ଚିନ୍ମୟ ହୋତା
ଓଡ଼ିଆ ସାହିତ୍ୟ ଜଗତଟା ଆଜି ପୁସ୍ତକ ଉନ୍ମୋଚନର ଫଟୋ ଭିତରେ ରୁନ୍ଧି ହୋଇ ରହିଯାଇଛି। ଅବଶ୍ୟ ବେଳେବେଳେ କିଛି ସାହିତ୍ୟ ପୁରସ୍କାର ଘୋଷଣା ହେଲେ ଲୋକେ ଟିକିଏ ଚେଇଁ ଉଠନ୍ତି ଓ ପୁରସ୍କାର ବଛାବଛିରେ ଷଡ଼୍ଯନ୍ତ୍ର, ଧରାଧରି, ପ୍ରିୟାପ୍ରୀତି ତୋଷଣ କଥାକୁ ନେଇ ଟୁପୁରୁ ଟାପୁରୁ ହୁଅନ୍ତି। ଓଡ଼ିଆ ସାହିତ୍ୟ ବିବାଦର ଶତକଡ଼ା ୯୯ ଭାଗ ହେଲା ଏଇ ପୁରସ୍କାର ବିଷୟ। ସୋସିଆଲ ମିଡିଆରେ ଏସବୁ ଚୁଗୁଲିଆମିର କିଛି ବାଡ଼ବତା ରହେ ନାହିଁ; ସବୁ ସେଠି ଖୁଲ୍ଲମଖୁଲା। ତେବେ, ଏଇ ବିବାଦଗୁଡ଼ିକ ଶୁଷ୍କ ଓଡ଼ିଆ ସାହିତ୍ୟ ଭୂଇଁକୁ ବେଳେବେଳେ ରସ-ଆର୍ଦ୍ର କରିପକାନ୍ତି।
ସାହିତ୍ୟରେ ବାଦବିବାଦ କିଛି ନୂଆ କଥା ନୁହେଁ। ପ୍ରାଚୀନ କାଳରେ କବି, ପଣ୍ଡିତମାନେ ରାଜାଙ୍କ ଦରବାରରେ ସାହିତ୍ୟ ତର୍କବିତର୍କରେ ମାତୁଥିଲେ, ପ୍ରଶ୍ନ ପଚରାପଚରି ହେଉଥିଲେ ଓ ବିପକ୍ଷକୁ ସାହିତ୍ୟର ପରିଧି ଭିତରେ ଅପଦସ୍ଥ କରିବାକୁ ପଛାଉ ନ ଥିଲେ। ସୃଜନଶୀଳ ସାହିତ୍ୟିକମାନେ ଅତ୍ୟନ୍ତ କଳ୍ପନାପ୍ରବଣ ଏବଂ ସମ୍ବେଦନଶୀଳ ପ୍ରାଣୀ। ତାଙ୍କର ଅହଂ ବୃହତ୍ ଆକାରର। ଯେ କୌଣସି ଆହ୍ୱାନ, ସମାଲୋଚନା, କିମ୍ବା ପ୍ରତିଦ୍ୱନ୍ଦ୍ୱୀର ସଫଳତା ତାଙ୍କୁ ବ୍ୟକ୍ତିଗତ ଅପମାନ ଭଳି ଲାଗେ। ସେମାନେ ନିଜର ପ୍ରତିଭାକୁ ନିଜର ଅସ୍ତିତ୍ୱ ସହିତ ଏତେ ଗଭୀର ଭାବେ ଜଡ଼ିତ କରିଦିଅନ୍ତି ଯେ ସେମାନଙ୍କ କାର୍ଯ୍ୟ ଉପରେ ଆକ୍ଷେପ ତାଙ୍କୁ ନିଜର ଆତ୍ମା ଉପରେ ଆକ୍ରମଣ ପରି ଲାଗେ। ପୁଣି ସାହିତ୍ୟିକମାନେ ସାମାଜିକ କଳହ ସୃଷ୍ଟି କରିବାକୁ ସଂକୋଚ ବୋଧ କରନ୍ତି ନାହିଁ। ସେମାନେ ସାର୍ବଜନୀନ ମଞ୍ଚରେ ନିଜର ପ୍ରତିବାଦୀମାନଙ୍କୁ ଅପମାନିତ କରିବାକୁ ପ୍ରସ୍ତୁତ ରହନ୍ତି।
