ଆଜିକାଲି ପ୍ରାୟ ଫି’ ଦିନ ଭିଜିଲାନ୍‌ସ ବିଭାଗ ଦ୍ୱାରା ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ଘରେ ଚଢ଼ଉ ହେଉଛି, ଆଉ ଆଖି ଖୋସି ହୋଇଗଲା ଭଳି କଳାଧନ ଠାବ କରାଯାଉଛି। ଉଦ୍ଧାର ହେଉଥିବା ସମ୍ପତ୍ତିର ପରିମାଣ ଦେଖିଲେ ଚଢ଼ଉ ବାଲାଙ୍କ କାହିଁକି ସାରା ଦୁନିଆର ଲୋକଙ୍କ ଆଖି ଟେରା ହୋଇଯାଉଛି। ଚଢ଼ଉ ହେଉଥିବା ଘର ଗୋଟିଏ ଗୋଟିଏ ସୁନା ଦୋକାନ ଭଳି ଦେଖାଯାଉଛି। ଟଙ୍କା ଗଣିଗଣି ଭିଜିଲାନ୍‌ସ ବାବୁମାନେ ଥକି ପଡୁଛନ୍ତି, ଟଙ୍କାଗଣା ଯନ୍ତ୍ରର ଦରକାର ପଡୁଛି। ବାବୁମାନେ ଶେଷରେ ଚଢ଼ଉଜନିତ କ୍ଳାନ୍ତିର ଉପଶମ କରିବା ପାଇଁ ଉଦ୍ଧାର ଧନକୁ ବିଭିନ୍ନ ରୂପରେ ସଜାଇ ଭବିଷ୍ୟତ ପାଇଁ ଫଟୋ ଉଠାଇ ରଖୁଛନ୍ତି। ସେହି ଚଢ଼ଉ ପ୍ରକ୍ରିୟାକୁ ନିକଟରୁ ବିକଳ ଅବସ୍ଥାରେ ଅନୁଧ୍ୟାନ କରୁଥିବା ଧୂର୍ତ୍ତ ଓ ଲୋଭୀ ବାବୁ ଜଣକ ସତେ ଯେମିତି ନୟନ ବିସ୍ଫାରିତ କରି ମନେ ମନେ ଗାଉଛି, ‘‘ଅଧର୍ମ ବିତ୍ତ, ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ’’। ତା’ ସହିତ ବାବୁ ଜଣକ ମଧ୍ୟ ପଶ୍ଚାତ୍ତାପ କରୁଛି ଯେ ଯୋଉ ଉପାୟରେ ହେଉ ପଛେ ଧନ ତ ଅର୍ଜିଲା, ହେଲେ ସେ ଅଧର୍ମ ବିତ୍ତକୁ ଠିକ୍‌ ଜାଗାରେ ଲୁଚାଇ ପାରିଲାନି କାହିଁକି? ସେଇଥି ପାଇଁ ଆଜି ଯେତେ ସବୁ ହଟହଟା।
ଏ ସବୁ ଦୃଶ୍ୟ ଦେଖି କଳାଧନ ଠୁଳ କରିଥିବା ଅନ୍ୟ ବାବୁମାନେ ସାବଧାନ ହୋଇଯିବା କଥା, ଆଉ ଧନ ଲୁଚାଇବାର ନୂଆ ନୂଆ ଉପାୟ ସବୁ ଆବିଷ୍କାର କରିବା କଥା। କିନ୍ତୁ ନା, ପର ଥରକୁ ମଧ୍ୟ ସେହି ସମାନ କଥା। ଗୁପ୍ତ ଧନକୁ ଲୁଚେଇ ରଖିବା ପ୍ରକୃତରେ କାଠିକର ପାଠ। କାହିଁ କେତେ ପୁରୁଣା କାଳରୁ ଏ କଥା ପ୍ରମାଣିତ ହୋଇସାରିଛି।
