଏ ଓ ମଇ ଦେଉଥିବା ଅସହାୟ ବ୍ୟକ୍ତିଟି କିଏ, ସେ କଥା କାହାକୁ ବା ଅଜଣା? ହେଲେ, ଏଇ ଢଗଟିରୁ ସ୍ପଷ୍ଟ ହେଉଛି ଆଜିର ଶାସନର ବିକଳାଙ୍ଗ ରୂପ। ଆଉ ପୁଣି ଜଣେ ବିଜେପି ନେତା ଶାସକ ଦଳର ଅଧୋଗତି ଆରମ୍ଭ ହେଲାଣି ବୋଲି ସୂଚାଇ ଦେଇ କହିଲେ, ‘ଖସିଗଲା ଗୋଡ଼ ତଳକୁ ତଳକୁ।’ ତେଣେ ପୁଣି କଂଗ୍ରେସ ନେତା ନରସିଂହ ମିଶ୍ର ଲୋକକଥାରୁ ରାଜାଙ୍କ କୋଳି ଖାଇବା ଉପାଖ୍ୟାନଟି ଉଦ୍ଧାର କରି ଉଚ୍ଚ ଆସନ ଅଧିକାରୀଙ୍କ ସନ୍ଦେହୀ ମନର ସୂଚନା ଦେଇଛନ୍ତି। ବିରୋଧୀ ନେତାଙ୍କର ଏଭଳି ବକ୍ତବ୍ୟ ସାମନାରେ ଶାସକ ଦଳ ସଦସ୍ୟଙ୍କ ‘ବ୍ଲାକମେଲ’ ଭଳି ଏକ ଇଂରେଜୀ ଶବ୍ଦର ବାରମ୍ବାର ବ୍ୟବହାର ସୂଚେଇ ଦେଇଛି ଯେ ଏହି ଢଗ ଢମାଳି ଯୁଦ୍ଧ ପାଇଁ ସେମାନେ ସମ୍ପୂର୍ଣ୍ଣ ଅପ୍ରସ୍ତୁତ। କ୍ଷମତା ରାଜନୀତିରେ ପଛରେ ରହିଲେ କ’ଣ ହେବ, ଶବ୍ଦ ରାଜନୀତିରେ ବିରୋଧୀ ବାଲାଏ ସରକାରୀ ଦଳର ବାଜିମାତ କରିଛନ୍ତି।
ଭାରତୀୟ ରାଜନୀତିରେ ଢଗ ଢମାଳିର ପ୍ରୟୋଗ ଅନେକ ପୁରୁଣା। ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀମାନେ ଏମିତି କିଛି କାଳଜୟୀ କଥା କରିଥିଲେ, ଯେଉଁଗୁଡିକ କାଳକ୍ରମେ ଆପ୍ତବାକ୍ୟରେ ପରିଣତ ହୋଇଥିଲେ; ଯେମିତି କି ଗାନ୍ଧୀଜୀଙ୍କର ‘କର ବା ମର’ ଓ ‘ଭାରତ ଛାଡ଼’ କିମ୍ବା ସୁଭାଷ ବୋଷଙ୍କର ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ଇତ୍ୟାଦି। ସ୍ୱାଧୀନତା ପରର ପଙ୍କିଳ ରାଜନୀତି ଭିତରୁ ସୃଷ୍ଟି ହେଲା ‘ଆୟା ରାମ ଗୟା ରାମ’ ଭଳି ବ୍ୟଙ୍ଗୋକ୍ତି ମାନ। ଅଭ୍ୟାସଗତ ଦଳ-ବଦଳକାରୀମାନଙ୍କ ପାଇଁ ବ୍ୟବହୃତ ଏହି ଖଣ୍ଡ ବାକ୍ୟର ଉତ୍ସ ଯେ ଗୟା ରାମ ନାମକ ଜଣେ ରାଜନେତା; ଏ କଥା ହୁଏତ ଅନେକେ ଜାଣି ନ ଥିବେ। ହରିଆଣାର ଏହି ବିଧାନସଭା ସଦସ୍ୟ ଜଣକ ମାତ୍ର ପନ୍ଦର ଦିନରେ ତିନି ଥର ଦଳ ବଦଳ କରି ଏହି ବାକ୍ୟଟି ଜନ୍ମ ହେବା ପଛର କାରଣ ହୋଇ ରାଜନୀତିର ଇତିହାସରେ ଅମରତ୍ୱ ଲାଭ କରିଛନ୍ତି।
କ୍ରମେ ରାଜନୀତି ଯେତେ ବିବାଦାସ୍ପଦ ହୋଇଉଠିଲା, ନେତାମାନଙ୍କର ଉଚ୍ଚାରଣ ମଧ୍ୟ ସେତିକି ଶାଣିତ ହେବାକୁ ଲାଗିଲା। ନିଜର ଶାଳୀନ ଓ ବିନମ୍ର ଛବି ପାଇଁ ପରିଚିତ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଥରେ ଅପ୍ରତ୍ୟାଶିତ ଭାବରେ ବିରୋଧୀ ଦଳମାନଙ୍କୁ ଗର୍ଜନ କରି କହି ଉଠିଥିଲେ, ‘ନାନୀ ୟାଦ ଦିଲା ଦେଙ୍ଗେ’; ଅର୍ଥାତ୍ ‘ତୁମକୁ ତୁମର ଗୋସ ମା’ଙ୍କୁ ମନେ ପକେଇଦେବି।’ ତେବେ, ଅନେକ ରୂଢ଼ି ପ୍ରୟୋଗ କରି ତାଙ୍କର କଥାକୁ ରୋଚକ କରିବାରେ ସିଦ୍ଧହସ୍ତ ଥିଲେ ଲାଲୁ ପ୍ରସାଦ ଯାଦବ। ତାଙ୍କୁ କେନ୍ଦ୍ର କରି ବି ଅନେକ ଚଟୁଳ କଥା ସୃଷ୍ଟି ହୋଇଥିଲା; ଯେମିତି ‘ସମୋସା ମୈ ଆଲୁ, ଜଙ୍ଗଲ ମୈ ଭାଲୁ ଔର ବିହାର ମୈ ଲାଲୁ।’