ସବୁ ଭାଷାରେ ସାହିତ୍ୟିକଙ୍କ କଜିଆ ଏକ ସାଧାରଣ କଥା। ଇଂରେଜୀ ସାହିତ୍ୟରେ ଆଲେକ୍ଜାଣ୍ଡାର ପୋପ ସାହିତ୍ୟିକ କନ୍ଦଳର କିଂବଦନ୍ତିସୁଲଭ ଦୃଷ୍ଟାନ୍ତ ଛାଡ଼ିଯାଇଛନ୍ତି। ତାଙ୍କର ବିରାଟ ଅହଂ ଏବଂ ତୀକ୍ଷ୍ଣ ବୁଦ୍ଧି ତାଙ୍କୁ ସାହିତ୍ୟ ଜଗତର ଏକ ଭୟଙ୍କର ସୃଜନଶୀଳ ପ୍ରତିଦ୍ୱନ୍ଦ୍ୱୀରେ ପରିଚିତ କରିଦେଇଥିଲା। ସେ କେବଳ ଜବାବ ଦେଉ ନ ଥିଲେ, ନିଜର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ସାହିତ୍ୟିକ ଇତିହାସରେ ମୂର୍ଖ ଭାବରେ ଅମରତ୍ୱ ପ୍ରଦାନ କରିଯାଉଥିଲେ। ତାଙ୍କର ବିଖ୍ୟାତ ବ୍ୟଙ୍ଗାତ୍ମକ କବିତା ‘ଦି ଡୁନସିଆଡ’ (‘ମୂଢ଼ ଚରିତ’)ରେ ସେ ନିଜର ଶତ୍ରୁମାନଙ୍କୁ ବିଦ୍ରୂପାତ୍ମକ ଶୈଳୀରେ ଆକ୍ରମଣ କରିଥିଲେ। ପୋପଙ୍କ ଲେଖାରେ ବ୍ୟଙ୍ଗ ଏକ ଅସ୍ତ୍ର ଭଳି କାମ କରୁଥିଲା, ଯାହା ତାଙ୍କ କ୍ରୋଧର ଶିକାର ହୋଇଥିବା ସାହିତ୍ୟିକମାନଙ୍କୁ ମଧ୍ୟ ସାହିତ୍ୟରେ ଅମର କରି ରଖିଛି, ଯଦିଓ ଅଧମ ଓ ଦୟନୀୟ ରୂପରେ।
ହିନ୍ଦୀ ସାହିତ୍ୟର ଦୁଇ ଉଜ୍ଜ୍ବଳ ଜ୍ୟୋତିଷ୍କ ସୁମିତ୍ରାନନ୍ଦନ ପନ୍ତ ଓ ସୂର୍ଯ୍ୟକାନ୍ତ ତ୍ରିପାଠୀ ‘ନିରାଲା’ଙ୍କ ଭିତରେ ମଧ୍ୟ ବିବାଦ ସର୍ବଜନବିଦିତ ଥିଲା। ଦୁର୍ଭାଗ୍ୟକୁ ଥରେ ଏହା ଶାରୀରିକ ସ୍ତରକୁ ଖସି ଆସିଥିଲା। ସେତେବେଳେ ‘ନିରାଲା’ଙ୍କ ଲୋକପ୍ରିୟତା ଓ ପ୍ରସିଦ୍ଧି ଶୀର୍ଷ ଦେଶରେ ଥିଲା। ସ୍ୱାଭାବିକ ଥିଲା ଯେ ତାହା ଅନ୍ୟ ସାହିତ୍ୟିକମାନଙ୍କର ଗାତ୍ରଦାହ ଓ ଈର୍ଷା ସୃଷ୍ଟି କରିବ। ସେଇଆ ହିଁ ହେଲା। ଥରେ ପନ୍ତ ଜଣେ ମଲ୍ଲଯୋଦ୍ଧା ଭଳି କାଛିଆ ପିନ୍ଧି ‘ନିରାଲା’ଙ୍କ ପାଖରେ ପହଞ୍ଚିଗଲେ ଲଢ଼େଇର ରଣହୁଙ୍କାର ଛାଡ଼ି। ଅବଶ୍ୟ ସେଠି ଉପସ୍ଥିତ ଥିବା ହରିବଂଶ ରାୟ ବଚ୍ଚନ ଓ ଲେଖକ ଅମୃତଲାଲ ନାଗରଙ୍କ ମଧ୍ୟସ୍ଥତାରେ ଆସନ୍ନ ମଲ୍ଲଯୁଦ୍ଧଟି ଟଳି ଯାଇଥିଲା। ଏକଥା ହରିବଂଶ ତାଙ୍କର ଆତ୍ମଜୀବନୀ ପୁସ୍ତକରେ ଉଲ୍ଲେଖ କରିଛନ୍ତି।
ଆଉ ଆମ ଓଡ଼ିଶାରେ ମଧ୍ୟ ସାହିତ୍ୟ ବିବାଦ ଅନେକ ଦିନରୁ ଚାଲି ଆସିଛି ଓ ସେଗୁଡ଼ିକର ସବୁଠୁ ବଡ଼ ନମୁନା ହୋଇ ରହି ଯାଇଛି ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଦେଖା ଦେଇଥିବା ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ପତ୍ରିକା ଭିତରେ ସାହିତ୍ୟ ଯୁଦ୍ଧ। ଉଭୟ ପତ୍ରିକାର ଉଦ୍ଦେଶ୍ୟଗତ ପାର୍ଥକ୍ୟ ଥିଲା। ‘ବିଜୁଳି’ ଗୋଷ୍ଠୀ ଉପେନ୍ଦ୍ର ଭଞ୍ଜଙ୍କ ରୀତି ଧର୍ମୀ କବିତାକୁ ଅଶ୍ଳୀଳ, କ୍ଳିଷ୍ଟ ଇତ୍ୟାଦି କହି ଭର୍ତ୍ସନା କରିବା ବେଳେ ‘ଇନ୍ଦ୍ରଧନୁ’ ଦଳ ଭଞ୍ଜଙ୍କୁ ପ୍ରଶଂସା କରିବା ସହ ‘ବିଜୁଳି’ର ପ୍ରିୟ, କବିବର ରାଧାନାଥଙ୍କ ତୀବ୍ର ସମାଲୋଚନା କରୁଥିଲେ। ଏହି ସାହିତ୍ୟ ଯୁଦ୍ଧ ଏତେ ଲୋକପ୍ରିୟ ହୋଇ ଯାଇଥିଲା ଯେ ଅନେକ ସାହିତ୍ୟପ୍ରେମୀ ସେଥିରେ ସାମିଲ ହୋଇଗଲେ। ସେତେବେଳେ ମାତ୍ର ଅଷ୍ଟମ ଶ୍ରେଣୀରେ ପଢୁଥିବା ଗୋପବନ୍ଧୁ ଦାସ ଉଦ୍ବୁଦ୍ଧ ହୋଇ ‘ଇନ୍ଦ୍ରଧନୁ’ରେ ଛଦ୍ମ ନାମରେ ଗୋଟିଏ କବିତା ଛାପି ଦେଲେ ଯାହା ଥିଲା ଏମିତି: “ଧଡ଼ିଆ ପଣ୍ଡିତ-ମନ୍ୟ/ ବାଉରୀ ସାହିରେ ଶୃଗାଳକେଶରୀ/ ପରି ହେଉଥାନ୍ତି ଗଣ୍ୟ।” ରାଧାନାଥ ଶାରୀରିକ ଭାବେ ଦୁର୍ବଳ ଥିବାରୁ ଗୋପବନ୍ଧୁ ତାଙ୍କୁ ବ୍ୟଙ୍ଗ କରିଛନ୍ତି ଏହି ‘ଧଡ଼ିଆ’ ଶବ୍ଦ ମାଧ୍ୟମରେ। କହିବା ବାହୁଲ୍ୟ, ଗୋପବନ୍ଧୁଙ୍କୁ ତାଙ୍କର ଦୁଃସାହସର ମୂଲ୍ୟ ଭରିବାକୁ ପଡ଼ିଲା ଯେତେବେଳେ ଶିକ୍ଷା ବିଭାଗରେ ଉଚ୍ଚ ଆସନ ଅଳଙ୍କୃତ କରୁଥିବା କବିବର, ଗୋପବନ୍ଧୁଙ୍କ ସ୍କୁଲକୁ ଇନସ୍ପେକସନରେ ଆସି ତାଙ୍କୁ ଦଣ୍ଡବିଧାନ କରିଥିଲେ।
