ଜଣେ ସହପାଠିନୀ ଚାକିରିରୁ ଅବସର ନେବା ସମୟରେ ତାଙ୍କୁ ଶୁଭେଚ୍ଛା ଜଣାଇ ଲେଖିଥିଲି ଯେ ସେ ଯେଉଁ ମହାବିଦ୍ୟାଳୟରେ ଏତେ ପ୍ରଶଂସାଭାଜନ ହୋଇ ଶେଷରେ ସେବାନିବୃତ୍ତ ହେଉଛନ୍ତି, ସେଠାରେ ମୁଁ ପାଠ ପଢ଼ି ନ ଥିଲେ ବି ତା’ରି ହତା ଭିତରେ ପିଲାଦିନର ଅନେକ ଅବିସ୍ମରଣୀୟ ମୁହୂର୍ତ୍ତ କାଟିଛି। ଅନେକ ବର୍ଷ ତଳେ ଆମେ ରହୁଥିବା ସେହି ସରକାରୀ ଘରଟିର ବର୍ଣ୍ଣନା ଶୁଣିବା ପରେ ବାନ୍ଧବୀ ଦୁଃଖର ସହ ଜଣାଇଥିଲେ ଯେ, “ସେ କ୍ବାଟର୍ସଟି ଏବେ ଆଉ ନାହିଁ। ଅନେକ ଦିନ ଧରି ଅସୁରକ୍ଷିତ ଘୋଷିତ ହେବା ପରେ କିଛି ମାସ ତଳେ ଘରଟିକୁ ଭାଙ୍ଗି ଦିଆଯାଇଛି। ସେ ସ୍ଥାନରେ ଏବେ ବିଜ୍ଞାନ ବିଭାଗ ଖୋଲା ଯିବାର ଯୋଜନା ରହିଛି।”

Advertisment

ବାର୍ତ୍ତାଟି ମୋ ପାଇଁ ଥିଲା ଦୁଃଖଦ। ମନ ବିଦ୍ରୋହ କରି ଉଠିଲା- ଯେଉଁ ଛାତ ଏତେ ବର୍ଷ ଧରି ଆମ ପରିବାରକୁ ଦୃଢ଼ତାର ସହ ସୁରକ୍ଷା ପ୍ରଦାନ କରିଥିଲା ତାହା ପୁଣି ସ୍ବୟଂ ଅସୁରକ୍ଷିତ ହେଲା କିପରି? ଯେଉଁ ଘର ମୋର କୈଶୋରର ଆନ୍ଦୋଳିତ ଓ ବିଭ୍ରାନ୍ତ ମାନସିକତାକୁ ପ୍ରଶମିତ କରି ମୋ ଭିତରେ ସ୍ଥିରତା ଓ ଦାମ୍ଭିକତା ଗଢ଼ି ତୋଳିଥିଲା, ତାହା ନିଜେ ଏତେ ନିଃସହାୟ ଭାବରେ ଧରାଶାୟୀ ହୋଇଗଲା କେମିତି? ମୋତେ ଲାଗିଲା ସେ ଘର ଭିତରେ ଆବଦ୍ଧ ଥିବା ମୋ ମା’ ରାନ୍ଧୁଥିବା ସୁସ୍ବାଦୁ ଖାଦ୍ୟର ବାସ୍ନା ଓ ଆମ ଚାରି ଭାଇ ଭଉଣୀଙ୍କ କୋଳାହଳର ଗୁଞ୍ଜରଣ ସବୁ ଯେମିତି ସେଦିନ ବୁଲଡୋଜରର ମୁଷଳ ପ୍ରହାରରେ ଖିନଭିନ ହେଇଗଲା।

ବାପାଙ୍କର ବଦଳି ଚାକିରି ହୋଇଥିବାରୁ ପିଲା ଦିନରେ ଅସଂଖ୍ୟ ଘରେ ରହିବାକୁ ପଡ଼ିଛି। କିନ୍ତୁ ମୋର କାହିଁକି କେଜାଣି ସେ ପୁରୁଣା ବାସଗୃହଗୁଡ଼ିକ ପ୍ରତି ଏକ ଅହେତୁକ ଆକର୍ଷଣ ରହିଥାଏ। ମୁଁ ପର କାଳରେ କେବେ ବି ପିଲା ଦିନର କୌଣସି ସହରକୁ ଗଲେ ଅତୀତର ବସାଘର ଆଡ଼େ ଯାଇ ବୁଲି ଆସି ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରେ। ଅନେକ ବର୍ଷ ଅନ୍ତରାଳରେ ସେ ଘର ବା ଘର ପାଖ ଇଲାକାର ପରିବେଶ ବଦଳି ଯାଇଥାଏ, ତେଣୁ ନିଜକୁ ଜଣେ ଅପରିଚିତ ଆଗନ୍ତୁକ ଭଳି ମନେ ହୁଏ। ହେଲେ ସେହି ସ୍ଥାନରେ ବୁଲୁଥିବା ବେଳେ ଧୀରେ ଧୀରେ ଅତୀତର ସ୍ମୃତି ସବୁ ଆପଣାଛାଏଁ ଉନ୍ମୋଚିତ ହୋଇଯାଏ ଓ ମନକୁ ରୋମାଞ୍ଚରେ ଭରିଦିଏ।

