ଚିନ୍ମୟ ଚେତନା: ଭିନ୍ନ ଏକ ଶ୍ରେଣୀ ବିଭାଗ

ଚିନ୍ମୟ କୁମାର ହୋତା

ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ହଠାତ୍‌ ସକ୍ରିୟ ହୋଇ ଉଠିଛନ୍ତି ଆମ ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ। ସେମାନେ ନିଜ ନିଜର ପକ୍ଷ ବାଛି ନେଇ ପରସ୍ପର ଉପରେ ଘନ ଘନ ଆକ୍ରମଣ, ପ୍ରତିଆକ୍ରମଣ ଚଳାଇଛନ୍ତି। ବେଳେ ବେଳେ କ୍ଷେପଣାସ୍ତ୍ର ଆମେରିକା ଆଡ଼େ ନିକ୍ଷେପଣ କରୁଛନ୍ତି ତ ବେଳେବେଳେ ରୁଷିଆ ଉପରେ। ଆଉ କେବେ କେବେ ଅସ୍ତ୍ର ଭାରତ ଭୂଇଁ ଆଡ଼େ ବି ଛାଡ଼ୁଛନ୍ତି। କିଏ ବାଇଡେନ୍‌ଙ୍କୁ ଦୋଷୀ କଲାଣି ତ କିଏ କହିଲାଣି ପୁଟିନ୍‌ ଅସଲି ରକ୍ତପିପାସୁ। ଭାରତ କାହା ପକ୍ଷ ନେବା କଥା ତାକୁ ନେଇ ବି ଅନେକ କୂଟନୈତିକ ପ୍ରସ୍ତାବ ଓ ବାଦବିବାଦ। ଖାଲି ଫରକ ଏୟା ଯେ ସେଠିକା ଯୁଦ୍ଧ ଅସଲି ରଣକ୍ଷେତ୍ରରେ ହେଉଥିବା ବେଳେ ଏଠିକାର ସମର ଘଟୁଛି ସ୍ମାର୍ଟ‌୍ ଫୋନ୍‌ ପରଦାରେ। ମୁଁ ଏବର ସାମାଜିକ ଗଣମାଧ୍ୟମ ଗୁଡ଼ିକରେ ରୀତିମତ ଚାଲିଥିବା ସରଗରମ ତର୍କ ବିତର୍କ ବିଷୟରେ କହୁଛି। ଏହି ବିତର୍କକୁ ଉତ୍ତେଜିତ କରି ରଖିଥିବା ଲୋକମାନେ ହେଲେ ‘ବଡ଼ ତୁଣ୍ଡିଆ’ ଶ୍ରେଣୀର। ସେମାନେ ଯେ କୌଣସି ଘଟଣାରେ ଗୋଟିଏ ପକ୍ଷ ନେଇ ଗରଜିବା ଆରମ୍ଭ କରିଦିଅନ୍ତି, ହେଲେ କେବେ ବି ବରଷନ୍ତି ନାହିଁ। ପୁଣି କିଛି ନୂଆ ବିବାଦ ଉପୁଜିଲେ ପୁରୁଣାକୁ ଭୁଲି ନୂଆ ପଟେ ମଙ୍ଗ ମୋଡ଼ନ୍ତି। ଏ ଶ୍ରେଣୀର ସଦସ୍ୟମାନେ ନିଜ ବଚସାରେ ଏତେ ମସଗୁଲ ଯେ ବେଳେବେଳେ ମାନବିକତା ଭୁଲି କଠୋର ହୋଇଯାଆନ୍ତି। ଯୁଦ୍ଧ କ୍ଷେତ୍ରରେ ଫସି ରହିଥିବା ପିଲାମାନଙ୍କୁ ଦେଶକୁ ଫେରାଇ ଆଣିବା କଥା ପଡ଼ିଲେ ପ୍ରଶ୍ନ କରନ୍ତି- ‘ସେମାନେ ସେଠାକୁ କାହିଁକି ଗଲେ?, କାହିଁକି ଆଗରୁ ପଳେଇ ଆସିଲେ ନାହିଁ? କିମ୍ବା ଏଥିପାଇଁ କାହିଁକି ସରକାର ରାଜକୋଷରୁ ଅର୍ଥ ବ୍ୟୟ କରିବେ? ଇତ୍ୟାଦି ଇତ୍ୟାଦି। ବୋଧହୁଏ ସେମାନେ ଏଇଥିପାଇଁ ଏପରି ଯୁକ୍ତି କରିଥାଆନ୍ତି ଯେ ସେମାନଙ୍କ ଭିତରୁ କାହାରି ପିଲାମାନେ ଯୁଦ୍ଧ କ୍ଷେତ୍ରରେ କଲବଲ ହେଉ ନ ଥାଆନ୍ତି।

ଏହି ଗୋଷ୍ଠୀର ସଦସ୍ୟମାନଙ୍କ ବ୍ୟତୀତ ସାମାଜିକ ଗଣମାଧ୍ୟମ ଆଜି ଅଲଗା ଅଲଗା ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ନେଇ ସମୃଦ୍ଧ। ‘ବଡ଼ ତୁଣ୍ଡିଆ’ଙ୍କ ଭଳି ସାରଗର୍ଭକ ତଥା ଚିନ୍ତାଶୀଳ ମତ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅହରହ ବିତରଣ କରିଥାଆନ୍ତି ‘ଆମଦାନି ବା ରପ୍ତାନି’ ଶ୍ରେଣୀର ବ୍ୟକ୍ତିମାନେ, କେବଳ ଫରକ ଏତିକି ଯେ ସେ ମତ ବା ତଥ୍ୟ ସୃଷ୍ଟି କରିବାରେ ସେମାନେ ନିଜର ମସ୍ତିଷ୍କକୁ କଷ୍ଟ ଦିଅନ୍ତି ନାହିଁ। ଇଧର କା ମାଲ୍‌ ଉଧର କିମ୍ବା ନେଇ ଆଣି ଥୋଇବା କଳାରେ ସେମାନେ ନିପୁଣ। ନିଜ ମଗଜ ଖଟାଉ ନ ଥିବାରୁ ଏହି ଶ୍ରେଣୀ ମାତ୍ରାଧିକ ସକ୍ରିୟ। ସେମାନେ ସମୁଦ୍ର ଭଳି ଉଦାର, କିଛି ବି ନିଜ ଭିତରେ ରଖନ୍ତି ନାହିଁ, ସବୁ କିଛି ଦୁନିଆକୁ ଫେରାଇ ଦିଅନ୍ତି। ଅବଶ୍ୟ ବେଳେ ବେଳେ ତାଙ୍କ ଦ୍ୱାରା ସଂପ୍ରସାରିତ ତଥ୍ୟ ବା ମତ ବିଷୟରେ କେହି ପ୍ରତିପ୍ରଶ୍ନ କଲେ ବା ବିରୋଧ କଲେ ସେମାନେ ହାଲୁକା ଭାବରେ କୁହନ୍ତି, ‘ଏମିତି କି? ମୁଁ ପଠାଇବା ଆଗରୁ ପଢ଼ି ନ ଥିଲି ତ; ଯେମିତି ପାଇଲି, ସେମିତି ଆଗକୁ ବଢ଼େଇ ଦେଇଥିଲି।’ ଦୁନିଆର ଜ୍ଞାନ ବୃଦ୍ଧି କରିବା ପାଇଁ ବ୍ୟାକୁଳ ଏହି ଗୋଷ୍ଠୀର ସଭ୍ୟମାନେ ଉଦ୍ଭଟ ତଥ୍ୟ ପ୍ରଦାନ କରି କେତେ ଥର ଅପଦସ୍ତ ହେବା ପରେ ତଥ୍ୟ ପଠାଇବା ବେଳେ ‘ଯେମିତି ପାଇଲି ସେମିତି ପଠାଇଲି’ କିମ୍ବା ‘ଅନ୍ୟ ଗ୍ରୁପ୍‌ ଦ୍ୱାରା ପ୍ରେରିତ’ ବୋଲି ଆଗୁଆ ନୋଟିସ୍‌ ଦେଇ ନିଜର ନିରୀହତା ଜାହିର କରନ୍ତି। ପ୍ରକାଶ ଥାଉ କି ଦୁନିଆର ଯେତେ ସବୁ ଗୁଜବ, ଅନ୍ଧବିଶ୍ୱାସ ଆଧାରିତ ଖବର ଏହି ଗୋଷ୍ଠୀ ସଭ୍ୟଙ୍କ ଦ୍ୱାରା ପ୍ରଚାରିତ ହୁଏ। ବିଡ଼ମ୍ବନାର ବିଷୟ ଯେ ମିଥ୍ୟା ସମ୍ବାଦ ପ୍ରଚାର ପାଇଁ ଉତ୍ସାହୀ ଏହି ବ୍ୟକ୍ତିମାନେ ସେସବୁ ସମ୍ବାଦକୁ ନିଜେ ସତ୍ୟ ବୋଲି ବିଶ୍ୱାସ କରିଥାଆନ୍ତି ଓ ସାମାନ୍ୟ ପରିଶ୍ରମ କରି ତଥ୍ୟଟିର ସତ୍ୟତା ପରଖି ନେବାର ସହଜ ବିକଳ୍ପ ବିଷୟରେ ଅନାଗ୍ରହୀ ବା ଅନଭିଜ୍ଞ ଥାଆନ୍ତି।

ଅବଶ୍ୟ ସାମାଜିକ ଗଣମାଧ୍ୟମରେ ବିତର୍କରେ ପଶିବାକୁ ଚାହୁଁ ନ ଥିବା ଅନେକ ଶ୍ରେଣୀ ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସବୁଠୁ ସକ୍ରିୟ ‘ପହଡ଼ ଭଙ୍ଗା’ ଶ୍ରେଣୀର ସଦସ୍ୟ, ଯେଉଁମାନେ ଗୋଟିଏ ନୂଆ ସକାଳକୁ ବ୍ୟଗ୍ରତାର ସହ ଅପେକ୍ଷା କରିଥାଆ‌ନ୍ତି, ନିଜର ‘ଗୁଡ୍ ମର୍ଣ୍ଣିଙ୍ଗ୍‌’ ସନ୍ଦେଶଟି ପଠେଇବା ପାଇଁ। ବେଳେବେଳେ ସୂର୍ଯ୍ୟୋଦୟ, ପ୍ରସ୍ଫୁଟିତ ଫୁଲ କିମ୍ବା ଯୋଡ଼ ହସ୍ତର ଛବିଗୁଡ଼ିକ ସହ ସୁପ୍ରଭାତର ଅଭିବାଦନ ପଠାଇ ସେମାନେ ସାରା ଦିନ ପାଇଁ ସାମାଜିକ ଦାୟିତ୍ୱମୁକ୍ତ ହୁଅନ୍ତି। ତାଙ୍କର ପ୍ରଭାତୀ ସଂଭାଷଣର ଉତ୍ସାହକୁ ଆକ୍ଷେପ କରି ଭବିଷ୍ୟତ୍‌ରେ ଏମିତି ସନ୍ଦେଶ ଉପରେ କର ଲାଗୁ ହେବା ଭଳି କୌଣସି ଗୁଜବ ପ୍ରଚାରିତ ହେଲେ ଏ ଶ୍ରେଣୀର ସଦସ୍ୟମାନେ ବିଚଳିତ ହୁଅନ୍ତି ନାହିଁ ଓ ପୂର୍ବ ଆନ୍ତରିକତାର ସହ ନିଜର ଦାୟିତ୍ୱ ସଂପାଦନ କରିଯାଆ‌ନ୍ତି।

