ନୃତ୍ୟ ସହିତ ମଣିଷ ଜୀବନ ଏତେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଯେ ସୁଖ ହେଉ ବା ଦୁଃଖ, ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ନୃତ୍ୟର ଆବଶ୍ୟକତା ପଡ଼ିଥାଏ। ଆଉ ଏହି କଳାକୁ ଏତେ ନିବିଡ଼ ଭାବରେ ଆଦରି ନେଇଥିବା ଭାରତୀୟ ସଂସ୍କୃତିରେ ନୃତ୍ୟ ତ ଜୀବନ ଜିଇବା କଳାର ଏକ ପ୍ରତୀକ। ସେଥି ଲାଗି ବୋଧହୁଏ ଭାରତ ସଂପର୍କିତ ଅନେକ ଅଭିବ୍ୟକ୍ତିରେ ‘ନୃତ୍ୟ’ ସ୍ଥାନ ପାଏ। ଏଇ ଯେମିତି ଧୀର ମନ୍ଥର ଗତିରେ ଚାଲୁଥିବା ଭାରତୀୟ ଅର୍ଥନୀତିରେ ଯେତେବେଳେ ନୂତନ ସଂସ୍କାରମାନ ପ୍ରୟୋଗ କରାଗଲା, ସେତେବେଳେ ଅର୍ଥନୀତିର ରୂପରେଖ ବଦଳିଗଲା ଓ ଏହାର ଗତି ବି କ୍ଷିପ୍ର ହେବାକୁ ଲାଗିଲା। ସାରା ଦୁନିଆ ଏହାକୁ ଇଂରେଜୀରେ ‘ଡ୍ୟାନ୍‌ସ ଅଫ ଏଲିଫ୍ୟାଣ୍ଟ’ ବା ‘ହସ୍ତୀର ନୃତ୍ୟ’ ବୋଲି ଅଭିହିତ କଲା। ସେମିତି ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରରେ ବିଶାଳ ନିର୍ବାଚନ ପ୍ରକ୍ରିୟା ଦେଖି ବୁଦ୍ଧିଆ ଲୋକମାନେ ଏହାକୁ ‘ଗଣତନ୍ତ୍ରର ନୃତ୍ୟ’ ବୋଲି ନାମ ଦେଲେ। ନିଜର ଓଜନର ଭାର ବୋହି ଦୀର୍ଘ ପାଞ୍ଚ ବର୍ଷ ପଡ଼ିରହିବା ପରେ ଗଣତନ୍ତ୍ର ହାତ ଗୋଡ଼ ସଳଖେ ଓ ବିଭିନ୍ନ ରୂପରେ ଅଙ୍ଗ ଚାଳନା କରେ ଏହି ନିର୍ବାଚନ ରଙ୍ଗମଞ୍ଚରେ। ନିର୍ବାଚନ ପ୍ରାଙ୍ଗଣର କୋଳାହଳ, ଭାଷଣବାଜି, ନାରାବାଜି, କରତାଳି ଓ ନିର୍ବାଚନୀ ଗୀତ ଏହି ଗଣତନ୍ତ୍ରର ନୃତ୍ୟ ପାଇଁ ସହ-ସଙ୍ଗୀତ ପ୍ରସ୍ତୁତ କଲା ବେଳକୁ ରାଜନୀତି ଓ ଧର୍ମର ଫେଣ୍ଟାଫେଣ୍ଟି ରଙ୍ଗ ଏହି ନୃତ୍ୟର ପରିବେଶକୁ ରଙ୍ଗିନ କରି ତୋଳନ୍ତି।
ତେବେ, ବେଳେ ବେଳେ ନିର୍ବାଚନୀ ଆବହାୱା ନୃତ୍ୟର ପରିସର ଅତିକ୍ରମ କରି ବଲିଉଡ୍ ସିନେମାର ଚମକଦାର ଦୁନିଆ ସହିତ ଅଧିକ ମେଳ ଖାଇଯାଏ। ବଲିଉଡ୍ ସିନେମାରେ ଥାଏ ଅନେକ କିଛି ଯାହା ଆମ ନିର୍ବାଚନରେ ଅବିକଳ ପ୍ରତିଫଳିତ ହୁଏ। ଆସନ୍ତୁ ବଲିଉଡ୍ ଓ ଆଜିର ନିର୍ବାଚନ ଭିତରେ ଥିବା ନିମ୍ନୋକ୍ତ ସାମଞ୍ଜସ୍ୟଗୁଡ଼ିକୁ ଟିକେ ପରଖି ନେବା।