ବର୍ତ୍ତମାନର ଘର ହେଉ କି ଅତୀତର, ବସାଘରଟିର ଆକର୍ଷଣ ମଣିଷ ସହଜରେ ଏଡ଼ାଇ ପାରେନା। ନିଜ ଭିଟା ମାଟିରେ ଆଗରୁ ଲୋକେ ପୁରୁଷ ପୁରୁଷ ବିତାଇ ଦେଉଥିଲେ। ପରେ ଅନେକେ ଅର୍ଥନୈତିକ କାରଣରୁ ପୂର୍ବ ପୁରୁଷର ଘର ଛାଡ଼ି ଅନ୍ୟତ୍ର ବସା ଖୋଜିବାକୁ ବାଧ୍ୟ ହୋଇଥିଲେ। ହେଲେ ଆନନ୍ଦ ମଉଛବ ପାଇଁ ହେଉ କି କୌଣସି ସଙ୍କଟରୁ ରକ୍ଷା ପାଇବା ପାଇଁ ହେଉ, ମଣିଷ ସବୁବେଳେ ଘରମୁହାଁ ହୋଇଥାଏ। ମହାମାରୀର ପ୍ରଥମ ଲକ୍‍ଡାଉନ୍ ପରେ ପରେ ଦୂର ଦୂରାନ୍ତରୁ ଲୋକେ ଆପଣା ଜୀବନକୁ ବାଜି ଲଗାଇ ଘରକୁ ହିଁ ଫେରିଥିଲେ। ନିଜ ନୀଡ଼ଟି ଯୋଗାଉଥିବା ପ୍ରବୋଧନା ବିଦେଶରେ ବା ମିଳିବ କେଉଁଠି?

ଓଡ଼ିଶାରେ ଯେତେବେଳେ ରାଜଧାନୀ ଓ ଅନ୍ୟାନ୍ୟ ସହରଗୁଡ଼ିକରେ ନୂଆ ନୂଆ ଚାକିରିର ସୁଯୋଗ ମିଳିବା ଆରମ୍ଭ ହୋଇଥିଲା ସେତେବେଳେ ବସାଘର ସମସ୍ୟାଟି ଉତ୍କଟ ହୋଇ ମୁଣ୍ଡ ଟେକିଥିଲା। ସେ ସମୟର କଥା ଓ କାହାଣୀରେ ଭଡ଼ାଘରଜନିତ ଦୁର୍ଦଶା ଥିଲା ଗୋଟିଏ ବହୁ ବ୍ୟବହୃତ ବିଷୟବସ୍ତୁ। ଗୋପୀନାଥ ମହାନ୍ତିଙ୍କ ‘ଘର’ ଗଳ୍ପର ଚରିତ୍ର ସଦାଶିବ ଭଡ଼ା ଘରଟିଏ ଠାବ କରିବାରେ ବିଫଳ ହୋଇ ଶେଷରେ ଆସନ୍ନ ପ୍ରସବା ପତ୍ନୀଙ୍କୁ ମିଳିଥିବା ପ୍ରସୂତି କୋଠରିଟିକୁ ସପରିବାରେ ଉଠିଯାଇ ନିଜ ସମସ୍ୟାର ଅସ୍ଥାୟୀ ସମାଧାନ ପାଇଛି। ସେମିତି ବସନ୍ତ କୁମାର ଶତପଥୀଙ୍କର ‘ଭଡ଼ାଟିଆ’ ଗଳ୍ପରେ ଅଣଚାଶଟି ଘରେ ଭଡ଼ା ନେଇସାରିଥିବା ଓ ଗୋଟିଏ ମାତୃହୀନ ଶିଶୁପୁତ୍ରର ଲାଳନ ପାଳନ କରୁଥିବା ପିତା ଅଧ୍ୟାପକ ମହେଶର ଘର ମାଲିକ ଦ୍ବାରା ଦହଗଞ୍ଜ ହେବାର ବର୍ଣ୍ଣନା ହୃଦୟକୁ ଛୁଇଁବା ଭଳି।