ଏମିତି ଆନ୍ତରିକତା ପ୍ରଦର୍ଶନ କରୁଥିବା ଆଉ କିଛି ଲୋକ ହେଲେ ‘ପାଞ୍ଜିକାର ଶ୍ରେଣୀ’ର। ଏମାନେ ଅନ୍ୟ ସଦସ୍ୟମାନଙ୍କର ଜନ୍ମ ତିଥି ବା ବିବାହ ବାର୍ଷିକୀର ନିର୍ଭୁଲ୍‌ ହିସାବ ରଖିଥାଆ‌ନ୍ତି, ସେ ସୁଦିନ ଆସିବା କ୍ଷଣି ବଧେଇର ସନ୍ଦେଶଟିଏ ଛାଡ଼ି ଦିଅନ୍ତି ଓ ପରେ ପରେ ଅନ୍ୟମାନେ ଶୁଭେଚ୍ଛାର ସୁଅ ଛୁଟାଉ ଥିବାର ଦେଖି ଉଲ୍ଲସିତ ହୁଅନ୍ତି। କେବଳ ଜନ୍ମ ଦିନ କାହିଁକି, ପର୍ବ ପର୍ବାଣି, ଐତିହାସିକ ଦିବସ ଓ ଆଜିକାଲି ପାଳନ କରାଯାଉଥିବା ବିଭିନ୍ନ ‘ଡେ’ ବା ବିଶେଷ ଦିବସଗୁଡ଼ିକ ମଧ୍ୟ ସେମାନେ ମନେ ପକେଇ ଦିଅନ୍ତି। ଏହି ଶ୍ରେଣୀର ବ୍ୟକ୍ତିମାନେ ପାଞ୍ଜି ମୁତାବକ ଯେଉଁ ସୂଚନା ପ୍ରଦାନ କରନ୍ତି, ତାହାର ବିଶେଷ ଫାଇଦା ଉଠାନ୍ତି ‘ପାଳିଆ ଶ୍ରେଣୀ’। ଭଲ ଦିନଟିର ଆଭାସ ପାଇଗଲା ମାତ୍ରେ ଏମାନେ ବିଶେଷ ମୁଣ୍ଡ ଖର୍ଚ୍ଚ ନ କରି ଶୁଭେଚ୍ଛାର ସନ୍ଦେଶ ବା ଫୁଲତୋଡ଼ାର ଚିତ୍ରଟିଏ ଛାଡ଼ି ଦିଅନ୍ତି। ଫୋନ୍‌ ପରଦାରେ କାହାର ମୃତ୍ୟୁ ଖବର ଦେଖିଲେ ‘ଆର୍‌.ଆଇ.ପି’ ବୋଲି ତିନିଟି ଅକ୍ଷର ଥୋଇ ଦେଇ ସଂକ୍ଷେପରେ ନିଜର ଗଭୀର ସମବେଦନା ଜଣାନ୍ତି। ସାମାଜିକ ଗଣମାଧ୍ୟମ ସଦସ୍ୟଙ୍କ ଶ୍ରେଣୀ ବିଭାଗ ଅସଂପୂର୍ଣ୍ଣ ରହିଯିବ ଯଦି ‘ନେପଥ୍ୟ ବାହିନୀ’ ଶ୍ରେଣୀର ଉଲ୍ଲେଖ କରା ନ ଯାଏ। ଏ ବାହିନୀର ସଭ୍ୟମାନେ ପ୍ରଚ୍ଛଦପଟରେ ଲୁଚି ରହିଥାଆ‌ନ୍ତି ସିନା, ନିଜ ଗ୍ରୁପ୍‌ର ସମସ୍ତ ଆଦାନ ପ୍ରଦାନ, ବାକ-ବିତଣ୍ଡା ଓ ଖୁସି ମଜାକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରୁଥାଆ‌ନ୍ତି। ବର୍ଷ ବର୍ଷ ଧରି ଫୁଲର ଚିତ୍ରଟିଏ ବା ଅଭିନନ୍ଦନ ବାର୍ତ୍ତାଟିଏ ମଧ୍ୟ କାହାକୁ ଦିଅନ୍ତି ନାହିଁ, କାଳେ କିଏ ତାଙ୍କର ଉପସ୍ଥିତି ବିଷୟରେ ଜାଣି ପାରିବ!
ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର