ନିକଟରେ ବାଲେଶ୍ୱର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗୋଟିଏ ଯାତ୍ରୀବାହୀ ବସ୍ରୁ ଏକ ଚୁଟି ଭର୍ତ୍ତି ବସ୍ତା ନିଖୋଜ ହୋଇଯିବାରୁ ସେହି ବସ୍ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ପଣବନ୍ଦୀ କରି ସେମାନଙ୍କର ମୁକ୍ତି ପଣ ବାବଦକୁ ଅଢ଼େଇ ଲକ୍ଷ ଟଙ୍କା ଦାବି କରାଯାଇଥିବା କଥା ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରିଛି। ସାମାନ୍ୟ ଚୁଟିକୁ ନେଇ ଘଟଣାଟି ଯେ ଏମିତି ସଙ୍ଗୀନ ହୋଇଯାଇପାରେ, ତାହା କୌତୂହଳପୂର୍ଣ୍ଣ ଓ ଅବିଶ୍ୱସନୀୟ ମଧ୍ୟ। ହେଲେ, ଆଜି ମଣିଷର କେଶ ଯେ ଆଉ ‘ସାମାନ୍ୟ’ ହୋଇ ନାହିଁ, ଏ କଥା ବହୁତ ଲୋକ ଜାଣି ସାରିଲେଣି।
ଚୁଟି ଯେ ଏକ ଲାଭଜନକ ବ୍ୟାବସାୟିକ ଉପାଦାନ ଏ କଥା କିଛି ବର୍ଷ ଆଗରୁ କେହି ଚିନ୍ତା କରି ନ ଥିବେ। ଦକ୍ଷିଣ ଭାରତର ବିଖ୍ୟାତ ତିରୁପତି ମନ୍ଦିରରେ କଟାଯାଉଥିବା ଚୁଟିର ରପ୍ତାନି କଥା ପ୍ରସାରିତ ହେବା ପରେ ଯାଇ ସାଧାରଣ ଲୋକେ କେଶ ବ୍ୟବସାୟର ମାହାତ୍ମ୍ୟ କଥା ଜାଣିଲେ। ସେ ମନ୍ଦିରରେ ପ୍ରତି ଦିନ କୋଡ଼ିଏ ହଜାର ଶ୍ରଦ୍ଧାଳୁ ନିଜର କେଶ ଅର୍ପଣ କରନ୍ତି। ବିନା ମୂଲ୍ୟରେ ମୁଣ୍ଡନ କରିବା ପାଇଁ ମନ୍ଦିର ତରଫରୁ ନାପିତମାନେ ନିଯୁକ୍ତ। କେଶ କର୍ତ୍ତନାଳୟରୁ ନିର୍ଗତ ହେଉଥିବା ବିଶାଳ କେଶ ସମ୍ଭାର ବିଦେଶକୁ ରପ୍ତାନି କରିଦିଆଯାଏ। ମନ୍ଦିରର ଅଧିଷ୍ଠିତ ଦେବତା ଆହୁରି ସମୃଦ୍ଧ ହୁଅନ୍ତି। ଆଗରୁ ଆମେ ଚୂଳ କାଟି ସାରିଲେ ନାପିତ ବା ସେଲୁନ ବାଲା ସେ କଟା ଚୁଟିକୁ ନାକ ଟେକି ଅଳିଆ ଗଦାରେ ନିକ୍ଷେପ କରୁଥିଲା। କିନ୍ତୁ ତିରୁପତି ମନ୍ଦିର ଦୃଷ୍ଟାନ୍ତ ପରେ ଆଜିକାଲି ଆମର ଗାଁ ଗଣ୍ଡାରେ କେଶ ସଂଗ୍ରହକାରୀ ବେପାରୀମାନଙ୍କର