ମନୋବିଜ୍ଞାନୀମାନଙ୍କର ମତ ଅନୁସାରେ ସୁସ୍ଥ ମଣିଷର କିଛି ନିର୍ଦ୍ଦିଷ୍ଟ ଆବଶ୍ୟକତା ଥାଏ ଓ ସେଗୁଡ଼ିକୁ ପଦାନୁକ୍ରମେ ପୂରଣ କରିବା ପାଇଁ ସେ ସଦାବେଳେ ଚେଷ୍ଟିତ ଥାଏ। ଏହି ସୋପାନର ସବୁଠୁ ତଳେ ଥାଏ ଶାରୀରିକ ଆବଶ୍ୟକତା, ଯେମିତି ଖାଦ୍ୟ, ପାନୀୟ ଓ ନିଦ୍ରା ଇତ୍ୟାଦି। ଶାରୀରିକ ଚାହିଦା ସବୁ ପୂରଣ କରିବା ପରେ ଯାଇ ସେ ଆଗକୁ ବଢ଼ିବ ଓ ତା’ ପର ସୋପାନରେ ଥିବା ସୁରକ୍ଷା, ସାମାଜିକ ସମ୍ମାନ ଓ ପରିଶେଷରେ ଆତ୍ମୋପଲବ୍ଧିର ଚାହିଦା ପୂରଣ କରିବା ପାଇଁ ଅନୁପ୍ରେରିତ ହେବ। ଆଜିର ସମୃଦ୍ଧ ବିଶ୍ୱରେ ‘ଚାହିଦା ସୋପାନ’ର ତଳ ଦୁଇ ସ୍ତରରେ ଥିବା ଖାଦ୍ୟ ଓ ସୁରକ୍ଷାର ଆବଶ୍ୟକତା ସବୁ ସମାଜରେ ପ୍ରାୟ ସହଜରେ ପୂରଣ ହୋଇଯାଉଥିବ ଓ ମଣିଷ ସେଗୁଡ଼ିକୁ ବିଶେଷ ଧ୍ୟାନ ନ ଦେଇ ମାନସିକ ଓ ଆତ୍ମତୃପ୍ତିର ଚାହିଦା ପୂରଣରେ ମନୋନିବେଶ କରୁଥିବ। କିନ୍ତୁ ଆମ ନିଜ ପ୍ରଦେଶ କଥା ଚିନ୍ତା କଲେ ଦେଖାଯାଏ ଆମେ ଏହି ଧାରାର ବ୍ୟତିକ୍ରମ। ଆମେ ଶହ ଶହ ବର୍ଷ ଧରି ସବା ତଳ ଦୁଇ ସ୍ତରରେ ଘାଣ୍ଟି ହେଉଛୁ। ସେଥିରୁ ମୁକ୍ତି ପାଇଲେ ସିନା ଆମେ ଉପର ସ୍ତର କଥା ଚିନ୍ତା କରିବୁ!
ଖାଦ୍ୟ ସହିତ ଆମର ମାନସିକତା କେତେ ଓତଃପ୍ରୋତ ଭାବରେ ଜଡ଼ିତ, ତା’ର ଦୃଷ୍ଟାନ୍ତ ମିଳିଲା ପୁରୀ ଶ୍ରୀମନ୍ଦିର ରୋଷଶାଳାର ଚୁଲି ଭଙ୍ଗା ଘଟଣାରୁ। ଅଭିଯୁକ୍ତର ସ୍ୱୀକାରୋକ୍ତି ଅନୁସାରେ ମହାଲକ୍ଷ୍ମୀ କାହାକୁ କେଞ୍ଚାଏ ତ କାହାକୁ ମେଞ୍ଚାଏ ଦେଉଥିବାରୁ ତାଙ୍କ ପ୍ରତି ଅଭିମାନରେ ସେ ଚୁଲି ସବୁ ଭାଙ୍ଗି ପକାଇଥିଲା। ଅଭିମାନ ବ୍ୟତୀତ ରୋଷଘରରେ ଦେଖିଥିବା ଅବ୍ୟବସ୍ଥା ଯୋଗୁଁ ତା’ ମନର ଅସନ୍ତୋଷକୁ ସିଏ ପ୍ରକାଶ କରିବାକୁ ଚାହିଁଥିଲା। ମନରେ ପ୍ରଶ୍ନ ଉଠେ କେବଳ ରୋଷେଇ ଶାଳାରେ ଅବ୍ୟବସ୍ଥା ସବୁ ତାକୁ କାହିଁକି ଦିଶିଲା, ଅନ୍ୟ କେଉଁ ସ୍ଥାନର ନୁହେଁ? ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଧାରିତ ଭାରତବର୍ଷର ଚାରି ଧାମ ଭିତରୁ ବିଷ୍ଣୁ ଭୋଜନ କରିବାକୁ ଆସିଥା’ନ୍ତି ପୁରୀ ଧାମକୁ। ତେଣୁ ପୁରୀ ମନ୍ଦିରର ମହାପ୍ରସାଦର ଏତେ ସୁନାମ, ଏତେ ପବିତ୍ରତା। ସେ ପ୍ରସାଦର ପରିମାଣ, କିସମ, ପବିତ୍ରତା ଓ ଲୋକପ୍ରିୟତା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି ବିଶ୍ୱବାସୀ। ସେ ପ୍ରସାଦ ତିଆରିରେ ବହୁ କର୍ମୀ ନିୟୋଜିତ ହେଲେ ହେଁ ଖୋଦ ମହାଲକ୍ଷ୍ମୀ ଅଦୃଶ୍ୟ ଥାଇ ରୋଷେଇ କାର୍ଯ୍ୟ ସଂପନ୍ନ କରିଥା’ନ୍ତି ବୋଲି ବିଶ୍ୱାସ। ସେ ମହାପ୍ରସାଦ ଖାଇଲେ ହିନ୍ଦୁ ଧର୍ମର ସବୁଠୁ ବଡ଼ ପାପ ଭିଆଇଥିବା ବ୍ୟକ୍ତି ବି ପାପମୁକ୍ତ ହୋଇଥାଏ ବୋଲି ଧାରଣା।
ଯେଉଁ ସମାଜରେ ଠାକୁରଙ୍କ ଚୁଲି ସହିତ ଏତେ ବିଶ୍ୱାସ ଓ ପରମ୍ପରା ଜଡ଼ିତ, ସ୍ୱାଭାବିକ କଥା ଯେ ସେଇ ସମାଜ ଚୁଲି ଓ ଖାଦ୍ୟର ଚିନ୍ତାରୁ ବିଶେଷ ଊର୍ଦ୍ଧ୍ୱକୁ ଯାଇ ପାରିନାହିଁ। ଆମର ଅଭିମାନ ଚୁଲି, ପ୍ରତିବାଦ ଚୁଲି, ଆମର କ୍ରୋଧ ଚୁଲି (ଲୋ ନିଆଁ ଲୋ ଚୁଲି- ରେବତୀ), ଆମର ଘୃଣା ଚୁଲି (ଚୁଲି ପାଉଁଶ, ଚୁଲି ପଶା), ଆମର ଅଭିଶାପ ବି ସେଇ ଚୁଲି (ଚୁଲିରେ ପଶ, ଚୁଲି ମୁହାଁ), ଆମର ଅସହାୟତା ଚୁଲି (‘ଚୁଲି ଚାଳ ନାହିଁ ଅଗରବାସ’) ଓ ଆମର ପ୍ରତ୍ୟାଖ୍ୟାନ ବି ଚୁଲି (ଚୁଲିକୁ ଯାଉ)। ଆମର ବିଦାୟ ଚୁଲି (ଚୁଲି ଉଠାଇବା) ଓ ସ୍ଥିତିସ୍ଥାପକତା ବି ସେଇ ଚୁଲି (ଚୁଲି ଚାଳରେ ବାସ ପାଇବା)। କ୍ଷୁଧା, ଅନାହାର ଓ ଗରିବୀ ସହ ଜୀବନ ଜିଇବା ଓଡ଼ିଆ ଜାତିର ପୁରୁଣା ଅଭ୍ୟାସ। ବନ୍ୟା, ବାତ୍ୟା ଓ ମରୁଡ଼ି କାଳ କାଳ ଧରି ଏ ଜାତିକୁ ଶିକ୍ଷା ଦେଇ ଆସିଛି ଭାତ ଥାଳି ଯୋଗାଡ଼ କରିବା ହିଁ ଜୀବନର ମୁଖ୍ୟ ଲକ୍ଷ୍ୟ। ଓଡ଼ିଆଙ୍କ ଅସଲି ପରିଚୟ ଅନାହାର ପ୍ରପୀଡ଼ିତ ବୋଲି ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ସାରା ଦୁନିଆ ଆଗରେ ସ୍ଥାପନ କରାଇଛି। ପଚିଶ ଲକ୍ଷ ଓଡ଼ିଆଙ୍କ ଜୀବନ ନେଇଥିବା ସେହି ଦୁର୍ଭିକ୍ଷ ଏତେ ମର୍ମନ୍ତୁଦ ଥିଲା ଯେ ତାହା ବ୍ରିଟିସ୍ ଉପନିବେଶବାଦ ଭଳି ଏକ ସର୍ବଗ୍ରାସୀ ଶକ୍ତିର ବିବେକକୁ ମଧ୍ୟ ଦୋହଲାଇ ଦେଇଥିଲା, ସେ ଦେଶର ରାଜନୀତିରେ ଝଡ଼ ସୃଷ୍ଟି କରି ପକାଇଥିଲା। କ୍ଷୁଧା ଓ ଅନାହାର-ମୃତ୍ୟୁର ଛାପ ସେହି ଦିନଠୁ ଓଡ଼ିଆ ଜାତିର ସ୍ଥାୟୀ ପରିଚୟ ହୋଇଗଲା। ଗାନ୍ଧୀଜୀ ଓଡ଼ିଶାକୁ ପ୍ରଥମେ ଆସିଥିଲେ ୧୯୨୧ ମସିହା ମାର୍ଚ୍ଚ ମାସରେ। ଏହି ପ୍ରଥମ ଓଡ଼ିଶା ଯାତ୍ରାର ଶତବାର୍ଷିକୀ ଏବେ ପାଳନ କରାଯାଉଛି ଆମ ପ୍ରଦେଶରେ। ଓଡ଼ିଶାବାସୀଙ୍କ ଦୈନ୍ୟ ଗାନ୍ଧୀଜୀଙ୍କ ମନରେ ଗଭୀର ରେଖାପାତ କରିଥିଲା ଓ ସେ କହିଥିଲେ, ‘ଓଡ଼ିଶାରେ ମୁଁ ନରକଙ୍କାଳ ଦେଖିବାକୁ ପ୍ରସ୍ତୁତ ଥିଲି, କିନ୍ତୁ ଏତେ ମାତ୍ରାରେ ନୁହେଁ। ପବିତ୍ର ତୀର୍ଥ କ୍ଷେତ୍ର ପୁରୀର ରାଜରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଅଗଣିତ ଅସ୍ଥି କଙ୍କାଳସାର ବୁଭୁକ୍ଷୁ ନର, ନାରୀ ଓ ବାଳୁତମାନଙ୍କ ପାଖରେ ସ୍ୱରାଜର ବା କି ଅର୍ଥ ହୋଇଥିବ? ହୁଏ’ତ ସେମାନଙ୍କ ପାଖରେ ସ୍ୱରାଜର ପ୍ରକୃତ ଅର୍ଥ ଶସ୍ତା ଖାଦ୍ୟ ଓ ପିନ୍ଧିବାକୁ ଲୁଗା।’
ଦେଶ ସ୍ୱାଧୀନ ହେବାର ପଞ୍ଚସ୍ତରି ବର୍ଷ ଭିତରେ ଅନେକ ଯୋଜନା ହେଲାଣି, ପଞ୍ଚତାରକା ହୋଟେଲ୍ର ସୁଶୀତଳ ସମ୍ମିଳନୀ କକ୍ଷରେ ‘ଓଡ଼ିଶା ଗରିବ ନୁହେଁ, ସମୃଦ୍ଧ’ର ଯୁକ୍ତି ଦିଆଗଲାଣି, ଅନେକ ସରକାର ଓଡ଼ିଶାର ପୁରୁଣା ରୂପକୁ ବଦଳେଇ ଦେବାରେ ସକ୍ଷମ ହୋଇଥିବା କଥା ଡିଣ୍ଡିମ ପିଟିଲେଣି; ହେଲେ ସବୁ ମଜାକୁ ମଝିରେ ମଝିରେ ବିଗାଡ଼ି ଦେଉଛନ୍ତି ଫନସ ପୁଞ୍ଜି, ଦାନ ମାଝୀ, ନଗଡ଼ାର ପୁଷ୍ଟିହୀନ ଶିଶୁ ଅଥବା ଶ୍ରୀମନ୍ଦିରର ଚୁଲି ଭଙ୍ଗାଳିମାନେ। ଆଜି ରାଜନୀତି ଓ ଶାସନ ସେଇ ଟଙ୍କିକିଆ ଚାଉଳ, ପାଞ୍ଚ ଟଙ୍କିଆ ଥାଳି ଓ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାରିପାଖରେ ସୀମାବଦ୍ଧ। ନ’ଅଙ୍କ ଦୁର୍ଭିକ୍ଷ ବେଳେ ଖୋଲା ଯାଇଥିବା ଅନ୍ନଛତ୍ରଗୁଡ଼ିକ ମାତ୍ର କିଛି ମାସ ପରେ ସରକାର ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ, କାରଣ ସେଗୁଡ଼ିକର ଲାଭ ଉଠାଇବାର ଲୋକଙ୍କ ସଂଖ୍ୟା ଆଶାତୀତ ଭାବରେ କମିଯାଇଥିଲା। ପରିସ୍ଥିତି ଟିକିଏ ବଦଳିବାରୁ ଲୋକମାନେ ଆତ୍ମସମ୍ମାନକୁ ଜଗି ଅନ୍ନଛତ୍ର ଯିବା ବନ୍ଦ କରିଦେଇଥିଲେ। ହେଲେ ଆଜିର ମାଗଣା ସାହାଯ୍ୟରେ ଅଭ୍ୟସ୍ତ ମଣିଷ ଦାବି କରିଚାଲିଛି ନୂଆ ନୂଆ ମାଗଣା ବସ୍ତୁ, ଭୋଟ ଦେବା ପାଇଁ ଟଙ୍କା, ସୁସ୍ୱାଦୁ ଭୋଜନ ଓ ପାନୀୟ। ତେବେ ଆମେ କେମିତି ଆଶା କରିବା ଏ ଜାତି ଭାତ ଥାଳି ଚିନ୍ତାରୁ ଊର୍ଦ୍ଧ୍ୱକୁ ଉଠିଯିବ ବୋଲି?
ମୋ: ୯୪୩୭୦୮୯୬୫୫