ଓଡ଼ିଶାର ବିଶିଷ୍ଟ କବି ମାୟାଧର ମାନସିଂହ ଉଭୟ ଇଂରେଜୀ ଓ ଓଡ଼ିଆରେ ‘ଓଡ଼ିଆ ସାହିତ୍ୟର ଇତିହାସ’ ଲେଖିବା ପରେ ପ୍ରତିକ୍ରିୟା ଓ ପ୍ରତିବାଦ ସ୍ୱରୂପ ବିପ୍ଳବୀ କବି ରବି ସିଂହ ବହିଟିକୁ ଅତି କଟୁ ଭାଷାରେ ସମାଲୋଚନା କରିଛନ୍ତି ତାଙ୍କର ‘ଓଡ଼ିଆ ସାହିତ୍ୟର ଧର୍ଷଣ’ ପୁସ୍ତକରେ। ମାନସିଂହ କରିଥିବା ଅନେକ ଐତିହାସିକ, ଭୌଗୋଳିକ, ସାଂସ୍କୃତିକ ଦାବିଗୁଡ଼ିକୁ ତଥା ତାଙ୍କର ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକମାନଙ୍କର ମୂଲ୍ୟାଙ୍କନକୁ ଆମୂଳଚୂଳ ପ୍ରତ୍ୟାଖ୍ୟାନ କରିଛନ୍ତି ଶ୍ରୀ ସିଂହ। ୟା ବ୍ୟତୀତ ଶ୍ରୀ ମାନସିଂହଙ୍କ କବିତାରେ କବିଗୁରୁ ରବୀନ୍ଦ୍ରନାଥଙ୍କ ଭାଷା, ଭାବ ଓ ବିଷୟର ନକଲ ହୋଇଥିବାର ସୂଚନା ଉଦାହରଣ ସହ ଦେଇଛନ୍ତି ରବି ସିଂହ।
ସାରସ୍ୱତ ବିବାଦ ସାହିତ୍ୟକୁ ନେଇ ସୃଷ୍ଟି ହୁଏ ସତ, ହେଲେ ଅନେକ ସ୍ଥଳରେ ବ୍ୟକ୍ତିଗତ ଆକ୍ରମଣ ଏହାର ଏକ ବିଶେଷ ଅଂଶ ହୋଇଯାଏ। ‘ଇନ୍ଦ୍ରଧନୁ-ବିଜୁଳି’ କଳହ ଓଡ଼ିଆ ସାହିତ୍ୟର ଅଶେଷ ହିତ ସାଧନ କରିଥଲା। ଏହି କନ୍ଦଳ ପରେ ପ୍ରାଚୀନ ସାହିତ୍ୟ ଲୋକପ୍ରିୟ ହେଲା ଓ ରାଧାନାଥ ସାହିତ୍ୟ ସ୍ୱୀକୃତି ପାଇଲା। କିନ୍ତୁ କଳହ ସମୟରେ ମୁଖ୍ୟ ଚରିତ୍ରମାନଙ୍କୁ ତିକ୍ତ କଟାକ୍ଷର ଶରବ୍ୟ କରାଯାଇଥିଲା ଓ ‘କଣାଭୂଷଣ’, ‘କଣାମାମୁ’ ଓ ‘ଧଡ଼ିଆ’ ଇତ୍ୟାଦି ଅପମାନଜନକ ଶବ୍ଦ ପ୍ରୟୋଗ କରାଯାଇଥିଲା। ସେମିତି ମାୟାଧର-ରବି ବିବାଦ ବେଳେ ସାହିତ୍ୟିକ ଆଲୋଚନା ବାହାରକୁ ଯାଇ ଅନିୟମିତତାବଶତଃ ମାନସିଂହଙ୍କ ଚାକିରି ଯିବା ଇତ୍ୟାଦି ପ୍ରସଙ୍ଗ ଉଠାଯାଇଛି।
ହେଲେ ଆଜିର ଓଡ଼ିଆ ସାହିତ୍ୟ ବିବାଦ ସାହିତ୍ୟ ପ୍ରସଙ୍ଗ ବିବର୍ଜିତ, ଏହା ଆଜି ଲଢ଼ାଯାଉଛି କେବଳ ବ୍ୟକ୍ତିଗତ ସ୍ତରରେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