ଚଳପ୍ରଚଳ ଦେଖିବାକୁ ମିଳୁଛି। ଗାଁବାସୀମାନେ ଆଜିକାଲି ଆଉ କଟାହେଉଥିବା କିମ୍ବା ଝଡ଼ି ପଡୁଥିବା କେଶକୁ ଫୋପାଡ଼ି ନ ଦେଇ ଯତ୍ନର ସହ ଗଚ୍ଛିତ କରି ରଖୁଛନ୍ତି, ସେଇ କେଶ ସଂଗ୍ରହକାରୀ ଫେରିବାଲା ହାତରେ ସମର୍ପିଦେବା ପାଇଁ। ଉପରୋକ୍ତ ଅପହୃତ ଚୁଟି ବସ୍ତାଟି ମଧ୍ୟ ଏହି ଭଳି ବ୍ୟବସାୟ ସହ ଜଡ଼ିତ ଥିବ ନିଶ୍ଚୟ।
ମଣିଷ ତା’ ଶରୀରର ଯେଉଁ ଜିନିଷଟିକୁ ନିଜେ ଭଲ ଦିଶିବା ପାଇଁ ବେଳେ ବେଳେ କର୍ତ୍ତନ କରି ଫିଙ୍ଗି ପକାଏ, ତାହା ପୁଣି ଲାଭ ଉପାର୍ଜନର ଏକ ମାଧ୍ୟମ ହେବ, ଏହା ବିଡ଼ମ୍ବନାଯୁକ୍ତ ଲାଗୁଥିଲେ ମଧ୍ୟ ଆଜି ଏକ ବାସ୍ତବତା। ମଣିଷ କେଶର ସ୍ଥିତି ଆଜି ପ୍ରବାଦର ହାତୀଟି ଭଳି ଯିଏ ‘ଜିଇଲେ ଲକ୍ଷେ, ମଲେ ବି ଲକ୍ଷେ’। କେଶକୁ ଆକର୍ଷଣୀୟ କରି ମୁଣ୍ଡରେ ବଞ୍ଚାଇ ରଖିବା ବ୍ୟବସାୟଟି ଯେତିକି ସମୃଦ୍ଧ, କେଶ ବିସର୍ଜନ ପରେ ମଧ୍ୟ ଏହା ସେତିକି ଲାଭଦାୟକ। ଆଜି ଆମ ସମାଜରେ କୃଷି କର୍ମର ପ୍ରଭାବ କମି ଆସୁଥିବା ବେଳେ ମଣିଷ ମୁଣ୍ଡରେ କେଶ ରୋପଣ ବ୍ୟବସାୟଟି ବେଶ ଜୋର ଧରିଛି। ଆପଣଙ୍କ ପ୍ରିୟ ଚିତ୍ର ତାରକାମାନଙ୍କର ଅପସୃୟମାନ କେଶରାଶି ହଠାତ ଆକ୍ରମଣାତ୍ମକ ଭଙ୍ଗୀରେ ସଘନ ହୋଇ ଉଠିବା ପଛରେ ରହିଛି ଏହି କେଶ ରୋପଣ ପ୍ରକ୍ରିୟାର କୁହୁକ ସ୍ପର୍ଶ। ପୁଣି ହୃତ କେଶର ପ୍ରତ୍ୟାବର୍ତ୍ତନ ଆଶାରେ ତୈଳ, ମଲମ, ଜଡ଼ି ବୁଟି ଓ ଡାକ୍ତରୀ ପରାମର୍ଶ ଇତ୍ୟାଦିରେ ମଣିଷ ବିନିଯୋଗ କରିଚାଲିଛି ଅଜସ୍ର ଅର୍ଥ। ବେଳେ ବେଳେ ଲାଗେ ମଣିଷ ନିଜର ମସ୍ତିଷ୍କ ଖଟାଇ ଅର୍ଥ ଉପାର୍ଜନ କରୁଛି ସିନା, ସେ ଅର୍ଥର ବହୁଳ ଭାଗ ଉଡ଼ାଇ ଦେଉଛି ମସ୍ତିଷ୍କ ଉପରର କ୍ଷୁଦ୍ର ଇଲାକାଟିକୁ ଆକର୍ଷଣୀୟ ଓ ଶସ୍ୟଶ୍ୟାମଳା କରି ରଖିବାରେ। ଆୟୁଷ୍ମାନ ଖୁରାନା ଅଭିନୀତ ହିନ୍ଦୀ ସିନେମା ‘ବାଲା’ (୨୦୧୯) ଯେଉଁମାନେ ଦେଖିଥିବେ ସେମାେନ ଏ ମନ୍ତବ୍ୟର ତାତ୍ପର୍ଯ୍ୟ ସହଜରେ ବୁଝିପାରିବେ।