ପୂର୍ବ କାଳରେ ଯେତେବେଳେ ବ୍ୟାଙ୍କ କି ବୀମା ସଂସ୍ଥା ନ ଥିଲା, ଆଉ ଚାରିଆଡ଼େ ଚୋର ଖଣ୍ଟମାନେ ସାଲୁବାଲୁ ହେଉଥିଲେ, ସେତେବେଳେ ଧନ ମାଲିକ ବିଚରା ଗୁପ୍ତ ଧନକୁ ମାଟି ବା ଧାତୁ ତିଆରି ଗରାରେ ରଖି ଭୂଇଁ ତଳେ ପୋତି ପକାଉଥିଲା। ପୋତା ଧନ ସୁରକ୍ଷିତ ରଖିବା ପାଇଁ ସେ କୁବେର, ଯକ୍ଷ, ଗୁହ୍ୟକ ଓ ବେତାଳ ଇତ୍ୟାଦି କେତେ ସବୁ ଈଶ୍ବରୀୟ ଓ ଅର୍ଦ୍ଧ-ଈଶ୍ବରୀୟ ଚରିତ୍ରମାନଙ୍କର ସୃଷ୍ଟି କରିଥିଲା। ଏହି ଶକ୍ତିମାନଙ୍କର ପୂଜା ଅର୍ଚ୍ଚନା କରି ନିଜ ସମ୍ପତ୍ତିର ରକ୍ଷଣାବେକ୍ଷଣର ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ କରୁଥିଲା। କିନ୍ତୁ, ବେଳେବେଳେ ଗୁପ୍ତଧନ ସୁରକ୍ଷା କ୍ଷେତ୍ରରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ମଧ୍ୟ ଚାଲିଯାଉଥିଲା। ଗୁପ୍ତଧନ ପୋତିଥିବା ମାଲିକ ଯଦି ଦୁର୍ଘଟଣାଗ୍ରସ୍ତ ହୋଇ ବା ଅନ୍ୟ କୌଣସି କାରଣରୁ ଅଚାନକ ପ୍ରାଣ ତ୍ୟାଗ କରୁଥିଲା, ତେବେ ପୋତା ଧନର ଠିକଣା କାହାକୁ ଜଣା ନ ଥିବାରୁ ସେ ଧନ ସବୁଦିନ ପାଇଁ ମାଟି ତଳେ ରହିଯାଉଥିଲା। କହିବା ବାହୁଲ୍ୟ, ଧନ ପୋତିଥିବା ଅଧିକାଂଶ ବ୍ୟକ୍ତି ଅନ୍ୟ କାହା ଉପରେ ଭରସା କରି ନ ପାରି ଏହାର ଅବସ୍ଥିତିକୁ ଗୋପନୀୟ ରଖୁଥିଲେ। 
ଗୁପ୍ତଧନର ତତ୍ତ୍ୱାବଧାରକ ହିସାବରେ ନାଗ ଦେବତାଙ୍କୁ ମଧ୍ୟ କାମରେ ଲଗାଇଥିଲା ମଣିଷ। ଏହି ସାପଙ୍କୁ ନେଇ କିଛି ବର୍ଷ ଧରି ଏକ ଟାଣୁଆ ଗୁଜବ ପ୍ରବଳ ହୋଇ ଉଠିଥିଲା। ଗୁଜବଟି ଅନୁସାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଭିତରେ କୁଆଡ଼େ ଠାକୁରଙ୍କ ରତ୍ନକୁ ଜଗି ରହିଥିବା ନାଗସାପମାନେ ଲୋକଙ୍କୁ ସାବଧାନ କରାଇବା ପାଇଁ ସୁ...ସୁ ଗର୍ଜନ କରୁଥିଲେ। ଏହି ଗୁଜବ ଆଳରେ ରତ୍ନଭଣ୍ଡାର ତଦାରଖ କରିବା ଓ ଖୋଲିବା କାମକୁ ବାରମ୍ବାର ଘୁଞ୍ଚାଇ ଦିଆଯାଉଥିଲା। ପରେ ରତ୍ନଭଣ୍ଡାର ଭିତରକୁ ସଫଳ ଅଭିଯାନ ପରେ ଏହି ସାପ ଗର୍ଜନ କଥା ମନଗଢ଼ା ବୋଲି ପ୍ରମାଣିତ ହେଲା। 
ପୁରୁଣା କାଳର ଲୋକଙ୍କ ଭଳି ଆଧୁନିକ ମଣିଷ ତ ଆଉ ତା’ର କଷ୍ଟ ଅର୍ଜିତ କଳାଧନକୁ ଯକ୍ଷ, କୁବେର ବା ନାଗଙ୍କ ଦାୟିତ୍ୱରେ ଛାଡ଼ି ଦେଇ ପାରିବନି! ତେଣୁ ସେ ଚଢ଼ଉ ବାଲାଙ୍କ ହାବୁଡ଼ରୁ ତା’ ଧନକୁ ସୁରକ୍ଷିତ ରଖିବା ପାଇଁ ନୂଆନୂଆ ଉପାୟମାନ ବାହାର କଲା। ପ୍ରଥମେ ତ କିଛି କାଳ ଶ୍ୱଶୁର, ଶଳା, ଶାଳୀଙ୍କ ଘରକୁ କିଛି କିଛି କଳାଧନ ପଠାଇ ଦେଇ ଧୂର୍ତ୍ତ ଅଧିକାରୀମାନେ ଭିଜିଲାନ୍‌ସବାଲାଙ୍କୁ ଚକ୍‌ମା ଦେଇ ପାରୁଥିଲେ। ହେଲେ, ଏ ଉପାୟର ବହୁଳ ପ୍ରୟୋଗ ହେବାରୁ ଚଢ଼ଉ ଦଳ ଚାଲାକ ହୋଇ ସବୁ ନିକଟ ସମ୍ପର୍କୀୟଙ୍କ ଘରକୁ ଏକା ସାଙ୍ଗରେ ଚଢ଼ଉ କରିବା ଆରମ୍ଭ କରିଦେଲେ। 
ଘରଣୀଟିଏ ତା’ର ଖର୍ଚ୍ଚରୁ କାଟି ବା ସ୍ୱାମୀର ପକେଟରୁ ହାତସଫେଇ କରି ସଞ୍ଚିଥିବା ଟଙ୍କାକୁ ଯେମିତି ଡାଲି ବା ଚାଉଳ ଡବା ଭିତରେ ଲୁଚାଇ ରଖିଥାଏ, ଦୁର୍ନୀତିଗ୍ରସ୍ତ ବାବୁଟି ସେମିତି କଳା ଟଙ୍କାକୁ ବିକଳ ହୋଇ ଏଣେତେଣେ ଗୁଞ୍ଜି ପକାଏ। କିନ୍ତୁ ଅନେକ ସମୟରେ ଚଢ଼ଉ ବାଲାଙ୍କୁ ସବୁ ଗୁପ୍ତ ସ୍ଥାନ ଜଳଜଳ ହୋଇ ଦିଶିଯାଏ। ପୂର୍ବତନ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ସୁଖରାମଙ୍କ ତକିଆ ଭିତରୁ ପୁଳାପୁଳା ଟଙ୍କା ବାହାରିଥିବା କଥା ସମସ୍ତଙ୍କର ମନେ ଥିବ। ଆମ ରାଜ୍ୟରେ ସେ ଦିନ ଜଣେ ଧୂର୍ତ୍ତ ଅଧିକାରୀ ପାଇଖାନା ପାଣି ଟାଙ୍କି ଭିତରେ କଳାଟଙ୍କା ଲୁଚାଇବାର ବିଫଳ ପ୍ରୟାସ କରି ଲୋକହସା ହୋଇଥିଲେ।
ସବୁ ଦିଗରୁ ବିଚାର କଲେ ଅଧର୍ମ ବିତ୍ତକୁ ସୁରକ୍ଷିତ ରଖିବା ଧୀରେ ଧୀରେ ଅସମ୍ଭବ ଭଳି ଲାଗୁଛି। କେବଳ ସୁଇସ୍ ବ୍ୟାଙ୍କ ଖାତା କିମ୍ବା ସେଲ୍‌ କମ୍ପାନିରେ ରଖାଯାଇଥିବା ଟଙ୍କା ବିତର୍କିତ ହେଲେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇ ରହୁଛି। ହେଲେ, ସେଗୁଡ଼ିକର ଫାଇଦା ଉଠାଇବାକୁ ହେଲେ ଲକ୍ଷ ଲକ୍ଷ କୋଟି ଟଙ୍କା ଅର୍ଜିବାକୁ ପଡ଼ିବ, ଦଶ କୋଡ଼ିଏ କୋଟି ନୁହେଁ। ଆମ ଧୂର୍ତ୍ତ ବାବୁମାନେ ତାଙ୍କ ଉଚ୍ଚାଭିଳାଷର ସ୍ତର ବଢ଼ାଇବେ କି?
ମୋ: ୯୪୩୭୦୮୯୬୫୫