ଭଡ଼ାଘର ସମ୍ପର୍କିତ ଏହି ତିକ୍ତତା ଅବଶ୍ୟ ଧୀରେ ଧୀରେ ଅପସରି ଗଲା ଯେତେବେଳେ ସହରମାନଙ୍କରେ ରୀତିମତ କୋଠାବାଡ଼ି ଓ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଘର ସବୁ ତିଆରି ହେଲା। ପରେ ଏମିତି ଅବସ୍ଥା ହେଲା ଯେ ଘର ମାଲିକମାନେ ଭଡ଼ାଟିଆ ନ ପାଇ ଦୀର୍ଘ ସମୟ ଧରି ଘର ଖାଲି ପକାଇଲେ। ସତେ ଯେମିତି ଏତେ ବର୍ଷ ଧରି ନିର୍ଯାତିତ ଭଡ଼ାଟିଆ ତା’ର ପ୍ରତିଶୋଧ ନେଉଥିଲା। ଘର ସଂଖ୍ୟା ବଢ଼ିବା ଫଳରେ ବସା ଘର ମିଳିବା ସିନା ସହଜ ହୋଇଗଲା, ହେଲେ ନୂଆ ଫ୍ଲାଟ୍ ଘର ସବୁ ଏକ ପ୍ରକାରର ଓ ନିରସ ହୋଇଥିବାରୁ ବାସଗୃହ ସମ୍ପର୍କିତ ଅନୁଭବ ଓ ସ୍ମୃତିର ବିବିଧତା ଆଉ ଦେଖିବାକୁ ମିଳିଲା ନାହିଁ। ସତେ ଯେମିତି ଫ୍ଲାଟ୍‍ଗୁଡ଼ିକର ଜୀବନ ମଣିଷର ଅନୁଭୂତିଗୁଡ଼ିକୁ ମଧ୍ୟ ଫ୍ଲାଟ୍ ଓ ଶୁଷ୍କ କରିପକେଇଲା।

ଭଙ୍ଗାଯାଇସାରିଥିବା ଯେଉଁ ଘର ବିଷୟରୁ କଥା ଆରମ୍ଭ କରିଥିଲି ତାହା ଥିଲା କଲେଜର ବିସ୍ତୀର୍ଣ୍ଣ ଖେଳ ପଡ଼ିଆର ଗୋଟିଏ ପ୍ରାନ୍ତରେ। କବାଟ ଖୋଲିଲେ ପଡ଼ିଆର ମନୋରମ ସବୁଜିମା ଆଖିରେ ପଡ଼େ। ସେ ପଡ଼ିଆରେ ଆମେ କ୍ରିକେଟ୍‌ ଖେଳୁଥିଲୁ, ବେଳେ ବେଳେ ବଲ୍ ଆସି ଆମ ଘର ଭିତରେ ପଡୁଥିଲା। ସାଙ୍ଗମାନେ ଆମ ଘରେ ପାଣି ପିଉଥିଲେ ଓ ସନ୍ଧ୍ୟାବେଳେ ଖେଳ ସରଞ୍ଜାମ ଆମ ଘରେ ରହୁଥିଲା। ଘର ଅଗଣାରେ ଥିଲା ତିନିଟି ପୁରୁଣା ଗଛ ଆଉ ଫୁଲ ବଗିଚା। ଗୋଟିଏ ପାର୍ଶ୍ବରେ ଥିଲା ଆମର ଛୋଟ ପରିବା ବଗିଚା। ବାନ୍ଧବୀଙ୍କ ପାଖରୁ ଘର ବିଷୟରେ ଖବର ପାଇବା ପରେ ଭାବୁଥିଲି ହୁଏ’ତ ସେ ଘରଟି କେଉଁ ଏକ କୋଠାର ଦଶ ମହଲାରେ ସ୍ଥିତ ଗୋଟିଏ ଚିରାଚରିତ ଫ୍ଲାଟ୍ ଘର ହୋଇଥିଲେ ସମ୍ବାଦଟି ଆଜି ମୋତେ ଏତେ ଭାବବିହ୍ବଳ କରି ନ ଥାନ୍ତା।
ସୌଭାଗ୍ୟ ନଗର, ଭୁବନେଶ୍ବର
ମୋ: ୯୪୩୭୦୮୯୬୫୫