ତେବେ, କେଶର ଅର୍ଥନୈତିକ ଗୁରୁତ୍ୱ ବିଷୟରେ ସିନା ମଣିଷ ଜାତି ଏବେ ସଚେତନ ହେବାରେ ଲାଗିଛି, ହେଲେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ କେଶର ବିଶେଷତ୍ୱ ଅତୀତରୁ ରହି ଆସିଛି। କୁରୁ ସଭାରେ ଲାଂଛିତ ହୋଇ ଦ୍ରୌପଦୀ ଯଦି ନିଜର ବାଳ ମୁକୁଳା କରି ଦୁଃଶାସନର ରକ୍ତରେ ତାହାକୁ ଧୋଇବାର ଶପଥ କରି ନ ଥାନ୍ତେ, ତେବେ ହୁଏତ ମହାଭାରତ ଯୁଦ୍ଧର ଗତିପଥ ଭିନ୍ନ ହୋଇଥାନ୍ତା। ମହାଦେବଙ୍କର ଜଟାଜୂଟ ହିଁ ତାଙ୍କର ତପସ୍ୱୀ ଜୀବନର ପରିଚୟ। ସେମିତି ବାଇବେଲ ବର୍ଣ୍ଣିତ ଏକ ପ୍ରଖ୍ୟାତ କାହାଣୀ ଅନୁସାରେ ଅଲୌକିକ ଶକ୍ତିର ଅଧିକାରୀ ଶାମସନଙ୍କ ଶକ୍ତିର ଉତ୍ସ ତାଙ୍କର କେଶ, ଯାହାକୁ ଡିଲାଇଲା ଚଞ୍ଚକତା ପୂର୍ବକ କାଟି ତାଙ୍କୁ ବଳହୀନ କରି ପକାଇଛି। ପୁଣି ଇସଲାମ ଧର୍ମ ପ୍ରବର୍ତ୍ତକ ମହମ୍ମଦଙ୍କ କେଶ ରାଶି ଶ୍ରୀନଗରସ୍ଥିତ ହଜରତବଲ ପୀଠରେ ରହିଛି, ଯାହା ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥାଏ।
ଧର୍ମ ସହିତ କେଶର ସମ୍ପର୍କ ସୁଦୃଢ଼। କେଶ ଧାରଣକୁ ନେଇ ବିଭିନ୍ନ ଧର୍ମରେ ନିୟମମାନ ନିର୍ଦ୍ଧାରିତ। ହିନ୍ଦୁ ଧର୍ମର ସାଧୁ ସନ୍ଥମାନେ ଜଟା ରଖୁଥିବା ବେଳେ କିଛି ସଂପ୍ରଦାୟ ଅନୁସାରେ ଲଣ୍ଡିତ ମସ୍ତକ ହେବା ଧାର୍ମିକତାର ପରିଚୟ। ଶିଖ ଧର୍ମରେ କେଶ ଧାରଣ କରିବାର ନିୟମ ଥିଲା ବେଳେ ବୌଦ୍ଧ ଧର୍ମରେ ଭିକ୍ଷୁମାନେ କେଶ ପରିହାର କରିବା ନିର୍ଦ୍ଧାରିତ। ଏଥିରୁ ଜଣାପଡ଼େ ଯେ ଚୁଟିକୁ ନେଇ ଧର୍ମ ଭିତରେ ମଧ୍ୟ ବିଭିନ୍ନ ମତ ରହିଛି। କିନ୍ତୁ ନାରୀମାନଙ୍କ କ୍ଷେତ୍ରରେ ସମସ୍ତେ ଏକମତ ଯେ ଏହା ନାରୀର ସୌନ୍ଦର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବିଭବ। କବିମାନେ କେଶବତୀ ନାରୀମାନଙ୍କ ରୂପର ପ୍ରଶଂସା ଗାନରେ କେବେହେଲେ ସଂକୋଚ କରନ୍ତି ନାହିଁ।