ସମ୍ପୂର୍ଣ୍ଣ ପାରିବାରିକ: ଆମ ସିନେମାଗୁଡ଼ିକର ବିଷୟବସ୍ତୁରେ ବିଭିନ୍ନତା ଥିଲେ ବି ପାରିବାରିକ ବିଷୟଟି ଆଉ ସବୁକୁ ବାଜିମାତ୍ କରିଯାଏ। ଭାରତୀୟ ଦର୍ଶକଙ୍କୁ ପାରିବାରିକ କାହାଣୀଗୁଡ଼ିକ ବେଶ ଆକର୍ଷିତ କରିଥାଏ ଓ ତେଣୁ ନିର୍ମାତାଙ୍କୁ ବ୍ୟବସାୟିକ ସଫଳତାର ଆଶା ଦେଇଥାଏ। ନିର୍ବାଚନ ବଜାରରେ ବି ଠିକ୍‌ ସେଇଆ। ଭାରତୀୟ ଗଣତନ୍ତ୍ର ସତେ ଯେମିତି ପରିବାର-ତନ୍ତ୍ର ବିନା ପାଦେ ବି ଆଗକୁ ବଢ଼ି ପାରିବ ନାହିଁ। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ କେବଳ ତାଙ୍କର ଉତ୍ତର ଦାୟାଦମାନେ ହିଁ ଉପଯୁକ୍ତ। ସ୍ୱାମୀ ଚାଲିଗଲା ପରେ ସହାନୁଭୂତି ଭୋଟ ସାଉଁଟିବା ପାଇଁ ତାଙ୍କ ସ୍ତ୍ରୀଙ୍କଠୁ ବେଶୀ ଅଧିକାର କାହାର ଅଛି? ବାପା ବୃଦ୍ଧ ହେଲା ପରେ ବେଳ ଥାଉଁ ଥାଉଁ ପୁଅମାନେ ନିର୍ବାଚନ ମଙ୍ଗ ଧରିବେନି ତ ପୁଣି ଧରିବ କିଏ? କିଏ କହୁଛି ରାଜା ରାଜୁଡ଼ାଙ୍କ ପରେ ପରିବାରବାଦର ସମୟ ଚାଲିଯାଇଛି? ଆଜି ତାହା ଯେତେ ଗଭୀରକୁ ଚେର ବିଛେଇଛି, ସେମିତି କେବେ ବି ନ ଥିଲା।
ଏକ ମହାନ ପୌରାଣିକ ଚିତ୍ର: ଆମ ସିନେମା ଦର୍ଶକଙ୍କର ପୁଣି ଏକ ଜୋରଦାର ଆକର୍ଷଣ ପୌରାଣିକ ବିଷୟ ବା ଦେବଦେବୀଙ୍କ କାହାଣୀ। ସିନେମାର ବଡ଼ ପରଦାରେ ହେଉ କି ଟିଭିର ଛୋଟ ପରଦାରେ, ଠାକୁରଙ୍କ କାହାଣୀ ସବୁବେଳେ ଲୋକପ୍ରିୟ। ନିର୍ବାଚନ ବଜାରରେ ମଧ୍ୟ ବେଶୀ କାଟତି ଏହି ଦେବତାମାନଙ୍କର କିମ୍ବା ଜୀବନ ସାରା ସେମାନଙ୍କ ଚରିତ୍ର ଅଭିନୟ କରି ନାମ କମାଇଥିବା ଅଭିନେତାମାନଙ୍କର। ଦକ୍ଷିଣର ଦୁଇ ଜଣ ପ୍ରସିଦ୍ଧ ଅଭିନେତା-ରାଜନୀତିଜ୍ଞ ଏମ୍‌ଜିଆର୍‌ ଓ ଏନ୍‌ଟିଆର୍‌ ସେମାନଙ୍କର ଅଭିନୀତ ପୌରାଣିକ ଚରିତ୍ରମାନଙ୍କ ସହ ଏମିତି ଅଭିନ୍ନ ଭାବରେ ଜଡ଼ିତ ଥିଲେ ଯେ ସାଧାରଣ ଜନତା ସେମାନଙ୍କୁ ଦେବତାର ସମ୍ମାନ ଦେଉଥିଲେ। ଆଉ ଆଜିର ଦିନରେ ରାମ ମନ୍ଦିର ନିର୍ମାଣ ଓ ସ୍ୱୟଂ ଶ୍ରୀରାମ ନିର୍ବାଚନର ଟାଣୁଆ ପ୍ରସଙ୍ଗ। ହାଇଦ୍ରାବାଦର ବିଜେପି ପ୍ରାର୍ଥିନୀ ବାସନ୍ତୀ ଲତା ନିର୍ବାଚନ ରାଲି ବେଳେ ଶ୍ରୀରାମଙ୍କ ଭଳି ଅନ୍ୟାୟ ବିରୋଧରେ ଶର ମାରିବାର ଅଭିନୟ କରି ସାଧାରଣ ଜନତାର ହୃଦୟ ଜିଣିବାର ଚେଷ୍ଟା କରୁଛନ୍ତି।