ଆଗକୁ ନିର୍ବାଚନ। କଥା କଟାକଟି, ବାହୁସ୍ଫୋଟ, ଆତ୍ମବଡ଼ିମା, ଏସବୁ ଏଣିକି ଅଧିକରୁ ଅଧିକ ଶୁଣାଯିବ। ତେଣୁ ନିର୍ବାଚନୀ ଯୁଦ୍ଧ ଓ ତା’ ପରର ପରିସ୍ଥିତି ପାଇଁ ଅଣ୍ଟା ଭିଡୁଥିବା ନେତାମାନଙ୍କ ଗୋଚରାର୍ଥେ କିଛି ଉପଯୋଗୀ ଢଗ ଢମାଳି ନିମ୍ନରେ ଦିଆଗଲା, ଦରକାର ବେଳେ ସେମାନଙ୍କ କାମରେ ଆସିବ।
‘ଏଇ କଥାକୁ, ନାଆ ପେଲିଦେଲି କଲିକତାକୁ’: ବିରୋଧୀମାନେ କୌଣସି ଛୋଟ ଘଟଣାକୁ ତୀବ୍ର ବିରୋଧ କରି ଅଡ଼ି ବସିଲେ ସରକାରୀ ଦଳ ସେ ପ୍ରତିବାଦକୁ ତୁଚ୍ଛ କରିବା ପାଇଁ ବ୍ୟବହାର କରିପାରିବେ। ‘ଗାଲୁଆଙ୍କ ବାରବାଟୀ ଚାଷ’: ଶାସକ ଦଳର ବଡ଼ ବଡ଼ ପ୍ରତିଶ୍ରୁତିଗୁଡ଼ିକୁ ତାଚ୍ଛଲ୍ୟ କରି ବିରୋଧୀ ଦଳ ଏହା ପ୍ରୟୋଗ କରିପାରିବେ।
‘ଆ ବଳଦ ମୋତେ ବିନ୍ଧ’: ଜନ ଅସନ୍ତୋଷ ସତ୍ତ୍ୱେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ବିଫଳ ହୋଇଥିଲେ ବିରୋଧୀ ପକ୍ଷ ୟାକୁ କାମରେ ଲଗାଇ ପାରିବେ।
‘ମୋତେ ଯେତେ ମାଠିବୁ ମାଠ’: ସରକାର ବାରମ୍ବାର ଭୁଲ୍ ପଦକ୍ଷେପ ନେଇ ଚାଲିଲେ କଟୁ ସମାଲୋଚନା କରିବା ପାଇଁ ବିରୋଧୀଙ୍କ ହାତରେ ଏହା ଏକ ଅସ୍ତ୍ର ଭଳି କାମ ଦେବ।
‘ମୂଳରୁ ମାଇପ ନାହିଁ, ପୁଅ ନାମ ଗୋପାଳିଆ’: କୌଣସି ଦଳ ଯଦି ନିର୍ବାଚନ ଜିତିବାର କ୍ଷୀଣ ଆଶା ସତ୍ତ୍ୱେ ସରକାର ଗଢ଼ିବା ଇତ୍ୟାଦି ବାଚାଳାମିରେ ମସଗୁଲ ରହନ୍ତି ସେମାନଙ୍କୁ ଛିଗୁଲେଇବା ପାଇଁ ଅନ୍ୟ ଦଳମାନେ ବ୍ୟବହାର କରିପାରିବେ।
‘ଏ ଘର ମାଉସୀ ସେ ଘର ପିଉସୀ’: ବିଭିନ୍ନ ଜାଗାରେ ଛିଦ୍ର ଖୋଜି ସବୁଠି ଭଲେଇ ହେଉଥିବା ନେତାଙ୍କୁ କଟାକ୍ଷ କରିବା ପାଇଁ ଉପାଦେୟ।
‘ଆରେ ଢମଣା, ବୁଲି ବାଲି କିରି ସେଇ ଅଗଣା’: ପୁରୁଣା ଦଳବଦଳକାରୀ ସ୍ବଗୃହ ପ୍ରତ୍ୟାବର୍ତ୍ତନ କଲା ବେଳେ ପ୍ରତିବାଦୀମାନେ ଏହି ଢଗର ମଜା ନେଇପାରିବେ।
‘ଅଜାଗା ଘା ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ’: କାହାକୁ ଘଣ୍ଟ ଘୋଡ଼େଇବାକୁ ଚେଷ୍ଟା କରି କଷ୍ଟ ଭୋଗୁଥିବା ଦଳ ବା ନେତା ପାଇଁ ପ୍ରଯୁଜ୍ୟ।
ମୋ: ୯୪୩୭୦୮୯୬୫୫