ନିଜର କେଶ ପ୍ରତି ସ୍ବଭାବତଃ ଦୁର୍ବଳ ଜଣେ ନାରୀ ସକାଶେ କେଶ କର୍ତ୍ତନଠୁ କ୍ରୂର ଦଣ୍ଡ ଆଉ ବା କ’ଣ ହୋଇ ପାରେ? ହେଲେ ଏଇ ଓଡ଼ିଶା ଭୂଇଁରେ ବି ଦିନେ ଦୁଇ ଜଣ କ୍ଷମତାନ୍ଧ ଇଂରେଜ ଶାସକ ଜଣେ ଅସହାୟା ନାରୀକୁ ସେମିତି ଦଣ୍ଡରେ ଦଣ୍ଡିତ କରିଥିଲେ। ୧୮୦୭ ମସିହାରେ ପୁରୀଠାରେ କର୍ମରତ ଜଣେ ଭାରତୀୟ ସଇସର ସ୍ତ୍ରୀ ‘ନୁରନ’ ଜଣେ ଗୋରା ସାମରିକ ଅଧିକାରୀଙ୍କ ସ୍ତ୍ରୀଙ୍କ ଚରିତ୍ର ସମ୍ପର୍କରେ ମିଥ୍ୟା ଗୁଜବ ରଟନା କରିଛି ବୋଲି ଅଭିଯୋଗ ହୋଇଥିଲା ଓ ଏଥି ପାଇଁ ତାକୁ କୋର୍ଟ ମାର୍ଶାଲ କରାଯାଇଥିଲା। ଦଣ୍ଡ ଅନୁସାରେ ଅଠରନଳା ଠାରେ ସର୍ବ ସମକ୍ଷରେ ‘ନୁରନ’ର କେଶ କାଟି ଦିଆଯାଇଥିଲା। ଘଟଣାଟି ନିର୍ଦ୍ଦୟ ତ ଥିଲା, ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଥିଲା। କାରଣ ଏହାର ପୁଙ୍ଖାନୁପୁଙ୍ଖ ବିବରଣୀ ଲେଖକ ଜି. ଟୟନବି ତାଙ୍କର ‘ଏ ସ୍କେଚ ଅଫ ଦି ଓରିଶା ହିଷ୍ଟ୍ରି’ ପୁସ୍ତକରେ ଲେଖି ଯାଇଛନ୍ତି।
ଆମ ସଂସ୍କୃତି ଓ ଇତିହାସରେ କେଶ ଏତେ ସବୁ କୌତୂହଳପୂର୍ଣ୍ଣ ଛାପ ଛାଡ଼ି ଯାଇଥିବା ବେଳେ ବାଲେଶ୍ୱରର ଚୁଟି ବସ୍ତା ଚୋରି ଘଟଣା ସେ ଧାରାରେ ଏକ ନୂଆ କଡ଼ି ହୋଇ ଯୋଡ଼ି ହେବ ନିଶ୍ଚୟ।
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ଚୁଟି ଚୋରି ସମ୍ବାଦ
ଚିନ୍ମୟ ହୋତା
/sambad/media/post_attachments/wp-content/uploads/2023/10/dadgadgdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)