ଏକ କାଳଜୟୀ ଲଭ୍ ଷ୍ଟୋରି: ପ୍ରେମ କାହାଣୀ ବଲିଉଡ୍ ସିନେମାର ପ୍ରାଣ ଶକ୍ତି ସିନା, ନିର୍ବାଚନର ଗଳାକଟା ପରିବେଶରେ ଏହି ଆବେଗଟିର କଥା ଚିନ୍ତା କରାଯାଇ ପାରେନା। ଶତ୍ରୁତାର ତିକ୍ତତା କେବଳ ଏଠି ବିଜୟର ସମ୍ଭାବନା ସୃଷ୍ଟି କରେ। କିନ୍ତୁ ଦେଖନ୍ତୁ ନା, ସୁରତ୍ ଲୋକସଭା କ୍ଷେତ୍ରରେ ଜଣେ ପ୍ରାର୍ଥୀଙ୍କ ପ୍ରତି ସମସ୍ତ ବିରୋଧୀ ପ୍ରାର୍ଥୀମାନଙ୍କର କି ଅଭୂତପୂର୍ବ ପ୍ରେମ ପ୍ରଦର୍ଶନ! ତାଙ୍କର ସମସ୍ତ ପ୍ରତିଦ୍ୱନ୍ଦ୍ୱୀ ନିର୍ବାଚନରୁ ଓହରି ଯିବାରୁ ସେ ନିର୍ବିରୋଧ ବିଜୟୀ ଘୋଷିତ ହୋଇସାରିଲେଣି ବିଜେପି ପ୍ରାର୍ଥୀ ମୁକେଶ ଦଲାଲ। ବାସ୍ତବିକ ବଲିଉଡ୍ ସିନେମା ଭଳି ଏହା ଏକ କାଳଜୟୀ ଲଭ୍ ଷ୍ଟୋରି।
ପ୍ରାଣସ୍ପର୍ଶୀ ସଂଳାପ: ‘ତେରା କ୍ୟା ହୋଗାରେ କାଲିଆ?’ କିମ୍ବା ‘ମେରେ ପାସ ମା’ ହୈ!’ ଭଳି ଅବିସ୍ମରଣୀୟ ବଲିଉଡ୍ ସଂଳାପଗୁଡ଼ିକୁ ଟକ୍କର ଦେବାକୁ ବସିଲେଣି, ‘ଆପନ୍ ମାନେ କୁସି ତୋ?’ କିମ୍ବା ‘ସେମାନେ ଦିନରେ ସ୍ୱପ୍ନ ଦେଖୁଛନ୍ତି’ ଭଳି ନିର୍ବାଚନୀ ଡାଇଲଗ। ଅବଶ୍ୟ ବେଳେ ବେଳେ କଠିନ ଓଡ଼ିଆ ଶବ୍ଦଗୁଡ଼ିକର ଉଚ୍ଚାରଣ ସଂଳାପଗୁଡ଼ିକୁ ଟିକେ କୌତୁକିଆ କରି ତୋଳୁଛି, ଯେମିତି କି, ‘‘ଶିରା ପରିଶ୍ରା’’ ଇତ୍ୟାଦି।
ଶେଷରେ ପବ୍ଲିକ୍: ନିର୍ବାଚନର ଯେତେ ସବୁ ହଟଚମଟ ନେତାମାନେ ସୃଷ୍ଟି କରୁଥିଲେ ବି ସେମାନଙ୍କର ଅସଲି ଡୋରି ଥାଏ ଜନସାଧାରଣ ବା ପବ୍ଲିକ୍ ହାତରେ, ଠିକ୍‌ ଯେମିତି ଗୋଟିଏ ଚଳଚ୍ଚିତ୍ରର ସଫଳତା କିମ୍ବା ବିଫଳତା ପଛରେ ଥାଏ ସାଧାରଣ ଦର୍ଶକର ହାତ। ଯେତେବେଳେ ବି ଭାରତୀୟ ଗଣତନ୍ତ୍ର ବିପନ୍ନ ହୋଇଯାଏ, ସେତେବେଳେ ଏହି ସାଧାରଣ ଭୋଟର୍ ଦେଖାଇ ଦିଏ ତା’ର ଅସଲି ଶକ୍ତି ଓ କ୍ଷମତା। ସତେ ଯେମିତି ଭାରତୀୟ ଗଣତନ୍ତ୍ରର ବିବେକରକ୍ଷକ ସାଧାରଣ ଭୋଟର୍‌ମାନଙ୍କୁ ତାରିଫ କରିବା ପାଇଁ ବଲିଉଡ୍ ଚଳଚ୍ଚିତ୍ର ନାୟକ ଗାଇ ଉଠେ, ‘ୟେ ପବ୍ଲିକ୍ ହୈ ୟେ ସବ୍ ଜାନତି ହୈ’ ଗୀତଟି।
ମୋ: ୯୪୩୭୦୮୯୬୫୫